‘‘ବଜେଟ ସବୁ ବଡ଼ ଅଙ୍କ ପାଇଁ। ସରକାରଙ୍କ ପାଇଁ ମୋ ଭଳି ନାଗରିକର କୌଣସି ମୂଲ୍ୟ ନାହିଁ!’’

ଚାନ୍ଦ ରତନ ହାଲଦାର ‘ ସରକାରୀ ବଜେଟ୍‌’ ନାଁ ଶୁଣିବା ମାତ୍ରେ ନିଜର ତିକ୍ତତାକୁ ଲୁଚେଇବାକୁ ଚେଷ୍ଟା କରନ୍ତି ନାହିଁ। ‘‘କେଉଁ ବଜେଟ୍‌? କାହାର ବଜେଟ? ଏହା ସବୁଠୁ ବଡ଼ ବିଶ୍ୱାସଘାତକତା!’’ ୫୩ ବର୍ଷ ବୟସ୍କ ହାଲଦାର କୋଲକାତାର ଯାଦବପୁରରେ ରିକ୍ସା ଚଳେଇଥା’ନ୍ତି।

‘‘ଏତେ ସାରା ବଜେଟ୍ ଏବଂ ଅନେକ ଯୋଜନା ପରେ ମଧ୍ୟ ଆମକୁ ଦିଦି (ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ) କିମ୍ବା (ପ୍ରଧାନମନ୍ତ୍ରୀ) ମୋଦୀଙ୍କଠାରୁ ଘର ମିଳିନାହିଁ। ମୁଁ ତିରିପାଲ ଏବଂ ବାଉଁଶରେ ତିଆରି ପଟ୍ଟିରେ ନିର୍ମିତ ଝୁମ୍ପୁଡ଼ିରେ ରହିଥାଏ, ଯାହା ଭୂମିରେ ପାଖାପାଖି ଗୋଟିଏ ଫୁଟ ପର୍ଯ୍ୟନ୍ତ ଧସିଯାଇଛି,’’ ଚନ୍ଦୁ ଦା କୁହନ୍ତି ଯାହାଙ୍କର ଆଶା କେନ୍ଦ୍ର ବଜେଟରୁ ଆହୁରି ମଧ୍ୟ କମି କମି ଚାଲିଛି।

ସେ ପଶ୍ଚିମବଙ୍ଗ ସୁଭାଷଗ୍ରାମ ସହରର ଜଣେ ଭୂମିହୀନ ବାସିନ୍ଦା ଏବଂ ପ୍ରତ୍ୟେକ ଦିନ ସକାଳୁ ସିଆଲଦା ଅଭିମୁଖେ ଯାଉଥିବା ଲୋକାଲ ଟ୍ରେନରେ ଯାଦବପୁର ଆସନ୍ତି। ସେଠାରେ ସେ ରାତି ହେବା ପର୍ଯ୍ୟନ୍ତ କାମ କରନ୍ତି ଏବଂ ତା’ପରେ ଘରକୁ ଫେରିଯାଆନ୍ତି। ‘‘ଆମ ଲୋକାଲ ଟ୍ରେନ ଭଳି ବଜେଟ୍‌ ଆସିବ ଓ ଯିବ। ସହରକୁ ଆସିବା ଏବେ ବଡ଼ କଷ୍ଟ ହେଲାଣି। ଆମ ଖାଲି ପେଟକୁ ଲାତ ମାରୁଥିବା ଏପରି ବଜେଟ୍‌ର ଲାଭ କ’ଣ?’’ ସେ ପ୍ରଶ୍ନ କରିଥା’ନ୍ତି।

PHOTO • Smita Khator
PHOTO • Smita Khator

ବାମ: ପଶ୍ଚିମବଙ୍ଗ ସୁଭାଷଗ୍ରାମ ସହରର ଜଣେ ବାସିନ୍ଦା ଚାନ୍ଦ ରତନ ହାଲଦାର ସବୁଦିନ କୋଲକାତାକୁ ଆସି ଜଣେ ରିକ୍ସାଚାଳକ ଭାବେ କାମ କରନ୍ତି। ସେ କୁହନ୍ତି, ‘ଆମ ଲୋକାଲ ଟ୍ରେନ ଭଳି ବଜେଟ୍‌ ଆସିବ ଓ ଯିବ। ସହରକୁ ଆସିବା ଏବେ ବଡ଼ କଷ୍ଟ ହେଲାଣି’। ଡାହାଣ: ତାଙ୍କ ଗୋଡ଼ରେ ହୋଇଥିବା ଏକ ଟ୍ୟୁମରକୁ ସେ ଦେଖାଉଛନ୍ତି

ପରିଚିତ ଲୋକଙ୍କ ଦ୍ୱାରା ଚନ୍ଦୁ ଦା ନାମରେ ସମ୍ବୋଧିତ ହେଉଥିବା ଏହି ବ୍ୟକ୍ତି ଜଣଙ୍କ ଯାତ୍ରୀଙ୍କ ପ୍ରତୀକ୍ଷାରେ ଯାଦବପୁର ବିଶ୍ୱବିଦ୍ୟାଳୟର ୪ନମ୍ବର ଗେଟ୍‌ ସାମ୍ନାରେ ଛିଡ଼ା ହୋଇଥା’ନ୍ତି। ଏଠାରେ ପୂର୍ବରୁ ୨୦ରୁ ଅଧିକ ରିକ୍ସାର ଗହଳି ଜମୁଥିଲା, ଏବେ କିନ୍ତୁ ତାଙ୍କ ସହିତ ମାତ୍ର ତିନୋଟି ରିକ୍ସା ଅଛି । ସେ ଦିନକୁ ୩୦୦ରୁ ୫୦୦ ଟଙ୍କା ମଧ୍ୟରେ ରୋଜଗାର କରନ୍ତି।

‘‘ମୁଁ ଏଠାରେ ଚାରି ଦଶନ୍ଧିରୁ ଅଧିକ ସମୟ ହେବ କାମ କରି ଆସୁଛି। ମୋ ସ୍ତ୍ରୀ ଅନ୍ୟ ଜଣଙ୍କ ଘରେ କାମ କରେ। ଅନେକ କଷ୍ଟ ସହି ଆମେ ଆମ ଦୁଇ ଝିଅଙ୍କ ବାହାଘର ସାରିଦେଇଛୁ। କେବେ କୌଣସି ଭୁଲ କରି ନାହୁଁ। ଗୋଟିଏ ପଇସା କେବେ ଚୋରି କରିନାହୁଁ କି କେବେ କିଛି ଠକାମି କରିନାହୁଁ। ତଥାପି ଆମେ ଆମ ପାଇଁ ଦୁଇ ଓଳି ଖାଦ୍ୟ ଯୋଗାଡ଼ କରିବାକୁ ସୁଦ୍ଧା ଅକ୍ଷମ। ୭, ୧୦ କିମ୍ବା ୧୨ ଲକ୍ଷ (ଟଙ୍କା)କୁ ନେଇ ଏହି ଚର୍ଚ୍ଚା ଆମ ପାଇଁ କୌଣସି ମୂଲ୍ୟ ରଖେ ବୋଲି ଆପଣ ଭାବୁଛନ୍ତି କି?’’ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଆୟକର ଛାଡ଼ ବିଷୟରେ ଉଲ୍ଲେଖ କରି ସେ କୁହନ୍ତି।

‘‘ଯେଉଁମାନେ ମୋଟା ଅଙ୍କର ଟଙ୍କା ରୋଜଗାର କରିଥା’ନ୍ତି ବଜେଟ୍‌ ସେମାନଙ୍କୁ ଛାଡ଼ ଦେଇଥାଏ। ବ୍ୟବସାୟ ନାଁରେ ବ୍ୟାଙ୍କରୁ କୋଟି କୋଟି ଟଙ୍କା ନେଇ ବିଦେଶକୁ ପଳାୟନ କରୁଥିବା ଲୋକଙ୍କର ସରକାର କିଛି କରିବେ ନାହିଁ । କିନ୍ତୁ, ଯଦି ମୋ ଭଳି ଜଣେ ଗରିବ ରିକ୍ସାବାଲା ଭୁଲ ରାସ୍ତାରେ ଚାଲିଗଲା ତା’ହେଲେ ଆମ ଗାଡ଼ି ଜବତ କରି ନିଆଯିବ ଏବଂ ପୁଲିସକୁ ଆମେ ଲାଞ୍ଚ ନଦେଲେ ଆମକୁ ନିର୍ଯାତନା ଦିଆଯିବ,’’ ସେ ପରୀକୁ କୁହନ୍ତି।

ସ୍ୱାସ୍ଥ୍ୟସେବା କ୍ଷେତ୍ର ପାଇଁ ପ୍ରସ୍ତାବିତ ବଜେଟ ବ୍ୟବସ୍ଥା ସମ୍ପର୍କରେ ଶୁଣିବା ପରେ ଚନ୍ଦୁ ଦା କୁହନ୍ତି, ତାଙ୍କ ଭଳି ଲୋକଙ୍କୁ ସର୍ବନିମ୍ନ ସ୍ୱାସ୍ଥ୍ୟସେବା ପାଇବାକୁ ହେଲେ ଲମ୍ବା ଲାଇନରେ ଛିଡ଼ା ହେବାକୁ ଏବଂ ଦିନ ସାରା ଅପେକ୍ଷା କରିବାକୁ ପଡ଼ିଥାଏ। ‘‘ମୋତେ କୁହନ୍ତୁ, ଯଦି ଡାକ୍ତରଖାନା ଯିବା ପାଇଁ ମୋତେ ମୋ ମଜୁରି ସହ ସାଲିସ କରିବାକୁ ପଡ଼ିବ, ତା’ହେଲେ ଶସ୍ତା ଔଷଧର ମୂଲ୍ୟ କ’ଣ?’’ ତାଙ୍କର ଗୋଟିଏ ଗୋଡ଼ରେ ହୋଇଥିବା ଟ୍ୟୁମରକୁ ଦେଖାଇ ସେ କୁହନ୍ତି, ‘‘ଏଥିପାଇଁ ମୋତେ କେତେ କଷ୍ଟ ସହିବାକୁ ପଡ଼ିବ ମୁଁ ଜାଣେ ନାହିଁ।’’

ଅନୁବାଦ: ଓଡ଼ିଶାଲାଇଭ୍‍

Smita Khator

Smita Khator is the Chief Translations Editor, PARIBhasha, the Indian languages programme of People's Archive of Rural India, (PARI). Translation, language and archives have been her areas of work. She writes on women's issues and labour.

Other stories by Smita Khator
Editor : Priti David

Priti David is the Executive Editor of PARI. She writes on forests, Adivasis and livelihoods. Priti also leads the Education section of PARI and works with schools and colleges to bring rural issues into the classroom and curriculum.

Other stories by Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE