ଗୋଡ୍ଡା (ବିହାର): ଧାର୍ମୀ ପହରିଣୀର ଉଚ୍ଚତା ହେଉଛି ଚାରିଫୁଟ ତିନ ଇଂଚ ଏବଂ ଓଜନ ତାଙ୍କ ମୁଣ୍ଡ ଉପରେ ଥବା ୪୦କେଜି ଓଜନର ଜାଳେଣି କାଠଠାରୁ ମଧ୍ୟ କମ୍‌ । ସେ ତାଙ୍କ ଗ୍ରାମ ସେର୍‌କଟ୍ଟିଆଠାରୁ ସାତ କିଲୋମିଟର ଦୂରରେ ଥିବା  ଦେବଦାନ୍‌ମୋଦ୍‌ରେ ସପ୍ତାହରେ ଥରେ ବା ଦୁଇଥର ପଡୁଥିବା ହାଟକୁ ଆସିଛନ୍ତି । ଏହା ପୂର୍ବରୁ ଜଙ୍ଗଲକୁ ଯାଇ ଆସିବାକୁ ଚବିଶ କିଲୋମିଟର ପଥ ଚାଲିବାକୁ ପଡିଛି ଓ ଜଳେଣୀ କାଠ ସଂଗ୍ରହ କରିବା ପାଇଁ ତାଙ୍କୁ ସମୁଦାୟ ଏକତିରିଶ କିଲୋମିଟର ଚାଲିବାକୁ ପଡ଼ିଛି । ଏସବୁ ପାଇଁ ତାଙ୍କୁ କେବଳ ଆଠ କିମ୍ବା ନଅ ଟଙ୍କା ମିଳିବ ।

ଏହି ପଥ ରାଜମହଲ ପାହାଡ ଦେଇ ଯାଇଛି ଓ ଏହି ଭୂଭାଗ ଅତ୍ୟନ୍ତ ବନ୍ଧୁର ଅଟେ । ତଥାପି ଧାର୍ମିୀକୁ ବଞ୍ଚି ରହିବା ପାଇଁ ସପ୍ତାହରେ ଅତି କମ୍‌ରେ ଗୋଟିଏ ଥର ଏପରି କରିବାକୁ ହେବ । ସେ ପହରିଆ ସମ୍ପ୍ରଦାୟର, ଯାହା ହେଉଛି ଦେଶର ସବୁଠାରୁ ଅନୁନ୍ନତ ସମ୍ପ୍ରଦାୟ ମଧ୍ୟରୁ ଗୋଟିଏ । ଗୋଡ୍ଡା ଜିଲ୍ଲାର ପୁରୁଣା ସାନ୍ଥାଲ ପ୍ରଗଣା ଡିଭିଜନ୍‌ର ବିଭିନ୍ନ ସ୍ଥାନରେ ପ୍ରାୟ ୨୦,୦୦୦ରୁ ଅଧିକ ପହରିଆ ବସବାସ କରନ୍ତି । ଦଶନ୍ଧି ଦଶନ୍ଧି ଧରି ସେମାନଙ୍କ ଉନ୍ନତି ପାଇଁ ବିଭିନ୍ନ ପ୍ରତିଶ୍ରୁତି ପ୍ରଦାନ କରାଯାଉଛି, ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଉଛି, ତଥାପି ସେମାନଙ୍କ ଜୀବନଯାପନ ପ୍ରଣାଳୀରେ କୌଣସି ପରିବର୍ତ୍ତନ ହୋଇ ପାରିନାହିଁ ।

ଦାରିଦ୍ର୍ୟ ଯୋଗୁଁ ମହାଜନମାନଙ୍କ (ଋଣଦାତା/ବ୍ୟବସାୟୀ) କବଳରେ ଥିବା ଧାର୍ମୀ ଓ ତାଙ୍କ ଭଳି ଅନେକ ମହିଳା ବଞ୍ଚିବା ପାଇଁ ଗଛ କାଟିଥାନ୍ତି । ଅଧିକାଂଶ ପହରିଆଙ୍କ ପାଇଁ କାଠ ହେଉଛି ଆୟର ଏକ ମୁଖ୍ୟ ସ୍ରୋତ। ସେମାନଙ୍କ ମଧ୍ୟରୁ ଅନେକ କାଠ ଚୋରା କାରବାର କରୁଥିବା ମହାଜନଙ୍କ ପାଇଁ ମଧ୍ୟ କାମ କରିବାକୁ ବାଧ୍ୟ ହୋଇଥାନ୍ତି । ଏହି କାରଣରୁ ବହୁ ପରିମାଣରେ ଜଙ୍ଗଲ ନଷ୍ଟ ହେଉଛି, ଯାହାଦ୍ୱାରା ଏହି ପାହାଡିଆ ଅଞ୍ଚଳର ଏକ ବଡ ଅଂଶରେ ପରିସଂସ୍ଥାନର ସନ୍ତୁଳନ ବାଧାପ୍ରାପ୍ତ ହେଉଛି ବୋଲି ଗୋଡ୍ଡା କଲେଜ୍‌ର ସୁମନ ଦରଧିଆର୍‌ କହନ୍ତି । ଡ. ଦରଧିୟାର୍‌ଙ୍କ ଅଧ୍ୟୟନ ବିଷୟ ‘ଇକୋଲୋଜି ଅଫ୍‌ ଦ ପହରିଆ କମ୍ୟୁନିଟି ଇନ୍‌ ସାନ୍ଥାଲ ପ୍ରଗଣାସ୍‌’ରେ ଏହାକୁ ‘ମହାଜନମାନେ ଏହି ଗରିବ ଓ ଅସହାୟ ଲୋକଙ୍କୁ କିଭଳି ନିଷ୍ଠୁର ଭାବେ ଶୋଷଣ କରିଚାଲିଛନ୍ତି ସେହି ଦୃଷ୍ଟିକୋଣରୁ ଦେଖାଯାଇଛି’।

Woman assessing weight of load of wood
PHOTO • P. Sainath

ଆଗକୁ ଲମ୍ବା ରାସ୍ତା ଚାଲିବାକୁ ଥିବାରୁ ସେ ସମୟରେ ନିଜର ସନ୍ତୁଳନ ରକ୍ଷା କରିବା ପାଇଁ ଯାତ୍ରା ଆରମ୍ଭରେ ସେ ତାଙ୍କର କାଠ ବୋଝକୁ ଓଜନ କରୁଥିଲେ., ଯେଉଁ ବୋଝର ଓଜନ ତାଙ୍କ ଶରୀରର ଓଜନଠାରୁ ଅଧିକ ଅଟେ

ହାଟରେ ମୁଁ ଧାର୍ମୀଙ୍କୁ କହିଲି ଯେ ସେ ଏହି ବୋଝ ବୋଝେଇ ଏତେ ବାଟ ଚାଲି ଚାଲି ଆସିପାରିଲେ., ତାହା ମୋର ବିଶ୍ୱାସ ହେଉନାହିଁ । ଆମ ଚାରିପାଖରେ ଥିବା ଛୋଟିଆ ଭିଡ ଉପହାସ କରୁଥିଲା । ଅନେକ ମହିଳା ଧାର୍ମୀଠାରୁ ମଧ୍ୟ ଅଧିକ ବାଟ ଅତିକ୍ରମ କରିଛନ୍ତି ବୋଲି ସେଠାରେ ଥିବା ଡଜନ୍‌ରୁ ଅଧିକ ଲୋକ କହିଲେ । ଏହାକୁ ଯାଞ୍ଚ କରିବା କରିବା ପାଇଁ କେବଳ ଗୋଟିଏ ରାସ୍ତା ବଞ୍ଚିଛି । କାଲି ଭୋର୍‌ରୁ ଏହି ପହରିଆ ମହିଳାଙ୍କ ସହିତ ଆମକୁ ଭିନ୍ନ ଭିନ୍ନ ଅଞ୍ଚଳରେ ଓ ପାହାଡ଼ରେ ଚାଲିବାକୁ ହେବ ।

ଆସନ୍ତା କାଲି ପୂର୍ବାହ୍ନ ୬ଟା ବେଳେ ଥେଥ୍ରୀଗୋଡ୍ଡା ପାହାଡ଼ ରାସ୍ତାର ଅଧାପଥ ଅତିକ୍ରମ କରିବା ନିଶ୍ଚିତ ଭାବେ ଉତ୍ତମ ଧାରଣା ନୁହେଁ । ପହରିଆମାନେ ରହୁଥିବା କେତେକ ଗାଁରେ ପହଞ୍ଚିବା ପାଇଁ ଆପଣଙ୍କୁ ଦୁଇରୁ ତିନିଟି କ୍ଷୁଦ୍ର ପାହାଡ଼ ଅତିକ୍ରମ କରିବାକୁ ହେବ । ଆମେ ଉପରକୁ ଚଢିବା ରାସ୍ତାରେ ଆଠ କିଲୋମିଟର ରାସ୍ତା ଅତିକ୍ରମ କରିସାରିଥିଲୁ । କିଛି ସମୟ ପର୍ଯ୍ୟନ୍ତ ଉଦ୍ଦେଶ୍ୟହୀନ ଭାବେ ଆମେ ବିଚରଣ କରିବା ପରେ, ଆମେ ପହରିଆ ମହିଳାଙ୍କ ଗୋଟିଏ ଦଳକୁ ଦେଖିପାରିଲୁ, ଯେଉଁମାନେ ନିଜ ହାତରେ ଦାଆ ଧରିଥିଲେ ଓ ଗୋଟିଏ ଧାଡ଼ିରେ ଲମ୍ବା ପାହୁଣ୍ଡ ପକାଇ ଦ୍ରୁତ ଗତିରେ ଚାଲି ଚାଲି ଜଙ୍ଗଲ ଆଡକୁ ଯାଉଥିଲେ । ସେମାନଙ୍କ ଦ୍ରୁତ ଓ ସହଜ ଗତି ସହିତ ତାଳ ମିଶାଇ ଚାଲିବା କଷ୍ଟସାଧ୍ୟ ଅଟେ । ତଥାପି ଆମେ ସେମାନଙ୍କ ପଛ ପଛେ ପଡ଼ିଉଠି ଧାଉଁଥିଲୁ । ଜଙ୍ଗଲ ଭିତରେ ଥିବା ଚଲାପଥରେ ଆମେ ଆହୁରି ବହୁତ ଦଳ ଜଙ୍ଗଲ ଆଡକୁ ଯାଉଥିବା ବା ସେମାନଙ୍କ ଗ୍ରାମ ଆଡକୁ ଯାଉଥିବା ଦେଖିବାକୁ ପାଇଲୁ । ପ୍ରତ୍ୟେକ ମହିଳା ସେମାନଙ୍କ ମୁଣ୍ଡରେ ୩୦-୪୦ କେଜି ଓଜନର ଜାଳେଣୀ କାଠର ବୋଝ ବହନ କରିଥିଲେ ।

*

ପହରିଆ ମହିଳାମାନଙ୍କର ଏହି ସ୍ଫୁର୍ତ୍ତି ଓ ଶାରୀରିକ ବଳ ପଛରେ ଯେଉଁ ସତ୍ୟତା ଲୁଚି ରହିଛି ତାହା ଏହା ଯେ ସେମାନଙ୍କ ମଧ୍ୟରୁ ଅଳ୍ପ କିଛି ମହିଳା ପଚାଶ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିପାରନ୍ତି । ଗୋଡ୍ଡାର ଅନେକ ପହରିଆ ଗ୍ରାମରେ ଏହାଠାରୁ ଅଧିକ ବୟସ୍କ ମହିଳା ବା ପୁରୁଷ ପ୍ରାୟତଃ ଦେଖିବାକୁ ମିଳନ୍ତି ନାହିଁ । ସେମାନଙ୍କ ମଧ୍ୟରୁ ଅଧିକାଂଶ ପଇଁଚାଳିଶି ବର୍ଷ ପର୍ଯ୍ୟନ୍ତ ମଧ୍ୟ ବଞ୍ଚିପାରନ୍ତିନି ।

ଗୁହୀ ପହରିଣୀ ହାଟକୁ ଜାଳେଣୀ କାଠ ନେବା ଦିନ ଚାଳିଶି କିଲୋମିଟର୍‌ରୁ ଅଧିକ ରାସ୍ତା ଚାଲିଥାଏ । ତାହା କିନ୍ତୁ ତାଙ୍କ ଛୋଟ ଜୀବନରେ ସେ ଅତିକ୍ରମ କରୁଥିବା ଦୀର୍ଘ ଚଲାପଥର ଗୋଟିଏ ଅଂଶମାତ୍ର । ପାଣି ଆଣିବା ପାଇଁ ତାକୁ ଦିନରେ ଛଅରୁ ଆଠ କିଲୋମିଟର ଚାଲିବାକୁ ପଡ଼େ।

‘ପାଣି ପାଇଁ ବେଶୀ ଦୂରକୁ ଯିବାକୁ ପଡେନାହିଁ,’ ବୋଲି ସେ ଖୁସିରେ କହନ୍ତି (ତାଙ୍କ କହିବା ଅର୍ଥ ହେଉଛି ଦୁଇ କିଲୋମିଟର) । ‘କିନ୍ତୁ ମୁଁ ଏକା ଥରକେ କେବଳ ଏତିକି ପାଣି ନେଇପାରିବି । ଏଣୁ ମୋତେ ଗୋଟିଏ ଦିନରେ ପ୍ରାୟ ତିନିରୁ ଚାରି ଥର ଏହି ସମାନ ଦୂରତା ଅତିକ୍ରମ କରିବାକୁ ପଡିଥାଏ ।’ ସପ୍ତାହରେ ଦୁଇଥର ହାଟକୁ ଚାଲି ଚାଲି ଯିବା ସହିତ ସେ ଏଠାକୁ ମଧ୍ୟ ଯାଇଥାନ୍ତି । ସେହି ପାଣିର ଉତ୍ସ ‘କେବଳ’ ଦୁଇ କିଲୋମିଟର ଦୂରରେ ରହି ଥାଇପାରେ । ହେଲେ ସେଠାରେ ପହଞ୍ଚିବା ପାଇଁ ଉଠାଣି ଓ ଚାଲିବା ପାଇଁ କଷ୍ଟସାଧ୍ୟ ରାସ୍ତାରେ ଦୁଇକିଲୋମିଟର ଚାଲିବାକୁ ପଡେ ଯେଉଁଥିରେ ଶରୀର କ୍ଳାନ୍ତ ହୋଇଯିବା ସ୍ୱାଭାବିକ ଅଟେ ।

ଗୁହୀର କଥା  କିଛି ଭିନ୍ନ ନୁହେଁ । ଅଧିକାଂଶ ପହରିଆ ମହିଳାମାନଙ୍କୁ ଏହି ଢଙ୍ଗରେ ଅବିରତ ଚାଲିବାକୁ ପଡେ । ଆମେ ଯେତେବେଳେ ଏହି ଦୁଃସାଧ୍ୟ ଗଡ଼ାଣି ରାସ୍ତା, ଯାହା ବର୍ଷା ଯୋଗୁଁ ଆହୁରି ବିପଦସଙ୍କୁଳ ହୋଇଯାଇଛି, ସେଥିରେ ଚାଲିଲୁ, ସେତେବେଳେ ଏଥିରେ ଚାଲିବାମାନେ କ’ଣ ଆମେ ଜାଣିଗଲୁ । ଗୁହୀ ଭଳି ପହରିଆ ମହିଳାମାନେ ବର୍ଷରେ ଚାରି ପାଞ୍ଚ ଥର ଏହି ଦୂରତା ଅତିକ୍ରମ କରିଥାନ୍ତି, ଯାହା ଦିଲ୍ଲୀ ଓ ବମ୍ବେ ମଧ୍ୟରେ ରହିଥିବା ବ୍ୟବଧାନ ସହିତ ସମାନ ଅଟେ ।

ପୁରୁଷମାନେ ପାହାଡ଼ର ଗଡ଼ାଣିଆ ପାର୍ଶ୍ୱରେ ସ୍ଥାନାନ୍ତରଣ କୃଷି କରନ୍ତି । ଏହା ସେତେବେଳେ ଦୀର୍ଘସ୍ଥାୟୀ ହୋଇଥାଏ, ଯେତେବେଳେ ଚାଷ ହୋଇଥିବା ଜମିକୁ ଦଶ ବର୍ଷ ପର୍ଯ୍ୟନ୍ତ ଚାଷ ନକରି ଛାଡ଼ି ଦିଆଯାଏ, ଯେଉଁଥିରେ ପୂର୍ବଭଳି ଜଙ୍ଗଲ ବୃଦ୍ଧି ପାଇଥାଏ । ଏହିପରି ଭାବେ ଏକଦା ପହରିଆମାନେ କାର୍ଯ୍ୟ କରୁଥିଲେ । ହେଲେ ଋଣବୋଝ, ଜମି ଉପରେ ଚାପ ଓ ବଞ୍ଚିରହିବାର ଆବଶ୍ୟକତା ଯୋଗୁଁ ଦଶ ବର୍ଷ ସମୟ ନହେବା ପୂର୍ବରୁ ଜଙ୍ଗଲ କଟାଯାଇ ସେଠାରେ ପୋଡୁଚାଷ କରାଯାଉଛି ।  ସେହି ଚକ୍ର ବାଧାପ୍ରାପ୍ତ ହେବାରୁ ଜଙ୍ଗଲସବୁ ପଦା ହୋଇଗଲା । ଅଧିକନ୍ତୁ ଗୋଟିଏ ସ୍ଥାନରେ ଅତ୍ୟଧିକ ମାତ୍ରାରେ ଚାଷ କରାଯିବା ଯୋଗୁଁ ଅମଳ କମିଯାଉଛି ।

ଏଠାରେ ଚାଷ କରାଯାଉଥିବା କେତେକ ପ୍ରଜାତିର ବିନ୍‌ସ ବମ୍ବେରେ ଉଚ୍ଚ ଦରରେ ବିକ୍ରି ହେଉଛି। ଯଦିଓ ପହରିଆଙ୍କ କ୍ଷେତ୍ରରେ ଏପରି ହୁଏ ନାହିଁ। ‘ମୋର ମହାଜନ ମୋତେ ଋଣରେ ଟଙ୍କା ଦେଇଥିବାରୁ ମୋତେ ମୋର ଫସଲ ତାଙ୍କୁ ବିକ୍ରି କରିବାକୁ ପଡେ,” ବୋଲି ଚନ୍ଦ୍ରଶେଖର ପହରିଆ କହନ୍ତି । ଏଣୁ ସେ ଗୋଟିଏ କିଲୋଗ୍ରାମକୁ ଏକ ଟଙ୍କାରେ ବିକ୍ରି କରିଦିଅନ୍ତି । ପହରିଆମାନେ ଯାହା ଚାଷ କରନ୍ତି ଅଧିକାଂଶ ସମୟରେ  ନିଜେ ଖାଇପାରନ୍ତିନି । ସବୁକିଛି ସେମାନେ ମହାଜନଙ୍କୁ ‘ବିକ୍ରି’ କରିଦିଅନ୍ତି । ଡ. ଦରଧିଆର୍‌ଙ୍କ ଅଧ୍ୟୟନରେ ଏହା ଆକଳନ କରାଯାଇଛି ଯେ ପହରିଆମାନେ ଯାହା ଉପାର୍ଜନ କରନ୍ତି ସେଥିରୁ ୪୬ ପ୍ରତିଶତ ସେମାନେ ସିଧାସଳଖ ମହାଜନଙ୍କ ଋଣ ଶୁଝିବାରେ ଖର୍ଚ୍ଚ କରିଦିଅନ୍ତି । ବାକି ଅର୍ଥର ପ୍ରାୟ ୩୯ପ୍ରତିଶତ ଋଣଦାତାଙ୍କ ପାଖକୁ ପରୋକ୍ଷରେ ଯାଇଥାଏ (ଆବଶ୍ୟକ ସାମଗ୍ରୀ କ୍ରୟ କରିବା ଯୋଗୁଁ) ।

ଧଇଁସଇଁ ହୋଇ ଆମେ ମହିଳାମାନଙ୍କ ପଛରେ କେତେବେଳେ କ୍ଷୁଦ୍ର ପାହାଡ଼ ତଳ ପାଖରେ, କେତେବେଳେ ପାହାଡ଼ ଉପରେ ନିରନ୍ତର ଚାଲିବାବେଳେ ଆମ ନଜରକୁ ଆସୁଥିବା ବୃକ୍ଷଲତା ବିହୀନ ପାହାଡ଼ର ଗଡ଼ାଣିଆ ପାର୍ଶ୍ୱର ଦୃଶ୍ୟ ଦୁଃଖ ଉଦ୍ରେକକାରୀ ଥିଲା । ଆମେ ଯେଉଁସବୁ ଗାଁକୁ ଗଲୁ, ସେଠାରେ ବିଦ୍ୟାଳୟ ନାମରେ କେତେକ ଶୂନ୍ୟ କୋଠା ରହିଥିବା ବା ସେଗୁଡ଼ିକ କେବଳ କାଗଜରେ ଉଲ୍ଲେଖ ହୋଇ ରହିଥିବା ଦେଖିବାକୁ ପାଇଲୁ । ଜଣେ ଶିକ୍ଷିତ ପହରିଆ ମହିଳା ଖୋଜି ବାହାର କରିବା ପ୍ରାୟତଃ ଅସମ୍ଭବ ଅଟେ ।

ସେହି ମହିଳାମାନଙ୍କଠାରୁ କୋଡିଏ ମିଟର ଆଗରେ ରହି ଚାଲିବା ସହିତ ସେମାନଙ୍କ ଫଟୋ ଉଠାଇବା ସହଜ କାମ ନୁହେଁ । ଆମେ ଯେତେବେଳେ ତାତି ଅସହ୍ୟ ହେଲାଣି  ଓ ଏହି ବେଗରେ ଚାଲିହେବନି ବୋଲି ଭାବିବାକୁ ଆରମ୍ଭ କଲୁ ଠିକ୍‌ ସେତେବେଳେ ସେମାନେ ବିଶ୍ରାମ ନେବାକୁ ଏକ ଖସଡ଼ା ପାଖରେ ଅଟକିଗଲେ ଓ ସେଠାରେ ଥିବା ଏକ ଝରଣାର ପାଣି ପିଇବାକୁ ଲାଗିଲେ । ସେଥି ଯୋଗୁଁ ଆମେ ଆମର ଶ୍ୱାସକ୍ରିୟା ଓ କ୍ରମଶଃ ସଂକୁଚିତ ହେଉଥିବା ଆମର ସ୍ୱାଭିମାନକୁ ସ୍ୱାଭାବିକ କରିବାକୁ ଟିକିଏ ସମୟ ପାଇଗଲୁ । ସେମାନେ ପ୍ରାୟ ତିନି ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେବ ଚାଲୁଛନ୍ତି ।

ଡ. ଦରାଧିଆରଙ୍କ ଅଧ୍ୟୟନରୁ ଏହା ଜଣାପଡିଛି ଯେ ଏଠାରେ ଥିବା ଝରଣାପାଣିରେ ଆୟୋଡିନର ଅଭାବ ରହିଛି ଓ ଏହାର ‘ଗୁଣବତ୍ତା ମଧ୍ୟ ନିମ୍ନ’ ଅଟେ । ଏଠାରେ ରହୁଥିବା ଲୋକମାନଙ୍କ ‘ଶୋଚନୀୟ ସାଧାରଣ ସ୍ୱାସ୍ଥ୍ୟାବସ୍ଥା’ ପାଇଁ ଏହା ବହୁ ପରିମାଣରେ ଦାୟୀ ବୋଲି ସେ କହନ୍ତି ।

ଜଳ ଯୋଗାଣ ବ୍ୟବସ୍ଥା ବୋଲି ଏଠାରେ କିଛି ନାହିଁ । ବର୍ଷ ବର୍ଷ ଧରି ଅଣଦେଖା କରାଯିବାର ପରିଣତି ଏହାକୁ ନିଶ୍ଚିତ କରିଛି । ଏଣୁ ପହରିଆମାନେ ବିଭିନ୍ନ ପ୍ରକାରର ଜଳବାହିତ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ସେଗୁଡିକ ହେଉଛି ହଇଜା, ଲାଳ-ରକ୍ତ ଝାଡା ଓ ଯକୃତ-ସଂପ୍ରସାରଣ ହେବା ଆଦି । ସେମାନଙ୍କ ମଧ୍ୟରୁ ଅନେକ ଟ୍ୟୁବରୋକ୍ୟୁଲୋସିସ୍‌, ଗଳଗଣ୍ଡ ଓ ସିକିଲ୍‌ ସେଲ୍‌ ଏନେମିଆ ଭଳି ଭୟଙ୍କର ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଅଧିକନ୍ତୁ, ଏହା ହେଉଛି ମ୍ୟାଲେରିଆ ପ୍ରବଣ ଅଞ୍ଚଳ । ଦୋରିଆ ଗ୍ରାମର ସବୁଠାରୁ ବୟସ୍କ ବାସିନ୍ଦା, ପଇଁଚାଳିଶି ବର୍ଷର ଗନ୍ଧେ ପହରିଆ କହନ୍ତି ଯେ ; ‘ଯଦି କୌଣସି ବ୍ୟକ୍ତି ଗୁରୁତର ଭାବେ ଅସୁସ୍ଥ ହୁଅନ୍ତି, ସେମାନଙ୍କ ପାଇଁ ଆଖପାଖ ଅଞ୍ଚଳରେ ଡାକ୍ତରଖାନା ମଧ୍ୟ ନାହିଁ। ଖଟିଆକୁ ବାଉଁଶରେ ଭାର କରି ଆମକୁ ତାଙ୍କୁ ଏହି ଭୂଭାଗରେ ପ୍ରାୟତଃ ପନ୍ଦର କିଲୋମିଟର୍‌ ବୋହି ନେବାକୁ ପଡ଼ିଥାଏ’।

ମହିଳାମାନେ ପାଣି ପିଇସାରିଲେଣି ଓ ଆମର ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରୁଛନ୍ତି । ମହିଳାମାନେ ଯେତେବେଳେ ସେମାନଙ୍କ ଭାବି ଶ୍ୱଶୁର ଘର ଲୋକଙ୍କ ସହିତ ବୁଲନ୍ତି ସେତେବେଳେ ସେମାନଙ୍କ ପାଣି ଆଣିବା ସାମର୍ଥ୍ୟକୁ ପରୀକ୍ଷା କରାଯାଇଥାଏ । ପହରିଆ ସମ୍ପ୍ରଦାୟରେ ମହିଳାମାନେ ଅନେକ ଦିନ ପର୍ଯ୍ୟନ୍ତ ସେମାନଙ୍କ ଶ୍ୱଶୁରଘର ଲୋକଙ୍କ ସହିତ ମିଶି ବୁଲିବା ପରେ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଥାଏ ।

ଏଟ୍ରୋ ପହରିଆ ହେଉଛନ୍ତି ସବ୍‌ଦର୍‌ପହରିଆ ବ୍ଲକ ଅନ୍ତର୍ଗତ ଉପର ସିଡ୍‌ଲର୍‌ ଗ୍ରାମର ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି, ସିଏ କହନ୍ତି ଜଳ ହେଉଛି ଏକ ମୂଖ୍ୟ ପରୀକ୍ଷା । ‘ଯେତେବେଳେ ଜଣେ ଝିଅ ଆମ ପରିସ୍ଥିତିରେ ରହି ପାଣି ଆଣିବାକୁ ସମର୍ଥ ହୋଇଥାଏ, ସେତେବେଳେ ତାକୁ ଗ୍ରହଣ କରାଯାଏ’।

ସନ୍ଥାଲ ପହରିଆ ସେବା ମଣ୍ଡଳର ଗିରିଧର ମାଥୁର, ଯିଏ ଏହି ଜନଜାତିଙ୍କ ସହିତ ଚଉଦ ବର୍ଷ ହେବ କାମ କରିଛନ୍ତି, ଯୋଗ୍ୟତା ପରୀକ୍ଷା କରିବା ଦୃଷ୍ଟିକୋଣ ଅତିରଞ୍ଜିତ ବୋଲି ସେ ଅନୁଭବ କରନ୍ତି । ଅନ୍ୟପକ୍ଷରେ ପୁରୁଷଙ୍କ ସାମର୍ଥ୍ୟକୁ ଏଭଳି ଭାବେ ପରୀକ୍ଷା କରାଯାଉନଥିବା କଥା ସେ ଗ୍ରହଣ କରନ୍ତି । ଏହାସହିତ ମାଥୁର ଏହା ମଧ୍ୟ କହନ୍ତି ଯେ, ଜଣେ ମହିଳା ଚାହିଁଲେ ଶ୍ୱଶୁର ଘରକୁ ଯିବାପରେ ଅନ୍ୟାନ୍ୟ ଆଧାରରେ ପୁରୁଷକୁ ପ୍ରତ୍ୟାଖ୍ୟାନ କରିପାରିବ ।

*

ତେଥ୍ରୀଗୋଡ୍ଡା ଓ ଭୋଦା ଖୋଟା ମଧ୍ୟରେ ଥିବା କ୍ରମାବନତ ଢାଲୁ ଅତ୍ୟନ୍ତ ତୀଖ, ପିଚ୍ଛିଳ ଓ ଏହା ଉପରେ ଗୋଜିଆ ଗୋଡି ସବୁ ବିଛେଇ ହୋଇ ରହିଛି। ପହରିଆମାନେ କିନ୍ତୁ ଏସବୁକୁ ଖାତିର କରନ୍ତିନି । ‘ଏଠାରେ ଥିବା ରାସ୍ତାଗୁଡିକ’ ‘ବିକାଶର ନୁହେଁ ବରଂ ଶୋଷଣର ଚିହ୍ନ’ ବୋଲି ମାଥୁର କହନ୍ତି । ତାଙ୍କ କଥା ତାତ୍ପର୍ଯ୍ୟପୂର୍ଣ୍ଣ ଅଟେ । ପାହାଡ଼ ଉପରେ ରହୁଥିବା ପହରିଆଙ୍କ ତୁଳନାରେ ସମତଳରେ ରହୁଥିବା ପହରିଆମାନଙ୍କ ଉପରେ ମହାଜନଙ୍କ ଆଧିପତ୍ୟ ଅଧିକ ଅଟେ ।-

ଏଠାରେ କେଉଁସବୁ ବିକାଶ ଯୋଜନାଗୁଡିକ କାର୍ଯ୍ୟକାରୀ କରାଯିବା ଉଚିତ ସେ ସମ୍ବନ୍ଧରେ ଯେଉଁ ନିଷ୍ପତ୍ତି ଗ୍ରହଣ କରାଯାଏ ସେଥିରେ ପହରିଆମାନଙ୍କୁ କେବେ ମଧ୍ୟ ସାମିଲ୍‌ କରା ଯାଏନାହିଁ। ଥରେ ପରୀକ୍ଷା କରିବା ପାଇଁ ପ୍ରତ୍ୟେକ ପହରିଆ ପରିବାରକୁ ଦୁଇଟି ଲେଖାଏ ଗାଈ ଦିଆଗଲା । ପହରିଆମାନେ କିନ୍ତୁ ଗାଈର କ୍ଷୀର ଦୁହଁନ୍ତି ନାହଁ- ଅତଏବ ଏହି କ୍ଷୀରସବୁ ନିଶ୍ଚିତ ଭାବେ ବାଛୁରୀ ପାଇଁ ଉଦ୍ଦିଷ୍ଟ ।

ପହରିଆମାନେ ଦୁଗ୍ଧଜାତ ଦ୍ରବ୍ୟ ମଧ୍ୟ ଖାଆନ୍ତି ନାହିଁ କିନ୍ତୁ ଏ ବିଷୟରେ କେହି ଜାଣନ୍ତିନି । ସେମାନେ ଯାହା ଖାଆନ୍ତି ତାହା ହେଉଛି ଗୋମାଂସ ଓ କିଛି ପରିମାଣର ‘ଋଣ’ ମଧ୍ୟ ଏହିପରି ଭାବେ ସେମାନେ ଖାଇଦେଇଛନ୍ତି । ଅନ୍ୟମାନେ ସେମାନଙ୍କ ଗାଈଗୁଡିକୁ ଭାରବାହୀ ପଶୁ ଭାବେ ବ୍ୟବହାର କରିବାକୁ ଚେଷ୍ଟା କରିବା ଫଳରେ ସେହି ଦୁସାଧ୍ୟ ଭୂଭାଗରେ ସେମାନଙ୍କ ମୃତ୍ୟୁ ହୋଇଯାଇଛି । ତାପରେ ଘୋର ଦାରିଦ୍ର୍ୟ ଭିତରେ ବଞ୍ଚୁଥିବା ଦେଶର ଏହି ଲୋକଙ୍କୁ ସେହି ଋଣ ପରିଶୋଧ କରିବାକୁ ପଡ଼ିଲା ଯାହା ସେମାନେ କେବେ ମଧ୍ୟ ନେବାକୁ ଚାହିଁନଥିଲେ ।

ସରକାରୀ ପାଣ୍ଠି ଦ୍ୱାରା କେବଳ ‘ଠିକାଦାର୍‌ମାନଙ୍କ ବାଟାଲିଅନ୍‌ ମାଲେମାଲ ହେଉଛି’ । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଦ୍ୱାରା ଠକାମିର ଶିକାର ହେବାପରେ ପହରିଆମାନେ ପୁଣିଥରେ ସେହି ମହାଜନଙ୍କ କବଳକୁ ପୁଣି ଚାଲିଯାଆନ୍ତି । ମଧୁସିଂ, ରାଜନୀତି ବିଷୟରେ ସଚେତନ ଜଣେ ପହରିଆ, ଏହାକୁ ସରଳ ଭାଷାରେ ବୁଝେଇବାକୁ ଯାଇ କହନ୍ତି ଯେ ‘ଅଧିକାରୀମାନେ ହେଉଛନ୍ତି କ୍ଷଣସ୍ଥାୟୀ ବାସ୍ତବତା କିନ୍ତୁ ମହାଜନମାନେ ହେଉଛନ୍ତି ସ୍ଥାୟୀ ବାସ୍ତବତା ।’

ଏଠାରେ ବିଭିନ୍ନ ରାଜନୈତିକ ଆନ୍ଦୋଳନର ସେମିତି ଆଖିଦୃଷ୍ଟିଆ ପ୍ରଭାବ ପଡିପାରିନି । ୬୦-୭୦ ଦଶକରେ ସିପିଆଇ ନେତୃତ୍ୱରେ ଆନ୍ଦୋଳନ କରାଯାଇଥିଲା ଯେଉଁଥିରେ ମହାଜନଙ୍କ ଅଧୀନରେ ଥିବା ପହରିଆଙ୍କ ଜମିଗୁଡ଼ିକୁ ମୁକ୍ତ କରାଯାଇଥିଲା । ରାଜ୍ୟ ଏହାର ଅନୁପାଳନ କରିବାରେ ବିଫଳ ହେଲା ଓ ସ୍ଥିତାବସ୍ଥା ପୁଣି ଫେରିଆସିଲା  । ଏକାଧିକ ନାମୀ ଏନ୍‌ଜିଓ ଏହି ଅଞ୍ଚଳରେ ବର୍ଷବର୍ଷ ଧରି କାମ କରିଥିଲେ ମଧ୍ୟ କେହି ସଫଳ ହୋଇନାହାନ୍ତି ।

ଡ.ଦରଧିୟାର୍‌ ଓ ତାଙ୍କର ସହ-ଗବେଷକ ଡ. ପି.କେ. ବର୍ମା ବିଶ୍ୱାସ କରନ୍ତି ଯେ ଏହି ଜନଜାତି କ୍ରମଶଃ ଲୋପ ପାଇବାରେ ଲାଗିଛି। ସରକାର ଏହାକୁ ଅସ୍ୱୀକାର କରୁଛନ୍ତି କିନ୍ତୁ ଏପରି ଏକ ବିପଦ ରହିଥିବା ଆଶଙ୍କାକୁ ଗ୍ରହଣ କରୁଛନ୍ତି । ଏହାକୁ ପ୍ରତିରୋଧ କରିବା ପାଇଁ, ସରକାର ଏପରି ଗୁଡିଏ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି ଯେଉଁଥିରେ ପହରିଆଙ୍କର କୌଣସି ପ୍ରକାରର ସ୍ୱାର୍ଥ ସାଧନ ହୋଇପାରିବ ତାହା ଦେଖା ଯାଉନାହିଁ କିନ୍ତୁ ଠିକାଦାର ଓ ମହାଜନଙ୍କ ଭବିଷ୍ୟତ ଯେ ଉଜ୍ଜ୍ୱଳ ତାହା ସ୍ପଷ୍ଟ ଦେଖାଯାଉଛି । ଇତି ମଧ୍ୟରେ ‘ଆମର ଜଙ୍ଗଲ କ୍ରମଶଃ କ୍ଷୟ ହୋଇଯାଉଛି’ ବୋଲି ମଧୁସିଂ କହନ୍ତି । ‘ଆମର ଅଳ୍ପ ଜମି ଅଛି ତଥାପି ଆମେ ଅଧିକ ମାନସିକ ଯନ୍ତ୍ରଣା ଭୋଗୁଛୁ’।

*

ଆମେ ପାହାଡପୁରଠାରୁ ବହୁ ଦୂରରେ ଥିବା ସେହି ହାଟରେ ପହଞ୍ଚିବା ବେଳକୁ, ପ୍ରଥମେ ଯେଉଁଠାରେ ସେହି ମହିଳାଙ୍କୁ ଦେଖିଥିଲୁ ସେହି ସ୍ଥାନର ବ୍ୟବଧାନ  ସେଠାରୁ ଚବିଶ କିଲୋମିଟର ଥିଲା । ପୂରା ଦିନରେ ଆମେ ଚାଳିଶି କିଲୋମିଟର ଚାଲିଛୁ । ଆସନ୍ତା ଆଠ ଦିନରେ ଆମକୁ ଯେ ଏହି ପ୍ରକ୍ରିୟାର ପୁନରାବୃତ୍ତି କରିବାକୁ ପଡ଼ିବ ତାହା ମନେପଡ଼ିବା ନିଶ୍ଚିତଭାବେ ଆନନ୍ଦଦାୟକ ନୁହେଁ । ଆମ ସମ୍ମୁଖରେ ସେହି ମହିଳାମାନେ ୩୦-୪୦ କିଲୋଗ୍ରାମ ଓଜନର ତାଙ୍କ ଜାଳେଣୀ କାଠ ବିଡ଼ାକୁ ବିକ୍ରି କଲେ – ବୋଝ ପ୍ରତି ପାଞ୍ଚରୁ ସାତ ଟଙ୍କା ହିସାବରେ ।

ଗୋଡ୍ଡାରେ ପରବର୍ତ୍ତୀ ଦିନ ପୂର୍ବାହ୍ନରେ, ମୋର ଅଙ୍ଗ ପ୍ରତ୍ୟଙ୍ଗରେ ପୀଡା ହେଉଥିବା ବେଳେ, ମୁଁ ୧୯୪୭ରେ ସେଠାରେ ନିର୍ମାଣ କରାଯାଇଥିବା ‘ସ୍ୱାଧୀନତାର ସ୍ତମ୍ଭ’କୁ ଦେଖିପାରିଲି । ସେଥିରେ ଲେଖାଯାଇଥିବା ପ୍ରଥମ ନାମ ହେଉଛି ଜଣେ ପହରିଆର; ଏଥିରେ ତାଲିକାଭୁକ୍ତ ହୋଇଥିବା ଅଧିକାଂଶ ଶହୀଦ ପହରିଆ ଅଟନ୍ତି ।

ସ୍ୱାଧୀନତା ପାଇଁ ମୃତ୍ୟୁବରଣ କରିବାରେ ପ୍ରଥମ, ଏହାଦ୍ୱାରା ଲାଭାନ୍ୱିତ ହୋଇଥିବା ଶେଷ ବ୍ୟକ୍ତି।

ପି.ସାଇନାଥଙ୍କ ଏଭ୍ରିବଡି ଲଭ୍‌ସ ଏ ଗୁଡ୍‌ ଡ୍ରାଉଟ୍‌, ସୌଜନ୍ୟ: ପେଙ୍ଗୁଇନ୍‌ ଇଣ୍ଡିଆନ୍‌ର ନିର୍ବାଚିତ ଅଂଶ

ଅକ୍ଲାନ୍ତ ପରିଶ୍ରମର ପାହାଡ ମଧ୍ୟ ଅର୍ଡୋଫ୍ରଣ୍ଟ ଗ୍ରେଟେଷ୍ଟ ରିପୋର୍ଟିଂ ଅଫ୍‌ ଦ ୨୦ଥ୍‌ ସେଞ୍ଚୁରୀ ପାଇଁ ନିର୍ବାଚିତ ହୋଇଛି ଓ ପ୍ରକାଶିତ ହୋଇଛି ।

ଅନୁବାଦ: ଓଡ଼ିଶାଲାଇଭ୍‍

P. Sainath

ପି. ସାଇନାଥ, ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ । ସେ ବହୁ ଦଶନ୍ଧି ଧରି ଗ୍ରାମୀଣ ରିପୋର୍ଟର ଭାବେ କାର୍ଯ୍ୟ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭସ୍ ଏ ଗୁଡ୍ ଡ୍ରଟ୍’ ଏବଂ ‘ଦ ଲାଷ୍ଟ ହିରୋଜ୍: ଫୁଟ୍ ସୋଲଜର୍ସ ଅଫ୍ ଇଣ୍ଡିଆନ୍ ଫ୍ରିଡମ୍’ ପୁସ୍ତକର ଲେଖକ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ପି.ସାଇନାଥ
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE