‘‘ଏଠାରେ ଆମ ପୂର୍ବଜମାନଙ୍କର ଆତ୍ମା ରହିଥାଏ,’’ ନିଜ ରୋଷେଇ ଘର ମଝିରେ ଏକ ମୋଟା ମାଟି ଆଧାର ଆଡ଼କୁ ଇସାରା କରି ମୋଞ୍ଜିତ ରିସଙ୍ଗ କହିଥାନ୍ତି, ଯେଉଁଠି ଛାତ, କାନ୍ଥ ଓ ଚଟାଣ ସବୁକିଛି ବାଉଁଶରେ ତିଆରି ହୋଇଛି।

ଧୂସର ହଳଦିଆ ରଙ୍ଗର ଏହି ଆୟତାକାର ଢାଞ୍ଚା ଗୋଟିଏ ଫୁଟ ଉଚ୍ଚା ଏବଂ ଏହାର ଉପରେ ଜାଳେଣି କାଠ ଥାକ କରି ଥୁଆ ହୋଇଛି; ଏହି ସ୍ଥାନରେ ରୋଷେଇ ହୋଇଥାଏ। ‘‘ଏହାକୁ ମାରୋମ କୁହାଯାଏ ଏବଂ ଏହା ଆମର ପୂଜା ଘର। ମିସିଂ ସମୁଦାୟ ପାଇଁ ଏହା ସବୁକିଛି,’’ ସେ କୁହନ୍ତି।

ମୋଞ୍ଜିତ ଓ ତାଙ୍କ ପତ୍ନୀ ନୟନମୋଣୀ ରିସଙ୍ଗ ଆଜି ରାତିର ଭୋଜି ଆୟୋଜନ କରୁଛନ୍ତି ଯେଉଁଥିରେ ରହିଛି ପାରମ୍ପରିକ ମିସିଂ ବ୍ୟଞ୍ଜନରେ ପ୍ରସ୍ତୁତ ଏକ ଥାଳି। ମିସିଂ ସମୁଦାୟ (ଆସାମରେ ଅନୁସୂଚୀତ ଜନଜାତି ଭାବେ ତାଲିକାଭୁକ୍ତ)ର ଏହି ଦମ୍ପତି ମିଶି ‘ରିସଙ୍ଗସ୍‌ କିଚେନ୍‌’ ରିସଙ୍ଗଙ୍କ ରୋଷେଇ ଘର ଚଳାଇଥାନ୍ତି ଯାହାକି ଆସାମର ମାଜୁଲି ନଦୀ ଦ୍ୱୀପରେ ଥିବା ଗାରାମୁର ସହର ସ୍ଥିତ ସେମାନଙ୍କ ଘରେ ଅବସ୍ଥିତ।

ବ୍ରହ୍ମପୁତ୍ର ନଦୀ ଗର୍ଭରେ ଥିବା ମାଜୁଲି ହେଉଛି ଭାରତର ସର୍ବବୃହତ ନଦୀ ଦ୍ୱୀପ ଏବଂ ଏହାର କ୍ଷେତ୍ରଫଳ ପ୍ରାୟ ୩୫୨ ବର୍ଗ କିଲୋମିଟର। ଏହାର ସ୍ଥଳଭାଗ ଚମକୁଥିବା ସବୁଜ ଧାନ କ୍ଷେତ, ଛୋଟ ହ୍ରଦ, ଜଙ୍ଗଲି ବାଉଁଶ ଏବଂ ଦଳ ପ୍ରଜାତିର ଉଦ୍ଭିଦରେ ପୂରି ରହିଛି। ଲଗାଣ ମୌସୁମୀ ବର୍ଷା ଏବଂ ଏହାପରେ ଆସୁଥିବା ବନ୍ୟା ମୁକାବିଲା କରିବା ଲାଗି କାଠ ଖୁଣ୍ଟ ଥିବା ମଞ୍ଚା ଉପରେ ଘରଗୁଡ଼ିକୁ ନିର୍ମାଣ କରାଯାଇଛି। ସାରସ, କିଙ୍ଗଫିସର ଏବଂ ବାଇଗଣୀ ମୁରହେନ ଭଳି ବିଦେଶୀ ପକ୍ଷୀଙ୍କ ଆଗମନ ପାଇଁ ଏହି ଦ୍ୱୀପର ପ୍ରସିଦ୍ଧି ରହିଛି। ତେଣୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଜିଲ୍ଲାକୁ ପ୍ରତିବର୍ଷ ସାରା ବିଶ୍ୱରୁ ବହୁସଂଖ୍ୟକ ପର୍ଯ୍ୟଟକ ବୁଲି ଆସିବା ଆଦୌ ଆଶ୍ଚର୍ଯ୍ୟର ବିଷୟ ନୁହେଁ।

Monjit and his wife, Nayanmoni Risong, sitting next to the marom . The parap is the scaffolding on top of the marom that is used to store wood and dried fish during the monsoons
PHOTO • Vishaka George

ମୋଞ୍ଜିତ ଏବଂ ତାଙ୍କ ପତ୍ନୀ ନୟନମୋଣୀ ରିସଙ୍ଗ ମରୋମ ପାଖରେ ବସିଛନ୍ତି। ମରୋମ ଉପରେ ଏକ କାଠର ଥାକ ବା ଆଟୁ ଭଳି ରହିଥାଏ ଯାହାକୁ ପରପ କୁହାଯାଏ। ବର୍ଷା ଋତୁରେ ଏଥିରେ ଶୁଖିଲା କାଠ ଏବଂ ଶୁଖୁଆ ସଂରକ୍ଷିତ ରଖାଯାଇଥାଏ

Majuli's paddy fields rely on the waters of the Brahmaputra
PHOTO • Vishaka George

ମାଜୁଲିର ଧାନ କ୍ଷେତଗୁଡ଼ିକ ବ୍ରହ୍ମପୁତ୍ର ନଦୀ ଜଳ ଉପରେ ନିର୍ଭର କରିଥାନ୍ତି

ଆଉ ମୋଞ୍ଜିତ (୪୩) ଏବଂ ନୟନମୋଣୀ (୩୫)ଙ୍କ ଜୀବିକା ପର୍ଯ୍ୟଟନ ଉପରେ ନିର୍ଭରଶୀଳ। ସେମାନେ ସ୍ଥାନୀୟ ଅଞ୍ଚଳରେ ତିନୋଟି ହୋମଷ୍ଟେ’ ବା ପର୍ଯ୍ୟଟକ ରହଣି କେନ୍ଦ୍ର ପରିଚାଳନାରେ ସହାୟତା କରିଥାନ୍ତି, ସେଗୁଡ଼ିକ ହେଲା – ରିସିଂ, ଲା ମେସନ ଡି ଆନନ୍ଦ ଏବଂ ଏନଚାଣ୍ଟେଡ ମାଜୁଲି। ‘ରିସଂଙ୍କ ରୋଷେଇ ଘରେ’ ବାଉଁଶ କାନ୍ଥରେ ଟଙ୍ଗା ହୋଇଥିବା ଏକ ଫ୍ରେମରେ ସାରା ବିଶ୍ୱର ମୁଦ୍ରାଗୁଡ଼ିକ ରହିଛି।

ରିସଙ୍ଗଙ୍କ ଭୋଜନାଳୟରେ ଖାଇବା ଏକ ତଲ୍ଲୀନ ଅନୁଭବ ଦେଇଥାଏ, ଯେଉଁଠି ରୋଷେଇ ଘର ଏବଂ ଖାଇବା ସ୍ଥାନରେ ଥିବା ବାଧାଗୁଡ଼ିକୁ ହଟାଇ ଦିଆଯାଇଛି। ମରୋମ ଚାରିପାଖରେ ଆଲୋଚନା ଚାଲିଥାଏ, ଯେଉଁଠି ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରାଯାଏ। କାଠଚୁଲିର ଧୂଆଁ ସତ୍ତ୍ୱେ, ଭଲ ଭାବେ ବାୟୁ ଚଳାଚଳ କରୁଥିବା ରୋଷେଇ ଘର ଭିତରେ କେବେ ବି ଅଣନିଃଶ୍ୱାସୀ ଲାଗେ ନାହିଁ।

ନୟନମୋଣୀ ରାତ୍ରି ଭୋଜନ ପାଇଁ ମାଛର ମୋଟା ଖଣ୍ଡଗୁଡ଼ିକୁ ଏକାଠି କରିବା ସହିତ କୁକୁଡ଼ା ମାଂସ, ସତେଜ କୋଚିଆ ମାଛ, ସବୁଜ ପନିପରିବା, ବାଇଗଣ, ଆଳୁ କାଟିବା ଏବଂ ଭାତ ପାଇଁ ଚାଉଳ ପ୍ରସ୍ତୁତ କରିଥାନ୍ତି। ସେ କୁହନ୍ତି ଯେ, ‘‘ଆମେ ମିସିଂ ଲୋକମାନେ ନିଜ ରୋଷେଇରେ ଅଦା, ପିଆଜ ଓ ରସୁଣ ଭଳି ପ୍ରଚୁର ପରିମାଣରେ କଞ୍ଚା ମସଲା ଉପଯୋଗ କରିଥାଉ। ଆମେ ବେଶି ମସଲା ଖାଇନଥାଉ। ଆମେ ମଧ୍ୟ ନିଜ ଖାଦ୍ୟକୁ ବାମ୍ଫ ଦେଇ ଫୁଟାଇ ଥାଉ।’’

କିଛି ମିନିଟ୍‌ ମଧ୍ୟରେ, ସେ ଗ୍ରାଇଣ୍ଡରରେ କିଛି ଖାଦ୍ୟ ସାମଗ୍ରୀକୁ ବାଟନ୍ତି ଏବଂ ତା’ପରେ ଅନ୍ୟ କିଛି ସାମଗ୍ରୀକୁ କାଠଚୁଲି ଉପରେ ଥିବା କଡ଼େଇରେ ଭାଜନ୍ତି। ରୋଷେଇ ଘର ଧୀରେ ଧୀରେ ବିଭିନ୍ନ ପ୍ରକାର ଜଡ଼ିବୁଟି ଓ ମସଲାର ବାସ୍ନାରେ ପୂରି ଉଠିଥାଏ ଯାହାକୁ ସେ ସତର୍କତା ପୂର୍ବକ ସମ୍ଭାଳିଥାନ୍ତି।

ରୋଷେଇ ଚାଲିଥିବା ସମୟରେ, ଅପୋଙ୍ଗ ପାନୀୟ ପିତ୍ତଳ ପାତ୍ରରେ ଆସିଥାଏ। ମିସିଂର ଏକ ପାରମ୍ପରିକ ପାନୀୟ (ଦେଶୀ ମଦ) ଭାବେ ପରିଚିତ ଅପୋଙ୍ଗ ହାଲୁକା ମସଲା ସ୍ୱାଦ ସହିତ ସାମାନ୍ୟ ମିଠା ହୋଇଥାଏ। ପ୍ରତ୍ୟେକ ମିସିଂ ଘରେ ନିଜସ୍ୱ ଏକ ପାନୀୟ ଥାଏ। ଏହି ବ୍ୟାଚ୍‌ ମୋଞ୍ଜିତଙ୍କ ଭାଉଜ ଜୁନାଲୀ ରିସଙ୍ଗଙ୍କଠାରୁ ଆସିଛି, ଯିଏକି ପଡ଼ିଶା ଘରେ ରୁହନ୍ତି। ଏହି ପାନୀୟର ଗୁରୁତ୍ୱ ଏବଂ ଏହାକୁ କିଭଳି ପ୍ରସ୍ତୁତ କରାଯାଇଥାଏ ସେ ସମ୍ପର୍କରେ ଆପଣ ଏଠାରେ ପଢ଼ିପାରିବେ: ମାଜୁଲିରେ ମିସିଂ ମଦ ପ୍ରସ୍ତୁତି

Left: Chopped eel that will be steamed.
PHOTO • Riya Behl
Fish cut and cleaned for a ghetiya curry
PHOTO • Vishaka George

ବାମ: କଟା ହୋଇଥିବା କୋଚିଆକୁ ବାମ୍ଫ ଦେଇ ରନ୍ଧାଯାଏ। ଡାହାଣ: ଘେତିୟା ତରକାରୀ ପାଇଁ ମାଛକୁ କାଟି ସଫା କରାଯାଏ

Apong beer
PHOTO • Vishaka George
Nayanmoni cutting and cleaning
PHOTO • Vishaka George

ବାମ : ଅପୋଙ୍ଗ ବିୟର। ଡାହାଣ: ନୟନମୋଣୀ ବିଭିନ୍ନ ସାମଗ୍ରୀ କାଟୁଛନ୍ତି ଓ ସଫାକରୁଛନ୍ତି

ଚୋପା ଛଡ଼ାଇବା, କାଟିବା ଏବଂ ଗୋଳାଇବା ମଧ୍ୟରେ, ନୟନମୋଣୀ କାଠଚୁଲିର ନିଆଁକୁ ଯାଞ୍ଚ କରିଥାନ୍ତି, ଚୁଲି ନିଆଁକୁ ତେଜି ଦିଅନ୍ତି, ଯାହାଫଳରେ ପରବର୍ତ୍ତୀ ବ୍ୟଞ୍ଜନ ପ୍ରସ୍ତୁତି ଲାଗି ଯଥେଷ୍ଟ ମାତ୍ରାରେ ଉତ୍ତାପ ମିଳିପାରିବ। ପୂର୍ବରୁ କଟା ହୋଇ ପ୍ରସ୍ତୁତ ହୋଇସାରିଥିବା କୁକୁଡ଼ା ମାଂସକୁ ଏବେ ଚୁଲିରେ ସେକା ଯିବ।

ନୟନମୋଣୀ ଯେଉଁଠି ରାନ୍ଧୁଛନ୍ତି ହଠାତ୍‌ ସେଠାକୁ ଆମ ଦୃଷ୍ଟି ଚାଲିଯାଏ। ସେଠି ମରୋମ ଉପରେ କାଠର ଏକ ଆଟୁ ଭଳି ରହିଛି ଯାହାକୁ ପରପ କୁହାଯାଏ। ଏହି ସ୍ଥାନ ଶୁଖିଲା କାଠ ଏବଂ ଶୁଖୁଆ ସାଇତି ରଖିବା ପାଇଁ ବ୍ୟବହୃତ ହୁଏ। ବିଶେଷ କରି ମାଛଙ୍କ ପ୍ରଜନନ ଋତୁରେ।

‘‘ଏପ୍ରିଲ, ମେ ଏବଂ ଜୁନ ମାସରେ ମାଛ ଧରିବା ଉପରେ କଟକଣା ଲାଗୁ ହୋଇଥାଏ। ଏହି ସମୟରେ ମାଛଙ୍କ ପ୍ରଜନନ ହୋଇଥାଏ ଏବଂ ଆମେ ଆବଶ୍ୟକତାଠାରୁ ଅଧିକ ମାଛ ଖାଇବାକୁ ଇଚ୍ଛା କରିନଥାଉ,’’ ମୋଞ୍ଜିତ କୁହନ୍ତି।

କିଚେନ-ଡାଇନର (ରୋଷେଇ ଓ ବସି ଖାଇବା ସ୍ଥାନ) କୋଠରୀ ପାରମ୍ପରିକ ମିସିଂ କୁଟୀରର ଏକ ଅଂଶବିଶେଷ, ଯାହାକୁ ଚାଙ୍ଗଘର କୁହାଯାଏ। କଂକ୍ରିଟ୍‌ ଓ ବାଉଁଶ ଖୁଣ୍ଟରେ ଏହା ମାଟିରୁ ଦୁଇ ଫୁଟ ଉଚ୍ଚରେ ନିର୍ମିତ ହୋଇଥାଏ। ଚଟାଣରେ ଫାଙ୍କ ରହିଥାଏ। ବନ୍ୟା ପାଣିକୁ ଦୂରେଇ ରଖିବା ଲାଗି ଅଧିକାଂଶ ମାଜୁଲି ଘରେ ଏପରି ଏକ ସଚେତନ ପ୍ରୟାସ କରାଯାଇଥାଏ।

ମୋଞ୍ଜିତ କୁହନ୍ତି, ବନ୍ୟା ସମୟରେ ଖାଦ୍ୟରେ ପରିବର୍ତ୍ତନ ଆସିଥାଏ। ‘‘ବନ୍ୟା କାରଣରୁ, ପନିପରିବା ଚାଷ କମିଯାଏ। ଶୀତ ଋତୁରେ ଅଧିକ ପନିପରିବା ମିଳିଥାଏ। ସେତେବେଳେ ଆମେ ଯଥେଷ୍ଟ ପରିମାଣରେ ପନିପରିବା ଖାଇଥାଉ।’’

କାଠଚୁଲି ଲିଭି ଆସିବା ଦେଖି ମୋଞ୍ଜିତ ତାହାକୁ ଜଳାଇବାକୁ ଚେଷ୍ଟା କରି କୁହନ୍ତି, ‘‘ମୁଣ୍ଡରେ ବୋଝ ବୋହି ମୁଁ ପାହାଡ଼ ଚଢ଼ିଯିବି, କିନ୍ତୁ ରୋଷେଇ କରିପାରିବି ନାହିଁ!’’ ଏହାର କାରଣ ପଚାରିଲେ, ସେ ହସି ହସି କୁହନ୍ତି, ‘‘ମୁଁ ଏହାକୁ ଉପଭୋଗ କରେ ନାହିଁ!’’ ମିସିଂ ସମୁଦାୟରେ ୯୯ ପ୍ରତିଶତ ଭୋଜନ ମହିଳାମାନେ ରାନ୍ଧିଥାନ୍ତି।

ଡକ୍ଟର ଜବାହର ଜ୍ୟୋତି କୁଲିଙ୍କ ରଚିତ ପୁସ୍ତକ ଫୋକ୍‌ ଲିଟରେଚର ଅଫ୍‌ ଦ ମିସିଂ କମ୍ୟୁନିଟି ରେ ଥିବା ବର୍ଣ୍ଣନା ଅନୁଯାୟୀ, ଏହି ସମୁଦାୟର ମହିଳାମାନଙ୍କ ଉପରେ ମୁଖ୍ୟତଃ ରୋଷେଇ ଦାୟିତ୍ୱ ରହିଥାଏ। ମିସିଂ ସମୁଦାୟର ମୌଖିକ ଏବଂ ଲିଖିତ ପରମ୍ପରା ସହାୟତାରେ ଏହି ସମାଜର ପ୍ରଥା ଓ ଚଳଣି ସମ୍ପର୍କରେ ଉକ୍ତ ପୁସ୍ତକରେ ସବିଶେଷ ବର୍ଣ୍ଣନା ରହିଛି। [୧] [୨] ଅନ୍ୟାନ୍ୟ କାର୍ଯ୍ୟକଳାପ ସହିତ ମିସିଂ ସମୁଦାୟର ମହିଳାମାନେ ରୋଷେଇ ଏବଂ ବୁଣାବୁଣିରେ ପାରଙ୍ଗମ ଅଟନ୍ତି। ପରିସ୍ଥିତିର ବାଧ୍ୟବାଧକତା ନଥିଲେ ପୁରୁଷମାନେ ରୋଷେଇ କରିବାକୁ ପସନ୍ଦ କରନ୍ତି ନାହିଁ ବୋଲି ସେମାନେ ସ୍ୱୀକାର କରିଥାନ୍ତି।

At Risong’s Kitchen, a frame on a bamboo wall holds currencies from across the world.
PHOTO • Vishaka George
I can carry a load on my head up a mountain, but I simply cannot cook!' says Monjit
PHOTO • Vishaka George

ରିସଙ୍ଗଙ୍କ ‘ରୋଷେଇ ଘର’ ବାଉଁଶ କାନ୍ଥରେ ଥିବା ଏକ ଫ୍ରେମରେ ବିଭିନ୍ନ ଦେଶର ମୁଦ୍ରା ରହିଛି। ଡାହାଣ: ‘ମୁଣ୍ଡରେ ବୋଝ ବୋହି ମୁଁ ପାହାଡ଼ ଚଢ଼ିଯିବି, କିନ୍ତୁ ରୋଷେଇ କରିପାରିବି ନାହିଁ!’

Smoked chicken skewers called kukura khorika
PHOTO • Vishaka George
Mising women like Nayanmoni are skilled in cooking and weaving
PHOTO • Vishaka George

ବାମ: ନିଆଁରେ ପୋଡ଼ା ହୋଇଥିବା ଚିକେନ କବାବ, ଯାହାକୁ କୁକୁଡ଼ା ଖୋରିକା କୁହାଯାଏ। ଡାହାଣ: ନୟନମୋଣୀଙ୍କ ଭଳି ମିସିଂ ମହିଳାମାନେ ରୋଷେଇ ଓ ବୁଣାକାମରେ ବେଶ୍ କୁଶଳୀ

ତଥାପି ମୋଞ୍ଜିତ ଓ ନୟନମୋଣୀ ଏପରି ଏକ ବ୍ୟବସ୍ଥା ପ୍ରସ୍ତୁତ କରିଛନ୍ତି ଯାହା ସେମାନଙ୍କ ପାଇଁ ଫଳପ୍ରଦ ହେଉଛି। ମୋଞ୍ଜିତ କୁହନ୍ତି, ‘‘ନୟନମୋଣୀ ହେଉଛନ୍ତି ରିସଙ୍ଗସ୍‌ କିଚେନ୍‌ର ‘ମୁଖ୍ୟ’। ଅନ୍ୟପଟେ ସେ ହୋମଷ୍ଟେଠାରେ ଅତିଥିମାନଙ୍କର ଧ୍ୟାନ ରଖିବା କାମରେ ନିୟୋଜିତ ଥାଆନ୍ତି। ସନ୍ଧ୍ୟା ନଇଁବା ସହିତ, ମୋଞ୍ଜିତ ସେମାନେ ଚଳାଉଥିବା ହୋମଷ୍ଟେରେ ଅତିଥିମାନଙ୍କ ଦେଖାଶୁଣା କରିବା ଲାଗି ଭିତରକୁ ଯିବାଆସିବା କରିଥାନ୍ତି।

*****

ବଡ଼ ଭୋଜନ ଥାଳିଟିଏ ପ୍ରସ୍ତୁତ କରିବା କଠିନ କାର୍ଯ୍ୟ। ନୟନମୋଣୀ ଅଢ଼େଇ ଘଣ୍ଟାରୁ ଅଧିକ ସମୟ ଧରି ଚୁଲି, କାଠ ନିଆଁ ଏବଂ ସିଙ୍କ୍‌ରେ କଠିନ ପରିଶ୍ରମ କରୁଛନ୍ତି। ମରୋମ ରେ ରୋଷେଇ କରିବା ଏକ ଧିମା ପ୍ରକ୍ରିୟା। କିନ୍ତୁ କାଠଚୁଲିର ଉଜ୍ଜ୍ୱଳ ନିଆଁରୁ ବାହାରୁଥିବା ଧୂଆଁକୁ ଦେଖିବା ଆଗନ୍ତୁକମାନଙ୍କୁ ଏକ ସୁନ୍ଦର ଅନୁଭୂତି ପ୍ରଦାନ କରିଥାଏ।

ସେ କେତେଥର ଏହାକୁ କରିଥାନ୍ତି? ‘‘ବେଳେବେଳେ ମୁଁ ମାସକୁ ଥରେ ଏହି ଥାଳି ପ୍ରସ୍ତୁତ କରିଥାଏ, ଆଉ କେବେ ଆଦୌ ନୁହେଁ।’’ ତେବେ କୋଭିଡ ମହାମାରୀ ପୂର୍ବରୁ, ସେ ପ୍ରାୟତଃ ଏହାକୁ କରୁଥିଲେ ବୋଲି କହିଥାନ୍ତି। ୨୦୦୭ରେ ବାହା ହୋଇ ଆସିବା ପରଠାରୁ ସେ ୧୫ ବର୍ଷ ଧରି ଏହା କରି ଆସୁଛନ୍ତି।

କାଠଚୁଲିକୁ ଚାହିଁ ମୋଞ୍ଜିତ କୁହନ୍ତି, ‘‘ଏହା ମୋ ପାଇଁ ପ୍ରଥମ ଦେଖାରେ ପ୍ରେମ ଥିଲା।’’

‘‘ହଁ, ବୋଧହୁଏ ଏଥିରେ ୩୦ ମିନିଟ ଲାଗି ଯାଇଥିଲା।,’’ ସେ ହସି ଉଠି ପୁଣି କୁହନ୍ତି।

ତାଙ୍କ ପାଖରେ ବସି ମାଛ କାଟୁଥିବା ନୟନମୋଣୀ ହସିବା ସହିତ ତାଙ୍କୁ ମଜାଳିଆ ଢଙ୍ଗରେ ମାରି ଦେଇ କୁହନ୍ତି, ‘’୩୦ ମିନିଟ୍‌ ଲାଗେ!’’ ଏହା କହିବା ସମୟରେ ତାଙ୍କ ଭିତରେ ବିରକ୍ତି ଭାବେ ବାରି ହୋଇପଡ଼ୁଥାଏ।

‘‘ସେ ଠିକ୍‌ କହୁଛନ୍ତି,’’ ମୋଞ୍ଜିତ କୁହନ୍ତି। ଏଥର ନିଜ ଦୋଷ ସ୍ୱୀକାର କରି ସେ କୁହନ୍ତି, ‘‘ଏସବୁ ପାଇଁ ଦୁଇ ଦିନ ସମୟ ଲାଗିଥିଲା। ତା’ପରେ, ଆମେ ଲୁଚି ଲୁଚି ନଦୀ ପାଖରେ ପରସ୍ପରକୁ ଭେଟୁଥିଲୁ ଏବଂ ଏକାଠି କିଛି ସମୟ ବିତାଉଥିଲୁ। ସେହି ବିଗତ ଦିନଗୁଡ଼ିକ ଖୁବ ଭଲ ଥିଲା।’’ ଏହି ଦମ୍ପତି ୨୦ ବର୍ଷ ପୂର୍ବରୁ ପରସ୍ପରକୁ ପ୍ରଥମେ ଭେଟିଥିଲେ। ଆଜି ସେମାନଙ୍କର ଜଣେ କିଶୋରୀ ଝିଅ ବବ୍‌ଲୀ ଏବଂ ଆଉ ଗୋଟିଏ ଛୋଟ ଝିଅ ବାର୍ବି ଅଛି।

ଶେଷରେ ନନମୋଣି କୋଚିଆ ମାଛରେ ବ୍ୟଞ୍ଜନ ପ୍ରସ୍ତୁତ କରୁଛନ୍ତି ଯାହା ଦେଶର ଏହି ଭାଗରେ ଅତ୍ୟନ୍ତ ସ୍ୱାଦିଷ୍ଟ ବ୍ୟଞ୍ଜନ ରୂପରେ ପରିଚିତ। ‘‘ଆମେ ସାଧାରଣତଃ କଞ୍ଚା ବାଉଁଶରେ କୋଚିଆ ରାନ୍ଧିଥାଉ କାରଣ ଏହି ପଦ୍ଧତିରେ ଭଲ ସ୍ୱାଦ ମିଳିଥାଏ। ଆଜି ଆମ ପାଖରେ କଞ୍ଚା ବାଉଁଶ ନାହିଁ ତେଣୁ ଆମେ କଦଳୀ ପତ୍ରରେ ବାମ୍ଫ ଦେଇ ଏହାକୁ ରାନ୍ଧୁଛୁ।’’

Nayamoni smoking the eel in a banana leaf
PHOTO • Riya Behl
Fish curry, or ghetiya
PHOTO • Vishaka George

ବାମ : ନୟନମୋଣୀ କଦଳୀ ପତ୍ରରେ ବାମ୍ଫ ଦେଇ କୋଚିଆ ମାଛ ରାନ୍ଧୁଛନ୍ତି। ଡାହାଣ : ମାଛ ତରକାରୀ ବା ଘେତିୟା

Left: Nayanmoni prepping the thali that's almost ready to be served
PHOTO • Vishaka George
Right: A Mising thali being prepared
PHOTO • Vishaka George

ବାମ: ନୟନମୋଣୀ ଏକ ଥାଳି ବାଢ଼ୁଛନ୍ତି ଯାହାକି ପରିବେଷଣ ପାଇଁ ପ୍ରାୟତଃ ପ୍ରସ୍ତୁତ ହୋଇସାରିଛି। ଡାହାଣ : ଏକ ମିସିଂ ଥାଳି ପ୍ରସ୍ତୁତ ହେଉଛି

ସେ କେମିତି ଶିଖିଲେ? ‘‘ମୋଞ୍ଜିତଙ୍କ ମା’ ଦୀପ୍ତି, ନେ ମୁଝେ ଶିଖାୟା (ମୋଞ୍ଜିତଙ୍କ ମା’ ମୋତେ ରୋଷେଇ କରିବା ଶିଖାଇଛନ୍ତି),’’ ସେ କୁହନ୍ତି। ଦୀପ୍ତି ରିସଙ୍ଗ ଏବେ ଘରେ ନାହାନ୍ତି, ସେ ପଡ଼ୋଶୀ ଗାଁରେ ଥିବା ନିଜ ଝିଅ ଘରକୁ ଯାଇଛନ୍ତି।

ଶେଷରେ ବହୁ ପ୍ରତିକ୍ଷିତ ମୁହୂର୍ତ୍ତ ଆସି ପହଞ୍ଚୁଛି ଏବଂ ସମସ୍ତେ ନିଜ ନିଜ ବାଉଁଶ ଚୌକି ଉଠାଇ ରୋଷେଇ ଘର ଗୋଟିଏ କୋଣରେ ଏକ ଲମ୍ବା ବାଉଁଶର ଡାଇନିଂ ଟେବୁଲ ପାଖକୁ ଯାଉଛନ୍ତି।

ଭୋଜନରେ ସାମିଲ ରହିଛି, ଘେତିୟା ବା ମିଠା ଓ ଖଟା ମାଛ ଓ ଆଳୁ ତରକାରୀ, କଦଳୀ ପତ୍ରରେ ବାମ୍ଫ ଦେଇ ପ୍ରସ୍ତୁତ କୋଚିଆ ମାଛ, ଶାଗ ଭଜା, ପୋଡ଼ା ଚିକେନ କବାବ ବା କୁକୁରାଖୋରିକା , ଏଗ୍‌ପ୍ଲାଣ୍ଟ କିମ୍ବା ବେଙ୍ଗେନାଭଜା (ବାଇଗଣ ଭଜା) ଏବଂ କଦଳୀ ପତ୍ରରେ ବାମ୍ଫ ଦେଇ ପ୍ରସ୍ତୁତ ହୋଇଥିବା ଭାତ ବା ପୁରାଙ୍ଗପିନ ଟଙ୍ଗୀ ତରକାରୀ, ଯତ୍ନର ସହକାରେ ପ୍ରସ୍ତୁତ ହୋଇଥିବା ଧୂଆଁତିଆ ମାଂସ ଏବଂ ବାସ୍ନା ଚାଉଳରେ ପ୍ରସ୍ତୁତ ଭାତ ଏହି ଭୋଜନକୁ ସ୍ୱାଦିଷ୍ଟ କରିଥାଏ।

ପ୍ରତ୍ୟେକ ଥାଳି ୫୦୦ ଟଙ୍କାରେ ବିକ୍ରି ହୁଏ।

‘‘ଏପରି ଥାଳି ପ୍ରସ୍ତୁତ କରିବା ଅତି କଷ୍ଟକର କାମ,’’ କ୍ଳାନ୍ତ ନୟନମୋଣୀ ସ୍ୱୀକାର କରିଥାନ୍ତି ଏବଂ କୁହନ୍ତି, ‘‘କିଛି ଦିନ ମଧ୍ୟରେ ମୋତେ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ୩୫ ଜଣ ଲୋକଙ୍କ ପାଇଁ ଭୋଜନ ପ୍ରସ୍ତୁତ କରିବାକୁ ହେବ।’’

ଦିନସାରା କଠିନ ପରିଶ୍ରମ କରିବା ପରେ ସେ ବଡ଼ ସହର ଜୋରହାଟ ଯିବା ଲାଗି ଭାବୁଛନ୍ତି। ସେଠି ପହଞ୍ଚିବା ଲାଗି ଏକ ଦୈନିକ ଫେରୀ (ନୌଯାତ୍ରାରେ)ରେ ନଦୀ ପାର ହେବାକୁ ପଡ଼ିଥାଏ। ମହାମାରୀ କାରଣରୁ ସେ ତିନି ବର୍ଷ ହେଲା ସେଠାକୁ ଯାଇନାହାନ୍ତି। ‘‘ଜୋରହାଟରେ ମୁଁ କିଛି କିଣାକିଣି କରିବାର ମଜା ନେଇପାରିବି ଏବଂ ଏକ ରେସ୍ତୋରାଁରେ ଅନ୍ୟ କାହା ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଖାଇପାରିବି,’’ ସେ ସ୍ମିତ ହସି କୁହନ୍ତି।

ଅନୁବାଦ : ଓଡ଼ିଶାଲାଇଭ୍‍

Vishaka George

ବିଶାଖା ଜର୍ଜ ପରୀର ଜଣେ ବରିଷ୍ଠ ସମ୍ପାଦିକା। ସେ ଜୀବନଜୀବିକା ଓ ପରିବେଶ ପ୍ରସଙ୍ଗରେ ରିପୋର୍ଟ ଲେଖିଥାନ୍ତି। ବିଶାଖା ପରୀର ସାମାଜିକ ଗଣମାଧ୍ୟମ ପରିଚାଳନା ବିଭାଗ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ପରୀର କାହାଣୀଗୁଡ଼ିକୁ ଶ୍ରେଣୀଗୃହକୁ ଆଣିବା ଲାଗି ସେ ପରୀ ଏଜୁକେସନ ଟିମ୍‌ ସହିତ କାର୍ଯ୍ୟ କରିଥାନ୍ତି ଏବଂ ନିଜ ଆଖପାଖର ପ୍ରସଙ୍ଗ ବିଷୟରେ ଲେଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ବିଶାଖା ଜର୍ଜ
Editor : Priti David

ପ୍ରୀତି ଡେଭିଡ୍‌ ପରୀର କାର୍ଯ୍ୟନିର୍ବାହୀ ସମ୍ପାଦିକା। ସେ ଜଣେ ସାମ୍ବାଦିକା ଓ ଶିକ୍ଷୟିତ୍ରୀ, ସେ ପରୀର ଶିକ୍ଷା ବିଭାଗର ମୁଖ୍ୟ ଅଛନ୍ତି ଏବଂ ଗ୍ରାମୀଣ ପ୍ରସଙ୍ଗଗୁଡ଼ିକୁ ପାଠ୍ୟକ୍ରମ ଓ ଶ୍ରେଣୀଗୃହକୁ ଆଣିବା ଲାଗି ସ୍କୁଲ ଓ କଲେଜ ସହିତ କାର୍ଯ୍ୟ କରିଥାନ୍ତି ତଥା ଆମ ସମୟର ପ୍ରସଙ୍ଗଗୁଡ଼ିକର ଦସ୍ତାବିଜ ପ୍ରସ୍ତୁତ କରିବା ଲାଗି ଯୁବପିଢ଼ିଙ୍କ ସହ ମିଶି କାମ କରୁଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Priti David
Photo Editor : Binaifer Bharucha

ବିନଇଫର୍ ଭାରୁକା ମୁମ୍ବାଇ ଅଞ୍ଚଳର ଜଣେ ସ୍ୱାଧୀନ ଫଟୋଗ୍ରାଫର, ଏବଂ ପରୀର ଫଟୋ ଏଡିଟର୍

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ବିନାଇଫର୍ ଭାରୁଚ
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE