ପ୍ରତ୍ୟେକ ଥର ମୁଁ ମୋ ଲୋକଙ୍କ ମୃତ୍ୟୁକୁ ନେଇ କିଛି ଲେଖିବାକୁ ଚେଷ୍ଟା କଲେ ମୋର ମସ୍ତିଷ୍କ ଖାଲି ହୋଇଯାଏ, ଯେମିତି ଶରୀରରୁ ପ୍ରାଣ ଛାଡ଼ି ଚାଲିଯାଏ।

ଆମ ଚାରି ପାଖରେ ଦୁନିଆ ଏତେ ଆଧୁନିକ ହୋଇସାରିଥିଲେ ହେଁ ଆମ ସମାଜ ହାତରେ ମଇଳା କାଢ଼ୁଥିବା ଶ୍ରମିକଙ୍କ ପ୍ରତି ଧ୍ୟାନ ଦେଉନାହିଁ। ସରକାର କେବଳ ଏହି ମୃତ୍ୟୁର ଘଟଣାକୁ ଅସ୍ୱୀକାର କରିଥା’ନ୍ତି, କିନ୍ତୁ ଚଳିତ ବର୍ଷ ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଠାୱାଲେ ତଥ୍ୟ ପ୍ରଦାନ କରି ଦର୍ଶାଇଛନ୍ତି ଯେ ‘‘ନର୍ଦ୍ଦମା ଏବଂ ସେପ୍ଟିକ୍ ଟାଙ୍କିଗୁଡ଼ିକର ବିପଜ୍ଜନକ ସଫେଇ କାରଣରୁ’’ ୨୦୧୯-୨୦୨୩ ମଧ୍ୟରେ ୩୭୭ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।

ଗତ ସାତ ବର୍ଷ ମଧ୍ୟରେ ମୁଁ ଏକାକୀ ସଂଖ୍ୟାଧିକ ଭୂଗର୍ଭ ନର୍ଦ୍ଦମା ବା ମ୍ୟାନହୋଲ୍‌ ଜନିତ ମୃତ୍ୟୁକୁ ପାଖରୁ ଦେଖିଛି। ୨୦୨୨ ପରଠାରୁ କେବଳ ଚେନ୍ନାଇ ଜିଲ୍ଲାର ଆୱଡ଼ିରେ ୧୨ରୁ ଅଧିକ ମ୍ୟାନହୋଲ ମୃତ୍ୟୁ ହୋଇଛି।

ଅଗଷ୍ଟ ୧୧ ତାରିଖରେ, ଠିକା ଶ୍ରମିକ ଭାବେ କାମ କରୁଥିବା ୨୫ ବର୍ଷ ବୟସ୍କ ଆୱଡି ବାସିନ୍ଦା ତଥା ଅରୁନ୍ଧତିୟାର ସମ୍ପ୍ରଦାୟର ସଦସ୍ୟ ହରି ଏକ ସ୍ୱେରେଜ୍ କେନାଲ ସଫା କରୁଥିବାବେଳେ ବୁଡ଼ି ଯାଇଥିଲେ।

ହରି ଆନ୍ନା ଙ୍କ ମୃତ୍ୟୁର ୧୨ ଦିନ ପରେ ମୁଁ ରିପୋର୍ଟ ସଂଗ୍ରହ କରିବାକୁ ଯାଇଥିଲି। ମୁଁ ଦେଖିଲି ତାଙ୍କ ଘରେ ଏକ ଫ୍ରିଜର୍‌ ବାକ୍ସ ଭିତରେ ଶବ ପଡ଼ିରହିଛି। ତାଙ୍କ ପତ୍ନୀ ତାମିଲ ସେଲଭିଙ୍କୁ ପରିବାର ଲୋକମାନେ ଶେଷରେ ଜଣେ ବିଧବାଙ୍କ ଦ୍ୱାରା କରାଯିବାକୁ ଥିବା ସମସ୍ତ ରୀତିନୀତି ପାଳନ କରିବାକୁ କହିଥିଲେ। ତାଙ୍କ ପଡ଼ୋଶୀ ଓ ସମ୍ପର୍କୀୟମାନେ ତାଙ୍କ ଦେହସାରା ହଳଦୀ ଲେପ ଲଗାଇଥିଲେ ଏବଂ ତା'ପରେ ତାଙ୍କ ଥାଳି (ଜଣେ ବିବାହିତ ମହିଳାଙ୍କ ପ୍ରତୀକ) କାଟିବା ପୂର୍ବରୁ ତାଙ୍କୁ ଗାଧୋଇଥିଲେ। ଏହି ରୀତିନୀତି ସମୟରେ ସେ ଗମ୍ଭୀର ଏବଂ ନୀରବ ରହିଥିଲେ।

PHOTO • M. Palani Kumar

ହାତରେ ମଇଳା ସଫା କରିବା କାରଣରୁ ହରିଙ୍କ ମୃତ୍ୟୁ ଘଟିଥିଲା। ସେ ଓ ତାଙ୍କର ଭିନ୍ନକ୍ଷମ ପତ୍ନୀ ତାମିଲ ସେଲଭି ପ୍ରେମ ବିବାହ କରିଥିଲେ। ତାମିଲ ଓ ସେମାନଙ୍କର ଝିଅ ତାଙ୍କର ଶବ ପାଖରେ ବସି ବହୁତ କାନ୍ଦୁଥିଲେ

PHOTO • M. Palani Kumar
PHOTO • M. Palani Kumar

ବାମ : ସ୍ୱର୍ଗତ ଗୋପୀଙ୍କ ପତ୍ନୀ ଦୀପା ଆକ୍କା। ନିଜ ଭଲ ପାଇବାକୁ ଦର୍ଶାଇବା ଲାଗି ସେ ତାଙ୍କ ଡାହାଣ ହାତରେ ନିଜ ସ୍ୱାମୀଙ୍କ ନାଁ ଟାଟୁ କରିଛନ୍ତି। ଡାହାଣ : ଅଗଷ୍ଟ ୨୦ ତାରିଖରେ ତାଙ୍କର ବିବାହବାର୍ଷିକୀ ଏବଂ ସେମାନଙ୍କ ଝିଅ ( ଏଠାରେ ଉପସ୍ଥିତ ) ର ଜନ୍ମଦିନ ଅଗଷ୍ଟ ୩୦ ତାରିଖର ମାତ୍ର କିଛି ଦିନ ପୂର୍ବରୁ ୧୧ ଅଗଷ୍ଟ ୨୦୨୪ରେ ତାଙ୍କର ମୃତ୍ୟୁ ଘଟିଥିଲା

ଯେତେବେଳେ ସେ ପୋଷାକ ବଦଳାଇବା ପାଇଁ ଅନ୍ୟ ଏକ କୋଠରୀକୁ ଗଲେ, ସମଗ୍ର ସ୍ଥାନ ନୀରବତାରେ ଭରିଗଲା। ସେମାନଙ୍କ ଘର କେବଳ ଲାଲ ଇଟାରେ ନିର୍ମିତ ହୋଇଥିଲା ସେଥିରେ ସିମେଣ୍ଟ ଲାଗିନଥିଲା। ପ୍ରତ୍ୟେକ ଫାଙ୍କା ଇଟା ଭାଙ୍ଗିପଡ଼ିଥିଲା ଏବଂ କ୍ଷୟ ହୋଇ ଚାଲିଥିଲା। ଘରଟି ଭୁଶୁଡ଼ିବା ସ୍ଥିତିରେ ଥିବା ଭଳି ଲାଗୁଥିଲା।

ତାମିଲ ସେଲଭି ଆକ୍କା ଶାଢ଼ୀ ବଦଳାଇ ଫେରିବା ପରେ ଖୁବଜୋରରେ ବୋବାଳି ଛାଡ଼ି ଫ୍ରିଜର ବକ୍ସ ଆଡ଼କୁ ଦୌଡ଼ିଥିଲେ ଏବଂ ଫ୍ରିଜର ବାକ୍ସ ପାଖରେ ବସି କାନ୍ଦିବାକୁ ଲାଗିଲେ। ତାଙ୍କ ଆର୍ତ୍ତ ଚିତ୍କାର ଭିଡ଼ ଏବଂ କୋଠରୀକୁ ସମ୍ପୂର୍ଣ୍ଣ ନିରବତାରେ ଭରି ଦେଇଥିଲା।

‘‘ହେ ପ୍ରିୟ! ଉଠ! ମୋତେ ଦେଖ ମାମା (ସ୍ନେହବୋଳା ସମ୍ବୋଧନ)। ସେମାନେ ମୋତେ ଗୋଟେ ଶାଢ଼ି ପିନ୍ଧାଇ ଦେଇଛନ୍ତି। ମୁଁ ଶାଢ଼ି ପିନ୍ଧିଲେ ତୁମକୁ ଭଲ ଲାଗେ ନାହିଁ, ଠିକ୍‌ ନା? ଉଠ ଆଉ ସେମାନଙ୍କୁ କୁହ ଯେ ସେମାନେ ଯେମିତି ମୋତେ ବାଧ୍ୟ କରିବେ ନାହିଁ।’’

ଏହି ଶବ୍ଦଗୁଡ଼ିକ ଆଜି ମଧ୍ୟ ମୋ ଭିତରେ ପ୍ରତିଧ୍ୱନିତ ହେଉଛି। ତାମିଲ ସେଲଭି ଆକ୍କା ଗୋଟିଏ ହାତ ହରାଇବା ପରେ ଶାରୀରିକ ଭାବରେ ଭିନ୍ନକ୍ଷମ ହେବାର ଆହ୍ୱାନକୁ ନେଇ ବଞ୍ଚିଥିଲେ। ଶାଢ଼ିର କାନିକୁ ତାଙ୍କ କାନ୍ଧ ଉପରେ ରଖିବା ମଧ୍ୟ ତାଙ୍କ ପାଇଁ କଷ୍ଟକର। ସେଥିପାଇଁ ସେ ଶାଢ଼ୀ ପିନ୍ଧନ୍ତି ନାହିଁ। ଏହି ସ୍ମୃତି ସବୁବେଳେ ରହିଛି ଏବଂ ମୋତେ ପ୍ରତିଦିନ ବ୍ୟତିବ୍ୟସ୍ତ କରୁଛି।

ମୁଁ ଦେଖିଥିବା ପ୍ରତ୍ୟେକ ମୃତ୍ୟୁ ମୋ ସ୍ମୃତିରେ ଉଜ୍ଜୀବିତ ହୋଇ ରହିଛି।

ପ୍ରତ୍ୟେକ ଏବଂ ସବୁ ମ୍ୟାନହୋଲ ମୃତ୍ୟୁ ପଛରେ ଅନେକ କାହାଣୀ ଲୁଚି ରହିଛି। ୨୨ ବର୍ଷ ବୟସ୍କା ଦୀପା ନିକଟରେ ଆୱଡ଼ି ଠାରେ ତାଙ୍କ ସ୍ୱାମୀ ଗୋପୀଙ୍କୁ ମ୍ୟାନହୋଲ ମୃତ୍ୟୁ କାରଣରୁ ହରାଇଥିଲେ। ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ତାଙ୍କ ପରିବାରର ଖୁସି ଓ ଆନନ୍ଦର କ୍ଷତିକୁ ଭରଣା କରିପାରିବ କି ବୋଲି ଏଠାରେ ପ୍ରଶ୍ନ ଉଠିଥାଏ। ‘’୨୦ ଅଗଷ୍ଟରେ ଆମର ବିବାହ ବାର୍ଷିକୀ ଏବଂ ୩୦ ଅଗଷ୍ଟରେ ଆମ ଝିଅର ଜନ୍ମ ଦିନ, ସେହି ମାସରେ ସେ ଆମକୁ ଛାଡ଼ି ଚାଲିଗଲେ,’’ ସେ କହିଥିଲେ। ସେମାନେ ପାଇଥିବା ଆର୍ଥିକ କ୍ଷତିପୂରଣ ସେମାନଙ୍କ ସମସ୍ତ ଆର୍ଥିକ ଆବଶ୍ୟକତାକୁ ପୂରଣ କରିବାକୁ ଯଥେଷ୍ଟ ନୁହେଁ।

PHOTO • M. Palani Kumar
PHOTO • M. Palani Kumar

ବାମ : ଗୋପୀଙ୍କ ଶରୀରକୁ ରାସ୍ତାକୁ ଆଣିବା ପୂର୍ବରୁ ପରିବାର ସଦସ୍ୟମାନେ ଶୁଖିଲା ବର ପତ୍ରରେ ନିଆଁ ଲଗାଉଛନ୍ତି। ଡାହାଣ : ସେମାନେ ପ୍ରଥାର ଅଂଶବିଶେଷ ସ୍ୱରୂପ ଭୂମି ଉପରେ ଫୁଲ ରଖୁଛନ୍ତି

PHOTO • M. Palani Kumar

ଗୋପୀଙ୍କ ମୃତଦେହ ଗୋଟିଏ ବରଫ ବାକ୍ସରେ ରଖାଯାଇଛି । ହାତରେ ମଇଳା ସଫା କରିବାକୁ ୨୦୧୩ରେ ଏକ ଆଇନ ମାଧ୍ୟମରେ ନିଷିଦ୍ଧ କରାଯାଇଥିଲେ ସୁଦ୍ଧା ଏହି ପ୍ରଥା ଜାରି ରହିଛି । ଶ୍ରମିକମାନେ କୁହନ୍ତି ଯେ କର୍ତ୍ତୃପକ୍ଷ ସେମାନଙ୍କୁ ମ୍ୟାନହୋଲ ଭିତରକୁ ପ୍ରବେଶ କରିବା ପାଇଁ ବାଧ୍ୟ କରନ୍ତି ଏବଂ ଏପରି ନକଲେ ମଜୁରି ଦେବେ ନାହିଁ ବୋଲି ଧମକ ଦିଅନ୍ତି

PHOTO • M. Palani Kumar

ଦୀପା ଆକ୍କା ତାଙ୍କ ସ୍ୱାମୀ ଗୋପୀଙ୍କ ମୃତଦେହକୁ ଧରି ରଖିଛନ୍ତି , ଯିବାକୁ ଦେଉନାହାନ୍ତି

ମ୍ୟାନ୍‌ହୋଲ୍ ମୃତ୍ୟୁର ସମ୍ମୁଖୀନ ହେଉଥିବା ପରିବାରର ମହିଳା ଏବଂ ପିଲାମାନଙ୍କୁ ପ୍ରାୟତଃ ପୀଡ଼ିତ ଭାବରେ ବିବେଚନା କରାଯାଏ ନାହିଁ। ଭିଲୁପୁରମ ଜିଲ୍ଲାର ମଦମପଟ୍ଟୁ ଗ୍ରାମରେ, ଯେତେବେଳେ ଅନୁସୀୟା ଆକ୍କାଙ୍କ ସ୍ୱାମୀ ମାରୀ ଏକ ମେନହୋଲରେ ମୃତ୍ୟୁବରଣ କରିଥିଲେ, ସେତେବେଳେ ସେ ଆଠ ମାସର ଗର୍ଭବତୀ ଥିବାରୁ ସେ କାନ୍ଦି ସୁଦ୍ଧା ପାରିନଥିଲେ। ଏହି ଦମ୍ପତ୍ତିଙ୍କର ପୂର୍ବରୁ ତିନୋଟି ଝିଅ ଥିଲେ; ବଡ଼ ଦୁଇ ଝିଅ କାନ୍ଦୁଥିଲେ କିନ୍ତୁ ସେମାନଙ୍କର ତୃତୀୟ ଝିଅ ଯିଏ କ’ଣ ଘଟୁଛି ତାହା ବୁଝିପାରୁନଥିଲା, କେବଳ ତାମିଲନାଡୁର ଏହି ପୂର୍ବ ପ୍ରାନ୍ତରେ ଥିବା ସେମାନଙ୍କ ଘର ଚାରିପଟେ ଘୁରି ବୁଲୁଥିଲା।

ସରକାରୀ କ୍ଷତିପୂରଣ ଟଙ୍କା ବୋଲି ମଧ୍ୟ ବିବେଚନା କରାଯାଏ। ‘‘ଏହି ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ମୁଁ ଅସମର୍ଥ । ଏହାକୁ ଖର୍ଚ୍ଚ କରିବା ମୋ ସ୍ୱାମୀଙ୍କ ରକ୍ତ ପିଇବା ଭଳି ଲାଗିଥାଏ,’’ ଅନୁସୀୟା ଆକ୍କା କହିଥିଲେ।

ହାତରେ ମଇଳା ସଫା କରୁଥିବା ତାମିଲନାଡ଼ୁ କରୁର୍‌ ଜିଲ୍ଲାର ଆଉ ଜଣେ ମୃତ ଶ୍ରମିକ ବାଲକ୍ରିଷ୍ଣନଙ୍କ ପରିବାରକୁ ଭେଟିବା ପାଇଁ ମୁଁ ଯେତେବେଳେ ଯାଇଥିଲି, ମୁଁ ଦେଖିଲି ଯେ ତାଙ୍କ ପତ୍ନୀ ଗମ୍ଭୀର ଅବସାଦ ଦ୍ୱାରା ପୀଡ଼ିତ। ସେ କହିଥିଲେ ଯେ କାମ କରୁଥିବା ସମୟରେ ସେ ନିଜ ଚାରିପାଖରେ ଥିବା ଜିନିଷଗୁଡ଼ିକୁ ଭୁଲି ଯାଇଥାନ୍ତି। ନିଜର ସ୍ଥିତି ସମ୍ପର୍କରେ ଅବଗତ ହେବା ପାଇଁ ତାଙ୍କୁ କିଛି ସମୟ ଲାଗିଥାଏ, ସେ କହିଥିଲେ।

ଏସବୁ ପରିବାରଗୁଡ଼ିକର ଜୀବନ ନଷ୍ଟଭ୍ରଷ୍ଟ ହୋଇଯାଏ। କିନ୍ତୁ ଆମ ପାଇଁ ଏସବୁ ମୃତ୍ୟୁ କେବଳ ଏକ ଖବର ଠାରୁ ଅଧିକ କିଛି ନୁହେଁ।

PHOTO • M. Palani Kumar

ଭିଲ୍ଲୁପୁରମର ମଦମପଟ୍ଟୁ ଗାଁରେ ହାତରେ ମଇଳା ସଫା କରିବା କାରଣରୁ ମାରୀଙ୍କର ମୃତ୍ୟୁ ଘଟିଥିଲା ଏବଂ ପରିବାରରେ ତାଙ୍କର ୮ ମାସର ଗର୍ଭବତୀ ପତ୍ନୀ ଅନୁସୀୟା ଥିଲେ

PHOTO • M. Palani Kumar

ମାରୀଙ୍କ ଶବକୁ ତାଙ୍କ ଘରୁ ତାଙ୍କ ସମ୍ପ୍ରଦାୟ ପାଇଁ ନିର୍ଦ୍ଧାରିତ ସମାଧି ସ୍ଥଳକୁ ନିଆଯାଉଛି, ଯାହା ଅନ୍ୟମାନଙ୍କଠାରୁ ଅଲଗା ସ୍ଥାନରେ ଅଛି

୧୧ ସେପ୍ଟେମ୍ବର ୨୦୨୩ରେ ଆୱାଡ଼ି ଭୀମା ନଗରର ଜଣେ ସଫେଇ କର୍ମଚାରୀ ମୋସେସଙ୍କ ଦେହାନ୍ତ ହୋଇଥିଲା। ଟାଇଲ୍ ଛାତ ଥିବା ଏକମାତ୍ର ଘର ହେଉଛି ତାଙ୍କର। ତାଙ୍କର ଦୁଇ ଝିଅ ପରିସ୍ଥିତିକୁ ବୁଝିବାରେ ସକ୍ଷମ ହୋଇଥିଲେ। ତାଙ୍କ ଶବ ପହଞ୍ଚିବାର ଗୋଟିଏ ଦିନ ପୂର୍ବରୁ ମୁଁ ତାଙ୍କ ଘରେ ଥିଲି ଏବଂ ତାଙ୍କ ଝିଅମାନେ ‘ଡାଡ୍‌ ଲଭ୍ସ ମି’ ଏବଂ ‘ଡାଡ୍‌ସ୍‌ ଲିଟିଲ୍‌ ପ୍ରିନ୍ସେସ୍‌’ ଲେଖିଥିବା ଟି-ସାର୍ଟ ପିନ୍ଧିଥିଲେ। ଏହା ଏକ ସଂଯୋଗ ଥିଲା କି ନାହିଁ ସେ ସମ୍ପର୍କରେ ମୁଁ ନିଶ୍ଚିତ ନଥିଲି।

ସେମାନେ ସାରା ଦିନ ଲଗାତାର କାନ୍ଦୁଥିଲେ, ଏବଂ ଅନ୍ୟମାନେ ଶାନ୍ତ୍ୱନା ଦେବା ସତ୍ତ୍ୱେ ସେମାନେ ଶାନ୍ତ ହୋଇନଥିଲେ।

ଯଦିଓ ଆମେ ଏସବୁ ବିଷୟରେ ଲେଖିବା ଏବଂ ଏହାକୁ ଲୋକଲୋଚନକୁ ଆଣିବା ପାଇଁ ଚେଷ୍ଟା କରୁ, ତଥାପି ଏହି ମୃତ୍ୟୁଗୁଡ଼ିକୁ ଏକ ସାଧାରଣ ଖବର ବୋଲି ବିଚାର କରିବାର ପ୍ରବୃତ୍ତି ଥାଏ।

PHOTO • M. Palani Kumar
PHOTO • M. Palani Kumar

ବାମ: ଚେନ୍ନାଇର ଆୱଡି, ଭୀମ ନଗରରେ ଅନ୍ୟ ଏକ ଅନ୍ତିମ ସଂସ୍କାରରେ, ମୋସେସଙ୍କ ବିଚଳିତ ପରିବାର ତାଙ୍କ ଶରୀରରେ ଫୁଲ ରଖୁଛନ୍ତି। ଡାହାଣ: ପରିବାର ତାଙ୍କ ଶବ ଆଗରେ ପ୍ରାର୍ଥନା କରୁଛନ୍ତି

PHOTO • M. Palani Kumar
PHOTO • M. Palani Kumar

ବାମ: ଯେତେବେଳେ ଆୱଡ଼ି ମୋସେସଙ୍କ ଶବରୁ ଦୁର୍ଗନ୍ଧ ବାହାରିବା ଆରମ୍ଭ କରିଥିଲା, ଲୋକମାନେ ତା’କୁ ଶୀଘ୍ର ନେଇଯିବା ପାଇଁ ବାହାରିଥିଲେ। ଡାହାଣ: ସ୍ୱର୍ଗତ ଆୱଡ଼ି ମୋସେସଙ୍କ ଘର

ଦୁଇ ବର୍ଷ ପୂର୍ବରୁ ଶ୍ରୀପେରମ୍ବଦୁରର ଗୋଟିଏ ପଡ଼ା କାଞ୍ଜିପଟ୍ଟୁରେ,, ତିନି ଜଣ ସଫେଇ କର୍ମଚାରୀ-୨୫ ବର୍ଷ ବୟସ୍କ ନବୀନ କୁମାର, ୨୦ ବର୍ଷ ବୟସ୍କ ତିରୁମାଲାଇ ଏବଂ ୫୦ ବର୍ଷ ବୟସ୍କ ରଙ୍ଗନାଥନଙ୍କ ଦେହାନ୍ତ ହୋଇଥିଲା। ତିରୁମଲାଇ ନବବିବାହିତ ଏବଂ ରଙ୍ଗନାଥନ ଦୁଇଟି ସନ୍ତାନର ପିତା ଥିଲେ। ମୃତ୍ୟୁବରଣ କରୁଥିବା ଅନେକ ଶ୍ରମିକ ନବବିବାହିତ ହୋଇଥା’ନ୍ତି ଏବଂ ସେମାନଙ୍କ ବିଧବା ପତ୍ନୀଙ୍କୁ ନିରାଶ୍ରୟା ରୂପେ ଦେଖିବା ହୃଦୟ ବିଦାରକ । ମୁତୁଲକ୍ଷ୍ମୀଙ୍କ ସ୍ୱାମୀଙ୍କ ମୃତ୍ୟୁର କିଛି ମାସ ପରେ ଅନ୍ୟମାନେ ତାଙ୍କ ଶିଶୁକୁ ସ୍ୱାଗତ କରିବାର ବ୍ୟବସ୍ଥା କରିଥିଲେ।

ହାତରେ ମଇଳା ସଫା କରିବା ଆମ ଦେଶରେ ଏକ ବେଆଇନ କାର୍ଯ୍ୟ । ତଥାପି, ଆମେ ମ୍ୟାନହୋଲ୍‌ ଜନିତ ମୃତ୍ୟୁ ରୋକିବାରେ ଅସମର୍ଥ। ଏହି ପ୍ରସଙ୍ଗକୁ କେମିତି ଆଗକୁ ବଢ଼ାଇବି ସେ ନେଇ ମୋ ମୁଣ୍ଡକୁ କିଛି ଉପାୟ ଆସୁନାହିଁ। ମୋର ଲେଖା ଏବଂ ଫଟୋଗ୍ରାଫ୍ ହେଉଛି ଏକମାତ୍ର ଉପାୟ ଯାହା ମାଧ୍ୟମରେ ମୁଁ ଏହି ଭୟଙ୍କର କାର୍ଯ୍ୟକୁ ବନ୍ଦ କରିବାକୁ ଆଶା ରଖିଛି।

ଏହି ମୃତ୍ୟୁଗୁଡ଼ିକ ମଧ୍ୟରୁ ପ୍ରତ୍ୟେକଟି ମୋ ଉପରେ ଅତ୍ୟଧିକ ଚାପ ପକାଉଛି। ସେମାନଙ୍କ ଅନ୍ତିମ ସଂସ୍କାରରେ କାନ୍ଦିବା ମୋ ପାଇଁ ଠିକ୍ କି ନୁହେଁ, ସେହି ପ୍ରଶ୍ନ ମୁଁ ବାରମ୍ବାର ନିଜକୁ ପଚାରିଥାଏ। ବୃତ୍ତିଗତ ଦୁଃଖ ବୋଲି କିଛି ନାହିଁ। ଏହା ସବୁବେଳେ ବ୍ୟକ୍ତିଗତ। ଯଦି ଏହି ମୃତ୍ୟୁଗୁଡ଼ିକ ପାଇଁ ହୋଇନଥା’ନ୍ତା ତା’ହେଲେ ମୁଁ କେବେ ବି ଜଣେ ଫଟୋଗ୍ରାଫର ହୋଇନଥା’ନ୍ତି। ଆଉ ଗୋଟିଏ ମ୍ୟାନହୋଲ ମୃତ୍ୟୁକୁ ରୋକିବା ପାଇଁ, ମୁଁ ଆଉ ଅଧିକ କ’ଣ କରିବା ଉଚିତ୍? ଆମେ ସମସ୍ତେ କ’ଣ କରିବା ଉଚିତ୍‌?

PHOTO • M. Palani Kumar

୨ ଅଗଷ୍ଟ ୨୦୧୯ରେ ହାତରେ ମଇଳା ସଫା କରୁଥିବା ସମୟରେ ସଫେଇ କର୍ମଚାରୀ ମୋସେସଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ପତ୍ନୀ ମ୍ୟାରୀ ନୀଳ ଶାଢ଼ିରେ

PHOTO • M. Palani Kumar
PHOTO • M. Palani Kumar

ବାମ: ରଙ୍ଗନାଥନଙ୍କ ଘରେ, ତାଙ୍କ ସମ୍ପର୍କୀୟମାନେ ତାଙ୍କ ମୃତ୍ୟୁ ସମ୍ବନ୍ଧୀୟ ରୀତିନୀତି ପାଇଁ ଚାଉଳ ବଣ୍ଟନ କରିଥିଲେ। ୨୦୨୨ ଦୀପାବଳିର ଗୋଟିଏ ସପ୍ତାହ ପୂର୍ବରୁ ତାମିଲନାଡୁର ଶ୍ରୀପେରମ୍ବଦୁର ନିକଟସ୍ଥ କାଞ୍ଜିପଟ୍ଟୁ ଗ୍ରାମରେ ଏକ ସେପ୍ଟିକ୍ ଟାଙ୍କି ସଫା କରୁଥିବାବେଳେ ରଙ୍ଗନାଥନ ଏବଂ ନବୀନ କୁମାରଙ୍କ ମୃତ୍ୟୁ ଘଟିଥିଲା। ଡାହାଣ: ଯେତେବେଳେ ଶ୍ରୀପେରୁମ୍ବୁଦୁରର ଏକ ସେପ୍ଟିକ୍ ଟାଙ୍କି ସଫା କରିବା ସମୟରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା, ସେତେବେଳେ ଶ୍ମଶାନ ଅତ୍ୟନ୍ତ ବ୍ୟସ୍ତ ହୋଇପଡ଼ିଥିଲା

PHOTO • M. Palani Kumar
PHOTO • M. Palani Kumar

ବାମ: ଅକ୍ଟୋବର ୨୦୨୪ରେ ଚାକିରି ନିୟମିତ କରିବା ଓ ବେତନ ବୃଦ୍ଧି ଦାବିରେ ଚେନ୍ନାଇ ମହାନଗର ନିଗମର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରୁଛନ୍ତି। ସେମାନେ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା-ଜାତୀୟ ସହରାଞ୍ଚଳ ଜୀବିକା ମିଶନ (ଡିଏୱାଇ-ଏନୟୁଏଲଏମ୍) ଅଧୀନରେ ନିଯୁକ୍ତି ପାଇଛନ୍ତି। ସ୍ଥାୟୀ ଚାକିରି ଏବଂ ଦରମା ବୃଦ୍ଧି ଦାବି କରି ଲେଫ୍ଟ ଟ୍ରେଡ ୟୁନିଅନ ସେଣ୍ଟର (ଏଲଟିୟୁସି) ସଦସ୍ୟଙ୍କ ନେତୃତ୍ୱରେ ସେମାନେ ଏଠାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଡାହାଣ: କୋଭିଡ଼ ପରେ ବର୍ଜ୍ୟ ପରିଚାଳନାର ଘରୋଇକରଣ ବିରୁଦ୍ଧରେ ପ୍ରତିବାଦ କରୁଥିବା ୫,୬ ଓ ୭ ଜୋନର ସଫେଇ କର୍ମଚାରୀମାନଙ୍କୁ ପରେ ପୋଲିସ ଅଟକ ରଖିଥିଲା

ଅନୁବାଦ : ଓଡ଼ିଶାଲାଇଭ୍‍

M. Palani Kumar

M. Palani Kumar is Staff Photographer at People's Archive of Rural India. He is interested in documenting the lives of working-class women and marginalised people. Palani has received the Amplify grant in 2021, and Samyak Drishti and Photo South Asia Grant in 2020. He received the first Dayanita Singh-PARI Documentary Photography Award in 2022. Palani was also the cinematographer of ‘Kakoos' (Toilet), a Tamil-language documentary exposing the practice of manual scavenging in Tamil Nadu.

Other stories by M. Palani Kumar
Editor : PARI Desk

PARI Desk is the nerve centre of our editorial work. The team works with reporters, researchers, photographers, filmmakers and translators located across the country. The Desk supports and manages the production and publication of text, video, audio and research reports published by PARI.

Other stories by PARI Desk
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE