ଏସ. ରାମାସାମୀ ନିଜର ପୁରୁଣା ବନ୍ଧୁ ସହ ମୋର ପରିଚୟ କରାଇ ଦେଇଥିଲେ। ତାଙ୍କର ପ୍ରିୟ ସାଥୀ ଅନେକ ଆଗନ୍ତୁକମାନଙ୍କୁ ଆକୃଷ୍ଟ କରିଥାଏ: ସମ୍ବାଦପତ୍ର, ଟିଭି ଚାନେଲ, ଆଇଏଏସ ଏବଂ ଆଇପିଏସ ଅଧିକାରୀ ଏବଂ ଆହୁରି ଅନେକ। କୌଣସି ତଥ୍ୟ ଯେମିତି ସେ ଛାଡ଼ି ନଯାଆନ୍ତି ସେଥିପ୍ରତି ସେ ସଚେତନ ଥିଲେ। ସର୍ବୋପରି ସେ ଜଣେ ସେଲିବ୍ରିଟୀ, ଜଣେ ଭିଆଇପିଙ୍କ ବିଷୟରେ କଥା ହେଉଥିଲେ।

ତାଙ୍କର ବନ୍ଧୁ ହେଉଛି ୨୦୦ ବର୍ଷ ପୁରୁଣା ଏକ ଗଛ: ମାଳିଗମପଟ୍ଟର ମହାନ ଆୟିରମକାଚୀ

ଆୟିରମକାଚୀ ହେଉଛି ଏକ ପଲା ମରମ୍ ବା ପଣସ ଗଛ,ଏହା ମୋଟା, ଡେଙ୍ଗା ଓ ଫଳବତୀ। ଗଛଟି ଏତେ ଚଉଡ଼ା ଯେ, ଏହାର ଚାରିପାଖରେ ଥରେ ବୁଲି ଆସିବା ପାଇଁ ୨୫ ସେକେଣ୍ଡ ସମୟ ଲାଗିଥାଏ। ଏହି ପୁରୁଣା ଗଛର ଗଣ୍ଡିରେ ୧୦୦ରୁ ଅଧିକ କଣ୍ଟାଯୁକ୍ତ ସବୁଜ ଫଳ ଝୁଲି ରହିଥାଏ। ଏହି ଗଛ ପାଖରେ ଛିଡ଼ା ହେବା ଏକ ସମ୍ମାନର ବିଷୟ। ଏହା ଚାରିପାଖରେ ବୁଲିବା ସୌଭାଗ୍ୟର ବିଷୟ। ମୋର ପ୍ରତିକ୍ରିୟା ଦେଖି ରାମସାମୀ ସ୍ମିତହାସ୍ୟ ଦେଇଥିଲେ; ଆନନ୍ଦ ଓ ଗର୍ବରେ ତାଙ୍କର ନିଶ ଫୁଲି ଉଠିଥିଲା, ଏହି ଅଭିବ୍ୟକ୍ତି ତାଙ୍କ ଆଖିରେ ପ୍ରତିଫଳିତ ହୋଇଥିଲା। ୭୧ ବର୍ଷ ମଧ୍ୟରେ, ତାଙ୍କ ଗଛକୁ ଦେଖି ପ୍ରଭାବିତ ହୋଇଥିବା ଅନେକ ଅତିଥିଙ୍କୁ ସେ ଦେଖିଛନ୍ତି। ସେ ମୋତେ ଆହୁରି ଆଗକୁ କହିଥିଲେ...

“ଆମେ କୁଡ଼ାଲୋର ଜିଲ୍ଲା, ପନରୁଟି ବ୍ଲକର ମଳିଗମପଟ୍ଟ ପଡ଼ାରେ ଥିଲୁ,” ଖାବି (ଗେରୁଆ) ଧୋତି ପିନ୍ଧି ଓ ନିଜ ପତଳା କାନ୍ଧରେ ତଉଲିଆ ପକାଇ ସେ ଗଛ ପାଖରେ ଛିଡ଼ା ହୋଇ ନିଜର କଥାବାର୍ତ୍ତା ଜାରି ରଖିଥିଲେ। “ପାଞ୍ଚ ପିଢ଼ି ପୂର୍ବରୁ ମୋର ପୂର୍ବଜମାନେ ଏ ଗଛକୁ ଲଗାଇଥିଲେ। ଆମେ ଏହାକୁ ଆୟିରମକାଚୀ ବା ୧,୦୦୦ ଫଳ ଦେଇଥିବା ଗଛ ବୋଲି କହୁ। ପ୍ରକୃତରେ, ଏ ଗଛରେ ଏବେ ବର୍ଷକୁ ୨୦୦ରୁ ୩୦୦ ଫଳ ଫଳୁଛି ଏବଂ ସେଗୁଡ଼ିକ ୮ରୁ ୧୦ ଦିନ ମଧ୍ୟରେ ପାଚି ଯାଉଛି। ପଣସର ଫୁଟଗୁଡ଼ିକ ଭାରି ସୁଆଦିଆ, ରଙ୍ଗ ଖୁବ ସୁନ୍ଦର ଏବଂ ପାଚିନଥିବା ପଣସକୁ ମଧ୍ୟ ବିରିୟାନି ସହ ରନ୍ଧା ହୁଏ।” ପ୍ରାୟ ଅଧା ମିନିଟ ମଧ୍ୟରେ, ସେ ଏହାର ଗୁଣକୁ ପ୍ରଶଂସା କରିଥିଲେ। ତାଙ୍କ ଗଛ ଭଳି, ରାମସାମୀଙ୍କ ଭାଷଣ ମଧ୍ୟ ସମୟ ସହିତ ଶାଣିତ ଏବଂ ବହୁ ଦଶନ୍ଧି ଧରି ଗଢ଼ା ହୋଇଥିବା ଭଳି ଲାଗିଥିଲା।

PHOTO • M. Palani Kumar

ଏସ. ରାମସାମୀ ତାଙ୍କ ଉଦ୍ୟାନରେ ନିଜର ପ୍ରିୟ ସାଥୀ, ମହାନ ଆୟିରମକାଚୀ, ୨୦୦ ବର୍ଷ ପୁରୁଣା ଏକ ପଣସ ଗଛ ପାଖରେ ଛିଡ଼ା ହୋଇଛନ୍ତି

୨୦୨୨ ଏପ୍ରିଲ ମଧ୍ୟ ଭାଗରେ ପଣସ ଚାଷୀ ଓ ବିକ୍ରେତାମାନଙ୍କୁ ଭେଟିବା ଲାଗି ତାମିଲନାଡ଼ୁର କୁଡ୍ଡାଲୋର ଜିଲ୍ଲାରେ ଥିବା ପନରୁତି ବ୍ଲକକୁ ଯାଇଥିଲା ପରୀ। ଏହା ହେଉଛି ରାଜ୍ୟର ସବୁଠୁ ବଡ଼ ଫଳ ଉତ୍ପାଦନକାରୀ ସହର। ବିଶେଷ କରି ଫେବୃଆରୀରୁ ଜୁଲାଇ ପଣସ ଋତୁରେ ଧାଡ଼ି ଧାଡ଼ି ହୋଇଥିବା ଦୋକାନଗୁଡ଼ିକରେ ଟନ୍ ଟନ୍ ପଣସ ବିକ୍ରି ହୁଏ। ରାସ୍ତାକଡ଼ ଏବଂ ଟ୍ରାଫିକ ଛକମାନଙ୍କରେ ବିକ୍ରେତାମାନେ ପାଚିଲା ଫଳ ଏବଂ ମଞ୍ଜି ବିକ୍ରି କରିଥାନ୍ତି। ପନରୁତି ସହରରେ ଥିବା ପାଖାପାଖି ଦୁଇ ଡଜନ ଦୋକାନ ‘ମଣ୍ଡି’ ଭାବେ ଏଠାରେ ‘ପାଇକାରୀ’ ବ୍ୟବସାୟ କରିଥାନ୍ତି। ପ୍ରତ୍ୟେକ ଦିନ, ପାଖ ଗାଁରୁ ଟ୍ରକ ଭର୍ତ୍ତି ପଣସ ଆସି ପହଞ୍ଚିଥାଏ ଏବଂ ସେଗୁଡ଼ିକୁ ଚେନ୍ନାଇ, ମଦୁରାଇ, ସାଲେମର ପାଇକାରୀ ବିକ୍ରେତାମାନଙ୍କୁ ବିକ୍ରି କରାଯାଏ। ଏପରିକି ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ରର ମୁମ୍ବାଇ ପର୍ଯ୍ୟନ୍ତ ଏଠାରୁ ପଣସ ବିକ୍ରି ହେବାକୁ ଯାଏ।

ଆର୍‌. ବିଜୟକୁମାରଙ୍କ ଏମିତି ଏକ ମଣ୍ଡିରୁ ମୁଁ ରାମସାମୀ ଏବଂ ତାଙ୍କ ଐତିହ୍ୟ ବୃକ୍ଷ ବିଷୟରେ ଶୁଣିବାକୁ ପାଇଥିଲି। ରାସ୍ତାକଡ଼ ଉଠାଦୋକାନରୁ ମୋ ପାଇଁ ଚା’ଟିଏ କିଣି ଦେବା ସହ ବିଜୟ କୁମାର ମୋତେ ଆଶ୍ୱାସନା ଦେଇ କହିଥିଲେ, “ଯାଆନ୍ତୁ, ତାଙ୍କୁ ଭେଟନ୍ତୁ, ସେ ଆପଣଙ୍କୁ ସବୁ କଥା କହିବେ।” ପାଖରେ ବସିଥିବା ଜଣେ ବୃଦ୍ଧ ଚାଷୀଙ୍କ ଆଡ଼କୁ ଇସାରା କରି ସେ କହିଥିଲେ, “ସାଥୀରେ ତାଙ୍କୁ ନେଇଯାଆନ୍ତୁ।”

ମଳିଗମପଟ୍ଟ ଏଠାରୁ ପ୍ରାୟ ପାଞ୍ଚ କିଲୋମିଟର ଦୂରରେ ଥିଲା। କାର୍‌ରେ ସେଠାକୁ ଯିବା ଲାଗି ୧୦ ମିନିଟ୍ ଲାଗିଲା ଏବଂ ଚାଷୀ  ଜଣଙ୍କ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇ ଚାଲିଥିଲେ। “ଡାହାଣକୁ ବୁଲାନ୍ତୁ, ସେହି ରାସ୍ତାକୁ ଗଡ଼ି ଯାଆନ୍ତୁ, ଏଇଠି ଅଟକନ୍ତୁ, ତାହା ହିଁ ରାମାସାମୀଙ୍କ ଠିକଣା,” ସେ କହିଥିଲେ, ବଳଶାଳୀ କଳା ଓ ଧଳା କୁକୁର ଜଗିଥିବା ଏକ ବଡ଼ ଘର ଆଡ଼କୁ ସେ ଇସାରା କରି ଦେଖାଇ ଦେଇଥିଲେ। ବାରଣ୍ଡାରେ ଏକ ଦୋଳି ଲାଗିଥିଲା, କିଛି ଚେୟାର ପଡ଼ିଥିଲା, ମୁଖ୍ୟ ଦ୍ୱାର ଖୁବ ସୁନ୍ଦର ଭାବେ ଗଢ଼ା ହୋଇଥିଲା, କୃଷି ଉତ୍ପାଦରେ ଭର୍ତ୍ତି କିଛି ଛୋଟ ବସ୍ତା ସେଠାରେ ପରସ୍ପର ଉପରେ ଲଦା ହୋଇ ରଖାଯାଇଥିଲା। କାନ୍ଥରେ ଧାଡ଼ି ଧାଡ଼ି ହୋଇ ଫଟୋ, କଳାକୃତି ଏବଂ କ୍ୟାଲେଣ୍ଡର ଟଙ୍ଗା ଯାଇଥିଲା।

ଆମେ ଆସିବୁ ବୋଲି ରାମାସାମୀ ଆଶା କରୁନଥିଲେ, କିନ୍ତୁ ଆମକୁ ବସିବାକୁ ସେ ନିମନ୍ତ୍ରଣ କରିବା ସହିତ କିଛି ବହି ଓ ଫଟୋ ଆଣିବାକୁ ଯାଇଥିଲେ। ଜଣେ ବିଶେଷଜ୍ଞ ଭାବେ ତାଙ୍କର ବିଶେଷ ଚାହିଦା ଥିଲା, ତେଣୁ ସେ କୌତୁହଳୀ ଆଗନ୍ତୁକଙ୍କୁ ନେଇ ଅଭ୍ୟସ୍ତ ହୋଇଯାଇଥିଲେ। ଏପ୍ରିଲର ସେହି ଗରମ ପୂର୍ବାହ୍ନରେ ସେ  କରବାଡ଼ (ଶୁଖୁଆ) ବିକ୍ରି କରୁଥିବା ଦୁଇ ଜଣ ମହିଳାଙ୍କ ପାଖରେ ଏକ ପ୍ଲାଷ୍ଟିକ ଚେୟାରରେ ବସି ମୋତେ ପଣସ ସମ୍ପର୍କରେ କେତୋଟି କଥା କହିଥିଲେ...

*****

PHOTO • Aparna Karthikeyan
PHOTO • M. Palani Kumar

କୁଡ୍ଡାଲୋର ଜିଲ୍ଲାର ପନରୁତି ବ୍ଲକ ମାଳିଗମପଟ୍ଟ ପଡ଼ାରେ ରାମସାମୀ ବିଶ୍ୱ ର ସବୁଠୁ ବଡ଼ ଫଳ ମଧ୍ୟରୁ ଅନ୍ୟତମ ପଣସ ଚାଷ କରିଥାନ୍ତି। ସବୁଠୁ ପୁରୁଣାଗଛ, ଆୟିରମକାଚୀକୁ ପାଞ୍ଚ ପିଢ଼ି ପୂର୍ବରୁ ତାଙ୍କ ପୂର୍ବଜମାନେ ତାଙ୍କର ଏହି ଉଦ୍ୟାନରେ ଲଗାଇଥିଲେ

ବିଶ୍ୱର ସବୁଠୁ ବଡ଼ ଫଳ ମଧ୍ୟରୁ ଅନ୍ୟତମ ଏହି ଫଳ ଦକ୍ଷିଣ ଭାରତର ପଶ୍ଚିମ ଘାଟ ଅଞ୍ଚଳରେ ମୁଖ୍ୟତଃ ଦେଖାଦେଇଥାଏ, ଯାହାକୁ କଥିତ ଭାଷାରେ ‘ଜ୍ୟାକ୍‌’ ବୋଲି କୁହାଯାଏ। ଏହି ନାମ ପର୍ତ୍ତୁଗିଜ ଶବ୍ଦ ‘ଜାକା’ ରୁ ଆସିଛି। ଏହି ଶବ୍ଦ ମଧ୍ୟ ମାଲୟାଲମ ଶବ୍ଦ ଚକ୍କା ରୁ ଆସିଛି। ଏହାର ବୈଜ୍ଞାନିକ ନାମ ଟିକିଏ ଜଟିଳ : ଆର୍ଟୋକାର୍ପସ ହେଟେରୋଫାଇଲସ

କିନ୍ତୁ ଅନ୍ତର୍ଜାତୀୟ ସମୁଦାୟ ଏହି କଣ୍ଟାଯୁକ୍ତ, ସବୁଜ, ଅଜବ ଦେଖାଯାଉଥିବା ଫଳକୁ ଦେଖିବା ପୂର୍ବରୁ ତାମିଲ କବିମାନେ ଏହାକୁ ଦେଖିପାରିଥିଲେ। ୨,୦୦୦ ବର୍ଷ ପୂର୍ବରୁ ରଚିତ ପ୍ରଣୟ କବିତାରେ ଏହି ବିଶାଳ ଫଳର ଆଶ୍ଚର୍ଯ୍ୟଜନକ ଉଲ୍ଲେଖ ଦେଖିବାକୁ ମିଳିଥାଏ। ଏସବୁ କବିତାରେ ଏହାକୁ ‘ପଲା ପଳମ’ ବୋଲି କୁହାଯାଇଛି।

ଆପଣଙ୍କ ବଡ଼ ଥଣ୍ଡା ଆଖିକୁ ଲୁହରେ ଭରି ଦେଇ
ସେ ତାଙ୍କ ପ୍ରସିଦ୍ଧ ସହରକୁ ଯାଇଛନ୍ତି ଫେରି
ଯେଉଁଠି ପାହାଡ଼ଗୁଡ଼ିକ ପଣସ ଗଛରେ ଚିତ୍ରିତ ହୋଇ ରହିଛି
ଆଉ ସେମାନଙ୍କର ମାଂସାଳ ସୁଗନ୍ଧଯୁକ୍ତ ଫଳ
ଏକ ଚଟାଣ ଭଳି ତଳକୁ ଖସିପଡ଼ି
ସେଇଠି ହିଁ ମହୁବସା ପରି ଫାଟି ଯାଇଛି

ଆଇଁକୁରୁନୁରୁ – ୨୧୪ , ସଙ୍ଗମ କାବ୍ୟ

ଅନୁବାଦକ ସେନ୍ଥିଲ ନାଥନ ସ୍ମରଣ କରି କୁହନ୍ତି, ‘‘କପିଲାରଙ୍କ ଆଉ ଏକ ଅଦ୍ଭୂତ କବିତା’’ର ଏକ ପଦ୍ୟରେ, ଗୋଟିଏ ବିଶାଳ ପଣସକୁ ଏକ ମହାନ ପ୍ରେମ ସହିତ ତୁଳନା କରାଯାଇଛି।

ବଡ଼ ଫଳଟିଏ ଝୁଲିଥିବା ଏକ ଛୋଟ ଗଣ୍ଡି ଭଳି
ତା’ର ଜୀବନ କଠିନ, କିନ୍ତୁ ତା’ର ପ୍ରେମ ଅପାର!

କୁରୁନ୍ତୋକଇ – ୧୮ , ସଙ୍ଗମ କାବ୍ୟ

ଇଣ୍ଡିଆନ ଫୁଡ୍‌; ଏ ହିଷ୍ଟୋରିକାଲ କମ୍ପାନିଅନରେ କେ.ଟି. ଆଚାୟ ଲେଖିଛନ୍ତି, ଖ୍ରୀଷ୍ଟପୂର୍ବରୁ ୪୦୦ ଶତାବ୍ଦୀରେ ରଚିତ ବୌଦ୍ଧ ଓ ଜୈନ୍ୟ ସାହିତ୍ୟରେ କଦଳୀ, ଅଙ୍ଗୁର, କାଗଜି ଲେମ୍ବୁ ଆଦି ଅନ୍ୟ ଫଳ ଭଳି ପଣସ ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି।

PHOTO • M. Palani Kumar

ଉଦ୍ୟାନ ଭିତରେ, ଲୁଚକାଳି ଖେଳୁଥିବା ଛାଇ ମଧ୍ୟରେ ଅଟକି ଯାଇ ରାମସାମୀ ପୁରୁଣା ଗଛଗୁଡ଼ିକ ବାହାରେ ଥିବା ଦୁନିଆକୁ ଦେଖୁଛନ୍ତି

ଆଚାୟ ଆହୁରି ଲେଖିଛନ୍ତି, ଷୋଡ଼ଶ ଶତାବ୍ଦୀର କଥା। ଏହି ସମୟରେ ବାଦଶାହା ବାବର (‘‘ଚମତ୍କାର ଦୈନିକ ବିବରଣୀ ଲେଖକ’’), ଏହାକୁ ହିନ୍ଦୁସ୍ତାନର ଫଳ ରୂପରେ ‘‘ସଠିକ୍‌ ଭାବେ ବର୍ଣ୍ଣନା କରିଛନ୍ତି’’। ତେବେ ତାଙ୍କର ବର୍ଣ୍ଣନାରୁ ସେ ପଣସର ଜଣେ ବହୁତ ବଡ଼ ପ୍ରଶଂସକ ଥିଲେ ବୋଲି ଲାଗେ ନାହିଁ। କାରଣ ସେ ଏହାର ତୁଳନା ‘‘ମେଣ୍ଢାର ପେଟରେ ଭର୍ତ୍ତି ଗିପା (ହାଗିସ ବା ଏକ ପ୍ରକାର ମିଠା ବ୍ୟଞ୍ଜନ) ସହିତ କରିଛନ୍ତି ଏବଂ ଏହାକୁ ‘‘ଅସୁସ୍ଥ କରିବା ଭଳି’’ ମିଠା ଭାବେ ବର୍ଣ୍ଣନା କରିଛନ୍ତି।

ତାମିଲନାଡ଼ୁରେ ଏହା ଏକ ଲୋକପ୍ରିୟ ଫଳ ହୋଇ ରହି ଆସିଛି। ତାମିଲ ଭାଷାରେ ଏମିତି ଅନେକ ମିଠା ଲୋକକଥା ଏବଂ ଢଗଢମାଳି ରହିଛି, ଯେଉଁଥିରେ ମୁକ୍କଣି ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଇଛି। ମୁକ୍କଣି ହେଉଛି ତାମିଲ ଦେଶର ତିନୋଟି ଫଳ: ମା, ପଲା, ବାଳଇ (ଆମ୍ବ, ପଣସ ଓ କଦଳୀ)। ପଣସ ଉପରେ ତାଙ୍କର ଚମତ୍କାର ତଥା ବିସ୍ତୃତ ପୁସ୍ତକ ପାଲା ମରମ : ଫଳମାନଙ୍କର ରାଜା ପୁସ୍ତକରେ, ପଞ୍ଚବରଣମ ଅନେକ ଢଗଢମାଳି ବିଷୟରେ ଉଲ୍ଲେଖ କରିଛନ୍ତି। ଗୋଟିଏ ସୁନ୍ଦର ଧାଡ଼ିରେ କୁହାଯାଇଛି:

ମୁଲ୍ଲୁକୁଲ୍ଲେ ମୁତ୍ତୁକୁଳେୟମ। ଆଦି ଏନ୍ନ? ପାଲା ପଡ଼ମ।
(କଣ୍ଟା ଭିତରେ ମୋତିର ଫସଲ। ଏହା କ’ଣ? ଏକ ପଣସ।)

ନିକଟରେ ଏହି ଫଳକୁ ଚମତ୍କାର ପ୍ରଶଂସା ମିଳିଛି। ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ୍‌ ଅଫ୍‌ ଫୁଡ ସାଇନ୍ସରେ ପ୍ରକାଶିତ ୨୦୧୯ର ଏକ ନିବନ୍ଧ ରେ ଆର.ଏ.ଏସ.ଏନ ରଣସିଂଘେ ଉଲ୍ଲେଖ କରିଛନ୍ତି ଯେ, ପଣସ ଗଛର ଫଳ, ପତ୍ର ଏବଂ ଛାଲି ସମେତ ପଣଗଛର ବିଭିନ୍ନ ଅଂଶରେ କର୍କଟନିରୋଧୀ, ଜୀବାଣୁ ନିରୋଧୀ, ଫିମ୍ପିନିରୋଧୀ, ଫୁଲାନିରୋଧୀ, ଘା’ ଭରିବା ଏବଂ ହାଇପୋଗ୍ଲାଇସେମିକ ପ୍ରଭାବ ଥିବା କାରଣରୁ ପାରମ୍ପରିକ ଔଷଧରେ ଏହାର ବ୍ୟାପକ ବ୍ୟବହାର କରାଯାଇଥାଏ। ତଥାପି, ‘‘ଅମଳ ହେଉଥିବା କ୍ଷେତ୍ରରେ, ଏହାର କମ୍‌ ବାଣିଜ୍ୟିକ ପ୍ରକ୍ରିୟାକରଣ ହୋଇଥାଏ।’’

*****

PHOTO • M. Palani Kumar
PHOTO • M. Palani Kumar

ବାମ: ରାମସାମୀଙ୍କ ଉଦ୍ୟାନରେ ଏକ ଛୋଟ ପଣସ ଗଛ ଲଗା ହୋଇଛି। ଡାହାଣ: କଣ୍ଟାଯୁକ୍ତ ସବୁଜ ଫଳ ଗଛରୁ ଝୁଲି ରହିଛି ଏବଂ ପଣସ ଋତୁରେ ଖୁବଶୀଘ୍ର ପୁରୁଣା ଗଣ୍ଡି ପଣସରେ ଭର୍ତ୍ତି ହୋଇଯାଏ

କୁଡ୍ଡାଲୋର ଜିଲ୍ଲାର ପନରୁତି ବ୍ଲକକୁ ତାମିଲନାଡ଼ୁର ପଣସ ରାଜଧାନୀ ବୋଲି କୁହାଯାଏ। ଆହୁରି ପଣସ ଏବଂ ଏହାର ଭୌଗୋଳିକ ସ୍ଥିତି ସମ୍ପର୍କରେ ରାମସାମୀଙ୍କର ଗଭୀର ଜ୍ଞାନ ରହିଛି। କେଉଁଠି ଏହି ଗଛ ଭଲ ହୋଇଥାଏ ତାହା ସେ ବର୍ଣ୍ଣନା କରିଥାନ୍ତି। ଅର୍ଥାତ୍‌, ଯେଉଁଠି ପାଣିର ସ୍ତର ୫୦ ଫୁଟ ତଳେ ରହିଥାଏ, କିନ୍ତୁ ଏହି ସ୍ତର ବର୍ଷା ସହିତ ଉପରକୁ ଉଠିଲେ, ଗଛର ଚେର ସଢ଼ି ଯାଏ। ‘‘କାଜୁ ଓ ଆମ୍ବ ଗଛ ପାଣି ଶୋଷି ନେଇଥାନ୍ତି, କିନ୍ତୁ ପଣସ ନୁହେଁ,’’ ସେ ବର୍ଣ୍ଣନା କରି କୁହନ୍ତି। ଯଦି ବନ୍ୟା ଆସିବ, ଗଛ ‘‘ବନ୍ଦ’’ ହୋଇଯିବ। ମୃତ।

ତାଙ୍କର ଆକଳନ ଅନୁସାରେ, ସେମାନଙ୍କ ଗାଁ ମଳିଗମପଟ୍ଟଠାରୁ ୨୦ କିଲୋମିଟର ପରିଧିରେ କୃଷି କ୍ଷେତ୍ରର ଏକ ଚତୁର୍ଥାଂଶ ଭାଗରେ ପଣସ ଚାଷ ହୋଇଥାଏ। ତାମିଲନାଡ଼ୁ ସରକାରଙ୍କ ୨୦୨୨-୨୩ କୃଷି ନୀତିର ନୋଟ ଅନୁଯାୟୀ, ରାଜ୍ୟରେ ୩,୧୮୦ ହେକ୍ଟରରେ ପଣସ ଚାଷ ହୋଇଥାଏ। ଏଥିମଧ୍ୟରୁ ୭୧୮ ହେକ୍ଟର ସ୍ଥାନ କେବଳ କୁଡ୍ଡାଲୋର ଜିଲ୍ଲାରେ ରହିଛି।

୨୦୨୦-୨୧ ବର୍ଷରେ, ଭାରତର ୧୯୧,୦୦୦ ହେକ୍ଟର ଜମିରେ ପଣସ ଫଳିଥିଲା। ହୁଏତ’ କୁଡ୍ଡାଲୋର ଜିଲ୍ଲା ସେତେଟା ଗୁରୁତ୍ୱ ବହନ କରିନପାରେ, ତଥାପି ତାମିଲନାଡ଼ୁରେ ଉତ୍ପାଦିତ ପ୍ରତି ୪ଟି ମଧ୍ୟରୁ ଗୋଟିଏ ପଣସ ଏଠାରେ ଫଳିଥାଏ।

ଏକ ପଲା ମରମ୍ ର ଆର୍ଥିକ ମୂଲ୍ୟ କ’ଣ? ଏଥିମଧ୍ୟରୁ କେତେକ ରାମସାମୀ ବର୍ଣ୍ଣନା କରିଥାନ୍ତି। ସେ କୁହନ୍ତି, ଗୋଟିଏ ୧୫ କିମ୍ବା ୨୦ ବର୍ଷ ପୁରୁଣା ଗଛ ପାଇଁ ବାର୍ଷିକ ୧୨,୫୦୦ ଟଙ୍କାର ଲିଜ୍‌ ମୂଲ୍ୟ ମିଳିଥାଏ। ‘‘ପାଞ୍ଚ ବର୍ଷ ପୁରୁଣା ଗଛରୁ ସେତିକି ଦାମ୍‌ ମିଳେ ନାହିଁ। ଏସବୁ ଗଛରେ କେବଳ ତିନି କିମ୍ବା ଚାରଟି ଫଳ ଫଳିଥାଏ। ଅନ୍ୟପଟେ ୪୦ ବର୍ଷ ପୁରୁଣା ଗଛରେ ୫୦ରୁ ଅଧିକ ଫଳ ଧରିଥାଏ।’’

ଗଛ ବଢ଼ିବା ସହିତ, ଫଳ ପରିମାଣ ମଧ୍ୟ ବଢ଼ିଥାଏ।

ଗଛ ପିଛା, ଫଳରୁ ଆୟ, ସାମାନ୍ୟ ଜଟିଳ। ଏବଂ ଏହା କୌତୁକିଆ ଲାଗିପାରେ। ସେଦିନ ସକାଳେ ପନରୁତିରେ ଚାଷୀମାନଙ୍କର ଏକ ସମୂହ ମଣ୍ଡି ରେ ବସି ହିସାବ କରିଥିଲେ ଏବଂ ପ୍ରତି ୧୦୦ଟି ଗଛରୁ ସେମାନେ କାହିଁକି ୨ ଲକ୍ଷରୁ ଅଢ଼େଇ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି ତାହା କହିଥିଲେ। ଏଥିରେ ସାର, କୀଟନାଶକ, ଶ୍ରମ, ପରିବହନ ଏବଂ କମିଶନ ବାବଦରେ – ୫୦,୦୦୦ରୁ ୭୦,୦୦୦ ଟଙ୍କା ଖର୍ଚ୍ଚ ହୁଏ।

ରାମସାମୀଙ୍କ ଅଭିଲେଖୀୟ ସଂଗ୍ରହରେ ସଂରକ୍ଷିତ ହୋଇ ରହିଥିବା ମାଳିଗମପଟ୍ଟର ୨୦୦ ବର୍ଷ ପୁରୁଣା ଆୟିରମକାଚୀର ଫଟୋ

ଏହାପରେ, ସବୁକିଛି ପରିବର୍ତ୍ତନଶୀଳ ହୋଇଥାଏ। ଗଛରେ ଫଳ ସଂଖ୍ୟା, ଗୋଟିଏ କିମ୍ବା ଏକ ଟନ୍‌ ଫଳର ଦାମ୍‌ – କିଛି ପୂର୍ବାନୁମାନ କରାଯାଇପାରିବ ନାହିଁ। ଦାମ୍‌ର ସ୍ତରକୁ ଦେଖିଲେ: ପ୍ରତ୍ୟେକ ଫଳର ଦାମ୍‌ ୧୫୦ରୁ ୫୦୦ ଟଙ୍କା ମଧ୍ୟରେ ନିର୍ଦ୍ଧାରିତ ହୋଇଥାଏ। ଋତୁ ଆରମ୍ଭ କିମ୍ବା ଶେଷରେ ବିକ୍ରି ଉପରେ ଫଳର ଦର ନିର୍ଦ୍ଧାରିତ ହୁଏ। ଆକାର ଦୃଷ୍ଟିରୁ ଦେଖିଲେ, ସାଧାରଣତଃ (ପନରୁତି ପାଇଁ) ଫଳର ଓଜନ ୮ରୁ ୧୫ କିଲୋ ମଧ୍ୟରେ ହୋଇଥାଏ, ଆହୁରି କେତେକ ୫୦ କିଲୋଗ୍ରାମ, ୮୦ କିଲୋଗ୍ରାମ ପର୍ଯ୍ୟନ୍ତ ଯାଇଥାଏ। ତେବେ ଏପରି ହେବା ବିରଳ। ଏପ୍ରିଲ ୨୦୨୨ ଗୋଟିଏ ଟନ୍‌ ପଣସ ଦାମ୍‌ ୩୦,୦୦୦ ଟଙ୍କା ଥିଲା। ସାଧାରଣତଃ, କିନ୍ତୁ ସବୁବେଳେ ନୁହେଁ, ୧୦୦ଟି ଫଳର ଓଜନ ଗୋଟିଏ ଟନ୍‌ ହୋଇଥାଏ।

ଆହୁରି ଏହାର ମୂଲ୍ୟବାନ କାଠ ବି ରହିଛି। ରାମସାମୀ କୁହନ୍ତି, ଗୋଟିଏ ୪୦ ବର୍ଷ ପୁରୁଣା ଗଛକୁ ‘‘କାଠ ଆକାରରେ ବିକ୍ରି କଲେ ୪୦,୦୦୦ ଟଙ୍କା ଆୟ ହୋଇଥାଏ।’’ ସେ କୁହନ୍ତି, ପଣସ କାଠ ଶ୍ରେଷ୍ଠ। ଏହା ଟାଣ ଏବଂ ଜଳ ନିରୋଧୀ, ‘‘ଶାଗୁଆନଠାରୁ ମଧ୍ୟ ଭଲ’’। ଭଲ କାଠ ମାନ୍ୟତା ପାଇବାକୁ ହେଲେ ଗୋଟିଏ ଗଛକୁ ଛଅ ଫୁଟ ଲମ୍ବା, ମୋଟା (ନିଜ ହାତକୁ ସେ କିଛି ଫୁଟ ବାହାରକୁ କରି ଦେଖାଇଥିଲେ) ଏବଂ ରୋଗନିରୋଧୀ ହେବା ଆବଶ୍ୟକ। ଗଛ ଦେଖିବା ପରେ ହିଁ କ୍ରେତାମାନେ ଦର ନିର୍ଦ୍ଧାରଣ କରିଥାନ୍ତି। ରାମସାମୀ ନିଜ ପଛପଟେ ଥିବା ଝରକା ଆଡ଼କୁ ହାତ ଦେଖାଇ କହିଥିଲେ- ଗଛରେ ଭଲ ଶାଖା ଥିଲେ ସେଗୁଡ଼ିକୁ ଝରକା ଫ୍ରେମ ଆକାରରେ ବ୍ୟବହାର କରାଯାଇଥାଏ - ‘‘ଏହି ପରି’’। ଏହାପରେ ଗଛର ମୂଲ୍ୟ ବଢ଼ିଥାଏ।

ତାଙ୍କର ପୂର୍ବଜମାନେ କରିଥିବା ଘରର ମୁଖ୍ୟ ଦ୍ୱାରବନ୍ଧ ପଣସ ଗଛ କାଠରେ ତିଆରି ହୋଇଥିଲା। ଆମ ପଛପଟେ ଥିବା ନୂଆ ଘରର ଆଳଙ୍କାରିକ ବନ୍ଧ ତାଙ୍କ ଜମିରେ ହୋଇଥିବା ଶାଗୁଆନ କାଠରେ ତିଆ ହୋଇଛି। ଏହି ଘରେ ସେ ଏବେ ରହୁଛନ୍ତି। ‘‘ପୁରୁଣାଟି ଭିତରେ ଅଛି’’, ସେ କହିଥିଲେ। ସେ ଏହାକୁ ପରେ ମୋତେ ଦେଖାଇଥିଲେ। ଦୁଇଟି ମୋଟା ଦ୍ୱାରବନ୍ଧ, ପୁରୁଣା ଏବଂ ଜୀର୍ଣ୍ଣ ହୋଇସାରିଥିଲା, ଖଣ୍ଡିଆ ଖାବରା ଘରର ପଛ ଭାଗରେ ଲାଗିଥିଲା।

ଏହାପରେ, ସେ ମୋତେ ଏକ ପୁରୁଣା କାଞ୍ଜିରା ଦେଖାଇଥିଲେ। ତାହା ପଣସ କାଠରେ ତିଆରି ଏକ ବାଦ୍ୟଯନ୍ତ୍ର ଥିଲା। ଗୋଟିଏ ପାର୍ଶ୍ୱ ସିଲିଣ୍ଡର ଆକୃତି ବିଶିଷ୍ଟ ଏହି ସଙ୍ଗୀତ ଉପକରଣର ଫ୍ରେମରେ ଝାଞ୍ଜ ଲାଗିବା ସହିତ ଉଡ଼ୁମ୍ବୁ ତୋଲ (ଗୋଧି ଚମଡ଼ା) ଆଚ୍ଛାଦିତ ହୋଇଥିଲା। ଅନ୍ୟ ବାଦ୍ୟ ଯନ୍ତ୍ର ଯେପରିକି ବୀଣାଇ ଏବଂ ମୃଦଙ୍ଗମ ଭଳି ବାଦ୍ୟଯନ୍ତ୍ର ପାଇଁ ମଧ୍ୟ ପଣସ କାଠ ବ୍ୟବହାର କରାଯାଏ। ହାତରେ କାଞ୍ଜିରା କୁ ଘୂରାଇ ରାମସାମୀ କହିଥିଲେ, ‘‘ଏହି ପୁରୁଣାଟି ମୋ ବାପାଙ୍କର।’’ ଝାଞ୍ଜଗୁଡ଼ିକ ଧୀରେ ଧୀରେ ବାଜିଥିଲା, ସଙ୍ଗୀତମୟ ଝଙ୍କାର ସୃଷ୍ଟି କରିଥିଲା।

ଗଛ ଓ ଫସଲ ଉପରେ ତାଙ୍କର ବ୍ୟାପକ ଜ୍ଞାନ ବ୍ୟତୀତ, ରାମସାମୀ ମଧ୍ୟ ଜଣେ ମୁଦ୍ରା ସଂଗ୍ରାହକ। ସେ ବିଭିନ୍ନ ମୁଦ୍ରା ସଂଗ୍ରହ କରିଥାନ୍ତି। ସେ ଏକ ପୁସ୍ତିକା ଦେଖାଇଥିଲେ ଯେଉଁଥିରେ ବହୁ ବର୍ଷ ପୁରୁଣା ଏବଂ ବିରଳ ମୁଦ୍ରା ସବୁ ରହିଥିଲା। ଏମିତି କିଛି ମୁଦ୍ରା ସେ ଦେଖାଇଥିଲେ, ଯାହା ପାଇଁ ତାଙ୍କୁ ୬୫,୦୦୦ରୁ ୮୫,୦୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ଯଚାଯାଇଛି। ‘‘କିନ୍ତୁ ମୁଁ ସେଗୁଡ଼ିକୁ ବିକ୍ରି କରିନାହିଁ,’’ ସେ ସ୍ମିତ ହସି କହିଥିଲେ। ମୁଁ ତାଙ୍କ ମୁଦ୍ରାକୁ ପ୍ରଶଂସା କରୁଥିବା ସମୟରେ ତାଙ୍କ ପତ୍ନୀ ମୋତେ ଜଳଖିଆ ଆଣି ଖାଇବାକୁ ଯାଚିଥିଲେ। ଜଳଖିଆରେ ବାସ୍ନାଯୁକ୍ତ କାଜୁ ଏବଂ ଏଲନ୍ଦା ପଳମ (ବର କୋଳି) ଥିଲା। ସେଗୁଡ଼ିକ ସୁଆଦିଆ, ଲୁଣିଆ ଏବଂ ଆକର୍ଷଣୀୟ ଥିଲା। ତାଙ୍କ ସହ ସାକ୍ଷାତର ଅନ୍ୟ ସବୁ ଅନୁଭୂତି ଭଳି, ଏହା ମଧ୍ୟ ସନ୍ତୋଷଜନକ ଥିଲା।

*****

PHOTO • M. Palani Kumar

ପଣସ ଅମଳ କରିବା ଏକ ଜଟିଳ ଏବଂ କଷ୍ଟକର ପ୍ରକ୍ରିୟା। ଗଛ ଉପରେ ଥିବା ବଡ଼ ଫଳ ପାଖରେ ପହଞ୍ଚିବା ଲାଗି ଜଣେ ଚାଷୀ ଗଛ ଚଢ଼ୁଛନ୍ତି

PHOTO • M. Palani Kumar

ଫଳ ବଡ଼ ଏବଂ ଗଛ ଉପରେ ଥିଲେ, ସେଗୁଡ଼ିକୁ କାଟିବା ପରେ ରଶି ସାହାଯ୍ୟରେ ଧୀରେ ଧୀରେ ତଳକୁ ଅଣାଯାଇଥାଏ

ଆୟିରମକାଚୀକୁ ଜଣେ ପରିଚିତ ଲୋକଙ୍କୁ ଲିଜ୍‌ରେ ଦିଆଯାଇଛି। ‘‘କିନ୍ତୁ କିଛି ଫଳ, କିମ୍ବା ସବୁ ଆମେ ନେଇଗଲେ ସେମାନେ ଖରାପ ଭାବିବେ ନାହିଁ,’’ ସେ ସ୍ମିତ ହସି କହିଥିଲେ। ଯଦିଓ ଏହାକୁ ଆୟିରମକାଚୀ ବା ୧୦୦୦ ଫଳର ଗଛ ବୋଲି କୁହାଯାଏ ତଥାପି ବାର୍ଷିକ ଫଳସଂଖ୍ୟା ଏହାର ଏକ ତୃତୀୟାଂଶ କିମ୍ବା ପଞ୍ଚମାଂଶ ହେବ। ତଥାପି ଏହା ଏକ ପ୍ରସିଦ୍ଧ ଗଛ ଏବଂ ଏଥିରେ ଫଳୁଥିବା ଫଳର ବିଶେଷ ଚାହିଦା ରହିଛି। ପ୍ରତି ମଧ୍ୟମ ଆକାରର ଫଳରେ ପାଖାପାଖି ୨୦୦ ପଣସ ଫୁଟ ଥାଇପାରେ। ‘‘ଏହା ଖାଇବାକୁ ସୁଆଦିଆ ଏବଂ ରାନ୍ଧିବାକୁ ମଧ୍ୟ ଭଲ,’’ ରାମସାମୀ ଉତ୍ସାହର ସହ କହିଥିଲେ।

ସାଧାରଣତଃ, ଗଛ ଯେତେ ପୁରୁଣା ଏବଂ ଏହାର ଗଣ୍ଡି ଯେତେ ମୋଟା ହୋଇଥାଏ, ଗଛରେ ସେତେ ଅଧିକ ଫଳ ଧରିଥାଏ ବୋଲି ରାମସାମୀ କୁହନ୍ତି। ‘‘ଯେଉଁ ଲୋକମାନେ ଗଛର ଦେଖାଶୁଣା କରିଥାନ୍ତି, ସେମାନେ ଜାଣନ୍ତି ଯେ ପାଚିବା ପାଇଁ ଗଛରେ କେତେ ଫଳ ଛଡ଼ାଯିବା ଉଚିତ। ଯଦି ଗୋଟିଏ ଅଳ୍ପ ଆୟୁ ବିଶିଷ୍ଟ ଗଛରେ ଅଧିକ ଫଳ ଫଳିଛି, ତା’ହେଲେ ସେସବୁ ଛୋଟ ହୋଇ ରହିବ,’’ ସେ ନିଜ ହାତରେ ନଡ଼ିଆ ଭଳି ଆକୃତି ଦର୍ଶାଇ କହିଥିଲେ। ସାଧାରଣତଃ, ଜଣେ ଚାଷୀ ପଣସ ଫଳାଇବାକୁ କିଛି ରାସାୟନିକ ବ୍ୟବହାର କରନ୍ତି। ଶତପ୍ରତିଶତ ଜୈବିକ ପଦ୍ଧତିରେ, ପଣସ ଫଳାଇବା କଷ୍ଟକର, କିନ୍ତୁ ଅସମ୍ଭବ ନୁହେଁ ବୋଲି ରାମସାମୀ କୁହନ୍ତି।

‘‘ଯଦି ଆମେ ଏକ ବଡ଼ ଗଛରେ ଅଳ୍ପ ଫଳକୁ ବଢ଼ିବା ଲାଗି ଛାଡ଼ିବା, ତା’ହେଲେ ପ୍ରତ୍ୟେକ ଫଳର ଆକୃତି ବଡ଼ ଏବଂ ଓଜନିଆ ହେବ। କିନ୍ତୁ ଏଥିରେ ଅଧିକ ବିପଦ ରହିବ – ଫଳରେ ପୋକ ଆକ୍ରମଣ ହୋଇପାରେ, ଏହା ବର୍ଷାରେ ନଷ୍ଟ ହୋଇପାରେ, ବାତ୍ୟା ସମୟରେ ଗଛରୁ ଝଡ଼ିପାରେ। ଆମେ ବେଶୀ ଲୋଭି ହୋଇନଥାଉ,’’ ସେ ହସି ହସି କହିଥିଲେ।

ପଣସ ଉପରେ ଏକ ପୁସ୍ତକ ଖୋଲି ସେ ମୋତେ କିଛି ଫଟୋ ଦେଖାଇଥିଲେ। ‘‘ସେମାନେ କିଭଳି ବଡ଼ ଫଳଗୁଡ଼ିକୁ ସଂରକ୍ଷିତ କରି ରଖିଥାନ୍ତି ଦେଖନ୍ତୁ… ଫଳ ରଖିବାକୁ ସେମାନେ ଏକ ଝୁଡ଼ି ପ୍ରସ୍ତୁତ କରିଥାନ୍ତି, ଏହାପରେ ଉପରେ ଥିବା ଏକ ଡାଳରେ ରଶି ସାହାଯ୍ୟରେ ଏହାକୁ ଯତ୍ନର ସହକାରେ ବାନ୍ଧି ଦେଇଥାନ୍ତି। ଏହି ଉପାୟରେ, ଫଳକୁ ଆଶ୍ରା ମିଳିଥାଏ ଏବଂ ତାହା ଖସି ପଡ଼ିନଥାଏ। ସେମାନେ କାଟିବା ସମୟରେ ଏହାକୁ ଧୀରେ ଧୀରେ ତଳକୁ ଖସାଇଥାନ୍ତି। ଏବଂ ଏହିପରି ଭାବେ ଯତ୍ନର ସହିତ ନେଇଥାନ୍ତି,’’ ସେ କହିଥିଲେ। ମଣିଷ ଆକାରର ଏକ ପଣସକୁ ଦୁଇ ଜଣ ବ୍ୟକ୍ତି କାନ୍ଧେଇ ନେଉଥିବାର ଫଟୋ ସେ ଦେଖାଇ ଦେଇଥିଲେ। ରାମସାମୀ ସବୁଦିନ ନିଜ ଗଛଗୁଡ଼ିକୁ ଯାଞ୍ଚ କରିଥାନ୍ତି ଏବଂ କୌଣସି ଫଳର ଡେମ୍ଫ କ୍ଷତିଗ୍ରସ୍ତ ହୋଇଛି କି ନାହିଁ ଦେଖିଥାନ୍ତି। ‘‘ଏହାପରେ ତୁରନ୍ତ ଆମେ ଏକ ରଶି ଝୁଡ଼ି ତିଆରି କରି ଫଳ ତଳେ ବାନ୍ଧି ଦେଇଥାଉ।’’

ବେଳେବେଳେ, ଯତ୍ନ ନେବା ସତ୍ତ୍ୱେ, ଫଳ ଝଡ଼ି ପଡ଼ିଥାଏ। ଏଗୁଡ଼ିକୁ ସଂଗ୍ରହ କରି ଗୋରୁମାନଙ୍କୁ ଖାଇବା ଲାଗି ଦିଆଯାଏ। ‘‘ସେହି ପଣସଗୁଡ଼ିକୁ ଦେଖନ୍ତୁ? ସେଗୁଡ଼ିକ ଖସିପଡ଼ିଥିଲା ଏବଂ ବିକ୍ରି ହୋଇପାରିବ ନାହିଁ। ମୋର ଗାଈ ଏବଂ ଛେଳି ଏହାକୁ ଖୁସିରେ ଖାଇଦେବେ।’’ କରୁବାଡ଼ୁ ବିକ୍ରି କରୁଥିବା ମହିଳାମାନଙ୍କ କାମ ସରିଯାଇଛି। ମାଛକୁ ଲୁହା ନିକିତିରେ ଓଜନ କରିବା ପରେ ରୋଷେଇ ଘରକୁ ନିଆଯାଇଛି। ବିକ୍ରେତାମାନଙ୍କୁ ଦୋସେଇ ଖାଇବାକୁ ଦିଆଗଲା। ସେମାନେ ଖାଇଲେ ଓ ଆମର କଥାବାର୍ତ୍ତା ଶୁଣିଲେ ଏବଂ ମଝିରେ ମଝିରେ ସେଥିରେ ଅଂଶଗ୍ରହଣ ମଧ୍ୟ କଲେ। ‘‘ଆମକୁ ଗୋଟିଏ ପଣସ ଦିଅନ୍ତୁ, ଆମ ପିଲାମାନେ ଖାଇବାକୁ ଚାହୁଁଛନ୍ତି,’’ ସେମାନେ ରାମସାମୀଙ୍କୁ କହିଲେ। ‘‘ଆସନ୍ତା ମାସ ଆସି ଗୋଟିଏ ନେଇଯିବ,’’ ସେ ଉତ୍ତର ଦେଲେ।

PHOTO • Aparna Karthikeyan

ସ୍ଥାନୀୟ ଅଞ୍ଚଳର ଜଣେ ଚାଷୀ ରାମସାମୀଙ୍କ ବଗିଚାର ପ୍ରବେଶ ପଥ ବାହାରେ ଧାଡ଼ି କରି ନିଜେ ଫଳାଇଥିବା ପଣସଗୁଡ଼ିକୁ ରଖିଛନ୍ତି

ରାମସାମୀ କହିଥିଲେ, ଥରେ ଫଳ ପାଚିଗଲେ ସେଗୁଡ଼ିକୁ ମଣ୍ଡିରେ ଥିବା କମିଶନ ଏଜେଣ୍ଟଙ୍କ ପାଖକୁ ପଠାଇ ଦିଆଯାଏ। ‘‘କ୍ରେତା ଆସିଲେ ସେମାନେ ଆମକୁ ଡାକନ୍ତି, ଏବଂ ଦରକୁ ନେଇ ଆମେ ସନ୍ତୁଷ୍ଟ କି ନୁହେଁ ପଚାରି ବୁଝନ୍ତି। ଆମେ ରାଜି ହେଲେ, ସେମାନେ ତାହାକୁ ବିକ୍ରି କରି ଆମକୁ ଟଙ୍କା ଦେଇଥାନ୍ତି। ପ୍ରତି ୧,୦୦୦ ଟଙ୍କାର ଫଳ ବିକ୍ରି ଉପରେ ସେମାନେ ୫୦ କିମ୍ବା ୧୦୦ ଟଙ୍କା ନେଇଥାନ୍ତି,’’ ସେ କହିଥିଲେ। ‘‘ପୁଣି ସେମାନେ ଉଭୟ ପକ୍ଷଙ୍କ ଠାରୁ କମିଶନ ନିଅନ୍ତି।’’ ରାମସାମୀ ଆମକୁ କହିଥିଲେ ଯେ, ୫ କିମ୍ବା ୧୦ ପ୍ରତିଶତ ଦେଇ ସେ ଖୁସି। ‘‘କାରଣ ଏହା ଚାଷୀଙ୍କୁ ଅନେକ ଚିନ୍ତାରୁ ମୁକ୍ତି ଦିଏ। କ୍ରେତା ଆସିବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡ଼ିନଥାଏ। ବେଳେ ବେଳେ ଏଥିପାଇଁ ଗୋଟିଏ ଦିନରୁ ଅଧିକ ସମୟ ଲାଗେ। ଆମକୁ ଅନ୍ୟ କାମ କରିବାକୁ ହୋଇଥାଏ, ନା? ଆମେ ଖାଲିଟାରେ ପନରୁତି ସହରରେ ଅପେକ୍ଷା କରିପାରିବୁ ନାହିଁ!’’

ରାମସାମୀ କହିଥିଲେ ଯେ, ଦୁଇ ଦଶନ୍ଧି ପୂର୍ବରୁ, ଜିଲ୍ଲାରେ ଆହୁରି ଅନେକ ଫସଲ ଅମଳ ହେଉଥିଲା। ‘‘ଆମେ ବହୁ ପରିମାଣରେ  ଟାପିଓକା ଏବଂ ଚିନାବାଦାମ ଚାଷ କରୁଥିଲୁ। ଅଧିକରୁ ଅଧିକ ସଂଖ୍ୟାରେ କାଜୁ କାରଖାନା ଖୋଲିବା କାରଣରୁ, ଶ୍ରମିକଙ୍କ ଅଭାବ ଦେଖାଦେଲା। ଏହାର ମୁକାବିଲା କରିବା ଲାଗି ଅଧିକାଂଶ ଚାଷୀ ପଣସ ଅମଳ ଆରମ୍ଭ କଲେ। ‘‘ପଣସ ଚାଷରେ ଖୁବ କମ୍‌ ଶ୍ରମିକ ଏବଂ ଶ୍ରମ ଦିବସ ଦରକାର ହୋଇଥାନ୍ତି। ଯଦି ବି କେହି ଦରକାର ହୁଅନ୍ତି, ତା’ହେଲେ ଏମାନଙ୍କ ଭଳି,’’ ‘‘ଅନ୍ୟ ଗାଁର ଲୋକକମାନେ କାମ ତୁଲାଇ ନିଅନ୍ତି,’’ ଶୁଖୁଆ ବିକ୍ରି କରୁଥିବା ଦୁଇ ମହିଳାଙ୍କ ଆଡ଼କୁ ଇସାରା କରି ସେ କହିଥିଲେ।

କିନ୍ତୁ ଚାଷୀମାନେ ମଧ୍ୟ ପଣସ ଆଡ଼କୁ ମୁହଁ ଫେରାଇ ନେଉଛନ୍ତି, ସେ କହିଥିଲେ। ରାମସାମୀଙ୍କର ୫ ଏକର କ୍ଷେତରେ ପ୍ରାୟ ୧୫୦ ପଣସ ଗଛ ରହିଛି। ଏହି ଜମିରେ କାଜୁ, ଆମ୍ବ ଏବଂ ତେନ୍ତୁଳି ଗଛ ମଧ୍ୟ ରହିଛି। ‘‘ପଣସ ଓ କାଜୁ ଗଛ ଲିଜ୍‌ରେ ଦିଆଯାଇଛି। ଆମେ ଆମ୍ବ ଓ ତେନ୍ତୁଳି ଚାଷ କରିଥାଉ,’’ ସେ କହିଥିଲେ। ପାଲା ମରମ ଗଛ ସଂଖ୍ୟା କମାଇ ଦେବାକୁ ସେ ଯୋଜନା କରୁଛନ୍ତି। ‘‘ଏହାର କାରଣ ହେଉଛି ବାତ୍ୟା। ତାନେ ବାତ୍ୟା ସମୟରେ, ମୁଁ ପ୍ରାୟ ୨୦୦ ଗଛ ହରାଇଥିଲି। ଆମେ ଏଥିରୁ ମୁକ୍ତି ପାଇବାକୁ ଚାହୁଁଛୁ… ଏ ଅଞ୍ଚଳରେ ଅନେକ ଗଛ ଭାଙ୍ଗି ପଡ଼ିଛି। ଏବେ ଆମେ ପଣସ ସ୍ଥାନରେ କାଜୁ ଗଛ ଲଗାଉଛୁ।’’

କାଜୁ ଏବଂ ଅନ୍ୟ ଫସଲଗୁଡ଼ିକ ବାତ୍ୟା ନିରୋଧୀ ନୁହେଁ ‘‘କିନ୍ତୁ ପ୍ରଥମ ବର୍ଷରୁ ହିଁ ଏଥିରୁ ଅମଳ ହୋଇଥାଏ। ତା’ଛଡ଼ା କାଜୁ ଗଛର କମ୍‌ ରକ୍ଷଣାବେକ୍ଷଣ କରିବାକୁ ପଡ଼ିଥାଏ। କୁଡ୍ଡାଲୋର ଜିଲ୍ଲା ବାତ୍ୟାପ୍ରବଣ ଏବଂ ପ୍ରତି ଦଶନ୍ଧି କିମ୍ବା ସେତିକି ସମୟ ଅବଧିରେ ଆମେ ଗୋଟିଏ ବଡ଼ ବାତ୍ୟାର ସମ୍ମୁଖିନ ହୋଇଥାଉ। ୧୫ ବର୍ଷ ପୁରୁଣା, ଅଧିକ ଫଳ ଧରୁଥିବା ପଣସ ଗଛ ଆଗ ଉପୁଡ଼ିଯାଏ। ଆମେ ନିରାଶ ହୋଇଥାଉ,’’ ମୁଣ୍ଡ ହଲାଇ, ହାତରେ ଇସାରା କରି କ୍ଷତି ସମ୍ପର୍କରେ ସେ ଦୁଃଖର ସହ କହିଥିଲେ।

PHOTO • Aparna Karthikeyan
PHOTO • Aparna Karthikeyan

ବାମ: ବହୁ ବର୍ଷ ଧରି ପଣସ ଉପରେ ଆଧାରିତ ଏକ ବିସ୍ତୃତ ପୁସ୍ତକ ସଂଗ୍ରହ କରି ରଖିଛନ୍ତି ରାମସାମୀ ଯେଉଁଥିରେ ଅନେକ ବିରଳ ପୁସ୍ତକ ରହିଛି । ଡାହାଣ: ଜଣେ ମୁଦ୍ରା ସଂଗ୍ରାହକ ଭାବେ ରାମସାମୀ ଅନେକଗୁଡ଼ିଏ ମୁଦ୍ରା ସଂଗ୍ରହ କରି ରଖିଛନ୍ତି

କୁଡ୍ଡାଲୋର ଜିଲ୍ଲା ନିଦାନ ରିପୋର୍ଟରେ ବିଶେଷ ଭାବେ ଦର୍ଶାଯାଇଛି ଯେ: ଏକ ସୁଦୀର୍ଘ ବେଳାଭୂମି ଥିବା କାରଣରୁ ଏହି ଜିଲ୍ଲାରେ ‘‘ସାମୁଦ୍ରିକ ଅବପାତ ଏବଂ ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ ବନ୍ୟା ହେବାର ଆଶଙ୍କା ରହିଛି।’’

ତାନେ ବାତ୍ୟାର କ୍ଷୟକ୍ଷତି ସମ୍ପର୍କରେ ବିଭିନ୍ନ ସମ୍ବାଦପତ୍ରରେ ୨୦୧୨ରେ ପ୍ରକାଶିତ ଖବରରୁ ଜଣାପଡ଼ିଥାଏ। ବିଜନେସ ଲାଇନର ରିପୋର୍ଟ ଅନୁସାରେ, ଏହି ବାତ୍ୟା ୨୦୧୧ ଡିସେମ୍ବର ୧୧ ତାରିଖରେ କୁଡ୍ଡାଲୋର ଜିଲ୍ଲାରେ ମାଡ଼ ହୋଇଥିଲା ଏବଂ ‘‘ ଦୁଇ କୋଟିରୁ ଅଧିକ ପଣସ, ଆମ୍ବ, କଦଳୀ, ନଡ଼ିଆ, କାଜୁ ଏବଂ ଅନ୍ୟାନ୍ୟ ଗଛ ଉପାଡ଼ି ଦେଇଥିଲା।’’ ସେଦିନ କଥା ମନେ ପକାଇ ରାମସାମୀ କୁହନ୍ତି, ଦରକାର ଥିଲେ ଆସି କାଠ ନେଇଯିବାକୁ ସେତେବେଳେ ସେ ପ୍ରସ୍ତାବ ଦେଇଥିଲେ। ‘‘ଆମର କିଛି ଟଙ୍କା ଦରକାର ନଥିଲା; ଉପୁଡ଼ି ଯାଇଥିବା ଗଛକୁ ଦେଖି ଆମେ ଅଧୈର୍ଯ୍ୟ ହୋଇପଡ଼ୁଥିଲୁ… ତେଣୁ ବହୁ ଲୋକ ଆସିଲେ ଏବଂ ଘର ତିଆରି ପାଇଁ ସେସବୁ ନେଇ ଚାଲିଗଲେ।’’

*****

ରାମସାମୀଙ୍କ ଘରଠାରୁ ପଣସ ବଗିଚା କିଛି ଦୂରରେ ରହିଛି। ଜଣେ ସ୍ଥାନୀୟ ଚାଷୀ ନିଜର ଫଳ କାଟି ସେଗୁଡ଼ିକୁ ଧାଡ଼ି କରି ରଖୁଛନ୍ତି। ସେଗୁଡ଼ିକ ଏକ ଶିଶୁ ଉଦ୍ୟାନରେ ଟ୍ରେନର ଡବା ଭଳି ପଛକୁ ପଛ ଲାଗି ଥୁଆ ହୋଇଛନ୍ତି – ଟ୍ରକରେ ବୁହା ହୋଇ ବଜାରକୁ ଯିବା ଲାଗି ଅପେକ୍ଷା କରି ରହିଥିଲେ। ଆମେ ସେହି ଉଦ୍ୟାନରେ ପ୍ରବେଶ କରିବା କ୍ଷଣି, ହଠାତ ତାପମାତ୍ରା ହ୍ରାସ ପାଇଲା; ଲାଗିଲା ଯେମିତି କିଛି ଡିଗ୍ରୀ ଗରମ କମିଗଲା।

ରାମସାମୀ ବଗିଚାରେ ଆଗକୁ ବଢ଼ିବା ସହିତ ଆମ ସହ ଗଛଲତା, ଫଳ ବିଷୟରେ କଥା ହୋଇ ଚାଲିଥିଲେ। ତାଙ୍କ ବଗିଚାକୁ ଏହି ଗସ୍ତ ଏକ ଶିକ୍ଷାଗତ ପରିଦର୍ଶନ, ମୁଖ୍ୟତଃ ଏକ ଭଣଭୋଜି ଥିଲା। ସେ ଆମକୁ ଖାଇବା ଲାଗି ଅନେକ ପ୍ରକାରର ଫଳ ଦେଇଥିଲେ: କାଜୁ ଫଳ ଯାହାକି ରସାଳ ଏବଂ ସୁଆଦିଆ ଥିଲା; ମିଠା ସେଓ; ମାଂସଳ, ରସାଳ ଓ ମିଠା ତେନ୍ତୁଳି, ସବୁ ଏକା ଥରକେ ଆମକୁ ଖାଇବାକୁ ମିଳିଥିଲା।

ଏହାପରେ, ସେ ଆମକୁ ଶୁଙ୍ଘିବା ଲାଗି ତେଜପତ୍ର ଛିଣ୍ଡାଇ ଦେଇଥିଲେ ଏବଂ ଆମେ ପାଣି ପିଇବାକୁ ଚାହୁଁଛୁ କି ନାହିଁ ପଚାରିଥିଲେ। ଆମେ କିଛି ଉତ୍ତର ଦେବା ପୂର୍ବରୁ ସେ ଖୀପ୍ର ଗତିରେ ଜମିର ଗୋଟିଏ କୋଣକୁ ଚାଲିଯାଇଥିଲେ ଏବଂ ମୋଟର ଚାଲୁ କରି ଦେଇଥିଲେ। ଅପରାହ୍ଣର ସୂର୍ଯ୍ୟ କିରଣରେ ହୀରା ଭଳି ଚମକୁ ଥିବା ପାଣି ବାହାରକୁ ବାହାରି ଆସିଥିଲା। ଆମେ ହାତ ଧୋଇ ବୋରୱେଲର ପାଣି ପିଇଲୁ। ତାହା ମିଠା ନଥିଲା, କିନ୍ତୁ ବେଶ ସୁଆଦିଆ ଥିଲା – ସହରର ନଳରୁ ବାହାରୁଥିବା ଫ୍ଲାଟ୍‌ ଏବଂ କ୍ଲୋରିନଯୁକ୍ତ ପାଣିଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଅଳ୍ପ ହସି ସେ ମୋଟର ବନ୍ଦ କରିଦେଲେ। ଆମେ ପୁଣି ଆଗକୁ ଚାଲିଲୁ।

PHOTO • M. Palani Kumar

ମାଳିଗମପଟ୍ଟ ପଡ଼ାରେ ଥିବା ନିଜ ଘରେ ରାମସାମୀ

ଜିଲ୍ଲାର ସବୁଠୁ ପୁରୁଣା ଗଛ ଆୟିରମକାଚୀ ନିକଟରେ ଆମେ ଚାଲି ଚାଲି ପହଞ୍ଚିଲୁ। ଆଶ୍ଚର୍ଯ୍ୟଜନକ ଭାବେ ଗଛ ଗଣ୍ଡି ଖୁବ ବଡ଼ ଓ ଚଉଡ଼ା ଥିଲା। ତେବେ କାଠରୁ ଗଛର ବୟସ ବାରି ହୋଇପଡ଼ୁଥିଲା। ଏଠାରେ ଏହା ଗଣ୍ଠିଯୁକ୍ତ ହୋଇପଡ଼ିଛି, ସେଠି ଗୋଟିଏ ଫମ୍ପା ଗର୍ତ୍ତ ସୃଷ୍ଟି ହୋଇଛି, କିନ୍ତୁ ଏହା ନିଜ ମୂଳରେ ତିଷ୍ଠି ରହିଛି। କିଛି ମାସ ଧରି ଗଛଟି ପଣସର ଏକ ପୋଷାକ ପିନ୍ଧିଥାଏ ଯାହାକି ଏହାର ଗଣ୍ଡିରେ ଫଳିଥାଏ। ରାମସାମୀ ଆମକୁ ପ୍ରତିଶ୍ରୁତି ଦେଇଥିଲେ, ‘‘ଆସନ୍ତା ମାସ, ଏହା ଖୁବ୍‌ ବଡ଼ ବଡ଼ ଦେଖାଯିବ।’’

ବଗିଚାରେ ଅନେକ ବଡ଼ ଗଛ ରହିଛି। ‘‘ଏଠାରେ ୪୩ ପ୍ରତିଶତ ‘ଗ୍ଲୁକୋଜ ଜ୍ୟାକ’ ରହିଛି। ମୁଁ ଏହାର ପରୀକ୍ଷଣ କରିଛି,’’ ସେ ହାତରେ ଇସାରା କରି କ୍ଷେତର ଆଉ ଗୋଟିଏ କୋଣକୁ ଚାଲିଗଲେ। ବଗିଚାରେ ଛାଇର ଲୁଚକାଳି ଖେଳ, ଶାଖାମାନଙ୍କର ଖସ ଖସ ଶବ୍ଦ ଏବଂ ପକ୍ଷୀଙ୍କ କଳରବ ଜାରି ରହିଥିଲା। ଗଛ ତଳେ ଶୋଇ ରହି ଦୁନିଆକୁ ଦେଖିବା ବେଶ୍‌ ଆକର୍ଷଣୀୟ, କିନ୍ତୁ ରାମସାମୀ ବିଭିନ୍ନ ପ୍ରକାର କିସମ ବିଷୟରେ କଥା ହେଉଥିଲେ ଏବଂ ସେସବୁ ଶୁଣିବା ବେଶ ଆକର୍ଷଣୀୟ ଥିଲା। ଆମ୍ବର ବିପରୀତ – ଯେଉଁଠି ନୀଲମ ଏବଂ ବେଙ୍ଗଲୁରା ଭଳି କିସମର ସ୍ୱାଦ ଭିନ୍ନ ହୋଇଥାଏ ଏବଂ ପ୍ରସାର କରିବା ସହଜ ହୋଇଥାଏ- ସେଠି ପଣସର ନକଲ କରିବା କଷ୍ଟକର।

‘‘ଧରାଯାଉ ମୁଁ ସେହି ଗଛର ପ୍ରସାର କରିବାକୁ ଚାହୁଁଛି,’’ ସେ ଏକ ମିଠା ଫଳ ଗଛ ଆଡ଼କୁ ଇସାରା କରି ସେ କହିଥିଲେ। ‘‘ମୁଁ ସବୁବେଳେ ବିହନ ଉପରେ ନିର୍ଭର କରିପାରିବି ନାହିଁ। ଫଳ ଭିତରେ ଯଦି ୧୦୦ଟି ମଞ୍ଜି ଥାଏ, ସେଥିମଧ୍ୟରୁ କୌଣସି ଗୋଟିଏ ହୁଏତ’ ବିହନ ହୋଇନପାରନ୍ତି।’’ କାରଣ? ପରାଗ ସଙ୍ଗମ। ଗୋଟିଏ ଗଛରୁ ନିଆଯାଇଥିବା ପରାଗକୁ ଅନ୍ୟ ଗଛରେ ସଙ୍ଗମ କରାଯାଇପାରିବ ଏବଂ କିନ୍ତୁ ଏଥିରେ ଗଛର ବିବିଧତା ନଷ୍ଟ ହୋଇଯିବାର ଆଶଙ୍କା ରହିଛି।

‘‘ଯେତେବେଳେ ଆମେ ଦେଖିଥାଉ ଯେ ୨୦୦ ଫୁଟ ପରିଧି ମଧ୍ୟରେ ଅନ୍ୟ କୌଣସି ପଣସ ନାହିଁ- ଏବଂ ଏହାର ଉପଯୋଗ ଆମେ ବିଶେଷ କରି ବିହନ ଭାବେ କରିପାରିବୁ ନାହିଁ, ଆମେ ଋତୁର ପ୍ରଥମ କିମ୍ବା ଶେଷ ଫଳ ନେଇଥାଉ,’’ ସେ କହିଥିଲେ। ଅନ୍ୟଥା, ଚାଷୀମାନେ ସେହି ଅନୁକୂଳ ବୈଶିଷ୍ଟ୍ୟ- ଯଥା ସୋଲ୍ଲେଇ (ମଞ୍ଜି)ରେ ଥିବା ମିଠାପଣ ଏବଂ ଦୃଢ଼ତା ପାଇବା ଲାଗି ଗ୍ରାଫ୍ଟିଂ ଉପରେ ଭରସା କରିଥାନ୍ତି ।

ଜଟିଳତାର ଆହୁରି ଏକ ପରସ୍ତ ରହିଛି- ଭିନ୍ନ ଭିନ୍ନ ସମୟରେ (୪୫ ଦିନ କିମ୍ବା ୫୫ କିମ୍ବା ୭୦ଦିନରେ) ଫଳୁଥିବା ସମାନ ଫଳର ସ୍ୱାଦ ଅଲଗା ହୋଇଥାଏ। ପଣସ ବିଶେଷ କରି ଶ୍ରମପ୍ରଧାନ ଫସଲ ହୋଇପାରିବ ନାହିଁ, କିନ୍ତୁ ଏହାର କମ୍‌ ଜୀବନକାଳକୁ ଦେଖିଲେ ଏହା ଅତ୍ୟନ୍ତ ଜଟିଳ ହୋଇଥାଏ।  ‘‘ଆମକୁ ଏକ ଶୀତଳ ଭଣ୍ଡାରର ଆବଶ୍ୟକତା ରହିଛି।’’ ଏହା ଉତ୍ପାଦନକାରୀ ଏବଂ ବ୍ୟବସାୟୀଙ୍କ ପାଇଁ ଏକ ସାଧାରଣ ସମସ୍ୟା। ‘‘ତିନି ଦିନ କିମ୍ବା ପାଞ୍ଚ ଦିନ। ଏହାପରେ ଫଳ ଚାଲି ଯାଇଥାଏ,’’ ରାମସାମୀ କୁହନ୍ତି। ‘‘ଦେଖ, ମୁଁ ମୋ କାଜୁକୁ ସାଇତି ରଖି ବର୍ଷକ ପରେ ଏହାକୁ ବିକ୍ରି କରିପାରିବି। କିନ୍ତୁ ଏହା ଗୋଟିଏ ସପ୍ତାହ ସୁଦ୍ଧା ସୁରକ୍ଷିତ ରହିପାରିବ ନାହିଁ!’’

ଆୟିରମକାଚୀ ନିଶ୍ଚିତ ଭାବେ ଖୁସି ହେବା ଉଚିତ୍‌। କାରଣ, ଏହା ୨୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚି ପାରିଲା…

PHOTO • M. Palani Kumar

ବାମ: ରାମସାମୀଙ୍କ ସଂଗ୍ରହ ମଧ୍ୟରୁ ଆୟିରମକାଚୀର ଏକ ପୁରୁଣା ଫଟୋ। ଡାହାଣ: ୨୦୨୨ରେ ରାମସାମୀଙ୍କ ବଗିଚାରେ ସେହି ଗଛ

ଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଦ୍ୱାରା ନିଜର ଗବେଷଣା ପାଣ୍ଠି କାର୍ଯ୍ୟକ୍ରମ ୨୦୨୦ ର ଏକ ଅଂଶ ଭାବରେ ଏହି ଗବେଷଣା ଅଧ୍ୟୟନ ପାଇଁ ପାଣ୍ଠି ଯୋଗାଇ ଦିଆଯାଇଛି।

ପ୍ରଚ୍ଛଦ ଫଟୋ: ଏମ. ପଲାନି କୁମାର

ଅନୁବାଦ : ଓଡ଼ିଶାଲାଇଭ୍‍

Aparna Karthikeyan

Aparna Karthikeyan is an independent journalist, author and Senior Fellow, PARI. Her non-fiction book 'Nine Rupees an Hour' documents the disappearing livelihoods of Tamil Nadu. She has written five books for children. Aparna lives in Chennai with her family and dogs.

Other stories by Aparna Karthikeyan
Photographs : M. Palani Kumar

M. Palani Kumar is Staff Photographer at People's Archive of Rural India. He is interested in documenting the lives of working-class women and marginalised people. Palani has received the Amplify grant in 2021, and Samyak Drishti and Photo South Asia Grant in 2020. He received the first Dayanita Singh-PARI Documentary Photography Award in 2022. Palani was also the cinematographer of ‘Kakoos' (Toilet), a Tamil-language documentary exposing the practice of manual scavenging in Tamil Nadu.

Other stories by M. Palani Kumar

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought' and 'The Last Heroes: Foot Soldiers of Indian Freedom'.

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE