ମଧ୍ୟାହ୍ନ ଭୋଜନ ବିରତିରେ ଘରକୁ ଆସିଥିବା ବେଳେ ଜୋଆକିମ୍‌ ଫର୍ଣ୍ଣାଣ୍ଡିଜଙ୍କ ମୋବାଇଲ ଫୋନ ଘନଘନ ବାଜୁଥାଏ । କାମକୁ ଯିବା ବେଳେ ସେ ଫୋନ୍‌ ନେଇ ଯାଆନ୍ତି ନାହିଁ ଏବଂ ତାଙ୍କ ଗ୍ରାହକମାନେ ଏ କଥା ଜାଣିସାରି ଥାଆନ୍ତି ଯେ ତାଙ୍କ ସହ ସଂପର୍କ କରିବାର ଏହା ହିଁ ପ୍ରକୃଷ୍ଟ ସମୟ । ଉତ୍ତର ଗୋଆର ପର୍‌ରା ଗାଁ ନିବାସୀ ଏହି ୫୩ ବର୍ଷୀୟ ନଡ଼ିଆ ତୋଳାଳିଙ୍କର ଖୁବ୍‌ ଚାହିଦା ରହିଛି ।

ରାଜ୍ୟର ୨୫,୦୦୦ ହେକ୍ଟର ଜମିରେ ନଡ଼ିଆ ଗଛ ଲଗାଯାଇଛି ଏବଂ ତୋଳାଳିମାନଙ୍କର ଘୋର ଅଭାବ ଲାଗି ରହିଛି । ଏଥିପାଇଁ ଫର୍ଣ୍ଣାଣ୍ଡିଜ୍‌ଙ୍କ ଭଳି ପ୍ରବୀଣ ବ୍ୟକ୍ତିମାନେ ସପ୍ତାହ ସାରା କାର୍ଯ୍ୟବ୍ୟସ୍ତ ରହନ୍ତି । ପ୍ରତିଦିନ ସକାଳେ ଏବଂ ଅପରାହ୍ଣରେ ସେ ସାଇକେଲ ଚଳାଇ୧୨ କିଲୋମିଟର ପର୍ଯ୍ୟନ୍ତ ଦୂରରେ ଥିବା ନଡ଼ିଆ ବଗିଚାକୁ ଯାଆନ୍ତି ଏବଂ ଦିନକୁ ୫୦ଟି ନଡ଼ିଆ ଗଛରେ ଚଢ଼ନ୍ତି । ପ୍ରତି ମାସରେ ତାଙ୍କ କାର୍ଯ୍ୟ ଦିବସ ସଂଖ୍ୟା ଭିନ୍ନ ଭିନ୍ନ ହୋଇଥାଏ । ବର୍ଷା ଋତୁରେ (ଜୁନ୍‌ରୁ ସେପ୍ଟେମ୍ବର) ସେ କେବଳ ସେହି ସବୁ ଦିନ ଗଛରେ ଚଢ଼ନ୍ତି, ଯେଉଁ ଦିନ ଖରାରେ ଗଛର ଗଣ୍ଡି ଭଲ ଭାବେ ଶୁଖିଯାଇଥାଏ । ବର୍ଷର ବାକି ଦିନଗୁଡ଼ିକରେ, ଗୋଆର ଅଧିକାଂଶ ନଡ଼ିଆ ତୋଳାଳିଙ୍କ ଭଳି, ସେ ସବୁଦିନ ଗଛ ଚଢ଼ନ୍ତି । ଗଛ ପିଛା ସେ ୫୦ ଟଙ୍କା ପାଉଣା ନିଅନ୍ତି ଏବଂ ଏହି ହିସାବରେ ତାଙ୍କର ଦୈନିକ ରୋଜଗାର ୨,୫୦୦ଟଙ୍କା ହୋଇଥାଏ ।

PHOTO • Sonia Filinto

ବର୍ଷା ଋତୁ ଅବସରରେ ଶୁଖିଲା ପାଗର ସୁଯୋଗ ନେଇ ଜୋଆକିମ୍‌ ଫର୍ଣ୍ଣାଣ୍ଡିଜ ଅଳ୍ପ କେତେକ ନଡ଼ିଆ ଗଛ ଚଢ଼ନ୍ତି

ଖରାଦିନେ ନଡ଼ିଆଗୁଡ଼ିକ ଶୀଘ୍ର ଶୁଖିଯାଏ । ଗରମରେ ଫର୍ଣ୍ଣାଣ୍ଡିଜଙ୍କ କର୍ମଶକ୍ତି ବି ଦ୍ରୁତ ହାରରେ ହ୍ରାସ ପାଏ । ତାଙ୍କ ପାଖରେ ଥିବା ପ୍ରତିଟି ନଡ଼ିଆ ବଗିଚାକୁ ସେ ମାସକୁ ଥରଟିଏ ଯାଆନ୍ତି ଏବଂ ସେ ଚଢୁଥିବା ଗଛ ସଂଖ୍ୟା ବି ଦିନକରେ ୩୦କୁ କମିଯାଏ ।

ନଡ଼ିଆ ତୋଳିବା ଲାଗି ଯୁବକମାନଙ୍କୁ ପ୍ରଶିକ୍ଷଣ ଦେବା ନିମନ୍ତେ ଗୋଆ ସରକାର ୨୦୧୩ରେ ଏକ ଦ୍ଵିବାର୍ଷିକ କାର୍ଯ୍ୟକ୍ରମ ଆରମ୍ଭ କଲେ । ସଫଳ ପ୍ରାର୍ଥୀମାନଙ୍କୁ ସରକାରଙ୍କ ଦ୍ଵାରା ନିଯୁକ୍ତି ଦିଆଗଲା ଏବଂ ସେମାନଙ୍କ ସେବା ପାଇବା ପାଇଁ ନଡ଼ିଆ ଚାଷୀମାନେ ସରକାରଙ୍କୁ ଆବେଦନ କରିପାରିବା ବ୍ୟବସ୍ଥା ରହିଲା । ଏଭଳି କୋଡ଼ିଏ ଜଣ ନଡ଼ିଆ ତୋଳାଳିଙ୍କୁ ମାସିକ ପ୍ରାୟ ୧୫,୦୦୦ ଟଙ୍କାର ଦରମା ଏବଂ ଅନ୍ୟାନ୍ୟ ଭତ୍ତା ସହିତ ବୀମା ଏବଂ ଡାକ୍ତରୀ ଚିକିତ୍ସା ସୁବିଧା ଭଳି ପ୍ରୋତ୍ସାହନ ରାଶି ପ୍ରଦାନ କରାଗଲା । ସରକାରୀ ଅଧିକାରୀମାନେ କହନ୍ତି ଯେ ନଡ଼ିଆ ତୋଳାଳିଙ୍କ ସେବାର ଚାହିଦା ଏତେ ବେଶୀ ଯେ ସଂପ୍ରତି ଉପଲବ୍ଧ ପ୍ରଶିକ୍ଷିତ ଲୋକମାନେ ତାହା ପୂରଣ କରିବାରେ ଅସମର୍ଥ ।

ଏହା ଏକ କଷ୍ଟକର ସମୟ । ନଡ଼ିଆ ତୋଳାଳିମାନଙ୍କ ଅଭାବକୁ ବିଚାରକୁ ନେଇ ନୂଆ କରି ନଡ଼ିଆ ଫସଲ କରିବା ଦିଗରେ ଚାଷୀମାନଙ୍କ ଦ୍ଵିଧା ବଢ଼ିବାରେ ଲାଗିଛି । ଗଛ ଚଢ଼ାରେ ସହାୟତା କରୁଥିବା ଷ୍ଟିଲ୍‌ ପାଇପରୁ ତିଆରି ନଡ଼ିଆ କଟା ଯନ୍ତ୍ରକୁ ଲୋକପ୍ରିୟ କରାଇବା ଲାଗି ସରକାର ଉଦ୍ୟମ କରୁଛନ୍ତି । ଏହି ଯନ୍ତ୍ରରେ ସୁରକ୍ଷା ଲାଗି ଏକ ଦଉଡ଼ି ଥାଏ, ଯାହା ଚଢ଼ାଳିଙ୍କ ଅଣ୍ଟା ଓ ଗଛ ଗଣ୍ଡିରେ ଗୁଡ଼ାଇ ହୁଏ । କିନ୍ତୁ ପ୍ରବୀଣ ନଡ଼ିଆ ତୋଳାଳିମାନେଏଥିପ୍ରତି ଆଗ୍ରହୀ ନୁହନ୍ତି । କାରଣ, ଯେଉଁ ସମୟ ମଧ୍ୟରେ ଯନ୍ତ୍ର ସହାୟତାରେ ଗୋଟିଏ ଗଛରେ ଚଢ଼ି ହେବ, ସେହି ସମୟ ମଧ୍ୟରେ ସେମାନେ ଚାରିଟି ଗଛ ଚଢ଼ିପାରିବେ ।

PHOTO • Sonia Filinto
PHOTO • Sonia Filinto

ବାମ:ନଡ଼ିଆ ଗଛ ଚଢ଼ିବାରେ ସହାୟତା ଲାଗି କେବଳ ନଡ଼ିଆ କତାରୁ ତିଆରି ଗୋଛାଏ ସରୁ ଦଉଡ଼ି ହିଁ ବ୍ୟବହାର କରାଯାଏ । ଡାହାଣ: ଛୋଟ କୁରାଢିଟିଏ ହିଁ ନଡ଼ିଆ ତୋଳାଳିଙ୍କ ପାଇଁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଉପକରଣ । କାଠ ଖୋଦେଇ କରି ଏଥିରେ ଫର୍ଣ୍ଣାଣ୍ଡିଜ୍‌ ଗୋଟିଏ ବେଣ୍ଟ ଲଗାଇଛନ୍ତି

ଗୋଆରେ, ବାପା ପୁଅକୁ ନଡ଼ିଆ ତୋଳିବାକୌଶଳ ଶିଖାଇଥାଆନ୍ତି । ୧୦ମ ଶ୍ରେଣୀ ପାସ୍‌ କରିବା ପରେ ଫର୍ଣ୍ଣାଣ୍ଡିଜଙ୍କ ପୁଅ ଏକ ବୈଷୟିକ ପାଠ୍ୟକ୍ରମ ଶେଷ କରି ସେବା ଉଦ୍ୟୋଗରେ କାମ କଲେ । ତାଙ୍କ ଦାଦାମାନେ କୁଏତ୍‌ରେ ରହୁଥିବାରୁ ସେ ସେଠାରେ ହିଁ କାମ କରିବାକୁ ଆଶା ରଖିଥିଲେ ଏବଂ ପରିବାରର ପାରମ୍ପରିକ ବୃତ୍ତି ପ୍ରତି ତାଙ୍କର ଆଗ୍ରହ ନଥିଲା । ହେଲେ ପ୍ରତିଷ୍ଠିତ ହେବା ଉଦ୍ଦେଶ୍ୟ ନେଇ ବହୁ ବର୍ଷ ଧରି ସଂଘର୍ଷ କରିବା ପରେ, ସେ ନଡ଼ିଆ ତୋଳା ଭଳି କଷ୍ଟକର କିନ୍ତୁ ଲୋଭନୀୟ କ୍ଷେତ୍ରରେ ଯୋଗ ଦେବାକୁ ମନ ବଳାଇଲେ । କିନ୍ତୁ ଗୋଆରେ, ଜଣେ ନଡ଼ିଆ ତୋଳାଳିଙ୍କ ସାମାଜିକ ମର୍ଯ୍ୟାଦା ଖୁବ୍‌ କମ୍‌ ଏବଂ ଅଳ୍ପ କେଇ ଜଣ ସେମାନଙ୍କୁ ଜ୍ଵାଇଁ କରିବାକୁ ରାଜି ହୁଅନ୍ତି । ଶେଷରେ ସେ ଏକ କ୍ରୁଇଜ୍‌ ଜାହାଜ ସଂସ୍ଥାର କର୍ମୀ ଭାବେ କାମରେ ଯୋଗ ଦେଲେ ।

ଉତ୍ତର ଗୋଆର ଉପକୂଳବର୍ତ୍ତୀ କାଲାଙ୍ଗୁଟେ ଗାଁର ଡେଭିଡ୍‌ ପେରେରା ବି ଅନୁରୂପ କଥା କହନ୍ତି । ପାଞ୍ଚ ବର୍ଷ ତଳେ ନଡ଼ିଆ ଗଛରୁ ପଡ଼ିଯିବାରୁ ୫୫ ବର୍ଷୀୟ ଏହି ବ୍ୟକ୍ତିଙ୍କର ଗୋଡ଼ ଭାଙ୍ଗି ଯାଇଥିଲା । ତେଣୁ ସେ ଏବେ ତାଙ୍କ କାମକୁ ଦିନକରେ ୨୦ଟି ଗଛ ଚଢ଼ିବାରେ ସୀମିତ ରଖିଛନ୍ତି ।

୩୦ ଫୁଟ ଉଚ୍ଚ ଏକ ଗଛ ଚଢୁଥିବା ବେଳେ ଡେଭିଡ୍‌ ପେରେରା ହାତରେ ଛୋଟ କୁରାଢିଟିଏ ଧରିବାକୁ ପସନ୍ଦ କରନ୍ତି

ତାଙ୍କ କାମର ପାଉଣା ବାବଦରେ ନଡ଼ିଆ ନେବାକୁ ସେ ପସନ୍ଦ କରନ୍ତି । ତାଙ୍କ ପତ୍ନୀ ସେଗୁଡ଼ିକୁ ନଅ କିଲୋମିଟର ଦୂର ମାପୁସାର ସାପ୍ତାହିକ ହାଟରେ ବିକ୍ରି କରନ୍ତି । ଆକାର ଏବଂ ସାମୟିକ ଚାହିଦା ଉପରେ ନିର୍ଭର କରି ନଡ଼ିଆ ଗୋଟିକର ଖୁଚୁରା ଦର ୭ରୁ ୧୧ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ । ପେରେରାଙ୍କ ପୁଅ ବିଦେଶରେ ଏକ ଜାହାଜରେ କାମ କରନ୍ତି । ସେ କହନ୍ତି, “ମୋ ପୁଅ ରୋଜଗାର କରୁଥିବାରୁ ମୋର ଏ କାମ କରିବା ଦରକାର ନାହିଁ ବୋଲି ସେ କୁହନ୍ତି । କିନ୍ତୁ ମୁଁ ଯଦି କିଛି ନକରି ଘରେ ବସି ରହିବି, ତେବେ ମୋ ଦେହ ଟାଣ ହୋଇଯିବ ।”

ଯଦିଓ ସେ ନଡ଼ିଆ ଗଛ ଚଢ଼ିବା ଅବ୍ୟାହତ ରଖିଛନ୍ତି, ତଥାପି ତାଙ୍କ ବାପାଙ୍କଠାରୁ ଶିଖିଥିବା ଏକ କୌଶଳକୁ ହରାଇ ଥିବାରୁ ସେ ଦୁଃଖ ପ୍ରକାଶ କରନ୍ତି । ସେ କହନ୍ତି, “ତାଡ଼ି ବାହାର କରିବା ଲାଗି ଦଉଡ଼ିରେ ବିଭିନ୍ନ ଜଟିଳ ପ୍ରକାରର ଗଣ୍ଠି ପକାଇବା କାମକୁ ମୁଁ ଭୁଲି ଯାଇଛି । ଯଦି ମୁଁ ନଡ଼ିଆ ଗଛରୁ କିପରି ତାଡ଼ି ବାହାର କରାଯାଏ ତାହା ଠିକ୍‌ ଭାବରେ ଜାଣିଥାଆନ୍ତି, ତେବେ ଏହା ଖୁବ୍‌ ଭଲ ହୋଇଥାଆନ୍ତା । କାରଣ, କାଲାଙ୍ଗୁଟେରେ ତାଡ଼ି ବାହାର କରିବା ଲୋକ ଆଉ ନାହାନ୍ତି ।”

ଯଦି ଗୋଟିଏ କାନ୍ଦିର ସବୁଯାକ ନଡ଼ିଆ ଶୁଖି ନଥାଏ, ତେବେ ତୋଳାଳି କେବଳ ଶୁଖିଲା ନଡ଼ିଆଗୁଡ଼ିକୁ ହାତରେ ତୋଳନ୍ତି

ଅନେକ ସମୟରେ ପେରେରାଙ୍କ ସହିତ ପାଣ୍ଡୁ ଗୁଣ୍ଡୁ ନାୟକ ବଡ଼ ବଡ଼ ନଡ଼ିଆ ବଗିଚାକୁ ଯାଆନ୍ତି । କର୍ଣ୍ଣାଟକର ବେଲଗମ ଜିଲ୍ଲା ବାସିନ୍ଦା ନାୟକ ଗତ ୨୦ ବର୍ଷ ହେଲା ଗଛରେ ଚଢ଼ି ଆସୁଛନ୍ତି । ଯେବେ ସେ ପ୍ରଥମେ ଗୋଆକୁ ଆସିଥିଲେ, ଜଣେ ଦିନ ମଜୁରିଆ ଭାବେ ଘାସ କାଟିବା ଏବଂ ବେଶୀ ବଢ଼ିଯାଇଥିବା ଗଛଗୁଡ଼ିକୁ କାଟିବା ଭଳି କାମ କରୁଥିଲେ । ନଡ଼ିଆ ତୋଳିବା କାମରେ ବେଶୀ ଫାଇଦା ହେଲା ଭଳି ତାଙ୍କୁ ଲାଗିଲା ଏବଂ ସ୍ଥାନୀୟ ଲୋକମାନଙ୍କୁ ଦେଖି ଦେଖି ସେ ଏହି କୌଶଳ ଶିଖିଲେ । ବେଲଗମରୁ ଆସିଥିବା ଅନ୍ୟ ପାଞ୍ଚ ଜଣଙ୍କୁ ମଧ୍ୟ ନାୟକ ଏହି ବୃତ୍ତିରେ ପ୍ରବେଶ କରାଇଥିଲେ, କିନ୍ତୁ ଏବେ ବାହାରୁ ଆସିଥିବା ଶ୍ରମିକମାନେ ବି ନଡ଼ିଆ ତୋଳା ପ୍ରତି ଆଗ୍ରହୀ ନୁହଁନ୍ତି । ସେ କହନ୍ତି, “ଏହି କାମ ବିପଜ୍ଜନକ ଏବଂ ଏଥିପାଇଁ କଠିନ ପରିଶ୍ରମ ଦରକାର ହେଉଥିବାରୁ ସେମାନେ ହୋଟେଲରେ କାମ କରିବାକୁ ପସନ୍ଦ କରନ୍ତି ।”

PHOTO • Sonia Filinto

ଗୋଆର ନଡ଼ିଆ ଗଛଗୁଡ଼ିକରେ ବର୍ଷକୁ ହାରାହାରି ୮୦ରୁ ୧୦୦ଟି ନଡ଼ିଆ ଫଳେ


ଫର୍ଣ୍ଣାଣ୍ଡିଜ୍‌ ଚାଷୀମାନଙ୍କ ତରଫରୁ ନଡ଼ିଆ ବିକ୍ରି କରନ୍ତି । ସେ ଘରେ ନଡ଼ିଆର କତା ଛଡ଼ାଇ ଦିଅନ୍ତି ଏବଂ ମହିଳାମାନଙ୍କୁ ବିକ୍ରି କରି ଦିଅନ୍ତି । ଏହି ମହିଳାମାନେ ପ୍ରତି ଶୁକ୍ରବାର ଦିନ ମାପୁସା ହାଟରେ ଖୁଚୁରା ଦରରେ ନଡ଼ିଆ ବିକନ୍ତି । ନଡ଼ିଆ କତା ବି ଜାଳେଣି ଭାବରେ ବିକ୍ରି ହୁଏ । ହେଲେ ଆଜିକାଲି ଏହି ଆନୁସଙ୍ଗିକ ଉତ୍ପାଦକୁ କିଣିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। କିଛି ବର୍ଷ ହେଲା, ଘର, ସ୍କୁଲ୍‌, ସ୍ଥାନୀୟ ବେକରୀ ଏବଂ ଗାଁର ଅନ୍ୟାନ୍ୟ ରୋଷେଇ ଶାଳରେ ଧୀରେ ଧୀରେ ଗ୍ୟାସ୍‌ ଚାଳିତ ଚୁଲି ପହଞ୍ଚି ଗଲାଣି । ହେଲେ, କେତେକ ପରିବାର ଏବଂ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠାନକୁ ନେଇ ଫର୍ଣ୍ଣାଣ୍ଡିଜ୍‌ଙ୍କର ଏକ ସ୍ଥାୟୀ ଗ୍ରାହକ ମଣ୍ଡଳୀ ଅଛନ୍ତି, ଯେଉଁମାନେ କି ଏବେ ବି ନଡ଼ିଆ କତାକୁ ଜାଳେଣି କାଠ ରୂପେ ବ୍ୟବହାର କରନ୍ତି ।

ତାଙ୍କ ଘର ବାହାରେ ନଡ଼ିଆ କତାର ଗୋଟିଏ ଗଦା ରହିଛି । ବର୍ଷାରୁ ଏହାକୁ ସୁରକ୍ଷିତ ରଖିବା ପାଇଁ ପ୍ଲାଷ୍ଟିକ୍‌ ଚାଦରକୁ ଭଲ ଭାବେ ଘୋଡ଼େଇ ଦିଆଯାଇଛି । ନିର୍ଦ୍ଦିଷ୍ଟ ଭାବେ ଏ ବର୍ଷ ବେପାର ମାନ୍ଦା ରହିଥିଲା; ଏହା ସବୁ ଦୃଷ୍ଟିରୁ ଏକ ମାନ୍ଦାଳିଆ ବେଳା ଥିଲା ।

ବର୍ଷା ଋତୁରେ ଫର୍ଣ୍ଣାଣ୍ଡିଜ୍‌ ଅଧିକାଂଶ ସମୟରେ ଗଛ ଚଢ଼ନ୍ତି ନାହିଁ, କାରଣ ଶିଉଳି ଲାଗି ଗଛର ଗଣ୍ଡି ଖସଡ଼ା ହୋଇଯାଇଥାଏ । ତା ବଦଳରେ ସେ ଆଖପାଖର ଝରଣା ଏବଂ ମୁହାଣକୁ ମାଛ ମାରିବାକୁ ଯାଆନ୍ତି । ନିଜ ଜୀବିକାରେଭଲମନ୍ଦ ସ୍ଥିତିକୁ ସେ ନିଜର ବୋଲି ଆଦରି ନିଅନ୍ତି । କାନ୍ଧକୁ ସାମାନ୍ୟ ଉଠାଇ ସେ କହନ୍ତି, “ମୁଁ ଏହା ହିଁ କରିବାକୁ ଜନ୍ମ ନେଇଥିଲି ।”

PHOTO • Sonia Filinto

ବାମ: ମହିଳାମାନେ ନଡ଼ିଆଗୁଡ଼ିକୁ ଏକାଠି କରି ସଂଗ୍ରହ ସ୍ଥଳକୁ ବୋହି ନିଅନ୍ତି । ଡାହାଣ: ଆଜିକାଲି ଅଧିକାଂଶ ନଡ଼ିଆ ତୋଳାଳି ମଜୁରି ବାବଦରେ ଟଙ୍କା ନେବାକୁ ପସନ୍ଦ କରୁଛନ୍ତି, ଆଗରୁ ସେମାନଙ୍କୁ ନଡ଼ିଆରେ ମଜୁରି ଦିଆଯାଉଥିଲା

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ସୋନିଆ ଫିଲିଣ୍ଟୋ ହେଉଛନ୍ତି ମୁମ୍ବାଇର ଜଣେ ମିଡିଆ କାର୍ଯ୍ୟକର୍ତ୍ତା ।

Other stories by Sonia Filinto