‘ଇଣ୍ଟରନ୍ୟାସନାଲ କମିଶନ ଅଫ୍ ଜୁରିଷ୍ଟ୍ସ’ (ଆଇନଜ୍ଞମାନଙ୍କର ଅନ୍ତର୍ଜାତୀୟ କମିଶନ) ନାମକ ଏକ ଅନ୍ତର୍ଜାତୀୟ ମାନବାଧିକାର ସଂଗଠନ ପକ୍ଷରୁ ୨୦୧୯ ମସିହାରେ ପ୍ରକାଶିତ ‘ଲିଭିଂ ଉଇଥ୍ ଡିଗ୍ନିଟି’ ବା ‘ଆତ୍ମସମ୍ମାନର ସହ ଜୀବନ’ ଶୀର୍ଷକ ରିପୋର୍ଟରେ ଦର୍ଶାଯାଇଛି ଯେ, ବନ୍ଦୀ ଜୀବନ, ବଳପୂର୍ବକ ବିବାହ, ଯୌନ ଉତ୍ପୀଡ଼ନ ଏବଂ ଶାରୀରିକ ହିଂସା ଏବଂ ‘ସୁଧାର ମୂଳକ’ ଉପଚାର ପ୍ରକ୍ରିୟାର ଆଶଙ୍କା ଏବଂ ଅନୁଭୂତି ମଧ୍ୟରେ ସମଲିଙ୍ଗୀ ସଂପ୍ରଦାୟ କାଳାତିପାତ କରିଆସୁଛନ୍ତି।
ଉଦାହରଣ ରୂପେ ମହାରାଷ୍ଟ୍ରର ଠାଣେ ଏବଂ ପାଲଘର ଜିଲ୍ଲାର ବିଧି ଏବଂ ଆରୁଷୀ (ପରିବର୍ତ୍ତିତ ନାମ)ଙ୍କ କଥା ଦେଖନ୍ତୁ। ମୁମ୍ବାଇରେ ଏକତ୍ର ରହିବା ଲାଗି ସେମାନେ ନିଜ ନିଜ ଘର ଛାଡ଼ି ଚାଲିଆସିଲେ। ମୁମ୍ବାଇ ନଗରୀରେ ଘର ଭଡ଼ା ନେଇ ରହିଲେ ବିଧି ଏବଂ ଆରୁଷୀ (ସେମାନେ ପରଲିଙ୍ଗୀ ପୁରୁଷ ବା ‘ଟ୍ରାନ୍ସ ମ୍ୟାନ୍’ ରୂପେ ନିଜକୁ ପରିଚିତ କରାନ୍ତି)। ଆରୁଷୀ କହନ୍ତି, “ଆମ ଘର ମାଲିକ ଆମ ସମ୍ବନ୍ଧ ସଂପର୍କରେ ଜାଣିନାହାନ୍ତି। ଆମକୁ ଏହା ଲୁଚାଇବାକୁ ପଡ଼ିବ। ଆମେ ଏ ଘର ଛାଡ଼ି ଚାଲିଯିବାକୁ ଚାହୁଁନାହୁଁ।”
ଇଂରାଜୀ ପ୍ରଥମ ଅକ୍ଷରର ଏକତ୍ରୀକରଣ ରୂପରେ ‘ଏଲ୍ଜିବିଟିକ୍ୟୁଆଇଏ+’ ନାମରେ ପରିଚିତ ପରଲିଙ୍ଗୀ, ସମଲିଙ୍ଗୀ, ଉଭୟଲିଙ୍ଗୀ, ବିବିଧଲିଙ୍ଗୀ ଏବଂ ଅନୁରୂପ ମହିଳା ଓ ପୁରୁଷମାନଙ୍କୁ କେହି ଘର ଦେବାକୁ ଚାହାଁନ୍ତି ନାହିଁ, ବଳପୂର୍ବକ ଘରୁ ବାହାର କରି ଦିଅନ୍ତି ଏବଂ ସେମାନେ ନିଜ ପରିବାର, ଘର ମାଲିକ, ପଡ଼ୋଶୀ ଏବଂ ପୋଲିସ ଦ୍ୱାରା ଉତ୍ପୀଡ଼ନର ଶିକାର ହୋଇଥାଆନ୍ତି। ସେମାନଙ୍କ ମଧ୍ୟରୁ ଅନେକ ବାସହୀନ ସ୍ଥିତିର ସମ୍ମୁଖୀନ ହୁଅନ୍ତି ବୋଲି ଲିଭିଂ ଉଇଥ୍ ଡିଗ୍ନିଟି ରିପୋର୍ଟରେ କୁହାଯାଇଛି।
ସାମାଜିକ କଳଙ୍କର ବୋଝ ତଳେ ଉତ୍ପୀଡ଼ନର ଶିକାର ହୋଇଆସୁଥିବା ଅନେକ ପରଲିଙ୍ଗୀ ବ୍ୟକ୍ତି, ବିଶେଷତଃ ଗ୍ରାମାଞ୍ଚଳରେ ରହିଆସୁଥିବା ଏଭଳି ବ୍ୟକ୍ତିମାନେ ନିରାପଦ ଆଶ୍ରୟ ସନ୍ଧାନରେ ଘର ଛାଡ଼ିବାକୁ ବାଧ୍ୟ ହୁଅନ୍ତି। ପଶ୍ଚିମ ବଙ୍ଗରେ ରହୁଥିବା ପରଲିଙ୍ଗୀ, ଉଭୟଲିଙ୍ଗୀ ବା ବିପରୀତଲିଙ୍ଗୀ ବ୍ୟକ୍ତିମାନଙ୍କ ସଂପର୍କରେ ଜାତୀୟ ମାନବାଧିକାର କମିଶନ ପକ୍ଷରୁ ୨୦୨୧ରେ ପ୍ରକାଶିତ ଏକ ଅନୁଧ୍ୟାନ ରିପୋର୍ଟରୁ ଜଣାଯାଇଛି ଯେ “ସେମାନଙ୍କ ଲିଙ୍ଗଗତ ଭାବକୁ ଲୁଚାଇ ରଖିବା ଲାଗି ପରିବାର ଲୋକେ ବାଧ୍ୟ କରନ୍ତି।” ଏବଂ ପରିବାର, ସାଙ୍ଗସାଥୀ ଏବଂ ସମାଜର ଭେଦଭାବପୂର୍ଣ୍ଣ ବ୍ୟବହାରର ଶିକାର ହୋଇ ଏମାନଙ୍କ ମଧ୍ୟରୁ ପାଖାପାଖି ଅଧା ଲୋକ ଘର ଛାଡ଼ି ପଳାଇ ଯାଇଛନ୍ତି।
“କେବଳ ଏହି କାରଣରୁ ଯେ ଆମେ ଉଭୟଲିଙ୍ଗୀ, ଏହାର ଅର୍ଥ କ’ଣ ଆମର ଇଜ୍ଜତ (ସମ୍ମାନ) ନାହିଁ?” ବୋଲି ପଚାରନ୍ତି ଶୀତଲ ନାମ୍ନୀ ଜଣେ ଉଭୟଲିଙ୍ଗୀ ମହିଳା। ସ୍କୁଲ୍ରେ, କାର୍ଯ୍ୟକ୍ଷେତ୍ରରେ, ରାସ୍ତାଘାଟରେ, ପ୍ରାୟ ସବୁ ସ୍ଥାନରେ ବର୍ଷ ବର୍ଷର କଟୁତିକ୍ତ ଅନୁଭୂତିରୁ ‘ ଲୋକେ ଆମକୁ ଏମିତି ଚାହାନ୍ତି ଯେମିତି ଆମେ ପ୍ରେତ’ ଶୀର୍ଷକ ଲେଖାରେ ସେ ପ୍ରଶ୍ନ କରନ୍ତି, “ଆମକୁ ସମସ୍ତେ କାହିଁକି ଘୃଣା କରିବା ଭଳି ବ୍ୟବହାର କରନ୍ତି?”






