ତଙ୍ଗମ୍ମା ଏ. କେ. ତଳେ ଖସିପଡ଼ିଥିବା ଖଣ୍ଡେ ଡାଳକୁ ଧରି ଭୂମି ଉପରେ ପିଟୁଛନ୍ତି। ନଡ଼ିଆ ଗଛ ତଳେ ଏହା ତାଙ୍କର ଆଗମନକୁ ସୂଚାଇ ଦେଉଛି। ‘‘ଡେଙ୍ଗା ଗଛ ଥିବା ଏସବୁ ଜମିକୁ ମୁଁ ସତର୍କତାର ସହ ପ୍ରବେଶ କରିଥାଏ। ମୁଁ ଭୂମିରେ ବାଡ଼ି ପିଟିଥାଏ ଓ ପାଟି କରିଥାଏ କାରଣ ଯଦି କୌଣସି ସାପ ଥାଆନ୍ତି, ସେମାନେ ଦୂରକୁ ଚାଲିଯିବେ,’’ ବୁଦା ଜଙ୍ଗଲ ଭିତରକୁ ପ୍ରବେଶ କରିବା ସମୟରେ ସେ କହିଥାନ୍ତି। ଆକାଶଛୁଆଁ ନଡ଼ିଆ ଗଛ ତଳେ ଘଞ୍ଚ ଲତା, ଭାଙ୍ଗି ପଡ଼ିଥିବା ଡାଳ ଓ ଜଙ୍ଗଲୀ ଘାସ ଭିତରେ କୌଣସି ଜୀବ ଯେମିତି ଆକ୍ରମଣ ନକରୁ ସେଥିପାଇଁ ସେ ସତର୍କ ରହିଥାନ୍ତି ।

ଏର୍ଣ୍ଣାକୁଲମର ଆବାସିକ କଲୋନୀରେ ଏହି ଜଙ୍ଗଲିଆ ସ୍ଥାନଟି ଖାଲି ପ୍ଲଟ୍‌ ଥିବା ଏକ ଭୂଖଣ୍ଡ । ‘‘ରାସ୍ତାରେ (ଭଲ) ନଡ଼ିଆ ମିଳିବା ଭାଗ୍ୟର କଥା!’’ ୬୨ ବର୍ଷ ବୟସ୍କ ଏହି ମହିଳା ଜଣଙ୍କ କୁହନ୍ତି। ନିଜର ପେଟ ପୋଷିବା ପାଇଁ ସେ ପରିତ୍ୟକ୍ତ ସ୍ଥାନରେ ପଡ଼ିଥିବା ନଡ଼ିଆ ସଂଗ୍ରହ କରି ବିକ୍ରି କରିଥାନ୍ତି।  ମାଲାୟାଲୀ ବ୍ୟଞ୍ଜନରେ ନଡ଼ିଆ ଏକ ଜରୁରି ଉପାଦାନ, ତେଣୁ ବର୍ଷ ସାରା ଏହି ଫଳର ଚାହିଦା ରହିଥାଏ।

‘‘ପୂର୍ବରୁ କାମରୁ ଫେରିବା ପରେ ମୁଁ ଏଇ ପାଖରେ ଥିବା ସ୍ଥାନ (ପୁଦିୟା ରୋଡ ଜଙ୍କସନ)ରୁ ନଡ଼ିଆ ସଂଗ୍ରହ କରୁଥିଲି, କିନ୍ତୁ ଅସୁସ୍ଥତା କାରଣରୁ ମୁଁ ଆଉ କାମକୁ ଯାଇପାରୁନାହିଁ,’’ ଲମ୍ବା ଘାସ ଭିତରେ ସନ୍ତର୍ପଣ ସହିତ ରାସ୍ତା କାଟି ଚାଲି ଯାଉଥିବା ବେଳେ ତଙ୍ଗମ୍ମା କହିଥାନ୍ତି ।  ମଝିରେ ମଝିରେ ସାମାନ୍ୟ ଅଟକି ଯାଇ ସେ ଦୀର୍ଘ ଶ୍ୱାସ ନିଅନ୍ତି କିମ୍ବା ମଧ୍ୟାହ୍ନ ଖରାରୁ ନିଜ ଆଖିକୁ ସୁରକ୍ଷା ଦେଇ ସେ ନଡ଼ିଆ ଖୋଜନ୍ତି ।

ପାଞ୍ଚ ବର୍ଷ ପୂର୍ବରୁ, ତଙ୍ଗମ୍ମାଙ୍କୁ ନିଃଶ୍ୱାସ ନେବାରେ ସମସ୍ୟା, ଅତ୍ୟଧିକ ଥକାପଣ ଏବଂ ଥାଇରଏଡ଼ ସଂକ୍ରାନ୍ତ ଅନ୍ୟ ଜଟିଳତାଗୁଡ଼ିକର ସାମ୍ନା କରିବାକୁ ପଡ଼ିଥିଲା। ଫଳରେ ସେ ଘରୋଇ କର୍ମଜୀବୀ ଭାବେ ନିଜର ପୂର୍ଣ୍ଣକାଳୀନ କାମ ଛାଡ଼ିବାକୁ ବାଧ୍ୟ ହୋଇଥିଲେ ଏବଂ ଏଥିରୁ ହେଉଥିବା ମାସିକ ୬,୦୦୦ ଟଙ୍କାର ରୋଜଗାର ମଧ୍ୟ ହରାଇଲେ। ଚଳିବା ପାଇଁ ରୋଜଗାର ଦରକାର ଥିବାରୁ ଘରେ ବସିବା ତଙ୍ଗମ୍ମାଙ୍କ ପାଇଁ ଏକ ଭଲ ବିକଳ୍ପ ନଥିଲା। ତେଣୁ ସେ ପଡ଼ୋଶୀ ଲୋକଙ୍କ ଘରେ ଝାଡ଼ୁ ମାରିବା ଓ ଆଖପାଖ ସ୍ଥାନକୁ ସଫେଇ କରିବା ଭଳି କମ ଶାରୀରିକ ଶ୍ରମ ଆଧାରିତ କାମ କରିବାକୁ ଆରମ୍ଭ କଲେ । କିନ୍ତୁ କୋଭିଡ-୧୯ ମହାମାରୀ ଆସିବା ପରେ ଏହି କାମ ମଧ୍ୟ ବନ୍ଦ ହୋଇଯାଇଥିଲା।

Armed with a stick and a plastic bag, Thankamma searches for coconuts in overgrown plots.
PHOTO • Ria Jogy
She beats the stick (right) to make noise to ward-off snakes and other creatures that may be lurking in the dense vines
PHOTO • Ria Jogy

ହାତରେ ବାଡ଼ି ଓ ଗୋଟିଏ ପ୍ଲାଷ୍ଟିକ ବ୍ୟାଗ ଧରି ତଙ୍ଗମ୍ମା ଜଙ୍ଗଲିଆ ପ୍ଲଟରେ ନଡ଼ିଆ ଖୋଜୁଛନ୍ତି। ଘଞ୍ଚ ଲତା ତଳେ ଲୁଚି ରହିଥିବା ସାପ ଓ ଅନ୍ୟାନ୍ୟ ଜୀବମାନଙ୍କୁ ଘଉଡ଼େଇ ଦେବା ପାଇଁ ଶବ୍ଦ କରିବାକୁ ସେ ଭୂମିରେ ବାଡ଼ି ପିଟୁଛନ୍ତି (ଡାହାଣ)

Right: Finding just one or two coconuts, she concludes that someone had already got their hands on the fallen fruit
PHOTO • Ria Jogy
Left: Thankamma often has to cut the lower branches of the trees to clear the way.
PHOTO • Ria Jogy

ବାମ : ରାସ୍ତା ସଫା କରିବା ଲାଗି ତଙ୍ଗମ୍ମାଙ୍କୁ ଅଧିକାଂଶ ସମୟରେ ଗଛର ନିମ୍ନ ଶାଖାଗୁଡ଼ିକୁ କାଟିବାକୁ ପଡ଼ିଥାଏ। ଡାହାଣ : ଯେଉଁଦିନ ତାଙ୍କୁ ଗୋଟିଏ କିମ୍ବା ଦୁଇଟି ନଡ଼ିଆ ମିଳେ ସେ ଜାଣିପାରନ୍ତି ଯେ ତାଙ୍କ ପୂର୍ବରୁ କେହି ଜଣେ ପଡ଼ିଥିବା ଫଳ ଗୋଟେଇ ନେଇ ଚାଲି ଯାଇଛି

ଏହାପରେ, ଖାଲି ପଡ଼ିଥିବା ଭୂମିର ଯେକୌଣସି ସ୍ଥାନରୁ ସଂଗୃହିତ ନଡ଼ିଆକୁ ବିକ୍ରି କରି ତଙ୍ଗମ୍ମା ନିଜର ଖର୍ଚ୍ଚ ଉଠାଇଥାନ୍ତି। ସେ ପ୍ରତି ମାସରେ ରାଜ୍ୟ ସରକାରଙ୍କ ଠାରୁ ୧,୬୦୦ ଟଙ୍କାର ଭତ୍ତା ପାଉଛନ୍ତି।

‘‘ଏହିସବୁ ଜମି ଭିତରକୁ ପ୍ରବେଶ କରି ନଡ଼ିଆ ଖୋଜିବା ସମୟରେ ମୋତେ କେହି କେବେ ଅଟକାଇ ନାହାନ୍ତି। ସମସ୍ତେ ମୋତେ ଜାଣନ୍ତି ଏବଂ ମୁଁ କାହାରି କିଛି କ୍ଷତି କରେ ନାହିଁ,’’ ତଙ୍ଗମ୍ମା କୁହନ୍ତି। ସୁସ୍ଥ ନଡ଼ିଆ ଗଛ ଓ ଏହାର ଫଳ ପାଇଁ ସେ ନିୟମିତ ଭାବେ ଜଗୁଆଳି ବିହୀନ ଏହି ସ୍ଥାନକୁ ଆସନ୍ତି ।

ତଙ୍ଗମ୍ମା ନିଜର କାମ ବିଷୟରେ କହିବା ସମୟରେ, ଶାଖାଗୁଡ଼ିକୁ ଭାଙ୍ଗୁଛନ୍ତି ଏବଂ ଘଞ୍ଚ ଗଛଲତାଗୁଡ଼ିକୁ ଆଡ଼େଇ ଦେଇ ନଡ଼ିଆ ଗଛର ମୂଳ ଆଡ଼କୁ ଯାଉଛନ୍ତି ଯେଉଁଠି ହୁଏତ’ ଖସିଥିବା ନଡ଼ିଆ ପଡ଼ି ରହିଥିବ। ସେ ଗୋଟିଏ ନଡ଼ିଆ ପାଉଛନ୍ତି, ତା’କୁ ନିକଟସ୍ଥ କାନ୍ଥ ଉପରେ ରଖୁଛନ୍ତି ଏବଂ ଆଉ ଗୋଟିଏ ନଡ଼ିଆ ପାଇଁ ନିଜର ସନ୍ଧାନ ଜାରି ରଖିଛନ୍ତି।

ନଡ଼ିଆ ଗୋଟେଇବା ଆରମ୍ଭ କରିବାର ଗୋଟିଏ ଘଣ୍ଟା ପରେ ତାଙ୍କ କାମ ଶେଷ ହେଉଛି। ତଙ୍ଗମ୍ମା କାନ୍ଥ ଡେଇଁ ଅନ୍ୟ ଜଣଙ୍କ ପାଚେରି ଭିତରକୁ ପ୍ରବେଶ କରୁଛନ୍ତି, ସେଠାକାର ମାଲିକ ତାଙ୍କୁ ଗୋଟିଏ ଗ୍ଲାସ ପାଣି ଦେଉଛନ୍ତି ଯିଏକି ତାଙ୍କର ପୂର୍ବ ମୁନିବ ଥିଲେ।

ସାମାନ୍ୟ ସତେଜ ଅନୁଭବ କରିବା ପରେ ତଙ୍ଗମ୍ମା ନିଜକୁ ଓ ନିଜ କପଡ଼ାରେ ଲାଗିଥିବା ଘାସ ଓ ପତ୍ରଗୁଡ଼ିକୁ ସଫା କରୁଛନ୍ତି । ଆଉ ତା’ପରେ ସେ ନଡ଼ିଆଗୁଡ଼ିକୁ ସଜେଇ ରଖୁଛନ୍ତି। ସେଗୁଡ଼ିକୁ ନିକଟସ୍ଥ ହୋଟେଲ କିମ୍ବା ଲୋକମାନଙ୍କ ଘରେ ବିକ୍ରି କରିବା ପାଇଁ ସେ ଭିନ୍ନ ଭିନ୍ନ ବସ୍ତାରେ ରଖୁଛନ୍ତି । ଗୋଟିଏ ସାଧାରଣ ଆକାରର ନଡ଼ିଆ ୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବଡ଼ ନଡ଼ିଆଗୁଡ଼ିକ ୩୦ ଟଙ୍କାରେ ବିକ୍ରି ହୋଇପାରେ ।

ଥରେ ନଡ଼ିଆଗୁଡ଼ିକୁ ସଜେଇ ରଖିସାରିବା ପରେ, ତଙ୍ଗମ୍ମା ସାମାନ୍ୟ ସତେଜ ହୁଅନ୍ତି, କାମ ସମୟରେ ସେ ପିନ୍ଧିଥିବା ଏକ ପୁରୁଣା ନାଇଟିକୁ ବଦଳେଇ ଶାଢ଼ୀଟିଏ ପିନ୍ଧି ପକାନ୍ତି ଏବଂ ତା’ପରେ ତରବର ହୋଇ ବସ ଧରି ସେ ପୁଦିୟା ରୋଡ ଜଙ୍କସନ ଅଭିମୁଖେ ବାହାରି ଯାଆନ୍ତି ଯେଉଁଠି ସେ ଏସବୁ ନଡ଼ିଆକୁ ଏକ ହୋଟେଲରେ ବିକ୍ରି କରନ୍ତି।

Left: Thankamma has a drink of water and rests for a while
PHOTO • Ria Jogy
Right: She gathers all the coconuts and begins sorting them on the wall
PHOTO • Ria Jogy

ବାମ : ତଙ୍ଗମ୍ମା ପାଣି ପିଇବା ପରେ କିଛି ସମୟ ପାଇଁ ବିଶ୍ରାମ ନେଉଛନ୍ତି । ଡାହାଣ : ସେ ସବୁ ନଡ଼ିଆଗୁଡ଼ିକୁ ଗୋଟେଇବା ପରେ ସେଗୁଡ଼ିକୁ ଥାକ କରି କାନ୍ଥ ଉପରେ ରଖିବା ଆରମ୍ଭ କରିଛନ୍ତି

Left: After collecting the coconuts, Thankamma packs her working clothes and quickly changes into a saree to make it for the bus on time.
PHOTO • Ria Jogy
Right: The fresh coconuts are sorted and sold to a local hotel around the corner or to the houses in the neighbourhood
PHOTO • Ria Jogy

ବାମ : ନଡ଼ିଆ ସଂଗ୍ରହ କରିସାରିବା ପରେ, ତଙ୍ଗମ୍ମା କାମ ବେଳର ପୋଷାକକୁ ବଦଳେଇ ପ୍ୟାକ କରନ୍ତି ଏବଂ ତୁରନ୍ତ ଏକ ଶାଢ଼ୀ ପିନ୍ଧି ବସ ଧରିବାକୁ ବାହାରିଯାଆନ୍ତି। ଡାହାଣ : ସତେଜ ନଡ଼ିଆଗୁଡ଼ିକୁ ସଜେଇ ରଖାଯାଏ ଏବଂ ପାଖରେ ଥିବା ଏକ ସ୍ଥାନୀୟ ହୋଟେଲରେ କିମ୍ବା ଆଖାପାଖ ଘରେ ବିକ୍ରି କରାଯାଏ

‘‘ମୁଁ ସବୁଥର ନଡ଼ିଆ ପାଏ ନାହିଁ। ପ୍ରକୃତରେ ଏହା ଆପଣଙ୍କ ଭାଗ୍ୟ ଉପରେ ନିର୍ଭର କରିଥାଏ। ବେଳେବେଳେ ଖୁବ ଅଧିକ ମିଳେ, ଅନ୍ୟବେଳେ ଆଦୌ କିଛି ମିଳେ ନାହିଁ,’’ ସେ କୁହନ୍ତି।

ନଡ଼ିଆ ଗଛ ଉପରକୁ ଚାହିଁବା ଦିନକୁ ଦିନ କଷ୍ଟକର ହୋଇପଡ଼ୁଛି, ତଙ୍ଗମ୍ମା ଥରୁଥିବା ଗଳାରେ କୁହନ୍ତି। କ୍ଳାନ୍ତ ନିଶ୍ୱାସ କାରଣରୁ ତାଙ୍କ ମୁହଁରୁ ସ୍ପଷ୍ଟ ଉଚ୍ଚାରଣ ବାହାରୁ ନାହିଁ। ‘‘ମୋର ମୁଣ୍ଡ ବୁଲାଉଛି’’, ଦିନକୁ ଦିନ ତାଙ୍କର ସ୍ୱାସ୍ଥ୍ୟ ଖରାପ ହେବା ପାଇଁ ସେ ନିଜ ଘର ପାଖରେ ଥିବା କାରଖାନାଗୁଡ଼ିକର ପ୍ରଦୂଷଣକୁ ଦାୟୀ କରିଥାନ୍ତି ।

ବିଡ଼ମ୍ବନାର ବିଷୟ ହେଉଛି, ତଙ୍ଗମ୍ମା ତାଙ୍କ ଖାଦ୍ୟରେ ନଡ଼ିଆ ଉପଯୋଗ କରିବାକୁ ପସନ୍ଦ କରନ୍ତି ନାହିଁ। ‘‘ନଡ଼ିଆରେ ତିଆରି ବ୍ୟଞ୍ଜନକୁ ମୁଁ ପସନ୍ଦ କରେ ନାହିଁ । ମୁଁ କେବଳ ପୁଟ୍ଟ (ଭାତରେ ତିଆରି ପିଠା) କିମ୍ବା ଆୟଲା (ଛୋଟ ସାମୁଦ୍ରିକ ମାଛ) ତରକାରୀରେ ଏହାକୁ ଅଳ୍ପ ଉପଯୋଗ କରିଥାଏ,’’ ସେ କୁହନ୍ତି । ସେ ଚଷୁକୁ ଜାଳେଣି ଆକାରରେ ବ୍ୟବହାର କରିଥାନ୍ତି। ନଡ଼ିଆ ତେଲ ବଦଳରେ ଖୋଳପାକୁ ମିଲଗୁଡ଼ିକୁ ବିକ୍ରି କରାଯାଏ। ବୋନସାଇ ଚାଷ ପାଇଁ ତାଙ୍କ ପୁଅ କର୍ଣ୍ଣନଙ୍କୁ ଗଜା ହୋଇଥିବା ବିହନ ଦିଆଯାଇଥାଏ।

ଯେତେବେଳେ ତାଙ୍କ ଶରୀର ସୁସ୍ଥ ଥିଲା, ତଙ୍ଗମ୍ମା ନଡ଼ିଆ ଅମଳ ଚକ୍ର ସହିତ ନିଜ ଯାତ୍ରାର ସମୟ ନିର୍ଦ୍ଧାରଣ କରୁଥିଲେ – ୪୦ ଦିନରେ ଗୋଟିଏ ଥର । ସେତେବେଳେ ସତେଜ ନଡ଼ିଆ ମିଳିବାର ସମ୍ଭାବନା ଅଧିକ ଥିଲା। ଏବେ ଯିବାଆସିବା ଅନିୟମିତ ହୋଇଗଲାଣି କାରଣ ଏଲୁରରେ ତାଙ୍କ ଘର ଠାରୁ ପୁଦିୟା ରୋଡ ପର୍ଯ୍ୟନ୍ତ ଯିବା ଆସିବାରେ ସମସ୍ୟା ଦେଖା ଦେଉଛି । ‘‘ଯେତେବେଳେ ମୁଁ ପୁଦିୟା ରୋଡରେ ରହୁଥିଲି, ଏସବୁ ସହଜ ଥିଲା। ଏବେ ୨୦ ମିନିଟର ବସ ଯାତ୍ରା ଏବଂ ୧୫ ମିନିଟ ଚାଲି ଚାଲି ଯିବା କାରଣରୁ ଭାରି ଥକି ଯାଉଛି,’’ ବସକୁ ଅପେକ୍ଷା କରିବା ସମୟରେ ସେ କୁହନ୍ତି ।

ପାଞ୍ଚ ଜଣ ଭାଇଭଉଣୀଙ୍କ ସହିତ ପୁଦିୟା ରୋଡ ଜଙ୍କସନ ଆଖପାଖ ଇଲାକାରେ ତଙ୍ଗମ୍ମା ବଡ଼ ହୋଇଥିଲେ। ତାଙ୍କର ପୈତୃକ ଘର ଯେଉଁ ଜମି ଉପରେ ତିଆରି ହୋଇଛି ତାହା ପରବର୍ତ୍ତୀ ସମୟରେ ତାଙ୍କ ଭାଇଭଉଣୀଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା। ତଙ୍ଗମ୍ମାଙ୍କ ପରଲୋକଗତ ସ୍ୱାମୀ ୱେଲାୟୁଧନ ତାଙ୍କ ଭାଗକୁ ବିକ୍ରି କରି ଦେଇଥିଲେ। ରହିବା ପାଇଁ ଘର ନଥିବା କାରଣରୁ ସେମାନେ ଅଧିକାଂଶ ସମୟରେ ଏଣେତେଣେ ରହୁଥିଲେ। କେବେ ପୁଦିୟା ରୋଡରେ ଥିବା ତାଙ୍କ ଭଉଣୀ ଘରେ ଏବଂ ଆଉ କେତେବେଳେ ଏକ ସେତୁ ତଳେ। ବାସହୀନଙ୍କୁ ସହାୟତା କରିବା ଲାଗି ଏକ ପଟ୍ଟାୟାମ (ଜମି ପଟ୍ଟା) ଆକାରରେ ଏଲୁରର ଏସ.ସି କଲୋନୀରେ ପଞ୍ଚାୟତ ପକ୍ଷରୁ ତିନି ସେଣ୍ଟ ଜମି (୧୩୦୬.୮ ବର୍ଗଫୁଟ) ଯୋଗାଇ ଦିଆଯାଇଥିଲା, ଏହି ଜମିରେ ଏବେ ତଙ୍ଗମ୍ମାଙ୍କର ଘର ଅଛି ।

Left: Due to frequent episodes of light-headedness, looking up at the coconut trees is getting hard for Thankamma who says: ' I don't get coconuts on every visit. It depends on luck. Sometimes it's a lot, other times, nothing'
PHOTO • Ria Jogy
Left: Due to frequent episodes of light-headedness, looking up at the coconut trees is getting hard for Thankamma who says: ' I don't get coconuts on every visit. It depends on luck. Sometimes it's a lot, other times, nothing'
PHOTO • Ria Jogy

ବାମ : ବାରମ୍ବାର ମୁଣ୍ଡ ଘୂରାଇବା କାରଣରୁ, ନଡ଼ିଆ ଗଛ ଉପରକୁ ଚାହିଁବା ତଙ୍ଗମ୍ମାଙ୍କ ପାଇଁ କଷ୍ଟ ହେଉଛି । ସେ କୁହନ୍ତି : ‘ପ୍ରତି ଥର ମୋତେ ନଡ଼ିଆ ମିଳିନଥାଏ। ଏହା ଭାଗ୍ୟ ଉପରେ ନିର୍ଭର କରିଥାଏ। ବେଳେବେଳେ ଅଧିକ, ଆଉ କେତେବେଳେ ଆଦୌ ମିଳିନଥାଏ’

Left: At home, Thankamma is greeted by her daughter Karthika, grandchild Vaishnavi and a pet parrot, Thathu.
PHOTO • Ria Jogy
Right: Thankamma and her granddaughter Vaishnavi
PHOTO • Ria Jogy

ବାମ : ଘରେ ତଙ୍ଗମ୍ମାଙ୍କ ଝିଅ କାର୍ତିଗା, ନାତୁଣୀ ବୈଷ୍ଣବୀ ଏବଂ ଏକ ପୋଷା ଶୁଆ ତାତୁ ତାଙ୍କୁ ସ୍ୱାଗତ ଜଣାଉଛନ୍ତି। ଡାହାଣ : ତଙ୍ଗମ୍ମା ଓ ବୈଷ୍ଣବୀ, ଯାହାଙ୍କୁ ସେ ‘ତକ୍କାଳୀ’ (ଟମାଟୋ) ନାମରେ ସମ୍ବୋଧିତ କରିଥାନ୍ତି

ତଙ୍ଗମ୍ମାଙ୍କ ସ୍ୱାମୀ ୱେଲାୟୁଧନ ଜଣେ ନଡ଼ିଆ ଗଛ ଚଢ଼ାଳି ଥିଲେ ଏବଂ ପୁଦିୟା ରୋଡ ଆଖପାଖରେ କାମ କରୁଥିଲେ। ଉଭୟଙ୍କର ଦୁଇ ପିଲା ଅଛନ୍ତି ପୁଅ କର୍ଣ୍ଣନ (୩୪) ଏବଂ ଝିଅ କାର୍ତିଗା (୩୬)। କର୍ଣ୍ଣନ ନିଜ ପତ୍ନୀଙ୍କ ପରିବାର ସହିତ ତ୍ରିସ୍ସୁରରେ ରହି ଚାଷବାସ କାମ କରିଥାନ୍ତି। କାର୍ତିଗା ସେହି ପାଖରେ ନିଜ ଝିଅ ବୈଷ୍ଣବୀ ସହିତ ରୁହନ୍ତି ଯାହାଙ୍କୁ ତଙ୍ଗମ୍ମା ସ୍ନେହରେ ତକ୍କାଳୀ (ଟମାଟୋ) ନାମରେ ଡାକନ୍ତି । ‘ଛୋଟ ପିଲାଙ୍କ ସହିତ ରହିବାକୁ ଖୁସି ଲାଗେ, କିନ୍ତୁ ସେ ସବୁବେଳେ କିଛି ନା କିଛି ମାଗିଥାଏ ଓ ତା’କୁ ସମ୍ଭାଳିବା ବେଶ କଷ୍ଟକର କାମ,’ ସେ କୁହନ୍ତି।

*****

ନିଜ ବିଛଣାରେ କିଛି କପଡ଼ା ଗଦା, କିଛି କାଗଜପତ୍ର ଏବଂ ପୋଷା ଶୁଆର କାଠ ଟୋକେଇକୁ ବ୍ୟବସ୍ଥିତ କରି ରଖିବା ସମୟରେ ସେ କୁହନ୍ତି, ‘‘ମୁଁ ଏବେ ସବୁ ଜିନିଷକୁ ସ୍ପଷ୍ଟ ଭାବେ ଦେଖିପାରୁନାହିଁ ତେଣୁ ନଡ଼ିଆ ସଂଗ୍ରହ କରିବାକୁ ଯାଉ ନାହିଁ। ତଙ୍ଗମ୍ମା ଏକାକୀ ରୁହନ୍ତି ଓ ନିଜର ନିଃସଙ୍ଗତାକୁ ଦୂରେଇବା ଲାଗି ସେ ପୋଷା ଶୁଆ ତାତୁକୁ ପାଖରେ ରଖିଛନ୍ତି । କେହି ଅପରିଚିତ ଲୋକ ଆସିଲେ ପାଟି କରି ଡାକିବାକୁ ମଧ୍ୟ ତା’କୁ ପ୍ରଶିକ୍ଷିତ କରାଯାଇଛି ।

ବିଗତ ଦିନ କଥା ମନେ ପକାଇ ସେ କୁହନ୍ତି, ‘‘ଥରେ ମୁଁ ପାଖରେ ଚାଲୁଥିବା ଏକ ସାପକୁ ଦେଖିଲି ଏବଂ ଅଟକି ଯାଇଥିଲି। ତାହା ମୋର ଫଟା ଚପଲ ଉପରେ ଖସି ଯାଇଥିଲା। ଏବେ ମୁଁ ସାପ ଦେଖିପାରୁନାହିଁ ଏବଂ ବେଳେବେଳେ ନଡ଼ିଆ ମଧ୍ୟ ମୋ ଆଖିକୁ ଦେଖାଯାଉନାହିଁ!’’ ନିଜର ଦୃଷ୍ଟି ଶକ୍ତି କମିଯିବା ବିଷୟରେ ସୂଚନା ଦେଇ ସେ ଏହା କହିଥାନ୍ତି। ଚଳିବା ପାଇଁ କଷ୍ଟ ହେଉଥିବାରୁ ସେ ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଔଷଧ କିମ୍ବା ନିଜ ପାଇଁ ଯଥେଷ୍ଟ ଖାଦ୍ୟ ଯୋଗାଡ଼ କରିପାରୁନାହାନ୍ତି ।

‘‘ପୂର୍ବରୁ ମୁଁ ଯେଉଁମାନଙ୍କ ଘରେ କାମ କରିଥିଲି ସେମାନେ ଏବେ ମଧ୍ୟ ଟଙ୍କା ଓ ଅନ୍ୟାନ୍ୟ ଜିନିଷ ଦେଇ ମୋତେ ସାହାଯ୍ୟ କରୁଛନ୍ତି,’’ ତଙ୍ଗମ୍ମା କୁହନ୍ତି। ସେ ନିଜର ଜଣେ ଶୁଭେଚ୍ଛୁଙ୍କ ଘରକୁ ବୁଲିବା ପାଇଁ ଯାଉଛନ୍ତି। ସେମିତି ଜଣେ ଲୋକଙ୍କ ଘରକୁ ଚାଲି ଚାଲି ଯିବା ସମୟରେ ସେ ଥକି ଯାଉଛନ୍ତି ଓ ତାଙ୍କର ତଣ୍ଟି ଶୁଖି ଯାଉଛି । ସେ ଗୋଟିଏ ଟଫି ଖାଉଛନ୍ତି ଏବଂ ମିଠା ତାଙ୍କୁ ଆଗକୁ ବଢ଼ିବାକୁ ଦେବ ବୋଲି ଆଶା କରୁଛନ୍ତି ।

ଅନୁବାଦ : ଓଡ଼ିଶାଲାଇଭ୍‍

Ria Jogy

ରିୟା ଯୋଗୀ କେରଳରେ କୋଚିରେ ରହୁଥିବା ଜଣେ ଡକ୍ୟୁମେଣ୍ଟାରୀ ଫଟୋଗ୍ରାଫର ଏବଂ ମୁକ୍ତବୃତ୍ତିର ଲେଖିକା। ସେ ଏବେ ବିଭିନ୍ନ ଫିଚର ଫିଲ୍ମରେ ସହାୟକ ନିର୍ଦ୍ଦେଶିକା ଏବଂ ବିଭିନ୍ନ ସଂଗଠନ ପାଇଁ ଯୋଗାଯୋଗ ପରାମର୍ଶଦାତା ଭାବେ କାମ କରୁଛନ୍ତି

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Ria Jogy
Editor : Vishaka George

ବିଶାଖା ଜର୍ଜ ପରୀର ଜଣେ ବରିଷ୍ଠ ସମ୍ପାଦିକା। ସେ ଜୀବନଜୀବିକା ଓ ପରିବେଶ ପ୍ରସଙ୍ଗରେ ରିପୋର୍ଟ ଲେଖିଥାନ୍ତି। ବିଶାଖା ପରୀର ସାମାଜିକ ଗଣମାଧ୍ୟମ ପରିଚାଳନା ବିଭାଗ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ପରୀର କାହାଣୀଗୁଡ଼ିକୁ ଶ୍ରେଣୀଗୃହକୁ ଆଣିବା ଲାଗି ସେ ପରୀ ଏଜୁକେସନ ଟିମ୍‌ ସହିତ କାର୍ଯ୍ୟ କରିଥାନ୍ତି ଏବଂ ନିଜ ଆଖପାଖର ପ୍ରସଙ୍ଗ ବିଷୟରେ ଲେଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ବିଶାଖା ଜର୍ଜ
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE