ପୂରା ଅଞ୍ଚଳରେ ୪୭ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଥିଲେ ମଧ୍ୟ ଏହି ସ୍ଥାନରେ ଥଣ୍ଡା ଅନୁଭୂତ ହେଉଛି ଆମଠାରୁ କିଛି ଦୂରରେ ଏମିତି ଖଣ୍ଡେ ଜାଗା ଅଛି ଯେଉଁଠି ବିଯୁକ୍ତ ୧୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ଏହା ହେଉଛି ଜଳନ୍ତା ବିଦର୍ଭରେ ‘‘ଭାରତର ପ୍ରଥମ ସ୍ନୋଡୋମ’’। ଏହାର ଆଇସ ରିଙ୍କ ଫାର୍ମ ବା ବରଫ ସ୍କେଟିଂ ପାଇଁ ବ୍ୟବହୃତ ସ୍ଥାନ ପାଇଁ ଦିନକୁ କେବଳ ୪,୦୦୦ ଟଙ୍କା ବିଦ୍ୟୁତ ଶୁଳ୍କ ଦେକାବୁ ପଡ଼ିଥାଏ।

ନାଗପୁର (ଗ୍ରାମାଞ୍ଚଳ) ଜିଲ୍ଲାର ବାଜାରଗାଓଁ ଗ୍ରାମ ପଞ୍ଚାୟତରେ ଥିବା ଫନ୍‌ ଆଣ୍ଡ୍ ଫୁଡ୍‌ ଭିଲେଜ୍ ୱାଟର ଆଣ୍ଡ ଆମ୍ୟୁଜମେଣ୍ଟ ପାର୍କରେ ଆପଣଙ୍କୁ ସ୍ୱାଗତ। ଏହି ବିଶାଳ ପରିସରରେ ଥିବା କାର୍ଯ୍ୟାଳୟରେ ଆଗନ୍ତୁକମାନଙ୍କୁ ମହାତ୍ମା ଗାନ୍ଧୀଙ୍କ ଏକ ଚିତ୍ର ଅଭିବାଦନ ଜଣାଇଥାଏ। ଏଠାରେ ଆପଣଙ୍କୁ ଦୈନିକ ଡିସ୍କୋ, ଆଇସ୍‌ ସ୍କେଟିଂ, ଆଇସ୍‌ ସ୍ଲାଇଡିଂ ଏବଂ ‘କକଟେଲ୍‌ ସହିତ ଭର୍ତ୍ତି ହୋଇ ରହିଥିବା ଏକ ବାର୍‌’ ମିଳିଯିବ। ୪୦ ଏକର ପରିମିତ ଏହି ପାର୍କରେ ୧୮ ପ୍ରକାର ୱାଟର୍‌ ସ୍ଲାଇଡ୍‌ ଏବଂ ଜଳକ୍ରୀଡ଼ା ସୁବିଧା ରହିଛି। ଏଠାରେ କନଫରେନ୍ସଠାରୁ ଆରମ୍ଭ କରି କିଟ୍ଟୀ ପାର୍ଟୀ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସେବା ଯୋଗାଇ ଦିଆଯାଇଥାଏ।

ସେହି ବାଜାରଗାଓଁ (ଜନସଂଖ୍ୟା ୩,୦୦୦) ଗ୍ରାମରେ ଉତ୍କଟ ଜଳ ସଙ୍କଟ ଦେଖାଦେଇଥାଏ। ସ୍ଥାନୀୟ ସରପଞ୍ଚ ଯମୁନାବାଇ ୟୁଇକେ କୁହନ୍ତି, ‘‘ପାଣି ଆଣିବା ପାଇଁ ଗାଁର ମହିଳାମାନଙ୍କୁ ଅନେକ ଚକ୍କର ଲଗାଇବାକୁ ପଡ଼ିଥାଏ, ଦିନକୁ ସେମାନେ ପ୍ରାୟ ୧୫ କିଲୋମିଟର ପର୍ଯ୍ୟନ୍ତ ଚାଲିଥାନ୍ତି। ସମ୍ପୂର୍ଣ୍ଣ ଗାଁରେ ମାତ୍ର ଗୋଟିଏ ସରକାରୀ କୂଅ ରହିଛି। ବେଳେବେଳେ ଆମକୁ ଚାରି କିମ୍ବା ପାଞ୍ଚ ଦିନରେ ଥରେ ପାଣି ମିଳିଥାଏ। ଆଉ କେବେ ଦଶ ଦିନରେ ଥରେ।’’

ବାଜାରଗାଓଁକୁ ୨୦୦୪ରେ ମରୁଡ଼ି ପ୍ରଭାବିତ କ୍ଷେତ୍ର ଭାବେ ଘୋଷଣା କରାଯାଇଥିଲା। ଏହି ଅଞ୍ଚଳ ପୂର୍ବରୁ କେବେ ଏଭଳି ସ୍ଥିତିର ସମ୍ମୁଖିନ ହୋଇନଥିଲା। ଗାଁକୁ ନିଜ ଭାଗ ଆକାରରେ ଛଅ ଘଣ୍ଟା – ଏବଂ ସବୁଠୁ ଖରାପ କଥା ହେଉଛି – ପ୍ରାୟ ମେ ମାସ ପର୍ଯ୍ୟନ୍ତ ବିଦ୍ୟୁତ କାଟ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଥାଏ। ଏହା ଗାଁ ଲୋକଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଥାଏ। ଲୋକଙ୍କ ସ୍ୱାସ୍ଥ୍ୟ ଏବଂ ପରୀକ୍ଷା ପାଇଁ ପାଠ ପଢ଼ୁଥିବା ପିଲାମାନେ ବେଶୀ ସମସ୍ୟାରେ ପଡ଼ିଥାନ୍ତି। ଗ୍ରୀଷ୍ମ ଋତୁରେ ତାପମାତ୍ରା ୪୭ ଡିଗ୍ରୀ ଛୁଇଁଲେ ପରିସ୍ଥିତି ଆହୁରି ଗମ୍ଭୀର ହୋଇଯାଏ।

ଗ୍ରାମୀଣ ଜୀବନର ଏସବୁ କଠୋର ଆଇନ ଫନ୍‌ ଏଣ୍ଡ ଫୁଡ୍‌ ଭିଲେଜ୍‌ ପରିସରରେ ଲାଗୁ ହୁଏ ନାହିଁ। ଘରୋଇ ସଂସ୍ଥା ଓସିସକୁ ଯେତିକି ପାଣି ମିଳିଥାଏ ବାଜାରଗାଓଁର ବାସିନ୍ଦାମାନେ ସେତିକି ପାଣି ପାଇବାକୁ ସ୍ୱପ୍ନରେ ସୁଦ୍ଧା ଭାବି ପାରିବେ ନାହିଁ। ଆହୁରି ଗୋଟିଏ ମୁହୂର୍ତ୍ତ ସୁଦ୍ଧା ବିଦ୍ୟୁତ ଯୋଗାଣ ବନ୍ଦ ହୁଏ ନାହିଁ। ‘‘ଆମେ ହାରାହାରୀ ଆଧାରରେ ବିଦ୍ୟୁତ ବିଲ୍‌ ପୈଠ କରିଥାଉ। ମାସିକ ପ୍ରାୟ ୪ ଲକ୍ଷ ଟଙ୍କା,’’ ପାର୍କର ମହାପ୍ରବନ୍ଧକ ଯଶଜିତ୍‌ ସିଂ କୁହନ୍ତି।

The snowdome at the Fun & Food Village Water & Amusement Park in Bazargaon in Nagpur (Rural) district
PHOTO • P. Sainath
PHOTO • P. Sainath

ବାମ: ନାଗପୁର (ଗ୍ରାମାଞ୍ଚଳ) ଜିଲ୍ଲାରେ ଥିବା ଫନ୍‌ ଆଣ୍ଡ ଫୁଡ୍‌ ଭିଲେଜ୍‌ ୱାଟର ଆଣ୍ଡ ଆମ୍ୟୁଜମେଣ୍ଟ ପାର୍କରେ ଥିବା ସ୍ନୋ ଡୋମ୍‌। ଡାହାଣ : ସ୍ନୋଡୋମ ଭିତର

ପାର୍କ ମାସକୁ ଯେତିକି ଟଙ୍କାର ବିଦ୍ୟୁତ ବିଲ୍‌ ଦେଇଥାଏ ତାହା ଯମୁନାବାଇ ଗ୍ରାମ ପଞ୍ଚାୟତର ବାର୍ଷିକ ରାଜସ୍ୱ ସହିତ ପ୍ରାୟ ସମାନ। ବିଡ଼ମ୍ବନାର ବିଷୟ ହେଉଛି ପାର୍କ କାରଣରୁ ଗାଁର ବିଦ୍ୟୁତ ସଂକଟ ସାମାନ୍ୟ କମ୍‌ ହୋଇଛି। ଉଭୟ ସ୍ଥାନକୁ ଗୋଟିଏ ସବଷ୍ଟେସନରୁ ବିଦ୍ୟୁତ ଯୋଗାଣ କରାଯାଇଥାଏ। ମେ ମାସ ପରେ ପାର୍କରେ ଲୋକଙ୍କ ଭିଡ଼ ବଢ଼ିଥାଏ। ଆଉ ସେତେବେଳକୁ ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଯାଏ। ଏହି ପାର୍କ ଗ୍ରାମ ପଞ୍ଚାୟତକୁ ବାର୍ଷିକ ୫୦,୦୦୦ ଟଙ୍କାର ରାଜସ୍ୱ ଦେଇଥାଏ। ଏତିକି ଟଙ୍କା ଫନ୍ ଆଣ୍ଡ ଫୁଡ୍ ଭିଲେଜକୁ ଦୈନିକ ଆସୁଥିବା ୭୦୦ ପରିଦର୍ଶକଙ୍କଠାରୁ ଗେଟ୍‌ରେ ସଂଗ୍ରହ କରାଯାଉଥିବା ଶୁଳ୍କର ପ୍ରାୟ ଅଧା ହେବ। ପାର୍କରେ ୧୧୦ ଜଣ ଶ୍ରମିକ କାମ କରନ୍ତି ସେମାନଙ୍କ ମଧ୍ୟରୁ ଅତିବେଶୀରେ ୧୦-୧୨ ଜଣ ସ୍ଥାନୀୟ ଲୋକ ଅଛନ୍ତି।

ଜଳ ସଂକଟଗ୍ରସ୍ତ ବିଦର୍ଭରେ ଏଭଳି ୱାଟର ପାର୍କ ଏବଂ ଆମୋଦପ୍ରମୋଦ କେନ୍ଦ୍ର ସଂଖ୍ୟା ବଢ଼ି ବଢ଼ି ଚାଲିଛି। ବୁଲଧାନାର ଶେଗାଓଁରେ ଏକ ଧାର୍ମିକ ଟ୍ରଷ୍ଟ ଗୋଟିଏ ବିଶାଳ ‘‘ଧ୍ୟାନ କେନ୍ଦ୍ର ଏବଂ ମନୋରଞ୍ଜନ ପାର୍କ’’ ଚଲାଉଛି। ଏହା ଭିତରେ ଥିବା ୩୦ ଏକର ପରିମିତ ‘କୃତ୍ରିମ ହ୍ରଦ’କୁ ବଜାୟ ରଖିବା ପାଇଁ ହେଉଥିବା ଚେଷ୍ଟା ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ବିଫଳ ହୋଇଥିଲା ଏବଂ ହ୍ରଦ ଶୁଖିଲା ପଡ଼ିଥିଲା। କିନ୍ତୁ ସେତେବେଳକୁ ପ୍ରଚୁର ପରିମାଣର ପାଣି ବରବାଦ ହୋଇସାରିଥିଲା। ଏଠାରେ ପ୍ରବେଶ ଟିକେଟକୁ ‘‘ଦାନ’’ ବୋଲି କୁହାଯାଏ। ୟୱତମାଲରେ, ଏକ ଘରୋଇ କମ୍ପାନୀ ଗୋଟିଏ ସର୍ବସାଧାରଣ ହ୍ରଦକୁ ପର୍ଯ୍ୟଟନ ସ୍ଥଳୀ ରୂପରେ ପରିଚାଳିତ କରିଥାଏ। ଅମରାବତୀରେ ଏପରି ଦୁଇରୁ ଅଧିକ ସ୍ଥାନ (ଯାହା ଏବେ ଶୁଖିଲା)ରହିଛି। ନାଗପୁର ଭିତରେ ଓ ବାହାରେ ଏମିତି ଆହୁରି କିଛି ସ୍ଥାନ ରହିଛି।

ଏପରି ଏକ କ୍ଷେତ୍ରରେ ଏସବୁ ଦେଖିବାକୁ ମିଳୁଛି ଯେଉଁଠି ଗାଁଗୁଡ଼ିକରେ ୧୫ ଦିନରେ ଥରେ ପାଣି ମିଳିଥାଏ। ଆହୁରି ଏହି ସ୍ଥାନରେ ମହାରାଷ୍ଟ୍ରର ସବୁଠୁ ଗମ୍ଭୀର କୃଷି ସଂକଟ ଦେଖା ଦେଇଥାଏ ଏବଂ ବହୁସଂଖ୍ୟାରେ ଚାଷୀ ଆତ୍ମହତ୍ୟା କରିଥାନ୍ତି। ନାଗପୁରରେ ଅବସ୍ଥାପିତ ସାମ୍ବାଦିକ ଜୟଦୀପ ହାର୍ଦ୍ଦିକର କୁହନ୍ତି, ‘‘ଅନେକ ଦଶନ୍ଧି ଧରି ନାଗପୁରରେ ଗୋଟିଏ ହେଲେ ଜଳସେଚନ କିମ୍ବା ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରିନାହିଁ।’’ ବର୍ଷ ବର୍ଷ ଧରି ସେ ଏହି ଅଞ୍ଚଳରେ ଖବର ସଂଗ୍ରହ କରି ଆସୁଛନ୍ତି।

A religious trust runs a large Meditation Centre and Entertainment Park in Shegaon, Buldhana.  It tried to maintain a 30-acre artificial lake within its grounds. The water body soon ran dry but not before untold amounts of water were wasted on it
PHOTO • P. Sainath
A religious trust runs a large Meditation Centre and Entertainment Park in Shegaon, Buldhana.  It tried to maintain a 30-acre artificial lake within its grounds. The water body soon ran dry but not before untold amounts of water were wasted on it
PHOTO • P. Sainath

ବୁଲଧାନାର ଶେଗାଓଁରେ ଏକ ଧାର୍ମିକ ଟ୍ରଷ୍ଟ ଗୋଟିଏ ବିଶାଳ ‘ଧ୍ୟାନ କେନ୍ଦ୍ର ଏବଂ ମନୋରଞ୍ଜନ ପାର୍କ’ ଚଲାଉଛି। ଏହା ଭିତରେ ଥିବା ୩୦ ଏକର ପରିମିତ ‘କୃତ୍ରିମ ହ୍ରଦ’କୁ ବଜାୟ ରଖିବା ପାଇଁ ହେଉଥିବା ଚେଷ୍ଟା ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ବିଫଳ ହୋଇଥିଲା ଏବଂ ହ୍ରଦ ଶୁଖିଲା ପଡ଼ିଥିଲା। କିନ୍ତୁ ସେତେବେଳକୁ ପ୍ରଚୁର ପରିମାଣର ପାଣି ବରବାଦ ହୋଇସାରିଥିଲା

ଯଶଜିତ୍‌ ସିଂ ଜୋର ଦେଇ କୁହନ୍ତି ଯେ ଫନ୍‌ ଆଣ୍ଡ ଫୁଡ୍‌ ଭିଲେଜ୍‌ ଜଳ ସଂରକ୍ଷଣ କରିଥାଏ। ‘‘ସମାନ ପାଣିକୁ ପୁନଃବ୍ୟବହାର କରିବା ଲାଗି ଆମେ ପରିସ୍କୃତ ଫିଲ୍ଟର ପ୍ଲାଣ୍ଟ ବ୍ୟବହାର କରିଥାଉ।’’ କିନ୍ତୁ ଏଠାକାର ଅତି ଉଚ୍ଚ ତାପମାତ୍ରାରେ ବାଷ୍ପୀକରଣ ସ୍ତର ଖୁବ୍‌ ଅଧିକ ଥାଏ। ଆହୁରି ଏଠାରେ କେବଳ ଜଳକ୍ରୀଡ଼ା ପାଇଁ ପାଣି ବ୍ୟବହାର କରାଯାଏ ନାହିଁ। ସବୁ ପାର୍କରେ ଥିବା ବଗିଚା ରକ୍ଷଣାବେକ୍ଷଣ, ସ୍ୱଚ୍ଛତା ଏବଂ ଗ୍ରାହକଙ୍କ ବ୍ୟବହାର ଉଦ୍ଦେଶ୍ୟରେ ପ୍ରଚୁର ମାତ୍ରାରେ ଜଳ ଉପଯୋଗ କରାଯାଇଥାଏ।

ବୁଲଧାନାର ବିନାୟକ ଗାଏକୱାଡ୍‌ କୁହନ୍ତି, ‘‘ଏହାଦ୍ୱାରା ପ୍ରଚୁର ମାତ୍ରାରେ ଜଳ ଓ ଟଙ୍କା ଅପଚୟ ହେଉଛି।’’ ବିନାୟକ ଜଣେ ଚାଷୀ ଓ ଜିଲ୍ଲାର ଜଣେ କିଷାନ ସଭା ନେତା। ସେ ଅସନ୍ତୋଷ ବ୍ୟକ୍ତ କରି କୁହନ୍ତି ଯେ, ଏହି ପ୍ରକ୍ରିୟାରେ ସର୍ବସାଧାରଣଙ୍କ ସମ୍ପତ୍ତିକୁ ଘରୋଇ କ୍ଷେତ୍ରର ଲାଭ ପାଇଁ ଉପଯୋଗ କରାଯାଉଛି। ‘‘ଏହା କରିବା ପରିବର୍ତ୍ତେ ସେମାନେ ଲୋକମାନଙ୍କର ମୌଳିକ ଜଳ ଆବଶ୍ୟକତା ପୂରଣ କରିବା ଉଚିତ୍‌।’’

ଅନ୍ୟପଟେ ବାଜାରଗାଓଁରେ ସରପଞ୍ଚ ଯମୁନବାଇ ଉଇକେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥାନ୍ତି। ଫନ୍‌ ଆଣ୍ଡ ଫୁଡ୍‌ ଭିଲେଜ ଭଳି ଅନ୍ୟ ଉଦ୍ୟୋଗଗୁଡ଼ିକ ସ୍ଥାନୀୟ ଅଞ୍ଚଳରୁ ଅନେକ ଲାଭ ନେଇଛନ୍ତି କିନ୍ତୁ ଖୁବ୍‌ କମ୍‌ ଦେଇଛନ୍ତି। ‘‘ଏଠି ସବୁ ଆମ ପାଇଁ କ’ଣ ଅଛି?’’ ସେ ଜାଣିବାକୁ ଚାହାନ୍ତି। ନିଜ ଗାଁ ପାଇଁ ଗୋଟିଏ ସାଧାରଣ ସରକାରୀ ଜଳ ପ୍ରକଳ୍ପ ପାଇବା ଲାଗି ପଞ୍ଚାୟତକୁ ୧୦ ପ୍ରତିଶତ ଖର୍ଚ୍ଚ ବହନ କରିବାକୁ ପଡ଼ିଥାଏ। ପ୍ରକଳ୍ପ ନିର୍ମାଣ କରିବାକୁ ପ୍ରାୟ ୪.୫ ଲକ୍ଷ ଟଙ୍କା ଖର୍ଚ୍ଚ ଲାଗିବ। ‘‘ଆମେ କିଭଳି ୪୫,୦୦୦ ଟଙ୍କା ଯୋଗାଡ଼ କରିପାରିବୁ? ଆମର ଅବସ୍ଥା କ’ଣ?’’ ତେଣୁ ସହଜ କଥା ଏହାକୁ କଣ୍ଟ୍ରାକ୍ଟରକୁ ହସ୍ତାନ୍ତର କରି ଦିଆଯିବ। ଏହାଦ୍ୱାରା ପ୍ରକଳ୍ପ ନିର୍ମାଣ ହୋଇପାରିବ। କିନ୍ତୁ ଦୀର୍ଘକାଳୀନ ଭିତ୍ତିରେ ଗାଁ ଲୋକଙ୍କୁ ଏହାର ଅଧିକ ମୂଲ୍ୟ ଦେବାକୁ ପଡ଼ିବ ଏବଂ ଗାଁର ଅନେକ ଗରିବ ଓ ଭୂମିହୀନ ଲୋକମାନଙ୍କର ଏହା ଉପରେ କମ୍‌ ନିୟନ୍ତ୍ରଣ ରହିବ।

ଆମେ ବାହାରି ଆସିବା ସମୟରେ ପାର୍କର କାର୍ଯ୍ୟାଳୟରେ ଗାନ୍ଧୀଜୀଙ୍କ ଫଟୋଚିତ୍ର ସେମିତି ହସୁଥିଲା। ବୋଧହୁଏ, ପାର୍କରେ ଥିବା ‘ସ୍ନୋଡୋମ’ ଆଡ଼କୁ ଦେଖି। ଏହା ସେହି ଲୋକ ପାଇଁ ଏକ ଦୁର୍ଭାଗ୍ୟ ଥିଲା ଯିଏ କହିଥିଲେ: ‘‘ସରଳ ଜୀବନ ବଞ୍ଚ, ଯାହା ଫଳରେ ଅନ୍ୟମାନେ ସହଜରେ ବଞ୍ଚିପାରିବେ।

ଏହି ଲେଖା ମୂଳତଃ ଜୁନ୍‌ ୨୨, ୨୦୦୫ରେ ଦ ହିନ୍ଦୁରେ ପ୍ରକାଶ ପାଇଥିଲା। ପି. ସାଇନାଥ ସେତେବେଳେ ଏହି ସମ୍ବାଦପତ୍ରର ଗ୍ରାମୀଣ ବ୍ୟାପାର ସମ୍ପାଦକ ଥିଲେ।

ଅନୁବାଦ: ଓଡ଼ିଶାଲାଇଭ୍‍

P. Sainath

ପି. ସାଇନାଥ, ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ । ସେ ବହୁ ଦଶନ୍ଧି ଧରି ଗ୍ରାମୀଣ ରିପୋର୍ଟର ଭାବେ କାର୍ଯ୍ୟ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭସ୍ ଏ ଗୁଡ୍ ଡ୍ରଟ୍’ ଏବଂ ‘ଦ ଲାଷ୍ଟ ହିରୋଜ୍: ଫୁଟ୍ ସୋଲଜର୍ସ ଅଫ୍ ଇଣ୍ଡିଆନ୍ ଫ୍ରିଡମ୍’ ପୁସ୍ତକର ଲେଖକ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ପି.ସାଇନାଥ
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE