‘‘ଆମେ ଯେତେବେଳେ କାମ ସନ୍ଧାନରେ ହାଇଦ୍ରାବାଦ ଆସିଲୁ ଯାହା କାମ ମିଳିଲା କଲୁ। ଆମ ଝିଅକୁ ଭଲ ଶିକ୍ଷା ଦେବା ପାଇଁ ଆମେ ଯଥେଷ୍ଟ ଟଙ୍କା ରୋଜଗାର କରିବାକୁ ଚାହୁଁଥିଲୁ,’’ ଗୁଡଲା ମାଙ୍ଗମ୍ମା କୁହନ୍ତି । ସେ ଓ ତାଙ୍କର ସ୍ୱାମୀ ଗୁଡଲା କୋଟିୟା ୨୦୦୦ ମସିହାରେ ତେଲଙ୍ଗାନାର ମେହବୁବ ନଗର ଜିଲ୍ଲାରୁ ରାଜ୍ୟର ରାଜଧାନୀ ହାଇଦ୍ରାବାଦକୁ ଚାଲି ଆସିଥିଲେ। ସେମାନଙ୍କ ପ୍ରଥମ ସନ୍ତାନ କଳ୍ପନା ଜନ୍ମ ନେବାର ମାତ୍ର କିଛି ଦିନ ହୋଇଥିଲା।

କିନ୍ତୁ ସହର ସେମାନଙ୍କ ପ୍ରତି ନିଷ୍ଠୁର ଥିଲା। କୋଟିୟା ଯେତେବେଳେ କୌଣସି କାମ ପାଇଲେ ନାହିଁ, ସେ ଟଙ୍କା ରୋଜଗାର କରିବା ଲାଗି ହାତରେ ମଇଳା କାଢ଼ିବା କାମ କରିବାକୁ ନିଷ୍ପତ୍ତି ନେଲେ । ସେ ଜଳ ନିଷ୍କାସନ ଡ୍ରେନ ସଫା କରିବା ଆରମ୍ଭ କରିଦେଲେ।

ହାଇଦ୍ରାବାଦରେ, କୋଟିୟାଙ୍କର ପାରମ୍ପରିକ ବେଉସା କପଡ଼ା ସଫା କରିବା ସହ ଜଡ଼ିତ କୌଣସି କାମ ମିଳିଲା ନାହିଁ । ସେ ଚକାଲି ସମୁଦାୟର ଅଧିବାସୀ (ତେଲଙ୍ଗାନାରେ ଅନ୍ୟାନ୍ୟ ପଛୁଆ ବର୍ଗ ଭାବେ ତାଲିକାଭୁକ୍ତ) ଥିଲେ। ‘‘ଆମର ପୂର୍ବଜମାନେ କପଡ଼ା ସଫା ଓ ଇସ୍ତ୍ରୀ କରୁଥିଲେ। କିନ୍ତୁ ଏବେ ଆମ ପାଇଁ ପ୍ରାୟତଃ କିଛି କାମ ନାହିଁ; ଏବେ ସମସ୍ତଙ୍କ ପାଖରେ ନିଜର ୱାଶିଂମେସିନ ଓ ଆଇରନ ଅଛି,’’ ସେମାନଙ୍କ ପାଇଁ ଏବେ କାହିଁକି ସେତେଟା କାମ ମିଳୁନାହିଁ ସେ ସମ୍ପର୍କରେ ମାଙ୍ଗମ୍ମା କହିଥାନ୍ତି।

କୋଟିୟା ନିର୍ମାଣସ୍ଥଳୀରେ ଦିନ ମଜୁରିଆ ଭାବେ କାମ କରିବା ଆରମ୍ଭ କରିଥିଲେ। ‘‘ନିର୍ମାଣସ୍ଥଳୀଗୁଡ଼ିକ ସବୁବେଳେ ଘର ଠାରୁ ଦୂରରେ ରହୁଥିଲା ଏବଂ ତାଙ୍କୁ ବାଟ ଖର୍ଚ୍ଚ ଅଧିକ ପଡ଼ୁଥିଲା, ତେଣୁ ସେ ସବୁବେଳେ ଭାବୁଥିଲେ ହାତରେ ମଇଳା କାଢ଼ିବା କାମ ଭଲ କାରଣ ଏହା ଘର ପାଖରେ ମିଳିଯାଉଛି,’’ ମାଙ୍ଗମ୍ମା କୁହନ୍ତି। ସେ ଅନୁମାନ କରି କୁହନ୍ତି ଯେ ସପ୍ତାହକୁ ସେ ତିନି ଦିନ ଏହି କାମ କରୁଥିଲେ। ଏଥିରୁ ଦୈନିକ ୨୫୦ ଟଙ୍କା ମଜୁରି ପାଉଥିଲେ ।

ମାଙ୍ଗମ୍ମା ମେ ୨୦୧୬ର ସେହି ସକାଳ କଥା ମନେ ପକାଇଥାନ୍ତି ଯେତେବେଳେ କୋଟିୟା ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଘରୁ ବାହାରିଯାଇଥିଲେ । ସେ ତାଙ୍କ ପତ୍ନୀଙ୍କୁ କହିଥିଲେ ଯେ ସେ ଏକ ଟାଙ୍କି ସଫା କରିବାକୁ ଯାଉଛନ୍ତି ଏବଂ ଫେରିବା ବେଳକୁ ତାଙ୍କ ପାଇଁ ଘର ବାହାରେ ଏକ ପାଣି ବାଲଟି ରଖି ଦେବାକୁ ପତ୍ନୀଙ୍କୁ କହିଥିଲେ ଯାହାଫଳରେ ସନ୍ଧ୍ୟାରେ ଘରକୁ ଫେରିବା ପରେ ସେ ନିଜ ଶରୀରକୁ ଧୋଇ ସଫା କରିପାରିବେ । “ମୋ ସ୍ୱାମୀ ଜଣେ ସଫେଇକର୍ମୀକୁଲୁ (ମ୍ୟୁନିସପାଲର ସଫେଇ କର୍ମଚାରୀ) ନଥିଲେ। ଆମର ଟଙ୍କା ଦରକାର ଥିବାରୁ ସେ ଏହି କାମ କରୁଥିଲେ,’’ ମାଙ୍ଗମ୍ମା କୁହନ୍ତି ।

PHOTO • Amrutha Kosuru
PHOTO • Amrutha Kosuru

ବାମ : ହାଇଦ୍ରାବାଦର କୋଟିରେ ରହୁଥିବା ପଡ଼ାରେ ଗୁଡଲୁ ମାଙ୍ଗମ୍ମା। ଡାହାଣ : ତାଙ୍କ ଘର କାନ୍ଥରେ ତାଙ୍କ ସ୍ୱାମୀ ଗୁଡଲୁ କୋଟିୟାଙ୍କର ଏକ ଫଟୋ ଯିଏକି ମେ ପହିଲା , ୨୦୧୬ରେ ପ୍ରାଣ ହରାଇଥିଲେ। ନିଜ ସହଯୋଗୀଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କୁ ଏହି ଦଶା ଭୋଗିବାକୁ ପଡ଼ିଥିଲା

ପୁରୁଣା ସହରର ଏକ ଜନବହୁଳ ଇଲାକା ସୁଲତାନ ବଜାରରେ ସବୁବେଳେ ଡ୍ରେନ୍ ଭର୍ତ୍ତି ହୋଇଯାଉଥିଲା, ଏହାକୁ ସଫା କରିବା କାମରେ ସେଦିନ କୋଟିୟାଙ୍କୁ ଡକାଯାଇଥିଲା। ଏମିତି ଘଟିଲେ, ହାଇଦ୍ରାବାଦ ମହାନଗର ଜଳ ଯୋଗାଣ ଓ ବର୍ଜ୍ୟ ଜଳ ନିଷ୍କାସନ ବୋର୍ଡ  (ଏଚଏମଡବ୍ଲୁଏସଏସବି) ପକ୍ଷରୁ ହାତରେ ଡ୍ରେନ ସଫା କରିବା ଓ ଅଳିଆ ଅପସାରଣ କରିବା ଲାଗି ଶ୍ରମିକମାନଙ୍କୁ ନିଯୁକ୍ତ କରାଯାଇଥାଏ।

ଏମାନଙ୍କ ମଧ୍ୟରୁ ଜଣେ ଥିଲେ କୋଟିୟାଙ୍କ ସହଯୋଗୀ ଓ ବନ୍ଧୁ, ବୋଙ୍ଗୁ ବୀରା ସ୍ୱାମୀ ଯିଏକି ବିନା କୌଣସି ସୁରକ୍ଷା ଉପକରଣରେ ସେହି ମ୍ୟାନହୋଲ ମଧ୍ୟକୁ ପ୍ରବେଶ କରିଥିଲେ ଏବଂ କିଛି ମିନିଟ୍ ମଧ୍ୟରେ ସେ ଅଚେତ ହୋଇଗଲେ। କୋଟିୟା ତାଙ୍କ ସହିତ ସେତେବେଳେ କାମ କରୁଥିଲେ, ଅଚେତ ବୋଙ୍ଗୁଙ୍କୁ ବଞ୍ଚାଇବା ଲାଗି ସେ ମଧ୍ୟ ଭିତରକୁ ଡେଇଁ ପଡ଼ିଲେ । କିଛି ମିନିଟ୍ ପରେ କୋଟିୟା ମଧ୍ୟ ଚେତା ହରାଇଲେ।

ଏହି ଶ୍ରମିକମାନଙ୍କୁ ମାସ୍କ, ଗ୍ଲୋବ୍ସ ଓ ଅନ୍ୟ କୌଣସି ସୁରକ୍ଷା ଉପକରଣ ଦିଆଯାଉନଥିଲା ଏହି ଦୁଇ ବନ୍ଧୁଙ୍କ ମୃତ୍ୟୁ ସହିତ ନର୍ଦ୍ଦମା ସଫା କରିବାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ବଢ଼ିଥିଲା। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଅନୁଯାୟୀ ଦେଶ ବ୍ୟାପୀ ୧୯୯୩ ମସିହାରୁ ୨୦୨୨ ମସିହା ଏପ୍ରିଲ୍ ମାସ ମଧ୍ୟରେ ‘‘ବିପଦଜନକ ନର୍ଦ୍ଦମା ବା ସିୱର୍ ଏବଂ ସେଫଟିକ୍ ଟ୍ୟାଙ୍କ ପରିଷ୍କାର କରିବା ସମୟରେ ଦୁର୍ଘଟଣା ଯୋଗୁଁ ୯୭୧ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ।’’

ମାଙ୍ଗମ୍ମା ମନେ ପକାଇ କୁହନ୍ତି ଯେ, ଯେତେବେଳେ ସେ କୋଟିୟା ଏବଂ ବୀରା ସ୍ୱାମୀଙ୍କୁ ମୃତ୍ୟୁର କିଛି ଘଣ୍ଟା ପରେ ଦେଖିଲେ, “ସେହି ମ୍ୟାନହୋଲର ଦୁର୍ଗନ୍ଧ ତଥାପି ସେଠାରେ ଥିଲା।’’

ବିଡ଼ମ୍ବନାର ବିଷୟ ହେଉଛି ଗୁଡଲୁ କୋଟିୟା ମେ ପହିଲା, ୨୦୧୬ରେ ପ୍ରାଣ ହରାଇଥିଲେ । ସାରା ବିଶ୍ୱରେ ଏହି ଦିନକୁ ମେ ଡେ ଭାବେ ପାଳନ କରାଯାଇଥାଏ ଯାହାକି ଶ୍ରମିକମାନଙ୍କ ଅଧିକାର ପ୍ରତି ସମର୍ପିତ। ସେ କିମ୍ବା ତାଙ୍କର ପତ୍ନୀ ଜାଣିନଥିଲେ ଯେ ୧୯୯୩ ମସିହା ଠାରୁ ହାତରେ ମଇଳା କାଢ଼ିବା କାମକୁ ନିଷିଦ୍ଧ କରାଯାଇଛି । ହାତରେ ମଇଳା କାଢ଼ୁଥିବା ଶ୍ରମିକ ଭାବେ ନିୟୋଜନ ନିବାରଣ ଓ ସେମାନଙ୍କ ଥଇଥାନ ଆଇନ, ୨୦୧୩ ଅନୁଯାୟୀ ଏହା ଏକ ଦଣ୍ଡନୀୟ ଅପରାଧ। ଆଇନର ଉଲ୍ଲଙ୍ଘନ କଲେ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ କିମ୍ବା ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କିମ୍ବା ଉଭୟ ଦଣ୍ଡାଦେଶ ହୋଇପାରେ।

“ମୁଁ ଜାଣିନଥିଲି ଯେ ଏହା (ହାତରେ ମଇଳା କାଢ଼ିବା) ବେଆଇନ। ତାଙ୍କର ମୃତ୍ୟୁ ପରେ ମଧ୍ୟ, ମୋ ପରିବାର କ୍ଷତିପୂରଣ ପାଇବା ଲାଗି ଆଇନ ଅଛି ବୋଲି ମୁଁ ଜାଣିନଥିଲି,’’ ମାଙ୍ଗମ୍ମା କହିଥାନ୍ତି ।

PHOTO • Amrutha Kosuru
PHOTO • Amrutha Kosuru

ବାମ : ହାଇଦ୍ରାବାଦର କୋଟିରେ ଥିବା ମାଙ୍ଗମ୍ମାଙ୍କ ବର୍ତ୍ତମାନର ଘର ପ୍ରବେଶପଥ। ଡାହାଣ : କୋଟିୟାଙ୍କ ପରିବାର (ବାମରୁ) : ବଂଶୀ , ମାଙ୍ଗମ୍ମା ଓ ଅଖିଲା

କୋଟିୟାଙ୍କର ମୃତ୍ୟୁର କାରଣ ଜାଣିବା ପରେ ସମ୍ପର୍କୀୟମାନେ ମାଙ୍ଗମ୍ମାଙ୍କ ସହିତ ଏପରି ଖରାପ ବ୍ୟବହାର କରିବେ ବୋଲି ସେ କଳ୍ପନା କରିପାରିନଥିଲେ। “ଏପରିକି ସେମାନେ ମୋତେ ସମବେଦନା ଜଣାଇବାକୁ ଆସିଲେ ନାହିଁ, ଏହା ହିଁ ମୋତେ ବେଶୀ କଷ୍ଟ ଦେଇଥାଏ। ମୋ ସ୍ୱାମୀ ନଳା ସଫା କରିବା ସମୟରେ ପ୍ରାଣ ହରାଇଛନ୍ତି ବୋଲି ଜାଣିବା ପରେ ସେମାନେ ସମସ୍ତେ ମୋ ସହ ଓ ମୋ ପିଲାମାନଙ୍କ ସହିତ କଥା ହେବା ବନ୍ଦ କରି ଦେଇଥିଲେ,’’ ସେ କୁହନ୍ତି।

ତେଲୁଗୁ ଭାଷାରେ ହାତରେ ମଇଳା କାଢ଼ୁଥିବା ଲୋକମାନଙ୍କୁ ପାକି ( ମଇଳା ସଫେଇ କର୍ମୀ ) ବୋଲି କୁହାଯାଏ ଏବଂ ଏହି ଶବ୍ଦକୁ ଏକ ଗାଳି ଭାବେ ବ୍ୟବହାର କରାଯାଏ। ବୋଧହୁଏ ଏହି ପ୍ରକାର ସାମାଜିକ ଅପବାଦ ଭୟରେ ବୀରା ସ୍ୱାମୀ ଜୀବିକା ନିର୍ବାହ ପାଇଁ କେଉଁ କାମ କରୁଛନ୍ତି ସେ ସମ୍ପର୍କରେ ନିଜ ପତ୍ନୀଙ୍କୁ କିଛି କହିନଥିଲେ। “ମୁଁ ଜାଣିନଥିଲି ଯେ ସେ ହାତରେ ମଇଳା କାଢ଼ିବା କାମ କରୁଛନ୍ତି। ସେ ଏ ସମ୍ପର୍କରେ ମୋତେ କେବେ କହିନଥିଲେ,” ତାଙ୍କ ପତ୍ନୀ ବୋଙ୍ଗୁ ଭାଗ୍ୟଲକ୍ଷ୍ମୀ କହିଥାନ୍ତି । ସାତ ବର୍ଷ ହେବ ସେ ବୀରା ସ୍ୱାମୀଙ୍କୁ ବାହା ହୋଇଥିଲେ ଏବଂ ଏବେ ତାଙ୍କ କଥା ଭାରି ମନେ ପଡ଼ୁଛି, “ମୁଁ ସବୁବେଳେ ତାଙ୍କୁ ଭରସା କରିପାରୁଥିଲି”।

କୋଟିୟାଙ୍କ ଭଳି ବୀରା ସ୍ୱାମୀ ମଧ୍ୟ ହାଇଦ୍ରାବାଦରେ ଜଣେ ପ୍ରବାସୀ ଥିଲେ। ୨୦୦୭ରେ, ସେ ଓ ଭାଗ୍ୟଲକ୍ଷ୍ମୀ ତେଲଙ୍ଗାନାର ନାଗରକୁର୍ଣ୍ଣୁଲ ସହରରୁ ସେମାନଙ୍କର ଦୁଇ ପୁଅ ମାଧବ (୧୫ ବର୍ଷ) ଓ ଜଗଦୀଶ (୧୧ ବର୍ଷ) ଏବଂ ବୀରା ସ୍ୱାମୀଙ୍କ ମା’ ରାଜେଶ୍ୱରୀଙ୍କ ସହିତ ଏଠାକୁ ଆସିଥିଲେ। ଏହି ପରିବାର ରାଜ୍ୟରେ ଅନୁସୂଚିତ ଜାତି ଭାବେ ତାଲିକାଭୁକ୍ତ ମାଡ଼ିଗା ସମ୍ପ୍ରଦାୟର ଅଧିବାସୀ । “ଆମ ସମୁଦାୟ କରୁଥିବା ଏହି କାମ ମୋର ପସନ୍ଦ ନଥିଲା, ମୋତେ ବାହା ହେବା ପରେ ସେ ଏହି କାମ ଛାଡ଼ି ଦେଇଥିବେ ବୋଲି ମୁଁ ଭାବୁଥିଲି,’’ ସେ କହିଥାନ୍ତି ।

ମ୍ୟାନହୋଲରେ ପଡ଼ି ସେମାନଙ୍କ ସ୍ୱାମୀ ବିଷାକ୍ତ ବାଷ୍ପ ସଂସ୍ପର୍ଶରେ ପ୍ରାଣ ହରାଇବା ପରେ ମାଙ୍ଗମ୍ମା ଓ ଭାଗ୍ୟଲକ୍ଷ୍ମୀଙ୍କୁ ସେହି ଠିକାଦାରଙ୍କ ଠାରୁ ୨ ଲକ୍ଷ ଟଙ୍କା ଲେଖାଏଁ ଟଙ୍କା ମିଳିଥିଲା ଯିଏକି କୋଟିୟା ଏବଂ ବୀରାସ୍ୱାମୀଙ୍କୁ ଆଣି କାମରେ ଲଗାଇଥିଲା।

ଏହାର କିଛି ମାସ ପରେ, ଭାରତରେ ହାତରେ ମଇଳା କାଢ଼ିବା କାମ ଉନ୍ମୁଳନ ପାଇଁ କାର୍ଯ୍ୟ କରୁଥିବା ସଂଗଠନ - ସଫେଇ କର୍ମଚାରୀ ଆନ୍ଦୋଳନ (ଏସକେଏ) ପକ୍ଷରୁ ମାଙ୍ଗମ୍ମାଙ୍କ ସହିତ ଯୋଗାଯୋଗ କରାଯାଇଥିଲା ଏବଂ ତାଙ୍କୁ କୁହାଯାଇଥିଲା ଯେ ତାଙ୍କର ସ୍ୱାମୀ ହାତରେ ନଳା ସଫା କରୁଥିବା ସମୟରେ ପ୍ରାଣ ହରାଇଥିବାରୁ ତାଙ୍କ ପରିବାର ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ୟାକେଜ ପାଇବାକୁ ଯୋଗ୍ୟ। ୨୦୧୪ରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏକ ଆଦେଶରେ କ୍ଷତିପୂରଣ ନିର୍ଦ୍ଧାରଣ କରାଯାଇଥିଲା। ୧୯୯୩ ପରଠାରୁ  ସିୱର କିମ୍ବା ସେପ୍ଟିକ ଟାଙ୍କି ସଫା କରୁଥିବା ସମୟରେ ପ୍ରାଣ ହରାଇଥିବା ଲୋକଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ଅଦାଲତ ଆଦେଶ ଦେଇଥିଲେ। ଆହୁରି, ହାତରେ ମଇଳା ସଫା କରୁଥିବା ଶ୍ରମିକମାନଙ୍କୁ ଆତ୍ମ ନିଯୁକ୍ତି ଯୋଜନା ଅଧୀନରେ ଏହି ଶ୍ରମିକ ଓ ସେମାନଙ୍କ ପରିବାରବର୍ଗଙ୍କୁ ସରକାର ନଗଦ ସହାୟତା, ପୁଞ୍ଜି ସବସିଡି (୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ) ଏବଂ ଦକ୍ଷତା ବିକାଶ ତାଲିମ ଯୋଗାଇ ଦେଇଥାନ୍ତି ।

ତେଲଙ୍ଗାନା ଉଚ୍ଚ ନ୍ୟାୟାଳୟରେ ଏସକେଏ ପକ୍ଷରୁ ଏକ ମାମଲା ଦାୟର ହେବା ପରେ, ହାତରେ ମଇଳା ସଫା କରୁଥିବା ୯ଟି ଶ୍ରମିକ ପରିବାରକୁ ସମ୍ପୂର୍ଣ୍ଣ କ୍ଷତିପୂରଣ ୨୦୨୦ରେ ମିଳିଲା କିନ୍ତୁ କେବଳ କୋଟିୟା ଓ ବୀରା ସ୍ୱାମୀଙ୍କ ପରିବାରକୁ ମିଳିଲା ନାହିଁ । ଏସକେଏର ତେଲଙ୍ଗାନା ଶାଖା ସଭାପତି କେ. ସରସ୍ୱତୀ କୁହନ୍ତି, ଏହି ମାମଲାକୁ ଆଗକୁ ବଢ଼ାଇବା ଲାଗି ସେମାନେ ଓକିଲଙ୍କ ସହିତ ପରାମର୍ଶ କରୁଛନ୍ତି ।

PHOTO • Amrutha Kosuru
PHOTO • Amrutha Kosuru

ବାମ : ଭାଗ୍ୟଲକ୍ଷ୍ମୀ ଓ ତାଙ୍କର ଶାଶୂ ରାଜେଶ୍ୱରୀ ଭାଗ୍ୟଲକ୍ଷ୍ମୀଙ୍କ ସ୍ୱାମୀ , ବୋଙ୍ଗୁ ବୀରାସ୍ୱାମୀଙ୍କର ଏକ ଫଟୋ ରହିଛି , ଯେଉଁଥିରେ ସେ କୋଟିୟାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି

କିନ୍ତୁ ମାଙ୍ଗମ୍ମା ଏଥିରେ ସନ୍ତୁଷ୍ଟ ନୁହନ୍ତି ଏବଂ ସେ କୁହନ୍ତି : “ମୁଁ ଠକାମିରେ ପଡ଼ିଥିବା ଭଳି ଅନୁଭବ କରୁଛି । ମୋତେ ଟଙ୍କା ପାଇଁ ଆଶା ଦିଆଗଲା ଏବଂ ଏବେ ସେହି ଆଶା ମୋର ଧୂଳିସାତ ହୋଇଯାଇଛି।”

ଭାଗ୍ୟଲକ୍ଷ୍ମୀ କୁହନ୍ତି, “ଅନେକ ସାମାଜିକ କର୍ମୀ, ଆଇନଜୀବୀ, ଗଣମାଧ୍ୟମ କର୍ମୀ ଆମ ପାଖକୁ ଆସିଥିଲେ। କିଛି ସମୟ ପାଇଁ ମୋ ମନରେ ଆଶା ଜନ୍ମିଥିଲା। ଏବେ, ଟଙ୍କା ମିଳିବ ବୋଲି ମୋର ଆଶା ନାହିଁ ।”

*****

ଚଳିତ ବର୍ଷ ଅକ୍ଟୋବର ମାସର ଶେଷ ଭାଗରେ ଏକ ସକାଳେ, ହାଇଦ୍ରାବାଦର କୋଟି ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟ ପ୍ରବେଶ ପଥରେ ମାଙ୍ଗମ୍ମା ଏକ କଟ୍ଟେଲା ପୋୟୀ (ଅସ୍ଥାୟୀ ଚୁଲି) ତିଆରି କରୁଥିଲେ। ହାତରେ ଛଅଟି ଇଟା ଧରି, ସେ ଗୋଟିଏ ଉପରେ ଆଉ ଗୋଟିଏକୁ ଥାକ କରି ତିନି କୋଣିଆ ଭାବେ ସେସବୁକୁ ରଖୁଥିଲେ। ‘‘ଗତକାଲି ଆମର ଗ୍ୟାସ୍ (ଏଲପିଜି) ଶେଷ ହୋଇଯାଇଛି। ନଭେମ୍ବର ପ୍ରଥମ ସପ୍ତାହରେ ଗୋଟିଏ ନୂଆ ସିଲିଣ୍ଡର ଆସିବ। ସେ ପର୍ଯ୍ୟନ୍ତ, କଟ୍ଟେଲା ପୋୟୀରେ ସେ ରୋଷେଇ କରିବେ,‘‘ସେ କୁହନ୍ତି । ‘‘ମୋ ସ୍ୱାମୀ ମୃତ୍ୟୁବରଣ କରିବା ପରେ ଆମ ଅବସ୍ଥା ଏପରି ଚାଲିଛି।’’

କୋଟିୟାଙ୍କ ମୃତ୍ୟୁକୁ ଛଅ ବର୍ଷ ବିତିଗଲାଣି, କିନ୍ତୁ ୩୦ ବର୍ଷ ପାଖାପାଖି ବୟସରେ ପହଞ୍ଚିଥିବା ମାଙ୍ଗମ୍ମା ଏବେ ବି ତାଙ୍କୁ ବହୁତ ମନେ ପକାନ୍ତି । “ମୋ ସ୍ୱାମୀଙ୍କ ମୃତ୍ୟୁ ପରେ, ମୋତେ ସବୁଠୁ ଅଧିକ ସମୟ ତାଙ୍କର ଶୂନ୍ୟସ୍ଥାନ ଅନୁଭବ ହୋଇଥିଲା। ମୁଁ ମୋ ସର୍ବସ୍ୱ ହରାଇଥିଲି ।”

ମାଙ୍ଗମ୍ମା ଓ ତାଙ୍କର ଦୁଇ ସାନ ପିଲା ବଂଶୀ ଓ ଅଖିଲା ହାଇଦ୍ରାବାଦର କୋଟିରେ ଥିବା ଏକ ବହୁତଳ ବିଶିଷ୍ଟ କୋଠାର ଶିଢ଼ି ପାଖରେ ଥିବା ଛୋଟିଆ କୋଠରୀରେ ରହୁଛନ୍ତି । ପୂର୍ବରୁ ସେମାନେ ଯେଉଁ ସ୍ଥାନରେ ରହୁଥିଲେ ସେଠାରେ ମାସକୁ ୫,୦୦୦-୭,୦୦୦ ଟଙ୍କା ଭଡ଼ା ଦେବା ସେମାନଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଲା, ତେଣୁ ୨୦୨୦ ପରଠାରୁ ଏହି ପରିବାର ଏଠାରେ ଆସି ରହୁଛନ୍ତି । ମାଙ୍ଗମ୍ମା ଆପାର୍ଟମେଣ୍ଟର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରନ୍ତି ଏବଂ ଏହି ପାଞ୍ଚ ମହଲା ବିଶିଷ୍ଟ ଅଟ୍ଟାଳିକା ପରିସରକୁ ସଫା ରଖିଥାନ୍ତି । ଏଥିପାଇଁ ତାଙ୍କୁ ୫,୦୦୦ ଟଙ୍କା ଏବଂ ଏଠାରେ ରହିବାକୁ ଜାଗା ମିଳୁଛି ।

“ଏହି ସ୍ଥାନ ଆମ ତିନି ଜଣଙ୍କ ରହିବା ପାଇଁ ଯଥେଷ୍ଟ ନୁହେଁ,” ସେ କୁହନ୍ତି । ସେମାନଙ୍କର ବଖୁରିକିଆ ଘର ଅକ୍ଟୋବରର ଉଜ୍ଜ୍ୱଳ ସକାଳରେ ମଧ୍ୟ ଅନ୍ଧାରୁଆ ଲାଗିଥାଏ। ରଙ୍ଗ ଛାଡ଼ି ଯାଇଥିବା କାନ୍ଥରେ କୋଟିୟାଙ୍କ ଫଟୋ ରହିଛି; ପଙ୍ଖାଟିଏ ତଳୁଆ ସିଲିଂରେ ଝୁଲୁଛି । “ମୁଁ କଳ୍ପନା (ବଡ଼ ଝିଅ)କୁ ଆଉ ଏଠାକୁ ଡାକୁ ନାହିଁ। ସେ କେଉଁଠି ରହିବ ବା ଅତିକମ୍‌ରେ ବସିବ?,” ସେ ପ୍ରଶ୍ନ କରନ୍ତି ।

PHOTO • Amrutha Kosuru
PHOTO • Amrutha Kosuru

ବାମ : ବେସମେଣ୍ଟରେ ଥିବା ମାଙ୍ଗମ୍ମାଙ୍କ ଘର। ଡାହାଣ : ଏଲପିଜି ସିଲିଣ୍ଡର ଶେଷ ହୋଇଯିବା ପରେ କୋଠାର ପାର୍କିଂ ଅଞ୍ଚଳରେ ସେ ଏକ ଇଟା ଚୁଲି ତିଆରି କରୁଛନ୍ତି

୨୦୨୦ରେ କଳ୍ପନାଙ୍କୁ ଯେତେବେଳେ ୨୦ ବର୍ଷ ହୋଇଥିଲା, ମାଙ୍ଗମ୍ମା ତାଙ୍କ ବାହାଘର କରିବାକୁ ନିଷ୍ପତ୍ତି ନେଲେ। ଠିକାଦାର ଠାରୁ ମିଳିଥିବା ୨ ଲକ୍ଷ ଟଙ୍କା ସେ ଏଥିରେ ଖର୍ଚ୍ଚ କଲେ। ସେ ମଧ୍ୟ ହାଇଦ୍ରାବାଦର ପୁରୁଣା ସହର ଗୋଶାମହଲରେ ଥିବା ଜଣେ ଘରୋଇ ସାହୁକାରଠାରୁ ଟଙ୍କା ଉଧାର ଆଣିଥିଲେ। ମାସକୁ ସେ ତିନି ପ୍ରତିଶତ ସୁଧ ନେଉଛନ୍ତି । ବିଧାନସଭା ନିର୍ବାଚନ ମଣ୍ଡଳୀ କାର୍ଯ୍ୟାଳୟରେ ଜଣେ ଝାଡ଼ୁଦାର ଭାବେ କାମ କରି ଯାହା ରୋଜଗାର କରିଥାନ୍ତି ସେଥିରୁ ଅଧା ଟଙ୍କା ଋଣ ସୁଝିବାରେ ଯାଏ।

ଏହି ବାହାଘର ପରିବାରକୁ ଦେବାଳିଆ କରି ଦେଇଛି । “ଏବେ ଆମ ଉପରେ ଛଅ ଲକ୍ଷ ଟଙ୍କାର ଋଣ ବୋଝ ରହିଛି। ମୋ ରୋଜଗାର ଆମର ଦୈନନ୍ଦିନ ଖର୍ଚ୍ଚ ମେଣ୍ଟାଇବାକୁ ଯଥେଷ୍ଟ ହେଉନାହିଁ,” ସେ କହିଥାନ୍ତି । ଆପାର୍ଟମେଣ୍ଟ ସଫା କରିବାରୁ ତାଙ୍କୁ ଯେତିକି ଟଙ୍କା ମିଳୁଥିଲା, ତା’ଛଡ଼ା ସେ ହାଇଦ୍ରାବାଦର ପୁରୁଣା ସହରରେ ଥିବା ଗୋଶାମହଲ ବିଧାନସଭା ନିର୍ବାଚନ ମଣ୍ଡଳୀ କାର୍ଯ୍ୟାଳୟରେ ଜଣେ ସଫେଇକର୍ମୀ ଭାବେ କାମ କରି ମାସିକ ୧୩,୦୦୦ ଟଙ୍କା ରୋଜଗାର କରିଥାନ୍ତି ।

ବଂଶୀ ଓ ଅଖିଲା, ୧୭ ଓ ୧୬ ବର୍ଷ, କଲେଜରେ ପାଠ ପଢ଼ୁଛନ୍ତି। ସେମାନଙ୍କ ଶିକ୍ଷା ପାଇଁ ବାର୍ଷିକ ୬୦,୦୦୦ ଟଙ୍କା ଖର୍ଚ୍ଚ ହୋଇଥାଏ। ବଂଶୀ, ସେମାନଙ୍କ ୧୭ ବର୍ଷ ବୟସ୍କ ପୁଅ କଲେଜରେ ରହିବାକୁ ସଫଳ ହୋଇଛନ୍ତି କାରଣ ତାଙ୍କୁ ଜଣେ ଆକାଉଣ୍ଟାଣ୍ଟ ଭାବେ ପାର୍ଟ ଟାଇମ କାମ ମିଳିଯାଇଛି । ସେ ଅପରାହ୍ଣ ୩-୯ଟା ପର୍ଯ୍ୟନ୍ତ କାମ କରି ଦିନକୁ ୧୫୦ ଟଙ୍କା ରୋଜଗାର କରନ୍ତି । ସପ୍ତାହକୁ ଛଅ ଦିନ କାମ କଲେ ତାଙ୍କର କଲେଜ ଫି’ ମିଳିଯାଏ।

ଅଖିଲାଙ୍କର ଡାକ୍ତରୀ ପଢ଼ିବାକୁ ଇଚ୍ଛା ରହିଛି, କିନ୍ତୁ ତାଙ୍କ ଭବିଷ୍ୟତକୁ ନେଇ ମା’ ସନ୍ଦିହାନ । “ତାର ପାଠପଢ଼ା ଜାରି ରଖିବା ପାଇଁ ମୋ ପାଖରେ ସମ୍ବଳ ନାହିଁ । ମୁଁ ତା’ ପାଇଁ ନୂଆ ପୋଷାକ ସୁଦ୍ଧା କିଣିପାରୁନାହିଁ,” ମାଙ୍ଗମ୍ମା ନିରାଶ ହୋଇ କହିଥାନ୍ତି ।

ଭାଗ୍ୟଲକ୍ଷ୍ମୀଙ୍କ ପିଲାମାନେ ଛୋଟ ଅଛନ୍ତି; ସେମାନେ ଘରୋଇ ସ୍କୁଲରେ ପାଠପଢ଼ନ୍ତି ଏଥିପାଇଁ ବର୍ଷକୁ ୨୫,୦୦୦ ଟଙ୍କା ଦେବାକୁ ପଡ଼ିଥାଏ। “ସେମାନେ ଦୁହେଁ ମେଧାବୀ ଛାତ୍ର। ମୁଁ ସେମାନଙ୍କୁ ନେଇ ଗର୍ବିତ,” ସେମାନଙ୍କ ଉତ୍ସାହୀ ମା’ କୁହନ୍ତି ।

PHOTO • Amrutha Kosuru
PHOTO • Amrutha Kosuru

ବାମ : ବୀରା ସ୍ୱାମୀଙ୍କ ପରିବାର ( ବାମରୁ ) : ଭାଗ୍ୟଲକ୍ଷ୍ମୀ , ଜଗଦୀଶ , ମାଧବ ଓ ରାଜେଶ୍ୱରୀ ହାଇଦ୍ରାବାଦର କୋଟିସ୍ଥିତ ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସର ବେସମେଣ୍ଟରେ ସେମାନଙ୍କ ଘର ରହିଛି

PHOTO • Amrutha Kosuru
PHOTO • Amrutha Kosuru

ବାମ : ଭାଗ୍ୟଲକ୍ଷ୍ମୀଙ୍କ ପରିବାରର ଅଧିକାଂଶ ଜିନିଷପତ୍ର ଆପାର୍ଟମେଣ୍ଟ କମ୍ପ୍ଲେକ୍ସର ପାର୍କିଂ ସ୍ଥାନରେ ପଡ଼ିଛି ।  ଡାହାଣ : ପରିବାର ଲୋକଙ୍କ ରୋଷେଇ ଘର , ଯାହାକୁ ଏକ ପ୍ଲାଷ୍ଟିକ ଚଦରରେ ଘୋଡ଼େଇ ଦିଆଯାଇଛି

ଭାଗ୍ୟଲକ୍ଷ୍ମୀ ମଧ୍ୟ ଜଣେ ଝାଡ଼ୁଦାର ଭାବେ କାମ କରନ୍ତି । ବୀରା ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଏହି କାମ କରୁଛନ୍ତି । ସେ ତାଙ୍କ ପୁଅ ଓ ଶାଶୂଙ୍କ ସହିତ କୋଟିର ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସର ବେସମେଣ୍ଟରେ ଥିବା ଏକ ଲମ୍ବା କୋଠରୀରେ ରହୁଛନ୍ତି । ବୀରାସ୍ୱାମୀଙ୍କ ଫଟୋ ଘର ଭିତରେ ଏକ ଟେବୁଲ ଉପରେ ଥୁଆ ହୋଇଛି । ସେମାନଙ୍କ ଘର ବିଭିନ୍ନ ସାମଗ୍ରୀରେ ଭର୍ତ୍ତି ହୋଇ ରହିଛି, ଏଥିମଧ୍ୟରୁ ଅଧିକାଂଶ ଅନ୍ୟମାନଙ୍କ ଦାନ ସୂତ୍ରରେ କିମ୍ବା ଅନ୍ୟମାନେ ଫିଙ୍ଗି ଦେବା ପରେ ମିଳିଛି ।

ଘର ଭିତରେ ସ୍ଥାନାଭାବ କାରଣରୁ, ପରିବାର ଲୋକଙ୍କ କିଛି ସାମଗ୍ରୀ ସେମାନଙ୍କ କୋଠରୀ ବାହାରେ, ପାର୍କିଂ ସ୍ଥାନର ଗୋଟିଏ କୋଣରେ ପଡ଼ିଛି । ଗଦା ହୋଇଥିବା କମ୍ବଳ ଓ ପୋଷାକ ଉପରେ ଏକ ସିଲେଇ ମେସିନ ଥୁଆ ହୋଇଛି । ଭାଗ୍ୟଲକ୍ଷ୍ମୀ ଏହାର ଉପସ୍ଥିତିକୁ ବର୍ଣ୍ଣନା କରୁଛନ୍ତି : ‘‘୨୦୧୪ରେ ମୁଁ ଟେଲରିଂ ତାଲିମ ପାଠ୍ୟକ୍ରମରେ ନାମ ଲେଖାଇଥିଲି ଏବଂ କିଛି ଦିନ ପାଇଁ ବ୍ଲାଉଜ ଓ ଅନ୍ୟାନ୍ୟ ସାମଗ୍ରୀ ସିଲେଇ କରୁଥିଲି।’’ ଘର ଭିତରେ ସମସ୍ତଙ୍କ ଶୋଇବା ପାଇଁ ଯଥେଷ୍ଟ ସ୍ଥାନ ନଥିବାରୁ ଦୁଇ ପୁଅ, ମାଧବ ଓ ଜଗଦୀଶ ଘରେ ଶୋଇବା ପରେ ଆଉ ସ୍ଥାନ ମିଳେ ନାହିଁ। କୋଠାର ଆଉ ଏକ ଭାଗରେ ରୋଷେଇ ଘର ଅଛି । ଏହା ଏକ ଛୋଟିଆ ଏବଂ ଅଳ୍ପ ଆଲୋକ ଆସୁଥିବା ସ୍ଥାନ, ଯାହାକୁ ପ୍ଲାଷ୍ଟିକ ଚାଦରରେ ଘେରାଯାଇଛି।

ଆପାର୍ଟମେଣ୍ଟ ପରିସର ସଫା କରି ଭାଗ୍ୟଲକ୍ଷ୍ମୀ ମାସିକ ୫,୦୦୦ ଟଙ୍କା ରୋଜଗାର କରିଥାନ୍ତି। ‘‘ମୁଁ (ମଧ୍ୟ) ଆପାର୍ଟମେଣ୍ଟରେ ଅନ୍ୟ କାମ ନେଇଥାଏ ଯାହାଫଳରେ ମୁଁ ମୋର ପୁଅମାନଙ୍କୁ ସେମାନଙ୍କ ସ୍କୁଲ କାମରେ ସାହାଯ୍ୟ କରିପାରିବି।’’ ସେ କୁହନ୍ତି ଯେ ଅନେକ ବର୍ଷ ଧରି ସେ ସାହୁକାରଙ୍କଠାରୁ ୪ ଲକ୍ଷ ଟଙ୍କାର ଋଣ ନେଇଛନ୍ତି । ‘‘ଋଣ ସୁଝିବା ପାଇଁ ପ୍ରତି ମାସରେ ମୋତେ ୮,୦୦୦ ଟଙ୍କା ଦେବାକୁ ପଡ଼ିଥାଏ।’’

ଏହି ପରିବାର ଅନ୍ୟ କର୍ମଚାରୀଙ୍କ ସହିତ କୋଠାର ତଳମହଲାର ବ୍ୟବସାୟିକ ବିଭାଗରେ ରହିଥିବା ଏକ ଶୌଚାଳୟ ଉପଯୋଗ କରିଥାଏ । “କିନ୍ତୁ ଆମେ ଦିନ ବେଳା ଏହାକୁ ଖୁବ୍ କମ୍‌ ବ୍ୟବହାର କରିଥାଉ। ପୁରୁଷମାନେ ବାରମ୍ବାର ଯିବା ଆସିବା କରିଥାନ୍ତି,” ସେ କୁହନ୍ତି । ଯେଉଁଦିନ ସେ ଗାଧୁଆ ଘର ସଫା କରିବାକୁ ଯାଆନ୍ତି, “ସବୁବେଳେ ମୋର ସେହି ମରଣଯନ୍ତା ମ୍ୟାନହୋଲ କଥା ମନେ ପଡ଼ିଥାଏ ଯାହା ମୋ ସ୍ୱାମୀଙ୍କ ପ୍ରାଣ ନେଇଥିଲା। ହୁଏତ’ ମୁଁ ତାଙ୍କୁ କାମକୁ ଯିବାକୁ ଦେଇନଥାନ୍ତି ଏବଂ ଆଜି ସେ ବଞ୍ଚିଥାନ୍ତେ, ଆଉ ଆମକୁ ଏମିତି ବେସମେଣ୍ଟ ତଳେ ଫସି ରହିବାକୁ ପଡ଼ିନଥାନ୍ତା।”

ରଙ୍ଗ ଦେ ପକ୍ଷରୁ ପ୍ରାପ୍ତ ଫେଲୋଶିପ ଅନୁଦାନରେ ଏ କାହାଣୀ ପ୍ରସ୍ତୁତ ହୋଇଛି।

ଅନୁବାଦ: ଓଡ଼ିଶାଲାଇଭ୍‍

Amrutha Kosuru

ଅମୃତା କୋସୁରୁ ବିଶାଖାପାଟଣାରେ ଅବସ୍ଥିତ ଜଣେ ସ୍ଵତନ୍ତ୍ର ସାମ୍ବାଦିକ। ସେ ଏସିଆନ କଲେଜ ଅଫ ଜର୍ଣ୍ଣାଲିଜିମ୍, ଚେନ୍ନାଇରୁ ସ୍ନାତକ କରିଛନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Amrutha Kosuru
Editor : Priti David

ପ୍ରୀତି ଡେଭିଡ୍‌ ପରୀର କାର୍ଯ୍ୟନିର୍ବାହୀ ସମ୍ପାଦିକା। ସେ ଜଣେ ସାମ୍ବାଦିକା ଓ ଶିକ୍ଷୟିତ୍ରୀ, ସେ ପରୀର ଶିକ୍ଷା ବିଭାଗର ମୁଖ୍ୟ ଅଛନ୍ତି ଏବଂ ଗ୍ରାମୀଣ ପ୍ରସଙ୍ଗଗୁଡ଼ିକୁ ପାଠ୍ୟକ୍ରମ ଓ ଶ୍ରେଣୀଗୃହକୁ ଆଣିବା ଲାଗି ସ୍କୁଲ ଓ କଲେଜ ସହିତ କାର୍ଯ୍ୟ କରିଥାନ୍ତି ତଥା ଆମ ସମୟର ପ୍ରସଙ୍ଗଗୁଡ଼ିକର ଦସ୍ତାବିଜ ପ୍ରସ୍ତୁତ କରିବା ଲାଗି ଯୁବପିଢ଼ିଙ୍କ ସହ ମିଶି କାମ କରୁଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Priti David
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE