"ମୋର ମାଲିକଙ୍କୁ ୨୫,୦୦୦ ଟଙ୍କା ଦେବାର ଅଛି । ଏହି ଋଣ ପରିଶୋଧ ନକରି ମୁଁ ଅଧିଆ ଚାଷ ଛାଡ଼ି ପାରିବି ନାହିଁ", ଏକଥା କହନ୍ତି ରବେନ୍ଦ୍ର ସିଂହ ବାରଗହି। "ଅଗର ଛୋଡ ଦିୟା ତୋ ୟେ ଓ୍ବାଦା ଖିଲାଫି ମାନା ଯାଏଗା(ଯଦି ଛାଡ଼ି ଦେଲି, ତେବେ ଏହା ବଚନ ଭଙ୍ଗ ବୋଲି ଧରିନିଆଯିବ)"।

ମଧ୍ୟପ୍ରଦେଶର ମୁଗୱାରି ଗାଁରେ ବାସ କରନ୍ତି ରବେନ୍ଦ୍ର, ଯେଉଁଠି ସେ ଗତ ୨୦ ବର୍ଷ ହେବ ଭାଗଚାଷୀ ଭାବେ କାମ କରନ୍ତି। ଅଧିଆ ଚାଷ କହିଲେ, ଏକ ପୁରୁଣା ମୌଖିକ ବ୍ୟବସ୍ଥା- ଯାହା ମଧ୍ୟପ୍ରଦେଶର ସିଦ୍ଧି ଓ ଆଖାପଖ ଜିଲ୍ଲାଗୁଡ଼ିକରେ ମୁଖ୍ୟତଃ ବିନ୍ଧ୍ୟାଞ୍ଚଳରେ ପ୍ରଚଳିତ।  ଏହି ବ୍ୟବସ୍ଥା ଅନୁଯାୟୀ ମାଲିକ (ଜମି ମାଲିକ) ଓ ଭାଗୁଆ ଚାଷ ଲାଗି ସମାନ ସମାନ ଖର୍ଚ୍ଚ କରିଥାନ୍ତି, ଆଉ ଅମଳ ଫସଲ ମଧ୍ୟ ସମାନ ସମାନ ଭାବେ ବାଣ୍ଟି ନେଇଥାନ୍ତି।

ଆଠ ଏକର ଜମିରେ, ରବେନ୍ଦ୍ର ଓ ତାଙ୍କ ପତ୍ନୀ ମମତା ସାଧାରଣତଃ ଧାନ, ଗହମ, ସୋରିଷ, ମୁଗ ଓ ବିରି ଚାଷ କରିଥାନ୍ତି। କିନ୍ତୁ ମଧ୍ୟପ୍ରଦେଶର କେତେକ ଅଞ୍ଚଳରେ ପ୍ରଚଳିତ ହିନ୍ଦୀରେ କୁହାଯାଉଥିବା ଏକ ଭାଷା -ବାଘେଲୀ ଭାଷାରେ ଅଧିଆକୁ 'ଅଧା' କୁହାଯାଏ। କିନ୍ତୁ ପ୍ରକୃତରେ ଏହା ଅଧା ନୁହେଁ ।

ଦେଶର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଭାବେ ପ୍ରଚଳିତ ଏହି ଅଣଆନୁଷ୍ଠାନିକ ଚୁକ୍ତିରେ, ଜମି ମାଲିକ ଚାଷ ସଂପର୍କିତ ସମସ୍ତ ନିଷ୍ପତ୍ତି ନେଇଥାନ୍ତି । ଯେମିତିକି କେଉଁ ଫସଲ ଚାଷ କରାଯିବ। କିନ୍ତୁ ଯେତେବେଳେ ପ୍ରବଳ ଥଣ୍ଡା, ଅଦିନିଆ ବର୍ଷା କିମ୍ବା କୁଆପଥର ମାଡ଼ରେ ଫସଲ ନଷ୍ଟ ହୋଇଯାଏ, ଜମି ମାଲିକ ସରକାରଙ୍କଠାରୁ କିମ୍ବା ବୀମା କମ୍ପାନିଠାରୁ କ୍ଷତିପୂରଣ ପାଇଥାଏ। ଆଉ ଏହାର କିଛି ବି ଭାଗ ପାଏନି ଭାଗଚାଷୀ।

PHOTO • Anil Kumar Tiwari

'ମୋର ପୂରା ପରିବାର ଖଟିଥାଏ, କିନ୍ତୁ ଆମେ ବିଶେଷ କିଛି ଲାଭ କରିପାରୁନା', ରବେନ୍ଦ୍ର କହନ୍ତି (ସବୁଜ ରେ)। ତାଙ୍କ ପତ୍ନୀ ମମତା ଓ ପୁଅ ଅନୁଜ ଓ ବିବେକ ଖରାଦିନେ ଶୁଖିଲା ଆମ୍ବ ବିକ୍ରି କରନ୍ତି

ଅନୁସନ୍ଧାନରୁ ଜଣାପଡ଼ିଛି, କୌଣସି ସଂସ୍ଥାଗତ ଋଣ ପାଉନଥିବାରୁ, ବୀମା କିମ୍ବା ଅନ୍ୟ କୌଣସି ସୁବିଧା ନଥିବା ଏହି ବ୍ୟବସ୍ଥା ଯୋଗୁଁ ସବୁବେଳେ ଭାଗଚାଷୀଟି ଅସୁରକ୍ଷିତ ଭାବନା ଭିତରେ ଗତି କରେ। ସାଧାରଣତଃ ପରବର୍ତ୍ତୀ ଚାଷରେ ନିଜ ଭାଗର ଅର୍ଥ ନିବେଶ କରିବା ଲାଗି ଭାଗଚାଷୀ ସେହି ଜମି ମାଲିକଙ୍କଠାରୁ ଋଣ ନେବାକୁ ବାଧ୍ୟ ହୋଇଥାନ୍ତି।

'ମୋର ପୂରା ପରିବାର ଖଟିଥାଏ, କିନ୍ତୁ ଆମେ ବିଶେଷ କିଛି ଲାଭ କରିପାରୁନା', ୪୦ ବର୍ଷୀୟ ରବେନ୍ଦ୍ର କହନ୍ତି (ପ୍ରଚ୍ଛଦ ଫୋଟୋର ପୃଷ୍ଠ ଭାଗରେ ଉପରେ ଥିବା) ଯେ କି ପଛୁଆ ଜାତି ଭାବେ ପଞ୍ଜୀକୃତ ବାରଗାହି ସଂପ୍ରଦାୟର । ତାଙ୍କର ଦୁଇ ପୁଅ ବିବେକ, ୧୨ବର୍ଷ ଓ ଅନୁଜ, ୧୦ ବର୍ଷ ତାଙ୍କୁ ଜମିରୁ କାଠି କୁଟା ସଫା କରିବାରେ ସହଯୋଗ କରନ୍ତି। 'ନିଜ ଏକୁଟିଆ ପରିଶ୍ରମରେ ତ ଚାଷ ସମ୍ଭବ ନୁହେଁ ନା'... ସେ କହନ୍ତି। 'ଗତ ବର୍ଷ, ମୁଁ ଫସଲରେ ୧୫,୦୦୦ ଟଙ୍କା ଖର୍ଚ୍ଚ କରିଥିଲି। କିନ୍ତୁ ମୋତେ ମିଳିଲା ମାତ୍ର ୧୦,୦୦୦’। ୨୦୧୯ର ରବି ଋତୁରେ ଏହି ପରିବାର ଧାନ ଚାଷ କରିଥିଲେ ଆଉ ଖରିଫ ଋତୁରେ ଚାଷ କରିଥିଲେ ମୁଗ। ସାଧାରଣତଃ ସେମାନେ ନିଜ ବ୍ୟବହାର ଲାଗି ଅମଳ ହୋଇଥିବା ଫସଲର କିଛି ଅଂଶ ରଖିଥାନ୍ତି। ଆଉ ବଳକା ବିକ୍ରି କରିଥାନ୍ତି। କିନ୍ତୁ ସ୍ଵଳ୍ପ ବୃଷ୍ଟିପାତ ଯୋଗୁଁ ଧାନ ଫସଲ ବରବାଦ ହୋଇଗଲା। ଆଉ ପ୍ରବଳ ଥଣ୍ଡା ଯୋଗୁଁ ଉଜୁଡ଼ି ଗଲା ମୁଗ ଚାଷ।

ପରିବାରର ରହିଛି ଗୋଟିଏ ଆମ୍ବ ଗଛ, ଯାହା ସେମାନଙ୍କ ଘରର ଦକ୍ଷିଣ ଭାଗରେ ରହିଛି । ଖରା ଦିନେ ମେ ରୁ ଜୁଲାଇ ମାସ ଯାଏ, ମମତା ଓ ତାଙ୍କର ପୁଅମାନେ ଦୁଇ କିଲୋମିଟର ଦୂରରେ ଥିବା କୁଚୱାହି ବଜାରରେ ଆମ୍ବାରୀ(ଶୁଖିଲା ଆମ୍ବ, ଯାହା ଆଚାର କିମ୍ବା ଆମଚୂର୍ଣ୍ଣ ପାଇଁ ବ୍ୟବହାର ହୁଏ) ବିକ୍ରି କରନ୍ତି । ବିବେକ ଓ ଅନୁଜ ଗାଁ ସାରା ବୁଲି ଗଛରୁ ପଡ଼ି ଥିବା ଆମ୍ବସବୁ ସଂଗ୍ରହ କରନ୍ତି। " ଆମେ ଏହାକୁ କିଲୋପ୍ରତି ୫ ଟଙ୍କା ଦରରେ ବିକ୍ରି କରି ପ୍ରାୟ ୧୦୦୦-୧୫୦୦ ଟଙ୍କା ରୋଜଗାର କରୁ", କହନ୍ତି 38 ବର୍ଷ ବୟସ୍କା ମମତା। ରବେନ୍ଦ୍ର ଏକଥାରେ ସ୍ବର ମିଳାଇଲେ, "ଏ ବର୍ଷ ଆମ୍ବ ବିକ୍ରି କରି ଆମେ ଯାହା ପାଇଛୁ, ସେଥିରେ କିଛି ଲୁଗାପଟା କିଣାକିଣି କରିପାରିବୁ।"

'ଯେତେବେଳେ ମୁଁ ବୁଝିଗଲି ହିନ୍ଦୀରେ କୁହାଯାଉଥିବା ଏକ ଭାଷା ଯେ ମାଲିକ ସରକାରଙ୍କଠାରୁ କ୍ଷତିପୂରଣ ପାଇଛନ୍ତି ବୋଲି, ମୁଁ ତାଙ୍କୁ ମୋ ଭାଗ ମାଗିଲି. କିନ୍ତୁ ସେ ଦେବାକୁ ମନା କଲେ', ଜଙ୍ଗଲୀ ସୋନ୍ଧିୟା କହନ୍ତି

ଦେଖନ୍ତୁ : 'ଯେତେବେଳେ ଫସଲ ନଷ୍ଟ ହୋଇଯଏ, ଆମେ ଋଣରେ ବଞ୍ଚୁ'

ଦୁଇ ଫସଲ ଋତୁ ମଝିରେ ମେ ଓ ଜୁନ ମାସରେ ରବେନ୍ଦ୍ର ଜଣେ ଦିନ ମଜୁରିଆ ଭାବେ ମଧ୍ୟ କାମ କରନ୍ତି । ଏହି ସମୟରେ “ଆମେ(ଭୂମିହୀନ ଚାଷୀ) ଭଙ୍ଗା କାନ୍ଥ ଓ ଛାତ ମରାମତି କରି କିଛି ରୋଜଗାର କରୁ। ଏହି କାମ କରି ମୁଁ ଏବର୍ଷ ପ୍ରାୟ ୧୦,୦୦୦ରୁ ୧୨,୦୦୦ଟଙ୍କା ରୋଜଗାର କରିଛି”, ମୁଁ ତାଙ୍କ ସହ ଯେତେବେଳେ ଜୁନ ମଝିଭାଗରେ କଥା ହେଲି, ରବେନ୍ଦ୍ର କହିଲେ। “ମୁଁ ଏହି ଅର୍ଥ ଦ୍ଵାରା ମାଲିକଙ୍କ ଋଣ ପରିଶୋଧ କରିବି”, ସେ କହିଲେ। ପୂର୍ବ ଫସଲ ବିଷୟ ସଂପର୍କରେ ଅବତାରଣା କରି ସେ କହିଲେ, ଏଥିଲାଗି ମାଲିକ ପାଣି ମଡ଼ାଇବା, ବିହନ, ବିଜୁଳି ଦେୟ ଓ ଅନ୍ୟ ଖର୍ଚ୍ଚ ପାଇଁ ସେ ଏହା ଦେଇଥିଲେ।

“ଯଦି ଫସଲ ନଷ୍ଟ ହୋଇଯାଏ, ଆମେ କିଛି ବି ପାଇ ନଥାଉ”, କହନ୍ତି, ୪୫ ବର୍ଷ ବୟସ୍କ ଜଙ୍ଗଲୀ ସୋନ୍ଧିୟା। ସେ ହେଉଛନ୍ତି ମୁଗୱାରୀର ଆଉ ଜଣେ ଅଧିଆ ଚାଷୀ। ଫେବ୍ରୁଆରୀରେ ପ୍ରବଳ ଥଣ୍ଡା ପାଲା ଯୋଗୁଁ କିପରି ତାଙ୍କ ବିରି ଫସଲ ନଷ୍ଟ ହୋଇଗଲାସେ ବଖାଣୁଥିଲେ । “ଯେତେବେଳେ ମୁଁ ବୁଝିଗଲି ଯେ ମାଲିକ ସରକାରଙ୍କଠାରୁ କ୍ଷତିପୂରଣ ପାଇଛନ୍ତି ବୋଲି, ମୁଁ ତାଙ୍କୁ ମୋ ଭାଗ ମାଗିଲି, କିନ୍ତୁ ସେ ଦେବାକୁ ମନା କଲେ”, ଜଙ୍ଗଲୀ ସୋନ୍ଧିୟା କହନ୍ତି। ମାଲିକ ମୋତେ କହିଲେ, “ଜମି ତାଙ୍କର, ତେଣୁ ସେ ପୂରା ଅର୍ଥର ହକଦାର।” ତେବେ କ୍ଷତିପୂରଣ ରାଶି କେତେ, ସେ ସଂପର୍କରେ ଜଙ୍ଗଲୀଙ୍କର କୌଣସି ଧାରଣା ନଥିଲା। ତେବେ ନିଜ ଉପରେ ଥିବା ୬୦୦୦ ଟଙ୍କା ପରିଶୋଧ କରିବା ପାଇଁ, ଯେତେବେଳେ ବି ସେ କିଛି କାମ ପାଇଲେ ସେ ମୂଲ ମଜୁରୀ ଲାଗି ଶୁଝିବାକୁ ଉଦ୍ୟମ କଲେ। ସିଦ୍ଧି ସହରରେ ବିଭିନ୍ନ ନିର୍ମାଣ କାମରେ କାମରେ ତାଙ୍କର ଦୁଇ ପୁଅ କାମ କରି ଘରକୁ ପଇସା ପଠାନ୍ତି।

ତେବେ ମୁଗୱାରୀ ଗାଁ ଯେଉଁ ଅଞ୍ଚଳରେ ଆସୁଛି, ସେହି ସିଦ୍ଧି ବ୍ଲକର ଗୋପଦବନସ ତହସିଲର ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର କହନ୍ତି, “ଚାଷୀମାନଙ୍କ ପାଇଁ କ୍ଷତିପୂରଣ ବ୍ୟବସ୍ଥା ରହିଛି। ବଟାଇଦାର(ଭାଗଚାଷୀ) ରାଜ୍ୟ ସରକାରଙ୍କଠାରୁ କ୍ଷତିପୂରଣ (ଫସଲ ହାନି ବାବଦକୁ) ପାଆନ୍ତି”, ସେ କହନ୍ତି। “ଯଦି ଭୂମିସ୍ଵାମୀ(ଜମି ମାଲିକ) ସେମାନଙ୍କୁ ଅଧିଆ ଚାଷୀ ବୋଲି ଘୋଷଣା କରନ୍ତି।”

Ravendra (left), Jangaali (right) and other tenant farmers also work as a daily wage labourers between cropping cycles
PHOTO • Anil Kumar Tiwari
Ravendra (left), Jangaali (right) and other tenant farmers also work as a daily wage labourers between cropping cycles
PHOTO • Anil Kumar Tiwari

ରବେନ୍ଦ୍ର(ବାମ) ଓ ଜଙ୍ଗଲୀ(ଡାହାଣ) ଏବଂ ଅନ୍ୟ ଭାଗଚାଷୀ ଫସଲ ଋତୁ ବିରତି ସମୟରେ ଦିନ ମଜୁରିଆ ଭାବେ କାମ କରନ୍ତି

ସେ ମଧ୍ୟପ୍ରଦେଶ ସରକାରଙ୍କ ୨୦୧୪ର ଆଦେଶ ସଂପର୍କରେ କହୁଥିଲେ , ରାଜସ୍ଵ ପୁସ୍ତକ ପରିପତ୍ର ୬-୪ , ଯାହା ଦର୍ଶାଇଥାଏ, ଫସଲ ହାନି ହେଲେ, ଚାଷୀମାନେ ସରକାରଙ୍କଠାରୁ କିପରି ଆର୍ଥିକ ସହାୟତା କ୍ଷତିପୂରଣ ପାଇବେ। ଏଥିଲାଗି, ଜମି ମାଲିକମାନେ ନିଜ ଫସଲ ହାନି ସଂପର୍କରେ ତଥ୍ୟ ତହସିଲଦାରଙ୍କୁ ଜଣାଇବେ।  ମିଶ୍ରଙ୍କ କହିବା କଥା ହେଉଛି, ଯଦି ଜମି ମାଲିକ ଭାଗଚାଷୀଙ୍କୁ ଅଧିଆ ଚାଷୀ ବୋଲି ଘୋଷଣା କରି କାଗଜପତ୍ର ଦେଇଥିବେ ତେବେ ସେମାନେ ମଧ୍ୟ କ୍ଷତିପୂରଣର ଏକ ଅଂଶ ପାଇବେ। ଯଦିଓ ଏହି ପରିପତ୍ରରେ ସେପରି କୌଣସି ବ୍ୟବସ୍ଥା ନାହିଁ, ସେ କହନ୍ତି, ଏହା ଚଳି ଆସୁଥିବା ସାଧରଣ ବ୍ୟବସ୍ଥା।

“ସିଦ୍ଧି ଜିଲ୍ଲାରେ ପ୍ରାୟ ୨୦,୦୦୦ ବଟାଇଦାର କ୍ଷତିପୂରଣ ପାଇଛନ୍ତି, କିନ୍ତୁ ଲକ୍ଷେରୁ ଅଧିକ ଚାଷୀ ଏହା ପାଇନାହାନ୍ତି ”, କହନ୍ତି ମିଶ୍ର। “ଭୂମିସ୍ଵାମୀମାନଙ୍କୁ ଆମେ ଏଥିଲାଗି ବାଧ୍ୟ କରିପାରିବୁ ନାହିଁ, କାରଣ ଅଧିଆ ଏକ ପାରସ୍ପରିକ ବୁଝାମଣା। ଏଥିଲାଗି ଭୂମିସ୍ଵାମୀଙ୍କୁ ଉପରେ କୌଣସି ବି ସରକାରୀ ଆଇନ ଲାଗୁ ହେଉନି।”

ତେବେ, ମଧ୍ୟପ୍ରଦେଶ ଭୂମିସ୍ଵାମୀ ଏବଂ ବଟାଇଦାର କେ ହିତୋ କା ସଂକର୍ଷଣ ବିଧେୟକ,୨୦୧୬, ଅନୁଯାୟୀ, ଯଦି ପ୍ରାକୃତିକ ଦୁର୍ବିପାକ କିମ୍ବା ଅନ୍ୟ କାରଣରୁ ଫସଲ ନଷ୍ଟ ହୁଏ, ତେବେ ସେମାନଙ୍କ ଭାଗଚାଷ ବୁଝାମଣା ଆଧାରରେ ଭୂମିସ୍ଵାମୀ ଓ ବଟାଇଦାର ଉଭୟ ରାଜ୍ୟ ସରକାର କିମ୍ବା ବୀମା କମ୍ପାନିଙ୍କଠାରୁ କ୍ଷତିପୂରଣ ପାଇବେ। ଏହି ଆଇନରେ ବଟାଇ(ଭାଗଚାଷୀ)ଙ୍କ ଲାଗି ଏକ ସ୍ଵତନ୍ତ୍ର ବ୍ୟବସ୍ଥା ମଧ୍ୟ ରହିଛି।

ପଚରା ଯିବାରୁ, ସିଦ୍ଧି ଜିଲ୍ଲାର ଚାଷୀ ଏ ଆଇନ ସଂପର୍କରେ କିଛି ଜାଣନ୍ତି ନାହିଁ କିମ୍ବା ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର ମଧ୍ୟ ଏ ବାବଦରେ କିଛି ଜାଣନ୍ତି ନାହିଁ ବୋଲି ଜଣାପଡ଼ିଲା।

“ବିହନ ବୁଣିବାଠାରୁ ଆରମ୍ଭ କରି ଫସଲ କାଟିବା ଯାଏ- ଆମେ ସବୁକିଛି କରୁ, କିନ୍ତୁ ବର୍ଷ ଶେଷକୁ ଆମେ ଅତି ସ୍ଵଳ୍ପ ପାଇଥାଉ,” କହନ୍ତି ଜଙ୍ଗଲୀ। ତା’ହେଲେ ଏତେ କ୍ଷତି ସହିବା ପରେ ବି ସେ କାହିଁକି ଅଧିଆ ଚାଷ କରୁଛନ୍ତି? "କାରଣ ଚାଷରୁ ଆମେ ଆମର ଜୀବିକା ଉପାର୍ଜନ କରୁଛୁ,” ସେ କହନ୍ତି।  “ଏହା ବିନା ଆମେ ଭୋକରେ ମରିଯିବୁ। ମାଲିକ ସହ ଲଢ଼ିବା ପରେ ଆମେ କେଉଁଠିକୁ ଯିବୁ?”

ଅନୁବାଦ: ଓଡ଼ିଶାଲାଇଭ୍‍

Anil Kumar Tiwari

ମଧ୍ୟପ୍ରଦେଶର ସିଦ୍ଧି ସହରରେ ରହୁଥିବା ଅନିଲ କୁମାର ତିୱାରୀ ହେଉଛନ୍ତି ଜଣେ ସାମ୍ବାଦିକ। ସେ ହେଉଛନ୍ତି ଭାରତୀୟ ସାମ୍ବାଦିକତା ଓ ନ୍ୟୁ ମିଡିଆ ସଂସ୍ଥାନ, ବେଙ୍ଗାଲୁରୁର ଜଣେ ସଦ୍ୟତମ ସ୍ନାତକ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Anil Kumar Tiwari
Priyansh Verma

ପ୍ରିୟାଂଶ ବର୍ମା ଗୁରୁଗାଓଁରେ ଅବସ୍ଥିତ ଜଣେ ମୁକ୍ତବୃତ୍ତ ସାମ୍ବାଦିକ। ସେ ବେଙ୍ଗାଲୁରୁର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଜର୍ଣ୍ଣାଲିଜିମ୍ ଆଣ୍ଡ୍ ନ୍ୟୁ ମିଡିଆର ସ୍ନାତକ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Priyansh Verma
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE