ଜୀବନଭାଇ ବାରିୟା ଗତ ଚାରି ବର୍ଷ ମଧ୍ୟରେ ଦୁଇଥର ହୃଦଘାତର ଶିକାର ହୋଇସାରିଥିଲେ। ୨୦୧୮ରେ ଯେତେବେଳେ ତାଙ୍କୁ ପ୍ରଥମ ହୃଦଘାତ ହୋଇଥିଲା ସେ ଘରେ ଥିଲେ। ତାଙ୍କ ପତ୍ନୀ, ଗାଭିବେନ ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ନେଇଯାଇଥିଲେ। ଏପ୍ରିଲ ୨୦୨୨ରେ, ସେ ଆରବ ସାଗରରେ ଏକ ମାଛଧରା ଟ୍ରଲର ଚଳାଇ ଯାଉଥିବା ସମୟରେ ହଠାତ୍‌ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଏହି ସମୟରେ ତାଙ୍କର ଜଣେ ସହକର୍ମୀ ଷ୍ଟିୟରିଂ ହୁଇଲ୍‌ ଧରିଲେ ଏବଂ ଅନ୍ୟ ଜଣେ ଭୟଭୀତ ହୋଇ ତାଙ୍କୁ ଶୁଆଇ ଦେଇଥିଲେ। କୂଳରୁ ସେମାନେ ପାଞ୍ଚ ଘଣ୍ଟା ଦୂରରେ ଥିଲେ। ଦୁଇ ଘଣ୍ଟା ପରେ ଜୀବନଭାଇ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ଗାଭିବେନଙ୍କ ମନରେ ଯେଉଁ ଡର ଥିଲା ତାହା ସତ ହେଲା।

ପ୍ରଥମ ଥର ହୃଦଘାତ ହେବାର ଗୋଟିଏ ବର୍ଷ ପରେ ଜୀବନଭାଇ ଯେତେବେଳେ ମାଛ ଧରିବା ଲାଗି ନିଷ୍ପତ୍ତି ନେଲେ, ଗାଭିବେନ ଖୁବ୍‌ ଆଶଙ୍କାଗ୍ରସ୍ତ ହୋଇପଡ଼ିଥିଲେ। ସେ ଜାଣିଥିଲେ ଯେ ଏଥିରେ ବିପଦ ରହିଛି। ଜୀବନଭାଇ ମଧ୍ୟ ଏମିତି ଭାବୁଥିଲେ। ଗୁଜରାଟର ଅମ୍ରେଲି ଜିଲ୍ଲାର ଛୋଟିଆ ଉପକୂଳ ସହର ଜାଫ୍ରାବାଦରେ ନିଜର ଅଳ୍ପ ଆଲୋକିତ କୁଡ଼ିଆରେ ବସିଥିବା ଗାଭିବେନ କୁହନ୍ତି, ‘‘ମୁଁ ତାଙ୍କୁ ଏଥିପାଇଁ ବାରଣ କରିଥିଲି।’’

କିନ୍ତୁ ସେହି ସହରର ଅଧିକାଂଶ ଲୋକଙ୍କ ଭଳି, ୬୦ ବର୍ଷ ବୟସ୍କ ଜୀବନଭାଇ ଜାଣିଥିଲେ ଯେ ମାଛଧରା ବ୍ୟତୀତ ତାଙ୍କ ପାଖରେ ଆଉ କୌଣସି କାମ ନାହିଁ। ଏଥିରୁ ସେ ବାର୍ଷିକ ୨ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି। ଗାଭିବେନ (୫୫) କୁହନ୍ତି, ‘‘୪୦ ବର୍ଷ ଧରି ସେ ଏହି ବେଉସାରେ ଅଛନ୍ତି। ହୃଦଘାତ ହେବା ପରେ ସେ ଯେତେବେଳେ ଗୋଟିଏ ବର୍ଷ ବିଶ୍ରାମ ନେଇଥିଲେ, ଘର ଖର୍ଚ୍ଚ ତୁଲାଇବା ପାଇଁ ମୁଁ ଶ୍ରମିକ ଭାବେ କାମ କରିଥିଲି (ଅନ୍ୟ ମତ୍ସ୍ୟଜୀବୀଙ୍କ ମାଛ ଶୁଖାଉଥିଲି)। ସେ ସୁସ୍ଥ ଅନୁଭବ କରିବା ପରେ ପୁଣିଥରେ କାମକୁ ଯିବା ପାଇଁ ନିଷ୍ପତ୍ତି ନେଲେ।’’

ଜାଫ୍ରାବାଦର ବଡ଼ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ଜଣଙ୍କ ଟ୍ରଲରରେ ଜୀବନଭାଇ କାମ କରୁଥିଲେ। ମୌସୁମୀ ଋତୁକୁ ଛାଡ଼ି- ବର୍ଷରେ ଆଠ ମାସ ଏହି ମତ୍ସ୍ୟଜୀବୀମାନେ ୧୦-୧୫ ଦିନ ପାଇଁ ଆରବ ସାଗରକୁ ଏସବୁ ଟ୍ରଲର ନେଇ ଯାଆନ୍ତି। ପ୍ରାୟ ଦୁଇ ସପ୍ତାହ ଚଳିବା ପାଇଁ ସେମାନଙ୍କ ପାଖରେ ଯଥେଷ୍ଟ ପାଣି ଓ ଖାଦ୍ୟ ରହିଥାଏ।

ଗାଭିବେନ କୁହନ୍ତି, ‘‘ଜରୁରି ସେବାଠାରୁ ଅପହଞ୍ଚ, ଦୂର ସମୁଦ୍ର ଗର୍ଭରେ ସବୁବେଳେ ରହିବା ନିରାପଦ ନୁହେଁ। ସେମାନଙ୍କ ପାଖରେ କେବଳ ପ୍ରାଥମିକ ଚିକିତ୍ସା ଉପକରଣ ଥାଏ। ଜଣେ ହୃଦରୋଗୀ ପାଇଁ ଏହା ଆହୁରି ବିପଜ୍ଜନକ ହୋଇଥାଏ।’’

Gabhiben holding a portrait of her late husband, Jeevanbhai, at their home in Jafrabad, a coastal town in Gujarat’s Amreli district
PHOTO • Parth M.N.

ଗୁଜରାଟର ଅମ୍ରେଲି ଜିଲ୍ଲାର ଏକ ଉପକୂଳ ସହର ଜାଫ୍ରାବାଦରେ ଥିବା ନିଜ ଘରେ ପରଲୋକଗତ ସ୍ୱାମୀ ଜୀବନଭାଇଙ୍କ ଏକ ଫଟୋ ଧରିଛନ୍ତି ଗାଭିବେନ

ଭାରତୀୟ ରାଜ୍ୟମାନଙ୍କ ମଧ୍ୟରେ ଗୁଜରାଟର ସବୁଠୁ ଲମ୍ବା ଉପକୂଳ ରହିଛି – ଏହା ୧୩ଟି ଜିଲ୍ଲା ଏବଂ ୩୯ଟି ତାଲୁକାରେ ୧,୬୦୦ କିଲୋମିଟର ଦୈର୍ଘ୍ୟ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇ ରହିଛି। ଏଠାରେ ଦେଶର ୨୦ ପ୍ରତିଶତ ସାମୁଦ୍ରିକ ଉତ୍ପାଦନ ହୋଇଥାଏ। ମତ୍ସ୍ୟ ଆୟୋଗଙ୍କ ୱେବସାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ, ୧,୦୦୦ରୁ ଅଧିକ ଗାଁର ପାଞ୍ଚ ଲକ୍ଷରୁ ଅଧିକ ଲୋକ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ନିୟୋଜିତ ରହିଛନ୍ତି।

ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ପ୍ରତି ବର୍ଷ ପ୍ରାୟ ଚାରି ମାସ ସମୁଦ୍ରରେ ବିତାଇଥାନ୍ତି ଏବଂ ଏହି ସମୟରେ ସେମାନେ ଚିକିତ୍ସା ସେବାରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚିତ ରହିଥାନ୍ତି।

ପ୍ରଥମ ଥର ହୃଦଘାତ ହେବା ପରେ ଜୀବନଭାଇ ଯେତେଥର ସମୁଦ୍ରକୁ ଯିବାକୁ ବାହାରୁଥିଲେ ଗାଭିବେନଙ୍କ ଭିତରେ ମାନସିକ ଚାପ ଓ ଭୟ ସୃଷ୍ଟି ହେଉଥିଲା। ଆଶା ଓ ଭୟ ମଧ୍ୟରେ ଦୋଳାୟମାନ ଜୀବନଭାଇଙ୍କ କଥା ମନେ ପକାଇ ଗାଭିବେନ ଏକୁଟିଆ ଅନେକ ରାତି ଅନିଦ୍ରା ହୋଇ ରହୁଥିଲେ, କେବଳ ଛାତ ପଙ୍ଖାକୁ ଚାହିଁ ତାଙ୍କର ସମୟ ବିତୁଥିଲା। ଜୀବନଭାଇ ଘରକୁ ନିରାପଦ ଭାବେ ଫେରିଲେ ସେ ଆଶ୍ୱସ୍ତ ହେଉଥିଲେ।

ଶେଷରେ ସେହିଦିନ ଆସିଥିଲା, ଯେଉଁଦିନ ଜୀବନଭାଇ ସୁରକ୍ଷିତ ଫେରିନଥିଲେ।

*****

ପାଞ୍ଚ ବର୍ଷ ପୂର୍ବରୁ ଗୁଜରାଟ ସରକାର ହାଇକୋର୍ଟରେ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରିଥିଲେ ହୁଏତ’ ଜୀବନଭାଇଙ୍କ ଭାଗ୍ୟ ଭିନ୍ନ ହୋଇଥାନ୍ତା।

ଏପ୍ରିଲ ୨୦୧୭ରେ, ଜାଫ୍ରାବାଦ ତଟରୁ କିଛି ଦୂରରେ ଥିବା ଏକ ଦ୍ୱୀପ ଶିୟାଲ ବେଟର ଜଣେ ବାସିନ୍ଦା ୭୦ ବର୍ଷୀୟ ଜନ୍ଦୁରଭାଇ ବାଲାଧିୟା ବୋଟ ଆମ୍ବୁଲାନ୍ସ ପାଇଁ ବହୁଦିନ ପୁରୁଣା ଦାବିକୁ କାର୍ଯ୍ୟକାରୀ କରିବା ଲାଗି ଗୁଜରାଟ ହାଇକୋର୍ଟରେ ଏକ ଜନ ସ୍ୱାର୍ଥ ମାମଲା ଦାୟର କରିଥିଲେ। ଏହି ମାମଲା ଦାୟର କରିବାରେ ତାଙ୍କର ମାର୍ଗଦର୍ଶନ କରିଥିଲେ ୪୩ ବର୍ଷ ବୟସ୍କ ଆଇନଜୀବୀ ତଥା ସାମାଜିକ କର୍ମୀ ଅରବିନ୍ଦଭାଇ ଖୁମାନ। ସେ ଦୁର୍ବଳ ସମୁଦାୟଙ୍କ ଅଧିକାର ପାଇଁ ଅହମ୍ମଦାବାଦସ୍ଥିତ ଏକ ସଂଗଠନ ସେଣ୍ଟର ଫର ସୋସିଆଲ ଜଷ୍ଟିସରେ କାର୍ଯ୍ୟ କରୁଛନ୍ତି।

ହାଇକୋର୍ଟରେ ଦାୟର ଆବେଦନରେ ଦର୍ଶାଯାଇଥିଲା ଯେ, ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୧ରେ ବଞ୍ଚିବାର ଅଧିକାର ପାଇଁ ଗ୍ୟାରେଣ୍ଟି ପ୍ରଦାନ କରାଯାଇଛି, କିନ୍ତୁ ରାଜ୍ୟ ସରକାର ଏହାକୁ ଅଣଦେଖା କରି ମତ୍ସ୍ୟଜୀବୀମାନଙ୍କର ‘‘ମୌଳିକ ଓ ସାମ୍ବିଧାନିକ ଅଧିକାରର ଉଲ୍ଲଙ୍ଘନ’’ କରୁଛନ୍ତି।

ଏଥିରେ ମତ୍ସ୍ୟପାଳନ ସମ୍ମେଳନ, ୨୦୦୭ର କାର୍ଯ୍ୟ ବିଷୟରେ ଉଲ୍ଲେଖ କରାଯାଇଥିଲା, ଯାହାକି ‘‘ବ୍ୟବସାୟିକ ସୁରକ୍ଷା, ସ୍ୱାସ୍ଥ୍ୟ ରକ୍ଷା ଓ ଚିକିତ୍ସା ଯତ୍ନ ସଂକ୍ରାନ୍ତରେ ସର୍ବନିମ୍ନ ଆବଶ୍ୟକତା’’ ନିର୍ଦ୍ଧାରଣ କରିଥାଏ।

Standing on the shore of Jafrabad's coastline, 55-year-old Jeevanbhai Shiyal says fisherfolk say a silent prayer before a trip
PHOTO • Parth M.N.

ଜାଫ୍ରାବାଦର  ସମୁଦ୍ର ଉପକୂଳରେ ଛିଡ଼ା ହୋଇଥିବା ୫୫ ବର୍ଷ ବୟସ୍କ ଜୀବନଭାଇ ଶିୟାଲ କୁହନ୍ତି ଯେ ମତ୍ସ୍ୟଜୀବୀମାନେ ଯାତ୍ରା କରିବା ପୂର୍ବରୁ ନିରବ ପ୍ରାର୍ଥନା କରିଥାନ୍ତି

ରାଜ୍ୟ ସରକାରଙ୍କଠାରୁ ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ମିଳିବା ପରେ ଅଗଷ୍ଟ ୨୦୧୭ରେ ହାଇକୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଇ ମନୀଷା ଲବକୁମାର ଅଦାଲତଙ୍କୁ କହିଥିଲେ ଯେ, ସରକାର ‘‘ମତ୍ସ୍ୟଜୀବୀ ଏବଂ ଉପକୂଳବର୍ତ୍ତୀ କ୍ଷେତ୍ରରେ ରହୁଥିବା ଲୋକଙ୍କ ଅଧିକାରକୁ ନେଇ ଅତ୍ୟନ୍ତ ଗମ୍ଭୀର ରହିଛନ୍ତି।’’

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅଦାଲତଙ୍କ ରାୟରେ ଦର୍ଶାଯାଇଥିଲା ଯେ ରାଜ୍ୟ ସରକାର ୭ଟି ବୋଟ ଆମ୍ବୁଲାନ୍ସ କିଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଏବଂ ୧,୬୦୦ କିଲୋମିଟର ଲମ୍ବା ଉପକୂଳରେ ‘‘କୌଣସି ପ୍ରକାର ଜରୁରି ପରିସ୍ଥିତି ମୁକାବିଲା ପାଇଁ ଏଗୁଡ଼ିକ ସମ୍ପୂର୍ଣ୍ଣ ପ୍ରସ୍ତୁତ’’।

ପାଞ୍ଚ ବର୍ଷ ବିତିଯିବା ପରେ ମଧ୍ୟ, ମତ୍ସ୍ୟଜୀବୀମାନେ ଏହିପରି ଜରୁରି ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖିନ ହେଉଛନ୍ତି। କିନ୍ତୁ ପ୍ରତିଶ୍ରୁତି ଦିଆଯାଇଥିବା ସାତଟି ଆମ୍ବୁଲାନ୍ସ ମଧ୍ୟରୁ ଏବେ ସୁଦ୍ଧା କେବଳ ଦୁଇଟି କାର୍ଯ୍ୟକ୍ଷମ ହୋଇପାରିଛି। ଗୋଟିଏ ଓଖା ଏବଂ ଅନ୍ୟଟି ପୋରବନ୍ଦରଠାରେ ନିୟୋଜିତ ରହିଛି।

ଜାଫ୍ରାବାଦଠାରୁ ଉତ୍ତରରେ ୨୦ କିଲୋମିଟର ଦୂରରେ ଥିବା ଛୋଟିଆ ସହର ରାଜୁଲାରେ ରହୁଥିବା ଅରବିନ୍ଦ ଭାଇ କୁହନ୍ତି, ‘‘ଅଧିକାଂଶ ଉପକୂଳ କ୍ଷେତ୍ର ବିପଦପ୍ରବଣ। ପାଣିରେ ଚାଲୁଥିବା ଆମ୍ବୁଲାନ୍ସଗୁଡ଼ିକ ସ୍ପିଡ୍‌ ବୋଟ୍‌ ହୋଇଥିବା ବେଳେ ଏସବୁ ମାଛଧରା ଟ୍ରଲରଙ୍କଠାରୁ ଦୁଇଗୁଣା ଅଧିକ ବେଗରେ ଗତି କରିଥାନ୍ତି। ମତ୍ସ୍ୟଜୀବୀମାନେ ଏହି ସମୟରେ ଉପକୂଳକୁ ଆସୁନଥିବା କାରଣରୁ ଏଭଳି ଆମ୍ବୁଲାନ୍ସର ଜରୁରି ଆବଶ୍ୟକତା ରହିଛି।’’

ଜୀବନଭାଇ ଯେତେବେଳେ ପ୍ରାଣଘାତୀ ହୃଦଘାତର ଶିକାର ହୋଇଥିଲେ, ସେହି ସମୟରେ ସେ ଉପକୂଳଠାରୁ ୪୦ ନଟିକାଲ ମାଇଲ୍ସ ବା ପାଖାପାଖି ୭୫ କିଲୋମିଟର ଦୂରରେ ଥିଲେ। ୨୦ ବର୍ଷ ପୂର୍ବରୁ, ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରରେ ଏତେ ଦୂର ପର୍ଯ୍ୟନ୍ତ ଯିବାକୁ ପଡ଼ୁନଥିଲା।

ଗାଭିବେନ କୁହନ୍ତି, ‘‘ସେ ଯେତେବେଳେ ପ୍ରଥମେ ପ୍ରଥମେ ମାଛ ଧରିବା ଆରମ୍ଭ କଲେ ପାଞ୍ଚରୁ ଆଠ ନଟିକାଲ ମାଇଲ୍ସ ଦୂରରେ ଯଥେଷ୍ଟ ମାଛ ମିଳି ଯାଉଥିଲା। ସେଠି ପହଞ୍ଚିବାକୁ ଉପକୂଳରୁ ଘଣ୍ଟେ କିମ୍ବା ଦୁଇ ଘଣ୍ଟା ସମୟ ଲାଗୁଥିଲା। ଗତ କିଛି ବର୍ଷ ମଧ୍ୟରେ, ପରିସ୍ଥିତି ଅଧିକ ଖରାପ ହୋଇଯାଇଛି। ବର୍ତ୍ତମାନ, ଆମକୁ ଉପକୂଳରୁ ୧୦ କିମ୍ବା ୧୨ ଘଣ୍ଟା ଦୂର ସମୁଦ୍ର ଭିତରକୁ ଯିବାକୁ ପଡ଼ୁଛି।’’

Gabhiben recalls the stress and anxiety she felt every time Jeevanbhai set off to sea after his first heart attack. Most fisherfolk in Gujarat are completely cut off from medical services during time they are at sea
PHOTO • Parth M.N.

ପ୍ରଥମେ ହୃଦଘାତର ଶିକାର ହେବା ପରେ ଜୀବନଭାଇ ପ୍ରତ୍ୟେକ ଥର ସମୁଦ୍ରକୁ ମାଛ ମାରିବାକୁ ଯିବା ସମୟରେ ଗାଭିବେନ କିଭଳି ଚାପ ଓ ଭୟର ଅନୁଭବ କରୁଥିଲେ ତାହା ସେ କହିଥାନ୍ତି। ସମୁଦ୍ର ଗର୍ଭରେ ଥିବା ସମୟରେ ଗୁଜରାଟର ଅଧିକାଂଶ ମତ୍ସ୍ୟଜୀବୀ ସମ୍ପୂର୍ଣ୍ଣ ଭାବେ ଚିକିତ୍ସା ସେବାରୁ ବଞ୍ଚିତ ରହିଥାନ୍ତି

*****

ଉପକୂଳରେ ପ୍ରଦୂଷଣ ବଢ଼ିବା ଏବଂ ହେନ୍ତାଳ ବନର ଘନତ୍ୱ ହ୍ରାସ ପାଇବା: ଏହି ଦୁଇଟି କାରଣ ପାଇଁ ମତ୍ସ୍ୟଜୀବୀମାନେ ଦୂର ସମୁଦ୍ର ଗର୍ଭକୁ ଯିବାକୁ ବାଧ୍ୟ ହେଉଛନ୍ତି।

ନ୍ୟାସନାଲ ଫିସରୱାର୍କର୍ସ ଫୋରମର ସମ୍ପାଦକ ଉସମାନ ଗନି କୁହନ୍ତି, ଉପକୂଳବର୍ତ୍ତୀ କ୍ଷେତ୍ରରେ ବ୍ୟାପକ ପ୍ରଦୂଷଣ କାରଣରୁ ସାମୁଦ୍ରିକ ପରିବେଶ ପରିତନ୍ତ୍ର ଉପରେ ଗମ୍ଭୀର କୁପ୍ରଭାବ ପଡ଼ୁଛି। ସେ କୁହନ୍ତି, ‘‘ପ୍ରଦୂଷଣ କାରଣରୁ ଉପକୂଳ ନିକଟରେ ମାଛଙ୍କ ସଂଖ୍ୟା କମିଯାଉଛି, ଫଳରେ ମତ୍ସ୍ୟଜୀବୀମାନେ ବାଧ୍ୟ ହୋଇ ସମୁଦ୍ର ଭିତରକୁ ଯାଉଛନ୍ତି। ସେମାନେ ଯେତେ ଅଧିକ ଗଭୀର ସମୁଦ୍ରକୁ ଯାଉଛନ୍ତି, ଜରୁରି ସେବା ସେତେ ଅଧିକ ଜଟିଳ ହୋଇପଡ଼ୁଛି।’’

ରାଜ୍ୟ ପରିବେଶ ରିପୋର୍ଟ (ଏସଓଇ), ୨୦୧୩ର ତଥ୍ୟ ଅନୁଯାୟୀ ଗୁଜରାଟର ଉପକୂଳବର୍ତ୍ତୀ ଜିଲ୍ଲାରେ ରାସାୟନିକ, ପେଟ୍ରୋକେମିକାଲ୍ସ, ଇସ୍ପାତ ଓ ଧାତବ ଆଦି ୫୮ଟି ପ୍ରମୁଖ ଶିଳ୍ପ କାରଖାନା ରହିଛି। ୮୨୨ ଖଣି ଓ ୩୧୫୬ ପଥର ଖଣି ଲିଜ୍‌ ଦିଆଯାଇଛି। ଏହି ରିପୋର୍ଟ ୨୦୧୩ରେ ପ୍ରକାଶ ପାଇଥିବାରୁ, ବର୍ତ୍ତମାନ ଏହି ସଂଖ୍ୟା ବହୁ ପରିମାଣରେ ବୃଦ୍ଧି ପାଇଥିବ ବୋଲି ପରିବେଶ କର୍ମୀମାନେ ବିଶ୍ୱାସ କରୁଛନ୍ତି।

ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ ରାଜ୍ୟର ୭୦ ପ୍ରତିଶତ ବିଦ୍ୟୁତ ଶକ୍ତି ଉତ୍ପାଦନ ପ୍ରକଳ୍ପ ୧୩ଟି ଉପକୂଳ ଜିଲ୍ଲାରେ ରହିଛି, ଅନ୍ୟପଟେ ଅବଶିଷ୍ଟ ୨୦ଟି ଜିଲ୍ଲାରେ ମାତ୍ର ୩୦ ପ୍ରତିଶତ ପ୍ରକଳ୍ପ ଅଛି।

ବରୋଦାର ଜଣେ ପରିବେଶ ସୁରକ୍ଷା କର୍ମୀ ରୋହିତ ପ୍ରଜାପତି କୁହନ୍ତି, ‘‘ଶିଳ୍ପ ସଂସ୍ଥାମାନେ ଅଧିକାଂଶ ସମୟରେ ପରିବେଶ ନିୟମର ଉଲ୍ଲଙ୍ଘନ କରିଥାନ୍ତି। ସମସ୍ତେ ନିଜର ବର୍ଜ୍ୟଜଳକୁ ପ୍ରତ୍ୟକ୍ଷ ଭାବେ କିମ୍ବା ନଦୀ ଦେଇ ସମୁଦ୍ର ଗର୍ଭକୁ ଛାଡ଼ୁଛନ୍ତି। ଗୁଜରାଟରେ ୨୦ଟି ପ୍ରଦୂଷିତ ନଦୀ ରହିଛି। ଅଧିକାଂଶ ନଦୀ ଆରବ ସାଗରରେ ମିଶିଛନ୍ତି ।’’

ଗନି କୁହନ୍ତି ଯେ, ଉପକୂଳବର୍ତ୍ତୀ କ୍ଷେତ୍ରରେ ବିକାଶ ଆଳରେ ରାଜ୍ୟ ସରକାର ହେନ୍ତାଳ ବଣର ଘନତ୍ୱକୁ ମଧ୍ୟ ନଷ୍ଟ କରିଛନ୍ତି। ସେ ଆହୁରି କୁହନ୍ତି ଯେ, ‘‘ହେନ୍ତାଳ ବନ ଉପକୂଳକୁ ସୁରକ୍ଷା ଦେବା ସହିତ ମାଛମାନଙ୍କୁ ଅଣ୍ଡା ଦେବା ଲାଗି ଏକ ନିରାପଦ ସ୍ଥାନ ଯୋଗାଇ ଦେଇଥାଏ। କିନ୍ତୁ ଗୁଜରାଟ ଉପକୂଳରେ ଯେଉଁଠି ବ୍ୟବସାୟିକ ଶିଳ୍ପ ସଂସ୍ଥା ପ୍ରତିଷ୍ଠା କରାଯାଏ, ସେଠାରେ ହେନ୍ତାଳ ଗଛ କାଟି ଦିଆଯାଇଥାଏ। ହେନ୍ତାଳ ବନ ନଥିଲେ ମାଛମାନେ କୂଳକୁ ଆସନ୍ତି ନାହିଁ।’’

Jeevanbhai Shiyal on a boat parked on Jafrabad's shore where rows of fish are set to dry by the town's fishing community (right)
PHOTO • Parth M.N.
Jeevanbhai Shiyal on a boat parked on Jafrabad's shore where rows of fish are set to dry by the town's fishing community (right)
PHOTO • Parth M.N.

ଜାଫ୍ରାବାଦ ଉପକୂଳରେ ଅଟକି ଥିବା ଏକ ମାଛ ଧରା ଡଙ୍ଗା ଉପରେ ଅଛନ୍ତି ଜୀବନଭାଇ ଶିୟାଲ। ଏଠାରେ ସହରର ମତ୍ସ୍ୟଜୀବୀ ସମୁଦାୟଙ୍କ ଦ୍ୱାରା ଶୁଖିବା ପାଇଁ ମାଛ ଧାଡ଼ି କରି ରଖାଯାଇଛି (ଡାହାଣ)

୨୦୨୧ରେ ପ୍ରକାଶ ପାଇଥିବା ଇଣ୍ଡିଆ ଷ୍ଟେଟ୍‌ ଅଫ ଫରେଷ୍ଟ ରିପୋର୍ଟର ତଥ୍ୟ ଅନୁଯାୟୀ, ୨୦୧୯ ପରଠାରୁ ଦେଶରେ ହେନ୍ତାଳ ଜଙ୍ଗଲର ଘନତ୍ୱ ୧୭ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଗୁଜରାଟରେ ଏହା ୨ ପ୍ରତିଶତ ହ୍ରାସ ପାଇଛି।

ରିପୋର୍ଟରେ ଆହୁରି କୁହାଯାଇଛି ଯେ ଗୁଜରାଟରେ ୩୯ଟି ଉପକୂଳ ତାଲୁକା ମଧ୍ୟରୁ ୩୮ଟିରେ ଭିନ୍ନ ଭିନ୍ନ ସ୍ତରରେ ତଟରେଖା କ୍ଷରଣ ଭଳି ସମସ୍ୟା ଦେଖା ଦେଉଛି। ସାଧାରଣତଃ ହେନ୍ତାଳ ଦ୍ୱାରା ଏହାକୁ ରୋକାଯାଇପାରିବ।

ପ୍ରଜାପତି କୁହନ୍ତି ଯେ, ‘‘ହେନ୍ତାଳ ଜଙ୍ଗଲର ସୁରକ୍ଷାରେ ବିଫଳତା କାରଣରୁ ଗୁଜରାଟ ଉପକୂଳରେ ବାରମ୍ବାର ସମୁଦ୍ରର ଜଳପତନ ବୃଦ୍ଧି ପାଉଛି। ଆମେ ସମୁଦ୍ରରେ ଯେଉଁ ଶିଳ୍ପ ପ୍ରଦୂଷଣ ଛାଡ଼ିଥିଲୁ ତାହା ଏବେ ଆମ ଆଡ଼କୁ ଫେରି ଆସିଛି। ପ୍ରଦୂଷଣ ଓ (ଏହାର ପରିଣାମ ଭାବେ) ହେନ୍ତାଳ ନଷ୍ଟ ହେବା କାରଣରୁ ଉପକୂଳର ସମୁଦ୍ର ଜଳ ପ୍ରଦୂଷିତ ହୋଇ ରହୁଛି।’’

ବାଧ୍ୟ ହୋଇ ଉପକୂଳ ଠାରୁ ଦୂର ସମୁଦ୍ର ଭିତରକୁ ଯିବା କାରଣରୁ ମତ୍ସ୍ୟଜୀବୀମାନେ ଏବେ ଅଧିକ ଜଳ ସ୍ରୋତ, ଜୋର ପବନ ଏବଂ ଅପ୍ରତ୍ୟାଶିତ ପାଣିପାଗର ସମ୍ମୁଖିନ ହେଉଛନ୍ତି। ଗରିବ ମତ୍ସ୍ୟଜୀବୀମାନେ ଅଧିକ ସମସ୍ୟା ଭୋଗୁଛନ୍ତି କାରଣ ସେମାନଙ୍କର ଛୋଟ ମାଛଧରା ଡଙ୍ଗା ସମୁଦ୍ରରେ ଖରାପ ପାଣିପାଗର ମୁକାବିଲା ଲାଗି ଯଥେଷ୍ଟ ମଜବୁତ ନୁହେଁ।

ଏପ୍ରିଲ ୨୦୧୬ରେ, ସାନାଭାଇ ଶିୟାଲଙ୍କ ଡଙ୍ଗା ମଝି ସମୁଦ୍ରରେ ଭାଙ୍ଗି ଯାଇଥିଲା। ପ୍ରଖର ସ୍ରୋତରେ ମାଡ଼ ହୋଇ ଡଙ୍ଗାରେ ଛୋଟିଆ ଫାଟ ସୃଷ୍ଟି ହେଲା ଏବଂ ଧୀରେ ଧୀରେ ଡଙ୍ଗା ଭିତରକୁ ପାଣି ପ୍ରବେଶ କରିବାକୁ ଲାଗିଥିଲା। ଡଙ୍ଗାରେ ଥିବା ଆଠ ଜଣ ମତ୍ସ୍ୟଜୀବୀଙ୍କ ଚେଷ୍ଟା କିଛି କାମ ଦେଲା ନାହିଁ। ଆଖପାଖରେ କେହି ନଥିବାରୁ, କାହାଠାରୁ ସହାୟତା ମାଗିବା ମଧ୍ୟ ସମ୍ଭବ ନଥିଲା। ସେମାନେ କେବଳ ନିଜ ଭରସାରେ ରହିଥିଲେ।

ଡଙ୍ଗା ଭାଙ୍ଗିଗଲା ଓ ସମୁଦ୍ରରେ ବୁଡ଼ିଗଲା। ତା’ପୂର୍ବରୁ ମତ୍ସ୍ୟଜୀବୀମାନେ ନିଜର ଜୀବନ ବଞ୍ଚାଇବା ପାଇଁ ପ୍ରାଣ ବିକଳରେ ସମୁଦ୍ର ଭିତରକୁ ଡେଇଁ ପଡ଼ିଥିଲେ। ଭାସିବା ପାଇଁ ହାତରେ ଯେଉଁ କେତେଖଣ୍ଡ କାଠ ପଡ଼ିଲା ସେଥିରେ ସେମାନେ ପହଁରି ପହଁରି କୂଳକୁ ଫେରିବା ଲାଗି ଚେଷ୍ଟା କଲେ। ଛଅ ଜଣ ବଞ୍ଚିଗଲେ । କିନ୍ତୁ ୬୦ ବର୍ଷ ବୟସ୍କ ସାନାଭାଇଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଲା।

ବଞ୍ଚି ଯାଇଥିବା ଲୋକମାନେ ସମୁଦ୍ର ଗର୍ଭରେ ପାଖାପାଖି ୧୨ ଘଣ୍ଟା ଧରି ସେମିତି ଭାସିଥିଲେ । ତେବେ ଏକ ମାଛଧରା ଟ୍ରଲର ସେମାନଙ୍କୁ ଦେଖିବା ପରେ ଉଦ୍ଧାର କରିଥିଲା।

Jamnaben's husband Sanabhai was on a small fishing boat which broke down in the middle of the Arabian Sea. He passed away before help could reach him
PHOTO • Parth M.N.

ଯମନାବେନଙ୍କ ସ୍ୱାମୀ ସାନାଭାଇ ଏକ ଛୋଟିଆ ମାଛଧରା ଡଙ୍ଗାରେ ଥିଲେ ଯାହାକି ଆରବ ସାଗର ମଝିରେ ଭାଙ୍ଗି ବୁଡ଼ି ଯାଇଥିଲା। ସହାୟତା ପାଇବା ପୂର୍ବରୁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା

ଜାଫ୍ରାବାଦର ବାସିନ୍ଦା ସାନାଭାଇଙ୍କ ପତ୍ନୀ ଯମନାବେନ (୬୫) କୁହନ୍ତି ଯେ, ‘‘ତିନି ଦିନ ପରେ ତାଙ୍କର ମୃତଦେହ ମିଳିଲା। ଦ୍ରୁତଗାମୀ ଯନ୍ତ୍ରଚାଳିତ ଡଙ୍ଗା ତାଙ୍କୁ ବଞ୍ଚାଇ ପାରିଥାନ୍ତା କି ନାହିଁ ମୁଁ ଜାଣେ ନାହିଁ। କିନ୍ତୁ ହୁଏତ’ ତାଙ୍କ ପାଖରେ ବଞ୍ଚିବା ଲାଗି ଏକ ଭଲ ସୁଯୋଗ ତ’ ରହିଥା’ନ୍ତା। ଡଙ୍ଗାରେ କିଛି ଅସୁବିଧା ହୋଇଛି ବୋଲି ଜାଣିବା ପରେ ସେ ଜରୁରି ସହାୟତା ପାଇଁ କାହାକୁ ଅତିକମରେ ଡାକି ତ’ ପାରିଥାନ୍ତେ। ସବୁଠୁ ଖରାପ କଥା ହେଉଛି କ’ଣ ଘଟିଥିବ ତା’କୁ ନେଇ ଆମେ ସନ୍ଦେହରେ ପଡ଼ିଯାଇଥିଲୁ।’’

ତାଙ୍କର ଦୁଇ ପୁଅ, ଦିନେଶ (୩୦) ଏବଂ ଭୂପଦ (୩୫) ମଧ୍ୟ ମତ୍ସ୍ୟଜୀବୀ ଭାବେ କାମ କରିଥାନ୍ତି। ଉଭୟ ବିବାହିତ ଏବଂ ସେମାନଙ୍କର ଦୁଇ ଜଣ ଲେଖାଏଁ ପିଲା ଅଛନ୍ତି। ସାନାଭାଇଙ୍କ ମୃତ୍ୟୁ ପରେ, ଯଦିଓ, କିଛିଟା ଭୟ ସୃଷ୍ଟି ହୋଇଛି।

‘‘ଦିନେଶ ଏବେ ବି ନିୟମିତ ମାଛ ଧରିବାକୁ ଯାଉଛି। ଭୁପଦ ଯେତିକି ପାରିବ ନିଜକୁ ଅଟକାଇ ରଖୁଛି,’’ ଯମନାବେନ କୁହନ୍ତି। ‘‘କିନ୍ତୁ ଆମକୁ ପରିବାର ଚଳାଇବାକୁ ହେବ ଏବଂ ଏହା ହିଁ ରୋଜଗାରର ଏକମାତ୍ର ଉତ୍ସ। ଆମ ଜୀବନ ସମୁଦ୍ର ପ୍ରତି ସମର୍ପିତ।’’

*****

୫୫ ବର୍ଷ ବୟସ୍କ ଜୀବନଭାଇ ଶିୟାଲଙ୍କର ଏକ ମାଛ ଧରା ଟ୍ରଲର ରହିଛି। ସେ କୁହନ୍ତି ଯେ ମାଛ ମାରିବା ଲାଗି ସମୁଦ୍ର ମଧ୍ୟକୁ ଯିବା ସମୟରେ ମତ୍ସ୍ୟଜୀବୀମାନେ ଏକ ନିରବ ପ୍ରାର୍ଥନା କରିଥାନ୍ତି।

ସେ କୁହନ୍ତି, ‘‘ପ୍ରାୟ ଗୋଟିଏ ବର୍ଷ ପୂର୍ବରୁ ମୋର ଜଣେ ସହକର୍ମୀ ଅଚାନକ ଛାତିରେ ଯନ୍ତ୍ରଣା ଅନୁଭବ କଲେ। ଆମେ ତୁରନ୍ତ ଉପକୂଳ ଅଭିମୁଖେ ଫେରି ଆସିବାକୁ ଯାତ୍ରା ଆରମ୍ଭ କଲୁ। ଡଙ୍ଗା ଉପକୂଳକୁ ଫେରିବା ସମୟରେ, ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ସହକର୍ମୀ ଜଣଙ୍କ ନିଃଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଥିଲେ ତାଙ୍କର ହାତ ଛାତି ଉପରେ ରହିଥିଲା। ପାଞ୍ଚ ଘଣ୍ଟାର ସମୟ ପାଞ୍ଚ ଦିନ ଭଳି ଲାଗିଥିଲା ବୋଲି ଶିୟାଲ କୁହନ୍ତି। ପ୍ରତିଟି ମୁହୂର୍ତ୍ତ ପୂର୍ବାପେକ୍ଷା ଅଧିକ ଲମ୍ବା ଲାଗୁଥିଲା। ସମୟ ଯେତିକି ଆଗକୁ ବଢ଼ୁଥିଲା ଚିନ୍ତା ଓ ଭୟ ସେହି ଅନୁସାରେ ବଢ଼ି ଚାଲିଥିଲା। ସେମାନେ ଉପକୂଳରେ ପହଞ୍ଚିବା କ୍ଷଣି ସମ୍ପୃକ୍ତ ମତ୍ସ୍ୟଜୀବୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା କାରଣରୁ ତାଙ୍କର ଜୀବନ ବଞ୍ଚି ଯାଇଥିଲା।

ଗୋଟିଏ ଦିନ ମଧ୍ୟରେ ଫେରି ଆସିବା କାରଣରୁ ସେହି ଗୋଟିଏ ଥର ପାଇଁ ଶିୟାଲଙ୍କୁ ୫୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ‘‘ଥରେ ଯିବା ଆସିବା କରିବା ପାଇଁ ୪୦୦ ଲିଟର ତେଲ ଲାଗିଥାଏ। ଆମେ ଆଦୌ ମାଛ ନ ଧରି ଫେରି ଆସିଥିଲୁ,’’ ସେ କୁହନ୍ତି।

When one of Jeevanbhai Shiyal's workers suddenly felt chest pains onboard his trawler, they immediately turned back without catching any fish. The fuel expenses for that one trip cost Shiyal over Rs. 50,000
PHOTO • Parth M.N.

ଜୀବନଭାଇ ଶିୟାଲଙ୍କର ଜଣେ ସହକର୍ମୀ ଥରେ ଟ୍ରଲରରେ ଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା କାରଣରୁ ସେମାନେ ଆଦୌ ମାଛ ନ ଧରି କୂଳକୁ ଫେରି ଆସିଥିଲେ। ସେହି ଗୋଟିଏ ଥର ଟ୍ରିପ ପାଇଁ ଶିୟାଲଙ୍କୁ ୫୦,୦୦୦ ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଥିଲା

'We bear the discomfort when we fall sick on the boat and get treated only after we are back home,' says Jeevanbhai Shiyal
PHOTO • Parth M.N.

‘ଡଙ୍ଗାରେ ଥିବା ସମୟରେ ଅସୁସ୍ଥ ହେଲେ ଆମେ ନିଜର ଅ ଶ୍ୱ ସ୍ତିବୋଧକୁ ଲୁଚାଇ ରଖିଥାଉ ଏବଂ ଘରକୁ ଫେରିବା ପରେ ଯାଇ ଅସୁସ୍ଥାର ଚିକିତ୍ସା କରାଇଥାଉ,’ ଜୀବନଭାଇ ଶିୟାଲ କୁହନ୍ତି

ଶିୟାଲ କୁହନ୍ତି, ମାଛ ମାରିବା ପାଇଁ ମୁଣ୍ଡପିଛା ଖର୍ଚ୍ଚ ବଢ଼ି ବଢ଼ି ଚାଲିଛି। ତେଣୁ ଯେତେବେଳେ କୌଣସି ଅସୁସ୍ଥତା ଦେଖା ଦିଏ ଆମେ ପ୍ରଥମେ ତା’କୁ ଅଣଦେଖା କରିଥାଉ। ‘‘ଏହା ବିପଜ୍ଜନକ ହୋଇପାରେ। କିନ୍ତୁ ଆମେ ବିନା ସଞ୍ଚୟରେ ଅତି ସାଧାରଣ ଜୀବନଯାପନ କରିଥାଉ। ଆମର ପରିସ୍ଥିତି ଆମକୁ ଅସୁସ୍ଥତାର ଅଣଦେଖା କରିବା ଲାଗି ବାଧ୍ୟ କରିଥାଏ। ‘‘ଡଙ୍ଗାରେ ଥିବା ସମୟରେ ଅସୁସ୍ଥ ହେଲେ ଆମେ ନିଜର ଅଶ୍ୱସ୍ତିବୋଧକୁ ଲୁଚାଇ ରଖିଥାଉ ଏବଂ ଘରକୁ ଫେରିବା ପରେ ଯାଇ ଅସୁସ୍ଥତାର ଚିକିତ୍ସା କରାଇଥାଉ,’’ ସେ କୁହନ୍ତି।

ଶିୟାଲ ବେଟର ବାସିନ୍ଦାଙ୍କ ପାଇଁ ଘର ପାଖରେ ମଧ୍ୟ କୌଣସି ସ୍ଵାସ୍ଥ୍ୟ ସେବା ଉପଲବ୍ଧ ନାହିଁ। ୧୫ ମିନିଟ ନୌକାରେ ଯାତ୍ରା କରିବା ହିଁ ଏହି ଦ୍ୱୀପକୁ ଏକମାତ୍ର ଯୋଗାଯୋଗ ମାଧ୍ୟମ; ଦୋଳାୟମାନ ଡଙ୍ଗାରେ ଚଢ଼ିବା ଓ ଓହ୍ଲାଇବା ପାଇଁ ମଧ୍ୟ ଆହୁରି ୫ ମିନିଟ ସଂଘର୍ଷ କରିବାକୁ ପଡ଼ିଥାଏ।

ବୋଟ୍‌ ଆମ୍ବୁଲାନ୍ସ ବ୍ୟତୀତ ଶିୟାଲ ବେଟର ପ୍ରାୟ ୫,୦୦୦ ବାସିନ୍ଦାଙ୍କ ପାଇଁ ଏକ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରିବା ଲାଗି ବାଲାଧିୟା ଅଦାଲତରେ ଦାୟର କରିଥିବା ପିଟିସନରେ ଅନୁରୋଧ କରିଥିଲେ। ଶିୟାଲ ବେଟର ସବୁ  ଲୋକମାନେ ମାଛ ମାରି ରୋଜଗାର କରିଥାନ୍ତି।

ଏହି ମାମଲାରେ ହାଇକୋର୍ଟ ରାୟ ଦେଇ କହିଥିଲେ ଯେ ଜିଲ୍ଲା ଭିତର ଓ ବାହାରର ଚିକିତ୍ସା ଅଧିକାରୀମାନେ ସପ୍ତାହକୁ ପାଞ୍ଚ ଦିନ ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଉପ ସ୍ଵାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ରହିବେ ।

ତେବେ, ସ୍ଥାନୀୟ ବାସିନ୍ଦାମାନେ କୁହନ୍ତି ଯେ ଏହି ଆଦେଶ ତୃଣମୂଳ ସ୍ତରରେ ଲାଗୁ ହୋଇନଥିଲା।

Kanabhai Baladhiya outside a Primary Health Centre in Shiyal Bet. He says, 'I have to get on a boat every time I need to see a doctor'
PHOTO • Parth M.N.

ଶିୟାଲ ବେଟରେ ଏକ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ବାହାରେ କାନାଭାଇ ବାଲାଧିୟା ଛିଡ଼ା ହୋଇଛନ୍ତି। ସେ କୁହନ୍ତି, ‘ଡାକ୍ତର ଦେଖାଇବାକୁ ହେଲେ ମୋତେ ସବୁଥର ଡଙ୍ଗାରେ ଯାତ୍ରା କରିବାକୁ ପଡ଼ିଥାଏ’

Hansaben Shiyal is expecting a child and fears she won’t get to the hospital on time
PHOTO • Parth M.N.

ହଂସାବେନ ଶିୟାଲ ସନ୍ତାନ ପ୍ରସବ କରିବାକୁ ଯାଉଛନ୍ତି ଏବଂ ଠିକ୍‌ ସମୟରେ ଡାକ୍ତରଖାନାରେ ପହଞ୍ଚି ପାରିବେ କି ନାହିଁ ତାଙ୍କ ମନରେ ସନ୍ଦେହ ରହିଛି

ସେବାନିବୃତ ମତ୍ସ୍ୟଜୀବୀ କାନାଭାଇ ବାଲାଧିୟା କୁହନ୍ତି, ଆଣ୍ଠୁ ସମସ୍ୟା ଦେଖାଇବା ପାଇଁ ତାଙ୍କୁ ସବୁ ଥର ଜାଫ୍ରାବାଦ କିମ୍ବା ରାଜୁଲା ଯିବାକୁ ପଡ଼ିଥାଏ। ‘‘ଅଧିକାଂଶ ସମୟରେ ଏଠାକାର ପିଏଚସି ବନ୍ଦ ରହିଥାଏ’’, ଏହି ୭୫ ବର୍ଷ ବୟସ୍କ ବ୍ୟକ୍ତି ଜଣଙ୍କ କୁହନ୍ତି। ‘‘କେଉଁ କାରଣ ପାଇଁ ସପ୍ତାହକୁ ଏଠାରେ ୫ ଦିନ ଡାକ୍ତର ରହିବେ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଥିଲେ ଜଣାନାହିଁ। ଯେମିତି ଶନିବାର ଓ ରବିବାର କେହି ଅସୁସ୍ଥ ହୁଅନ୍ତି ନାହିଁ। କିନ୍ତୁ ସପ୍ତାହକୁ ସେହି ପାଞ୍ଚ ଦିନ ସୁଦ୍ଧା ଏଠାରେ କାହାର ଦର୍ଶନ ମିଳେ ନାହିଁ। ସବୁଥର ଡାକ୍ତର ଦେଖାଇବାକୁ ହେଲେ ମୋତେ ଡଙ୍ଗାରେ ଯାତ୍ରା କରିବାକୁ ପଡ଼ିଥାଏ।’’

ଗର୍ଭବତୀ ମହିଳାଙ୍କ ପାଇଁ, ଏହା ସବୁଠାରୁ ବଡ଼ ସମସ୍ୟା।

ହଂସାବେନ ଶିୟାଲ (୨୮) ଆଠ ମାସର ଗର୍ଭବତୀ ଅଛନ୍ତି ଏବଂ ଗର୍ଭାବସ୍ଥା ସମୟରେ ବିଭିନ୍ନ ପ୍ରକାରର ସ୍ଵାସ୍ଥ୍ୟ ଜଟିଳତା ପାଇଁ ତାଙ୍କୁ ଜାଫ୍ରାବାଦ ଡାକ୍ତରଖାନାକୁ ଯିବାକୁ ହୋଇଥିଲା। ଛଅ ମାସର ଗର୍ଭବତୀ ଥିବା ସମୟରେ ସେ କିଭଳି ପେଟ ଯନ୍ତ୍ରଣାର ସମ୍ମୁଖିନ ହୋଇଥିଲେ ତାହା ସେ ମନେ ପକାଇ କହିଥାନ୍ତି। ବିଳମ୍ବିତ ରାତ୍ରିର ସମୟ ଥିଲା ଏବଂ ସେଦିନ ଘାଟ ଡଙ୍ଗା ବନ୍ଦ ହୋଇଯାଇଥିଲା। କଷ୍ଟେମଷ୍ଟେ ରାତି ବିତାଇ ଦେବା ପରେ, ସକାଳୁ ଦେଖାଇବା ପାଇଁ ସେ ନିଷ୍ପତ୍ତି ନେଲେ। ସେହି ରାତି ତାଙ୍କ ପାଇଁ ଲମ୍ବା ଓ ଭୟପୂର୍ଣ୍ଣ ଥିଲା।

ଭୋର ଚାରିଟା ସମୟରେ, ଅପେକ୍ଷା କରିବାକୁ ହଂସାବେନଙ୍କ ପାଖରେ ଆଉ ଧୈର୍ଯ୍ୟ ନଥିଲା। ସେ ଜଣେ ନୌଚାଳକଙ୍କୁ ଡାକିଲେ ଯିଏକି ତାଙ୍କୁ ସହାୟତା କରିବା ଲାଗି ସଦୟ ହେଲେ। ‘‘ଗର୍ଭବତୀ ଥିବା ଏବଂ ପେଟ ଯନ୍ତ୍ରଣା ହେବା ବେଳେ ଡଙ୍ଗାରେ ଚଢ଼ିବା ଓ ଓହ୍ଲାଇବା ଖୁବ କଷ୍ଟଦାୟକ ହୋଇଥାଏ,’’ ସେ କୁହନ୍ତି। ‘‘ଡଙ୍ଗାଟି ଆଦୌ ସ୍ଥିର ନଥିଲା। ଆପଣଙ୍କୁ ନିଜ ଉପରେ ସନ୍ତୁଳନ ରକ୍ଷା କରିବାକୁ ହେବ। ଗୋଟିଏ ଛୋଟିଆ ଭୁଲ ଯୋଗୁ ଆପଣ ପାଣି ଭିତରେ ପଡ଼ିଯାଇ ପାରନ୍ତି। ଯେମିତି ଆପଣଙ୍କ ଜୀବନ ଏକ ସୂତା ଖିଅରେ ଝୁଲୁଛି ।’’

ସେ ଡଙ୍ଗାରେ ବସିବାକୁ ସକ୍ଷମ ହେବା ପରେ, ତାଙ୍କର ଶାଶୂ, ମଞ୍ଜୁବେନ (୬୦) ଆମ୍ବୁଲାନ୍ସ ସେବା ପାଇଁ ଫୋନ କରିଥିଲେ। ‘‘ଆଗୁଆ ସେମାନଙ୍କୁ ଡାକି ଦେଇ ଆମେ କିଛି ସମୟ ବଞ୍ଚାଇ ପାରିବୁ ବୋଲି ଭାବିଥିଲୁ,’’ ସେ କୁହନ୍ତି। ‘‘କିନ୍ତୁ ଜାଫ୍ରାବାଦ ବନ୍ଦରରେ ପହଞ୍ଚିବା ପରେ ପୁଣିଥରେ ଫୋନ କରିବା ଲାଗି ସେମାନେ ଆମକୁ କହିଥିଲେ।’’

ଏହାର ଅର୍ଥ ହେଉଛି ଆମ୍ବୁଲାନ୍ସ ପହଞ୍ଚିବା ପୂର୍ବରୁ ସେମାନଙ୍କୁ ଆହୁରି ୫-୭ ମିନିଟ୍‌ ଅପେକ୍ଷା କରିବାକୁ ପଡ଼ିଥିଲା ଓ ଏହାପରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା।

Passengers alighting at Shiyal Bet (left) and Jafrabad ports (right)
PHOTO • Parth M.N.
Passengers alighting at Shiyal Bet (left) and Jafrabad ports (right)
PHOTO • Parth M.N.

ଶିୟାଲ ବେଟ (ବାମ) ଏବଂ ଜାଫ୍ରାବାଦ ବନ୍ଦରରେ ଯାତ୍ରୀମାନେ ଧାଡ଼ି ହୋଇ ଓହ୍ଲାଉଛନ୍ତି

ଏହି ଅନୁଭୂତି ହଂସାବେନଙ୍କୁ ଭୟଭୀତ କରିଦେଇଛି। ‘‘ମୋ ପ୍ରସବ ସମୟରେ ମୁଁ ଠିକ ସମୟରେ ଡାକ୍ତରଖାନାରେ ପହଞ୍ଚି ପାରିବି କି ନାହିଁ ସେ ନେଇ ସନ୍ଦେହ ରହିଛି,’’ ସେ କୁହନ୍ତି। ‘‘ପ୍ରସବ ଯନ୍ତ୍ରଣା ସମୟରେ ମୁଁ ଡଙ୍ଗାରୁ ଖସି ପଡ଼ିବାର ଆଶଙ୍କା ରହିଛି। ଠିକ୍‌ ସମୟରେ ଡାକ୍ତରଖାନାରେ ପହଞ୍ଚି ନପାରିବା କାରଣରୁ ମୃତ୍ୟୁବରଣ କରିଥିବା କେତେଜଣ ମହିଳାଙ୍କୁ ମୁଁ ଜାଣିଛି। ଏମିତି କେତେକ ଘଟଣାରେ ଶିଶୁ ମଧ୍ୟ ମୃତ୍ୟୁବରଣ କରିଛନ୍ତି।’’

ଅଦାଲତରେ ପିଟିସନ ଦାୟର କରିଥିବା ଆଇନଜୀବୀ ତଥା ସାମାଜିକ କର୍ମୀ ଅରବିନ୍ଦଭାଇ କୁହନ୍ତି, ମୁଖ୍ୟତଃ ସ୍ଵାସ୍ଥ୍ୟ ସେବା ଅଭାବ କାରଣରୁ ଗତ କିଛି ବର୍ଷ ମଧ୍ୟରେ ଶିୟାଲ ବେଟରୁ ପଳାୟନ କରୁଥିବା ପ୍ରବାସୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ‘‘ଆପଣ ଏମିତି ପରିବାରଙ୍କୁ ପାଇବେ ଯେଉଁମାନେ ନିଜର ସବୁକିଛି ବିକ୍ରି କରି ଦେଇଛନ୍ତି,’’ ସେ କୁହନ୍ତି। ‘‘ସ୍ଵାସ୍ଥ୍ୟ ସେବା ଅଭାବ ଯୋଗୁ ଏଥିମଧ୍ୟରୁ ଅଧିକାଂଶ ପରିବାର ଅକଥନୀୟ ଯନ୍ତ୍ରଣା ଭୋଗିଛନ୍ତି। ସେମାନେ ଉପକୂଳକୁ ଚାଲିଯାଇଛନ୍ତି ଏବଂ ଆଉଥରେ ଫେରି ନ ଆସିବା ଲାଗି ଶପଥ ନେଇଛନ୍ତି।

ଉପକୂଳରେ ରହୁଥିବା ଗାଭିବେନ ମଧ୍ୟ ଏକ ଶପଥ କରିଛନ୍ତି : ତାଙ୍କ ପରିବାରର ପରବର୍ତ୍ତୀ ପିଢ଼ି ଏହି ପୈତୃକ ବେଉସାକୁ ଆପଣାଇବେ ନାହିଁ। ଜୀବନଭାଇଙ୍କ ମୃତ୍ୟୁ ପରେ, ସେ ଜଣେ ଶ୍ରମିକ ଭାବେ ଅନ୍ୟ ମତ୍ସ୍ୟଜୀବୀମାନଙ୍କର ମାଛ ଶୁଖାଇବା କାର୍ଯ୍ୟ କରୁଛନ୍ତି। ଏହା ଖୁବ କଠିନ କାର୍ଯ୍ୟ ଏବଂ ଏଥିରୁ ଦିନକୁ ୨୦୦ ଟଙ୍କା ପାରିଶ୍ରମିକ ମିଳିଥାଏ। ସେ ରୋଜଗାର କରୁଥିବା ଗୋଟିଏ ଗୋଟିଏ ଟଙ୍କା ତାଙ୍କର ୧୪ ବର୍ଷ ବୟସ୍କ ପୁଅ ରୋହିତର ଅଧିକ ପାଠପଢ଼ା ପାଇଁ ଖର୍ଚ୍ଚ ହେବ ଯିଏକି ଏବେ ଜାଫ୍ରାବାଦର ଏକ ପବ୍ଲିକ୍‌ ସ୍କୁଲରେ ପଢ଼ୁଛନ୍ତି। ସେ ଚାହାନ୍ତି ଯେ ତାଙ୍କର ପୁଅ ବଡ଼ ହୋଇ ଯାହା ଇଚ୍ଛା ତାହା ହେଉ- କିନ୍ତୁ ମତ୍ସ୍ୟଜୀବୀ ନହେଉ।

ଏହାର ଅର୍ଥ ହେଉଛି ରୋହିତ ଜାଫ୍ରାବାଦ ଛାଡ଼ି ବାହାରକୁ ଚାଲିଯିବେ, ଗାଭିବେନଙ୍କୁ ବାର୍ଦ୍ଧକ୍ୟ ବୟସରେ ଏକାକୀ ଛାଡ଼ି ଦେବେ । ଜାଫ୍ରାବାଦରେ ଏମିତି ଅନେକ ଲୋକ ଭୟଭୀତ ହୋଇ ରହୁଛନ୍ତି। ଗାଭୀବେନ ସେମାନଙ୍କ ମଧ୍ୟରୁ ଜଣେ।

ଠାକୁର ଫ୍ୟାମିଲି ଫାଉଣ୍ଡେସନ ପକ୍ଷରୁ ମିଳୁଥିବା ନିରପେକ୍ଷ ସାମ୍ବାଦିକତା ଅନୁଦାନ ଜରିଆରେ ପାର୍ଥ ଏମ.ଏନ. ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ ନାଗରିକ ସ୍ୱାଧୀନତା ପ୍ରସଙ୍ଗରେ ରିପୋର୍ଟିଂ କରିଥାନ୍ତି । ଏହି ରିପୋର୍ଟେଜ୍‌ର ବିଷୟବସ୍ତୁ ଉପରେ ଠାକୁର ଫ୍ୟାମିଲି ଫାଉଣ୍ଡେସନର କୌଣସି ସମ୍ପାଦକୀୟ ନିୟନ୍ତ୍ରଣ ନାହିଁ ।

ଅନୁବାଦ : ଓଡ଼ିଶାଲାଇଭ୍‍

Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Parth M.N.
Editor : Sangeeta Menon

ସଙ୍ଗୀତା ମେନନ ମୁମ୍ବାଇରେ ଅବସ୍ଥାପିତ ଜଣେ ଲେଖିକା, ସମ୍ପାଦିକା ଓ ସଞ୍ଚାର ପରାମର୍ଶଦାତା।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Sangeeta Menon
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE