ତେଣୁ, ଜୟନ୍ତ ତାଣ୍ଡେକର ତାଙ୍କର ଦୁଇ-ବଖୁରିଆ ଭଡ଼ା ଘର ଖୋଲିଲେ ଏବଂ ତାଙ୍କୁ ନିଜର ପ୍ରଶିକ୍ଷଣ ଅଧୀନକୁ ନେଲେ।
ତାଣ୍ଡେକର ତାଙ୍କ ପ୍ରତିପାଳନ ଅଧୀନରେ ଥିବା ଆଠ-ବର୍ଷିଆ ଉର୍ବଶୀର ଆଖିରେ ନିଜର ସ୍ୱପ୍ନକୁ ଜୀଇଁବାକୁ ଚେଷ୍ଟା କରୁଛନ୍ତି।
ଏହା ହେଉଛି ଏକ ଗ୍ରାମୀଣ ଶିଶୁ, ତା’ର ପିତାମାତା ଏବଂ ବଡ଼ ସ୍ୱପ୍ନ ଦେଖିବାକୁ ଚେଷ୍ଟା କରୁଥିବା; ଅର୍ଥାଭାବରେ ଥିବା କିନ୍ତୁ ଉଚ୍ଚ ସଂକଳ୍ପ ଥିବା ଜଣେ ଯୁବ କ୍ରିଡ଼ା ପ୍ରଶିକ୍ଷକଙ୍କ କାହାଣୀ।
ଦୁଇ ବର୍ଷ ତଳେ, ତାଣ୍ଡେକରଙ୍କ ନିକଟକୁ ଆସିବା ସମୟରେ ଉର୍ବଶୀ ନିମ୍ବର୍ତେଙ୍କର ବୟସ ଥିଲା ଆଠ ବର୍ଷ। ତାଣ୍ଡେକର ଭଣ୍ଡାରା ସହରର ବାହ୍ୟ ଭାଗରେ ଥିବା ଏକ ଛୋଟ ଭଡ଼ା ଘରେ ରୁହନ୍ତି, ଏବଂ ଉର୍ବଶୀ ନିଜର ସମସ୍ତ ଜିନିଷପତ୍ର ଧରି ତାଣ୍ଡେକରଙ୍କ ଘରକୁ ଚାଲିଆସିଲେ; ଏବେ ତାଣ୍ଡେକର ହିଁ ତାଙ୍କର ବାପା ଓ ମାଆ। ଉର୍ବଶୀଙ୍କ ପିତାମାତା ନିର୍ଧନ। ସେମାନେ ଭଣ୍ଡାରା ସହରରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା ଦୱା ଗ୍ରାମର ଛୋଟ ଚାଷୀ। କିନ୍ତୁ ଏହି ଛୋଟ ଝିଅର ମାଆ ମାଧୁରୀ ଅନୁଭବ କରୁଥିଲେ ଯେ ତାଙ୍କ ଝିଅର କିଛି କରିବାର ସାମର୍ଥ୍ୟ ଅଛି, ମାଧୁରୀଙ୍କୁ ଏହି ଯୁବ କ୍ରୀଡ଼ା ପ୍ରଶିକ୍ଷକ ଏବଂ ତାଙ୍କ ଝିଅ ପାଇଁ ତାଣ୍ଡେକରଙ୍କ ସ୍ୱପ୍ନକୁ ବିଶ୍ୱାସ କରିବାକୁ ହୋଇଥିଲା।
ପତଳା ଶରୀର କିନ୍ତୁ ସାହସରେ ଦୃଢ଼ ଥିବା ମାଧୁରୀଙ୍କର ସ୍ୱପ୍ନ ହେଉଛି ତାଙ୍କ ପିଲାମାନଙ୍କୁ ସେମାନଙ୍କ ଜୀବନରେ ଅର୍ଥପୂର୍ଣ୍ଣ ଭାବରେ କିଛି କରିବା ପାଇଁ ବଡ଼ କରିବା। ଉର୍ବଶୀଙ୍କ ପିତା ଓ ତାଙ୍କର ସ୍ୱାମୀ ଚାଷ କରନ୍ତି ଏବଂ ନିକଟରେ ଥିବା ଏକ ଛୋଟ କାରଖାନାରେ ଦିନ ମଜୁରିଆ ଶ୍ରମିକ ଭାବରେ କାମ କରନ୍ତି।
ମୋଇରେ ଥିବା ସେମାନଙ୍କ ଦୁଇ-ବଖୁରିଆ ଘରେ ତାଙ୍କ ସ୍ୱାମୀ ଏବଂ ଶ୍ୱଶୁରଙ୍କ ପାଖରେ ବସି ତା’ର ମାଆ ପରୀକୁ କହନ୍ତି ‘‘ଯଦି ସେ ଆମ ସହ ରହିବ ଆଉ ୧୦ ବର୍ଷରେ ସେ ମୋ ପରି ହୋଇଯିବ- ବାହା ହେବ, ପିଲାପିଲିଙ୍କୁ ବଡ଼ କରିବ, କ୍ଷେତରେ କାମ କରିବ ଏବଂ ତା’ ପରେ ଦିନେ ଶେଷ ନିଶ୍ୱାସ ତ୍ୟାଗ କରିବ।’’ ସେ କହନ୍ତି, ‘‘ତା’ ସହ ଏସବୁ ହେବା ମୁଁ ସହି ପାରିବି ନାହିଁ।’’
ଉର୍ବଶୀ ତାଣ୍ଡେକରଙ୍କୁ ‘ମାମା’ ଅର୍ଥାତ୍ ମାମୁ ବୋଲି ଡାକନ୍ତି। ଏହି ପ୍ରଶିକ୍ଷକ ଏହି ଶିଶୁ ଆଥେଲେଟ୍ର ଦାୟିତ୍ୱ ନେବା ବେଳକୁ ତାଙ୍କର ବୟସ ପ୍ରାୟ ୩୫ ବର୍ଷ ଥିଲା ଓ ସେ ଅବିବାହିତ ଥିଲେ।
ତାଣ୍ଡେକର ହେଉଛନ୍ତି ଜଣେ ଦଳିତ, ଜାତିରେ ଚମାର ଏବଂ ଭଣ୍ଡାରା, ଗୋଣ୍ଡିଆ ଏବଂ ଗଡ଼ଚିରୋଲି ଜିଲ୍ଲାର ଗ୍ରାମୀଣ ଅଞ୍ଚଳରୁ ଭଲ କ୍ରୀଡ଼ାବିତ୍ ସୃଷ୍ଟି କରିବାର ଉତ୍ସାହ ଦ୍ୱାରା ପ୍ରେରିତ। ସେ ଏହି ଯୁବ ଖେଳାଳିମାନଙ୍କୁ କିଛି ଦେବାକୁ ଚାହାଁନ୍ତି ଯାହା ସେ ପାଇନଥିଲେ – ଟ୍ରାକ୍ରେ ଦୌଡ଼ିବାର ସୁଯୋଗ।
ଉର୍ବଶୀ ଜାତିରେ କୁନ୍ବି (ଓବିସି), ତଥାପି ତାଙ୍କ ପିତାମାତା ଅନୁଭବ କରନ୍ତି ଯେ ସେମାନେ ଏହି ଦୁଇଟିକୁ ଉପେକ୍ଷା କରିବା ଆବଶ୍ୟକ: ଜାତି କ୍ରମାଙ୍କ ଏବଂ ପୁରୁଷ ପ୍ରାଧାନ୍ୟ ଚିନ୍ତାଧାରାର ଫାଶ। ଭଣ୍ଡାରାର ଶିବାଜୀ ଷ୍ଟାଡିୟମ୍ରେ ୨୦୨୪ର ଏକ ଗ୍ରୀଷ୍ମ ସକାଳରେ ପରୀ ସହ କଥାବାର୍ତ୍ତା କରିବା ବେଳେ ତାଣ୍ଡେକର କହନ୍ତି ଯେ ଉର୍ବଶୀ ହେଉଛି ଗୋଟିଏ ସ୍ୱତନ୍ତ୍ର ଶିଶୁ।
ଭଣ୍ଡାରାରେ ସେ ଏକ ଏକାଡେମୀ ଚଲାନ୍ତି ଯାହାର ନାମ ଅନାଥ ପିଣ୍ଡକ – ଅନାଥଙ୍କ ରକ୍ଷକ। ଏହାକୁ କୌଣସି ମତେ ଚଳାଇବା ପାଇଁ ତାଙ୍କର ବିଭିନ୍ନ ବୟସର ପ୍ରାୟ ୫୦ ଜଣ ଶିକ୍ଷାର୍ଥୀଙ୍କ ପାଇଁ ଅର୍ଥ ଯୋଗାଡ଼ କରିବା ପାଇଁ ସେ ଛୋଟ ଛୋଟ ଦାନ ଜରିଆରେ ଅର୍ଥ ଏକତ୍ର କରନ୍ତି। ଗୋଲ୍ ମୁହଁ, କମ୍ ଉଚ୍ଚତା ଏବଂ ତୀକ୍ଷ୍ଣ ଏବଂ ସ୍ନେହପୂର୍ଣ୍ଣ ନଜର ଥିବା ଏହି ବ୍ୟକ୍ତି ତାଙ୍କର ଅଭିଳାଷୀ ଗ୍ରାମୀଣ ଧାବକମାନଙ୍କୁ ବିଫଳତା କିମ୍ବା ପ୍ରତିବନ୍ଧକକୁ ଭୟ ନ କରିବାକୁ କହନ୍ତି।
ପ୍ରତିଦିନ ସକାଳେ ସେ ଉର୍ବଶୀଙ୍କୁ ପଡ଼ିଆକୁ ଆଣନ୍ତି ଏବଂ ଅନ୍ୟ ପିଲାମାନେ ତାଙ୍କ ସହ ଯୋଗ ଦେବା ପୂର୍ବରୁ ତା’ର ପ୍ରଶିକ୍ଷଣ ଆରମ୍ଭ କରନ୍ତି। ସେ କହନ୍ତି ଉର୍ବଶୀକୁ ତା’ର ନିୟମିତ ଡ୍ରିଲ୍ କରିବାକୁ ହେବ।
ଟ୍ରାକ୍ ସୁଟ୍ ପିନ୍ଧିଥିବା କମ୍ ବୟସର ଉର୍ବଶୀ ଟ୍ରାକ୍ରେ ସମ୍ପୂର୍ଣ୍ଣ ଭିନ୍ନ ପାଲଟିଯାଏ। ତା’ର ମାର୍ଗଦର୍ଶକ ଓ ମାମାଙ୍କ ମାର୍ଗଦର୍ଶନରେ ପ୍ରାଣୋଚ୍ଛଳ, ଦୌଡ଼ିବା ଏବଂ କଠିନ ପରିଶ୍ରମ କରିବା ପାଇଁ ଉତ୍ସୁକ। ଉର୍ବଶୀକୁ ଅନେକ ଆଗକୁ ଯିବାକୁ ହେବ: ତା’କୁ ସ୍କୁଲ୍ ଆଥଲେଟିକ୍ ପ୍ରତିଯୋଗିତାରେ ପ୍ରତିଯୋଗିତା ଆରମ୍ଭ କରିବାକୁ ହେବ; ଏହା ପରେ ତାଣ୍ଡେକର ତା’କୁ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଭର୍ତ୍ତି କରିବେ, ଏହି ଲକ୍ଷ୍ୟରେ ଯେ ଏହା କ୍ରମଶଃ ରାଜ୍ୟ ଏବଂ ଜାତୀୟ ସ୍ତରକୁ ଯିବ।
ତାଣ୍ଡେକର ଚିନ୍ତା କରନ୍ତି ଗ୍ରାମୀଣ ପିଲାମାନେ ଦୌଡ଼ରେ ଭାଗ ନେବା ଆବଶ୍ୟକ, ଯାହାବି ହେଉନା କାହିଁକି। ସେ ସେମାନଙ୍କୁ ପ୍ରେରଣା ଦେବା ପାଇଁ କେତେକ ଭାରତୀୟ ଧାବକଙ୍କ ବିଷୟରେ କାହାଣୀ କହନ୍ତି, ଉଦାହରଣ ସ୍ୱରୂପ ପି.ଟି. ଉଷା ଏବଂ ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ୱେ ଉପରକୁ ଉଠିଥିବା ଅନ୍ୟମାନଙ୍କ ବିଷୟରେ।
ତାଙ୍କ ନିଜ ଯାତ୍ରାରୁ ଶିକ୍ଷା ନେଇ ତାଣ୍ଡେକର ଉର୍ବଶୀର ଖାଦ୍ୟ ଏବଂ ପୋଷଣ ଉପରେ ଧ୍ୟାନ ଦିଅନ୍ତି, ଯେମିତିକି ଦୁଗ୍ଧ ଏବଂ ଅଣ୍ଡା ପରି ମୌଳିକ ଜିନିଷ ଯାହା ସେ ନିୟମିତ ଖାଇବାକୁ ପାଇନଥିଲେ। ସେ ନିଶ୍ଚିତ କରନ୍ତି ଯେ ଉର୍ବଶୀଙ୍କ ଖାଦ୍ୟରେ ପ୍ରୋଟିନ୍, କାର୍ବୋହାଇଡ୍ରେଟ୍ ଏବଂ ଫ୍ୟାଟ୍ ରହିଥାଉ। ଭଣ୍ଡାରାରେ ରହୁଥିବା ତାଙ୍କ ଭଉଣୀ ଋତୁ ଅନୁଯାୟୀ ମିଳୁଥିବା ମାଛ ଆଣନ୍ତି। ଉର୍ବଶୀଙ୍କ ମାଆ ଝିଅକୁ ଦେଖିବାକୁ ନିୟମିତ ଭାବରେ ପହଞ୍ଚନ୍ତି ଏବଂ ତା’କୁ ବିଦ୍ୟାଳୟ ଏବଂ ନିୟମିତ କାମରେ ସାହାଯ୍ୟ କରନ୍ତି।
ପ୍ରଶିକ୍ଷକ ନିଶ୍ଚିତ କରନ୍ତି ଯେ ତାଙ୍କ ପ୍ରଶିକ୍ଷଣାର୍ଥୀ ପାଖରେ ଭଲ ଜୋତା ଅଛି, ଯାହା ତାଙ୍କ ପିଲା ଦିନେ କେବେବି ନ ଥିଲା। ସେ କହନ୍ତି ତାଙ୍କ ପିତା ଜଣେ ଭୂମିହୀନ ଶ୍ରମିକ ଥିଲେ, କଷ୍ଟେମଷ୍ଟେ ଗୁଜୁରାଣ ମେଣ୍ଟାଉଥିଲେ ଏବଂ ସେ ଖୁବ୍ ପିଉଥିଲେ, ତାଙ୍କ ସାମାନ୍ୟ ଉପାର୍ଜନ ପ୍ରତିଦିନ ଗୋଟିଏ ବୋତଲ ପାଇଁ ଖର୍ଚ୍ଚ କରୁଥିଲେ। ସେ ମନେପକାନ୍ତି ଏମିତି ଦିନ ଥିଲା ଯେତେବେଳେ ସେ ଏବଂ ତାଙ୍କ ଭାଇଭଉଣୀ ଭୋକରେ ରହୁଥିଲେ।
ତାଙ୍କର ହତାଶାକୁ ଲୁଚାଇ ରଖି ବ୍ୟଙ୍ଗାତ୍ମକ ଭାବରେ ସେ କହନ୍ତି, ‘‘ଟ୍ରାକ୍ରେ ଦୌଡ଼ିବା ମୋର ସ୍ୱପ୍ନ ଥିଲା, ମୋ ପାଖରେ କୌଣସି ସୁଯୋଗ ନ ଥିଲା।’’
ତାଣ୍ଡେକର ଜାଣନ୍ତି ଯେ ଯଦି ଉର୍ବଶୀ ଏବଂ ତାଙ୍କ ପରି ଅନ୍ୟମାନେ ସୁଯୋଗ ପାଇବା ଦରକାର ତେବେ ସେମାନେ ସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ଉପଯୁକ୍ତ ଜୋତା ପାଇବା ଏବଂ ବଡ଼ ବଡ଼ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ତାଙ୍କୁ ତାଙ୍କ ଯୋଗେ ସମ୍ଭବ ସବୁକିଛି କରିବାକୁ ହେବ।
ସେ ଏହା କହନ୍ତି ଅର୍ଥାତ୍ ସେମାନଙ୍କୁ ଭଲ ବିଦ୍ୟାଳୟରେ ଭର୍ତ୍ତି ହେବାକୁ ଏବଂ କଠିନ ପରିଶ୍ରମ କରିବାକୁ ହେବ।
ଏଥିରେ ମଧ୍ୟ ଆବଶ୍ୟକ ସମୟରେ ଭଲ ସ୍ୱାସ୍ଥ୍ୟ ସେବା ପାଇବା ରହିଛି- ଗୋଇଠି ସ୍ପ୍ରେନ୍ ହେବା, ମାଂସପେଶୀ ଟାଣି ଧରିବା, କ୍ଳାନ୍ତି କିମ୍ବା ଅଭିବୃଦ୍ଧି।
ସେ କହନ୍ତି, ‘‘ଏହା ଖୁବ୍ କଷ୍ଟ, ତଥାପି ଅତି କମ୍ରେ ମୁଁ ମୋ ବିଦ୍ୟାର୍ଥୀମାନଙ୍କୁ ବଡ଼ ସ୍ୱପ୍ନ କିପରି ଦେଖି ହେବ ତାହା ଶିଖାଇବାକୁ ହେବ।’’
ଅନୁବାଦ : ଓଡ଼ିଶାଲାଇଭ୍