“ନଦୀରେ ଚାଷ କରିବା ସୁବିଧାଜନକ- ସେଥିରେ ଅମଳ ପରେ ଗଛର ଖୁଣ୍ଟା ରହେନି କି ଅନାବନା ଗଛ ଉଠି ଯାଏନି ।”

ରାୟପୁର ଜିଲ୍ଲାର ନାଗରି ସହର ନିକଟବର୍ତ୍ତୀ ଫାର୍‌ସିୟା ଗାଁ ଦେଇ ବହି ଯାଇଥିବା ମହାନଦୀ ଶଯ୍ୟାରେ ଯେଉଁ ୫୦ରୁ ୬୦ ଜଣ ଚାଷୀ ଚାଷ କରନ୍ତି, ସେମାନଙ୍କ ମଧ୍ୟରୁ ଜଣେ ହେଲେ ମହାସମନ୍ଦ ଜିଲ୍ଲାର ଘୋଡ଼ାରି ଗାଁ ନିବାସୀ କୁନ୍ତୀ ପାନେ । ୫୭ ବର୍ଷୀୟା କୁନ୍ତୀ କହନ୍ତି, “ଆଜିକୁ ଦଶ ବର୍ଷ ହେଲା ମୁଁ ଏହା କରିଆସୁଛି । ମୁଁ ଓ ମୋ ସ୍ୱାମୀ ମିଶି ଏଠାରେ ଭେଣ୍ଡି, ବିନ୍‌ସ ଏବଂ ଖରଭୁଜ ଚାଷ କରୁ ।”

ଜଣେ ବ୍ୟକ୍ତି ରହିବା ପାଇଁ ଯଥେଷ୍ଟ ଏବଂ ଝିପିଝିପି ବର୍ଷାରେ ଶୁଖିଲା ରହିପାରୁଥିବା ଭଳି କୁଟାରେ ତିଆରି ସେମାନଙ୍କର ଅସ୍ଥାୟୀ କୁଡ଼ିଆ ଘରେ ବସି ସେ ଏହା କହନ୍ତି । କିନ୍ତୁ ଏହି କୁଡ଼ିଆର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦିଗଟି ହେଲା ଯେ, ଗାଈଗୋରୁ ଓ ଅନ୍ୟ ଜୀବଜନ୍ତୁଙ୍କ ଦାଉରୁ କ୍ଷେତକୁ ରକ୍ଷା କରିବା ପାଇଁ ଏଥିରେ ରାତି ବିତାଇ ହେବ ।

ଏଠାରେ ମହାନଦୀ ଉପରେ ଥିବା ପୋଲଟି ରାୟପୁର ଜିଲ୍ଲାର ପାରାଗାଓଁ ଏବଂ ମହାସମନ୍ଦ ଜିଲ୍ଲାର ଘୋଡ଼ାରି ଗାଁକୁ ସଂଯୋଗ କରୁଥିଲା । ଏହି ପୋଲ ଉପରେ ଠିଆ ହେଲେ ଏହା ତଳେ ମେଞ୍ଚା ମେଞ୍ଚା ସବୁଜ ରଙ୍ଗର ନଈପଠା ହିଁ ନଜରରେ ପଡ଼ିବ । ଡିସେମ୍ବରରୁ ମେ ମାସ ଶେଷରେ ବର୍ଷା ପଡ଼ିବା ପର୍ଯ୍ୟନ୍ତ ଚାଷ କରିବା ଲାଗି ନଈର ବାଲୁକା ଶଯ୍ୟାକୁ ଦୁଇ ଗାଁର ଲୋକେ ନିଜ ନିଜ ଭିତରେ ବାଣ୍ଟି ନେଇଛନ୍ତି ।

Left : Farmers bathing in the river by their fields.
PHOTO • Prajjwal Thakur
Right: Kunti Pane sitting in front of her farm
PHOTO • Prajjwal Thakur

ବାମ: ଚାଷୀମାନେ ସେମାନଙ୍କ କ୍ଷେତ ନିକଟରେ ନଈରେ ଗାଧୋଉଛନ୍ତି । ଡାହାଣ: ତାଙ୍କ କ୍ଷେତ ଆଗରେ ବସିଛନ୍ତି କୁନ୍ତୀ ପାନେ

Watermelons (left) and cucumbers (right) grown here on the bed of the Mahanadi
PHOTO • Prajjwal Thakur
Watermelons (left) and cucumbers (right) grown here on the bed of the Mahanadi
PHOTO • Prajjwal Thakur

ମହାନଦୀର ଏହି ଶଯ୍ୟାରେ (ବାମ) ତରଭୁଜ ଏବଂ (ଡାହାଣ) କାକୁଡ଼ି ଚାଷ କରାଯାଏ

ସେ ଆମକୁ କହନ୍ତି, “ଆମର ଗାଁରେ ଗୋଟିଏ ଏକର ଜମି ଅଛି ।” କିନ୍ତୁ ସେ ଏଠାରେ ଚାଷ କରିବାକୁ ପସନ୍ଦ କରନ୍ତି ।

କୁନ୍ତୀ କହନ୍ତି, “ଆମର ସେଇ ଗୋଟିକ ଜମି ପାଇଁ ସାର, ବିହନ, ଶ୍ରମିକ ମଜୁରି ଏବଂ ପରିବହନ ବାବଦରେ ପ୍ରାୟ ୩୦,୦୦୦ରୁ ୪୦,୦୦୦ ଟଙ୍କା ଖର୍ଚ୍ଚ ହୁଏ । ଏ ସବୁ ଖର୍ଚ୍ଚ ବାଦ୍‌ ଆମକୁ ପ୍ରାୟ ୫୦,୦୦୦ ଟଙ୍କା ମିଳିଥାଏ ।”

କୁମ୍ଭାର (ଛତିଶଗଡ଼ରେ ଅନ୍ୟ ପଛୁଆ ବର୍ଗ ରୂପେ ତାଲିକାଭୁକ୍ତ) ସଂପ୍ରଦାୟର କୁନ୍ତୀ କହନ୍ତି ଯେ, ମାଟିରେ ହାଣ୍ଡି ଓ ଅନ୍ୟାନ୍ୟ ସାମଗ୍ରୀ ସହିତ ମୂର୍ତ୍ତି ଗଢ଼ିବା ତାଙ୍କ ସଂପ୍ରଦାୟର ପାରମ୍ପରିକ ବେଉସା । ଦୀପାବଳି ଓ ପୋଲା ଉତ୍ସବ ସମୟରେ କୁନ୍ତୀ ମାଟିପାତ୍ର ତିଆରି କରନ୍ତି । ସେ ଆହୁରି କହନ୍ତି, “ମାଟିକାମକୁ ମୁଁ ଅଧିକ ପସନ୍ଦ କରେ । ହେଲେ ବର୍ଷ ସାରା ତାହା କରିପାରିବୁନି ।” ମହାରାଷ୍ଟ୍ର ଓ ଛତିଶଗଡ଼ର ଚାଷୀମାନେ ପୋଲା ଉତ୍ସବ ପାଳନ କରନ୍ତି । ଏହି ଉତ୍ସବ ପାଳନର କେନ୍ଦ୍ରବିନ୍ଦୁରେ ଥାଆନ୍ତି ଷଣ୍ଢ ଓ ବଳଦ ଏବଂ କୃଷି ଓ ଚାଷବାସରେ ସେମାନଙ୍କ ଭୂମିକା । ସାଧାରଣତଃ ଏହା ଅଗଷ୍ଟ ମାସରେ ପାଳିତ ହୋଇଥାଏ ।

*****

ରାୟପୁର ଜିଲ୍ଲାର ଛୁରା ବ୍ଲକ୍‌ ଅନ୍ତର୍ଗତ ପାରାଗାଓଁ ଗାଁର ଏକ ପଥର ଖଣି ବା କ୍ୱାରୀରେ କାମ କରନ୍ତି ୨୯ ବର୍ଷୀୟ ସ୍ନାତକ ଡିଗ୍ରୀଧାରୀ ଯୁବକ ଜଗଦୀଶ ଚକ୍ରଧାରୀ । ଆଉ କିଛି ଅଧିକ ରୋଜଗାର ପାଇଁ ସେ ନଦୀଶଯ୍ୟାରେ ଥିବା ତାଙ୍କ ପରିବାରର କ୍ଷେତରେ ଚାରି ବର୍ଷ ହେଲା କାମ କରିଆସୁଛନ୍ତି । ତାଙ୍କ ପରିବାର ଭରଣପୋଷଣରେ ସହାୟତା ପାଇଁ ଛାତ୍ର ଜୀବନରୁ ସେ ଦିନକୁ ୨୫୦ ଟଙ୍କା ମଜୁରିରେ ପଥର କ୍ୱାରୀରେ କାମ କରିଆସୁଛନ୍ତି ।

Left: Jagdish Chakradhari sitting in his hut beside his farm.
PHOTO • Prajjwal Thakur
Right: Indraman Chakradhari in front of his farm
PHOTO • Prajjwal Thakur

ବାମ: ତାଙ୍କ କ୍ଷେତ ପାଖ କୁଡ଼ିଆରେ ବସିଛନ୍ତି ଜଗଦୀଶ ଚକ୍ରଧାରୀ । ଡାହାଣ: ନିଜ କ୍ଷେତ ସାମନାରେ ଇନ୍ଦ୍ରମାନ ଚକ୍ରଧାରୀ

Left: Indraman Chakradhari and Rameshwari Chakradhari standing on their field.
PHOTO • Prajjwal Thakur
Right: Muskmelon grown on the fields of Mahanadi river
PHOTO • Prajjwal Thakur

ବାମ: ସେମାନଙ୍କ ଜମିରେ ଠିଆ ହୋଇଛନ୍ତି ଇନ୍ଦ୍ରମାନ ଚକ୍ରଧାରୀ ଏବଂ ରାମେଶ୍ୱରୀ ଚକ୍ରଧାରୀ । ଡାହାଣ: ମହାନଦୀ ଶଯ୍ୟାରେ ଚାଷ କରାଯାଇଥିବା ଖରଭୁଜ

ତାଙ୍କ ବାପା ୫୫ ବର୍ଷୀୟ ଶତ୍ରୁଘନ ଚକ୍ରଧାରୀ, ଏବଂ ୫୦ ବର୍ଷୀୟା ମାଆ ଦୁଲାରିବାଇ ଚକ୍ରଧାରୀ ଏବଂ ୧୮ ବର୍ଷୀୟା ଭଉଣୀ ତେଜସ୍ୱିନୀ ମଧ୍ୟ ମହାନଦୀରେ ଥିବା ଏହି ଚାଷଜମିରେ କାମ କରନ୍ତି । ଚକ୍ରଧାରୀ ପରିବାର ବି କୁମ୍ଭାର ସଂପ୍ରଦାୟର । କିନ୍ତୁ ସେମାନେ କୌଣସି ମାଟିପାତ୍ର ଗଢ଼ିବା କାମ କରନ୍ତି ନାହିଁ କାରଣ, ଜଗଦୀଶ କହନ୍ତି, “ସେଥିରୁ ମୁଁ ବେଶୀ ରୋଜଗାର କରିପାରିବି ନାହିଁ ।”

ପାରାଗାଓଁର ଆଉ ଜଣେ କୁମ୍ଭାର ହେଲେ ୪୦ ବର୍ଷୀୟ ଇନ୍ଦ୍ରମାନ ଚକ୍ରଧାରୀ । ପୂଜୋତ୍ସବ ସମୟରେ ସେ ମାଟିରେ ଦେବୀ ଦୁର୍ଗା ଓ ଭଗବାନ ଗଣେଶଙ୍କ ମୂର୍ତ୍ତି ଗଢ଼ନ୍ତି ଏବଂ ଏହି କାମରୁ ସେ ବର୍ଷକୁ ଲକ୍ଷେ ଟଙ୍କା ରୋଜଗାର କରିପାରିବେ ବୋଲି କହନ୍ତି ।

ଇନ୍ଦ୍ରମାନ କହନ୍ତି, “ମୋ ପୁଅ ମୋ ଭଳି ଜଣେ ଚାଷୀ ହେଉ ବୋଲି ମୁଁ ଚାହେଁନି । ସେ ଯାହା କିଛି ହେଲେ କରିପାରିବ। ଚାକିରି କିମ୍ବା ଆଉ କିଛି କରିପାରିବ। ସେ ଏବେ ୧୧ଶ ଶ୍ରେଣୀରେ ପଢୁଛି ଏବଂ କମ୍ପ୍ୟୁଟର କେମିତି ବ୍ୟବହାର କରିବାକୁ ହୁଏ ତାହା ମଧ୍ୟ ଶିଖୁଛି । ସେ ମୋତେ କ୍ଷେତରେ ସାହାଯ୍ୟ କରେ। ହେଲେ ଚାଷବାସରୁ କେବଳ ଜଣକର ପେଟ ହିଁ ଯାହା ପୁରିପାରେ।”

ତାଙ୍କ ସ୍ତ୍ରୀ ରାମେଶ୍ୱରୀ ଚକ୍ରଧାରୀ ମଧ୍ୟ କ୍ଷେତରେ କାମ କରନ୍ତି ଏବଂ ମାଟିପାତ୍ର ତିଆରି କରିବା ସହିତ ମାଟିରେ ମୂର୍ତ୍ତି ଗଢ଼ନ୍ତି। “ବାହା ହେବା ପରେ ମୁଁ ଦିନ ମଜୁରିଆ ଭାବରେ କାମ କରୁଥିଲି। ମୁଁ ଏହି କାମକୁ ଏଥିପାଇଁ ପସନ୍ଦ କରେ ଯେ ଆମେ ଆମ ନିଜ ପାଇଁ କାମ କରୁଛୁ, ଅନ୍ୟ କାହା ପାଇଁ ନୁହେଁ।”

Left: Indraman Chakradhari carrying the beans he has harvested from his field to his hut to store.
PHOTO • Prajjwal Thakur
Right: Rameshwari Chakradhari working in her field
PHOTO • Prajjwal Thakur

ବାମ: ନିଜ କ୍ଷେତରେ ଫଳାଇଥିବା ବିନ୍‌ସକୁ କୁଡ଼ିଆ ଘରେ ଗଚ୍ଛିତ ରଖିବା ପାଇଁ ନେଇଯାଉଛନ୍ତି ଇନ୍ଦ୍ରମାନ ଚକ୍ରଧାରୀ । ଡାହାଣ: ରାମେଶ୍ୱରୀ ଚକ୍ରଧାରୀ ତାଙ୍କ କ୍ଷେତରେ କାମ କରୁଛନ୍ତି


Left: Shatrughan Nishad in front of his farm.
PHOTO • Prajjwal Thakur
Right: Roadside shops selling fruits from the farms in Mahanadi river
PHOTO • Prajjwal Thakur

ବାମ : ତାଙ୍କ କ୍ଷେତ ସାମନାରେ ଶତ୍ରୁଘନ ନିଷାଦ । ଡାହାଣ : ମହାନଦୀରେ ଚାଷ କରାଯାଇଥିବା ଫଳକୁ ରାସ୍ତାକଡ଼ ଦୋକାନରେ ବିକ୍ରି କରାଯାଏ

ତିନି ପିଢ଼ି ଧରି ଏଠାରେ ଚାଷକାମ କରିଆସୁଛନ୍ତି ମହାସମନ୍ଦ ଜିଲ୍ଲା ଘୋଡ଼ାରି ଗାଁର ଶତ୍ରୁଘନ ନିଷାଦଙ୍କ ପରିବାର । ୫୦  ବର୍ଷୀୟ ଶତ୍ରୁଘନଙ୍କର ନଦୀ ଭିତରେ ଖଣ୍ଡେ ଜମି ଅଛି । ସେ କହନ୍ତି, “ଏଠାରେ ଜଣେ ମରାଠୀ ବ୍ୟକ୍ତି ତରଭୁଜ ଓ ଖରଭୁଜ ଚାଷ କରୁଥିଲେ ଏବଂ ଆମେ ତାଙ୍କ ଜମିରେ ଶ୍ରମିକ ଭାବରେ କାମ କରୁଥିଲୁ । ପରେ ଆମେ ଆମ ନିଜେ ନିଜେ ଚାଷ କାମ କଲୁ ।”

ବର୍ଷକୁ ଚାରି ମାସ ଏଠାରେ ଚାଷ କରୁଥିବା ଶତ୍ରୁଘନ କହନ୍ତି, “ଡିସେମ୍ବର ମାସରେ ଆମେ ମାଟିରେ ସାର ଦେଉ ଏବଂ ବିହନ ବୁଣି ଦେଉ ଏବଂ ଫେବ୍ରୁଆରୀରେ ଅମଳ କରୁ ।”

ଏଠାରୁ ୪୨ କିଲୋମିଟର ଦୂର ରାଜ୍ୟ ରାଜଧାନୀ ରାୟପୁରରେ ପାଇକାରୀ ପରିବା ବଜାର ବା ମଣ୍ଡି ରହିଛି । ବ୍ଲକ୍‌ ସଦର ମହକୁମା ଆରଙ୍ଗ ଏଠାରୁ ମାତ୍ର ଚାରି କିଲୋମିଟର ଦୂର ଏବଂ ତେଣୁ ଚାଷୀମାନେ ଏହାକୁ ଅଧିକ ପସନ୍ଦ କରନ୍ତି । ଏହି ସବୁ ସ୍ଥାନକୁ ଜିନିଷ ପରିବହନ ଲାଗି ପ୍ଲାଷ୍ଟିକ୍‌ ଝୁଡ଼ି ହିସାବରେ ଭଡ଼ା ଦେବାକୁ ପଡ଼େ ଏବଂ ରାୟପୁରକୁ ଝୁଡ଼ି ପିଛା ୩୦ ଟଙ୍କା ହିସାବରେ ଦେବାକୁ ପଡ଼େ ।

ଆପଣ ଯଦି କେବେ ମହାନଦୀର ଏହି ପୋଲ ଉପର ଦେଇ ଯାଆନ୍ତି, ତେବେ ହୁଏତ ଆପଣଙ୍କ ନଜରରେ ପଡ଼ିବ ତାରପୁଲିନ୍‌ରେ କାଠ ବାଡ଼ିର ଢିରା ଦେଇ ତିଆରି ହୋଇଥିବା ଅନେକ ଅସ୍ଥାୟୀ ଦୋକାନ, ଯେଉଁଥିରେ ମହାନଦୀର ଏହି ଚାଷୀମାନେ ପରିବାପତ୍ର ବିକ୍ରି କରନ୍ତି ।

ଅନୁବାଦ : ଓଡ଼ିଶାଲାଇଭ୍‍

Student Reporter : Prajjwal Thakur

ପ୍ରଜ୍ଜ୍ୱଳ ଠାକୁର ଅଜୀମ ପ୍ରେମଜୀ ବିଶ୍ୱବିଦ୍ୟାଳୟରେ ସ୍ନାତକ ଛାତ୍ର ଅଟନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Prajjwal Thakur
Editor : Riya Behl

ରିୟା ବେହ୍‌ଲ ପିପୁଲ୍‌ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆ (PARI)ର ବରିଷ୍ଠ ସହକାରୀ ସଂପାଦକ । ଜଣେ ମଲ୍‌ଟିମିଡିଆ ସାମ୍ବାଦିକ ହିସାବରେ ସେ ଲିଙ୍ଗଗତ ଏବଂ ଶିକ୍ଷା ସମ୍ବନ୍ଧୀୟ ବିଷୟରେ ଲେଖାଲେଖି କରନ୍ତି । PARI ପାଇଁ ରିପୋର୍ଟଂ କରୁଥିବା ଛାତ୍ରଛାତ୍ରୀ ଏବଂ PARIର ଲେଖାକୁ ଶ୍ରେଣୀଗୃହରେ ପହଞ୍ଚାଇବା ଲକ୍ଷ୍ୟରେ ଶିକ୍ଷକମାନଙ୍କ ସହିତ ମଧ୍ୟ ରିୟା କାର୍ଯ୍ୟ କରନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Riya Behl
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE