‘‘ସେହି ମା’ ରାତି ପରେ ରାତି ତା’ର ଚାରିଜଣ ସନ୍ତାନ ସହ ଚାଲୁଛି- ସେ ମୋ ପାଇଁ ମା’ ଦୁର୍ଗା’’

ରିଣ୍ଟୁ ଦାସଙ୍କୁ ଭେଟନ୍ତୁ, ସେ ହେଉଛନ୍ତି ସେହି କଳାକାର, ଯିଏ ବସ୍ତୁତଃ ଜଣେ ପ୍ରବାସୀ ଶ୍ରମିକ ଭାବରେ ଦେବୀ ଦୁର୍ଗାଙ୍କର ଏକ ପ୍ରତିମା ତିଆରି କରିଛନ୍ତି । ଏହା ଦକ୍ଷିଣ ପଶ୍ଚିମ କୋଲକାତାର ବେହେଲାସ୍ଥିତ ବାରିସା କ୍ଲବ୍‌ର ଦୁର୍ଗାପୂଜା ମଣ୍ଡପରେ ଏକ ଭିନ୍ନ କଳାକୃତି । ଦୁର୍ଗାଙ୍କ ସହିତ ଅନ୍ୟ ଦେବାଦେବୀମାନେ ମଧ୍ୟ ପ୍ରବାସୀ ଶ୍ରମିକ ଭାବରେ ଏଠାରେ ଅଛନ୍ତି- ସରସ୍ୱତୀ, ଲକ୍ଷ୍ମୀ, ଗଣେଶ ଏବଂ ଆଉ ଅନ୍ୟମାନେ। ସମୁଦାୟ ପ୍ରଦର୍ଶନ ହେଉଛି କରୋନା ଭୂତାଣୁ ମହାମାରୀ ମଧ୍ୟରେ ପ୍ରବାସୀମାନଙ୍କ ସଂଘର୍ଷ ପ୍ରତି ଏକ ପ୍ରତିବେଦନ।

ଏହି ଲକ୍‌ଡାଉନ୍‌ ଅବଧି ରିଣ୍ଟୁ ଦାସ, ୪୬ଙ୍କୁ ଏହି ଅନୁଭବ ଦେଇଥିଲା ଯେ ସେ, ‘‘ଗତ ଛଅମାସ ହେବ ଗୃହବନ୍ଦୀରେ ଅଛନ୍ତି’’ ଏବଂ ସେ କୁହନ୍ତି, ‘‘ଯେତେବେଳେ ମୁଁ ଟିଭି ଖୋଲେ ସେତେବେଳେ ମୃତ୍ୟୁ ଦେଖେ, ଏତେ ଅଧିକ ଲୋକ ପ୍ରଭାବିତ ହୋଇଥିଲେ । ଅନେକେ ଲୋକ ଦିନ ପରେ ଦିନ ରାତି ପରେ ରାତି ଚାଲୁଥିଲେ । ବେଳେ ବେଳେ ସାମାନ୍ୟ ଖାଦ୍ୟ ଏପରିକି ସାମାନ୍ୟ ପାଣି ମଧ୍ୟ ପାଉନଥିଲେ । ମା’ମାନେ, ଝିଅମାନେ ସମସ୍ତେ ଚାଲୁଥିଲେ । ସେତେବେଳେ ମୁଁ ଚିନ୍ତା କଲି ଯଦି ଏ ବର୍ଷ ମୁଁ ପୂଜା କରେ ତେବେ ଲୋକମାନଙ୍କ ପାଇଁ ପୂଜା କରିବି । ଏହି ମାଆମାନଙ୍କୁ ମୁଁ ସମ୍ମାନ ଦେବି’’ । ଏବଂ ଏହିପରି ଭାବରେ ମା’ ଦୁର୍ଗା ଜଣେ ପ୍ରବାସୀ ଶ୍ରମିକ ମାଆ ଭାବରେ ।

ରିଣ୍ଟୁ ଦାସଙ୍କ ଯୋଜନାକୁ ମୂର୍ତ୍ତୀର ରୂପ ଦେଇଥିବା ପଲ୍ଲବ ଭୌମିକ, ୪୧ ପଶ୍ଚିମବଙ୍ଗର ନଦିୟା ଜିଲ୍ଲାରେ ଥିବା ତାଙ୍କ ଘରୁ ପରୀକୁ କହିଥିଲେ, ‘‘ମୂଳ ବିଚାରଧାରା ଆଉ କିଛି ଭିନ୍ନ ଥିଲା । ୨୦୧୯ ଦୁର୍ଗାପୂଜାର ଉତ୍ସବ ଶେଷ ହେବା ପୂର୍ବରୁ ବାରିଷା କ୍ଲବର ଆୟୋଜକମାନେ ଏହି ବର୍ଷର ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । କିନ୍ତୁ ଏହା ପରେ କୋଭିଡ୍‌ ୧୯ ମହାମାରୀ ଏହା ସ୍ପଷ୍ଟ କରିଦେଇଥିଲା ଯେ ୨୦୨୦ କିଛି ଭିନ୍ନ ହେବ -  ତେଣୁ କ୍ଲବକୁ ସେହି ପୁରୁଣା ଯୋଜନା ତ୍ୟାଗ କରିବାକୁ ପଡ଼ିଲା।’’ ଏହା ପରେ ଏହି ନୂତନଟି ଲକଡାଉନ୍‌ ଏବଂ ଶ୍ରମିକ ବିପର୍ଯ୍ୟୟକୁ କେନ୍ଦ୍ର କରି ପରିକଳ୍ପନା କରାଗଲା ।

This worker in Behala said he identified with the Durga-as-migrant theme, finding it to be about people like himself
PHOTO • Ritayan Mukherjee

ବେହେଲାର ଏହି ଶ୍ରମିକ କହିଥିଲେ ସେ ଦୁର୍ଗାଙ୍କୁ ଜଣେ ପ୍ରବାସୀ ବିଚାରାଧାରାରେ ସ୍ୱୀକାର କରନ୍ତି, ଏହା ତାଙ୍କ ପରି ଲୋକମାନଙ୍କ ସମ୍ପର୍କରେ ହିଁ ହୋଇଛି ।

ଭୌମିକ କୁହନ୍ତି, ‘‘ମୁଁ ମାଆ ଦୁର୍ଗା, ତାଙ୍କ ସନ୍ତାନ ଏବଂ ମହିଷାସୁରର ମୂର୍ତ୍ତୀ ପ୍ରସ୍ତୁତ କରିବା ସମୟରେ ଅନ୍ୟ କାରିଗରମାନେ ମଣ୍ଡପର ଅନ୍ୟ ବିଭିନ୍ନ ବିଷୟ ଗୁଡ଼ିକରେ ବାରିସା କ୍ଲବ୍‌ ପୂଜାର କଳା ନିର୍ଦ୍ଦେଶକ ରିଣ୍ଟୁ ଦାସଙ୍କ ତତ୍ତ୍ୱାବଧାନରେ କାମ କରିଥିଲେ’’। ସାରା ଦେଶରେ ଆର୍ଥକ ଅବସ୍ଥାରେ ଅବନତି ହୋଇଥିବାରୁ ସବୁ ପୂଜା କମିଟିଗୁଡ଼ିକ ପ୍ରଭାବିତ ହୋଇଥିଲେ । ‘‘ବାରିସା କ୍ଲବ୍‌କୁ ମଧ୍ୟ ଏହାର ବଜେଟ୍‌ ଅଧାକୁ ଖସେଇବାକୁ ପଡିଥିଲା । ଯେହେତୁ ପ୍ରକୃତ ବିଷୟବସ୍ତୁକୁ ଧରି ରଖିବା ସମ୍ଭବ ନଥିଲା, ରିଣ୍ଟୁ ଦା’ ଦୁର୍ଗାଙ୍କୁ ଜଣେ ପ୍ରବାସୀ ମାଆର ବିଚାରଧାରାରେ ପ୍ରସ୍ତୁତ କରିଥିଲେ । ଆମେ ଏହାକୁ ଆଲୋଚନା କଲୁ ଏବଂ ମୁଁ ମୂର୍ତ୍ତୀ ଗଢ଼ିବା ଆରମ୍ଭ କଲି । ମୁଁ କହିବି ଏହି ମଣ୍ଡପ ଦଳଗତ କାର୍ଯ୍ୟର ପରିଣାମ ।’’

ଭୌମିକ କୁହନ୍ତି, ଏହି ପରିସ୍ଥିତି ‘‘ମା’ ଦୁର୍ଗା ତାଙ୍କର ଭୋକିଲା ସନ୍ତାନମାନଙ୍କ ସହ ଯନ୍ତ୍ରଣା ଭୋଗୁଥିବା ପ୍ରସ୍ତୁତ କରିବାକୁ ମୋତେ ବାଧ୍ୟ କରିଥିଲା ।’’ ଦାସଙ୍କ ପରି ସେ ମଧ୍ୟ ‘‘ସେମାନଙ୍କ ସନ୍ତାନମାନଙ୍କ ସହ ଦରିଦ୍ର ଦୁର୍ବଳ ମାଆମାନଙ୍କର ଛବି ଦେଖିଥିଲେ ।’’ ଯେଉଁମାନେ କି ଗାଁରେ ଥିବା ସେମାନଙ୍କ ଘର ଅଭିମୁଖେ ଦୀର୍ଘରାସ୍ତା ଚାଲୁଥିଲେ ।  ଏକ ଗ୍ରାମୀଣ ସହରର ଜଣେ କଳାକାର ଭାବରେ ସେ ତାଙ୍କ ଚାରିପାଖରେ ଦେଖିଥିବା ମାଆମାନଙ୍କର ସଂଘର୍ଷକୁ ଭୁଲି ପାରିବେ ନାହିଁ । ଭୌମିକ କୁହନ୍ତି, ‘‘ନଦିୟା ଜିଲ୍ଲାରେ ତାଙ୍କ ନିଜ ସହର କ୍ରିଷ୍ଣ ନଗରରେ ଏହିକାମ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରାୟ ୩ ମାସ ସମୟ ଲାଗିଥିଲା । ସେଠାରୁ ଏହା ବାରିସା କ୍ଲବ୍‌କୁ ଗଲା’’ । ଭୌମିକ୍‌ କୋଲକାତାର ସରକାରୀ କଳା ମହାବିଦ୍ୟାଳୟରେ ପଢ଼ୁଥିବା ସମୟରେ ବିଖ୍ୟାତ କଳାକାର ବିକାଶ ଭଟ୍ଟାଚାର୍ଯ୍ୟଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇଥିଲେ, ଯାହାଙ୍କର ଚିତ୍ରକଳା ଦର୍ପମୟୀ ତାଙ୍କର ଦୁର୍ଗାଙ୍କ ବିଚାରାଧାରାକୁ ପ୍ରଭାବିତ କରିଥିଲା ।

ଏହି ମଣ୍ଡପର ବିଷୟବସ୍ତୁକୁ ସାଧାରଣ ଲୋକଙ୍କଠାରୁ ବ୍ୟାପକ ପ୍ରଶଂସା ଜିତିଥିଲା । ପଛ ଗଳିରେ ହଜିଯିବା ପୂର୍ବରୁ ଜଣେ ଶ୍ରମିକ ମୋତେ କହିଥିଲେ, ‘‘ଏହି ମଣ୍ଡପ ହେଉଛି ଆମମାନଙ୍କ ବିଷୟରେ । ଦୁର୍ଗାଙ୍କୁ ଜଣେ ପ୍ରବାସୀ ଅବତାରରେ ପ୍ରଦର୍ଶନ କରିବାକୁ ସମାଲୋଚନା କରି ଇଣ୍ଟରନେଟ୍‌ରେ ଅନେକ ଆଲୋଚନା ହୋଇଥିଲା। କିନ୍ତୁ ଆୟୋଜକ କମିଟିର ଜଣେ ପ୍ରବକ୍ତା କୁହନ୍ତି, ‘ଏହି ଦେବୀ ହେଉଛନ୍ତି ସମସ୍ତଙ୍କ ପାଇଁ ଜଣେ ମା’।’’

ଏବଂ ଏହି ପ୍ରଦର୍ଶନ ପ୍ରତି ଯେଉଁମାନେ ସମାଲୋଚନା କରନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ପଲ୍ଲବ ଭୌମିକ କୁହନ୍ତି, ‘‘ଶିଳ୍ପୀ, ମୂର୍ତ୍ତୀ-କାରିଗର ଏବଂ ବଙ୍ଗଳାର କାରିଗରମାନେ ସବୁ ସମୟରେ ଦୁର୍ଗାଙ୍କୁ ସେମାନଙ୍କ ଚାରି ପାଖରେ ଦେଖୁଥିବା ମହିଳା ଭାବରେ ହିଁ କଳ୍ପନା କରିଆସିଛନ୍ତି ।’’

ଏହି କାହାଣୀରେ ସେମାନଙ୍କର ସାହାଯ୍ୟ ନିମନ୍ତେ ସ୍ମିତା ଖଟୋର ଏବଂ ସିଞ୍ଚିତା ମାଝୀଙ୍କୁ ଧନ୍ୟବାଦ ।

ଅନୁବାଦ: ଓଡ଼ିଶାଲାଇଭ୍‍

Ritayan Mukherjee

କୋଲକାତାରେ ରହୁଥିବା ରୀତାୟନ ମୁଖାର୍ଜୀଙ୍କର ଫଟୋଗ୍ରାଫି ପ୍ରତି ଆଗ୍ରହ ରହିଛି ଏବଂ ସେ ୨୦୧୬ର ପରୀ ବ୍ୟକ୍ତିତ୍ୱ । ସେ ତିବ୍ଦତୀୟ ମାଳଭୂମି ଅଞ୍ଚଳରେ ଯାଯାବର ପଶୁପାଳକ ସଂପ୍ରଦାୟର ଜୀବନ ଉପରେ ତଥ୍ୟ ସଂଗ୍ରହ କରୁଥିବା ଏକ ଦୀର୍ଘକାଳୀନ ପ୍ରକଳ୍ପରେ କାମ କରୁଛନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Ritayan Mukherjee
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE