“ଏହି ସଫା ଦାନାକୁ ଦେଖୁଛନ୍ତି ତ ? ହାତ ପାପୁଲିରେ କିଛି ଚଣା ଦାନା ଧରି ଏ ପ୍ରଶ୍ନ କରନ୍ତି ଅଶୋକ ଗାଟକଲ୍‌ । “ଏହାର ବଜାର ଦର କୁଇଣ୍ଟାଲ ପିଛା ୩,୦୦୦ରୁ ୩,୫୦୦ ଟଙ୍କା । କିନ୍ତୁ ଏଥର ଅଧିକାଂଶ ଚଣାରେ କଳା କଳା ଦାଗ ଓ ଶିଉଳି ଲାଗିଯାଇଛି ।” ନଷ୍ଟ ଚଣାଗୁଡ଼ିକୁ ଅନ୍ୟ ହାତର ପାପୁଲିରେ ରଖି ସେ କହନ୍ତି । “ଏମିତି ଚଣା ବଜାରରେ ବିକ୍ରି ହୋଇପାରିବନି । ଏଥିରୁ ମତେ କିଛି ହେଲେ ମିଳିବନି ।”

ନଭେମ୍ବର ୧୧ ତାରିଖ ଦିନ ମୁଁ ରାଥଗଲ୍ଲୀ ଗାଁରେ ଥିବା ତାଙ୍କ ଚାଷଜମିକୁ ଯାଇଥିବା ବେଳେ ଗାଟକଲ୍‌ ନଷ୍ଟ ହୋଇଯାଇଥିବା ଫସଲକୁ ଦା’ରେ କାଟି ସଫା କରୁଥିଲେ । ଏକା ଏକା ସେ କାମ କରୁଥିଲେ । କପାଳ ଓ ନାକ ଉପରୁ ଝରୁଥିବା ଝାଳ ପୋଛି ସେ ପଚାରିଲେ, “କେମିତି ମୁଁ ଏବେ ମଜୁରି (କୃଷି ଶ୍ରମିକମାନଙ୍କୁ) ଦେଇପାରିବି ?”

ଅକ୍ଟୋବରରେ ହୋଇଥିବା ବର୍ଷାରେ ଗାଟ୍‌କଲ୍‌ଙ୍କ ତିନି ଏକର ଜମିର ଫସଲ ପାଖାପାଖି ଦୁଇ ସପ୍ତାହ ଧରି ସଂପୂର୍ଣ୍ଣ ବୁଡ଼ି ରହିଥିଲା। ଗତ ମାସର ପ୍ରବଳ ବର୍ଷାରେ ତାଙ୍କ ସୋୟାବିନ୍‌ ଫସଲର ପ୍ରାୟ ୯୦ ପ୍ରତିଶତ ସଢ଼ି ଯାଇଥିଲା । ନାସିକ୍‌ ଜିଲ୍ଲାର ଡିଣ୍ଡୋରି ତାଲୁକାରେ ତାଙ୍କ ଗାଁ । ଏହି ଜିଲ୍ଲାରେ ଅକ୍ଟୋବର ୧ରୁ ନଭେମ୍ବର ୧୨ ତାରିଖ ଭିତରେ ପ୍ରାୟ ୧୭୩.୨ ମି.ମି. ବର୍ଷା ହୋଇଥିଲା । ସାଧାରଣତଃ ଏହି ସମୟ ଭିତରେ ମୋଟାମୋଟି ୭୧ ମି.ମି. ବର୍ଷା ହୋଇଥାଏ (ଭାରତୀୟ ପାଣିପାଗ ବିଭାଗର ତଥ୍ୟ) ।

ମୌସୁମୀ ଆରମ୍ଭରୁ ଜୁନ୍ ମାସରେ ରାଥଗଲ୍ଲୀରେ କମ୍‌ ବର୍ଷା ହୋଇଥିଲା ସତ, କିନ୍ତୁ ବର୍ଷାଋତୁର ଶେଷ ଭାଗକୁ ସେପ୍ଟେମ୍ବରରେ ବୃଷ୍ଟିପାତ ବୃଦ୍ଧି ପାଇଥିଲା ଏବଂ ଭଲ ଫସଲ ହେବ ବୋଲି ୫୧ ବର୍ଷୀୟ ଅଶୋକ ଆଶା କରୁଥିଲେ । କିନ୍ତୁ ଅକ୍ଟୋବରର ଅପ୍ରତ୍ୟାଶିତ ବର୍ଷା ତାଙ୍କୁ ବାଧିଛି । ଅକ୍ଟୋବର ଶେଷ ଆଡ଼କୁ ଫସଲହାନି ସଂପର୍କରେ ସେ ତାଲାଥିଙ୍କ ଅଫିସ୍‌କୁ ସୂଚନା ଦେଇଥିଲେ ହେଁ ଦୁଇ ସପ୍ତାହ ପରେ ବି ସ୍ଥିତି ଅନୁଧ୍ୟାନ କରିବାକୁ କେହି ପହଞ୍ଚି ନଥିଲେ ।

The soybean crops on Ashok Gatkal’s three acres were submerged for close to two weeks in October
PHOTO • Jyoti Shinoli
The soybean crops on Ashok Gatkal’s three acres were submerged for close to two weeks in October
PHOTO • Jyoti Shinoli

ଅକ୍ଟୋବରର ବର୍ଷାରେ ଗାଟ୍‌କଲ୍‌ଙ୍କ ତିନି ଏକର ଜମିର ଫସଲ ପାଖାପାଖି ଦୁଇ ସପ୍ତାହ ଧରି ସଂପୂର୍ଣ୍ଣ ବୁଡ଼ି ରହିଥିଲା

ସେ କହନ୍ତି, “ଅଧିକାରୀମାନଙ୍କୁ ଅପେକ୍ଷା କରି ବସିଲେ ଆମେ ରବି ଫସଲ ବି ହରାଇବୁ । ସେମାନେ ଆସି ଫସଲହାନି ଜନିତ ସ୍ଥିତି ନିରୀକ୍ଷଣ କରିବା ପର୍ଯ୍ୟନ୍ତ ମୁଁ ଆଉ ଅପେକ୍ଷା କରିପାରିବିନି । ନଭେମ୍ବର ପ୍ରାୟ ଅଧା ହେବାକୁ ବସିଲାଣି । ଗହମ ଚାଷ ପାଇଁ ମତେ ଜମିକୁ ପ୍ରସ୍ତୁତ କରିବାକୁ ପଡ଼ିବ । ଏ ଅବସ୍ଥାରେ ଜମିକୁ ଆଉ କେତେଦିନ ପର୍ଯ୍ୟନ୍ତ ରଖିପାରିବି ?”

ସାଧାରଣତଃ ପ୍ରତି ବର୍ଷ ଅକ୍ଟୋବର ସୁଦ୍ଧା ଅଶୋକ ୧୫ରୁ ୨୦ କୁଇଣ୍ଟାଲ ସୋୟାବିନ୍‌ ଏବଂ ଜାନୁଆରୀ-ଫେବ୍ରୁଆରୀ ସୁଦ୍ଧା ୩୦ କୁଇଣ୍ଟାଲ ଗହମ ଅମଳ କରିଥାଆନ୍ତି । ବିହନ, ସାର, ମଜୁରିଆ, ଭଡ଼ାରେ ଆଣିଥିବା ଟ୍ରାକ୍ଟର ଏବଂ ଅନ୍ୟାନ୍ୟ ଖର୍ଚ୍ଚକୁ ବାଦ ଦେଇ ଉଭୟ ଫସଲରୁ ସେ ବାର୍ଷିକ ୮୦,୦୦୦ରୁ ୧୨୦,୦୦୦ ଟଙ୍କା ରୋଜଗାର କରନ୍ତି । ତାଙ୍କର ୪୮ ବର୍ଷୀୟା ସ୍ତ୍ରୀ ଚନ୍ଦ୍ରିକା ମଧ୍ୟ କ୍ଷେତରେ କାମ କରନ୍ତି ଏବଂ ୩୦ରୁ ଅଧିକ ବର୍ଷର ଦୁଇ ବିବାହିତ ପୁଅ ଡିଣ୍ଡୋରି ତାଲୁକାରେ ରାଜମିସ୍ତ୍ରୀ ରୂପେ କାମ କରନ୍ତି ।

ମୌସୁମୀର ଅନିଶ୍ଚିତତା ସଂପର୍କରେ ସେ କହନ୍ତି, “ଗତ ବର୍ଷ ରକ୍ଷା ବନ୍ଧନ (ଅଗଷ୍ଟରେ) ପରେ ବର୍ଷା ଉଭେଇ ଗଲା । ଫସଲ ପାଇଁ ପାଣି ନଥିଲା।’’ ‘‘ଗୋଟିଏ ଦିନ (ୱାଘଡ଼) ବନ୍ଧରୁ ପାଣି ପାଇବା ପାଇଁ  ମୁଁ ଜଳସଂପଦ ବିଭାଗକୁ ୬,୦୦୦ ଟଙ୍କା ଦେଇଥିଲି । କିନ୍ତୁ ଏଥର ସୋୟାବିନ୍‌ ଫସଲ ଦୁଇ କୁଇଣ୍ଟାଲରୁ ଅଧିକ ଥିବ ଏବଂ ମୁଁ ୨୦,୦୦୦ ଟଙ୍କାରୁ ଅଧିକ ରୋଜଗାର କରିବି ବୋଲି ଭାବି ପାରୁନି । ଏବଂ ଏ ପର୍ଯ୍ୟନ୍ତ ଗହମ ଚାଷର କିଛି ହେଲେ କାମ ହୋଇନାହିଁ । ଏଥର ପ୍ରଥମ ଥର ପାଇଁ ମୁଁ ଏତେ ବଡ଼ କ୍ଷତିର ସାମନା କରୁଛି ।”

ଅଶୋକଙ୍କ କ୍ଷେତରୁ ପ୍ରାୟ ଦୁଇ କିଲୋମିଟର ଦୂର ବୋରାସ୍ତେୱାଡ଼ିରେ ତୁଷାର ମୱାଲ ତାଙ୍କ ତିନି ଏକର ଚାଷଜମିର ଟମାଟୋ ଗଛରେ କୀଟନାଶକ ସ୍ପ୍ରେ କରୁଛନ୍ତି । ସେଠାରେ ଜମି ରହିଥିବା ପାଣି ନଭେମ୍ବର ପ୍ରଥମ ଭାଗରେ କମିଥିଲା

On Tushar Mawal's tomato farm, the buds and flowers rotted, so there won't be any further crop growth this season
PHOTO • Jyoti Shinoli
On Tushar Mawal's tomato farm, the buds and flowers rotted, so there won't be any further crop growth this season
PHOTO • Jyoti Shinoli

ତୁଷାର ମୱାଲଙ୍କ ଟମାଟୋ କ୍ଷେତରେ କଢ଼ ଓ ଫୁଲ ସଢ଼ି ଯାଇଥିବାରୁ ଏଥର ଆଉ ଅଧିକ ଫସଲ ହେବନାହିଁ

“ମୁଁ ପ୍ରାୟ ୨୦ କିଲୋ ସଢ଼ା ଟମାଟୋ ଫିଙ୍ଗିଦେଲି ।” ୨୮ ବର୍ଷୀୟ ଏହି ଚାଷୀ ଜଣକ କହନ୍ତି । “ଅତ୍ୟଧିକ ବର୍ଷାରେ ଗଛର ଫୁଲ ମରିଯାଇଥିବାରୁ ଟମାଟୋ ଆଉ ଅଧିକ ବଢ଼ିବ ନାହିଁ । ମୁଁ ଔଷଧ (କୀଟନାଶକ) ଦେଇ ଗଛଗୁଡ଼ିକୁ ବଞ୍ଚାଇବାକୁ ଚେଷ୍ଟା କରୁଛି । କିନ୍ତୁ ଏଥର ଗୋଟିଏ ଟନ୍‌ରୁ ଅଧିକ ପାଇବି ବୋଲି ଆଶା ନାହିଁ । ଏବେ ବଜାର ଦର ବି ବହୁତ କମ୍‌ (କିଲୋଗ୍ରାମ ପିଛା ୧୦-୧୧ ଟଙ୍କା) ରହିଛି । ମୁଁ ମୋର ଖର୍ଚ୍ଚ ଉଠାଇବାରେ ସକ୍ଷମ ହେବିନାହିଁ । ତଥାପି ଫସଲହାନି ନିରୀକ୍ଷଣ କରିବା ଲାଗି ଅଧିକାରୀମାନେ ଆସିବେ ବୋଲି ମୁଁ ଅପେକ୍ଷା କରୁଛି ।”

ଗତ ବର୍ଷ ତୁଷାର ପ୍ରାୟ ୩୬ ଟନ୍‌ (ବା ୩୬,୦୦୦ କିଲୋ) ଟମାଟୋ ଅମଳ କରିଥିଲେ ଏବଂ କିଲୋ ପିଛା ୩ ଟଙ୍କା ଭଳି ଖୁବ୍‌ କମ୍‌ ଦରରେ ବିକ୍ରି କରିଥିଲେ । ଏଥିରୁ ତାଙ୍କୁ ପ୍ରାୟ ୧.୮ ଲକ୍ଷ ଟଙ୍କା ମିଳିଥିଲା ଏବଂ ସେଥିରୁ ୨୦,୦୦୦-୩୦,୦୦୦ ଟଙ୍କା ଲାଭ ହୋଇଥିଲା । ତାଙ୍କ ସ୍ତ୍ରୀ, ୨୫ ବର୍ଷୀୟା ଅଶ୍ୱିନୀ ଜଣେ ଅଙ୍ଗନୱାଡ଼ି ଶିକ୍ଷୟିତ୍ରୀ ଏବଂ ମାସକୁ ପ୍ରାୟ ୨,୦୦୦ ଟଙ୍କା ରୋଜଗାର କରନ୍ତି । ଦୁହିଁଙ୍କର ମିଳିତ ରୋଜଗାରରେ ସେମାନଙ୍କର ୧୦ ବର୍ଷର ଝିଅ ଏବଂ ତୁଷାରଙ୍କ ବାପା-ମାଆ ଚଳନ୍ତି ।

ସମଗ୍ର ନାସିକ୍‌ ଜିଲ୍ଲାରେ ଅଶୋକ ଓ ତୁଷାରଙ୍କ ଭଳି ୧,୯୨୬ଟି ଗାଁର ୩୧୭,୩୭୯ରୁ ଅଧିକ ଚାଷୀ (ଡିଣ୍ଡୋରୀ ତହସିଲଦାରଙ୍କ ଅଫିସ୍‌ର ତଥ୍ୟ ଅନୁସାରେ) ଅମଳ ସମୟରେ ଅତ୍ୟଧିକ ଅଦିନିଆ ବର୍ଷାର କୁପରିଣାମ ସହ ସଂଘର୍ଷ କରୁଛନ୍ତି । କୋଙ୍କଣ, ମଧ୍ୟ ମହାରାଷ୍ଟ୍ର (ଯେଉଁଥିରେ ନାସିକ୍‌ ଅବସ୍ଥିତ) ଏବଂ ମରାଠୱାଡ଼ା ଅଞ୍ଚଳରେ ଏ ବର୍ଷ ଅକ୍ଟୋବର ୧ରୁ ନଭେମ୍ବର ୧୨ ତାରିଖ ଭିତରେ (ଭାରତୀୟ ପାଣିପାଗ ବିଭାଗର ତଥ୍ୟରେ ଦର୍ଶାଯାଇଛି) ୧୮୩.୧ ମି.ମି. ବର୍ଷା ହୋଇଛି । ସାଧାରଣତଃ ଏହି ସମୟ ଭିତରେ ଏସବୁ ଅଞ୍ଚଳରେ ହାରାହାରି ୮୦.୧ ମି.ମି. ବୃଷ୍ଟିପାତ ହୋଇଥାଏ । ଚାଷୀମାନେ କହନ୍ତି ଯେ, ବର୍ଷା ଯୋଗୁଁ ମହାରାଷ୍ଟ୍ରର ବିଭିନ୍ନ ଭାଗରେ ସୋୟାବିନ୍‌, ଧାନ, ଚୀନାବାଦାମ, ମକା ଏବଂ ଟମାଟୋ ଭଳି ଖରିଫ ଚାଷର ଉଭୟ ଗୁଣ ଓ ପରିମାଣ ହ୍ରାସ ପାଇଛି ।

ବୋରାସ୍ତେୱାଡ଼ି ଉପକଣ୍ଠରେ ଅତ୍ୟଧିକ ବର୍ଷାରେ କ୍ଷତିଗ୍ରସ୍ତ ତାଙ୍କ ଅଙ୍ଗୁର ବଗିଚାକୁ ମୋତେ ଦେଖାନ୍ତି ୫୨ ବର୍ଷୀୟା ସରଳା ବୋରାସ୍ତେ । ସେପ୍ଟେମ୍ବରରେ ସେ ତାଙ୍କ ତିନି ଏକର ଜମିରେ କଢ଼ କଟାକଟି କରିଥିଲେ । ଅଙ୍ଗୁର ବଢ଼ିବା ପାଇଁ ୧୧୦-୧୨୦ ଦିନ ଲାଗିଥାଏ । କିନ୍ତୁ ହଠାତ୍‌ ଅକ୍ଟୋବରରେ ପ୍ରବଳ ବର୍ଷା ହେବାରୁ ପତ୍ରଗୁଡ଼ିକ ରୋଗରେ ସଂକ୍ରମିତ ହୋଇଯାଇଥିଲା ଏବଂ ଫୁଲ ଧରିବା ବନ୍ଦ ହୋଇଯାଇଥିଲା । ସରଳା କହନ୍ତି, “ଫୁଲ ଧରିବା ପାଇଁ ଅକ୍ଟୋବର ମାସ ହିଁ ଗୁରୁତ୍ୱପୂର୍ଣ୍ଣ । ଏତେବେଳକୁ ଅଙ୍ଗୁରର ଛୋଟ ଛୋଟ ପେନ୍ଥା ହୋଇଯିବା କଥା । ମୁଁ ପ୍ରାୟ ତିନି ଲକ୍ଷ ଟଙ୍କା ବିନିଯୋଗ କରିଛି । ଏଥର ପୂରା କ୍ଷତି ।”

This is a complete loss', says Sarala Boraste at her grape orchard.
PHOTO • Jyoti Shinoli
What will I earn from these rotten groundnuts', ask Rohini Boraste
PHOTO • Jyoti Shinoli

ବାମ: ତାଙ୍କ ଅଙ୍ଗୁର ବଗିଚାରେ ସରଳା ବୋରାସ୍ତେ କହନ୍ତି,‘ଏଥର ପୂରା କ୍ଷତି’। ଡାହାଣ: ‘ଏ ପୋଚା ଚୀନାବାଦାମରୁ ମୁଁ କି ରୋଜଗାର କରିବି’ ବୋଲି ପଚାରନ୍ତି ରୋହିଣୀ ବୋରାସ୍ତେ (ଡାହାଣରେ ବସିଛନ୍ତି)

ନଭେମ୍ବର ୬ରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା କି ଅଦିନିଆ ବର୍ଷା ଯୋଗୁଁ ମହାରାଷ୍ଟ୍ରର ୭୦ ଲକ୍ଷ ହେକ୍ଟର ଜମିରେ ହୋଇଥିବା ଫସଲ କ୍ଷତିଗ୍ରସ୍ତ ହୋଇଛି ଏବଂ ୬୦ ଲକ୍ଷରୁ ଅଧିକ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ଅର୍ଥମନ୍ତ୍ରୀ ସୁଧୀର ମୁଙ୍ଗନ୍ତିୱାର କହିଛନ୍ତି । ସେ କହିଥିଲେ କି ପ୍ରାୟ ୧୯ ଲକ୍ଷ ହେକ୍ଟର ଜମିରେ କପାଚାଷ ଏବଂ ୧୧ ଲକ୍ଷ ହେକ୍ଟର ଜମିରେ ବୁଣାଯାଇଥିବା ସୋୟାବିନ୍‌ ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ନଭେମ୍ବର ୩ରେ (ପୂର୍ବତନ) ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍‌ ୧୦,୦୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ ଏବଂ ବୀମା କମ୍ପାନିଗୁଡ଼ିକ ଦ୍ୱାରା ତୁରନ୍ତ କ୍ଷତିପୂରଣ ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ କହିଥିଲେ । କିନ୍ତୁ ବିଜେପି-ଶିବ ସେନା ସରକାର ଗଠନ କରିବାରେ ବିଫଳ ହେବା ପରେ ରାଜ୍ୟରେ ନଭେମ୍ବର ୧୨ରୁ ରାଷ୍ଟ୍ରପତି ଶାସନ ଜାରି ହୋଇଥିବାରୁ ଏହି ଘୋଷଣା କାର୍ଯ୍ୟକାରୀ ହେବା ସଂପର୍କରେ ଚାଷୀମାନେ ସନ୍ଦେହରେ ଅଛନ୍ତି ।

ତୁଷାର କହନ୍ତି, “ଏବେ ରାଜ୍ୟରେ କେହି ୱାଲି (ମୁଖ୍ୟ) ନାହାନ୍ତି ଏବଂ ସେମାନଙ୍କର ଘୋଷଣା ଓ ଆଶ୍ୱାସନା ଅଦରକାରୀ ମନେ ହେଉଛି’’ । ‘‘ସେମାନେ ପ୍ରଥମେ ସେମାନଙ୍କ ଯୋଜନା (ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା) ସଂପର୍କିତ ବାସ୍ତବ ଚିତ୍ର ଅନୁଧ୍ୟାନ କରିବା ଉଚିତ । ଚାଷୀମାନଙ୍କୁ ଅଧିକ ବୀମା କିସ୍ତି ଦେବାକୁ ପଡୁଛି ଏବଂ ଫସଲହାନି ପରେ କ୍ଷତିପୂରଣ ରାଶି ଖୁବ୍‌ କମ୍‌ ଏବଂ ସମୟସାପେକ୍ଷ । ଅଧିକାଂଶ ଚାଷୀ କୌଣସି କ୍ଷତିପୂରଣ ପାଇନାହାନ୍ତି । ତେଣୁ ବୀମା କିସ୍ତି ଦେବା କି ଦରକାର ?”

ତୁଷାରଙ୍କ କ୍ଷେତଠାରୁ କିଛି ମିଟର ଦୂରରେ ୩୫ ବର୍ଷୀୟା ରୋହିଣୀ ବୋରାସ୍ତେ ନଷ୍ଟ ହୋଇଯାଇଥିବା ଚୀନାବାଦାମ ଗୋଚ୍ଛାରୁ ଭଲ ଚୀନାବାଦାମକୁ ଅଲଗା କରୁଛନ୍ତି । “ମୁଖ୍ୟମନ୍ତ୍ରୀଙ୍କ ପଦବୀକୁ ନେଇ ସେମାନେ (ବିଜେପି-ଶିବ ସେନା) ବଳ କଷାକଷିରେ ଲାଗିଛନ୍ତି । କିନ୍ତୁ ଏହାରି ଭିତରେ ଯେଉଁ ଚାଷୀ ଓ ମଜୁରିଆମାନେ ଦୁଃଖକଷ୍ଟ ଭୋଗୁଛନ୍ତି ସେମାନଙ୍କ ଅବସ୍ଥା କିଏ ବୁଝିବ ? ଏହା ଏକ ବିଷମ ସ୍ଥିତି । ତେଣୁ ସରକାର ଜରୁରୀ ପଦକ୍ଷେପ ନେବା ଦରକାର । କିନ୍ତୁ ସେମାନେ କି ଏହା ବୁଝୁଛନ୍ତି ?”

ଅକ୍ଟୋବର ମାସର ବର୍ଷାରେ ରୋହିଣୀଙ୍କ ଦୁଇ ଏକର ଜମିର ଚୀନାବାଦାମ ଫସଲ ବୁଡ଼ିଗଲା । ସେ କହନ୍ତି, “ବର୍ଷା ବନ୍ଦ ହେବାର ନାଁ ନେଲାନି । ଏ ପଚାସଢ଼ା ବାଦାମରୁ ମୁଁ କ’ଣ ବା ପାଇବି ? ସେମାନଙ୍କୁ (ବିଜେପି-ଶିବ ସେନାକୁ) ପଚାରନ୍ତୁ ।” ରୋହିଣୀ ମଧ୍ୟ ଅଧିକାରୀମାନେ ଫସଲହାନି ନିରୀକ୍ଷଣ କରିବାକୁ ଆସିବେ ବୋଲି ଦୁଇ ସପ୍ତାହ ଅପେକ୍ଷା କଲେ ଏବଂ ପରେ ଗହମ ଚାଷ କରିବା ଲାଗି ଫସଲ କାଟିଦେବାକୁ ସ୍ଥିର କଲେ ।

On Sarala Boraste's farm, labourers taking a break from spraying pesticides on infected grape plants.
PHOTO • Jyoti Shinoli
Sunil and Uma Wasale are landless farm labourers, whose work has nearly dried up this year
PHOTO • Jyoti Shinoli

ବାମ: ସରଳା ବୋରାସ୍ତେଙ୍କ ଜମିରେ ସଂକ୍ରମିତ ଅଙ୍ଗୁର ଗଛରେ କୀଟନାଶକ ସ୍ପ୍ରେ କରିବାରୁ ମଜୁରିଆମାନେ ବିରତି ନେଇଛନ୍ତି । ଡାହାଣ: ସୁନୀଲ ଓ ଉମା ୱାସାଲେ ଦୁହେଁ ଭୂମିହୀନ କୃଷି ଶ୍ରମିକ, ଏ ବର୍ଷ ସେମାନଙ୍କ ପାଇଁ କାମ ନାହିଁ କହିଲେ ଚଳେ

ଡିଣ୍ଡୋରୀ ତହସିଲଦାରଙ୍କ ଅଫିସ୍‌ ତରଫରୁ ମୋତେ କୁହାଗଲା ଯେ, ନଭେମ୍ବର ୯ ତାରିଖ ସୁଦ୍ଧା ୯୦ ପ୍ରତିଶତ ସ୍ଥିତି ଅନୁଧ୍ୟାନ ପ୍ରକ୍ରିୟା ଶେଷ ହୋଇଛି । ସେମାନଙ୍କ ତଥ୍ୟରୁ ଜଣାପଡ଼େ ଯେ ସମଗ୍ର ନାସିକ୍‌ ଜିଲ୍ଲାରେ ମୋଟାମୋଟି ୨୮୫.୪୬୯ ହେକ୍ଟର ଜମିରେ ହୋଇଥିବା ଖରିଫ ଫସଲର ୩୩ ପ୍ରତିଶତରୁ ଅଧିକ ନଷ୍ଟ ହୋଇଯାଇଛି । ପୂରା ଜିଲ୍ଲାରେ କ୍ଷତି ଆକଳନ ଶେଷ ହେବା ପରେ ହିଁ ଚାଷୀମାନଙ୍କୁ ଦିଆଯିବାକୁ ଥିବା କ୍ଷତିପୂରଣ ରାଶିର ପରିମାଣ ଘୋଷଣା କରାଯିବ ।

ଫସଲ ଅମଳ ସମୟରେ ଗାଁକୁ ଗାଁ ବୁଲି କାମ କରୁଥିବା କୃଷି ଶ୍ରମିକମାନଙ୍କୁ ମଧ୍ୟ ଏହା ଗୁରୁତର ଭାବେ ପ୍ରଭାବିତ କରିଛି । ନଭେମ୍ବର ୧ ତାରିଖ ଦିନ ସୁରଗାନା ତାଲୁକା ଅନ୍ତର୍ଗତ ମୁରୁମଦାରି ଗାଁର ୩୪ ବର୍ଷୀୟ ସୁନୀଲ ୱାସାଲେ ତାଙ୍କ ସ୍ତ୍ରୀ ଉମା ଓ ନଅ ବର୍ଷର ପୁଅକୁ ସାଙ୍ଗରେ ଧରି  ଡିଣ୍ଡୋରି ଗାଁକୁ ଆସିଥିଲେ । ସାଧାରଣତଃ ପ୍ରତି ବର୍ଷ ଅକ୍ଟୋବର ପ୍ରଥମ ସପ୍ତାହରେ ସେ ଗାଁ ଛାଡ଼ି ବାହାରକୁ ଯାଆନ୍ତି ଏବଂ କ୍ଷେତରୁ ଟମାଟୋ, ଚୀନାବାଦାମ ଓ ସୋୟାବିନ୍‌ ତୋଳିବା କାମ ପାଇଯାଆନ୍ତି । ଏ ବର୍ଷ ବର୍ଷା ଯୋଗୁଁ ସେ ଡେରିରେ ଗାଁ ଛାଡ଼ିଲେ । ସେ ଡିଣ୍ଡୋରିକୁ ଆସିବା ବେଳକୁ କ୍ଷେତରେ ପାଣି ଭରି ରହିଥିଲା । ସେ କହନ୍ତି, “ପାଣି ଛାଡ଼ିବା ଲାଗି ଆମକୁ ଅପେକ୍ଷା କରିବାକୁ ପଡ଼ିଲା । ନଭେମ୍ବର ୭ ତାରିଖରେ ଦିନକୁ ୨୦୦ ଟଙ୍କା (ଜଣକ ପିଛା) ମଜୁରି ଭିତ୍ତିରେ ଆମକୁ ଗୋଟିଏ ଅଙ୍ଗୁର ବଗିଚାରେ ନଷ୍ଟ ହୋଇଯାଇଥିବା ଗଛରେ କୀଟନାଶକ ସ୍ପ୍ରେ କରିବା କାମ ମିଳିଲା ।”

ଉମା କହନ୍ତି, “ଆମର ଜମି ନାହିଁ । ତେଣୁ ଆମେ ଗାଁକୁ ଗାଁ ବୁଲୁଥାଉ । ଫସଲ ଅମଳ ଓ ବିହନ ବୁଣା ସମୟରେ ଆମକୁ କିଛି ରୋଜଗାର ମିଳେ । କିନ୍ତୁ ପୂର୍ବରୁ ଆମକୁ କାମ ଦେଉଥିବା କ୍ଷେତ ମାଲିକମାନଙ୍କ ପାଖରେ ଏ ବର୍ଷ ଆମ ପାଇଁ କାମ ନାହିଁ ।”

ବର୍ଷ ଅଧାରୁ ସ୍କୁଲ୍‌ ଛାଡ଼ି ପୁଅ କପିଲ ସେମାନଙ୍କ ସହ ଆସିଛି । ସେ ୪ର୍ଥ ଶ୍ରେଣୀରେ ପଢ଼େ । ସୁନୀଲ କହନ୍ତି, “ତା’ର ଦେଖାରଖା କରିବାକୁ କେହି ନାହାନ୍ତି । ତା’ର ପାଠପଢ଼ା ନଷ୍ଟ ହେଉଛି । ଆମେ ଆମ ଇଚ୍ଛା ଅନୁସାରେ ତା’ର ଭବିଷ୍ୟତ ଗଢ଼ିବା କଥା ଏବେ କଳ୍ପନା କରିପାରୁନୁ । ଠିକ୍‌ ଯେମିତି ବର୍ଷା ଆମ ଇଚ୍ଛାରେ ଆସେ ନାହିଁ । ଏବଂ ଆମ ସମସ୍ୟାକୁ ନେଇ ମୁମ୍ବାଇରେ ବସିଥିବା ସେମାନଙ୍କର (ରାଜନୀତିଜ୍ଞମାନଙ୍କର) କିଛି ଯାଏ ଆସେ ନାହିଁ ।”

ଅନୁବାଦ: ଓଡ଼ିଶାଲାଇଭ୍‍

Jyoti Shinoli

ଜ୍ୟୋତି ଶିନୋଲି ପିପୁଲ୍‌ସ ଆର୍କାଇଭ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ସାମ୍ବାଦିକ ଏବଂ ପୂର୍ବରୁ ସେ ‘ମି ମରାଠୀ’ ଏବଂ ‘ମହାରାଷ୍ଟ୍ର1’ ଭଳି ନ୍ୟୁଜ୍‌ ଚ୍ୟାନେଲରେ କାମ କରିଛନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ଜ୍ୟୋତି ଶିନୋଲି
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE