‘‘ଯମୁନା ସହିତ ଆମର ସମ୍ପର୍କ ରହିଛି। ଆମେ ସବୁବେଳେ ନଦୀ ପାଖରେ ରହି ଆସିଛୁ।

ନଦୀ ସହିତ ତାଙ୍କ ପରିବାରର ସମ୍ପର୍କକୁ ନେଇ ବିଜେନ୍ଦର ସିଂ ଏହା କୁହନ୍ତି। ସେମାନେ ମଲ୍ଲାହ (କେଉଟ) ସମ୍ପ୍ରଦାୟର ଲୋକ, ସେମାନେ ବହୁ ପିଢ଼ି ଧରି ଦିଲ୍ଲୀର ଯମୁନା ନଦୀ ତଟବର୍ତ୍ତୀ ସମତଳ ଭୂମି ନିକଟରେ ରହିବା ସହିତ ଚାଷ କରି ଆସୁଛନ୍ତି। ଜାତୀୟ ରାଜଧାନ କ୍ଷେତ୍ର ଦେଇ ୨୨ କିଲୋମିଟର ପର୍ଯ୍ୟନ୍ତ ଯମୁନା ନଦୀ ପ୍ରବାହିତ ହୋଇଛି ଏବଂ ଏଠାରେ ୯୭ ବର୍ଗ କିଲୋମଟରର ତଟବର୍ତ୍ତୀ ସମତଳ ଭୂମି ରହିଛି ।

ବିଜେନ୍ଦରଙ୍କ ଭଳି ୫,୦୦୦ରୁ ଅଧିକ ଚାଷୀଙ୍କ ପାଖରେ ଜମି ପଟ୍ଟା ଥିଲା ଯାହାକି ସେମାନଙ୍କୁ ୯୯ ବର୍ଷର ମାଲିକାନା ପ୍ରଦାନ କରିଥିଲା।

ଏହା ଥିଲା ଏଠାକୁ ବୁଲଡୋଜର ଆସିବା ପୂର୍ବର ଘଟଣା।

ଜାନୁଆରୀ ୨୦୨୦ର ହାଡ଼ଭଙ୍ଗା ଶୀତ ସମୟରେ, ମହାନଗର କର୍ତ୍ତୃପକ୍ଷ ସେମାନଙ୍କ ଫଳନ୍ତି ଫସଲ ଥିବା ଜମି ଉପରେ ବୁଲଡୋଜର ଚଢ଼ାଇ ଦେଇଥିଲେ। ଏକ ପ୍ରସ୍ତାବିତ ଜୈବ ବିବିଧତା ପାର୍କ ପାଇଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏହାପରେ ବିଜେନ୍ଦର ନିଜ ପରିବାରକୁ ନେଇ ଗୀତା କଲୋନୀର ଏକ ଭଡ଼ା ଘରକୁ ଚାଲି ଯାଇଥିଲେ। ତାଙ୍କ ଭଳି ଏଠାକାର ଶହ ଶହ ଚାଷୀଙ୍କୁ ଏପରି କରିବାକୁ ପଡ଼ିଥିଲା। ସେମାନଙ୍କ ବାସସ୍ଥାନ ରାଜଧାନୀର ଐତିହାସିକ ଲାଲକିଲ୍ଲାଠାରୁ ମାତ୍ର ଅଳ୍ପ ଦୂରରେ ରହିଛି।

ରାତାରାତି ଏହି ୩୮ ବର୍ଷୀୟ ଚାଷୀ ନିଜର ଜୀବିକା ହରାଇଥିଲେ ଏବଂ ପରିବାର ପ୍ରତିପୋଷଣ ପାଇଁ ତାଙ୍କୁ ସହର ଭିତରକୁ ଯିବାକୁ ପଡ଼ିଥିଲା। ପରିବାରରେ ତାଙ୍କ ପତ୍ନୀ ଓ ତିନି ପୁଅ ଅଛନ୍ତି ଯେଉଁମାନଙ୍କ ବୟସ ୧୦ ବର୍ଷରୁ କମ୍‌। କେବଳ ସେ ଏକାକୀ ନୁହନ୍ତି। ତାଙ୍କ ଭଳି ଅନ୍ୟ ଯେଉଁମାନଙ୍କୁ ନିଜ ଜମି ଓ ଜୀବିକାରୁ ବିସ୍ଥାପିତ କରାଯାଇଥିଲା ସେମାନେ ମେଟ୍ରୋ ଷ୍ଟେସନରେ ରଙ୍ଗ ମିସ୍ତ୍ରୀ, ମାଳି, ସୁରକ୍ଷା କର୍ମୀ ଓ ଝାଡ଼ୁଦାର କାମ ପାଇବାକୁ ସଂଘର୍ଷ କରୁଛନ୍ତି।

‘‘ଯଦି ଆପଣ ଲୋହାପୁଲଠାରୁ ଆଇଟିଓ ପର୍ଯ୍ୟନ୍ତ ରାସ୍ତାକୁ ଦେଖନ୍ତି ତା’ହେଲେ କଚୋଡ଼ି ବିକ୍ରେତାଙ୍କ ସଂଖ୍ୟା ବଢ଼ିଯାଇଥିବା ଲକ୍ଷ୍ୟ କରିବେ। ଏମାନେ ସମସ୍ତେ ଚାଷୀ। ସେମାନଙ୍କ ଜମି ଚାଲିଯିବା ପରେ, ଜଣେ ଚାଷୀ କ’ଣ କରିପାରିବ?’’ ସେ ପ୍ରଶ୍ନ କରିଥାନ୍ତି।

PHOTO • Shalini Singh
PHOTO • Kamal Singh

ଫଟୋ ବାମ: ଦିଲ୍ଲୀର ବେଲା ଇଷ୍ଟେଟ ଏକଦା ଯମୁନା ତଟବର୍ତ୍ତୀ ସମତଳ ଭୂମି ଥିଲା ଯେଉଁଠି ଚାଷୀମାନେ ବିଭିନ୍ନ କିସମର ଫସଲ ଚାଷ କରୁଥିଲେ। ଏକ ଜୈବ ବିବିଧତା ପାର୍କ ନିର୍ମାଣ କରିବା ଲାଗି ୨୦୨୦ରେ ପ୍ରଥମେ ଏହି ଚାଷଜମିକୁ ଖାଲି କରି ଦିଆଯାଇଥିଲା। ଡାହାଣ: ନଭେମ୍ବର ୨୦୨୦ରେ ଦିଲ୍ଲୀର ବେଲା ଇଷ୍ଟେଟରେ ପୋଲିସ ସୁରକ୍ଷା ସହିତ ଦିଲ୍ଲୀ ବିକାଶ ପ୍ରାଧୀକରଣର ବୁଲଡୋଜର ଚାଷ ଜମିରେ ଫସଲ ଉଚ୍ଛେଦ କରୁଛି

ମାର୍ଚ୍ଚ ୨୪, ୨୦୨୦ରେ ସାରା ଦେଶରେ ଲକଡାଉନ ଲାଗୁ ହୋଇଥିଲା। ଏହାର କିଛି ମାସ ପରେ ଏ ପରିବାର ଘୋର ଆର୍ଥିକ ଦୁଃସ୍ଥିତି ମଧ୍ୟକୁ ଚାଲି ଯାଇଥିଲା। ବିଜେନ୍ଦରଙ୍କ ୬ ବର୍ଷର ମଝିଆଁ ପୁଅ, ସେରେବ୍ରାଲ ପାଲସୀ ରୋଗରେ ପୀଡ଼ିତ। ଏବେ ତା’ର ମାସିକ ଔଷଧ ଖର୍ଚ୍ଚ ଉଠାଇବା ପରିବାର ପାଇଁ କଷ୍ଟକର ହୋଇପଡ଼ିଲା। ଯମୁନା ନଦୀ ତଟରେ ରହୁଥିବା ବିଜେନ୍ଦରଙ୍କ ପରିବାର ଭଳି ପାଖାପାଖି ୫୦୦ ପରିବାରକୁ ବିସ୍ଥାପିତ ହେବାକୁ ପଡ଼ିଥିଲା। ରାତାରାତି ସେମାନଙ୍କ ରୋଜଗାର ଓ ଘର ଉଚ୍ଛେଦ କରି ଦିଆଯାଇଥିଲା। ହେଲେ ସେମାନଙ୍କ ଥଇଥାନ ଲାଗି ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଦିଆଯାଇନଥିଲା।

ଆଉ ଜଣେ ଚାଷୀ କମଲ ସିଂଙ୍କ ପରିବାରରେ ତାଙ୍କର ପତ୍ନୀ, ୧୬ ଓ ୧୨ ବର୍ଷର ଦୁଇ ପୁଅ ଏବଂ ଗୋଟିଏ ୧୫ ବର୍ଷର ଝିଅ ଅଛି। ସେ କୁହନ୍ତି, ‘‘ମହାମାରୀ ପୂର୍ବରୁ ଆମେ ଫୁଲକୋବି, କଞ୍ଚା ଲଙ୍କା, ସୋରିଷ ଓ ଫୁଲ ବିକ୍ରି କରି ମାସିକ ୮,୦୦୦ରୁ ୧୦, ୦୦୦ ଟଙ୍କା ରୋଜଗାର କରୁଥିଲୁ’’। ବିଡ଼ମ୍ବନାର ବିଷୟ ହେଉଛି ଏବେ ତାଙ୍କ ଭଳି ଚାଷୀଙ୍କୁ କିଭଳି ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଯୋଗାଇ ଦିଆଯାଉଥିବା ଖାଦ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି ତାହା ଦୁଃଖର ସହିତ ୪୫ ବର୍ଷ ବୟସ୍କ କମଲ କହିଥାନ୍ତି।

ମହାମାରୀ ସମୟରେ, ସେମାନେ କେବଳ ପରିବାର ପାଖରେ ଥିବା ଏକମାତ୍ର ମଇଁଷିର କ୍ଷୀର ବିକ୍ରି କରି ଯାହା ରୋଜଗାର କରୁଥିଲେ। ଏଥିରୁ ହେଉଥିବା ମାସିକ ୬,୦୦୦ ଟଙ୍କାର ଆୟ ତାଙ୍କ ପରିବାର ଖର୍ଚ୍ଚ ତୁଲାଇବାକୁ ଯଥେଷ୍ଟ ନଥିଲା। ‘‘ମୋ ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଥିଲା,’’ କମଲ କୁହନ୍ତି। ‘‘ଆମେ ଚାଷ କରୁଥିବା ପନିପରିବା ଆମକୁ ଖାଦ୍ୟ ଯୋଗାଇ ପାରିଥାନ୍ତା। ଏସବୁ ଫସଲ ଅମଳ ହୋଇପାରିଥାନ୍ତା, କିନ୍ତୁ ସେମାନେ (ଅଧିକାରୀମାନେ) ଏନଜିଟି (ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ) ଆଦେଶ କହି ବୁଲଡୋଜର ଚଢ଼ାଇ ସବୁ ନଷ୍ଟ କରିଦେଲେ,’’ ସେ କହିଥାନ୍ତି।

ଏହି ଘଟଣା ଘଟିବାର କିଛି ମାସ ପୂର୍ବରୁ- ସେପ୍ଟେମ୍ବର ୨୦୧୯ରେ- ଯମୁନା ତଟବର୍ତ୍ତୀ ସମତଳ ଅଞ୍ଚଳକୁ ବାଡ଼ ଘେରାଇବା ପାଇଁ ଏନଜିଟି ପକ୍ଷରୁ ଦିଲ୍ଲୀ ବିକାଶ ପ୍ରାଧିକରଣ (ଡିଡିଏ)କୁ ଆଦେଶ ଦିଆଯାଇଥିଲା ଯାହାଫଳରେ ଏହାକୁ ଏକ ଜୈବ ବିବିଧତା ପାର୍କରେ ରୂପାନ୍ତରିତ କରାଯାଇପାରିବ। ଏକ ସଂଗ୍ରହାଳୟ କରିବା ଲାଗି ମଧ୍ୟ ଯୋଜନା ରହିଥିଲା।

‘‘ସବୁଠୁ ଉର୍ବର ଜମି କୁହାଯାଉଥିବା ଖାଦର୍‌ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ସେମାନଙ୍କ ଜୀବିକା ପାଇଁ ନଦୀ ଉପରେ ନିର୍ଭର କରୁଥିଲେ, ସେମାନଙ୍କର କ’ଣ ହେବ?’’ ବଲଜିତ ସିଂ ପଚାରିଥାନ୍ତି। (ପଢ଼ନ୍ତୁ: ସେମାନେ କୁହନ୍ତି ଯେ ଦିଲ୍ଲୀରେ କେହି ଚାଷୀ ନାହାନ୍ତି) ।୮୬ ବର୍ଷ ବୟସ୍କ ବଲଜିତ ଦିଲ୍ଲୀ କୃଷି ସମବାୟ ବହୁମୁଖି ସମିତିର ସାଧାରଣ ସମ୍ପାଦକ ଅଛନ୍ତି। ସେ ଚାଷୀଙ୍କୁ ପ୍ରାୟ ୪୦ ଏକର ଜମି ଭାଗରେ ଦେଇଥିଲେ। ସେ କୁହନ୍ତି, ‘‘ଜୈବ ବିବିଧତା ପାର୍କ ନିର୍ମାଣ କରି ସରକାର ଯମୁନାକୁ ଏକ ଆୟର ଉତ୍ସ ଭାବେ ପରିଣତ କରିବା ଲାଗି ଚାହୁଁଛନ୍ତି।’’

PHOTO • Courtesy: Kamal Singh
PHOTO • Shalini Singh

ଫଟୋ ବାମ: ଚାଷୀ କମଲ ସିଂ (୪୫) ତାଙ୍କ ପତ୍ନୀ ଓ ତିନି ପିଲା। ୨୦୨୦ ମହାମାରୀର ଶୀତ ଋତୁରେ ସେମାନେ ଖାଇବା ଲାଗି ଚାଷ କରିଥିବା ଫସଲକୁ ଡିଡିଏର ବୁଲଡୋଜର ଧୂଳିସାତ୍‌ କରି ଦେଇଥିଲା। ଡାହାଣ: ଦିଲ୍ଲୀର ଚାଷୀମାନେ ବହୁ ପିଢ଼ି ଧରି ଯମୁନା ତଟବର୍ତ୍ତୀ ସମତଳ ଭୂମିରେ ଚାଷ କରି ଆସୁଛନ୍ତି ଏବଂ ଜମି ଉପରେ ସେମାନଙ୍କର ପଟ୍ଟାର ଅଧିକାର ରହିଛି

ଗତ କିଛି ଦିନ ହେବ ଡିଡିଏ ବାରମ୍ବାର ଚାଷୀ ଓ କୃଷକମାନଙ୍କୁ ଏହି ସ୍ଥାନ ଖାଲି କରିବା ଲାଗି କହି ଆସୁଥିଲା। ଏପରିକି, ଗୋଟିଏ ଦଶନ୍ଧି ପୂର୍ବରୁ ମହାନଗର କର୍ତ୍ତୃପକ୍ଷ ସେମାନଙ୍କ ଘର ଭାଙ୍ଗିବାକୁ ବୁଲଡୋଜର ନେଇ ଆସିଥିଲେ ଯାହାଫଳରେ ‘ପୁନରୁଦ୍ଧାର’ ଓ ‘କାୟାକଳ୍ପ ପରିବର୍ତ୍ତନ’ କାର୍ଯ୍ୟ କରାଯାଇପାରିବ।

ଦିଲ୍ଲୀକୁ ‘ବିଶ୍ଵସ୍ତରୀୟ’ ସହରରେ ପରିଣତ କରିବା ଲାଗି ଯମୁନା ଚାଷୀମାନଙ୍କର ପନିପରିବା ଚାଷ ଜମିକୁ ସଦ୍ୟତମ ଶିକାର କରାଯାଇଛି। ବାସ୍ତବରେ ଏ ସହରର ନଦୀ ତଟବର୍ତ୍ତୀ କ୍ଷେତ୍ର ଉପରେ ରିଅଲ ଇଷ୍ଟେଟ୍‌ ବ୍ୟବସାୟୀମାନେ ନଜର ପକାଇଛନ୍ତି। ଅବସରପ୍ରାପ୍ତ ଭାରତୀୟ ବନ ସେବା ଅଧିକାରୀ ମନୋଜ ମିଶ୍ରା କୁହନ୍ତି, ଦୁଃଖର ବିଷୟ ହେଉଛି ସହରର ବିକାଶକର୍ତ୍ତାମାନେ ସବୁବେଳେ ତଟବର୍ତ୍ତୀ ବନ୍ୟାପ୍ଳାବିତ କ୍ଷେତ୍ରକୁ ବିକଶିତ କରିବା ଲାଗି ଚାହିଁଛନ୍ତି।

*****

ଏକ ବିଶ୍ଵ ‘ମୁର୍ଖ’ ସହରରେ ଚାଷୀଙ୍କ ପାଇଁ କୌଣସି ସ୍ଥାନ ନାହିଁ। ଏହା କେବେ ନଥିଲା।

ସତୁରି ଦଶକରେ, ଏସୀୟ କ୍ରୀଡ଼ା ଆୟୋଜନ ଲାଗି ହଷ୍ଟେଲ ଓ ଷ୍ଟାଡିୟମ ନିର୍ମାଣ କରିବା ପାଇଁ ବହୁ ପରିମାଣରେ ତଟବର୍ତ୍ତୀ ଜମିକୁ ଦଖଲକୁ ନିଆଯାଇଥିଲା। ଏହା ସହରର ସେହି ମାଷ୍ଟର ପ୍ଲାନକୁ ଉଲ୍ଲଙ୍ଘନ କରିଥିଲା ଯେଉଁଥିରେ ଏହି କ୍ଷେତ୍ରକୁ ଏକ ପରିବେଶ ପରିତନ୍ତ୍ର ଅଞ୍ଚଳ ଭାବେ ଚିହ୍ନିତ କରାଯାଇଥିଲା। ଏହାପରେ ୯୦ ଦଶକର ଶେଷ ଭାଗରେ, ଆଇଟି ପାର୍କ, ମେଟ୍ରୋ ଡିପୋ, ଏକ୍ସପ୍ରେସ ହାଇୱେ, ଅକ୍ଷରଧାମ ମନ୍ଦିର ଏବଂ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ଗ୍ରାମ ଆବାସ ନିର୍ମାଣ ଲାଗି ତଟବର୍ତ୍ତୀ କ୍ଷେତ୍ର ଓ ନଦୀ ଶଯ୍ୟାକୁ ଅଧିଗ୍ରହଣ କରାଯାଇଥିଲା। ‘‘ଯଦିଓ ୨୦୧୫ରେ ଏନଜିଟି ରାୟରେ କୁହାଯାଇଥିଲା ଯେ ନଦୀ ତଟବର୍ତ୍ତୀ ସମତଳ କ୍ଷେତ୍ରରେ କୌଣସି ନିର୍ମାଣ କାର୍ଯ୍ୟ କରାଯାଇପାରିବ ନାହିଁ,’’ ମିଶ୍ରା କୁହନ୍ତି।

ପ୍ରତ୍ୟେକ ନିର୍ମାଣ କାର୍ଯ୍ୟ ଯମୁନାର ଚାଷୀଙ୍କ ପାଇଁ ସବୁ ବାଟ ବନ୍ଦ କରି ଦେଇଥିଲା, ଯେଉଁମାନେ ବହୁ ପରିମାଣରେ କ୍ରୁର ଉଚ୍ଛେଦର ଶିକାର ହୋଇଥିଲେ। ବିଜେନ୍ଦରଙ୍କ ପିତା ୭୫ ବର୍ଷ ବୟସ୍କ ଶିବଶଙ୍କର ନିଜର ସାରା ଜୀବନ, କିମ୍ବା ଅତିକମ୍‌ରେ ନିକଟରେ ଏନଜିଟିର ଆଦେଶ ଆସିବା ପର୍ଯ୍ୟନ୍ତ ଯମୁନା ତଟବର୍ତ୍ତୀ ସମତଳ କ୍ଷେତ୍ରରେ ଚାଷ କରି ଆସୁଥିଲେ। ସେ କୁହନ୍ତି, ‘‘ଗରିବ ହୋଇଥିବାରୁ ଆମକୁ ଉଚ୍ଛେଦ କରି ଦିଆଯାଉଛି। ମାତ୍ର ହାତଗଣତି ପରିଦର୍ଶକଙ୍କ ପାଇଁ ସଂଗ୍ରହାଳୟ ଓ ପାର୍କ ନିର୍ମାଣ କରିବା ନିମନ୍ତେ ରାସ୍ତା ସଫା କରିବାକୁ ଭାରତର ରାଜଧାନୀରେ ଚାଷୀଙ୍କ ସହିତ ଏପରି ବ୍ୟବହାର କରାଯାଇଥାଏ।’’

ସେହି ସମୟରେ, ଭାରତର ବିକାଶ ପାଇଁ ଏସବୁ ଚିକ୍କଣ ଅଟ୍ଟାଳିକା ନିର୍ମାଣ କରିବା ଲାଗି କାର୍ଯ୍ୟ କରିଥିବା ସେହି ଶ୍ରମିକମାନଙ୍କୁ ମଧ୍ୟ ଉଚ୍ଛେଦ କରାଯାଇଥିଲା ଯେଉଁମାନେ ନିକଟବର୍ତ୍ତୀ ଅଞ୍ଚଳରେ ଛୋଟ ଛୋଟ କୁଡ଼ିଆ କରି ରହୁଥିଲେ। ଏସବୁ ‘ରାଷ୍ଟ୍ରୀୟ ପ୍ରତିଷ୍ଠା’ ଭବନରେ ଚମତ୍କାର ଖେଳ ସୁବିଧା ଭଳି ସେମାନଙ୍କ ଅସ୍ଥାୟୀ ଘର ପାଇଁ କୌଣସି ସ୍ଥାନ ନାହିଁ ।

PHOTO • Shalini Singh
PHOTO • Shalini Singh

ଫଟୋ ବାମ: ଶିବ ଶଙ୍କର ଓ ବୀରେନ୍ଦର ସିଂ (ପଛରେ)। ଡାହାଣ: ବୀରେନ୍ଦର ତାଙ୍କ ପରିବାର ଚାଷ କରୁଥିବା ଜମିକୁ ଦେଖାଇ ଦେଉଛନ୍ତି ଯାହାକୁ ଏବେ ବୁଲଡୋଜର ଧୂଳିସାତ କରି ଦେଇଛି

ଏନଜିଟି ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଯମୁନା ଅନୁଧ୍ୟାନ କମିଟିର ପୂର୍ବତନ ମୁଖ୍ୟ ବି.ଏସ ସଜୱାନ କୁହନ୍ତି, ‘‘ଏନଜିଟି ଆଦେଶ (୨୦୧୫ରେ) ଦେଇଥିଲେ ଯେ ଥରେ ଏହା ଯମୁନା ତଟବର୍ତ୍ତୀ ବନ୍ୟାପ୍ଳାବିତ କ୍ଷେତ୍ର ଘୋଷଣା ହେବା ପରେ, ଏହାକୁ ସୁରକ୍ଷିତ ରଖିବା ଜରୁରି କାରଣ ଏହି ସ୍ଥାନ ନଦୀର ଏବଂ ଆପଣଙ୍କର କି ମୋର ନୁହେଁ ।’’ ସେ କୁହନ୍ତି ଯେ, ଟ୍ରିବ୍ୟୁନାଲ କେବଳ ଏହାର ଆଦେଶକୁ ଅନୁସରଣ କରୁଛି।

‘‘ଏଠାରେ ଜୀବିକା ଅର୍ଜନ କରୁଥିବା ଆମର କ’ଣ ହେବ?’’ ୭୫ ବର୍ଷ ଧରି ଯମୁନା ତଟରେ ରହି ଆସୁଥିବା ଏବଂ ଚାଷ କରି ଆସୁଥିବା ରମାକାନ୍ତ ତ୍ରିବେଦୀ ପ୍ରଶ୍ନ କରିଥାନ୍ତି ।

ଚାଷୀମାନେ ୨୪ ହଜାର ଏକର ଜମିରେ ବିଭିନ୍ନ ପ୍ରକାର ଫସଲ ଅମଳ ଦିଲ୍ଲୀର ପରିବା ବଜାରରେ ବିକ୍ରି ହୋଇଥାଏ। ଶିବ ଶଙ୍କରଙ୍କ ଭଳି ଅନ୍ୟମାନେ ଏନଜିଟିର ଆଉ ଏକ ଦାବିକୁ ନେଇ ବିଚଳିତ ହୋଇଥାନ୍ତି ଏବଂ ତାହା ହେଉଛି ସେମାନେ ଅମଳ କରୁଥିବା ଖାଦ୍ୟ ଫସଲଗୁଡ଼ିକରେ ‘‘ନଦୀର ପ୍ରଦୂଷିତ ଜଳ ବ୍ୟବହାର କରାଯାଉଛି ଯାହାକି ଖାଦ୍ୟ ପ୍ରଣାଳୀରେ ପ୍ରବେଶ କଲେ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ’’। ତା’ହେଲେ କାହିଁକି ଆମକୁ ଏତେ ଦଶନ୍ଧି ଧରି ଏଠାରେ ରହିବାକୁ ଏବଂ ଫସଲ ଅମଳ କରିବାକୁ ଦିଆଯାଉଥିଲା?’’ ସେ ପ୍ରଶ୍ନ କରିଥାନ୍ତି।

ଜଳବାୟୁ ପରିବର୍ତ୍ତନ ସେମାନଙ୍କ ଜୀବନକୁ କିଭଳି ପ୍ରଭାବିତ କରୁଛି ସେ ସମ୍ପର୍କରେ ଖବର ସଂଗ୍ରହ କରିବାକୁ ୨୦୧୯ରେ ଯାଇଥିବା ସମୟରେ ପରୀ ପ୍ରଥମ ଥର ପାଇଁ ଶିବ ଶଙ୍କର, ବିଜେନ୍ଦର ଓ ଏହି ଅଞ୍ଚଳର ଅନ୍ୟ ପରିବାରର ଲୋକମାନଙ୍କୁ ଭେଟିଥିଲା। ପଢ଼ନ୍ତୁ: ବଡ଼ ସହର, ଛୋଟ ଚାଷୀ ଏବଂ ଏକ ମୃତପ୍ରାୟ ନଦୀ

*****

ମିଳିତ ଜାତିସଂଘର ଏକ ଅଧ୍ୟୟନ ଅନୁଯାୟୀ, ଆସନ୍ତା ୫ବର୍ଷ - ୨୦୨୮ ବେଳକୁ, ଦିଲ୍ଲୀ ବିଶ୍ୱର ସବୁଠୁ ଜନବହୁଳ ସହରରେ ପରିଣତ ହେବା ନେଇ ଆଶା କରାଯାଉଛି । ଆହୁରି ୨୦୪୧ ସୁଦ୍ଧା ଏ ସହରର ଜନସଂଖ୍ୟା ୨୮ରୁ ୩୧ ନିୟୁତରେ ପହଞ୍ଚିବ ବୋଲି କୁହାଯାଉଛି।

ବର୍ଦ୍ଧିତ ଜନସଂଖ୍ୟା କେବଳ ନଦୀ ତଟବର୍ତ୍ତୀ ସମତଳ କ୍ଷେତ୍ର ନୁହେଁ ବରଂ ଜଳାଶୟ ଉପରେ ମଧ୍ୟ ଚାପ ପକାଉଛି। ‘‘ଯମୁନା ମୌସୁମୀ ଉପରେ ନିର୍ଭରଶୀଳ ଏକ ନଦୀ ଏବଂ ବର୍ଷକୁ ମାତ୍ର ତିନି ମାସ ଧରି ପ୍ରତିମାସରେ ଏଠାରେ ୧୦-୧୫ ଦିନ ବର୍ଷା ହୋଇଥାଏ,’’ ମିଶ୍ରା କୁହନ୍ତି। ଦେଶର ରାଜଧାନୀ ପିଇବା ପାଣି ପାଇଁ ଯମୁନା ଉପରେ ନିର୍ଭର କରିଥାଏ, ଯାହାର ଗୋଟିଏ ଉତ୍ସ ହେଉଛି ଭୂତଳ ଜଳ ଯାହାକି ନଦୀ ଯୋଗୁ ପୂରଣ ହୋଇଥାଏ ବୋଲି ସେ କହିଥିଲେ।

ଦିଲ୍ଲୀ ଆର୍ଥିକ ସର୍ବେକ୍ଷଣ ୨୦୨୧-୨୦୨୨ରେ ଉଲ୍ଲେଖ କରାଯାଇଥିବା ଅନୁଯାୟୀ, ଡିଡିଏ ନଗରର ସମ୍ପୂର୍ଣ୍ଣ ସହରୀକରଣ ପାଇଁ ପ୍ରସ୍ତାବ ଦେଇଛି।

ଏହି ରିପୋର୍ଟରେ ଆହୁରି କୁହାଯାଇଛି ଯେ, ‘‘ଦିଲ୍ଲୀରେ କୃଷି କାର୍ଯ୍ୟ ଲଗାତାର ଭାବେ ହ୍ରାସ ପାଉଛି....’’

PHOTO • Kamal Singh
PHOTO • Kamal Singh

ଫଟୋ. ବାମ: ନଭେମ୍ବର ୨୦୨୦ରେ ଦିଲ୍ଲୀର ବେଲା ଇଷ୍ଟେଟରେ ଛିଡ଼ା ହୋଇଥିବା ଫସଲକୁ ଦିଲ୍ଲୀ ବିକାଶ ପ୍ରାଧିକରଣ ବୁଲଡୋଜର ଚଢ଼ାଇ ଧୂଳିସାତ କରି ଦେଇଥିଲା। ଡାହାଣ: ଡିଡିଏ ଉଚ୍ଛେଦ କରିବା ପରେ ଚାଷ ଜମିର ଅବସ୍ଥା

ମନୁ ଭଟନାଗର କୁହନ୍ତି, ୨୦୨୧ ପର୍ଯ୍ୟନ୍ତ ଦିଲ୍ଲୀରେ ଥିବା ଯମୁନା ନଦୀ ଉପରେ ୫,୦୦୦୦-୧୦,୦୦୦ ଲୋକ ସେମାନଙ୍କର ଜୀବିକା ପାଇଁ ନିର୍ଭର କରୁଥିଲେ। ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର ଆର୍ଟ ଏଣ୍ଡ କଲଚରାଲ ହେରିଟେଜ୍‌ (ଇନଟାକ)ର ପ୍ରାକୃତିକ ଐତିହ୍ୟ ଡିଭିଜନ ପ୍ରମୁଖ ନିର୍ଦ୍ଦେଶକ ଭାବେ ସେ କାର୍ଯ୍ୟ କରୁଛନ୍ତି। ସେ କୁହନ୍ତି ଯେ, ସେହି ଲୋକମାନଙ୍କୁ ବନ୍ୟା ପ୍ଳାବିତ ସମତଳ ଭୂମିର ସୌନ୍ଦର୍ଯ୍ୟକରଣରେ ନିୟୋଜିତ କରାଯାଇ ପାରିଥାନ୍ତା। ୨୦୧୯ରେ ପରୀ ତାଙ୍କୁ ଭେଟିଥିଲା ଏବଂ ସେ ଇନଟାକ୍‌ ପକ୍ଷରୁ ପ୍ରକାଶିତ ଏକ ପୁସ୍ତକ ‘ନେରେଟିଭ୍ସ ଅଫ୍‌ ଦ ଏନଭାରନମେଣ୍ଟ ଅଫ୍ ଦିଲ୍ଲୀ’ ଶୀର୍ଷକ ପୁସ୍ତକ ଭେଟି ଦେଇଥିଲେ। ଏହି ସମୟରେ ସେ କହିଥିଲେ ଯେ, ପ୍ରଦୂଷଣ ହ୍ରାସ ପାଇଲେ, ମତ୍ସ୍ୟ ଚାଷରେ ସୁଧାର ଆସିବ। ମାଛ ଚାଷ ମଧ୍ୟ ଏକ ବିକଳ୍ପ ହୋଇପାରିବ। ତଟବର୍ତ୍ତୀ ସମତଳ ଭୂମିକୁ ତରଭୁଜ ଭଳି ଖାଦ୍ୟ ସାମଗ୍ରୀ ଅମଳ କ୍ଷେତ୍ର ଭାବେ ଉପଯୋଗ କରାଯାଇପାରିବ ।

*****

ରାଜଧାନୀ ସହରରେ ମହାମାରୀ ବ୍ୟାପିବା ମାତ୍ରେ, ବିସ୍ଥାପିତ ହୋଇଥିବା ପ୍ରାୟ ୨୦୦ ପରିବାରଙ୍କୁ ରାସନ ଭଳି ମୌଳିକ ସୁବିଧା ପାଇବା ଲାଗି ସଂଘର୍ଷ କରିବାକୁ ପଡ଼ିଥିଲା। ଯେଉଁ ପରିବାର ୨୦୨୧ ପୂର୍ବରୁ ମାସିକ ୪,୦୦୦-୬,୦୦୦ ଟଙ୍କା ରୋଜଗାର କରୁଥିଲେ,  ଲକଡାଉନରେ ସେମାନେ ସମ୍ପୂର୍ଣ୍ଣ ବେରୋଜଗାର ହୋଇପଡ଼ିଲେ। ‘‘ପୂର୍ବରୁ ଦିନକୁ ଦୁଇ ବେଳା ଖାଦ୍ୟ ମିଳୁଥିଲା ଯାହାକି ଏବେ ଦିନକୁ ଗୋଟିଏକୁ ଖସି ଆସିଲା। ଏପରିକି ଦିନକୁ ଦୁଇ ବେଳା ଚା’ ପରିରବର୍ତ୍ତେ ଗୋଟିଏ ଥର ମିଳିଲା,’’ ତ୍ରିବେଦୀ କୁହନ୍ତି। ‘‘ଏପରିକି ଆମେ ଡିଡିଏର ପ୍ରସ୍ତାବିତ ପାର୍କରେ କାମ କରିବାକୁ ପ୍ରସ୍ତୁତ ଯାହାଫଳରେ ଆମ ପିଲାମାନେ ଖାଇବାକୁ ପାଇପାରିବେ। ସରକାର ଆମର ଧ୍ୟାନ ରଖିବା ଉଚିତ୍‌; ଆମର କ’ଣ କୌଣସି ସମାନ ଅଧିକାର ନାହିଁ? ଆମ ଜମି ନେଇଯାଅ କିନ୍ତୁ ଆମକୁ ବଞ୍ଚିବା ଲାଗି କିଛି ମାଧ୍ୟମ ତ’ ଯୋଗାଇ ଦିଅ?’’

ମେ ୨୦୨୦ରେ ଚାଷୀମାନେ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ମାମଲା ହାରି ଯାଇଥିଲେ ଏବଂ ସେମାନଙ୍କର ଜମି ପଟ୍ଟା ଏବେ ଆଉ ବୈଧ ନୁହେଁ । ଆବେଦନ କରିବା ଲାଗି ସେମାନଙ୍କ ପାଖରେ ୧ ଲକ୍ଷ ଟଙ୍କା ସୁଦ୍ଧା ନାହିଁ, ଫଳରେ ସେମାନଙ୍କର ବିସ୍ଥାପନ ଏବେ ସ୍ଥାୟୀ ହୋଇଯାଇଛି ।

‘‘ଲକଡାଉନ ଯୋଗୁଁ ପରିସ୍ଥିତି ଅଧିକ ଖରାପ ହୋଇଯାଇଥିଲା କାରଣ ସେତେବେଳେ ଦିନ ମଜୁରି ଓ କାର୍‌ ଲୋଡିଂ କାମ ମିଳିନଥିଲା। ସାମାନ୍ୟ ଔଷଧ କିଣିବା ପାଇଁ ସୁଦ୍ଧା ଟଙ୍କା ନଥିଲା,’’ ବିଜେନ୍ଦର କହିଥିଲେ। ତାଙ୍କର ୭୫ ବର୍ଷ ବୟସ୍କ ପିତା ଶିବଶଙ୍କରଙ୍କୁ ମଧ୍ୟ ସହରରେ କାମ ଖୋଜିବାକୁ ହେଉଛି ।

‘‘ଆମେ ସମସ୍ତେ ପୂର୍ବରୁ ଚାଷ କାମ ଛାଡ଼ି ଅନ୍ୟ କିଛି ବେଉସା ଆପଣେଇବାର ଥିଲା। ଯେତେବେଳେ କିଛି ଫସଲ ଅମଳ ହେବ ନାହିଁ ଲୋକମାନେ ବୁଝିପାରିବେ ଯେ ଖାଦ୍ୟ କେତେ ଜରୁରି ଓ ଚାଷୀମାନେ କେତେ ଗୁରୁତ୍ୱପୂର୍ଣ୍ଣ,’’ ସେ କ୍ରୋଧିତ ହୋଇ କହିଥିଲେ।

*****

ଶିବ ଶଙ୍କର ସେହି ପୂର୍ବ ଦିନ କଥା ମନେ ପକାଇ କୁହନ୍ତି ଯେତେବେଳେ ସେ ଓ ତାଙ୍କର ଚାଷୀ ପରିବାର ଐତିହାସିକ ଲାଲ କିଲାଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିଲା। ଏହି ଲାଲକିଲ୍ଲାର ପ୍ରାଚୀରରୁ ଦେଶର ପ୍ରଧାନମନ୍ତ୍ରୀ ସବୁ ବର୍ଷ ସ୍ୱାଧୀନତା ଦିବସରେ ଅଭିଭାଷଣ ଦେଇଥାନ୍ତି । ସେ କହିଥିଲେ ଯେ, ସେମାନଙ୍କୁ ଭାଷଣ ଶୁଣିବାକୁ କେବେ ବି ଟିଭି କିମ୍ବା ରେଡିଓ ଦରକାର ହେଉନଥିଲା।

‘‘ପବନର ଗତି ଏପରି ଥିଲା ଯେ ତାଙ୍କର (ପ୍ରଧାନମନ୍ତ୍ରୀଙ୍କର) ଉକ୍ତି ଆମ ପାଖକୁ ଚାଲି ଆସୁଥିଲା... ଦୁଃଖର ବିଷୟ ହେଉଛି ଆମ କଥା କେବେ ସେମାନଙ୍କ ପାଖରେ ପହଞ୍ଚି ପାରିନଥିଲା।’’

ଅନୁବାଦ: ଓଡ଼ିଶାଲାଇଭ୍‍

Shalini Singh

शालिनी सिंह, काउंटरमीडिया ट्रस्ट की एक संस्थापक ट्रस्टी हैं, जो पारी को संचालन करती है. वह दिल्ली में रहने वाली पत्रकार हैं और पर्यावरण, जेंडर और संस्कृति से जुड़े मुद्दों पर लिखती हैं. उन्हें हार्वर्ड विश्वविद्यालय की ओर से पत्रकारिता के लिए साल 2017-2018 की नीमन फ़ेलोशिप भी मिल चुकी है.

की अन्य स्टोरी शालिनी सिंह
Editor : Priti David

प्रीति डेविड, पारी की कार्यकारी संपादक हैं. वह मुख्यतः जंगलों, आदिवासियों और आजीविकाओं पर लिखती हैं. वह पारी के एजुकेशन सेक्शन का नेतृत्व भी करती हैं. वह स्कूलों और कॉलेजों के साथ जुड़कर, ग्रामीण इलाक़ों के मुद्दों को कक्षाओं और पाठ्यक्रम में जगह दिलाने की दिशा में काम करती हैं.

की अन्य स्टोरी Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE