କିତାବୁନ୍‌ ନିଶା ଶେଖ୍‌ ଭଙ୍ଗାତୁଟା ସାମଗ୍ରୀ ଏବଂ ଆବର୍ଜନାର ଏକ ପାହାଡ଼ ଧାରରେ ଛିଡ଼ା ହୋଇ ନିଜ ଘର ରଫିକ୍‌ ନଗର ନିକଟରେ ଧୀରେ ବୋହି ଯାଉଥିବା ଏକ ନଳାରୁ ପ୍ଲାଷ୍ଟିକ ଗୋଟାଉଛନ୍ତି। ଏଠାରେ ଜମା ହୋଇଥିବା କେତେକ ଆର୍ବଜନା ନିକଟସ୍ଥ ଦେଓନାର ଆବର୍ଜନା ଖାତ ଅଞ୍ଚଳରୁ ଆସିଥାଏ। ଆଉ କେତେକ ଆବର୍ଜନା ସିଧାସଳଖ ଖୋଲା ଡ୍ରେନକୁ ଫୋପଡ଼ା ହୋଇଥାଏ।  ଗୋଟିଏ ହୁକ୍‌ ଥିବା ଲମ୍ବା କାଠ ବାଡ଼ି ବ୍ୟବହାର କରି ସେ ଗୋଟିଏ ପତଳା କଳାଜରିରେ ଗୁଡ଼େଇ ହୋଇଥିବା ଗୋଲାପି ପ୍ଲାଷ୍ଟିକ ବଟଲକୁ ଟାଣିଲେ। ଏହାପରେ ସେ ତାଙ୍କ ପାଇଁ ମୂଲ୍ୟବାନ ହୋଇଥିବା ପରବର୍ତ୍ତୀ ସାମଗ୍ରୀ ପାଇଁ ବାଡ଼ି ସହ ପହଞ୍ଚିଲେ।

ସେ ଦିନରେ ପ୍ରାୟ ୬ଘଣ୍ଟା ଏହି କାମ କରନ୍ତି, ତାଙ୍କର କମଳା ରଙ୍ଗର କେଶ ସୂର୍ଯ୍ୟକିରଣରେ ଚମକୁଛି, ତାଙ୍କ ପିଠି ୭୫ବର୍ଷ ବୟସରେ କରୁଥିବା କାମରେ ବଙ୍କେଇ ଯାଇଛି। କାଚ ବିୟର ବୋତଲ ଏବଂ ପ୍ଲାଷ୍ଟିକ ପାଣି ବୋତଲ ସବୁଠାରୁ ମୂଲ୍ୟବାନ ସାମଗ୍ରୀ, ଅନ୍ୟ ବର୍ଜ୍ୟ ସାମଗ୍ରୀ ତୁଳନାରେ ଏହାର ପୁନଃବିକ୍ରୟ ମୂଲ୍ୟ ଅଧିକ। ଦିନେ ଛଡ଼ା ଦିନେ ଯେତେବେଳେ ୧୨ରୁ ୧୫ କେଜି ପ୍ଲାଷ୍ଟିକ ସଂଗ୍ରହ ହୋଇଯାଏ, ସେତେବେଳେ କିତାବୁନଙ୍କ ବୋହୂ ଜାହିଦା ଏ ସବୁକୁ ଗୋଟିଏ ପଲିଥିନ ଅଖାରେ ବାନ୍ଧି ମୁଣ୍ଡରେ ଥୋଇ ବାବାନଗର ଅଞ୍ଚଳରେ ଥିବା ଭଙ୍ଗା ଜିନିଷ ଡିଲରଙ୍କ ପାଖକୁ ଯାଏ। ଏହା ପ୍ରାୟ ୧୫ମିନିଟର ରାସ୍ତା । ଏହା ବଦଳରେ ପରିବାର ଟ. ୨୦୦-୩୦୦ କିମ୍ବା ସପ୍ତାହକୁ ପ୍ରାୟ ଟ ୧,୦୦୦ ରୋଜଗାର କରିପାରେ। କିତାବୁନ କୁହନ୍ତି, ‘‘ଆମକୁ ଏହା [ଏହିକାମ] ପେଟ ପୋଷିବା ପାଇଁ କରିବାକୁ ହେଉଛି।’’ ‘‘ମୋତେ ଏହା ଆଦୌ ଭଲ ଲାଗେନି କିନ୍ତୁ ଆମେ ଆଉ କ’ଣ କରିପାରିବୁ?’’

କିତାବୁନଙ୍କ କୁଡ଼ିଆ ୩୨୪ ଏକର ଦେଓନାର ଡମ୍ପିଂ ଗ୍ରାଉଣ୍ଡ ବାହାରେ ରହିଛି । ଏହା ମୁମ୍ବାଇର ଏଭଳି ତିନୋଟି ପଡ଼ିଆ ମଧ୍ୟରୁ ସର୍ବବୃହତ୍‌ (ଅନ୍ୟ ଦୁଇଟି ରହିଛି ମୁଲୁନ୍ତ ଏବଂ କଞ୍ଜୁରମାର୍ଗରେ)। ଏହି ଡମ୍ପିଂ ଗ୍ରାଉଣ୍ଡକୁ ସହରରେ ଉତ୍ପନ୍ନ ହେଉଥିବା ୯,୫୦୦ ମେଟ୍ରିକ୍‌ ଟନ୍‌ ଆବର୍ଜନା ମଧ୍ୟରୁ ପ୍ରାୟ ୩୫ ପ୍ରତିଶତ ଆସିଥାଏ। ଏହି ଦେଓନାର ଅଞ୍ଚଳରେ ୨୦୧୬ ମସିହାରେ ସମ୍ପୂର୍ଣ୍ଣ ଭର୍ତ୍ତି ହୋଇଯାଇଥିଲା କିନ୍ତୁ ଏହା ବ୍ୟବହାର ହେବା ଅବ୍ୟାହତ ରହିଛି। ବମ୍ବେ ଉଚ୍ଚ ନ୍ୟାୟାଳୟ ବୃହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନକୁ ଦେଇଥିବା ‘ଶେଷ ପରିବର୍ଦ୍ଧନ’ ଅନୁମୋଦନ ଅନୁଯାୟୀ ଏହି ପଡ଼ିଆ ଶୁଷ୍କ ଆବର୍ଜନା ଜମା ପାଇଁ ଡିସେମ୍ବର ୩୧, ୨୦୧୯ ପର୍ଯ୍ୟନ୍ତ ବ୍ୟବହାର ହୋଇପାରିବ ।

ଏହି ବିଶାଳ ପଡ଼ିଆ ଚାରିପାଖରେ ରଫିକ୍‌ ନଗର ପରି ଅନେକ ବସ୍ତି ରହିଛି। ଏଗୁଡ଼ିକ ମହାନଗରର ଏମ୍‌-ଇଷ୍ଟ ଓ୍ୱାର୍ଡର ଅଂଶ, ଯାହାର ଜନସଂଖ୍ୟା ୮୦୭,୭୨୦ (୨୦୧୧ ଜନଗଣନା ଅନୁଯାୟୀ)। ରଫିକ୍‌ ନଗରର ଅଣଓସାରିଆ ଗଳିଗୁଡ଼ିକରେ ନର୍ଦ୍ଦମା ପାଣି ବୋହୁଥାଏ ଏବଂ ଆବର୍ଜନା ଗଦା ହୋଇ ରହିଥାଏ। ଡ୍ରମ୍ପିଂ ଗ୍ରାଉଣ୍ଡର ଦୁର୍ଗନ୍ଧ ପବନରେ ଥାଏ। ମାଛି ଏବଂ ମଶାଙ୍କର ବାହିନୀ ସବୁଆଡ଼େ ଦେଖିବାକୁ ମିଳେ।

କିତାବୁନଙ୍କ କୁଡ଼ିଆ ଗୋଟିଏ ଗଳିର ଶେଷ ଭାଗରେ ରହିଛି, ଗୋଟିଏ ନଳାର ଧାରରେ।  ଏହା ଏକ ୧୦୦ ବର୍ଗଫୁଟର କୋଠରୀ, ଯେଉଁଥିରେ ୧୬ଜଣ ଲୋକ ରୁହନ୍ତି- କିତାବୁନର ତିନି ପୁଅ, ଜାହିଦା ଏବଂ ୧୧ଜଣ ନାତିନାତୁଣୀ। ସେ କୁହନ୍ତି, ‘‘ଅଧିକ ବର୍ଷା ହେଲେ ନର୍ଦ୍ଦମାର ଜଳ ଆମ ଘରକୁ ପଶେ’’। “ଆମେ ଡାଲି, ଚାଉଳ ଏବଂ ପୋଷାକ ପରି ଆମର ଗୁରୁତ୍ୱପୂର୍ଣ୍ଣ ଜିନିଷ ଉପର ଥାକକୁ ରଖିଦେଉ। ଅଧିକାଂଶ ଜିନିଷ ଓଦା ହୋଇଯାଏ। ଆମେ ପଡ଼ୋଶୀମାନଙ୍କ ଘରେ [ଗଳିରେ ଉପରମୁଣ୍ଡରେ ଥିବା] ଆଶ୍ରୟ ନେଉ, ଯେପର୍ଯ୍ୟନ୍ତ ପାଣି ଖସିନଯାଏ।’’

Left: Kitabun outside her 100-square feet room next to a nallah. Right: It shelters 16 people, including her grandkids
PHOTO • Shraddha Agarwal
Left: Kitabun outside her 100-square feet room next to a nallah. Right: It shelters 16 people, including her grandkids
PHOTO • Shraddha Agarwal

ବାମ: କିତାବୁନ ନଳା ନିକଟରେ ଥିବା ୧୦୦ ବର୍ଗଫୁଟ କୋଠରୀ ବାହାରେ । ଡାହାଣ: ଏଥିରେ ୧୬ଜଣ ଲୋକ ରୁହନ୍ତି, ତାଙ୍କ ନାତିନାତୁଣୀଙ୍କ ସମେତ

କିତାବୁନ ଏବଂ ତାଙ୍କ ପରିବାର ରଫିକ ନଗରକୁ ଆସିବା ୫ବର୍ଷରୁ ଅଧିକ ହୋଇଗଲାଣି। ଏଠାକୁ ଆସିବା ପୂର୍ବରୁ କିତାବୁନ ପୂର୍ବ ମୁମ୍ବାଇରେ ଥିବା ସେଓ୍ୱରୀରୁ ଉତ୍ତରପ୍ରଦେଶର ଖାଲିଲାବାଦ ସହରକୁ ଚାଲିଯାଇଥିଲେ ଏବଂ ପୁଣି ସେଓ୍ୱରୀକୁ ଫେରିଲେ।

ତାଙ୍କ ବାପା ସେଓ୍ୱରୀରେ ଗୋଟିଏ କାରଖାନାରେ ଟ୍ରକ୍‌ ହେଲପର ଭାବରେ କାମ କରୁଥିଲେ ଏବଂ କିତାବୁନ ସେହି ଅଞ୍ଚଳରେ ଫୁଟପାଥରେ ବଡ଼ ହୋଇଥିଲେ। ‘‘ଖେଲତିଥି, କୁଦ୍‌ତି ଥି, ଖାତି ଥି… ବାସ୍‌… [ମୁଁ ଡେଉଁଥିଲି, ଖେଳୁଥିଲି ଏବଂ ଖାଉଥିଲି ବାସ୍‌ ଏତିକି କରୁଥିଲି]’’ ସେ ନିଜର ପିଲାଦିନ ବିଷୟରେ ମନେପକାଇ ଖୁସିରେ ଏହା କହୁଥିଲେ। ସେ ସମ୍ମୋହିତ ଭାବରେ ସେହି ବର୍ଷଗୁଡ଼ିକୁ ମନେପକାଉଥିଲେ। ସେ କୁହନ୍ତି, ତାଙ୍କର ତିନି ବଡ଼ ଭାଇ ଏବଂ ତାଙ୍କ ମାଆ ଯେ କି ଜଣେ ଗୃହିଣୀ ଥିଲେ, ତାଙ୍କର ଖୁବ୍‌ ଯତ୍ନ ନେଉଥିଲେ।

କିତାବୁନ ୨୫ବର୍ଷ ବୟସରେ ପ୍ରଥମ ଥର ପାଇଁ ମୁମ୍ବାଇ ଛାଡ଼ିଲେ, ତାଙ୍କଠାରୁ ୧୨ବର୍ଷ ବଡ଼ ଜଣେ ଟ୍ରକ୍‌ ଡ୍ରାଇଭର ଶେର୍ ଅଲ୍ଲୀ ଶେଖ୍‌ଙ୍କୁ ବିବାହ କରିବା ପରେ ସେ ଖଲିଲାବାଦ ଯାଇଥିଲେ। ସେ କୁହନ୍ତି, ‘‘ପ୍ରଥମେ ସବୁକିଛି ଭଲ ଥିଲା, କିନ୍ତୁ ଗୋଟିଏ ବର୍ଷ ପରେ ମୁଁ ମୋ ସ୍ୱାମୀଙ୍କର ପ୍ରକୃତ ରୂପ ଦେଖିଲି।’’ ସେ ତାଙ୍କ ସହ କଦବାକ୍ୱଚିତ୍‌ କଥାବାର୍ତ୍ତା କରୁଥିଲେ, ତାଙ୍କ ରାଗର କାର୍ଯ୍ୟକଳାପ ବଢ଼ୁଥିଲା, ସେ ଛୋଟ ଛୋଟ କଥାରେ ନିଆଁ ହୋଇଯାଉଥିଲେ।

ସେମାନଙ୍କ ବିବାହର ତିନିବର୍ଷ ପରେ ଶେର୍‌ଙ୍କର ଏକ ଦୁର୍ଘଟଣା ହେଲା ଏବଂ ତାଙ୍କ ମୁଣ୍ଡରେ ଖୁବ୍‌ ଆଘାତ ଲାଗିଥିଲା। କିତାବୁନ କୁହନ୍ତି, ସେ ସବୁକିଛି ମନେପକାଇ ପାରୁନାହାଁନ୍ତି । ବୋଧହୁଏ ସେମାନଙ୍କର ଦେଖାଶୁଣା କରିବା ପାଇଁ ଚାହୁଁନଥିବାରୁ ତାଙ୍କ ପରିବାର ଶେର୍‌ଙ୍କୁ କହିଥିଲେ କିତାବୁନ ଏବଂ ସେମାନଙ୍କର ଦୁଇ ଛୋଟ ପିଲାଙ୍କୁ ନେଇ ଘରୁ ବାହାରିଯିବା ପାଇଁ। ସେ ମନେପକାନ୍ତି, ‘‘ମୁଁ ସେତେବେଳେ ତୃତୀୟ ସନ୍ତାନ ସହ ଗର୍ଭବତୀ ଥିଲି, ଆମ ପାଖରେ ଅର୍ଥ ନ ଥିଲା କିମ୍ବା ଯିବା ପାଇଁ ସ୍ଥାନ ନଥିଲା।’’

କିତାବୁନ କୁହନ୍ତି, କିଛିଦିନ ପାଇଁ ସେମାନେ ଖଲିଲାବାଦର ରାସ୍ତାରେ ରହିଲେ। କିଛିଦିନ ପରେ ସେ ସହର ବାହାରେ ଗୋଟିଏ ଫାର୍ମରେ କାମ ପାଇଲେ। ସେଠାରେ ତାଙ୍କୁ ଖାଇବା ଏବଂ ରହିବା ବଦଳରେ ଫାର୍ମ ମାଲିକଙ୍କ ଘର ସଫା କରିବାକୁ ହେଉଥିଲା ଏବଂ ଜମିରେ କାମ କରିବାକୁ ପଡୁଥିଲା। କିତାବୁନ ନୀରବ ରହି କହିଲେ, ‘‘ଦିନେ ମୁଁ କାମ କରିବା ସମୟରେ ମୋ ବଡ଼ ଝିଅ ଫର୍ଜାନାଙ୍କୁ ଗଛତଳେ ଶୁଆଇ ଦେଇଥିଲି। ଯେତେବେଳେ ମୁଁ ଆସିଲି, ଦେଖିଲି ସେ ରକ୍ତାକ୍ତ ଭାବରେ ଶୋଇଛି, ସେ ମରି ଯାଇଛି। ଗୋଟିଏ ଷଣ୍ଢ ତା’ ଉପରେ ଚଢ଼ି ଯାଇଥିଲା, ତା’ର ବୟସ ମାତ୍ର ୩ ବର୍ଷ ଥିଲା।’’

ଏହି ଘଟଣା ପରେ କିତାବୁନ, ଶେର୍‌ ଏବଂ ସେମାନଙ୍କର ପିଲାମାନେ ସେଓ୍ୱରୀ ରାସ୍ତା କଡ଼କୁ ଫେରିଲେ। ଶେର୍‌ ଗୋଟିଏ ଘରୋଇ କାର୍‌ ଡ୍ରାଇଭର ଭାବରେ କାମ ପାଇଲେ ଏବଂ ଅତ୍ୟଧିକ ପିଇବା ଆରମ୍ଭ କଲେ। କିତାବୁନ କହିଥିଲେ ଏହା ପରେ ହିଂସା ନିୟମିତ ହୋଇଗଲା । ‘‘ଥରେ ସେ ମୋତେ ଛୁରୀରେ ଭୁଷିବାକୁ ଚେଷ୍ଟା କରିଥିଲେ । ମୁଁ କୌଣସି ମତେ ତାଙ୍କ ଉପରକୁ ଗୋଟିଏ ଷ୍ଟୁଲ୍‌ ଫିଙ୍ଗି ଦୌଡି ପଳାଇଥିଲି ।’’ ‘‘ସେ ପ୍ରତିମାସରେ ମୋତେ ମାତ୍ର ୬୦ଟଙ୍କା ଦେଉଥିଲେ । ଆଶା କରୁଥିଲେ ସେହି ଅର୍ଥରେ ମୁଁ ଘର ଖର୍ଚ୍ଚ ବୁଝିବି । ତେଣୁ ସେ କାମକୁ ଚାଲିଯିବା ପରେ ମୁଁ ଅନ୍ୟମାନଙ୍କ ପାଇଁ ଡ୍ରମରେ ପାଣି ଭରୁଥିଲି ଏବଂ ଏଥିରୁ ମୋତେ ସପ୍ତାହକୁ ଟ. ୧୫୦ ମିଳୁଥିଲା । ସେଥିରେ ମୁଁ ମୋ ପିଲାମାନଙ୍କୁ ଖୁଆଉଥିଲି ।’’

PHOTO • Shraddha Agarwal

ରଫିକ୍‌ନଗରର ଗଳିଗୁଡ଼ିକ ଉଛୁଳୁଥିବା ନର୍ଦ୍ଦମା ଏବଂ ଆବର୍ଜନାର ଗଦାରେ ଭରପୁର । ଏହି କଲୋନୀ ଥିବା ଏମ୍‌-ଇଷ୍ଟ ୱାର୍ଡର ବାସିନ୍ଦାମାନଙ୍କଠାରେ ଅସୁସ୍ଥତାର ପରିମାଣ ଅଧିକ

ଶେର୍‌ ଅଲୀ ପ୍ରାୟ ୨୦ବର୍ଷ ତଳେ ଗୋଟିଏ ଫୁସଫୁସ୍‌ଜନିତ ରୋଗରେ ମୃତ୍ୟୁବରଣ କଲେ। କିତାବୁନ କୁହନ୍ତି, ‘‘ଜିନ୍ଦା ଥା ତୋ ଆଚ୍ଛା ଥା, ମର୍‌ ଗୟା ତୋ ଥୋଡ଼େ ଆଁଶୁ କମ୍‌ ହୋ ଗୟେ [ବଞ୍ଚିଥିଲା ତ ଭଲ ଥିଲା । କିନ୍ତୁ ସେ ମରିଗଲା ପରେ … ମୋ ଲୁହ (ଯନ୍ତ୍ରଣା)ଟିକେ କମ୍‌ ହୋଇଯାଇଛି ।]

ଏହା ପରେ କିତାବୁନ ତାଙ୍କର ପାଞ୍ଚୋଟିଯାକ ସନ୍ତାନକୁ ସେଓରୀ ରାସ୍ତାକଡ଼ରେ ଏକୁଟିଆ ବଡ଼ କରିଥିଲେ।  ସେ ଆଖପାଖ ଅଟ୍ଟାଳିକାଗୁଡ଼ିକରେ ଘରୋଇ ସହାୟିକା ଭାବରେ କାର୍ଯ୍ୟ କରିବା ଆରମ୍ଭ କଲେ। ସେ କୁହନ୍ତି, ‘‘ମୁଁ ସକାଳ ୭ଟା ବେଳେ କାମକୁ ଯାଉଥିଲି ଏବଂ ସନ୍ଧ୍ୟାରେ ୪ଟା ପରେ ଫେରୁଥିଲି। ମୋ ବଡ଼ପୁଅ ସେତେବେଳକୁ ୧୦ବର୍ଷର ହୋଇଥିଲା- ସେ ତା’ର ତିନି ସାନଭାଇଭଉଣୀଙ୍କର ଯତ୍ନ ନେଇଥିଲା।’’ ଦୂରକୁ ଯାଇଥିବା ବେଳେ କିତାବୁନ ତାଙ୍କ ଫୁଟପାଥ କଡ଼ରେ ଥିବା ଘରେ ପିଲାମାନଙ୍କ ପାଇଁ ଚିନ୍ତା କରୁଥିଲେ। ‘‘ମୁଁ କାମ କରୁଥିବା ବେଳେ ପିଲାମାନଙ୍କର କିଛି ଅସୁବିଧା ହେଉ ତାହା ମୁଁ ଚାହୁଁନଥିଲି’’।

୧୯୯୩ ମସିହା ଜାନୁଆରୀ ମାସରେ ସାମ୍ପ୍ରଦାୟିକ ଦଙ୍ଗା ପରେ ତାଙ୍କ ଉଦ୍‌ବେଗ ବଢ଼ିଗଲା। ଗୋଟିଏ ରାତିରେ ପ୍ରାୟ ୯ଟା ସମୟରେ କିତାବୁନ କିଛି ଲୋକ ହାତରେ ଛୁରୀ ଏବଂ କିରୋସିନିରେ ବୁଡ଼ା ହୋଇଥିବା କପଡ଼ା ଧରି ଦୌଡୁଥିବା ଦେଖିଲେ। ସେ ମନେପକାଇ କୁହନ୍ତି, ‘‘ସବୁକିଛି ନଷ୍ଟ ହୋଇଗଲା। ମୋ ପଡ଼ୋଶୀ ଚିତ୍କାର କରୁଥିଲେ ଓ କାନ୍ଦୁଥିଲେ। ମୁଁ ମୋ ପିଲାମାନଙ୍କ ସହ ଘର ଭିତରେ ରହି କବାଟ ବନ୍ଦ କରିଦେଇଥିଲି- ସେତେବେଳେ ମୁଁ ସେହି ଜାଳେଣିର ଗନ୍ଧ ବାରିଲି। ସେମାନେ ଆମକୁ ପୋଡ଼ି ଦେବାକୁ ଚେଷ୍ଟା କରୁଥିଲେ କିନ୍ତୁ କୌଣସି ମତେ ଆମେ ଖସିଗଲୁ।’’

ଏଥିସହ ସେ କହିଲେ, ‘‘ସେମାନେ ମୋ ଘରେ [ଫୁଟପାଥରେ] ମୋ ସାମ୍ନାରେ ନିଆଁ ଲଗାଇଦେଲେ। ମୁଁ ପିଲାମାନଙ୍କ ସହ ଦୌଡିଲି। ଚାରିଆଡ଼େ ହୋହଲ୍ଲା ଚାଲିଥିଲା। ଜଣେ ବ୍ୟକ୍ତି ଛୁରାମାଡ଼ରେ ମୃତ୍ୟୁବରଣ କଲେ… ।’’ ‘‘ମୋ ଜୀବନର ସେହି ଦୁଇମାସ ନର୍କ ସହ ସମାନ ଥିଲା। ମୁଁ ମୋ ପିଲାମାନଙ୍କ ଜୀବନକୁ ନେଇ ଭୟ କରୁଥିଲି ଏବଂ ଆମକୁ ଲୁଚିବାକୁ ହେଉଥିଲା।’’ କିତାବୁନ କୁହନ୍ତି ସେ କିଛିଦିନ ପାଇଁ ତାଙ୍କ ସମ୍ପ୍ରଦାୟର ଅନ୍ୟମାନଙ୍କ ସହ ସେଓ୍ୱରୀରେ ଏକ ପରିତ୍ୟକ୍ତ ଫ୍ୟାକ୍ଟ୍ରିରେ ରହିଥିଲେ ଏବଂ କଦବା କ୍ୱଚିତ କେବଳ ବେଳେ ବେଳେ ଖାଦ୍ୟ କିମ୍ବା ଅର୍ଥ ପାଇଁ ବାହାରକୁ ଆସୁଥିଲେ।

ଏବେ ପ୍ରାୟ ୨୭ ବର୍ଷ ପରେ ମଧ୍ୟ ସେସବୁ ଦଙ୍ଗାର ସ୍ମୃତି ତାଙ୍କୁ ଭୟଭୀତ କରେ। ସେ କୁହନ୍ତି, ‘‘ଆମେ ଆମର ପିଲାମାନଙ୍କୁ ବେଶୀ ବାହାରକୁ ଛାଡୁନି। ଆମେ ଜାଣିନୁ ସେମାନଙ୍କର କ’ଣ ହୋଇଯିବ।’’

Kitabun with her daughter-in-law Zahida (left), who looks after the 11 children (right) of the family
PHOTO • Shraddha Agarwal
Kitabun with her daughter-in-law Zahida (left), who looks after the 11 children (right) of the family
PHOTO • Shraddha Agarwal

କିତାବୁନ ତାଙ୍କ ବୋହୂ ଜାହିଦା ସହ (ବାମ), ଯେ କି  ପରିବାରର ୧୧ଜଣ ପିଲାଙ୍କର (ଡାହାଣ) ଦାୟିତ୍ୱ ବୁଝନ୍ତି

କିତାବୁନଙ୍କ ପରିବାର ସୀମିତ ସ୍ଥାନ ମଧ୍ୟରେ ରହିବାର ଅନ୍ୟ ଉପାୟ ମଧ୍ୟ ରହିଛି। ତାଙ୍କର ୧୧ଜଣ ନାତିନାତୁଣୀ- ୩.୫ ବର୍ଷରୁ ୧୬ବର୍ଷ ବୟସ ମଧ୍ୟରେ- କେହି ସ୍କୁଲକୁ ଯାଆନ୍ତିନାହିଁ। (ଏହାକୁ ସୁନିଶ୍ଚିତ କରିବା ପାଇଁ ଏକ ସ୍ଥାନୀୟ ପ୍ରତିଷ୍ଠିତ ଏନ୍‌ଜିଓକୁ ଏ ବିଷୟରେ ପଚାରିଲି ଏବଂ ସେମାନେ ଏହା ପୁଷ୍ଟି କରିଥିଲେ) କିତାବୁନଙ୍କ ଦ୍ୱିତୀୟ ପୁଅକୁ ବିବାହ କରିଥିବା ୨୮ବର୍ଷ ବୟସ୍କା ଜାହିଦା କୁହନ୍ତି, ‘‘ଗୋଟିଏ ୧୧ବର୍ଷର ଝିଅ ସ୍କୁଲରେ ବଳାତ୍କାରର ଶୀକାର ହେଲା ।’’ ‘‘ଅମ୍ମି ଏବଂ ମୁଁ ଆମ ପିଲାମାନଙ୍କୁ ସେମିତି ଅବସ୍ଥାରେ ପକାଇବାକୁ ଚାହୁଁନଥିଲୁ ତେଣୁ ଆମେ ସେମାନଙ୍କୁ ସ୍କୁଲରୁ କାଢ଼ି ଆଣିଲୁ। ଏହାଛଡ଼ା ସ୍କୁଲରେ ଅନ୍ୟ ପିଲାମାନେ ମୋ ପିଲାମାନଙ୍କୁ ପିଟୁଥିଲେ କାରଣ ଆମେ ନଳା [ନର୍ଦ୍ଦମା] ପାଖରେ ରହୁଥିଲୁ ।’’

ଜାହିଦା ରଫିକ ନଗରଠାରୁ ପ୍ରାୟ ୧୩ କିଲୋମିଟର ଦୂର ସେଓରୀରେ ପ୍ରାୟ ୬-୭ଟି ଘରେ କାମ କରନ୍ତି (ସେ ତାଙ୍କ କାମକୁ ଟ୍ରେନ ଏବଂ ରିକ୍ସାରେ ଯିବା ଆସିବା କରନ୍ତି)। ସେ ସେହି ଘରମାନଙ୍କରେ ଘର, ବାସନ ଏବଂ ଲୁଗାପଟା ସଫା କରନ୍ତି। ସେ ତାଙ୍କ ଘରେ ସମସ୍ତ ୧୧ଜଣ ପିଲାମାନଙ୍କର ଯତ୍ନ ବୁଝନ୍ତି- ତାଙ୍କର ତିନୋଟି ଝିଅ ତାଙ୍କ ଦିଅରର ଗୋଟିଏ ତିନିବର୍ଷର ଝିଅ ଏବଂ ଦେଢ଼ଶୂରଙ୍କ ସାତଟି ସନ୍ତାନ। ସେ କୁହନ୍ତି, ‘‘ସେମାନଙ୍କ ଅମି ୫ ବର୍ଷ ତଳେ ଛାଡ଼ି ଚାଲିଗଲେ’’, ‘‘ସେ ନିଜ ପିଲାମାନଙ୍କର ଯତ୍ନ  ନେଇପାରିଲେ ଏବଂ ପଳେଇଗଲେ। ମୁଁ ଏବେ ସେମାନଙ୍କର ଅମ୍ମି।’’

ଜାହିଦା ଘରୋଇ ସହାୟିକା ଭାବରେ କାର୍ଯ୍ୟକରି ମାସକୁ ମାତ୍ର ୫,୦୦୦ଟଙ୍କା ରୋଜଗାର କରନ୍ତି । ତାଙ୍କ ସ୍ୱାମୀ ଅବଜଲ ଗୋଟିଏ ଗ୍ୟାରେଜରେ କାମ କରନ୍ତି। ସେ ବେଳେ ବେଳେ ଦିନକୁ ଟ. ୧୫୦-୨୦୦ ଆୟ କରନ୍ତି। ତାଙ୍କର ଦିଅର ଏବଂ ଦେଢ଼ଶୂର ବେଳେ ବେଳେ ଦିନମଜୁରିଆ କାମ କରନ୍ତି। ଚତୁର୍ଥ ଭାଇ ପରିବାରରୁ ଅଲଗା ହୋଇ ସେଓ୍ୱରୀରେ ରହୁଛି। କିତାବୁନଙ୍କ ଝିଅ ବିବାହ କରିଛି ଏବଂ ତା ସ୍ୱାମୀ ଏବଂ ଶାଶୁ-ଶ୍ୱଶୁରଙ୍କ ସହ ସେଓ୍ୱରୀ ନିକଟରେ ଏକ ବସ୍ତିରେ ରହୁଛି ।

ଯେତେବେଳେ ମୁଁ ରଫିକ ନଗର ଯାଇଥିଲି, ଜାହିଦାଙ୍କ ୬୦ବର୍ଷ ବୟସ୍କା ମା ଜରିନା ଯେ କି ଆଗରୁ ଜଣେ ଘରୋଇ ସହାୟିକା ଭାବରେ କାର୍ଯ୍ୟ କରୁଥିଲେ ବର୍ତ୍ତମାନ ଯକ୍ଷ୍ମାର ଶେଷ ପର୍ଯ୍ୟାୟରେ ଅଛନ୍ତି। ଜାହିଦା ନିଜେ ମଧ୍ୟ ପ୍ରାୟ ଦୁଇବର୍ଷ ଟିବି ସହ ଲଢ଼ିଥିଲେ। ଡମ୍ପିଂ ଗ୍ରାଉଣ୍ଡରେ ଏବଂ ଏହାର ନିକଟରେ କାମ କରିବା ଖୁବ୍‌ ବିପଜ୍ଜନକ। ୨୦୧୫ ମସିହାରେ ଟାଟା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସ ପକ୍ଷରୁ ଏମ୍‌-ଇଷ୍ଟ ଓ୍ୱାର୍ଡରେ ହୋଇଥିବା ବ୍ୟାପକ ସର୍ବେକ୍ଷଣର ଏକ ରିପୋର୍ଟ ପ୍ରକାଶ କରିଥିଲା । ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ସର୍ବେକ୍ଷଣ କରାଯାଇଥିବା ୫୦ ପ୍ରତିଶତ ଲୋକଙ୍କ ମଧ୍ୟରେ ଯକ୍ଷ୍ମା ସହ ହୃଦରୋଗ, ମଧୁମେହ, ଶ୍ୱାସଜନିତ ରୋଗ, ରକ୍ତଚାପ ଆଦି ରହିଛି।

କିତାବୁନ ଜାହିଦାଙ୍କ ସମ୍ପର୍କରେ ମୋତେ କହିଥିଲେ ‘‘ବେଟି ହେ ଓ୍ୱ ମେରୀ, ବହୁ ନେହିଁ [ସେ ମୋ ଝିଅ, ବୋହୂ ନୁହେଁ],’’ ‘‘ଯଦି ତା’ର କିଛି ହୋଇଯାଏ ମୋ ପୂରା ଘର ଭାଙ୍ଗିଯିବ’’।

କିତାବୁନ ବର୍ତ୍ତମାନ ତାଙ୍କ ନାତିନାତୁଣୀଙ୍କ ପାଇଁ କିଛି ସ୍ୱପ୍ନ ଦେଖୁଛନ୍ତି- ସେ ଚାହୁଁଛନ୍ତି ଦେଓନାର ବାହାରେ ସେମାନଙ୍କର ଜୀବନ । ସେ କୁହନ୍ତି, ‘‘ମେରା କ୍ୟା ହୈ, ମୋ କଚଡ଼େ ମେଁ ପୈଦା ହୁଇଥି, କଚଡ଼େ ମେଁ ହି ମରୁଙ୍ଗି [ମୁଁ ଆବର୍ଜନାରେ ଜନ୍ମ ହୋଇଥିଲି, ମୁଁ ଆବର୍ଜନାରେ ମରିବି],’’ ‘‘ମୁଁ ମୋ ସାରା ଜୀବନ ସଂଘର୍ଷ କରିଛି । ମୁଁ ଚାହେଁ ଆଲ୍ଲା ମୋତେ ଏବେ ନେଇଯାଆନ୍ତୁ । ଯଦି ନ ନିଅନ୍ତି ମୁଁ ଏ ସମସ୍ତ ପ୍ରକାର ଚିନ୍ତାରେ ପାଗଳ ହୋଇଯିବି।

ଅନୁବାଦ: ଓଡ଼ିଶାଲାଇଭ୍‍

Shraddha Agarwal

ଶ୍ରଦ୍ଧା ଅଗ୍ରୱାଲ୍‌ ପିପୁଲ୍‌ସ ଆର୍କିଭ୍‌ ଅଫ୍‌ ରୁରାଲ୍‌ ଇଣ୍ଡିଆରେ ରିପୋର୍ଟର ଓ କଣ୍ଟେଣ୍ଟ ଏଡିଟର୍‌ ଭାବେ କାମ କରନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Shraddha Agarwal
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE