ଖୋଲାରେ ମଳତ୍ୟାଗ ବାଧ୍ୟତାମୂଳକ ଏବଂ ପ୍ରତ୍ୟେକ ପରିବାରରେ ଝାଡ଼ାବାନ୍ତି ଖୁବ୍ ସାଧାରଣ। ବିଶେଷକରି ବନ୍ୟା ପରେ। ପିଇବା ପାଣି ପାଇଁ ପ୍ରାୟ ୧୦ଟି ପରିବାର ଗୋଟିଏ ନଳକୂପ ଉପରେ ନିର୍ଭର କରନ୍ତି। ଯାହାକୁ କି ସେମାନେ ନିଜ ଖର୍ଚ୍ଚରେ ରକ୍ଷଣାବେକ୍ଷଣ କରନ୍ତି।
ଅଲ୍ଲୀ କୁହନ୍ତି, ‘‘ଆମ ଚାର୍ ସମାନ ଭାବରେ ଦୁଇଟି ବିଧାନସଭା କ୍ଷେତ୍ର ମଧ୍ୟରେ ବିଭାଜିତ- ଦକ୍ଷିଣକୂଳ ବୋକୋ ଏବଂ ଉତ୍ତରକୂଳ ଚେଙ୍ଗା। କିନ୍ତୁ କୌଣସି ପ୍ରଶାସନିକ ତ୍ରୁଟି କାରଣରୁ ଚେଙ୍ଗା ବିଧାନସଭା ଅନ୍ତର୍ଗତ ଲୋକମାନେ ଦାରିଦ୍ର୍ୟ ସୀମାରେଖା (ବିପିଏଲ୍) ରାସନରୁ ଦୀର୍ଘଦିନ ହେବ ବଞ୍ଚିତ ହୋଇଛନ୍ତି।’’ ଅଲ୍ଲୀ ବୋକୋ ବିଧାନସଭା କ୍ଷେତ୍ରରେ ସୂଚିବଦ୍ଧ ହୋଇଛନ୍ତି, କେବଳ ବିପିଏଲ୍ ଚାଉଳ ବ୍ୟତୀତ ଅନ୍ୟ କୌଣସି ସୁବିଧା ପାଉନାହାନ୍ତି।
ବିଦ୍ୟୁତ ଏଠାରେ ଏକ ଦୂରନ୍ତ ସ୍ୱପ୍ନ ଏବଂ କୌଣସି ପରିବାର ପାଖରେ ସୋଲାର୍ ଲ୍ୟାମ୍ପ ନାହିଁ। ଏହା ବଦଳରେ ସେମାନେ କିରାସିନି ଉପରେ ନିର୍ଭର କରନ୍ତି। ଯାହାର ଦାମ୍ ଲିଟର ପିଛା ୩୫ଟଙ୍କା- ଅଲ୍ଲୀଙ୍କ ପରିବାର ମାସକୁ ୫-୭ ଲିଟର ଆବଶ୍ୟକ କରନ୍ତି। ଏପରିକି ରେଡିଓ ମଧ୍ୟ ଏଠାରେ ଏକ ବିଳାସ।
ଅଲ୍ଲୀ କୁହନ୍ତି, ‘‘ଯଦି ଗୋଟିଏ ଚାର୍ ଅତି କମ୍ରେ ୨୦ବର୍ଷ ରହୁଥାଆନ୍ତା, ତା’ହେଲେ ଜୀବନ ଟିକେ ଭଲ ହେଉଥାନ୍ତା। କିନ୍ତୁ ଚାର୍ର ଜୀବନ ଅତିବେଶୀରେ ୧୦ବର୍ଷ। ଯେତେବେଳେ ଆମେ କିଛି ଉପାର୍ଜନ କରିବାକୁ ଆରମ୍ଭ କରିବୁ ଏବଂ ଅପେକ୍ଷାକୃତ ଭାବରେ ସ୍ଥିର ଜୀବନ ପାଇଁ ପ୍ରସ୍ତୁତ ହେବୁ, ସେତେବେଳକୁ ପୁଣି କ୍ଷୟ ଆରମ୍ଭ ହେବ ଏବଂ ଆମେ ଅନ୍ୟ ସ୍ଥାନକୁ ଯିବା ପାଇଁ ବାଧ୍ୟ ହେବୁ।
‘‘ଏହା ଆମର କାହାଣୀ, ସମସ୍ତ ଚାର୍ ବାସିନ୍ଦାଙ୍କ କାହାଣୀ। ମୋ କାହାଣୀ କିନ୍ତୁ ଏହିଠାରେ ଶେଷ ହୁଏ ନାହିଁ…’’ ଏବଂ ଅଲ୍ଲୀ ନିଜର ଦ୍ୱିତୀୟ ପୁଅ ବିଷୟରେ କହିବାକୁ ଆରମ୍ଭ କଲେ। ତା’ର ବୟସ ଏବେ ୧୮। ସେ ଲୋୟର ଆସାମର ବାରପେଟା ଜିଲ୍ଲାର ଏକ କଲେଜରେ ଦ୍ୱାଦଶ ବିଜ୍ଞାନ ଶ୍ରେଣୀର ଛାତ୍ର। ସେ ବର୍ତ୍ତମାନ ମେଡିକାଲ୍ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତ ହେଉଛି। ଅଲ୍ଲୀ ତାଙ୍କ ବଡ଼ପୁଅର ଉଚ୍ଚଶିକ୍ଷା ପାଇଁ ଅର୍ଥ ଯୋଗାଇପାରିଲେ ନାହିଁ। କିନ୍ତୁ ସବୁ ସମସ୍ୟା ସତ୍ତ୍ୱେ ଶିକ୍ଷକଙ୍କ ସହାୟତାରେ ତାଙ୍କ ସାନ ପୁଅ ୨ବର୍ଷ ତଳେ ମାଟ୍ରିକ ପରୀକ୍ଷାରରେ ୮୩ପ୍ରତିଶତ ମାର୍କ ପାଇଥିଲା।
ଅଲ୍ଲୀ କୁହନ୍ତି, ‘‘ସେ ମେଡିକାଲ୍ କଲେଜରେ ନାଁ ଲେଖାଇବା ପାଇଁ ଦୃଢ଼ ନିଶ୍ଚିତ। ତାଙ୍କ ଶିକ୍ଷକମାନେ କୁହନ୍ତି, ଏହି ପାଠ ପଢ଼ା ଶେଷ ହେବା ପାଇଁ ଅତିକମ୍ରେ ୩୦ଲକ୍ଷ ଟଙ୍କା ଆବଶ୍ୟକ। ମୁଁ ଜାଣିନି, ସେ ଏଣ୍ଟ୍ରାନ୍ସରେ ଉତ୍ତୀର୍ଣ୍ଣ ହେଲେ ବି କେମିତି ଏହା ଶେଷ କରିପାରିବ।’’
କିନ୍ତୁ ଅଲ୍ଲୀଙ୍କ ଆଖି କହୁଥିଲା, ଦିନେ ତାଙ୍କ ଜୀବନ ଏକ ନୂଆ ମୋଡ଼ ନେବ ବୋଲି ସେ ଆଶାପୋଷଣ କରିଛନ୍ତି।
ଅନୁବାଦ: ଓଡ଼ିଶାଲାଇଭ୍