ଘୂରି ଘୂରି, କଟର କଟର କରୁଥିବା ଲଲିପପ ଆକୃତି ବିଶିଷ୍ଟ କଟକ୍ୟେଟି ର ଶବ୍ଦ ବେଙ୍ଗାଲୁରୁର ରାସ୍ତାକଡ଼ରେ ଖେଳନା ବିକ୍ରେତାଙ୍କ ଆଗମନର ସଙ୍କେତ ଦେଇଥାଏ । ଆଉ ଏ ଅଞ୍ଚଳର ସବୁ ପିଲା ଏଥିରୁ ଗୋଟିଏ ଗୋଟିଏ ନେବାକୁ ଚାହାନ୍ତି । ରାସ୍ତା କଡ଼ ଓ ଟ୍ରାଫିକ୍‌ ସିଗ୍ନାଲ, ସବୁଆଡ଼େ ଏହି ଚକଚକିଆ ଖେଳନାର ଖଡ଼ ଖଡ଼ ଶବ୍ଦ ଶୁଣିବାକୁ ମିଳେ । ୨,୦୦୦ କିଲୋମିଟରରୁ ଅଧିକ ଦୂର ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାର ବୁଲା ବିକାଳିମାନେ ଏ ଖେଳନା ବେଙ୍ଗାଲୁରୁ ସହରକୁ ନେଇ ଆସିଥାନ୍ତି । ‘‘ଆମ ହାତ ତିଆରି ଖେଳନା ଏତେ ଦୂରକୁ ଯାଇପାରୁଥିବାରୁ ଆମକୁ ଖୁସି ଲାଗୁଛି,’’ ଜଣେ ଖେଳନା ନିର୍ମାତା ଗର୍ବର ସହ କହିଥାନ୍ତି । ‘‘ଆମେ ଚାହିଁଲେ ବି ଯାଇପାରିବୁ ନାହିଁ ... କିନ୍ତୁ ଆମ ଖେଳନା ଯାଇପାରୁଛି... ଏହା ସୌଭାଗ୍ୟର ବିଷୟ।’’

ମୁର୍ଶିଦାବାଦ ଜିଲ୍ଲା ହରିହରପଡ଼ା ବ୍ଲକ୍‌ ଅନ୍ତର୍ଗତ ରାମପଡ଼ା ଗାଁର ଉଭୟ ପୁରୁଷ ଓ ମହିଳାମାନେ କଟକ୍ୟେଟି (ବଙ୍ଗଳା ଭାଷାରେ କୋଟିକୋଟି ନାମରେ ପରିଚିତ) ତିଆରି କରିଥାନ୍ତି । ରାମପଡ଼ାରେ ଥିବା ନିଜ ଘରେ ଏହାକୁ ତିଆରି କରୁଥିବା ତପନ କୁମାର ଦାସ କୁହନ୍ତି, କଟକ୍ୟେଟି ତିଆରି କରିବା ଲାଗି ବ୍ୟବହୃତ ହେଉଥିବା ମାଟି ଗାଁ ଧାନ କ୍ଷେତରୁ ଅଣାଯାଏ ଏବଂ ଅନ୍ୟ ଗାଁରୁ ବାଉଁଶ ବାଡ଼ି ଆଣିବାକୁ ହୁଏ । ତାଙ୍କ ପରିବାରରେ ସମସ୍ତେ ଏହାକୁ ତିଆରି କରିବା କାମରେ ନିୟୋଜିତ ଅଛନ୍ତି । ସେମାନେ ରଙ୍ଗ, ତାର, ରଙ୍ଗୀନ କାଗଜ- ଏବଂ ଏପରିକି ପୁରୁଣା ଫିଲ୍ମ ରିଲ ଉପଯୋଗ କରିଥାନ୍ତି । ‘‘ଦୁଇଟି ଫିଲ୍ମ ଷ୍ଟ୍ରିପ ବା ପଟ୍ଟିକୁ ଏକ ଇଞ୍ଚ ଲେଖାଏଁ ଆକାରରେ କଟା ଯାଇଥାଏ, ଏହାକୁ (ବାଉଁଶ କାଠିର) ଚିରା ହୋଇଥିବା ପାର୍ଶ୍ୱରେ ଭର୍ତ୍ତି କରାଯାଏ। ଏହା ଚାରିଟି ଫ୍ଲାପ୍‌ ବା ଡେଣା ପ୍ରସ୍ତୁତ କରିଥାଏ,’’ ଶକ୍ତି ଦାସ କୁହନ୍ତି । କିଛି ବର୍ଷ ପୂର୍ବରୁ କୋଲକାତାର ବଡ଼ ବଜାର ଅଞ୍ଚଳରୁ ସେ ଫିଲ୍ମ ରିଲର ଗୋଟିଏ ବଣ୍ଡଲ ଆଣିଥିଲେ । ଏହି ଡେଣା କଟକ୍ୟେଟି କୁ ଗତିଶୀଳ କରିବା ସହିତ ଏଥିରେ ଶବ୍ଦ ସୃଷ୍ଟି କରିଥାଏ ।

ଚଳଚ୍ଚିତ୍ର ଦେଖନ୍ତୁ : କଟକ୍ୟେଟି – ଏକ ଖେଳନାର କାହାଣୀ

‘‘ଆମେ ଆଣି ଏହାକୁ ବିକ୍ରି କରିଥାଉ... କିନ୍ତୁ ଏହା କେଉଁ ଫିଲ୍ମ ଆମେ ଦେଖିନଥାଉ (କଟା ହୋଇଥିବା ଫିଲ୍ମ ଷ୍ଟ୍ରିପରେ)’’, ଖେଳନା ବିକ୍ରେତା କୁହନ୍ତି। ଅଧିକାଂଶ ବିକ୍ରେତା ଓ କ୍ରେତାମାନେ ଏହି ରିଲରେ ରହିଥିବା ପ୍ରସିଦ୍ଧ ଚଳଚ୍ଚିତ୍ର ତାରକାମାନଙ୍କ ପ୍ରତି ଦୃଷ୍ଟି ଦେଇନଥାନ୍ତି । ‘‘ଇଏ ହେଉଛନ୍ତି ରଞ୍ଜିତ ମଲ୍ଲିକ, ସେ ଆମ ବଙ୍ଗର,’’ ଏକ କଟକ୍ୟେଟିକୁ ଦେଖାଇ ଆଉ ଜଣେ ଖେଳନା ବିକ୍ରେତା କୁହନ୍ତି । ‘‘ଆହୁରି ମୁଁ ଅନ୍ୟମାନଙ୍କୁ ଦେଖିଛି । ପ୍ରସେନଜିତ, ଉତ୍ତମ କୁମାର, ଋତୁପର୍ଣ୍ଣା, ଶତାବ୍ଦୀ ରାୟ... ଏଥିରେ ଅନେକ ଚଳଚ୍ଚିତ୍ର ତାରକା ରହିଛନ୍ତି ।’’

ଖେଳନା ବିକ୍ରେତାମାନଙ୍କ ମଧ୍ୟରୁ ଅଧିକାଂଶ କୃଷି ଶ୍ରମିକ, ଖେଳନା ସେମାନଙ୍କୁ ଆୟର ଏକ ବଡ଼ ଉତ୍ସ ଦେଇଛି। ଗାଁରେ କମ୍‌ ମଜୁରିରେ, ହାଡ଼ଭଙ୍ଗା କୃଷି କାମ ବଦଳରେ ସେମାନେ ଏଗୁଡ଼ିକୁ ବିକ୍ରି କରିବା ଲାଗି ପସନ୍ଦ କରିଛନ୍ତି। ସେମାନେ ବେଙ୍ଗାଲୁରୁ ଭଳି ସହରକୁ ଯାଇଥାନ୍ତି ଏବଂ ସେଠାରେ ମାସ ମାସ ଧରି ରହିଥାନ୍ତି, ଦିନକୁ ୮-୧୦ ଘଣ୍ଟା ପାଦରେ ଚାଲି ଚାଲି ସେମାନେ ନିଜର ଖେଳନା ବିକ୍ରି କରନ୍ତି। ୨୦୨୦ରେ କୋଭିଡ-୧୯ ମହାମାରୀ କାରଣରୁ ଏହି ଛୋଟ କିନ୍ତୁ ସମ୍ଭାବନାପୂର୍ଣ୍ଣ ବ୍ୟବସାୟ ବିପୁଳ କ୍ଷତି ସହିଥିଲା। ଲକଡାଉନ ଯୋଗୁଁ ଏସବୁ ଖେଳନା ଉତ୍ପାଦନ ବନ୍ଦ ହୋଇଗଲା, କାରଣ ଟ୍ରେନ ହିଁ ଏହାର ପରିବହନ ପାଇଁ ସବୁଠୁ ମୁଖ୍ୟ ମାଧ୍ୟମ ଥିଲା। ଅନେକ ଖେଳନା ବିକ୍ରେତାମାନେ ସେମାନଙ୍କ ଘରକୁ ଫେରିଯିବା ଲାଗି ବାଧ୍ୟ ହୋଇଥିଲେ।

ଚଳଚ୍ଚିତ୍ରରେ ଅଛନ୍ତି: କଟକ୍ୟେଟିର ନିର୍ମାତା ଓ ବିକ୍ରେତାମାନେ

ନିର୍ଦ୍ଦେଶନା, ଛାୟାଙ୍କନ ଏବଂ ଶବ୍ଦ ରେକର୍ଡି: ଯଶସ୍ୱିନୀ ରଘୁନନ୍ଦନ

ସମ୍ପାଦନା ଓ ସାଉଣ୍ଡ ଡିଜାଇନ: ଆରତୀ ପାର୍ଥସାରଥୀ

ଏ ଚଳଚ୍ଚିତ୍ରର ଏକ ସଂସ୍କରଣ, ଯାହାର ଶୀର୍ଷକ ରହିଛି  ‘ଦ୍ୟାଟ୍‌ କ୍ଲାଉଡ୍‌ ନେଭର ଲେଫ୍ଟ’, ୨୦୧୯ରେ ରୋଟ୍ଟରଡାମ, କାସେଲ, ଶାରଜା, ପେସାରୋ ଏବଂ ମୁମ୍ବାଇ ଭଳି ବିଭିନ୍ନ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଥିଲା ଏବଂ ଅନେକ ପୁରସ୍କାର ଓ ସମ୍ମାନ ହାସଲ କରିଥିଲା । ଏଥିରେ ସବୁଠୁ ଉଲ୍ଲେଖନୀୟ ହେଉଛି ଫ୍ରାନ୍ସର ଫିଲାଫ ଚଳଚ୍ଚିତ୍ର ମହୋତ୍ସବରେ ଗୋଲ୍ଡ ଫିଲାଫ ପୁରସ୍କାର ।

ଅନୁବାଦ : ଓଡ଼ିଶାଲାଇଭ୍‍

Yashaswini Raghunandan

ଯଶସ୍ୱିନୀ ରଘୁନନ୍ଦନ ୨୦୧୭ର ଜଣେ ପରୀ ସଦସ୍ୟା ଏବଂ ବେଙ୍ଗାଲୁରୁରେ ଅବସ୍ଥାପିତ ଜଣେ ଚଳଚ୍ଚିତ୍ର ନିର୍ମାତ୍ରୀ

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Yashaswini Raghunandan
Aarthi Parthasarathy

ଆରତୀ ପାର୍ଥସାରଥୀ ବେଙ୍ଗାଲୁରୁରେ ଅବସ୍ଥାପିତ ଜଣେ ଚଳଚ୍ଚିତ୍ର ନିର୍ମାତ୍ରୀ ଏବଂ ଲେଖିକା । ସେ ଏକାଧିକ କ୍ଷୁଦ୍ର ଓ ପ୍ରାମାଣିକ ଚଳଚ୍ଚିତ୍ର ସମେତ କମିକ୍ସ ଓ କ୍ଷୁଦ୍ର ଗ୍ରାଫିକ କାହାଣୀ ପ୍ରସ୍ତୁତ କରିବା କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Aarthi Parthasarathy
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE