ଆମୋଲ ବର୍ଦ୍ଦେଙ୍କ ‘ସଙ୍ଗରୋଧ ଗୃହ’ କହିଲେ, ଏକ ଶୁଖିଲା ଘାସର କୁଡ଼ିଆ, ଯେଉଁଥିରେ ଭଙ୍ଗା କବାଟ, ନଷ୍ଟ ହୋଇଯାଇଥିବା ଛାତ ଉପରେ ପଡ଼ିଥିବା ଏକ ଚିରା ପ୍ଲାଷ୍ଟିକ ପାଲ ଓ ପଥର ବିଛା ହୋଇଥିବା ଆବଡ଼ାଖାବଡ଼ା ମାଟି ଚଟାଣ ରହିଛି।

କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ ମଇ ୧ ତାରିଖରେ ସେ ମହାରାଷ୍ଟ୍ରର ଶିରୁର ତାଲୁକାର ଏକ ଉପାନ୍ତ ଅଞ୍ଚଳରେ ଥିବା ଏହି ଖାଲି କୁଡ଼ିଆକୁ ଚାଲି ଆସିଥିଲେ।

ମଇ ମାସର ପ୍ରବଳ ଗରମ ଯୋଗୁଁ ଯେତେବେଳେ ଭିତରେ ରହିବା କଷ୍ଟକର ହୋଇଥିଲା, ସେ କିଛି ଦୂରରେ ଥିବା ଏକ ଅଶ୍ୱତ୍ଥ ଗଛ ମୂଳରେ ଆଶ୍ରୟ ନେଉଥାନ୍ତି। “ସକାଳ ୧୧ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ, ଏକ ପ୍ଲାଷ୍ଟିକ ଚଟେଇ ବିଛାଇ, ମୁଁ ସେହି ଗଛ ମୂଳରେ ଶୋଇଥାଏ,” ସେ କୁହନ୍ତି।

ମଇ ୧ ତାରିଖରେ ଯେତେବେଳେ ୧୯ ବର୍ଷ ବୟସ୍କ ଆମୋଲଙ୍କୁ ଜ୍ୱର, ମୁଣ୍ଡବିନ୍ଧା ଏବଂ ଶରୀର ଯନ୍ତ୍ରଣା ହେଲା ସେ ତୁରନ୍ତ ତାଙ୍କର ଏହି କୁଡ଼ିଆଠାରୁ ୧୨  କିଲୋମିଟର ଦୂରରେ ଥିବା ଶିରୁର ଗ୍ରାମୀଣ ଡାକ୍ତରଖାନାକୁ ଏକ ଜିପରେ ଅନ୍ୟମାନଙ୍କ ସହିତ ଯାତ୍ରା କରିଥିଲେ।

ରାପିଡ୍ ଆଣ୍ଟିଜେନ ଟେଷ୍ଟରେ ପଜିଟିଭ୍ ଆସିବା ପରେ ଆଗକୁ ସେ କ’ଣ କରିବେ ସେ ସମ୍ପର୍କରେ ଡାକ୍ତରଖାନାର ଡାକ୍ତରଙ୍କୁ ପଚାରିଲେ। “ଡାକ୍ତର ୧୦ ଦିନ ପାଇଁ ଔଷଧ କିଣିବା ଲାଗି କହିବା ସହ  ମୋ ପରିବାର ଲୋକଙ୍କ ଠାରୁ ୧୪-୧୫ ଦିନ ଅଲଗା ରହିବା ନିମନ୍ତେ ପରାମର୍ଶ ଦେଲେ”, ଆମୋଲ କୁହନ୍ତି।

“ଶଯ୍ୟା ଉପଲବ୍ଧ ନଥିଲା”, ସେ ଆହୁରି କହିଥିଲେ। ଶିରୁର ଗ୍ରାମୀଣ ଡାକ୍ତରଖାନାରେ ଅକ୍ସିଜେନ ସୁବିଧା ଥିବା ୨୦ଟି ଶଯ୍ୟା ଏବଂ ୧୦ଟି ଆଇସୋଲେସନ ଶଯ୍ୟା ରହିଛି (ଡାକ୍ତରଖାନାର ଅଧୀକ୍ଷକ ସେଠାରେ ମୋତେ କହିଥିଲେ)। ତେଣୁ ଆମୋଲ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କଲେ ଏବଂ ଡାକ୍ତରଖାନା ନିକଟରେ ଥିବା ଔଷଧ ଦୋକାନରୁ ଔଷଧ କିଣିଲେ। ନିଜର ଛୋଟ କୁଡ଼ିଆରେ ପୃଥକବାସରେ ରହିବା ଲାଗି ସୁବିଧା ନଥିବାରୁ ସେ ପଡ଼ୋଶୀଙ୍କ କୁଡ଼ିଆକୁ ଚାଲିଗଲେ। “ସେମାନେ କିଛି ମାସ ପାଇଁ ଏପ୍ରିଲରେ କାମ କରିବା ଲାଗି ବାହାରକୁ ଚାଲିଯାଇଥିଲେ। ମୁଁ ତାଙ୍କୁ ଫୋନ କଲି ଏବଂ ନିଜର ଅବଧି (କୋଭିଡ ଚିକିତ୍ସା) ଶେଷ କରିବା ପର୍ଯ୍ୟନ୍ତ ସେମାନଙ୍କ କୁଡ଼ିଆରେ ରହିବା ପାଇଁ ଅନୁମତି ମାଗିଲି”, ଆମୋଲ କହିଥିଲେ।

With no hospital bed available, Amol Barde isolated himself in this neighbour’s hut with a broken door, damaged roof and stone-strewn floor
PHOTO • Jyoti Shinoli
With no hospital bed available, Amol Barde isolated himself in this neighbour’s hut with a broken door, damaged roof and stone-strewn floor
PHOTO • Jyoti Shinoli

ଡାକ୍ତରଖାନାରେ ଶଯ୍ୟା ନମିଳିବାରୁ, ଭଙ୍ଗା କବାଟ, ନଷ୍ଟ ହୋଇଯାଇଥିବା ଛାତ ଓ ଏଣେତେଣେ ବିକ୍ଷିପ୍ତ ହୋଇଥିବା ପଥର ଚଟାଣଥିବା ପଡ଼ୋଶୀଙ୍କ ଏହି କୁଡ଼ିଆରେ ମୋଲ ବର୍ଦ୍ଦେ ନିଜକୁ ସଙ୍ଗରୋଧରେ ରଖିଲେ

ପୁନେ ଜିଲ୍ଲାର ଶିରୁର ତାଲୁକାର ସ୍ୱାସ୍ଥ୍ୟ ଅଧିକାରୀ ଡା. ଡି. ବି. ମୋରେ କୁହନ୍ତି, ୧୧୫ଟି ଗ୍ରାମକୁ ନେଇ ଗଠିତ ଗ୍ରାମୀଣ ଶିରୁରର ଜନସଂଖ୍ୟା ୩୨୧,୬୪୪ (୨୦୧୧ ଜନଗଣନା ଅନୁଯାୟୀ) ହୋଇଥିବା ବେଳେ ଅଳ୍ପ ଲକ୍ଷଣଯୁକ୍ତଙ୍କ ପାଇଁ ନଅଟି ସରକାରୀ ଡାକ୍ତରଖାନା ଓ ଗମ୍ଭୀର ରୋଗୀଙ୍କ ପାଇଁ ତିନୋଟି ସମର୍ପିତ କୋଭିଡ ଡାକ୍ତରଖାନାରେ ମୋଟ ୯୦୨ଶଯ୍ୟା ରହିଛି। ଏପ୍ରିଲରୁ ମଇ ୧୦ ତାରିଖ ମଧ୍ୟରେ, ଡା. ମୋରେ କୁହନ୍ତି, ଗ୍ରାମୀଣ ଶିରୁରରେ ଦୈନିକ ୩୦୦ରୁ ୪୦୦ ପଜିଟିଭ ମାମଲା ଚିହ୍ନଟ ହେଉଥିଲା।

ଶଯ୍ୟା ନମିଳିବାରୁ ଆମୋଲ ନିଜକୁ ପଡ଼ୋଶୀ କୁଡ଼ିଆରେ ପୃଥକବାସରେ ରଖିଥିବା ବେଳେ, ତାଙ୍କର ମା’ ସୁନୀତା, ୩୫, ଭଉଣୀ ପୂଜା, ୧୩, ଏବଂ ସାନଭାଇ ଭୟା, ୧୫, ନିକଟରେ ଥିବା ସେମାନଙ୍କର ନିଜ କୁଡ଼ିଆରେ ରହିଥିଲେ। ଏହି କୁଡ଼ିଆଗୁଡ଼ିକ ପାଖାପାଖି ୨୫ଟି କୁଡ଼ିଆକୁ ନେଇ ଗଠିତ ଏକ ବସତି ମଧ୍ୟରୁ ଅନ୍ୟତମ; ଏହାର ନିକଟତମ ଗ୍ରାମ, ଚହ୍ୱନୱାଡି, ଏହି ବସତିଠାରୁ ଆଠ କିଲୋମିଟର ଦୂର।

ବର୍ଦ୍ଦେ ପରିବାର ହେଉଛନ୍ତି ଭିଲ ପାରଧି ସମ୍ପ୍ରଦାୟ, ଯାହାକି ଏକ ଆଦିବାସୀ ସମ୍ପ୍ରଦାୟ ଏବଂ ଯାଯାବର ଆଦିବାସୀ ପାରଧି ସମୁଦାୟର ଏକ ଉପ ସମୂହ ଅଟେ। ପାରଧି , ଓ ଅନ୍ୟ ଆଦିବାସୀ ସମ୍ପ୍ରଦାୟକୁ ଉପନିବେଶବାଦୀ ବ୍ରିଟିଶ ସରକାର ଅପରାଧୀ ଆଦିବାସୀ ଆଇନ ବଳରେ ‘ଅପରାଧୀ’ ଭାବେ ଘୋଷଣା କରିଥିଲେ। ୧୯୫୨ରେ, ଭାରତ ସରକାର ଏହି ଆଇନକୁ ଉଚ୍ଛେଦ କରିଥିଲେ ଏବଂ ଆଦିବାସୀମାନଙ୍କୁ ‘ଅଣବିଜ୍ଞପିତ’ କରାଯାଇଥିଲା। ବର୍ତ୍ତମାନ ଏମାନଙ୍କ ମଧ୍ୟରୁ କେତେକଙ୍କୁ ଅନୁସୂଚିତ ଜାତି, ଆଉ କେତେକଙ୍କୁ ଅନୁସୂଚିତ ଜନଜାତି ଏବଂ ଅବଶିଷ୍ଟଙ୍କୁ ଅନ୍ୟାନ୍ୟ ପଛୁଆ ବର୍ଗରେ ସାମିଲ କରାଯାଇଛି।

ପାରାସିଟାମଲ, କଫ ସିରପ ଏବଂ ମଲ୍ଟି ଭିଟାମିନକୁ ମିଶାଇ ଆମୋଲ ଦଶଦିନ ପାଇଁ କିଣିଥିବା ଔଷଧ ପାଖାପାଖି ୨,୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। “ମୁଁ ସାଙ୍ଗରେ ୭,୦୦୦ ଟଙ୍କା ଆଣିଥିଲି,” ସେ କୁହନ୍ତି। ୫,୦୦୦ ଟଙ୍କା ସଞ୍ଚୟ କରିବା ଲାଗି ତାଙ୍କୁ ପାଖାପାଖି ନଅ ମାସ ପର୍ଯ୍ୟନ୍ତ କୃଷି ଶ୍ରମିକ ଭାବେ କାମ କରିବାକୁ ପଡ଼ିଥିଲା। “ଏବଂ ଗୋଟିଏ ଦିନରେ ଏହାର ଅଧାରୁ ଅଧିକ ମୋତେ ଖର୍ଚ୍ଚ କରିବାକୁ ପଡ଼ିବାକୁ ପଡ଼ିଥିଲା”, ସେ ଆହୁରି କୁହନ୍ତି। ଅବଶିଷ୍ଟ ୨,୦୦୦ ଟଙ୍କା ତାଙ୍କ ମା’ ପଡ଼ୋଶୀଙ୍କଠାରୁ ଉଧାର ଆଣିଥିଲେ ଏବଂ ସାଥୀରେ ନେଇଯିବା ଲାଗି ତାଙ୍କ ପୁଅକୁ ଦେଇଥିଲେ।

ନିକଟସ୍ଥ ଗ୍ରାମରେ ଥିବା ଚାଷ ଜମିଗୁଡ଼ିକରେ ଦିନକୁ ୧୫୦ ଟଙ୍କା ମଜୁରିରେ କାମ କରିଥାନ୍ତି ଆମୋଲ ଓ ତାଙ୍କ ମା’ ସୁନୀତା। ମାସକୁ ଅତି କଷ୍ଟରେ ୨୦ ଦିନର କାମ ମିଳିଥାଏ।  ଆଠବର୍ଷ ପୂର୍ବେ ସୁନୀତାଙ୍କର ସ୍ୱାମୀ ତାଙ୍କୁ ଓ ତାଙ୍କ ପିଲାମାନଙ୍କୁ ଛାଡ଼ି ଦେଇଥିଲେ। “ସେ ଅନ୍ୟ ଜଣଙ୍କୁ ବାହା ହୋଇଗଲେ”, ସେ କୁହନ୍ତି। ଆମୋଲ ପୃଥକବାସରେ ରହୁଥିବାରୁ ସେ ତାଙ୍କର ଯତ୍ନ ନେବା ପାଇଁ ମଜୁରି କାମରେ ଯାଇପାରୁନାହାନ୍ତି। “ମୁଁ ତା’ର କୁଡ଼ିଆକୁ ଖାଇବା, ପାଣି ନେଇ ଯାଉଛି”, ସେ କୁହନ୍ତି।

ଏ ପରିବାର ପ୍ରତିବର୍ଷ କିମ୍ବା ଦୁଇ ବର୍ଷରେ ଥରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇଥାନ୍ତି, କାରଣ ଏହା ଭିଲ ପାରଧିମାନଙ୍କର ଜୀବନଶୈଳୀର ଅଂଶବିଶେଷ। ଶିରୁରରେ ବର୍ତ୍ତମାନ ବସତି କରି ରହୁଥିବା କେହି ଜଣେ ହେଲେ ବାସିନ୍ଦାଙ୍କ ପାଖରେ ଏକ ରାସନ କାର୍ଡ, ଭୋଟର ଆଇଡି କାର୍ଡ କିମ୍ବା ଆଧାର କାର୍ଡଟିଏ ନାହିଁ। ସରକାରୀ ଯୋଜନା ସେମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଛି।

Left: The medicines cost Rs. 5,000. It had taken Amol nearly nine months to save Rs. 7,000 from his farm wages. Right: During the day, Amol seeks relief from the heat under a nearby peepal tree
PHOTO • Jyoti Shinoli
Left: The medicines cost Rs. 5,000. It had taken Amol nearly nine months to save Rs. 7,000 from his farm wages. Right: During the day, Amol seeks relief from the heat under a nearby peepal tree
PHOTO • Jyoti Shinoli

ବାମ : ଔଷଧ ପାଇଁ ୨,୫୦୦ ଟଙ୍କା ଖର୍ଚ୍ଚ ହେଲା। ଚାଷଜମିରେ ମଜୁରି କରି ୫,୦୦୦ ଟଙ୍କା ସଞ୍ଚୟ କରିବା ଲାଗି ଆମୋଲଙ୍କୁ ପାଖାପାଖି ନଅ ମାସ ଲାଗିଥିଲା। ଡାହାଣ : ଦିନ ବେଳେ, ନିକଟରେ ଥିବା ଅଶ୍ୱତ୍ଥ ଗଛ ତଳେ ଆମୋଲ ବିଶ୍ରାମ ନେଇଥାନ୍ତି।

ଆମୋଲ ଘରକୁ ଫେରିବା ପରେ ତାଙ୍କ ପାଖରେ ପାଖାପାଖି ୪୫୦୦ ଟଙ୍କା ବଳିଥିଲା, ସୁନୀତା ସେତିକି ଟଙ୍କା ଧରି ଘର ଠାରୁ ଆଠ କିଲୋମିଟର ଦୂରରେ ଥିବା ତେଜରାତି ଦୋକାନକୁ ଆଗାମୀ ୨୦ଦିନ ଲାଗି ରାସନ କିଣିବାକୁ ଗଲେ- ପୂର୍ବ ଭଳି ଗହମ ଅଟା ଏବଂ ଚାଉଳ, କିନ୍ତୁ ଏଥର ହରଡ଼, ମୁଗ ଡାଲି ଏବଂ ମଟକୀ ଆଣିବା ପାଇଁ। “ସେ ଦିନକୁ ତିନି ଥର ବହୁ ପରିମାଣରେ ଔଷଧ ଖାଉଛି। ଏହା ସହିତ ତା’କୁ ଶକ୍ତି ଦରକାର। ଅନ୍ୟଥା, ଆମେ ଏତେସବୁ ସାମଗ୍ରୀ ଖର୍ଚ୍ଚ ତୁଲାଇପାରିନଥାନ୍ତୁ”, ସୁନୀତା କୁହନ୍ତି। ସବୁ ଡାଲି ଏବେ ସରିଯାଇଛି, ସେ କୁହନ୍ତି, କିଛି ଚାଉଳ ବଳିଛି। “ତେଣୁ ତା’କୁ ଆମେ ଲୁଣ ଓ ଲଙ୍କାଗୁଣ୍ଡ ସହିତ ଭାତ କରି ଭାଜି ଖାଉଛୁ।

ଆମୋଲ ଯେତେବେଳେ ତାଙ୍କର ଗୃହ ସଙ୍ଗରୋଧ ଆରମ୍ଭ କଲେ, ସେ ନିୟମଗୁଡ଼ିକ ବିଷୟରେ ସମ୍ପୂର୍ଣ୍ଣ ଜାଣିନଥିଲେ। “ମୁଁ କେବଳ ମାସ୍କ ପିନ୍ଧିବା, ଦୂରତା ବଜାୟ ରଖିବା ଏବଂ ଔଷଧ ଖାଇବା ସମ୍ପର୍କରେ ଜାଣିଛି। ମୁଁ ଆଉ କ’ଣ କରିବା ଉଚିତ୍?” ସେ ପ୍ରଶ୍ନ କରିଥିଲେ।

ଅଳ୍ପ ଲକ୍ଷଣଯୁକ୍ତ/ଲକ୍ଷଣବିହୀନ କୋଭିଡ-19 ସଂକ୍ରମିତଙ୍କ ଗୃହ ସଙ୍ଗରୋଧ ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ସଂଶୋଧିତ ମାର୍ଗଦର୍ଶିକାରେ ସୁପାରିସ କରାଯାଇଛି : “ରୋଗୀ ସବୁବେଳେ ତିନୋଟି ଆସ୍ତରଣ ବିଶିଷ୍ଟ ଚିକିତ୍ସା ମାସ୍କ ପିନ୍ଧିବା ଉଚିତ୍। ପ୍ରତି ଆଠ ଘଣ୍ଟାରେ ଥରେ କିମ୍ବା ତା’ପୂର୍ବରୁ ଏହା ଓଦା ଅଥବା ମଇଳା ହୋଇଗଲେ ଏହାକୁ ଫିଙ୍ଗିଦେବା ଉଚିତ୍। ସେବା ପ୍ରଦାନକାରୀ ସଙ୍ଗରୋଧ କୋଠରୀ ମଧ୍ୟକୁ ପ୍ରବେଶ କଲେ ଉଭୟ ସେବା ପ୍ରଦାନକାରୀ ଏବଂ ରୋଗୀ ଏନ-95 ମାସ୍କ ପିନ୍ଧିବା ସମ୍ପର୍କରେ ବିଚାର କରିପାରନ୍ତି।”

ଉଭୟ ଆମୋଲ ଏବଂ ସୁନୀତା ସଫା କରିବା ଯୋଗ୍ୟ ପଲି ପ୍ରୋପାଇଲିନ ମାସ୍କ ପିନ୍ଧୁଥିଲେ। “ମୁଁ ଶିରୁର ବଜାରରୁ ଏହି ମାସ୍କ ଜାନୁଆରୀ ମାସରେ ୫୦ ଟଙ୍କା ଦେଇ କିଣିଥିଲି”, ସେ କୁହନ୍ତି। ସେବେଠାରୁ ସେ ଏହି ମାସ୍କ ପିନ୍ଧି ଆସୁଛନ୍ତି। “ଏହା ସାମାନ୍ୟ ଚିରିଯାଇଛି। ‘‘ମୁଁ ଏହାକୁ ଦିନ ସାରା ପିନ୍ଧିଥାଏ, ରାତିରେ ସଫା କରିଥାଏ ଏବଂ ସକାଳୁ ପୁଣିଥରେ ଏହାକୁ ପିନ୍ଧିଥାଏ।”

ମାର୍ଗଦର୍ଶିକାରେ ମଧ୍ୟ “ଏକ ପଲ୍ସ ଅକ୍ସିମିଟର ସହାୟତାରେ ବ୍ଲଡ ଅକ୍ସିଜେନ ସାଚୁରେସନ ମାପିବା” ନିମନ୍ତେ ‘ଦୃଢ଼ଭାବେ ପରାମର୍ଶ’ ଦିଆଯାଇଛି। “ଆମ ପାଖରେ ତାହା ନାହିଁ”, ଆମୋଲ କହିଥିଲେ। “ଯଦି ବା ତାହା ମୋ ପାଖରେ ଥାଆନ୍ତା, ମୋ ଘରେ କେହି ତା’କୁ ପଢ଼ିପାରିନଥାନ୍ତେ”। ତାଙ୍କ ପରିବାର ନିୟମିତ ଭାବେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହେଉଥିବା କାରଣରୁ, ସେ ଓ ତାଙ୍କର ଭାଇଭଉଣୀମାନେ କେବେ ସ୍କୁଲରେ ନାମ ଲେଖାଇନାହାନ୍ତି।

ଏଠାକାର ୨୫ଟି ଭିଲ ପାରଧି ପରିବାରର ପ୍ରତ୍ୟେକ କୁଟୀରରେ, ପ୍ରାୟତଃ ୪ ଜଣ ପରିବାର ସଦସ୍ୟ ରହିଥାନ୍ତି। ମେ ୨୦ ତାରିଖ ସୁଦ୍ଧା, ପୁନେ ସହରଠାରୁ ୭୦କିମି ଦୂର ଏହି ବସତିରେ ତିନି ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଆମୋଲ ଥିଲେ ତୃତୀୟ।

With Amol in 'isolation', his mother Sunita (left) and siblings remained in their own small hut nearby (right)
PHOTO • Jyoti Shinoli
With Amol in 'isolation', his mother Sunita (left) and siblings remained in their own small hut nearby (right)
PHOTO • Jyoti Shinoli

ଆମୋଲ ‘ପୃଥକବାସ’ରେ ରହିଥିବା ବେଳେ, ତାଙ୍କ ମା’ ସୁନୀତା (ବାମ) ଓ ଭାଇଭଉଣୀମାନେ ନିକଟରେ ଥିବା ସେମାନଙ୍କର ଛୋଟିଆ କୁଡ଼ିଆରେ ରହୁଛନ୍ତି (ଡାହାଣ)

ଏଠାକାର ସନ୍ତୋଷ ଧୁଲେ ପ୍ରଥମେ ଶିରୁର ଗ୍ରାମୀଣ ଡାକ୍ତରଖାନାରେ ରାପିଡ ଆଣ୍ଟିଜେନ ଟେଷ୍ଟ କରିବା ପରେ ଏପ୍ରିଲ ୩୦ ତାରିଖ ପଜିଟିଭ ଚିହ୍ନଟ ହୋଇଥିଲେ, ଏହାପରେ  ତାଙ୍କ ପତ୍ନୀ ସଙ୍ଗୀତା ମଧ୍ୟ ସଂକ୍ରମିତ ହୋଇଥିଲେ। “ଆମେ ଉଭୟ କାଶୁଥିଲୁ, ଆମକୁ ଜ୍ୱର ଏବଂ ଦେହହାତ ବିନ୍ଧା ହେଉଥିଲା”, ସଙ୍ଗୀତା କୁହନ୍ତି। “ଆମକୁ ମଧ୍ୟ ଶଯ୍ୟା ଉପଲବ୍ଧ ନଥିବା କୁହାଯାଇଥିଲା।”

ଗୃହ ସଙ୍ଗରୋଧ ସେମାନଙ୍କର ଏକମାତ୍ର ବିକଳ୍ପ ଥିଲା। ଏଭଳି ସ୍ଥିତିରେ, ଜିଲ୍ଲା କର୍ତ୍ତୃପକ୍ଷଙ୍କର ଭୂମିକା ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମାର୍ଗଦର୍ଶିକାରେ ସ୍ପଷ୍ଟ ଭାବେ କୁହାଯାଇଛି : “ଗୃହ ସଙ୍ଗରୋଧରେ ଥିବା ପ୍ରତ୍ୟେକ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦୈନିକ ଭିତ୍ତିରେ ଯାଞ୍ଚ କରିବା ଲାଗି ଏକ ସମର୍ପିତ କଲ ସେଣ୍ଟର ରହିବା ସହିତ କ୍ଷେତ୍ରୀୟ କର୍ମଚାରୀ/ନିରୀକ୍ଷଣ ଦଳ ଦ୍ୱାରା ବ୍ୟକ୍ତିଗତ ଗସ୍ତ କରି ଅନୁଧ୍ୟାନ କରାଯିବା ଉଚିତ୍।”

କିନ୍ତୁ ନିକଟବର୍ତ୍ତୀ, ଚହ୍ୱନୱାଡି ଗ୍ରାମର କେହି ଜଣେ ହେଲେ ସ୍ୱାସ୍ଥ୍ୟ କର୍ମୀ ସେମାନଙ୍କ ବସତିକୁ ଆସିନଥିବା ସନ୍ତୋଷ କହିଥିଲେ। “କେବଳ ଏପ୍ରିଲ ୨୦୨୦ରେ ଜଣେ ଗ୍ରାମସେବକ ଓ ଆଶା କର୍ମୀ ଏଠାକୁ ଆସି ଆମକୁ କରୋନା ଲକ୍ଷଣ ବିଷୟରେ ସଚେତନ କରାଇ ଯାଇଥିଲେ।”

ତେବେ ସ୍ୱାସ୍ଥ୍ୟ ଅଧିକାରୀ ଡା. ଡି. ବି. ମୋରେ କୁହନ୍ତି, “ଆଶା କର୍ମୀ ଓ ଅଙ୍ଗନୱାଡି କର୍ମୀଙ୍କ ସହାୟତାରେ ଗୃହ ସଙ୍ଗରୋଧରେ ଥିବା ସବୁ ରୋଗୀଙ୍କ ସହିତ ଆମେ ନିୟମିତ ଯୋଗାଯୋଗରେ ରହିଛୁ। ଯଦି ଗାଁ ଉପକଣ୍ଠରେ ବସତି କରି ରହୁଥିବା କିଛି ରୋଗୀଙ୍କ ପ୍ରତି ଅବହେଳା କରାଯାଉଛି, ଆମେ ତା’ ଉପରେ ମଧ୍ୟ କାର୍ଯ୍ୟ କରିବୁ।’’

ସଙ୍ଗୀତା, ୨୬, ଓ ସନ୍ତୋଷ, ୨୮, ଉଭୟ ମଇ ମଧ୍ୟ ଭାଗରେ ସେମାନଙ୍କର ଝାଟିମାଟି କୁଡ଼ିଆରେ ଦୁଇ ସପ୍ତାହର ପୃଥକବାସ ସମ୍ପୂର୍ଣ୍ଣ କରିଥିଲେ। ସେମାନଙ୍କର ୧୦ବର୍ଷର ପୁଅ ଏବଂ ୧୩ ବର୍ଷର ଝିଅ ଅଛନ୍ତି ଯେଉଁମାନେ ଏଠାରୁ ପାଖାପାଖି ନଅ କିମି ଦୂରରେ ଥିବା ନିମୋନେ ଗ୍ରାମର ଜିଲ୍ଲା ପରିଷଦ ବିଦ୍ୟାଳୟକୁ ଯାଇଥାନ୍ତି। ସନ୍ତୋଷ ଏହି ବସତିର ଏକମାତ୍ର ବ୍ୟକ୍ତି ଯିଏକି ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି । ଯଦିଓ ଏହି ଭିଲ ପାରଧି ପରିବାର ମଧ୍ୟ ପ୍ରତି କିଛି ବର୍ଷରେ ଥରେ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଥାନ୍ତି, ତଥାପି ସେ ନିଜ ପିଲାମାନଙ୍କୁ ସ୍କୁଲ ପଠାଇବାର ବ୍ୟବସ୍ଥା କରିଥାନ୍ତି।

“କିନ୍ତୁ ସେମାନଙ୍କର ପାଠପଢ଼ା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି, କାରଣ ବର୍ତ୍ତମାନ ସବୁକିଛି ଅନଲାଇନ ହୋଇଯାଇଛି”, ସଙ୍ଗୀତା କୁହନ୍ତି। ସେ ଓ ସନ୍ତୋଷ ସେମାନଙ୍କର କୁଡ଼ିଆଠାରୁ କିଛି ଦୂରରେ ଥିବା ଏକ ଛୋଟିଆ ଖୋଲା ଜମିରେ ସବୁଜ ଲଙ୍କା ଓ ଜହ୍ନି ଚାଷ କରିଥାନ୍ତି। “ପ୍ରତିମାସରେ ଆମେ ଏହି ପରିବାଗୁଡ଼ିକରୁ ୨୦-୨୫ କିଲୋ ଲେଖାଏଁ ଅମଳ କରିଥାଉ”, ସଙ୍ଗୀତା କୁହନ୍ତି। ସେମାନେ ଏହାକୁ ଶିରୁର ବଜାରରେ ଥିବା ଖୁଚୁରା ବ୍ୟବସାୟୀଙ୍କୁ ବିକ୍ରି କରିଥାନ୍ତି। ଅମଳ ଓ ମୂଲ୍ୟ ଉପରେ ନିର୍ଭର କରି, ସେମାନେ ମାସକୁ ୩,୦୦୦ରୁ ୪,୦୦୦ ଟଙ୍କା ଆୟ କରିଥାନ୍ତି।

ସେମାନଙ୍କର ଛୋଟିଆ କୁଡ଼ିଆରେ ଚାରି ଜଣ ଲୋକ- ଭିତରେ ଏକ ଧୂଆଁଳିଆ ମାଟି ଚୁଲା, ତା’ସହିତ ପୋଷାକପତ୍ର, ବାସନକୁସନ, ବେଡସିଟ, ଚାଷ ସାମଗ୍ରୀ ଓ ଅନ୍ୟାନ୍ୟ ଘରକରଣା ସାମଗ୍ରୀ ଥାଇ, ଦୂରତା ନିୟମ ପାଳନ କରିବା ନିଶ୍ଚିତ ଅସମ୍ଭବ ହୋଇଥିବ।

'Our settlement doesn’t even have electricity or water', says Santosh; he and Sangeeta were the first to test positive in this Pardhi settlement
PHOTO • Jyoti Shinoli
'Our settlement doesn’t even have electricity or water', says Santosh; he and Sangeeta were the first to test positive in this Pardhi settlement
PHOTO • Jyoti Shinoli

‘ଆମ ବସତିରେ ବିଦ୍ୟୁତ କିମ୍ବା ପାଣି ସଂଯୋଗ ନାହିଁ’, ସନ୍ତୋଷ କୁହନ୍ତି; ସେ ଏବଂ ସଙ୍ଗୀତା ଏହି ପାରଧି ବସତିରେ ପ୍ରଥମେ ପଜିଟିଭ ଚିହ୍ନଟ ହୋଇଥିଲେ।

ମନ୍ତ୍ରଣାଳୟର ମାର୍ଗଦର୍ଶିକାରେ ମଧ୍ୟ ଉଲ୍ଲେଖ କରାଯାଇଛି: ‘ରୋଗୀଙ୍କୁ ଭଲ ଭାବେ ପବନ ଚଳାଚଳ କରୁଥିବା କୋଠରୀରେ ରଖାଯିବା ଉଚିତ୍ ଏବଂ ଘର ଭିତରକୁ ସତେଜ ପବନ ଆସିବା ଲାଗି ଝରକାକୁ ଖୋଲା ରଖାଯିବା ଉଚିତ୍।”

“ଆମ କୁଡ଼ିଆ ଅତି ଛୋଟ। ଝରକା ନାହିଁ। ଆମେ ଯେତେବେଳେ ପ୍ରଥମେ ପଜିଟିଭ ଚିହ୍ନଟ ହେଲୁ ଆମେ ଆମ ପିଲାଙ୍କ ପାଇଁ ବିବ୍ରତ ହୋଇପଡ଼ିଥିଲୁ”, ସଙ୍ଗୀତା କୁହନ୍ତି। ଏପ୍ରିଲ ୨୮ ତାରିଖରେ, ସେମାନେ ସେମାନଙ୍କ ଦୁଇ ପିଲାଙ୍କୁ ଏହି ବସତିରେ ଥିବା ସନ୍ତୋଷଙ୍କ ଭାଇଙ୍କ ଘରକୁ ପଠାଇ ଦେଇଥିଲେ।

“ଆମ ବସତିରେ ବିଦ୍ୟୁତ ଓ ପାଣି ଯୋଗାଣ ମଧ୍ୟ ନାହିଁ। ଏଠାରେ ପରିଚ୍ଛନ୍ନତା ବଜାୟ ରଖିବା ଆମ ପାଇଁ ଦୂରୁହ ବ୍ୟାପାର”, ସନ୍ତୋଷ କୁହନ୍ତି। ମାର୍ଗଦର୍ଶିକାରେ କୁହାଯାଇଛି : ‘ଅତିକମ୍‌ରେ ୪୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବା ଲାଗି ସାବୁନ ଓ ପାଣିର ବ୍ୟବହାର କରନ୍ତୁ। ଆଲକୋହଲଯୁକ୍ତ ହ୍ୟାଣ୍ଡ ରବ ବ୍ୟବହାର କରାଯାଇପାରିବ, ଯଦି ହାତ ମଇଳା ଦେଖାଯାଉନଥାଏ”।

ଅଧା କିମି ଦୂରରେ ଥିବା ଏକ କୂଅରୁ ପରିବାରକୁ ପାଣି ଆଣିବାକୁ ପଡ଼ିଥାଏ। “ଏଠାରେ ସବୁବେଳେ ପାଣି ସମସ୍ୟା ଲାଗି ରହିଥାଏ ଏବଂ ଖରାଦିନେ ସ୍ଥିତି ଆହୁରି ଖରାପ ହୋଇଥାଏ”, ସଙ୍ଗୀତା କୁହନ୍ତି।

ଆମୋଲଙ୍କ ଭଳି, ତାଙ୍କୁ ଏବଂ ସନ୍ତୋଷଙ୍କୁ ସେମାନଙ୍କର ଅଳ୍ପ ଲକ୍ଷଣ ଦୂର କରିବା ନିମନ୍ତେ ୧୦ ଦିନ ପର୍ଯ୍ୟନ୍ତ ଔଷଧ ଦିଆଯାଇଥିଲା, ଏଥିପାଇଁ ସେମାନେ ୧୦,୦୦୦ଟଙ୍କା ଖର୍ଚ୍ଚ କରିଥିଲେ। “ମୋ ପାଖରେ ୪,୦୦୦ ଟଙ୍କା ଥିଲା। ଶିରୁରରେ ଥିବା ମୋର ଜଣେ ବନ୍ଧୁ ମୋତେ ୧୦,୦୦୦ ଟଙ୍କା ଦେଇଥିଲେ”, ସନ୍ତୋଷ କୁହନ୍ତି। “ଯେକୌଣସି ଜରୁରି ଖର୍ଚ୍ଚ ପାଇଁ ସେ ମୋତେ କିଛି ଅଧିକ ଦେଇଥିଲେ।”

ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆୟୁଷ ପ୍ରସାଦ ମୋତେ କହିଥିଲେ ଯେ ମେ ୨୨ ତାରିଖ ସୁଦ୍ଧା ପୁନେ ଜିଲ୍ଲାରେ ୯୯୨,୬୭୧କୋଭିଡ-ପଜିଟିଭ ମାମଲା ଚିହ୍ନଟ କରାଯାଇଥିଲା (ମାର୍ଚ୍ଚ ୨୦୨୦ ପରଠାରୁ)-ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୨୧୦,୦୪୬ଟି ମାମଲା ଥିବା ବେଳେ ୨,୭୫୫ ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଥିଲା। “ମାମଲା ସଂଖ୍ୟା ହ୍ରାସ ପାଉଛି”, ସେ କହିଥିଲେ। ଡ. ଡି. ବି. ମୋରେ ମଧ୍ୟ କହିଥିଲେ ଯେ ଶିରୁର ଗ୍ରାମାଞ୍ଚଳରେ ଦୈନିକ ପଜିଟିଭ୍ ମାମଲା ହ୍ରାସ ପାଉଛି।

ମେ ୨୨ ତାରିଖରେ, ଆମୋଲ ମୋତେ ଫୋନରେ କହିଥିଲେ, “ଆମ ବସତିରେ ଆଉ ଜଣେ ମହିଳା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଦୁଇ ସପ୍ତାହର ପୃଥକ ବାସ ଶେଷ ହୋଇଛି, ତାଙ୍କ ମା’ ଓ ଭାଇଭଉଣୀଙ୍କଠାରେ କୌଣସି ଲକ୍ଷଣ ଦେଖାଦେଇ ନାହିଁ। କିନ୍ତୁ ସେ ପଡ଼ୋଶୀ ଘରର ସେହି କୁଡ଼ିଆରେ ଏବେବି ରହୁଛନ୍ତି। “ମୁଁ ଏବେ ଭଲ ଅନୁଭବ କରୁଛି”, ସେ କୁହନ୍ତି। “କିନ୍ତୁ ସତର୍କତା ଅବଲମ୍ବନ କରିବା ନିମନ୍ତେ ମୁଁ ଆହୁରି ଦୁଇ ସପ୍ତାହ ପର୍ଯ୍ୟନ୍ତ ଏହି କୁଡ଼ିଆରେ ରହିବି।”

ସମ୍ପାଦକଙ୍କ  ଉକ୍ତି : ଆମେ ପ୍ରଥମେ ଏହି ସ୍ତମ୍ଭ ପ୍ରକାଶ କରିବା ପରେ, ଆମୋଲ ବର୍ଦ୍ଦଙ୍କେ ଔଷଧ ବାବଦ ଖର୍ଚ୍ଚ ଏବଂ ସେମାନଙ୍କ ପରିବାରର ଆୟ ସମ୍ପର୍କରେ, ସେମାନଙ୍କ ପରିବାରଠାରୁ ଅଧିକ ସ୍ପଷ୍ଟ ସୂଚନା ପାଇବା ପରେ, ଆମେ କେତେକ ପରିବର୍ତ୍ତନ କରିଥିଲୁ।

ଅନୁବାଦ: ଓଡ଼ିଶାଲାଇଭ୍‍

Jyoti Shinoli

ज्योति शिनोली, पीपल्स आर्काइव ऑफ़ रूरल इंडिया की एक रिपोर्टर हैं; वह पहले ‘मी मराठी’ और ‘महाराष्ट्र1’ जैसे न्यूज़ चैनलों के साथ काम कर चुकी हैं.

की अन्य स्टोरी ज्योति शिनोली
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE