ମଣିପୁରର କାଙ୍ଗପୋକପୀ ଜିଲ୍ଲାରେ ୪୦ କୁକୀ-ଜୋ ଆଦିବାସୀ ପରିବାର ରହୁଥିବା ଗୋଟିଏ ଛୋଟ ଗାଁ ନାହମୁନ ଗୁନ୍‌ଫାଇଜାଙ୍ଗ ଆଡ଼କୁ ଦୁଇ ଜଣ ବ୍ୟକ୍ତି ଆଗକୁ ବଢ଼ୁଛନ୍ତି। ସେମାନେ ଘଞ୍ଚ ବୁଦାଗୁଡ଼ିକୁ କାଟିବା ସହିତ ପାହାଡ଼ ଚଢ଼ି ନିଜର ଚାଷ ଜମି ଆଡ଼କୁ ଯାଉଛନ୍ତି। ସେପ୍ଟେମ୍ବର ୨୦୨୩ର ଏହି ଦିନରେ ଆକାଶରେ ବାଦଲ ରହିଛି ଏବଂ ସେମାନଙ୍କ ଚତୁର୍ଦ୍ଦିଗରେ ଜଙ୍ଗଲୀ ବୁଦା ଉଠିଛି।

ମାତ୍ର କିଛି ବର୍ଷ ପୂର୍ବରୁ ଏସବୁ ପାହାଡ଼ ପୋସ୍ତ ଉଦ୍ଭିଦ (ପେପେଭର୍‌ ସେମ୍ନିଫେରମ୍‌)ର ସୁନ୍ଦର ଧଳା, ବାଇଗଣୀ-ଗୋଲାପୀ ଫୁଲରେ ଆଚ୍ଛାଦିତ ହୋଇ ରହିଥିଲା।

ସାଙ୍ଗରେ ଯାଉଥିବା ଜଣେ ଚାଷୀ ପାଓଲାଲ କୁହନ୍ତି, ‘‘ମୁଁ ୧୯୯୦ ଦଶକ ପ୍ରାରମ୍ଭରେ ଗାଞ୍ଜା (କ୍ୟାନବିସ୍‌ ସେଟାଇଭା ବା ଗଞ୍ଜେଇ) ଚାଷ କରୁଥିଲି, କିନ୍ତୁ ସେତେବେଳେ ଅଧିକ ଟଙ୍କା ମିଳୁନଥିଲା। ୨୦୦୦ ଦଶକ ପ୍ରାରମ୍ଭରେ ଲୋକମାନେ ଏସବୁ ପାହାଡ଼ରେ କାନୀ (ପପୀ ବା ଅଫିମ) ଚାଷ ଆରମ୍ଭ କଲେ। ମୁଁ ସେହି ଚାଷ ମଧ୍ୟ କଲି। କିଛି ବର୍ଷ ପୂର୍ବରୁ ଏହି ଚାଷ ଉପରେ ପ୍ରତିବନ୍ଧକ ଲାଗୁ ହେବା ପର୍ଯ୍ୟନ୍ତ ମୁଁ ଏହାକୁ ଜାରି ରଖିଥିଲି।

ପାଓଲାଲ ୨୦୨୦ ମସିହାର ଶୀତ ଦିନ କଥା ସୂଚନା ଦେଇ କୁହନ୍ତି, ‘‘ଯେତେବେଳେ ନାହ୍‌ମୁନ୍‌ ଗୁନଫାଇଜାଙ୍ଗର ମୁଖିଆ ଏସ.ଟି. ଥାଙ୍ଗବୋଇକିପଗେନ୍‌ ଗାଁରେ ଅଫିମ ଚାଷକୁ ବିଲୋପ କରିବା ଏବଂ ଚାଷୀଙ୍କୁ ଏହାର ଚାଷ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଅନୁରୋଧ କରିଥିଲେ। ସେ ଏକାକୀ ଏହି ନିଷ୍ପତ୍ତି ନେଇନଥିଲେ, ବରଂ ରାଜ୍ୟରେ ବିଜେପି ସରକାରଙ୍କ ଆକ୍ରମଣାତ୍ମକ ‘ନିଶାଦ୍ରବ୍ୟ ବିଲୋପ’ ଅଭିଯାନ ଅଧୀନରେ ଏହି ନିର୍ଣ୍ଣୟ ନିଆଯାଇଥିଲା।

ପୋସ୍ତ ଉଦ୍ଭିଦରୁ ଅତ୍ୟଧିକ ନିଶାଯୁକ୍ତ ଦ୍ରବ୍ୟ ଅଫିମ ପ୍ରସ୍ତୁତ କରାଯାଏ। ମଣିପୁରର ପାହାଡ଼ି ଜିଲ୍ଲା ଚୁରାଚାନ୍ଦପୁର, ଉଖରୁଲ, କାମଜୋଙ୍ଗ, ସେନାପତି, ତମେଙ୍ଗଲଙ୍ଗ, ଚାନ୍ଦେଲ, ତେଙ୍ଗନୌପଲ ଏବଂ କାଙ୍ଗପୋକପୀରେ ମୁଖ୍ୟତଃ ଏହାର ଚାଷ ହୋଇଥାଏ। କାଙ୍ଗପୋକପୀରେ ରହୁଥିବା ଅଧିକାଂଶ ଲୋକ କୁକୀ-ଜୋ ଜନଜାତି ସମ୍ପ୍ରଦାୟର ଅଟନ୍ତି।

ପାଞ୍ଚ ବର୍ଷ ପୂର୍ବରୁ ନଭେମ୍ବର ୨୦୧୮ରେ ମୁଖ୍ୟମନ୍ତ୍ରୀ ବୀରେନ୍‌ ସିଂହଙ୍କ ନେତୃତ୍ୱାଧୀନ ବିଜେପି ସରକାର ରାଜ୍ୟରେ ‘ନିଶାଦ୍ରବ୍ୟ ବିଲୋପ’ ଅଭିଯାନ ଆରମ୍ଭ କରିଥିଲେ। ସିଂହ ପାହାଡ଼ିଆ ଜିଲ୍ଲାର ଗାଁ ମୁଖିଆମାନଙ୍କୁ ଏବଂ ଚର୍ଚ୍ଚଗୁଡ଼ିକୁ ସେମାନଙ୍କ ଅଞ୍ଚଳରେ ପୋସ୍ତ ଚାଷ ବନ୍ଦ କରିବା ପାଇଁ ଅପିଲ୍‌ କରିଥିଲେ।

Left: Poppy plantations in Ngahmun village in Manipur's Kangpokpi district .
PHOTO • Kaybie Chongloi
Right: Farmers like Paolal say that Manipur's war on drugs campaign to stop poppy cultivation has been unsuccessful in the absence of  consistent farming alternatives.
PHOTO • Makepeace Sitlhou

ବାମ: ମଣିପୁର କାଙ୍ଗପୋକପୀ ଜିଲ୍ଲାର ପୋସ୍ତ ବଗିଚା। ଡାହାଣ: ପାଓଲାଲଙ୍କ ଭଳି ଚାଷୀମାନେ କୁହନ୍ତି, ଅଫିମ ଚାଷ ରୋକିବା ପାଇଁ ମଣିପୁର ସରକାରଙ୍କ ନିଶାଦ୍ରବ୍ୟ ବିଲୋପ ଅଭିଯାନ ବିଫଳ ହୋଇଛି, କାରଣ ସରକାର ଏହାର କୌଣସି ବିକଳ୍ପ ଦେଉନାହାନ୍ତି

କୁକୀ-ଜୋ ଜନଜାତିର ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ‘ନିଶାଦ୍ରବ୍ୟ ମୁକ୍ତି’ ଅଭିଯାନ ତାଙ୍କ ଉପରେ ସିଧାସଳଖ ଆକ୍ରମଣ, ଏପରିକି ଏହାକୁ ଆଧାର କରି ୨୦୨୩ରେ ବହୁସଂଖ୍ୟକ ମୈତେୟୀ ସମ୍ପ୍ରଦାୟ ଏବଂ ସଂଖ୍ୟାଲଘୁ କୁକୀ-ଜୋ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ରକ୍ତାକ୍ତ ସଂଘର୍ଷକୁ ଇନ୍ଧନ ମିଳିଥିଲା। ତେବେ, ପୋସ୍ତ ନାଗା ଏବଂ କୁକୀ-ଜୋ ଉଭୟ କ୍ଷେତ୍ରର ପାର୍ବତ୍ୟ ଜିଲ୍ଲାରେ ଚାଷ ହୋଇଥାଏ, କିନ୍ତୁ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥା’ନ୍ତି ଯେ ମୁଖ୍ୟମନ୍ତ୍ରୀ ବୀରେନ୍‌ ସିଂ (ବିଜେପି) ମଣିପୁରରେ ନିଶାଦ୍ରବ୍ୟ କାରବାର କରିବା ପାଇଁ ମୁଖ୍ୟତଃ କୁକୀମାନଙ୍କୁ ଉତ୍ତରଦାୟୀ କରିଥା’ନ୍ତି।

ପାଓଲାଲଙ୍କ ଭଳି ନାହମୁନ ଗୁନ୍‌ଫାଇଜାଙ୍ଗର ୩୦ ଚାଷୀ ପରିବାର ପୋସ୍ତ ଚାଷ ଛାଡ଼ି ମଟର, କୋବି, ଆଳୁ ଓ କଦଳୀ ଭଳି ପନିପରିବା ଓ ଫଳ ଚାଷ କରିବାକୁ ବାଧ୍ୟ ହୋଇଛନ୍ତି। ଏଥିରୁ ସେମାନଙ୍କର ପୂର୍ବ ରୋଜଗାରର ଅଳ୍ପ କିଛି ଅଂଶ ହିଁ ମିଳିପାରୁଛି। ଗାଁର କାର୍ଯ୍ୟକାରୀ ମୁଖ୍ୟ ସାମ୍‌ସନ୍‌ କିପ୍‌ଗେନ୍‌ କୁହନ୍ତି, ‘‘ଏହା ସେମାନଙ୍କର ଗଳା ଚିପିବା ଭଳି କଥା।’’ ଏଠାକାର ଜମି ସ୍ଥାନୀୟ ସମୁଦାୟର ମାଲିକାନାରେ ରହିଥାଏ, ଯାହାକି ଗାଁ ମୁଖିଆଙ୍କ ଅଧୀନରେ ଆସିଥାଏ ଏବଂ ଏହି ଭୂମିକା ବଂଶାନୁକ୍ରମିକ ଭାବେ ଗୋଟିଏ ପରିବାର ନିର୍ବାହ କରି ଆସୁଛି। ସେ ଆହୁରି କୁହନ୍ତି, ‘‘କିନ୍ତୁ ସେମାନେ (ଯେଉଁ ଚାଷୀମାନେ ଏହି କାମ ଛାଡ଼ି ଦେଇଛନ୍ତି) ଜାଣିଛନ୍ତି ଯେ ଏହା ଗାଁ ଓ ପରିବେଶ ପାଇଁ ମଙ୍ଗଳକାରୀ।’’

ତେବେ, ୪୫ ବର୍ଷୀୟ ଚାଷୀ ପାଓଲାଲ କୁହନ୍ତି ଯେ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଗିରଫ କରି ଜେଲକୁ ପଠାଇ ଦେବାର ଧମକ ଦିଆଯିବା କାରଣରୁ ଶେଷରେ ଏହି ପ୍ରଥା ବନ୍ଦ ହୋଇଛି। ଗ୍ରାମବାସୀ ସହଯୋଗ ନକଲେ ପୁଲିସ ପୋସ୍ତ ଚାଷକୁ କାଟି ଜାଳିଦେବ ବୋଲି ଅଭିଯାନ ସମୟରେ ଚେତାବନୀ ଦିଆଯାଇଥିଲା। ନିକଟରେ ଉପତ୍ୟାକାର ଏକ ନାଗରିକ ସଂଗଠନ ଦାବି କରିଥିଲା ଯେ, ପୋସ୍ତ ଚାଷ ଉପରେ ବିମାନ ଆକ୍ରମଣ କରିବାକୁ କେନ୍ଦ୍ର ସରକାର ରାଜି ହୋଇଛନ୍ତି, କିନ୍ତୁ ଏହାର ସତ୍ୟତା ଅସ୍ପଷ୍ଟ ରହିଛି।

୨୦୧୮ ପରଠାରୁ ୧୮,୦୦୦ ଏକର ପୋସ୍ତ ଚାଷ ନଷ୍ଟ କରିବା ସହିତ ୨,୫୦୦ ଚାଷୀଙ୍କୁ ଗିରଫ କରିଥିବା ରାଜ୍ୟ ସରକାର ଦାବି କରିଥାନ୍ତି। ତେବେ ମଣିପୁର ପୁଲିସର ଏକ ସ୍ୱତନ୍ତ୍ର ୟୁନିଟ୍‌ ନାର୍କୋଟିକ୍ସ ଆଣ୍ଡ ଆଫାୟାର୍ସ ଅଫ୍‌ ବର୍ଡରର ତଥ୍ୟ ଅନୁଯାୟୀ, ୨୦୧୮ରୁ ୨୦୨୨ ମଧ୍ୟରେ ମୋଟ ୧୩,୪୦୭ ଏକର ପୋସ୍ତ ଚାଷ ନଷ୍ଟ କରାଯାଇଛି।

ବିଶ୍ୱର ସବୁଠୁ ବଡ଼ ପୋସ୍ତ ଉତ୍ପାଦନକାରୀ ଦେଶ ମ୍ୟାଁମାର ସହିତ ମଣିପୁର ସୀମା ଲାଗିଛି। ସେଠାରେ ମର୍ଫିନ୍‌, କୋଡିନ୍‌, ହେରୋଇନ ଏବଂ ଅକ୍ସିକୋଡେନ୍‌ ଭଳି ଅନ୍ୟ ପ୍ରଭାବଶାଳୀ ନିଶାଦ୍ରବ୍ୟର ବିକ୍ରି ଓ ଉତ୍ପାଦନ ହେଉଥିବା ଅଭିଯୋଗ ହୋଇଥାଏ। ପାଖରେ ଥିବା କାରଣରୁ ଏହି ରାଜ୍ୟ ନିଶାଦ୍ରବ୍ୟ ଏବଂ ଅନ୍ୟ ବେଆଇନ ସାମଗ୍ରୀ କାରବାର ପାଇଁ ସମ୍ବେଦନଶୀଳ ସ୍ଥାନ ହୋଇ ରହିଛି। ୨୦୧୯ର ସର୍ବେକ୍ଷଣ ମ୍ୟାଗ୍ନିଚ୍ୟୁଡ୍‌ ଅଫ୍‌ ସବ୍‌ଷ୍ଟାନ୍ସ ଆବ୍ୟୁଜ୍‌ ଇନ୍ ଇଣ୍ଡିଆ (ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ) ର ତଥ୍ୟ ଅନୁଯାୟୀ ଉତ୍ତର ପୂର୍ବ ଭାରତରେ ଇଞ୍ଜେକ୍ସନ ଜରିଆରେ ନିଶାଦ୍ରବ୍ୟ ଗ୍ରହଣ କରୁଥିବା ଲୋକଙ୍କ ସର୍ବାଧିକ ସଂଖ୍ୟା ମଣିପୁରରେ ରହିଛି।

ଜାତିଗତ ହିଂସା ପାଇଁ ବିଜେପିକୁ ଦାୟୀ କରାଯାଇ ଅଭିଯୋଗ ହେବା ପରେ, ଇମ୍ଫାଲସ୍ଥିତ ଦଳର ମୁଖ୍ୟାଳୟରେ ଡିସେମ୍ବର ୨୦୨୩ରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ ସିଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶ୍ନ କରି କହିଥିଲେ, ‘‘ଯୁବପିଢ଼ିଙ୍କୁ ନିଶା କବଳରୁ ବଞ୍ଚାଇବା ଲାଗି ନିଶାଦ୍ରବ୍ୟ ବିଲୋପ ଅଭିଯାନ ଭୁଲ ଥିଲା କି?’’

Demza, a farmer who used to earn up to three lakh rupees annually growing poppy, stands next to his farm where he grows cabbage, bananas and potatoes that he says is not enough to support his family, particularly his children's education
PHOTO • Makepeace Sitlhou

ପୋସ୍ତ ଚାଷ କରି ବାର୍ଷିକ ତିନି ଲକ୍ଷ ଟଙ୍କା ଆୟ କରିପାରୁଥିବା ଚାଷୀ ଡେମ୍‌ଜା ନିଜ ଚାଷ ଜମି ପାଖରେ ଛିଡ଼ା ହୋଇଛନ୍ତି, ସେ ଏବେ କୋବି, କଦଳୀ ଓ ଆଳୁ ଚାଷ କରୁଛନ୍ତି। ସେ କୁହନ୍ତି, ଏହା ତାଙ୍କ ପରିବାର ଚଳାଇବା, ବିଶେଷ କରି ପିଲାମାନଙ୍କ ଶିକ୍ଷା ପାଇଁ ଯଥେଷ୍ଟ ନୁହେଁ

ବିଡ଼ମ୍ବନାର ବିଷୟ ନିଶାଦ୍ରବ୍ୟ ବିଲୋପ ଅଭିଯାନ କାରଣରୁ ଡେମ୍‌ଜାଙ୍କ ପିଲାମାନଙ୍କ ପାଠପଢ଼ା ବନ୍ଦ ହୋଇଯାଇଛି।

ଚାରି ବର୍ଷ ପୂର୍ବରୁ ଡେମ୍‌ଜା ଓ ତାଙ୍କ ପରିବାର ନାହମୁନ୍‌ ଗନ୍‌ଫାଇଜାଙ୍ଗରେ ପୋସ୍ତ ଚାଷ କରି ଖୁସିରେ ରହୁଥିଲା। ଏହା ଉପରେ କଟକଣା ଲାଗିବା ପରେ ଡେମ୍‌ଜା ମିଶ୍ରିତ ଫସଲ ଚାଷ କରିବା ଆରମ୍ଭ କଲେ ଏବଂ ତାଙ୍କ ରୋଜଗାର କମିଗଲା। ପରୀ ସହ କଥା ହୋଇ ଡେମ୍‌ଜା କୁହନ୍ତି, ‘‘ବର୍ଷରେ ଦୁଇ ଥର (ପନିପରିବା) ଚାଷ କଲେ ଏବଂ ଭଲ ଅମଳ ହେଲେ ଆମର ବାର୍ଷିକ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ହୋଇପାରିଥାଏ। କିନ୍ତୁ ଥରେ ପୋସ୍ତ ଚାଷ କଲେ ଆମେ ବାର୍ଷିକ ଅତିକମ୍‌ରେ ତିନି ଲକ୍ଷ ଟଙ୍କା ରୋଜଗାର କରିପାରୁଥିଲୁ।’’

ରୋଜଗାର ବହୁ ପରିମାଣରେ ହ୍ରାସ ପାଇବା କାରଣରୁ ତାଙ୍କ ପିଲାମାନେ ଇମ୍ଫାଲ୍‌ ସ୍କୁଲ୍‌ରେ ପାଠ ପଢ଼ିପାରୁନାହାନ୍ତି । ନିଜ ପିଲାମାନଙ୍କ ମଧ୍ୟରୁ କେବଳ ଜଣଙ୍କୁ ସେ କାଙ୍ଗପୋକପୀ ଜିଲ୍ଲା ମୁଖ୍ୟାଳୟର ଏକ ସ୍ଥାନୀୟ ବିଦ୍ୟାଳୟରେ ନାମ ଲେଖାଇପାରିଛନ୍ତି।

କାଙ୍ଗପୋକପୀ, ଚୁରାଚାନ୍ଦପୁର ଏବଂ ତେଙ୍ଗନୌପଲର ପାର୍ବତ୍ୟ ଜିଲ୍ଲାକୁ ନେଇ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଦାରିଦ୍ର୍ୟ, ଖାଦ୍ୟ ଅସୁରକ୍ଷା ଏବଂ ଭୌତିକ ଆବଶ୍ୟକତା ମଣିପୁରର ଆଦିବାସୀ ଚାଷୀଙ୍କୁ ଅଫିମ ଚାଷ କରିବା ଲାଗି ବାଧ୍ୟ କରିଥାଏ। ଭାରତୀୟ ପ୍ରାଦ୍ୟୋଗିକୀ ପ୍ରତିଷ୍ଠାନ (ଆଇଆଇଟି) ଗୌହାଟୀର ସମାଜଶାସ୍ତ୍ର ବିଭାଗ ସହାୟକ ପ୍ରାଧ୍ୟାପକ ନାମ୍‌ଜହାଓ କିପଗେନ୍‌ ଏହି ଅଧ୍ୟୟନର ନେତୃତ୍ୱ ନେଇଥିଲେ। ସେ ୬୦ଟି ପରିବାରକୁ ନେଇ ଅଧ୍ୟୟନ କରି ଜାଣିବାକୁ ପାଇଥିଲେ ଯେ ଗୋଟିଏ ହେକ୍ଟର ଜମିରେ ୫-୭ କିଲୋଗ୍ରାମ ଅଫିମ ଉତ୍ପାଦନ ହୋଇଥାଏ, ଯାହାକୁ କିଲୋପ୍ରତି ୭୦,୦୦୦ରୁ ୧,୫୦,୦୦୦ ଟଙ୍କାରେ ବିକ୍ରି କରାଯାଇଥାଏ।

ଏହା ସେହି ଚାଷୀଙ୍କ ପାଇଁ ଏକ ଲାଭଜନକ ଫସଲ, ଯେଉଁମାନେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି (ମନରେଗା) ଭଳି ରୋଜଗାର ସୁଯୋଗ ପାଆନ୍ତି ନାହିଁ ।

*****

ନଭେମ୍ବର ମାସ ସଂଖ୍ୟାଲଘୁ କୁକୀ-ଜୋ ଜନଜାତି ପାଇଁ ଖୁସିର ସମୟ ହୋଇଥାଏ, କାରଣ ସେମାନେ ବାର୍ଷିକ କୁଟ୍‌ ପର୍ବ ପାଳନ କରିଥା’ନ୍ତି ଯାହା ପୋସ୍ତ ଫସଲ କାଟିବାର ସମୟ ହୋଇଥାଏ। ପର୍ବପର୍ବାଣୀ ସମୟରେ ଏହି ସମାଜର ଲୋକମାନେ ସାଥୀ ହୋଇ ବଡ଼ ଭୋଜି ଆୟୋଜନ କରିଥାନ୍ତି, ନାଚନ୍ତି-ଗୀତ ଗାଆନ୍ତି ଏବଂ ଏପରିକି ସୌନ୍ଦର୍ଯ୍ୟ ପ୍ରତିଯୋଗିତା ମଧ୍ୟ ଆୟୋଜନ କରନ୍ତି। ତେବେ ୨୦୨୩ ବର୍ଷ ଭିନ୍ନ ଥିଲା। ମେ ମାସରେ ମୈତେୟୀ ସମାଜ ଏବଂ କୁକୀ-ଜୋ ସମାଜ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା, ଯେଉଁଥିରେ ମଣିପୁରର ୫୩ ପ୍ରତିଶତ ଜନସଂଖ୍ୟା ସାମିଲ ହୋଇଥିଲେ।

ମୈତେୟୀ ସମାଜ ଦୀର୍ଘ ଦିନ ଧରି ଅନୁସୂଚୀତ ଜନଜାତି ତାଲିକାରେ ସ୍ଥାନ ପାଇବା ଲାଗି ଦାବି କରିଆସୁଛନ୍ତି ଯାହାଫଳରେ ସେମାନଙ୍କୁ ଆର୍ଥିକ ଲାଭ ଏବଂ ସରକାରୀ ଚାକିରିରେ ସଂରକ୍ଷଣ ମିଳିପାରିବ। ଏହି ସମ୍ପ୍ରଦାୟର ଦାବି ପ୍ରତି ବିଚାର କରିବା ଲାଗି ୨୦୨୩ ମାର୍ଚ୍ଚ ଶେଷ ଭାଗରେ ରାଜ୍ୟ ସରକାରଙ୍କୁ ମଣିପୁର ହାଇକୋର୍ଟ ଆଦେଶ ଦେଇଥିଲେ। ଏହା ବ୍ୟତୀତ ମୈତେୟୀମାନେ ମୁଖ୍ୟତଃ କୁକୀ ଜନଜାତି କବଳରେ ଥିବା ପାର୍ବତ୍ୟ ଇଲାକାରେ ଜମି କିଣିପାରିବେ। ନ୍ୟାୟାଳୟର ସୁପାରିସକୁ ମଣିପୁରର ସମସ୍ତ ଆଦିବାସୀ ସମ୍ପ୍ରଦାୟ ବିରୋଧ କରିଥିଲେ, ନିଜ ଜମି ଉପରେ ନିୟନ୍ତ୍ରଣ ବିପଦରେ ପଡ଼ିଯିବ ବୋଲି ସେମାନେ ଭାବିଥିଲେ।

Farmers and residents of Ngahmun village slashing the poppy plantations after joining Chief Minister Biren Singh’s War on Drugs campaign in 2020
PHOTO • Kaybie Chongloi

୨୦୨୦ରେ ମୁଖ୍ୟମନ୍ତ୍ରୀ ବୀରେନ୍‌ ସିଂଙ୍କ ନିଶାଦ୍ରବ୍ୟ ବିଲୋପ ଅଭିଯାନରେ ସାମିଲ ହେବା ପରେ ନାହମୁନ୍‌ ଗାଁର ଚାଷୀ ଏବଂ ନିବାସୀ ପୋସ୍ତ ଚାଷକୁ କାଟୁଛନ୍ତି

ଏହାପରେ ସାରା ରାଜ୍ୟରେ ବର୍ବର ହତ୍ୟା, ମୁଣ୍ଡ କାଟ, ଗଣବଳାତ୍କାର, ଅଗ୍ନିକାଣ୍ଡ ସମେତ ବ୍ୟାପକ ହିଂସାତ୍ମକ ସଂଘର୍ଷ ଆରମ୍ଭ ହୋଇଯାଇଥିଲା।

ପରୀ ଏହି ଗାଁକୁ ଗସ୍ତ କରିବା ସମୟର ଦୁଇ ମାସ ପୂର୍ବରୁ ଏକ ଭୟାବହ ଘଟଣାର ଭିଡିଓ ଭାଇରାଲ୍‌ ହୋଇଥିଲା। କାଙ୍ଗପୋକପୀର ବି ଫାଇନୋମ୍‌ ଗାଁର ଦୁଇ ଜଣ ମହିଳାଙ୍କୁ ମୈତେୟୀ ପୁରୁଷମାନଙ୍କର ଏକ ଦଳ ଉଲଗ୍ନ କରି ବୁଲାଇଥିଲା। ମେ ମାସ ଆରମ୍ଭରେ ବି ଫାଇନୋମ୍‌ ଗାଁ ଉପରେ ଆକ୍ରମଣ ସମୟରେ ଏହି ଅପରାଧ ଘଟିଥିଲା। ଆକ୍ରମଣରେ ଗାଁକୁ ସମ୍ପୂର୍ଣ୍ଣ ବର୍ବାଦ କରି ଦିଆଯାଇଥିଲା। ଭିଡିଓ ଶୁଟ୍‌ କରିବା ପରେ ସେମାନଙ୍କ ପୁରୁଷ ସମ୍ପର୍କୀୟଙ୍କୁ ହତ୍ୟା କରାଗଲା ଏବଂ ଧାନ ଜମିରେ ସେହି ମହିଳାମାନଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା।

ବର୍ତ୍ତମାନ ସୁଦ୍ଧା ଆନୁମାନିକ ୨୦୦ ଲୋକଙ୍କୁ ହତ୍ୟା କରାଯାଇଛି (ସଂଖ୍ୟା ବଢ଼ିଚାଲିଛି) ଏବଂ ୭୦,୦୦୦ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି, ଏମାନଙ୍କ ମଧ୍ୟରୁ ଅଧିକାଂଶ ସଂଖ୍ୟାଲଘୁ କୁକୀ ଅଟନ୍ତି। ସରକାର ଓ ପୁଲିସ ଏହି ଗୃହଯୁଦ୍ଧରେ ମୈତେୟୀ ଉଗ୍ରପନ୍ଥୀଙ୍କୁ ସମର୍ଥନ କରୁଥିବା ସେମାନେ ଅଭିଯୋଗ କରନ୍ତି।

ରକ୍ତାକ୍ତ ଗୃହ ଯୁଦ୍ଧ ପାଇଁ ଅଫିମ ମଧ୍ୟ ଅନେକାଂଶରେ ଦାୟୀ। ଆଇଆଇଟି ପ୍ରାଧ୍ୟାପକ କିପ୍‌ଗେନ୍‌ କୁହନ୍ତି, ‘‘ନେତା ଓ ଅଧିକାରୀ ଏହି ଶୃଙ୍ଖଳାରେ ସବୁଠୁ ଉପରେ ରହିଛନ୍ତି। ସେମାନଙ୍କ ସହିତ ଦଲାଲ୍‌ ମଧ୍ୟ ରହିଛନ୍ତି ଯେଉଁମାନେ ଚାଷୀଙ୍କଠାରୁ ଏସବୁ ଦ୍ରବ୍ୟ କିଣି ଭଲ ଅର୍ଥ ରୋଜଗାର କରିଥା’ନ୍ତି।’’ ସେ କୁହନ୍ତି, ପୋସ୍ତ ଚାଷ ନଷ୍ଟ ହେବା ଏବଂ ବ୍ୟାପକ ପରିମାଣରେ ଜବତ ଓ ଗିରଫଦାରୀ ସତ୍ତ୍ୱେ ମୁଖ୍ୟ ଖଳନାୟକମାନେ ଆଇନ ପଞ୍ଝାରୁ ବାହାରେ ବୁଲୁଛନ୍ତି। କିପ୍‌ଗେନ୍‌ କୁହନ୍ତି, ଅଧିକାଂଶ ଚାଷୀ ପୋସ୍ତ ଚାଷରୁ ସର୍ବନିମ୍ନ ମଜୁରି ସମାନ ରୋଜଗାର କରିଥା’ନ୍ତି।

ମୁଖ୍ୟମନ୍ତ୍ରୀ ବୀରେନ୍‌ ସିଂ ଏହି ସଂଘର୍ଷ ପାଇଁ କୁକୀ-ଜୋ ଜନଜାତିର ଗରିବ ପୋସ୍ତ ଉତ୍ପାଦନକାରୀମାନଙ୍କୁ ଦାୟୀ କରିଛନ୍ତି, ଯେଉଁମାନଙ୍କୁ କୁକୀ-ଜୋ ସଶସ୍ତ୍ର ଗୋଷ୍ଠୀ କୁକୀ ନେସନାଲ୍‌ ଫ୍ରଣ୍ଟ (କେଏନ୍‌ଏଫ୍‌) ଠାରୁ ସମର୍ଥନ ମିଳୁଛି । ଏହି ସଂଗଠନ ମ୍ୟାଁମାର୍‌ ସୀମାବର୍ତ୍ତୀ ଇଲାକାରେ ସୀମାପାର୍‌ ନିଶାଦ୍ରବ୍ୟ କାରବାରରେ ସମ୍ପୃକ୍ତ ରହିଛି । ବ୍ୟାପକ ପରିମାଣରେ ସଂରକ୍ଷିତ ଜଙ୍ଗଲ ନଷ୍ଟ ଏବଂ ମୈତେୟୀ ଜନସଂଖ୍ୟା ବହୁଳ ଉପତ୍ୟାକାରେ ଗମ୍ଭୀର ପରିବେଶ ସଂକଟ ପାଇଁ ମଧ୍ୟ ପୋସ୍ତ ଚାଷ ଦାୟୀ ବୋଲି ରାଜ୍ୟ ସରକାର କୁହନ୍ତି।

ଚାଷୀଙ୍କ କହିବା ଅନୁଯାୟୀ ପୋସ୍ତ ଚାଷର ଚକ୍ର ଜଙ୍ଗଲ କାଟି ଓ ଜଙ୍ଗଲର ଏକ ଭାଗକୁ ଜଳାଇ ଆରମ୍ଭ ହୋଇଥାଏ, ଏହାପରେ କୀଟନାଶକ, ଭିଟାମିନ୍‌ ଓ ୟୁରିୟା ବ୍ୟବହାର କରାଯାଏ। ୨୦୨୧ରେ ପ୍ରକାଶିତ ଏହି ଦସ୍ତାବିଜରେ କୁହାଯାଇଛି ଯେ ଚୁରାଚାନ୍ଦପୁର ଜିଲ୍ଲାରେ ନୂଆ କରି ସଫା କରାଯାଇଥିବା ବୃକ୍ଷରୋପଣ ସ୍ଥଳୀ ନିକଟ ଗାଁରେ ଜଳଧାରା ଶୁଖିବା ଏବଂ ପିଲାମାନଙ୍କ ମଧ୍ୟରେ ଜଳ ସହ ଜଡ଼ିତ ରୋଗ ବୃଦ୍ଧି ପାଇଛି। ତେବେ ପ୍ରଫେସର କିପ୍‌ଗେନ୍‌ କହିଛନ୍ତି, ମଣିପୁରରେ ପୋସ୍ତ ଚାଷ କାରଣରୁ ପରିବେଶ ଉପରେ ପ୍ରଭାବ ପଡ଼ିବାକୁ ନେଇ ଯଥେଷ୍ଟ ବୈଜ୍ଞାନିକ ଗବେଷଣା ହୋଇପାରିନାହିଁ ।

Paolal harvesting peas in his field. The 30 farming households in Ngahmun Gunphaijang, like Paolal’s, were forced to give up poppy cultivation and grow vegetables and fruits like peas, cabbage, potatoes and bananas instead, getting a fraction of their earlier earnings
PHOTO • Makepeace Sitlhou

ପାଓଲାଲ ନିଜ ଜମିରେ ମଟର ଫସଲ କାଟୁଛନ୍ତି। ପାଓଲାଲଙ୍କ ଭଳି ନାହମୁନ୍‌ ଗୁନ୍‌ଫାଇଜାଙ୍ଗର ୩୦ ଚାଷୀ ପରିବାରଙ୍କୁ ପୋସ୍ତ ଚାଷ ଛାଡ଼ିବା ଓ ମଟର, କୋବି, ଆଳୁ ଓ କଦଳୀ ଭଳି ପନିପରିବା ଓ ଫଳ ଅମଳ କରିବା ପାଇଁ ବାଧ୍ୟ କରିଥିଲା, ଯାହାଫଳରେ ସେମାନେ ଏବେ ନିଜ ପୂର୍ବ ରୋଜଗାରର ଅଳ୍ପ କିଛି ଅଂଶ ପାଇପାରୁଛନ୍ତି

ପଡ଼ୋଶୀ ଦେଶ ମ୍ୟାଁମାରରେ ଅଫିମ ପୋସ୍ତ ଚାଷ ଉପରେ ୟୁନାଇଟେଡ୍‌ ନେସନ୍ସ ଅଫିସ୍‌ ଅନ୍‌ ଡ୍ରଗ୍ସ ଏଣ୍ଡ କ୍ରାଇମ୍‌ (ୟୁଏନ୍‌ଓଡିସି)ର ରିପୋର୍ଟରୁ ଜଣାପଡ଼ିଛି ଯେ ପୋସ୍ତ ଚାଷ କରୁନଥିବା ଗାଁ ତୁଳନାରେ ପୋସ୍ତ ଚାଷ କରୁଥିବା ଗାଁରେ ଜଙ୍ଗଲର ଗୁଣବତ୍ତା ଅଧିକ ଦ୍ରୁତଗତିରେ ଖରାପ ହୋଇଥାଏ। ତେବେ ପୋସ୍ତ ଏବଂ ଅଣ ପୋସ୍ତ ଜମି ଉଭୟ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ହ୍ରାସ ପାଉଥିବା ଅମଳ ରୂପରେ ଦେଖା ଯାଇଛି। ପରିବେଶ ଉପରେ ପୋସ୍ତ ଚାଷର ପ୍ରଭାବକୁ ନେଇ କୌଣସି ନିର୍ଣ୍ଣାୟକ ତଥ୍ୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ।

ଚାଷୀ ପାଓଲାଲ ଏହାକୁ ବିରୋଧ କରି କୁହନ୍ତି, ‘‘ଯଦି ପୋସ୍ତ ଚାଷ ମାଟି ଉପରେ ପ୍ରଭାବ ପକାଉଥା’ନ୍ତା, ତା’ହେଲେ ଆମେ ପନିପରିବା ଚାଷ କରିପାରିନଥା’ନ୍ତୁ।’’ ନାହମୁନ୍‌ର ଅନ୍ୟ ଚାଷୀମାନେ କୁହନ୍ତି ଯେ ପୂର୍ବରୁ ନିଜ ଜମିରେ ଅଫିମ୍‌ ଚାଷ କରିବା ସତ୍ତ୍ୱେ ସେମାନଙ୍କୁ ଫଳ ଓ ପନିପରିବା ଚାଷ କରିବାରେ କୌଣସି ଅସୁବିଧା ହୋଇନାହିଁ ।

*****

ଚାଷୀମାନେ କୁହନ୍ତି ଯେ, ପୋସ୍ତରୁ ହେଉଥିବା ଅଧିକ ଆୟ ବିକଳ୍ପର ଅଭାବରେ ପ୍ରକୃତ ସମସ୍ୟା ରହିଛି। ସବୁ ଗାଁ ଲୋକଙ୍କୁ ଆଳୁ ବିହନ ବିତରଣ କରାଯାଇଥିବା ନେଇ ମୁଖିଆ ଦାବି କରିବା ସତ୍ତ୍ୱେ ପାଓଲାଲଙ୍କ ଭଳି ପୂର୍ବତନ ପୋସ୍ତ ଚାଷୀ କୁହନ୍ତି ଯେ ସେମାନଙ୍କୁ କିଛି ଲାଭ ମିଳିନାହିଁ । ସେ ପରୀକୁ କହିଛନ୍ତି, ‘‘ମୁଁ ଅତି କଷ୍ଟରେ ବଜାରରୁ ୧୦୦ ଟଙ୍କାରେ ଗୋଟିଏ ପ୍ୟାକେଟ୍‌ ବିହନ କିଣିପାରିଥିଲି। ଏହିପରି ଭାବେ ମୁଁ ଅନକାମ୍‌ (ପନିପରିବା) ଚାଷ କରିଥିଲି।’’

ନାହ୍‌ମୁନ୍‌ ସରକାରୀ ପ୍ରୟାସରେ ସାମିଲ ହେବାର ଗୋଟିଏ ବର୍ଷ ପରେ ତାଙ୍ଗଖୁଲ୍‌ ନାଗା ମାଲିକାନା ଥିବା ଉଖରୁଲ୍‌ ଜିଲ୍ଲାରେ ପେହ୍‌ ଗ୍ରାମ ପରିଷଦ ମଧ୍ୟ ପାହାଡ଼ରେ ଥିବା ପୋସ୍ତ ଚାଷକୁ ନଷ୍ଟ କରି ଦେଇଥିଲା। ୨୦୨୧ରେ ମୁଖ୍ୟମନ୍ତ୍ରୀ ତୁରନ୍ତ ସେମାନଙ୍କ ପାଇଁ ଦଶ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ରାଜ୍ୟର ଉଦ୍ୟାନ ଏବଂ ମୃତ୍ତିକା ସଂରକ୍ଷଣ ବିଭାଗ, ମଣିପୁର ଜୈବିକ ମିଶନ ଏଜେନ୍ସି ସହିତ ମିଶି ହିତାଧିକାରୀଙ୍କ ଚିହ୍ନଟ ଏବଂ କିୱି ଓ ସେଓ ଚାଷ ଭଳି ବିକଳ୍ପ ଜୀବିକା ଦେବା ପାଇଁ ପରିଷଦ ସହିତ କାମ କରୁଛି।

ପେହ୍‌ ଗ୍ରାମର ଅଧ୍ୟକ୍ଷ ମୁନ୍‌ ଶିମ୍‌ରାହ୍‌ ପରୀକୁ କହିଥିଲେ, ପୁରସ୍କାର ବ୍ୟତୀତ ଗାଁକୁ ହଳ ପାଇଁ ମେସିନ୍‌ ଓ ଉପକରଣ ସହିତ ନଗଦ ୨୦ ଲକ୍ଷ ୩୦ ହଜାର ଟଙ୍କା, ୮୦ ବସ୍ତା ସାର, ପ୍ଲାଷ୍ଟିକ ପ୍ୟାକ୍‌ ହୋଇଥିବା ସେଓ, ଅଦା ଓ କୁଇନୋଆ ଚାରା ଭଳି ଅତିରିକ୍ତ ସହାୟତା ମିଳିଥିଲା। ସେ କୁହନ୍ତି, ‘‘ବାସ୍ତବରେ କେବଳ ଗୋଟିଏ ପରିବାର ପୋସ୍ତ ଚାଷ ଆରମ୍ଭ କରିଥିଲା। ତେବେ ଗ୍ରାମ ପରିଷଦ ହସ୍ତକ୍ଷେପ କରିବା ପରେ ଏହା ବନ୍ଦ ହୋଇଥିଲା ଏବଂ ଏଥିପାଇଁ ସରକାର ଆମକୁ ପୁରସ୍କାର ଦେଇଥିଲେ।’’ ସରକାରୀ ଅନୁଦାନରୁ ଗାଁର ସମସ୍ତ ୭୦୩ ପରିବାର ଉପକୃତ ହୋଇଥିଲେ। ଏହି ଗାଁ ଉଖରୁଲ୍‌ ଜିଲ୍ଲା ମୁଖ୍ୟାଳୟଠାରୁ ୩୪ କିଲୋମିଟର ଦୂରରେ ରହିଛି, ଯେଉଁଠି ଦେଶୀ ଆଳୁ, ଲେମ୍ବୁ, କମଳା, ସୋୟାବିନ, ବାଜରା, ମକା ଓ ଧାନ ଅମଳ ହୋଇଥାଏ।

ସେ ଆହୁରି କୁହନ୍ତି, ‘‘ତେବେ, ଆମେ ସରକାରଙ୍କୁ ଅନୁରୋଧ କରୁଛୁ ଯେ ଆମକୁ ନୂଆ ଫସଲ ଚାଷ ପାଇଁ ଜରୁରି ପ୍ରଶିକ୍ଷଣ ଦିଆଯାଉ ଏବଂ ପ୍ରକଳ୍ପକୁ ଭଲ ଭାବେ ନିରୀକ୍ଷଣ କରାଯାଉ। ଆମକୁ ଉଦ୍ଭିଦର ଚାରା ଓ କଣ୍ଟା ତାରବାଡ଼ ମଧ୍ୟ ଦରକାର, କାରଣ ଆମର ପ୍ରାଣୀମାନେ ଏଣେତେଣେ ବୁଲି ଫସଲ ନଷ୍ଟ କରି ଦେଇଥା’ନ୍ତି।’’

ନାହ୍‌ମୁନ୍‌ର କାର୍ଯ୍ୟକାରୀ ମୁଖ୍ୟ କିପଗେନ୍‌ ପରୀକୁ କହିଥିଲେ ଯେ ତାଙ୍କ ଗାଁକୁ ଗବେଷଣା ଉଦ୍ଦେଶ୍ୟରେ ଏକ ରାଜ୍ୟ ବିଶ୍ୱବିଦ୍ୟାଳୟ ଠାରୁ ଏବଂ ବିଧାୟକଙ୍କ ନିକଟରୁ କୁକ୍କୁଟ ପାଳନ ଓ ପନିପରିବା ବିହନ ଭଳି ଜୀବିକା ବିକଳ୍ପ ସମ୍ପର୍କରେ ଥରେ ସହାୟତା ମିଳିଥିଲା। କିନ୍ତୁ ସରକାରୀ ସହାୟତାରେ ବେଶ ଅନିୟମିତତା ରହିଥିଲା। ସେ କୁହନ୍ତି, ‘‘ଆମେ ‘ନିଶାଦ୍ରବ୍ୟ ବିଲୋପ ଅଭିଯାନ’ରେ ସାମିଲ ହୋଇଥିବା ପ୍ରଥମ ପାହାଡ଼ି ଆଦିବାସୀ ଗ୍ରାମ ଥିଲୁ। ତଥାପି ଲାଗୁଛି ଯେମିତି ସରକାର ଅଳ୍ପ କିଛି ଆଦିବାସୀ ସମ୍ପ୍ରଦାୟକୁ ପୁରସ୍କାର ଦେଉଛି ଏବଂ ଅନ୍ୟମାନଙ୍କୁ ଅଣଦେଖା କରୁଛି।’’

Left: Samson Kipgen, the acting village chief,  says that switching from poppy cultivation has 'strangled' the farmers.
PHOTO • Makepeace Sitlhou
Right: Samson walks through a patch of the hill where vegetables like bananas, peas, potatoes and cabbages are grown
PHOTO • Makepeace Sitlhou

ବାମ : ଗାଁର କାର୍ଯ୍ୟକାରୀ ମୁଖ୍ୟ ସାମସନ୍‌ କିପଗେନ୍‌ କୁହନ୍ତି ପୋସ୍ତ ଚାଷ ଛାଡ଼ିବା ଫଳରେ ଚାଷୀଙ୍କ ଅବସ୍ଥା ଖରାପ ହୋଇଯାଇଛି। ଡାହାଣ : ସାମ୍‌ସନ୍‌ ପାହାଡ଼ର ଗୋଟିଏ ଭାଗରେ ବୁଲୁଛନ୍ତି ଯେଉଁଠି କଦଳୀ, ମଟର, ଆଳୁ ଓ ବନ୍ଧାକୋବି ଆଦି ଚାଷ କରାଯାଏ

ତେବେ ରାଜ୍ୟ ସରକାରଙ୍କ କିଛି ଲୋକ ଏଥିପାଇଁ ଜୀବିକା ବିକଳ୍ପର ଅଭାବକୁ ନୁହେଁ ବରଂ ମଡେଲକୁ ଦାୟୀ କରିଥାନ୍ତି। ନାଗା ଏବଂ କୁକୀ-ଜୋ ବହୁଳ ପାହାଡ଼ି ଇଲାକାରେ ପୋସ୍ତ ଚାଷୀଙ୍କ ପାଇଁ ଜୀବିକା ଯୋଗାଇ ଦେବା ଯୋଜନାର ପରିଚାଳନା କରୁଥିବା ମଣିପୁର ସରକାରର ଏକ ବିଭାଗ ପକ୍ଷରୁ କୁହାଯାଇଛି, ‘‘ପାର୍ବତ୍ୟାଞ୍ଚଳର ଆଦିବାସୀ ଚାଷୀଙ୍କୁ ଯେଉଁ ବିହନ ଏବଂ କୁକୁଡ଼ା ମିଳିଛି, ତାହା ପ୍ରାୟତଃ ଗୁଜୁରାଣ ମେଣ୍ଟାଇବା ପାଇଁ ଉଦ୍ଦିଷ୍ଟ।’’

ସେମାନେ କହିଥିଲେ, ପନିପରିବା ଚାଷ ଏବଂ କୁକ୍କୁଟ ପାଳନରୁ ହେଉଥିବା ଆୟ କେବେ ବି ପୋସ୍ତରୁ ହେଉଥିବା ରୋଜଗାର ସହିତ ସମାନ ହୋଇପାରିବ ନାହିଁ । ସେଥିରୁ ଆନୁମାନିକ ବାର୍ଷିକ ୧୫ ଲକ୍ଷ ଟଙ୍କା ଆୟ ହେଉଥିବା ବେଳେ ପନିପରିବାରୁ ଅତି କଷ୍ଟରେ ଏକ ଲକ୍ଷ ଟଙ୍କା ବାର୍ଷିକ ରୋଜଗାର ହୋଇଥାଏ। କମ୍‌ ଆୟ ଆଧାରିତ ଜୀବିକା ବିକଳ୍ପ ଯୋଗାଇ ଦେଲେ ପୋସ୍ତ ଚାଷ ବନ୍ଦ ହେବ ନାହିଁ। ପରିଚୟ ଗୋପନ ରଖିବା ସର୍ତ୍ତରେ ଜଣେ ସରକାରୀ ଅଧିକାରୀ କହିଥିଲେ, ‘ନିଶାଦ୍ରବ୍ୟ ବିଲୋପ ଅଭିଯାନ’ ପାର୍ବତ୍ୟାଞ୍ଚଳରେ ସଫଳ ହୋଇନାହିଁ । ଏହା କେବଳ ପ୍ରହସନ ପାଲଟିଛି।’’

ଯେପର୍ଯ୍ୟନ୍ତ ସ୍ଥାୟୀ ବିକଳ୍ପ ଜୀବିକା ଏବଂ ମନରେଗା ଭଳି ବ୍ୟାପକ ବିକାଶ ଆଧାରିତ ପ୍ରୟାସ ଉପରେ ଗୁରୁତ୍ୱ ଦିଆଯିବ ନାହିଁ ସେପର୍ଯ୍ୟନ୍ତ ଅଫିମ ଚାଷର ବଳପୂର୍ବକ ବିଲୋପ ଅର୍ଥହୀନ ହୋଇ ରହିବ। ପ୍ରାଧ୍ୟାପକ କିପ୍‌ଗେନ୍‌ କୁହନ୍ତି, ଏପରି ନକଲେ ‘‘ସାମାଜିକ ଉତ୍ତେଜନା ବଢ଼ିବ ଏବଂ ସ୍ଥାନୀୟ ସରକାର ଓ ଚାଷୀ ସମାଜ ମଧ୍ୟରେ ଶତ୍ରୁତା ସୃଷ୍ଟି ହେବ।’’

ଏପରିକି ୟୁଏନଓଡିସି ରିପୋର୍ଟର ନିଷ୍କର୍ଷରେ କୁହାଯାଇଛି ଯେ, ‘‘ଅଫିମ ବିଲୋପ ପ୍ରୟାସକୁ ବଜାୟ ରଖିବା ଲାଗି ଏପରି ସୁଯୋଗ ଦରକାର ଯାହା ପୋସ୍ତ ଚାଷକୁ ବନ୍ଦ କରିବା ପରେ ମଧ୍ୟ ଚାଷୀଙ୍କ ଆୟ ସ୍ତରକୁ ବଜାୟ ରଖିବାରେ ସହାୟତା କରିପାରିବ।’’

ଜାତିଗତ ହିଂସା ପାର୍ବତ୍ୟ ଆଦିବାସୀ ଚାଷୀଙ୍କ ସମସ୍ୟା ବଢ଼ାଇ ଦେଇଛି ଯେଉଁମାନେ ଏବେ ଉପତ୍ୟାକାରେ କୌଣସି ବ୍ୟବସାୟ କିମ୍ବା ନେଣଦେଣ କରିପାରିବେ ନାହିଁ ।

ଡେମ୍‌ଜା କୁହନ୍ତି, ‘‘ବାର୍ଷିକ ଅଫିମ ଚାଷ ଶେଷ ହେବା ପରେ ଆମେ ମୈତେୟୀମାନଙ୍କୁ ଖଣିରୁ ବାଲି ବିକ୍ରି କରି ଅତିରିକ୍ତ ଆୟ କରୁଥିଲୁ। ଏବେ ସେ କାମ ହୋଇପାରୁ ନାହିଁ। ଯଦି ଏପରି (ସଂଘର୍ଷ) ଚାଲିଥିବ, ତା’ହେଲେ ଏମିତି ଏକ ସମୟ ଆସିବ ଯେତେବେଳେ ଆମେ ନିଜ ପିଲାଙ୍କୁ ସ୍କୁଲକୁ ପଠାଇ ପାରିବୁ ନାହିଁ କିମ୍ବା ଜୀବିକାର୍ଜ୍ଜନ କରିପାରିବୁ ନାହିଁ।’’

ଅନୁବାଦ: ଓଡ଼ିଶାଲାଇଭ୍‍

Makepeace Sitlhou

ମେକପିସ୍ ସିଟଲୋ ହେଉଛନ୍ତି ଜଣେ ସ୍ୱାଧୀନ ସାମ୍ବାଦିକ ଯେ କି ମାନବ ଅଧିକାର, ସାମାଜିକ ସମସ୍ୟା ଏବଂ ପ୍ରଶାସନ ଓ ରାଜନୀତି ଉପରେ ରିପୋର୍ଟ କରିଥାନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Makepeace Sitlhou
Editor : PARI Desk

ପରୀ ସମ୍ପାଦକୀୟ ବିଭାଗ ଆମ ସମ୍ପାଦନା କାର୍ଯ୍ୟର ପ୍ରମୁଖ କେନ୍ଦ୍ର। ସାରା ଦେଶରେ ଥିବା ଖବରଦାତା, ଗବେଷକ, ଫଟୋଗ୍ରାଫର, ଚଳଚ୍ଚିତ୍ର ନିର୍ମାତା ଓ ଅନୁବାଦକଙ୍କ ସହିତ ସମ୍ପାଦକୀୟ ଦଳ କାର୍ଯ୍ୟ କରିଥାଏ। ସମ୍ପାଦକୀୟ ବିଭାଗ ପରୀ ଦ୍ୱାରା ପ୍ରକାଶିତ ଲେଖା, ଭିଡିଓ, ଅଡିଓ ଏବଂ ଗବେଷଣା ରିପୋର୍ଟର ପ୍ରଯୋଜନା ଓ ପ୍ରକାଶନକୁ ପରିଚାଳନା କରିଥାଏ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ PARI Desk
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE