କୁକୁରଟିଏ ଭୁକି ଉଠେ। ଗୋଟିଏ ବାଘ ଗର୍ଜନ କରେ। ଚାରିପଟୁ ଭାସି ଆସେ ଅନେକ ଲୋକଙ୍କ ଚିତ୍କାରର ସମ୍ମିଳିତ ଧ୍ୱନି।

ଏଥିରେ କିଛି ଅସ୍ୱାଭାବିକତା ନାହିଁ। କାରଣ, ଆମେ ଅଛୁ ଚନ୍ଦ୍ରପୁରର ତାଡ଼ୋବା ଅନ୍ଧାରି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଖରୁ ପ୍ରାୟ ୧୦୦ କିଲୋମିଟର ଦୂରରେ।

ଅସ୍ୱାଭିବକତା ଏତିକି ଯେ, ଏହି ଜୀବଜନ୍ତୁ ଏବଂ ମଣିଷର ସମ୍ମିଳିତ କଣ୍ଠସ୍ୱରର ଧ୍ୱନି ପ୍ରାକୃତିକ ନୁହେଁ, ପୂର୍ବରୁ ରେକର୍ଡିଂ କରାଯାଇଥିବା ଏହି ଧ୍ୱନି ଭାସି ଆସୁଥିଲା ମାଙ୍ଗି ଗାଁର ଏକ ଡାକବାଜି ଯନ୍ତ୍ରରୁ। ଗ୍ରାମୀଣ ବିଦର୍ଭର କୌଣସି ଏକ କପା ଓ ହରଡ଼ ଜମି ମଝିରେ ପୋତାଯାଇଥିବା ବେତର ଗୋଟିଏ ଖୁଣ୍ଟ ଉପରେ ରଖାଯାଇଥିବା ଏହି ଡାକବାଜି ଯନ୍ତ୍ରଟିରୁ ବାହାରିଥିବା ତାରକୁ କୀଟନାଶକ ଔଷଧ ଛିଞ୍ଚିବା ପାଇଁ ଥିବା ଏକ ବ୍ୟାଟେରୀ ଚାଳିତ ପମ୍ପରେ ସଂଯୋଗ କରାଯାଇଥିଲା।

ବଣୁଆ ଜୀବଜନ୍ତୁମାନଙ୍କୁ ଘଉଡ଼ାଇବା ଦିଗରେ ତାଙ୍କର ଏହି ଆତୁର ପ୍ରୟାସ ସଂପର୍କରେ ଧାରଣା ଦେବାକୁ ଯାଇ ୪୮ ବର୍ଷୀୟ ସୁରେଶ ରେଂଘେ କହନ୍ତି, “ଯଦି ମୁଁ ରାତିରେ ଏହି ସତର୍କ ଧ୍ୱନିକୁ ନ ବଜାଇବି, ତେବେ ବାରହା ଓ ନୀଳଗାଈ (ଉଭୟ ରାତ୍ରିଚର ଜୀବ) ପଶି ମୋ ଫସଲ ଖାଇଦେବେ। ବିଶେଷତଃ ହରଡ଼ ଓ ଚଣା ଖାଇବାକୁ ସେମାନେ ଭଲ ପାଆନ୍ତି।” ଏବଂ ଏହାର ପରିଣତି ସ୍ୱରୂପ ତାଙ୍କର ଫସଲ ଉଜୁଡ଼ି ଯାଏ ।

କ୍ଷେତ ଚାରିପଟେ ସୌରଶକ୍ତି ସଂପନ୍ନ ତାରବାଡ଼ ଲଗାଇବା ସତ୍ତ୍ୱେ ବନ୍ୟ ଜୀବଜନ୍ତୁଙ୍କୁ ଦୂରେଇ ରଖିବାରେ ସେ ବିଫଳ ହୋଇଥିଲେ ଏବଂ ତେଣୁ, ଏହି ଯନ୍ତ୍ରଟିର ଉପଯୋଗ ଆରମ୍ଭ କରି ଏଥିରୁ ତାରରେ ଲାଗି ବାହାରିଥିବା ଦୁଇଟି ପିନ୍ ବିଶିଷ୍ଟ ପ୍ଲଗକୁ ବ୍ୟାଟେରୀ ଚାଳିତ ସ୍ପ୍ରେ ପମ୍ପର ସକେଟରେ ଲଗାଇ ଦେଇଥିଲେ। କାଳବିଳମ୍ବ ନ କରି ଏଥିରୁ ଜୀବଜନ୍ତୁ ଏବଂ ମଣିଷମାନଙ୍କ କଣ୍ଠସ୍ୱର ବାହାରି ବାତାବରଣରେ ଖେଳି ଯାଇଥିଲା।

Suresh Renghe, a farmer in Mangi village of Yavatmal district demonstrates the working of a farm alarm device used to frighten wild animals, mainly wild boar and blue bulls that enter fields and devour crops
PHOTO • Sudarshan Sakharkar
Suresh Renghe, a farmer in Mangi village of Yavatmal district demonstrates the working of a farm alarm device used to frighten wild animals, mainly wild boar and blue bulls that enter fields and devour crops
PHOTO • Sudarshan Sakharkar

ୟାବତମାଲ ଜିଲ୍ଲା ମାଙ୍ଗି ଗାଁର ଜଣେ କୃଷକ ସୁରେଶ ରେଂଘେ, କ୍ଷେତରେ ପଶି ଶସ୍ୟ ଖାଇ ନଷ୍ଟ କରିଦେଉଥିବା ବଣୁଆ ଜୀବଜନ୍ତୁ, ବିଶେଷତଃ ବାରହା ଏବଂ ନୀଳଗାଈମାନଙ୍କୁ ଘଉଡ଼ାଇବା ଲାଗି ଉଦ୍ଦିଷ୍ଟ ସତର୍କ ଘଣ୍ଟିର ଯନ୍ତ୍ରଟି କେମିତି କାମ କରେ ତାହା ଦେଖାଉଛନ୍ତି

Renghe uses a mobile-operated solar-powered device that rings noises all through the night to deter the marauding wild animals
PHOTO • Sudarshan Sakharkar

ଫସଲ ନଷ୍ଟ କରିଦେଉଥିବା ବନ୍ୟ ଜୀବଜନ୍ତୁମାନଙ୍କୁ କ୍ଷେତରୁ ଦୂରେଇ ରଖିବା ଲାଗି ରେଂଘେ ଏକ ମୋବାଇଲରୁ ପରିଚାଳିତ ସୌରଶକ୍ତି ଚାଳିତ ଯନ୍ତ୍ର ଉପଯୋଗ କରନ୍ତି, ଯେଉଁଥିରୁ କି ରାତି ସାରା ତୀବ୍ର ଧ୍ୱନି ବାହାରିଥାଏ

କପା, ଚଣା, ହରଡ଼, ଲଙ୍କାମରିଚ, ମଟର, ସୋୟାବିନ ଏବଂ ଚିନାବାଦାମ ଭଳି ଭିନ୍ନ ଭିନ୍ନ ଫସଲ ଚାଷ କରାଯାଉଥିବା ତାଙ୍କର ୧୭ ଏକର ଚାଷଜମି ପାଇଁ ରେଂଘେ ଚିନ୍ତିତ ।

ବନ୍ୟ ଜୀବଜନ୍ତୁଙ୍କ ଦାଉରୁ ଫସଲକୁ ସୁରକ୍ଷିତ ରଖିବା ଲାଗି ଗ୍ରାମୀଣ ବିଦର୍ଭ ପରିସୀମାଭୁକ୍ତ ଶହ ଶହ ଗାଁର ଚାଷଜମିରେ ଏହି ଅଭିନବ ସତର୍କ ଧ୍ୱନି ସମ୍ବଳିତ ଯନ୍ତ୍ରର ଉପଯୋଗ କରାଯାଉଛି।

ହେଲେ କେବଳ ସେଇ ଜନ୍ତୁମାନଙ୍କୁ ଯେ ଏହି ଯନ୍ତ୍ରଟି ଚମକାଇ ଦିଏ, ତାହା ନୁହେଁ। ବରଂ, “ନିଛାଟିଆ ରାସ୍ତାରେ ମୋଟର ସାଇକେଲରେ କିମ୍ବା ଚାଲି ଚାଲି ଯାଉଥିବା ଲୋକେ ବି ଏହି ସ୍ୱର ଶୁଣି ଡରି ଯାଇଥିବାର ଅନେକ ନଜିର ରହିଛି” ବୋଲି କହନ୍ତି ରେଂଘେ । ତାଙ୍କ ଚାରିପଟେ ରୁଣ୍ଡ ହୋଇଥିବା ଚାଷୀମାନେ ହସି ଉଠନ୍ତି।

ଚାରିପଟୁ ମାଙ୍ଗି ଗାଁକୁ ଘେରି ରହିଛି ଅନେକ ଛୋଟ ଛୋଟ ବୁଦୁବୁଦିକିଆ ସ୍ଥାନ ଏବଂ ସାଗୁଆନ୍ ଜଙ୍ଗଲ। ୟାବତମାଲ ଜିଲ୍ଲାର ରାଲେଗାଓଁ ତହସିଲ ଅନ୍ତର୍ଗତ ଏହି ଗାଁ ନାଗପୁର-ପାନ୍ଧରକାୱଡ଼ା ରାଜପଥ କଡ଼ରେ ଅବସ୍ଥିତ। ଏହାର ପୂର୍ବ ସୀମାରେ ରହିଛି ତାଡ଼ୋବା ଅନ୍ଧାରି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ, ଯେଉଁଥିରେ ମହାରାଷ୍ଟ୍ରରେ ଥିବା ମୋଟ ୩୧୫ଟିରୁ ୮୨ଟି ବାଘ ରହନ୍ତି, ଏହାର ପଶ୍ଚିମ ପଟରେ ରହିଛି ୟାବତମାଲ ଜିଲ୍ଲାର ତିପେଶ୍ବର ବନ୍ୟଜନ୍ତୁ ଅଭୟାରଣ୍ୟ। ଏହି ସଂରକ୍ଷିତ ବ୍ୟାଘ୍ର ପ୍ରକଳ୍ପରେ କେବଳ ଯେ ବାଘ ରହନ୍ତି, ତାହା ନୁହେଁ, ସେମାନଙ୍କ ସହିତ ଚିତାବାଘ, ଜଙ୍ଗଲି ଭାଲୁ, ବଣୁଆ କୁକୁର, ଗୟଳ, ହରିଣ ଓ ସମ୍ବର ମଧ୍ୟ ରହନ୍ତି। ଏହି ସମସ୍ତ ଜୀବଜନ୍ତୁଙ୍କ ଯୋଗୁଁ ଫସଲ ପ୍ରତି ବିପଦ ସମ୍ଭାବନା ଲାଗି ରହିଥାଏ।

ଉଭୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଏବଂ ଅଭୟାରଣ୍ୟକୁ ସଂଯୋଗ କରୁଥିବା ଏହି ଗାଁରେ ରହନ୍ତି ପ୍ରାୟ ୮୫୦ ଜଣ ଲୋକ। ମାଙ୍ଗି ଗାଁ ପ୍ରତି ରହିଥିବା ବିପଦ ଆଶଙ୍କା ଏହାର ଆଖପାଖ ଗାଁରେ ମଧ୍ୟ ଲାଗି ରହିଛି। ବୁଦୁବୁଦିକିଆ ଜଙ୍ଗଲ ମଝିରେ ମଝିରେ ରହିଛି ଏହି ସବୁ ଗାଁ ଲୋକଙ୍କ ଚାଷଜମି। ଘଞ୍ଚ ଜଙ୍ଗଲ ଥିବା ସମୟରେ ଜଙ୍ଗଲ ଭିତରେ ହିଁ ଜୀବଜନ୍ତୁମାନଙ୍କୁ ପାଣି ଓ ଖାଦ୍ୟ ମିଳିଯାଉଥିଲା। ଏବେ ରେଂଘେଙ୍କ ଚାଷଜମି ଭଳି ଜମିଗୁଡ଼ିକ ହିଁ ସେମାନଙ୍କ ଶିକାର ସ୍ଥଳରେ ପରିଣତ ହୋଇଛି ।

ଏହି ସମସ୍ୟା ପାଇଁ ବନ ବିଭାଗକୁ ଦାୟୀ କରୁଥିବା ଚାଷୀମାନେ କହନ୍ତି “ସେମାନେ ଜୀବଜନ୍ତୁମାନଙ୍କୁ ଅନ୍ୟତ୍ର ନେଇଯାଆନ୍ତୁ ନହେଲେ ଆମକୁ ବଣୁଆ ଜୀବଙ୍କୁ ମାରିବା ପାଇଁ ଅନୁମତି ଦିଅନ୍ତୁ।” ସେମାନଙ୍କ ସମ୍ମିଳିତ ମତରେ, “ଏମାନେ ସେମାନଙ୍କର (ବନ ବିଭାଗର) ଜୀବଜନ୍ତୁ ।”

A blue bull, also called neelguy , spotted at a close proximity to Mangi’s farms.
PHOTO • Sudarshan Sakharkar
The groundnut crop is about to be harvested in Mangi. Farmers say groundnuts are loved by wild boars and blue bulls
PHOTO • Sudarshan Sakharkar

ବାମ: ମାଙ୍ଗି ଗାଁ ଚାଷଜମିର ଖୁବ୍ ନିକଟରେ ଦେଖାଯାଇଥିବା ଗୋଟିଏ ନୀଳଗାଈ। ଡାହାଣ: ମାଙ୍ଗିରେ ଚିନାବାଦାମ ଅମଳ ହେବା ଉପରେ। ଚାଷୀଙ୍କ କହିବା ଅନୁସାରେ ବାରହା ଓ ନୀଳଗାଈ ଚିନାବାଦାମ ଖାଇବାକୁ ଭଲ ପାଆନ୍ତି

ଜଙ୍ଗଲି ଜୀବମାନଙ୍କୁ ସୁରକ୍ଷା ଦେଉଛି ବନ୍ୟପ୍ରାଣୀ ସଂରକ୍ଷଣ ଆଇନ, ୧୯୭୨ । ଏହି ଆଇନ ଅନୁସାରେ ବନ୍ୟ ଜୀବଜନ୍ତୁଙ୍କୁ ମାରିଲେ କିମ୍ବା ଫାଶ ବସାଇ ଧରିଲେ “ଅନ୍ୟୂନ ଗୋଟିଏ ବର୍ଷରୁ ସାତ ବର୍ଷ ଯାଏ କାରାଦଣ୍ଡ ଏବଂ ଏହା ସହିତ ଅନ୍ୟୂନ ପାଞ୍ଚ ହଜାର ଟଙ୍କା ଅର୍ଥଦଣ୍ଡ ହୋଇପାରେ”। ଯଦିଚ ଏହି ଆଇନରେ ବନ୍ୟ ଜୀବଜନ୍ତୁଙ୍କ ଦ୍ୱାରା ଶସ୍ୟହାନି କ୍ଷେତ୍ରରେ ଆର୍ଥିକ କ୍ଷତିଭରଣାର ବ୍ୟବସ୍ଥା ରହିଛି, ତଥାପି ଏହି ପ୍ରକ୍ରିୟା ଜଟିଳ ଏବଂ କ୍ଷତିପୂରଣ ବାବଦ ଅର୍ଥ ନିହାତି କମ୍ । ପଢ଼ନ୍ତୁ: ‘ଏହା ଏକ ନୂଆ ପ୍ରକାରର ମରୁଡ଼ି’

ସାଧାରଣତଃ ବାରହା କିମ୍ବା ହରିଣ କିମ୍ବା ନୀଳଗାଈମାନେ ଡଜନେ କି ଦି ଡଜନ, କିମ୍ବା ବେଳେବେଳେ ଆହୁରି ଅଧିକ ସଂଖ୍ୟକ ଦଳରେ ଆସନ୍ତି। ରେଂଘେ କହନ୍ତି, “କେହି ନଥିବା ସମୟରେ ଯଦି ଥରେ ସେମାନେ କ୍ଷେତରେ ପଶିଯାଆନ୍ତି, ତେବେ ବହୁ ଅଧିକ କ୍ଷତି କରନ୍ତି।”

କ୍ଷେତରେ ଲୋକ ଥିଲେ ହିଁ ସେମାନେ ଆସନ୍ତି ନାହିଁ। କିନ୍ତୁ ମାଙ୍ଗିର ଚାଷୀମାନେ ଆଉ ରାତିରେ କ୍ଷେତ ଜଗୁ ନାହାନ୍ତି । ଏହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି ଏବଂ ବିପଜ୍ଜନକ ବୋଲି ସେମାନେ କହନ୍ତି। ତେଣୁ ବିଭିନ୍ନ ଗାଁରେ ସତର୍କ ଧ୍ୱନି ସମ୍ବଳିତ ଏହି କ୍ଷୁଦ୍ର ଯନ୍ତ୍ରଟି ଆଦୃତି ହାସଲ କରିଛି।

ରେଂଘେ କହନ୍ତି, “ସ୍ୱାସ୍ଥ୍ୟଗତ କାରଣରୁ ମୁଁ ସବୁ ରାତିରେ କ୍ଷେତରେ ରହିପାରିବି ନାହିଁ। ଏହା ହେଉଛି ତା’ର ବିକଳ୍ପ।” ଏହାକୁ ଚଲାଇବା ବି ସହଜ, ଏବଂ ଏହା ଆପଣଙ୍କ ପକେଟକୁ ସୁହାଇଲା ଭଳି ଶସ୍ତା ମଧ୍ୟ। ଏଥିରୁ ବାହାରୁଥିବା ସ୍ୱର ଯୋଗୁଁ କ୍ଷେତରେ ମଣିଷ ରହିଥିବାର ଭ୍ରମ ସୃଷ୍ଟି ହୁଏ। କିନ୍ତୁ, ରେଂଘେଙ୍କ କହିବା ଅନୁସାରେ, “ଏହା ସବୁ ଦୃଷ୍ଟିରୁ ସୁରକ୍ଷା ଦେଇପାରେନି। କୌଣସିମତେ ବଣୁଆ ଜୀବମାନେ ଆମ କ୍ଷେତରେ ପଶି ଫସଲ ଖାଇଯାଆନ୍ତି।”

ହେଲେ, ଆଦୌ କିଛି ନ ଥିବା ଅପେକ୍ଷା ଏହି କୌଶଳ ଭଲ ।

*****

କେବଳ ୟାବତମାଲ ନୁହେଁ, କପା ଅଞ୍ଚଳ ରୂପେ ଖ୍ୟାତିଲାଭ କରିଥିବା ପୂର୍ବ ମହାରାଷ୍ଟ୍ର ଅନ୍ତର୍ଗତ ବିଦର୍ଭ ଅଞ୍ଚଳର ଏହି ଭୂଖଣ୍ଡରେ ଚାଷକାମ ମୁଖ୍ୟତଃ ବର୍ଷାପାଣି ଉପରେ ନିର୍ଭର କରେ। ହେଲେ, ମାଙ୍ଗି ଗାଁ ପାଖ ବାଭୁଲଗାଓଁରେ ପ୍ରସ୍ତାବିତ ବେମ୍ବଲା ବନ୍ଧ ନାମକ ବୃହତ୍ ଜଳସେଚନ ପ୍ରକଳ୍ପ ଯୋଗୁଁ ସ୍ଥିତି ସୁଧୁରିବ ବୋଲି ମନେ କରାଯାଉଛି । କେନାଲ ଜରିଆରେ ଏହି ପ୍ରକଳ୍ପର ପାଣି ଗାଁରେ ପହଞ୍ଚିବ ଏବଂ ଚାଷୀମାନେ ବର୍ଷକୁ ଦୁଇ ଥର ଚାଷ କରି ଅଧିକ ଆୟ କରିବେ ବୋଲି ଆଶା ଉଦ୍ରେକ ହୋଇଛି।

ରେଂଘେ କହନ୍ତି, “ବହୁଥର ଚାଷ କରିବା ଅର୍ଥ ଏହି ବନ୍ୟ ଜୀବଜନ୍ତୁଙ୍କ ପାଇଁ ଅଧିକ ଖାଦ୍ୟ ଉପଲବଧ କରାଇବା। ଏହି ଜୀବଜନ୍ତୁମାନେ ବେଶ୍ ବୁଦ୍ଧିଆ ଏବଂ ସେମାନେ ଜାଣନ୍ତି ଯେ ଏସବୁ ଚାଷଜମିକୁ ବାରମ୍ବାର ଆସି ହେବ।”

Suresh Renghe’s 17-acre farm where he grows a variety of crops
PHOTO • Sudarshan Sakharkar
Signs that a herd of wild boars have furrowed through a crop of standing cotton, eating green bolls on a farm in Mangi village
PHOTO • Jaideep Hardikar

ବାମ: ସୁରେଶ ରେଂଘେଙ୍କ ୧୭ ଏକର ଜମିରେ ବିଭିନ୍ନ ଫସଲ ହୋଇଥାଏ । ଡାହାଣ: ମାଙ୍ଗି ଗାଁର ଏକ କପା ଜମିରେ ଦଳେ ବାରହା ପଶି ସବୁଜ କପାଫଳ ଖାଇଦେବା ପରବର୍ତ୍ତୀ ସମୟର ଦୃଶ୍ୟ

ୟାବତମାଲର ଏହି ଭାଗରେ ମୁଖ୍ୟତଃ କପା ଓ ସୋୟାବିନ୍ ଚାଷ କରାଯାଏ ଏବଂ ଦୁଇ ଦଶନ୍ଧିରୁ ଅଧିକ ସମୟ ହେଲା କୃଷି କ୍ଷେତ୍ରରେ ଗୁରୁତର ସଂକଟ ଲାଗି ରହିଥିବାରୁ ଏହି ଅଞ୍ଚଳରେ ଚାଷୀ ଆତ୍ମହତ୍ୟା ଘଟଣାର ହାର ଅଧିକ। ଏ ଅଞ୍ଚଳର ଗମ୍ଭୀର ସମସ୍ୟା ଭିତରେ ରହିଛି ଚାଷୀଙ୍କ ପାଇଁ ଆନୁଷ୍ଠାନିକ ଋଣର ଅଭାବ, ଋଣଭାରରେ ବୁଡ଼ି ରହିଥିବା ଚାଷୀଙ୍କ ସଂଖ୍ୟାବୃଦ୍ଧି, ବର୍ଷା ପାଣି ଉପରେ ନିର୍ଭରଶୀଳ ଚାଷକାମ, ଦରଦାମରେ ଅନିଶ୍ଚିତତା, ରୋଜଗାର ହ୍ରାସ, ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପ୍ରଭୃତି । ଫସଲ ଉପରେ ବଣୁଆ ଜୀବଜନ୍ତୁଙ୍କ ଆକ୍ରମଣ ଆଶଙ୍କାକୁ ଚାଷୀମାନେ “ଅବାଞ୍ଛିତ କୀଟପତଙ୍ଗ”ଙ୍କ ଆକ୍ରମଣ ସହ ତୁଳନା କରନ୍ତି।

୨୦୨୧ ମସିହା ଜାନୁଆରୀ ମାସରେ, ଏହି ରିପୋର୍ଟର ମାଙ୍ଗି ଗାଁ ପରିଦର୍ଶନ କରିବା ସମୟରେ, କ୍ଷେତରୁ ପ୍ରଥମ କପାତୋଳା, ଅର୍ଥାତ୍ କପାଫଳରେ ଲାଗିଥିବା ଧଳା ଅଂଶ ତୋଳିବା କାମ ସରିଯାଇଥାଏ। ହରଡ଼ କ୍ଷେତରେ ଗଛରୁ ଲମ୍ବା ଲମ୍ବା ଛୁଇଁ ଝୁଲୁଥାଏ। ଆଉ ମାସକ ଭିତରେ ରେଂଘେଙ୍କ କିଛି ଜମିରେ ଲାଗିଥିବା ଲଙ୍କାମରିଚ ଅମଳଯୋଗ୍ୟ ହେବା ଆଶା ରହିଥାଏ।

ଅମଳ ସମୟ ପାଖେଇ ଆସିଲେ ସେ କହନ୍ତି, ବଣୁଆ ଜୀବଜନ୍ତୁଙ୍କ ଆକ୍ରମଣରେ ତାଙ୍କ ଫସଲର ଆଖିଦୃଶିଆ ଭାଗ ନଷ୍ଟ ହୋଇଯାଇଛି।

୨୦୨୧ ଜାନୁଆରୀରୁ ୨୦୨୩ ଫେବ୍ରୁଆରୀ ଯାଏ, ଦୁଇ ବର୍ଷ ମଧ୍ୟରେ ବିଭିନ୍ନ ସମୟରେ PARI ଟିମ୍ ରେଂଘେ ଗାଁ ପରିଦର୍ଶନରେ ଯାଇଥିଲା ଏବଂ ସେହି ସମୟ ଭିତରେ ବନ୍ୟ ଜୀବଜନ୍ତୁ ପଶି ତାଙ୍କର ବିଭିନ୍ନ ଫସଲ ନଷ୍ଟ କରିଦେଇଥିଲେ।

ବ୍ୟତିବ୍ୟସ୍ତ ହୋଇ ସେ ଡାକବାଜି ଯନ୍ତ୍ର ଲାଗିଥିବା ସେହି କ୍ଷୁଦ୍ର ଇଲେକ୍ଟ୍ରୋନିକ୍ ବାକସ ନିମନ୍ତେ ଟଙ୍କା ବିନିଯୋଗ କଲେ। ସୌରଶକ୍ତି ଚାଳିତ ଏହି ଯନ୍ତ୍ରଟି ସ୍ଥାନୀୟ ବଜାରରେ ଉପଲବଧ ନବୀନତମ ଯନ୍ତ୍ର ଏବଂ ଏହା ସହିତ ଚୀନରେ ନିର୍ମିତ ଶସ୍ତା ଯନ୍ତ୍ର ମଧ୍ୟ ମିଳୁଛି। ଯନ୍ତ୍ରର ଗୁଣମାନ, ଏଥିରେ ବ୍ୟବହୃତ ସାମଗ୍ରୀ ଏବଂ ବ୍ୟାଟେରୀର କାର୍ଯ୍ୟକାରିତା ସମୟ ଦୃଷ୍ଟିରୁ ଏହି ଲୋକପ୍ରିୟ ଏବଂ ସହଜରେ ମିଳୁଥିବା ଯନ୍ତ୍ରଟିର ମୂଲ୍ୟ ନିର୍ଦ୍ଧାରିତ ହୋଇଥାଏ ଏବଂ ଏଠାକାର ବିଭିନ୍ନ ଦୋକାନରେ ଏହାର ଦର ୨୦୦ରୁ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଥାଏ। ସାଧାରଣ ଡୋରବେଲ୍ ଆକାରରେ ମିଳୁଥିବା ଏହି ଯନ୍ତ୍ରରେ ଲାଗିଥିବା ବ୍ୟାଟେରୀ ୬-୭ ଘଣ୍ଟା ଚାଲେ ଏବଂ ଏହାକୁ ସୌରଶକ୍ତି ଚାଳିତ ସ୍ପ୍ରେ ପମ୍ପରୁ ବି ସହଜରେ ରିଚାର୍ଜ କରିହୁଏ। ସାଧାରଣତଃ ଚାଷୀମାନେ ଏହାକୁ ଦିନରେ ରିଚାର୍ଜ କରାଇ ନିଅନ୍ତି ଏବଂ ରାତି ସାରା କ୍ଷେତରେ ଲାଗିଥିବା ଖୁଣ୍ଟ ଉପରେ ଲଗାଇ ଏହାକୁ ବଜାଇ ଥାଆନ୍ତି।

କୃଷି କ୍ଷେତ୍ରରେ ଗୁରୁତର ସଂକଟ ଏବଂ ସଂଖ୍ୟାଧିକ ଚାଷୀ ଆତ୍ମହତ୍ୟା ଘଟଣାକୁ ନେଇ ପରିଚିତ ୟାବତମାଲ । ଫସଲ ଉପରେ ବଣୁଆ ଜୀବଜନ୍ତୁଙ୍କ ଆକ୍ରମଣ ଆଶଙ୍କାକୁ ଏଠାକାର ଚାଷୀମାନେ “ଅବାଞ୍ଛିତ କୀଟପତଙ୍ଗ”ଙ୍କ ଆକ୍ରମଣ ସହ ତୁଳନା କରନ୍ତି

ଭିଡିଓ ଦେଖନ୍ତୁ: ଚାଷଜମିର ସତର୍କ ଘଣ୍ଟିରୁ ନୈରାଶ୍ୟର ସ୍ୱର

ଗତ ବର୍ଷ କିମ୍ବା ପାଖାପାଖି ସେହି ସମୟରେ ବିଦର୍ଭ ଅଞ୍ଚଳର ଏହି ବୃହତ୍ ଭାଗରେ ଚାଷୀମାନେ ବିଭିନ୍ନ ଆଶ୍ଚର୍ଯ୍ୟଜନକ ସତର୍କ ଘଣ୍ଟି ବ୍ୟବସ୍ଥା ସମ୍ବଳିତ ଯନ୍ତ୍ର ବ୍ୟବହାର କରୁଥିବା ଏହି ରିପୋର୍ଟର ଦେଖିଥିଲେ। ରାତିରେ ଏହି ସବୁ ଯନ୍ତ୍ରରୁ କାନଫଟା ସ୍ୱର ବାହାରୁଥିଲା।

ମାଙ୍ଗି ଗାଁରେ ଚାରି ଏକର ଜମିର ମାଲିକ ଚାଷୀ ରମେଶ ସାରୋଡ଼େ କହନ୍ତି, “କିଛି ବର୍ଷ ତଳେ ଆମେ ଏହି ସତର୍କ ଘଣ୍ଟି ବ୍ୟବହାର ଆରମ୍ଭ କରିଥିଲୁ। ସେ ତାଙ୍କ ଫସଲ ରକ୍ଷା କରିବା ଲାଗି କାଉ ଘଉଡ଼ାଇବା ଲାଗି ଉଦ୍ଦିଷ୍ଟ କେତେକ ପାଳ ତିଆରି ମୂର୍ତ୍ତି ସହିତ ଏହି ଯନ୍ତ୍ରକୁ ବି ସ୍ଥାପନ କଲେ। ସେ କହନ୍ତି, “ଦିନ ସାରା ଆମେ ବାଣ ଫୁଟାଇ ଫସଲ ରକ୍ଷା ଉଦ୍ୟମ କଲୁ। କିନ୍ତୁ ଏହା ଖୁବ୍ ବ୍ୟୟବହୁଳ ଏବଂ ସବୁ ସମୟରେ ସମ୍ଭବ ନୁହେଁ। ଏଠାକାର ଅଧିକାଂଶ ଇଲେକଟ୍ରୋନିକ୍ ଦୋକାନରେ ଏହି ଯନ୍ତ୍ର ମିଳେ।”

ସନ୍ଧ୍ୟାରେ କ୍ଷେତରୁ ଘରକୁ ଫେରିବା ସମୟରେ ସବୁ ଚାଷୀ ଏହି ଯନ୍ତ୍ରକୁ ଚାଲୁ କରି ଦିଅନ୍ତି। କ୍ଷେତରେ ଲାଗିଥିବା ଇଲେକଟ୍ରୋନିକ୍ ଯନ୍ତ୍ରରୁ ଭାସି ଆସୁଥିବା ପଶୁମାନଙ୍କ ସ୍ୱର କିଛି କିଲୋମିଟର ଦୂରରେ ଥିବା ତାଙ୍କ ଘର ପାଖରେ ବି ଶୁଭେ।  ହେଲେ ବନ୍ୟ ଜୀବଜନ୍ତୁଙ୍କୁ ଘଉଡ଼ାଇବା ଲାଗି କାଳେ ସେତିକି ପର୍ଯ୍ୟାପ୍ତ ହେବ ନାହିଁ ବୋଲି ଆଶଙ୍କା କରି ରେଂଘେ ତାଙ୍କ କ୍ଷେତରେ ଆଉ ଏକ ବ୍ୟବସ୍ଥା କରିଛନ୍ତି। ଭୂମି ସହ ସମାନ୍ତରାଳ ଭାବରେ ଲାଗିଥିବା ଏକ ଷ୍ଟିଲ୍ ପ୍ଲେଟ୍ ସହିତ ପିଟି ହୋଇ ଶବ୍ଦ ସୃଷ୍ଟି କରିବା ଲାଗି ସେ ପବନ ଚାଳିତ ଏକ ରୋଟେଟର ଫ୍ୟାନ୍ ଲଗାଇଛନ୍ତି। ସମଗ୍ର ଅଞ୍ଚଳରେ ଏହାର କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଲାଗି ସେ ଏହାକୁ ଅନ୍ୟ ଏକ କୋଣରେ ସ୍ଥାପିତ ଏକ କାଠ ଖୁଣ୍ଟି ସହିତ ବାନ୍ଧି ଦେଇଛନ୍ତି।

ରେଂଘେ କହନ୍ତି, “ମାନାଚ୍ୟା ତସଲ୍ଲିସାଥି କରତୋ ଜି ହେ (ଆମେ ନିଜକୁ ନିଜେ ସନ୍ତୁଷ୍ଟ ହେବାକୁ ଏହା କରୁ)।” ସତେ ଯେମିତି ତାଙ୍କୁ କେହି ପରିହାସ କରୁଛନ୍ତି, ସେହିଭଳି ଆଶଙ୍କାରେ ଘାବରେଇ ଗଲା ଭଳି ଢଙ୍ଗରେ ଅଳ୍ପ ହସି ସେ ଆହୁରି କହନ୍ତି, “କା କରତା (ଆଉ କିଏ କ’ଣ କରିବ) !”

ଏଥିରେ ମୂଳକଥା ହେଲା କ୍ଷେତରେ ଲାଗୁଥିବା ଏହି ସତର୍କ ଘଣ୍ଟିରୁ କେବଳ ଯାହା ଶବ୍ଦ ବାହାରେ, ମଣିଷ କିମ୍ବା ଜଗିବାକୁ ଥିବା କୁକୁରର “ଗନ୍ଧ ସେଥିରେ ନଥାଏ”। ତେଣୁ ଏହା ସବୁ ସମୟରେ ବଣୁଆ ଜୀବଜନ୍ତୁଙ୍କ ପ୍ରତିରୋଧ କରିପାରେ ନାହିଁ।

Ramesh Sarode (white sweater), Suresh Renghe (yellow shirt) and other farmers in Mangi have found a novel way to keep out wild animals. They switch on a gadget connected to a loudspeaker and wired to a solar-powered spray-pump’s batteries through night. The gadget emits animal sounds – dogs barking, tiger roaring, birds chirping, in a bid to frighten the raiding herbivores.
PHOTO • Jaideep Hardikar
Ganesh Sarode and his friend demonstrate a small device they’ve built to make noise – a small rotator beats a steel plate through the day as a substitute to a scarecrow
PHOTO • Sudarshan Sakharkar

ବାମ: ମାଙ୍ଗି ଗାଁର ରମେଶ ସାରୋଡ଼େ (ଧଳା ସ୍ୱେଟର ପିନ୍ଧିଛନ୍ତି), ସୁରେଶ ରେଂଘେ (ହଳଦିଆ ସାର୍ଟ) ଏବଂ ଅନ୍ୟା ଚାଷୀମାନେ ବଣୁଆ ଜୀବଜନ୍ତୁଙ୍କୁ କ୍ଷେତରୁ ଦୂରେଇ ରଖିବା ଲାଗି ଏକ ଅଭିନବ ଉପାୟ ବାହାର କରିଛନ୍ତି। ରାତିରେ ସେମାନେ ଡାକବାଜି ଯନ୍ତ୍ରରେ ଲାଗିଥିବା ଏଭଳି ଏକ ଯନ୍ତ୍ରର ସୁଇଚ୍ ଅନ୍ କରି ରଖି ଦିଅନ୍ତି, ଯାହାକି ତାର ଜରିଆରେ ସୌରଶକ୍ତି ଚାଳିତ ସ୍ପ୍ରେ ପମ୍ପର ବ୍ୟାଟେରୀ ସହିତ ସଂଯୁକ୍ତ ହୋଇଥାଏ। ଏହି ଯନ୍ତ୍ରରୁ ବିଭିନ୍ନ ଜୀବଜନ୍ତୁଙ୍କ ସ୍ୱର ବାହାରେ- କୁକୁର ଭୁକିବାର ସ୍ୱର, ବାଘ ଗର୍ଜନ ଏବଂ ପକ୍ଷୀମାନଙ୍କର କିଚିରିମିଚିରି ଶବ୍ଦ। କ୍ଷେତରେ ପଶି ଫସଲ ଖାଇବାକୁ ଆସୁଥିବା ତୃଣଭୋଜି ପଶୁମାନଙ୍କ ଦାଉରୁ ଫସଲକୁ ସୁରକ୍ଷିତ ରଖିବା ଲାଗି ଏ ଉଦ୍ୟମ। ଡାହାଣ: ଗଣେଶ ସାରୋଡ଼େ ଏବଂ ତାଙ୍କ ବନ୍ଧୁ ଶବ୍ଦ କରିବା ଲାଗି ସେମାନେ ତିଆରି କରିଥିବା ଗୋଟିଏ ଛୋଟ ଯନ୍ତ୍ର ଦେଖାଉଛନ୍ତି- ଏଥିରେ ଏକ ଛୋଟ ରୋଟେଟର ଗୋଟିଏ ଷ୍ଟିଲ୍ ପ୍ଲେଟ ସହିତ ଦିନସାରା ବାଡ଼େଇ ହେଉଥାଏ। ଏହା କାଉ ଘଉଡ଼ାଇବା ଲାଗି ଥିବା ପାଳଭୂତର ଏକ ବିକଳ୍ପ

*****

ରେଂଘେ କହନ୍ତି, “ରାତିରେ ଆମେ ସଜାଗ ନ ରହୁଥିଲେ ୫୦ରୁ ୧୦୦ ପ୍ରତିଶତ ଯାଏ ଫସଲହାନି ହୁଅନ୍ତା।”

ମରାଠୀ ଭାଷାର ଏକ ଉପଭାଷା ବାରହାଡ଼ି ବୋଲିରେ ରେଂଘେ ଆହୁରି କହନ୍ତି, “ଅଜି ଥାଇ ସାପ୍ପା ସାଫ କରତେ (ଜୀବଜନ୍ତୁ ପୂରା ଫସଲ ଖାଇଯାଆନ୍ତେ)।”

୨୦୨୩ ମସିହା ଫେବ୍ରୁଆରୀ ମଧ୍ୟ ଭାଗରେ, ତାଙ୍କ ଘରଠାରୁ ଅନତି ଦୂରରେ ଥିବା ତାଙ୍କ ଚାଷଜମି ଦେଇ ଆମେ ଚାଲି ଚାଲି ଯିବା ସମୟରେ ରେଂଘେ ସେଠାରେ ପଡ଼ିଥିବା ମଳ ଦେଖାଇ ଦିଅନ୍ତି- କ୍ଷେତରେ ବାରହା ପଶି ତାଙ୍କ ରବିଋତୁର (ଶୀତଦିନିଆ) ଗହମ ଫସଲର କେତେକ ଅଂଶ ନଷ୍ଟ କରିଦେଇଥିବାର ଚିହ୍ନ ।

ଏମିତି କି ଲଙ୍କା ଗଛ ବି ସୁରକ୍ଷିତ ନୁହେଁ। ରେଂଘେ କହନ୍ତି, “ମୟୂର ଲଙ୍କାମରିଚ ଖାଆନ୍ତି।” ଲାଲ ଓ ସବୁଜ ଲଙ୍କାମରିଚ ଝୁଲୁଥିବା ସଂପୂର୍ଣ୍ଣ ବିକଶିତ ଲଙ୍କା ଗଛର କିଆରି ମଧ୍ୟ ଦେଇ ଆଗକୁ ଯିବା ବେଳେ ସେ କହି ଚାଲିଥାଆନ୍ତି । “ସେମାନଙ୍କର (ମୟୂରମାନଙ୍କର) ସୌନ୍ଦର୍ଯ୍ୟରେ ଭଳି ଯାାଆନ୍ତୁ ନାହିଁ, ସେମାନେ ବି ସମାନ ଭାବରେ ନଷ୍ଟ କରିଦିଅନ୍ତି ।” ସେ ମଧ୍ୟ ଗୋଟିଏ କି ଦୁଇ ଏକର ଜମିରେ ଚିନାବାଦାମ ଚାଷ କରନ୍ତି ଏବଂ ଏପ୍ରିଲ ମଧ୍ୟ ଭାଗ ସୁଦ୍ଧା ଏହା ଅମଳ କରାଯାଇଥାଏ। ବାରହାମାନେ ଚିନାବାଦାମ ଖାଇବାକୁ ଭଲ ପାଆନ୍ତି।

ଫସଲହାନି ଭଳି ଗୁରୁତର ସଂକଟ ସାଙ୍ଗକୁ ସତର୍କ ଘଣ୍ଟି ଏବଂ ବ୍ୟାଟେରୀ ବାବଦ ଖର୍ଚ୍ଚ ବି ଚାଷୀଙ୍କୁ ବହନ କରିବାକୁ ପଡ଼େ ଏବଂ ଠିକ୍ ସେହିଭଳି କ୍ଷେତ ଚାରିପଟେ ନାଇଲନ୍ ଶାଢ଼ି ଘେରାଇବାରେ ବି ଖର୍ଚ୍ଚାନ୍ତ ହେବାକୁ ପଡ଼େ। ଗଛ ମୂଳରେ ଛୋଟ ଛୋଟ କପଡ଼ାରେ ବନ୍ଧା ହୋଇଥିବା ଗନ୍ଧକର୍ପୂରକୁ ରେଂଘେ ଆମକୁ ଦେଖାଇ ଦିଅନ୍ତି। କେହି ଜଣେ ତାଙ୍କୁ କହିଥିଲେ କି ଏହାର ଉତ୍କଟ ଗନ୍ଧ ଯୋଗୁଁ ବନ୍ୟଜୀବମାନେ ଦୂରେଇ ରହନ୍ତି। ଏ କ୍ଷେତ୍ରରେ ତାଙ୍କର କେତେକ ପଦକ୍ଷେପ ପରିଶେଷରେ ବ୍ୟର୍ଥ ହୋଇଥିଲେ ହେଁ ଏ ଦିଗରେ ଯେ କୌଣସି ବ୍ୟବସ୍ଥା ଗ୍ରହଣ କରିବାକୁ ସେ ଇଚ୍ଛୁକ ।

Suresh Renghe points to fresh dropping of a wild boar on his farm
PHOTO • Jaideep Hardikar
Ramesh Sarode, a veteran farmer and social leaders in Mangi village, is vexed by the animal raids that seem to have no solution
PHOTO • Jaideep Hardikar

ବାମ: ତାଙ୍କ କ୍ଷେତରେ ଗୋଟିଏ ବାରହାର ମଳକୁ ଦେଖାଇ ଦେଉଛନ୍ତି ସୁରେଶ ରେଂଘେ। ଡାହାଣ: ବଣୁଆ ପଶୁମାନଙ୍କ ଦୌରାତ୍ମ୍ୟର କୌଣସି ସମାଧାନ ନ ଥିଲା ଭଳି ମନେହୁଏ ଏବଂ ଏଥିରେ ଅତିଷ୍ଠ ମାଙ୍ଗି ଗାଁର ଜଣେ ପୁରୁଖା ଚାଷୀ ଓ ନେତୃସ୍ଥାନୀୟ ବ୍ୟକ୍ତି ରମେଶ ସାରୋଡ଼େ

Farmers are trying various ideas to keep wild animals out. Some farmers tie naphthalin balls tied to the plant (left) and believed to repulse animals with the smell. A cost-effective way solution is using synthetic sarees (right) as fences
PHOTO • Jaideep Hardikar
Farmers are trying various ideas to keep wild animals out. Some farmers tie naphthalin balls tied to the plant (left) and believed to repulse animals with the smell. A cost-effective way solution is using synthetic sarees (right) as fences
PHOTO • Jaideep Hardikar

ବିଭିନ୍ନ ଉପାୟରେ ବଣୁଆ ଜୀବଜନ୍ତୁମାନଙ୍କୁ କ୍ଷେତରୁ ଦୂରେଇ ରଖିବା ଲାଗି ଚାଷୀମାନେ ଚେଷ୍ଟା କରୁଛନ୍ତି। ପଶୁମାନେ ଏହାର ଗନ୍ଧରେ ଦୂରେଇ ରହିବେ ବୋଲି କେତେକ ଚାଷୀ ଗଛରେ (ବାମ) ଗନ୍ଧ କର୍ପୂର ବାନ୍ଧି ଦେଉଛନ୍ତି । ସିନ୍ଥେଟିକ୍ ଶାଢ଼ିକୁ ବାଡ଼ରେ ଲଗାଇବା (ଡାହାଣ) ହେଉଛି ଅନ୍ୟ ଏକ ସ୍ୱଳ୍ପ ଖର୍ଚ୍ଚ ସମ୍ବଳିତ ଉପାୟ

ତାଙ୍କ ଜମିର କିଛି ଅଂଶକୁ ପଡ଼ିଆ ପକାଇ ରଖୁଥିବା ସାରୋଡ଼େ ଅବସୋସ ଭରା କଣ୍ଠରେ କହନ୍ତି, “ଏହି ସମସ୍ୟାର କୌଣସି ସମାଧାନ ନାହିଁ।” ତାଙ୍କ ମାଲିକାନାରେ ଥିବା ବିଶାଳ ଜମିଠାରୁ ଦୂରରେ ତାଙ୍କର ଅନ୍ୟ ଖଣ୍ଡେ ଜମିକୁ ସେ ପଡ଼ିଆ ରଖନ୍ତି । ସେ କହନ୍ତି, “ଫସଲ ବଞ୍ଚାଇବାକୁ ଆମେ ଯଦି ସାରା ରାତି କ୍ଷେତ ଜଗି ବସିବୁ ତେବେ ଆମେ ଅସୁସ୍ଥ ହୋଇପଡ଼ିବୁ; ଯଦି ଶୋଇପଡ଼ିବୁ ତେବେ ଫସଲ ହରାଇବୁ- ଆମେ କ’ଣ କରିବୁ !”

ବିଦର୍ଭ ଅଞ୍ଚଳରେ ଏହି ସମସ୍ୟା ଏତେ ଗୁରୁତର ରୂପ ଧାରଣ କରିଛି ଯେ ଯେଉଁ ସବୁ ସ୍ଥାନରେ ଚାଷଜମି ଓ ଜଙ୍ଗଲ ଜମି ଲଗାଲଗି ହୋଇ ଅଛନ୍ତି, ସେଠାକାର କେତେକ କ୍ଷୁଦ୍ର ଓ ନାମକୁ ମାତ୍ର ଚାଷୀ ଜମି ପଡ଼ିଆ ପକାଇ ରଖିବାକୁ ଉଚିତ ମଣୁଛନ୍ତି। ଅପ୍ରତ୍ୟାଶିତ ଫସଲହାନି ଆଶଙ୍କା, ଶକ୍ତି, ସମୟ, ଏବଂ ଫସଲ ଲାଗି ଆବଶ୍ୟକ ଅର୍ଥ ସାଙ୍ଗକୁ ନିଜ ସ୍ୱାସ୍ଥ୍ୟକୁ ବାଜି ଲଗାଇ ଦିନରାତି ଫସଲ ଜଗିବାକୁ ପଡୁଥିବା କାରଣ ସମୂହ ଯୋଗୁଁ ସେମାନେ ଚାଷ କରିବାକୁ ଅନିଚ୍ଛୁକ ।

ଜଙ୍ଗଲି ପଶୁଙ୍କ ସାଙ୍ଗରେ ଲଢ଼େଇ କରି ଆପଣ ଜିତି ପାରିବେନି ବୋଲି ପରିହାସ ଛଳରେ କହୁଥିବା କୃଷକମାନେ ଏବେ ସେମାନଙ୍କ ଫସଲର କିଛି ଭାଗ ଏହି ପଶୁମାନଙ୍କୁ ଦେବାକୁ ହିଁ ପଡ଼ିବ ବୋଲି ସ୍ଥିର କରି ନେଲେଣି।

ସବୁଦିନ ସକାଳେ ରେଂଘେ ତାଙ୍କ କ୍ଷେତକୁ ଚାଲି ଚାଲି ଯାଆନ୍ତି- ସବୁ ଭଲରେ ଥାଉ ବୋଲି ବାଟ ଯାକ ପ୍ରାର୍ଥନା କରୁଥାଆନ୍ତି ସିନା, ସବୁଠାରୁ ଖରାପ ସ୍ଥିତିର ସାମନା କରିବାକୁ ବି ପାଗ ଭିଡ଼ିଥାଆନ୍ତି।

ଅନୁବାଦ : ଓଡ଼ିଶାଲାଇଭ୍‍

Jaideep Hardikar

ଜୟଦୀପ ହାର୍ଦିକର୍‌ ନାଗପୁରର ଜଣେ ସାମ୍ବାଦିକ ଏବଂ ଲେଖକ, ଏବଂ PARIର ଜଣେ କୋର୍‌ ଟିମ୍‌ ସଦସ୍ୟ

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ଜୟଦୀପ ହାର୍ଦିକର
Photographs : Sudarshan Sakharkar

ସୁଦର୍ଶନ ସାଖାରକର ନାଗପୁରର ଜଣେ ସ୍ୱାଧୀନ ଫଟୋ ସାମ୍ବାଦିକ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Sudarshan Sakharkar
Editor : Priti David

ପ୍ରୀତି ଡେଭିଡ୍‌ ପରୀର କାର୍ଯ୍ୟନିର୍ବାହୀ ସମ୍ପାଦିକା। ସେ ଜଣେ ସାମ୍ବାଦିକା ଓ ଶିକ୍ଷୟିତ୍ରୀ, ସେ ପରୀର ଶିକ୍ଷା ବିଭାଗର ମୁଖ୍ୟ ଅଛନ୍ତି ଏବଂ ଗ୍ରାମୀଣ ପ୍ରସଙ୍ଗଗୁଡ଼ିକୁ ପାଠ୍ୟକ୍ରମ ଓ ଶ୍ରେଣୀଗୃହକୁ ଆଣିବା ଲାଗି ସ୍କୁଲ ଓ କଲେଜ ସହିତ କାର୍ଯ୍ୟ କରିଥାନ୍ତି ତଥା ଆମ ସମୟର ପ୍ରସଙ୍ଗଗୁଡ଼ିକର ଦସ୍ତାବିଜ ପ୍ରସ୍ତୁତ କରିବା ଲାଗି ଯୁବପିଢ଼ିଙ୍କ ସହ ମିଶି କାମ କରୁଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Priti David
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE