‘ସ୍ୱାଧୀନତା ସଂଗ୍ରାମ ଅବସରରେ ମଧ୍ୟ ଏମିତି କେତେକ ସମୟ ଆସିଥିଲା, ଯେତେବେଳେ ସବୁକିଛି ନୈରାଶ୍ୟଜନକ ଲାଗୁଥିଲା। ଆମକୁ କୁହାଯାଇଥିଲା ଯେ ତୁମେମାନେ ଜିତିପାରିବ ନାହିଁ। ବିଶ୍ୱର ସର୍ବବୃହତ୍‌ ସାମ୍ରାଜ୍ୟ ବିରୋଧରେ ତୁମେମାନେ ଠିଆ ହୋଇଛ .... କିନ୍ତୁ ଆମେ ଏ ସବୁ ଚେତାବନୀ ଓ ଧମକକୁ ଖାତିର କରି ନଥିଲୁ ଏବଂ କୌଣସିମତେ ଲଢ଼େଇ କଲୁ। ସେଥିପାଇଁ ତ ଆଜି ଆମେ ଏଠାରେ ପହଞ୍ଚିଛୁ।’

ଆର୍‌.ନଲ୍ଲାକନୁ

*****

“ହଳଦିଆ ବାକ୍‌ସରେ ଭୋଟ୍‌ ଦିଅ!” ଚିତ୍କାର ଶୁଭୁଥିଲା। “ଶୁଭ ମଞ୍ଜଲ ପେଟ୍ଟି କୁ ବାଛି ନିଅ!”

ଏହା ଥିଲା ୧୯୩୭ରେ ବ୍ରିଟିଶ ଶାସନ ଅଧୀନସ୍ଥ ମାଡ୍ରାସ ପ୍ରେସିଡେନ୍‌ସିର ପ୍ରାଦେଶିକ ନିର୍ବାଚନ।

ଏହି ସ୍ଲୋଗାନ୍‌ ଦେଉଥିଲେ ଦଳଦଳ ହୋଇ ଢୋଲ ବଜାଉଥିବା ପିଲାମାନେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଲାଙ୍କର ଭୋଟ ଦେବାର ବୟସ ହୋଇ ନଥିଲା। ଏବଂ ଭୋଟଦାନ ପାଇଁ ଯୋଗ୍ୟତା ଅର୍ଜନ କରିନଥିଲେ, ଯଦିବା ସେମାନେ କରିଥାଆନ୍ତେ, ତଥାପି ସେତେବେଳେ ସବୁ ପ୍ରାପ୍ତବୟସ୍କ ଲୋକେ ଭୋଟ ଦେଇପାରୁ ନଥିଲେ।

ମତଦାନ ଅଧିକାର ଉପରେ ରହିଥିବା ଏହି କଟକଣା, ଜମିଜମା ଓ ସଂପତ୍ତିର ମାଲିକ ଏବଂ ଗ୍ରାମୀଣ ଅଞ୍ଚଳରେ, ଧନୀ କୃଷକମାନଙ୍କ ସପକ୍ଷରେ ଯାଉଥିଲା।

ଗୋଟିଏ ବି ଭୋଟ ଦେବାର ଯୋଗ୍ୟତା ନଥିବା ଛୋଟପିଲାମାନେ ଜୋରସୋରରେ ନିର୍ବାଚନ ପ୍ରଚାର କରୁଥିବାର ଏହି ଦୃଶ୍ୟ ପୂରାପୂରି ନୂଆ ନଥିଲା।

ଏହା ପୂର୍ବରୁ, ୧୯୩୫ ଜୁଲାଇରେ, ଜଷ୍ଟିସ୍‌ ପାର୍ଟିର ଖବରକାଗଜ ତଥା ମୁଖପତ୍ର - ଜଷ୍ଟିସ୍‌ ରେ, କେବଳ ସାମାନ୍ୟ ଅବଜ୍ଞାରେ ନୁହେଁ, ବରଂ ନିହାତି ଘୃଣାପୂର୍ଣ୍ଣ ଭାବରେ ଉଲ୍ଲେଖ କରାଯାଇଥିଲା:

ଆପଣ ଯେ କୌଣସି ଗାଁକୁ, ଏମିତି କି ଦୂରବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଗାଁକୁ ଗଲେ ବି କଂଗ୍ରେସର ଖଦଡ଼ ପୋଷାକ ଏବଂ ଗାନ୍ଧି ଟୋପି ପିନ୍ଧିଥିବା ଏବଂ ହାତରେ ତ୍ରିରଙ୍ଗା ପତାକାକୁ ଉଠାଇ ଧରି ଚାଲିଥିବା ଦଳଦଳ ଦରିଦ୍ର ପିଲାଙ୍କୁ ଦେଖିପାରିବେ, ଏସବୁ ଲୋକଙ୍କ ମଧ୍ୟରୁ ପାଖାପାଖି ଅଶୀ ପ୍ରତିଶତ କର୍ମୀ ଓ ସ୍ୱେଚ୍ଛାସେବୀ ଆସିଛନ୍ତି ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଶହ ଶହ ଭୋଟଦାନ ଅଧିକାର ନଥିବା, ସଂପତ୍ତିହୀନ, ବେକାର ବର୍ଗରୁ...

୧୯୩୭ ମସିହାର ସେହି ପିଲାମାନଙ୍କ ମଧ୍ୟରୁ ଜଣେ ହେଲେ ଆର୍‌.ନଲ୍ଲାକନ୍ନୁ, ସେ ସମୟରେ ତାଙ୍କ ବୟସ ଅତି ବେଶିରେ ୧୨ ବର୍ଷ, ଏବେ ୯୭ (୨୦୨୨)। ଆମକୁ ସେ ସେହି ନାଟକର କାହାଣୀ ଶୁଣାନ୍ତି ଏବଂ ସେହି ‘ମଳିମୁଣ୍ଡିଆ ପିଲା’ଙ୍କ ମଧ୍ୟରୁ ସେ ନିଜେ ଜଣେ ଥିଲେ ବୋଲି ହସି ହସି କହନ୍ତି। ସେ ସମୟର କଥା ମନେ ପକାଇ ସେ କହନ୍ତି, “ଯେଉଁମାନଙ୍କ ପାଖରେ ଜମିର ମାଲିକାନା ଥିଲା ଏବଂ ଜମିର ଖଜଣା ବାବଦରେ ୧୦ ଟଙ୍କା କିମ୍ବା ଅଧିକ ଦେଉଥିଲେ, ସେମାନେ ଭୋଟ ଦେଇପାରୁଥିଲେ।” ୧୯୩୭ର ନିର୍ବାଚନରେ ଭୋଟଦାନ ଅଧିକାର ପରିସର କିଛିଟା ବ୍ୟାପକ ହୋଇଥିଲା। କିନ୍ତୁ “ଏହାର ଅର୍ଥ ନୁହେଁ ଯେ ଭୋଟ ଦେବାକୁ ୧୫-୨୦ ପ୍ରତିଶତରୁ ଅଧିକ ପ୍ରାପ୍ତବୟସ୍କଙ୍କୁ ଅନୁମତି ଦିଆଯାଇଥିଲା,” ସେ କହନ୍ତି। “ଆଉ ଯେ କୌଣସି ନିର୍ବାଚନ ମଣ୍ଡଳୀରେ ୧,୦୦୦ରୁ ୨,୦୦୦ ଲୋକଙ୍କ ଅପେକ୍ଷା ଅଧିକ ଲୋକ ଭୋଟ ଦେଉ ନଥିଲେ।”

R. Nallakannu's initiation into struggles for justice and freedom began in early childhood when he joined demonstrations of solidarity with the mill workers' strike in Thoothukudi
PHOTO • M. Palani Kumar

ଖୁବ୍‌ କମ୍‌ ବୟସରୁ ନ୍ୟାୟ ଓ ସ୍ୱାଧୀନତା ଲାଗି ଆର.ନଲ୍ଲାକନ୍ନୁଙ୍କ ସଂଘର୍ଷ ସେତେବେଳେ ଆରମ୍ଭ ହେଲା, ଯେତେବେଳେ ସେ ତୁତୁକୁଡ଼ିର କାରଖାନା ଶ୍ରମିକମାନଙ୍କ ଐକ୍ୟବଦ୍ଧ ବିକ୍ଷୋଭ ପ୍ରଦର୍ଶନରେ ଯୋଗ ଦେଲେ

ନଲ୍ଲାକନ୍ନୁ ଶ୍ରୀବୈକୁଣ୍ଟମରେ ଜନ୍ମଗ୍ରହଣ କରିଥିଲେ। ସେତେବେଳେ ତାହା ତିରୁନେଲଭେଲି ଜିଲ୍ଲାରେ ଥିଲା। ଆଜିକାଲି, ଶ୍ରୀବୈକୁଣ୍ଟମ ତାଲୁକ ତାମିଲନାଡୁର ତୁତୁକୁଡ଼ି ଜିଲ୍ଲା (୧୯୯୭ ଯାଏ ଏହାକୁ ଟୁଟିକୋରିନ୍‌ ବୋଲି କୁହାଯାଉଥିଲା) ଅନ୍ତର୍ଭୁକ୍ତ।

ହେଲେ, ନଲ୍ଲାକନ୍ନୁଙ୍କ ସାମାଜିକ କାର୍ଯ୍ୟ ଅଳ୍ପ ବୟସରୁ ଆରମ୍ଭ ହୋଇଥିଲା।

“ବାସ୍ତବରେ, ମୁଁ ଛୋଟ ପିଲାଟିଏ ଥିବା ସମୟରେ। ଆମ ସହରକୁ ଲାଗି ରହିଥିବା ତୁତୁକୁଡ଼ିର କାରଖାନା ଶ୍ରମିକମାନେ କାର୍ଯ୍ୟବନ୍ଦ କଲେ। ତାହା ଥିଲା ହାର୍ଭେ ମିଲ୍‌ସ ଗ୍ରୁପ୍‌ର କାରଖାନା। ପରବର୍ତ୍ତୀ ସମୟରେ ଏହା ପଞ୍ଜାଲଇ (ସୂତାକଳ) ଶ୍ରମିକ ଧର୍ମଘଟ ନାଁରେ ପରିଚିତ ହେଲା।

“ସେମାନଙ୍କୁ ସମର୍ଥନ କରିବା ପାଇଁ ଆମ ସହରର ସବୁ ଘରୁ ଚାଉଳ ସଂଗ୍ରହ କରାଯାଉଥିଲା ଏବଂ ଏହାକୁ ଡବାରେ ପୂରାଇ ତୁତୁକୁଡ଼ିର ଧର୍ମଘଟକାରୀ ଶ୍ରମିକମାନଙ୍କ ପରିବାର ପାଖକୁ ପଠାଯାଉଥିଲା। ଆମ ଭଳି ଛୋଟ ପିଲାମାନେ ସବୁ ସ୍ଥାନ ବୁଲି ବୁଲି ଚାଉଳ ସଂଗ୍ରହ କରୁଥିଲେ। ଲୋକେ ଗରିବ ଥିଲେ ସତ, “କିନ୍ତୁ ପ୍ରତି ଘରର ଲୋକେ କିଛି ନା କିଛି ଦାନ ଦେଉଥିଲେ। ସେତେବେଳେ ମୋତେ ୫ କି ୬ ବର୍ଷ, ଏବଂ ଶ୍ରମିକମାନଙ୍କ ସଂଘର୍ଷ ପ୍ରତି ଏହି ସମର୍ଥନର ଗଭୀର ପ୍ରଭାବ ମୋ ଉପରେ ପଡ଼ିଥିଲା। ଏହାର ଅର୍ଥ ଥିଲା ଯେ, ଅତି ଅଳ୍ପ ବୟସରୁ ହିଁ ମୁଁ ରାଜନୀତି ସହ ଜଡ଼ିତ ହୋଇପଡ଼ିଲି।”

ଆମେ ତାଙ୍କୁ ୧୯୩୭ ମସିହାକୁ ଫେରାଇ ନେଉ: ଗୋଟିଏ ମଞ୍ଜଲ ପେଟ୍ଟି ବା ହଳଦିଆ ବାକ୍‌ସକୁ ଭୋଟ ଦେବାର ଅର୍ଥ ତାଙ୍କ ଲାଗି କ’ଣ ଥିଲା ?

“ମାଡ୍ରାସରେ ସେତେବେଳେ ଦୁଇଟି ମୁଖ୍ୟ ଦଳ ଥିଲେ,” ସେ କହନ୍ତି। “କଂଗ୍ରେସ ଏବଂ ଜଷ୍ଟିସ୍‌ ପାର୍ଟି। ଦଳୀୟ ଚିହ୍ନ ବଦଳରେ ନିର୍ଦ୍ଦିଷ୍ଟ ରଙ୍ଗର ଭୋଟ ବାକ୍‌ସ ଦ୍ୱାରା ଦଳଗୁଡ଼ିକୁ ଚିହ୍ନଟ କରାଯାଉଥିଲା। ସେତେବେଳେ ଆମେ କଂଗ୍ରେସ ପାଇଁ ପ୍ରଚାର କରୁଥିଲୁ ଏବଂ ଏହି ଦଳକୁ ହଳଦିଆ ବାକ୍‌ସ ଦିଆଯାଇଥିଲା। ଜଷ୍ଟିସ୍‌ ପାର୍ଟି ପାଇଁ ଗୋଟିଏ ପଚ୍ଚାଇ ପେଟ୍ଟି - ସବୁଜ ବାକ୍‌ସ ରହିଥିଲା। ଭୋଟଦାତା କେଉଁ ଦଳକୁ ସମର୍ଥନ କରୁଛନ୍ତି, ସେ କଥା ଜାଣିବା ଲାଗି ସେତେବେଳେ ତାହା ହିଁ ସବୁଠାରୁ ଭଲ ଉପାୟ ଥିଲା।”

ଆଉ ହଁ, ସେତେବେଳର ନିର୍ବାଚନକୁ ମଧ୍ୟ ଘେରି ରହିଥିଲା ଅଧିକ ରଙ୍ଗିନ ଓ ନାଟକୀୟ ଘଟଣାବଳୀ। ଦ ହିନ୍ଦୁ ର ଲେଖା ଅନୁସାରେ, “ଦେବଦାସୀ ପ୍ରଚାରକ ତାଞ୍ଜାବୁର କାମୁକନ୍ନମଲ... “ନାସ ଡିବା”ରେ ଭୋଟ ଦେବା ଲାଗି ସମସ୍ତଙ୍କୁ କହୁଥିଲେ!” ସେ ସମୟରେ ନାସ ଡିବାର ରଙ୍ଗ ସାଧାରଣତଃ ସୁନେଲି କିମ୍ବା ହଳଦିଆ ଥିଲା। ଦ ହିନ୍ଦୁ ରେ ପ୍ରକାଶିତ ଏକ ଶିରୋନାମାରେ ପାଠକମାନେ ‘ହଳଦିଆ ଡବାକୁ ଭରି ଦେବା’ ଲାଗି ଆହ୍ୱାନ ଦିଆଯାଇଥିଲା।

“ଅବଶ୍ୟ, ମୋ ବୟସ ୧୨ ବର୍ଷ ହୋଇଥିବାରୁ ମୁଁ ଭୋଟ୍‌ ଦେଇପାରି ନଥିଲି,” ନଲ୍ଲାକନ୍ନୁ କହନ୍ତି। “କିନ୍ତୁ ମୁଁ ଘରୁ ବାହାରି ଯେତେ ସମ୍ଭବ ସେତେ ଜୋରଦାର ଢଙ୍ଗରେ ପ୍ରଚାର କରିଥିଲି।” ତିନି ବର୍ଷ ପରେ, ସେ ନିର୍ବାଚନ ବାହାରେ ବି ରାଜନୈତିକ ପ୍ରଚାରରେ ସାମିଲ ହେଲେ। ଏବଂ “ଗୋଟିଏ ପରାଇ (ଏକ ପ୍ରକାର ଢୋଲ) ବଜାଇବା ସହ ବଡ଼ପାଟିରେ ସ୍ଲୋଗାନ ଦେଉଥିଲେ।”

Nallakannu with T. K. Rangarajan, G. Ramakrishnan and P. Sampath of the CPI(M). Known as ‘Comrade RNK’, he emerged as a top leader of the Communist movement in Tamil Nadu at quite a young age
PHOTO • PARI: Speical arrangement

ସିପିଆଇ (ଏମ୍‌)ର ଟି.କେ.ରଙ୍ଗରାଜନ, ଜି.ରାମ କ୍ରି ଷ୍ଣନ ଏବଂ ପି. ସମ୍ପଦଙ୍କ ସହିତ ନଲ୍ନାକନ୍ନୁ ସେ କମ୍ରେଡ୍‌ ଆର୍‌ଏନ୍‌କେ ନାଁରେ ପରିଚିତ ଥିଲେ ଏବଂ ଖୁବ୍‌ କମ୍‌ ବୟସରୁ ତାମିଲନାଡୁରେ କମ୍ୟୁନିଷ୍ଟ ଆନ୍ଦୋଳନର ତୁଙ୍ଗ ନେତା ରୂପେ ଉଭା ହୋଇଥିଲେ

କିନ୍ତୁ ସେତେବେଳକୁ ଆଉ ସେ କଂଗ୍ରେସର ସମର୍ଥକ ନଥିଲେ। “୧୫ ବର୍ଷ ବୟସରୁ ହିଁ ମୁଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ସହିତ ଥିଲି,” ତାଙ୍କ ବନ୍ଧୁମାନଙ୍କ ପାଇଁ ‘କମ୍ରେଡ୍‌ ଆର୍‌ଏନ୍‌କେ’ ନାମରେ ପରିଚିତ ନଲ୍ଲାକନ୍ନୁ କହନ୍ତି। ଦଳର ଆନୁଷ୍ଠାନିକ ସଦସ୍ୟତା ପାଇଁ ତାଙ୍କୁ ଆଉ ଅଧିକ ବୟସ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ହେଲେ ପରବର୍ତ୍ତୀ କେଇ ଦଶନ୍ଧି ଧରି ସେ ତାମିଲନାଡୁରେ କମ୍ୟୁନିଷ୍ଟ ଆନ୍ଦୋଳନର ଅନ୍ୟତମ ଶୀର୍ଷ ନେତା ଭାବରେ ଉଭା ହେଲେ। ମଞ୍ଜଲ ପେଟ୍ଟି (ହଳଦିଆ ବାକ୍‌ସ) ନୁହେଁ, ସେ ସେଙ୍ଗୋଡ଼ି (ଲାଲ ପତାକା) ପ୍ରତି ସମର୍ଥନ ଲୋଡୁଥିଲେ, ଏବଂ ଅନେକ ସମୟରେ ସଫଳ ହେଉଥିଲେ।

*****

“ତିରୁନେଲଭେଲିର ଆମେ ରହୁଥିବା ଅଞ୍ଚଳରେ ମାତ୍ର ଗୋଟିଏ ସ୍କୁଲ ଥିଲା ଏବଂ ତେଣୁ, ଏହାକୁ କେବଳ ‘ସ୍କୁଲ’ ବୋଲି କୁହାଯାଉଥିଲା। ତାହା ହିଁ ତା’ର ଏକମାତ୍ର ନାଁ ଥିଲା।”

ଚେନ୍ନାଇରେ ତାଙ୍କ ଘରର ଛୋଟିଆ ଅଫିସ୍‌ରେ ନଲ୍ଲାକନ୍ନୁ ଆମ ସହ କଥାବାର୍ତ୍ତା କରୁଥିଲେ। ତାଙ୍କ ବ୍ୟତୀତ, ସେଠାରେ ତାଙ୍କ ଟେବୁଲ କଡ଼ରେ କେତେକ ଛୋଟ ଛୋଟ ଆବକ୍ଷ ପ୍ରତିମୂର୍ତ୍ତି ଏବଂ କ୍ଷୁଦ୍ର ପୂର୍ଣ୍ଣାବୟବ ମୂର୍ତ୍ତି ରହିଥିଲେ। ଠିକ୍‌ ତାଙ୍କ ପାଖକୁ ଲାଗି ରହିଥିଲେ ଲେନିନ, ମାର୍କ୍‌ସ ଏବଂ ପେରିୟାର। ସେମାନଙ୍କ ପଛରେ, ଆମ୍ବେଦକରଙ୍କର ଏକ ସୁନେଲି ପ୍ରତିମୂର୍ତ୍ତି, ବିପ୍ଳବୀ ତାମିଲ କବି ସୁବ୍ରମଣ୍ୟ ଭାରତୀଙ୍କର ଏକ ବୃହତ୍‌ ରେଖାଚିତ୍ର ସମ୍ମୁଖରେ ରହିଥିଲା। ପେରିୟାରଙ୍କ ଆବକ୍ଷ ମୂର୍ତ୍ତି ପଛରେ ଥିଲା ଆଉ ଏକ ରେଖାଚିତ୍ର, ଯେଉଁଟି କି ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କର ଏକ ଫଟୋରୁ ଅଙ୍କାଯାଇଥିଲା। ଏବଂ ଏ ସମସ୍ତଙ୍କ ପାଖକୁ ଲାଗି ରହିଥିଲା ଏକ କ୍ୟାଲେଣ୍ଡର, ଯେଉଁଥିରେ ‘କମ୍‌ ପାଣି ବ୍ୟବହାର କର’ ବୋଲି ଆମ ସମସ୍ତଙ୍କୁ କୁହାଯାଇଥିଲା।

ଗୋଟିଏ ନଜରରେ, ଏହି ସମଗ୍ର ଦୃଶ୍ୟପଟ୍ଟରେ ଭରି ରହିଥିଲା, ଏମିତି ଜଣେ ବ୍ୟକ୍ତିଙ୍କ ବୌଦ୍ଧିକ ବିକାଶର ଇତିହାସ, ଯାହାଙ୍କ ସହିତ ଆମେ ତୃତୀୟ ଥର ପାଇଁ କଥାବାର୍ତ୍ତା କରୁଥିଲୁ। ଆଜି ୨୦୧୯ର ଜୁନ୍‌ ୨୫ ତାରିଖ। ତାଙ୍କ ସହିତ ଆମର ସର୍ବପ୍ରଥମ ସାକ୍ଷାତ୍‌କାର ହୋଇଥିଲା ୨୦୨୨ରେ।

“ମୋ ପାଇଁ ଭାରତିୟାର ଥିଲେ ସର୍ବାଧିକ ପ୍ରେରଣାଦାୟକ କବି,” ନଲ୍ଲାକନ୍ନୁ କହନ୍ତି। “ଅନେକ ସମୟରେ ତାଙ୍କ କବିତା କିମ୍ବା ଗୀତକୁ ନିଷିଦ୍ଧ କରାଯାଉଥିଲା।” ସେ କବିଙ୍କ ରଚିତ ଏକ ଅସାଧାରଣ ଗୀତ ‘ସୁଦନ୍ଦିରା ପଲ୍ଲୁ’ (ସ୍ୱାଧୀନତାର ଗୀତ)ର କେତେକ ଧାଡ଼ିର ଅବତାରଣା କରନ୍ତି। “ ମୁଁ ଭାବୁଛି, ସେ ଏହାକୁ ୧୯୦୯ରେ ଲେଖିଥିଲେ। ଅର୍ଥାତ୍‌, ୧୯୪୭ରେ ଭାରତ ସ୍ୱାଧୀନତା ଲାଭ କରିବାର ୩୮ ବର୍ଷ ପୂର୍ବରୁ ସେ ସ୍ୱାଧୀନତା ଉତ୍ସବ ପାଳନ କରନ୍ତି।

ଆମେ ନାଚିବୁ, ଆମେ ଗାଇବୁ଼
କାହିଁକି ନା ଆମେ ହାସଲ କରିଛୁ ସ୍ୱାଧୀନତାର ଆନନ୍ଦ

ଆଉ ନାହିଁ ସେ ସମୟ, ଯେବେ ଆମେ ବ୍ରାହ୍ମଣଙ୍କୁ ମହୋଦୟ ସମ୍ବୋଧନ କରୁଥିଲୁ
ଚାଲି ଯାଇଛି ସେ ସମୟ, ଯେବେ ଆମେ ଶ୍ୱେ ତାଙ୍ଗ ମଣିଷଙ୍କୁ ପ୍ରଭୁ ବୋଲି ଡାକୁଥିଲୁ

ଚାଲିଯାଇଛି ସେ ସମୟ, ଯେବେ ଆମେ ଆମଠାରୁ ଭିକ ନେଉଥିବା ଲୋକଙ୍କୁ ସଲାମ କରୁଥିଲୁ
ସେ ସମୟ, ଯେବେ ଆମେ ଆମକୁ ଉପହାସ କରୁଥିବା ଲୋକଙ୍କର ସେବା କରୁଥିଲୁ
ସବୁ ଜାଗାରେ କେବଳ ଗୋଟିଏ କଥା, ମୁକ୍ତିର କଥା...

The busts, statuettes and sketches on Nallakanu’s sideboard tell us this freedom fighter’s intellectual history at a glance
PHOTO • P. Sainath

ପ୍ରଥମ ନଜରରେ, ନଲ୍ଲାକନ୍ନୁଙ୍କ ଟେବୁଲ ପାଖରେ ରହିଥିବା ଆବକ୍ଷ ପ୍ରତିମୂର୍ତ୍ତି ଏବଂ କ୍ଷୁଦ୍ର ମୂର୍ତ୍ତି ସବୁ ଆମକୁ ତାଙ୍କ ବୌଦ୍ଧିକ ଇତିହାସର କଥା କହନ୍ତି

ନଲ୍ଲାକନ୍ନୁଙ୍କ ଜନ୍ମଗ୍ରହଣର ଚାରି ବର୍ଷ ପୂର୍ବରୁ, ୧୯୨୧ରେ ଭାରତୀଙ୍କର ମୃତ୍ୟୁ ଘଟିଲା। ଏହି ଗୀତଟି ଆହୁରି ଆଗରୁ ଲେଖାଯାଇଥିଲା। ହେଲେ ଏହା ଏବଂ ଅନ୍ୟ କେତେକ ରଚନା, ତାଙ୍କ ସଂଘର୍ଷପୂର୍ଣ୍ଣ ବର୍ଷଗୁଡ଼ିକରେ ତାଙ୍କୁ ପ୍ରେରିତ କରିଥିଲା। ୧୨ ବର୍ଷ ହେବା ପୂର୍ବରୁ ଭାରତୀଙ୍କର ଅନେକ ଗୀତ ଓ କବିତା ଜାଣିଥିଲେ ଆର୍‌ଏନ୍‌କେ। ଆଜି ବି ସେ ସେସବୁ କବିତାର ପଂକ୍ତି ଓ ଗୀତର ଧାଡ଼ିଗୁଡ଼ିକୁ ମନେ ପକାଇବାରେ ସକ୍ଷମ। ସେ କହନ୍ତି, “ଏଥିରୁ କେତୋଟିକୁ ମୁଁ ସ୍କୁଲରେ ହିନ୍ଦୀ ପଣ୍ଡିତ ପଲ୍ଲବେଶମ୍‌ ଚେଟ୍ଟିୟାରଙ୍କ ପାଖରୁ ଶିଖିଥିଲି।” ଅବଶ୍ୟ, ଏ ସବୁଥିରୁ କିଛି ହେଲେ ଆନୁଷ୍ଠାନିକ ପାଠ୍ୟକ୍ରମରେ ନ ଥିଲା।

“ଏସ୍‌. ସତ୍ୟମୂର୍ତ୍ତି ଯେତେବେଳେ ସ୍କୁଲକୁ ଆସିଲେ, ଭାରତିୟାରଙ୍କ କେତେକ ଲେଖା ଥିବା ଗୋଟିଏ ବହି ମୁଁ ତାଙ୍କ ପାଖରୁ ପାଇଲି। ଏହା ଥିଲା ତାଙ୍କର କବିତା ସଂଗ୍ରହ ଦେସିୟ ଗୀଦମ ।” ସତ୍ୟମୂର୍ତ୍ତି ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ ଏବଂ କଳାର ପୃଷ୍ଠପୋଷକ। ଭାରତୀ ଥିଲେ ୧୯୧୭ ଅକ୍ଟୋବରରେ ରୁଷ୍‌ରେ ସଙ୍ଗଠିତ ବିପ୍ଳବକୁ ସ୍ୱାଗତ କରିବାରେ ଅନ୍ୟତମ ପ୍ରଥମ ବ୍ୟକ୍ତି ଏବଂ ଏମିତି କି ସେ ଏହାକୁ ପ୍ରଶଂସା କରି ଗୀତ ବି ଲେଖିଥିଲେ।

ଭାରତୀଙ୍କ ପ୍ରତି ନଲ୍ଲାକନ୍ନୁଙ୍କର ଶ୍ରଦ୍ଧା ମାଧ୍ୟମରେ ଏବଂ ଆଠ ଦଶନ୍ଧି ଧରି ସେ ଯେଉଁ ଚାଷୀ ଓ ଶ୍ରମିକ ଶ୍ରେଣୀର ସଂଘର୍ଷର ଅଂଶ ରୂପେ ରହିଆସିଛନ୍ତି, ତାହାକୁ ତାଙ୍କ ଦୃଷ୍ଟିରେ ଦେଖିବାକୁ ଏବଂ ବୁଝିବାକୁ ଚେଷ୍ଟା କରିବା ଏକ ଉତ୍ତମ ପ୍ରୟାସ।

ଅନ୍ୟଥା, କମ୍ରେଡ୍‌ ‘ଆର୍‌ଏନ୍‌କେ’ଙ୍କ ଜୀବନ କାହାଣୀ ବର୍ଣ୍ଣନା କରିବା ବାସ୍ତବରେ କଷ୍ଟକର। ମୁଁ ସାକ୍ଷାତ କରିଥିବା ସବୁଠାରୁ ସାଦାସିଧା ମଣିଷଙ୍କ ମଧ୍ୟରୁ ସେ ଜଣେ। ଭଦ୍ର ଅଥଚ ଦୃଢ଼ ଭାବରେ, ସେ ଆମକୁ କହୁଥିବା କୌଣସି ବଡ଼ କାର୍ଯ୍ୟକ୍ରମ, ଆନ୍ଦୋଳନ ଏବଂ ସଂଘର୍ଷର କେନ୍ଦ୍ରରେ ନିଜକୁ ରଖିବା ଲାଗି ରାଜି ହୁଅନ୍ତି ନାହିଁ। ଏ କଥା ସତ ଯେ, ଏଥିରୁ କେତେକ କାର୍ଯ୍ୟକ୍ରମରେ ତାଙ୍କର ମୁଖ୍ୟ ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। କିନ୍ତୁ, କେବେ ବି ସେ ସେହି ଢଙ୍ଗରେ ତାହାର ବର୍ଣ୍ଣନା ବା ଉପସ୍ଥାପନା କରନ୍ତି ନାହିଁ।

“କମ୍ରେଡ୍‌ ଆର୍‌ଏନ୍‌କେ ଆମ ରାଜ୍ୟରେ କୃଷକ ଆନ୍ଦୋଳନର ଅନ୍ୟତମ ସଂସ୍ଥାପକ ନେତା ଥିଲେ,” ଜି. ରାମକ୍ରିଷ୍ଣନ କହନ୍ତି। ‘ଜିଆର୍‌’ ସିପିଆଇ (ଏମ୍‌)ର ରାଜ୍ୟ କମିଟି ସଦସ୍ୟ ହେଲେ ବି ଏହି ୯୭ ବର୍ଷୀୟ ସିପିଆଇ ନେତାଙ୍କ ଭୂମିକା ଓ ଅବଦାନକୁ ସେ ନିଃସର୍ତ୍ତ ସମ୍ମାନ ଜଣାନ୍ତି। “ବହୁ ଦଶନ୍ଧି ଧରି – ତାଙ୍କର କିଶୋର ବୟସ ସମୟରୁ ଆରମ୍ଭ କରି- ସେ ଓ ଶ୍ରୀନିବାସ ରାଓ, ସାରା ରାଜ୍ୟରେ କିଷାନ ସଭାର ମୂଳଦୁଆ ସ୍ଥାପନ କରିଥିଲେ। ସେସବୁ ଆଜି ବି ବାମପନ୍ଥୀମାନଙ୍କ ପାଇଁ ଶକ୍ତିର ଉତ୍ସ ରୂପେ ରହିଛି। ଏବଂ ତାମିଲନାଡୁ ସାରା ବୁଲି ବୁଲି ଅକ୍ଲାନ୍ତ ପ୍ରଚାର ଏବଂ ସଂଘର୍ଷ କରି ନଲ୍ଲାକନ୍ନୁ ଏହା ସୃଷ୍ଟି କରିବାରେ ସହାୟକ ହୋଇଥିଲେ।”

ନଲ୍ଲାକନ୍ନୁଙ୍କର ସଂଘର୍ଷ ଫଳରେ କୃଷକମାନଙ୍କର ଲଢ଼େଇ ସହିତ ଔପନିବେଶବାଦ ବିରୋଧୀ ଆନ୍ଦୋଳନର ଅବିରତ ସଂହତି ସ୍ଥାପିତ ହୋଇଥିଲା। ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ, ସେ ସମୟର ତାମିଲନାଡୁ ପାଇଁ ବେଶ୍‌ ମହତ୍ତ୍ୱପୂର୍ଣ୍ଣ ସାମନ୍ତବାଦ ବିରୋଧୀ ଲଢ଼େଇ ସହିତ ମଧ୍ୟ। ୧୯୪୭ ମସିହା ପରବର୍ତ୍ତୀ ସମୟରେ ମଧ୍ୟ ଏହି ଲଢ଼େଇ ଦୃଢ଼ତାର ସହିତ ଅବ୍ୟାହତ ରହିଥିଲା। କେବଳ ବ୍ରିଟିଶ ଶାସନ କବଳରୁ ଭାରତର ସ୍ୱାଧୀନତା ନୁହେଁ, ଅନେକ ବିସ୍ମୃତ ସ୍ୱାଧୀନତା ପାଇଁ ମଧ୍ୟ ତାଙ୍କର ସେହି ସଂଗ୍ରାମ ଚାଲିଥିଲା ଏବଂ ଆଜି ଯାଏଁ ଅବ୍ୟାହତ ରହିଛି।

Left: Nallakannu with P. Sainath at his home on December 12, 2022 after the release of The Last Heroes where this story was first featured .
PHOTO • Kavitha Muralidharan
Right: Nallakannu with his daughter Dr. Andal
PHOTO • P. Sainath

ବାମ : ୨୦୨୨ ଡିସେମ୍ବର ୧୨ ତାରିଖ ଦିନ ପି.ସାଇନାଥଙ୍କ ପୁସ୍ତକ ଦ ଲାଷ୍ଟ ହିରୋଜ୍‌, ଯେଉଁଥିରେ ପ୍ରଥମେ ଏହି ଲେଖା  ସନ୍ନିବେଶିତ ହୋଇଥିଲା, ପ୍ରକାଶ ପାଇବା ପରେ ନଲ୍ଲାକନ୍ନୁଙ୍କ ଘରେ ପି.ସାଇନାଥଙ୍କ ସହିତ ନଲ୍ଲାକନ୍ନୁ ଡାହାଣ : ତାଙ୍କ ଝିଅ ଡକ୍ଟର ଆନ୍ଦଲଙ୍କ ସହିତ ନଲ୍ଲାକନ୍ନୁ

“ଆମେ ସେମାନଙ୍କ ବିରୋଧରେ ରାତିରେ ଲଢୁଥିଲୁ, ଟେକାପଥର ଫିଙ୍ଗୁଥିଲୁ- ସେଇତକ ଯାହା ଆମର ଅସ୍ତ୍ର ଥିଲା- ଏବଂ ସେମାନଙ୍କୁ ଘଉଡ଼ାଇ ଦେଉଥିଲୁ। ବେଳେବେଳେ ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଲଢ଼େଇ ହେଉଥିଲା। ୧୯୪୦ ଦଶକର ଆନ୍ଦୋଳନ ସମୟରେ ଏଭଳି ଅନେକ ଥର ଘଟିଛି। ଆମେ ପିଲା ଥିଲୁ, ତଥାପି ଲଢ଼ିଲୁ। ଦିନ ଆଉ ରାତି, ଆମ ନିଜ ଧରଣର ଅସ୍ତ୍ରରେ!”

କାହା ସହିତ ଲଢ଼େଇ? ଆଉ କାହାପାଖରୁ ଏବଂ କେଉଁଠାରୁ ସେମାନଙ୍କୁ ଘଉଡ଼ାଇ ଦେଉଥିଲେ ?

“ମୋ ସହର ପାଖରେ ଥିବା ଉପ୍ପଲମ୍‌ (ଲୁଣ କିଆରି)। ସବୁ ଲୁଣ କିଆରି ବ୍ରିଟିଶ ନିୟନ୍ତ୍ରଣାଧୀନ ଥିଲା। ଶ୍ରମିକମାନେ ଦୟନୀୟ ଅବସ୍ଥାରେ ଥିଲେ। ଯେମିତି କି କଳକାରଖାନା ପାଖ ଅଞ୍ଚଳର ଅବସ୍ଥା, ଯେଉଁଠାରୁ କେଇ ଦଶନ୍ଧି ତଳୁ ସଂଘର୍ଷ ଆରମ୍ଭ ହୋଇଥିଲା। ଅନେକ ଆନ୍ଦୋଳନ କରାଗଲା ଏବଂ ସେମାନଙ୍କୁ ସାଧାରଣ ଲୋକଙ୍କ ସମବେଦନା ଏବଂ ସମର୍ଥନ ବହୁ ମାତ୍ରାରେ ମିଳିଲା।

“ପୋଲିସ କେବଳ ଲୁଣ କିଆରି ମାଲିକମାନଙ୍କର ଦଲାଲ ରୂପେ କାମ କଲା। ଗୋଟିଏ ଥର ସଂଘର୍ଷରେ ଜଣେ ସବ୍‌ ଇନ୍‌ସପେକ୍ଟର ପ୍ରାଣ ହରାଇଲେ। ଏପରି କି ସେଠାକାର ଥାନା ଉପରେ ବି ଆକ୍ରମଣ ହୋଇଥିଲା। ତା’ପରେ ସେମାନେ ଏକ ଭ୍ରାମ୍ୟମାଣ ପଇଁତରା କେନ୍ଦ୍ର ସ୍ଥାପନ କଲେ। ସେମାନେ ଦିନରେ ଲୁଣମରା କିଆରି ଅଞ୍ଚଳକୁ ଯାଆନ୍ତି ଏବଂ ରାତି ହେଲେ ଆମମାନଙ୍କର ଗାଁ ପାଖରେ ରହିବାକୁ ଆସନ୍ତି। ସେହି ସମୟରେ ସେମାନଙ୍କ ସହ ଆମର ସଂଘର୍ଷ ହେଲା।” ପ୍ରାୟ ଦୁଇ ବର୍ଷ ଧରି, କିମ୍ବା ତା’ଠାରୁ ଅଧିକ ସମୟ ହେବ, ମଝିରେ ମଝିରେ ଏହି ଆନ୍ଦୋଳନ ଓ ସଂଘର୍ଷ ଚାଲିଥିଲା। “କିନ୍ତୁ ୧୯୪୨ରେ ଏବଂ ଭାରତ ଛାଡ଼ ଆନ୍ଦୋଳନ ପାଖାପାଖି ସମୟରେ ଏହା ବାସ୍ତବରେ ବଡ଼ ଆକାରର ହୋଇଥିଲା।”

Despite being one of the founders of the farmer's movement in Tamil Nadu who led agrarian and working class struggles for eight long decades, 97-year-old Nallakannu remains the most self-effacing leader
PHOTO • PARI: Speical arrangement
Despite being one of the founders of the farmer's movement in Tamil Nadu who led agrarian and working class struggles for eight long decades, 97-year-old Nallakannu remains the most self-effacing leader
PHOTO • M. Palani Kumar

ତାମିଲନାଡୁରେ କୃଷକ ଆନ୍ଦୋଳନର ଅନ୍ୟତମ ସଂସ୍ଥାପକ, ଆଠ ଦଶନ୍ଧି ଧରି ଚାଷୀ ଓ ଶ୍ରମିକ ବର୍ଗର ସଂଘର୍ଷର ନେତୃତ୍ୱ ନେଇଆସିଥିବା ସତ୍ତ୍ୱେ ଆତ୍ମପ୍ରଚାରଠାରୁ ଦୂରରେ, ଜଣେ ଖୁବ୍‌ ସାଦାସିଧା ନେତା ଭାବରେ ପରିଚିତ ୯୭ ବର୍ଷୀୟ ନଲ୍ଲାକନ୍ନୁ

ଏ ସବୁ ଆନ୍ଦୋଳନରେ, ଏହି ମାତ୍ର କିଶୋର ବୟସରେ ପହଞ୍ଚିଥିବା ନଲ୍ଲାକନ୍ନୁଙ୍କ ଅଂଶଗ୍ରହଣକୁ ସହଜରେ ଗ୍ରହଣ କରିପାରିଲେନି ତାଙ୍କ ବାପା ରାମସ୍ୱାମୀ ତେବର। ତେବର ଥିଲେ ଜଣେ କୃଷକ, ତାଙ୍କର ୪-୫ ଏକର ଜମି ଥିଲା ଏବଂ ଛଅ ଜଣ ସନ୍ତାନ ଥିଲେ। ସବୁଠାରୁ ସାନ ଥିଲେ ଆର୍‌ଏନ୍‌କେ ଏବଂ ପ୍ରାୟ ସବୁବେଳେ ତାଙ୍କୁ ଘରେ ଶାସ୍ତି ଦିଆଯାଉଥିଲ। ଏବଂ ବେଳେବେଳେ ତାଙ୍କ ବାପା ତାଙ୍କ ସ୍କୁଲ ଫି’ ନ ଦେଇ ବାକି ରଖୁଥିଲେ।

“ଲୋକେ ତାଙ୍କୁ କହନ୍ତି- ‘ତୁମ ପୁଅ ପାଠ ପଢୁନି କି? ସେ ସବୁବେଳେ ବାହାରେ ବୁଲୁଛି ଆଉ ପାଟି କରୁଛି। ଲାଗୁଛି ସେ କୁସଙ୍ଗରେ ପଡ଼ିଯାଇଛି ଏବଂ କଂଗ୍ରେସରେ ଯୋଗ ଦେଇଛି’।” ସ୍କୁଲ ଫି’ ଦେବାର ଶେଷ ଦିନ ପ୍ରତି ମାସର ୧୪ ଓ ୨୪ ତାରିଖ ଭିତରେ ପଡୁଥିଲା। “ମୁଁ ତାଙ୍କୁ ଫି’ ପାଇଁ ପଇସା ମାଗିଲେ, ସେ ମୋ ଉପରେ ରାଗି ପାଟି କରନ୍ତି: ‘ତୁ ପାଠପଢ଼ା ଛାଡ଼ି ଦେ, ଆଉ ଚାଷକାମରେ ଦାଦାମାନଙ୍କର ସହାୟତା କର’।”

“ସମୟ ସରି ସରି ଆସିବା ସହିତ, ବାପାଙ୍କ ନିକଟତର କେହି ଜଣେ ତାଙ୍କୁ ବୁଝାସୁଝା କରି ଶାନ୍ତ କରୁଥିଲେ। ମୁଁ ଯାହା କରୁଥିଲି ବା କହୁଥିଲି, ଆଉ ସେମିତି କରିବିନି କି କହିବିନି ବୋଲି ସେମାନେ ବାପାଙ୍କୁ ପ୍ରତିଶ୍ରୁତି ଦେଉଥିଲେ ଏବଂ ତା’ପରେ ଯାଇ ସେ ମୋ ସ୍କୁଲ ଫି’ ଦେଉଥିଲେ।”

ହେଲେ, “ମୋ ଜୀବନ, ମୋ ଜୀବନଶୈଳୀକୁ ସେ ଯେତେ ଅଧିକ ବିରୋଧ କଲେ, ମୋର ଭିନ୍ନମତ ସେତେ ବେଶି ବଢ଼ିବାରେ ଲାଗିଲା। ମଦୁରାଇର ଦ ହିନ୍ଦୁ କଲେଜରେ ମୁଁ ତାମିଲ ମାଧ୍ୟମରେ ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ପାଠ ପଢ଼ିଲି। ପ୍ରକୃତରେ ତିରୁନେଲଭେଲି ଜଙ୍କସନ୍‌ରେ ଆମ କଲେଜ ଥିଲା। କିନ୍ତୁ ଏହାକୁ ମଦୁରାଇର ହିନ୍ଦୁ କଲେଜ ବୋଲି କୁହାଯାଉଥିଲା। ମୁଁ ସେଠାରେ ମାତ୍ର ଦୁଇ ବର୍ଷ ପଢ଼ିଲି। ଆଉ ଆଗକୁ ଯାଇପାରିଲି ନାହିଁ।”

କାରଣ, ସେ ଆନ୍ଦୋଳନରେ ଅଂଶଗ୍ରହଣ କରିବାରେ ବ୍ୟସ୍ତ ରହୁଥିଲେ। ଏବଂ ଉଲ୍ଲେଖନୀୟ ଯେ, ତାଙ୍କର ବିନମ୍ର ସ୍ୱଭାବ ଯୋଗୁଁ ସେ ଏହା କହୁ ନଥିଲେ ବି – ପ୍ରକୃତରେ ସେ ବହୁ ଆନ୍ଦୋଳନର ଆୟୋଜନ ଆରମ୍ଭ କରିଥିଲେ। ଜଣେ ଯୁବ ନେତା ଭାବେ କ୍ଷୀପ୍ର ବେଗରେ ଉଭା ହେବାକୁ ଯାଉଥିଲେ ଆର୍‌ଏନ୍‌କେ। ଏମିତି ଜଣେ ନେତା, ଯେ କେବେ ନାମୀଦାମୀ ନେତାର ପରିଚୟ ଲୋଡ଼ି ନଥିଲେ, ବରଂ ଅଧିକାଂଶ ସମୟରେ ଏହାକୁ ଏଡ଼ାଇ ଯାଉଥିଲେ।

The spirit of this freedom fighter was shaped by the lives and writings of Lenin, Marx, Periyar, Ambedkar, Bhagat Singh and others. Even today Nallakannu recalls lines from songs and poems by the revolutionary Tamil poet Subramania Bharti, which were often banned
PHOTO • PARI: Speical arrangement
The spirit of this freedom fighter was shaped by the lives and writings of Lenin, Marx, Periyar, Ambedkar, Bhagat Singh and others. Even today Nallakannu recalls lines from songs and poems by the revolutionary Tamil poet Subramania Bharti, which were often banned
PHOTO • PARI: Speical arrangement

ଲେନିନ, ମାର୍କ୍‌ସ, ପେରିୟାର, ଆମ୍ବେଦକର, ଭଗତ ସିଂହ ଓ ଅନ୍ୟମାନଙ୍କ ଜୀବନଧାରା ଓ ରଚନା ଦ୍ୱାରା ଅନୁପ୍ରେରିତ ହୋଇଥିଲା ଏହି ସ୍ୱାଧୀନତା ସଂଗ୍ରାମୀଙ୍କ ମନୋଭାବ ଆଜି ବି ବିପ୍ଳବୀ ତାମିଲ କବି ସୁବ୍ରମଣ୍ୟ ଭାରତୀଙ୍କ ସେହି ସବୁ ଗୀତ ଓ କବିତାର ପଂକ୍ତି ମନେ ପକାନ୍ତି ନଲ୍ଲାକନ୍ନୁ, ଯେଉଁଗୁଡ଼ିକ ଉପରେ ଅନେକ ସମୟରେ ପ୍ରତିବନ୍ଧକ ଲାଗୁଥିଲା

ଯେଉଁ ସବୁ କାର୍ଯ୍ୟକ୍ରମ ଏବଂ ଆନ୍ଦୋଳନ ସହ ସେ ସଂପୃକ୍ତ ଥିଲେ, ସେ ସବୁର ସମୟାନୁକ୍ରମିକ ବିବରଣୀ ସଂଗ୍ରହ କରିବା କଷ୍ଟକର। ଅଧିକନ୍ତୁ, ସେହି ସବୁ କାର୍ଯ୍ୟକ୍ରମର ସଂଖ୍ୟା ବହୁ ଅଧିକ ଏବଂ ଭିନ୍ନ ଭିନ୍ନ ସାମ୍ମୁଖ୍ୟ ଦ୍ୱାରା ସଂଘଟିତ ହୋଇଥିଲା।

ତଥାପି, ତାଙ୍କ ଜୀବନରେ ସ୍ୱାଧୀନତା ସଂଗ୍ରାମ ସମୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତକୁ ସେ ସରଳ ଭାବରେ କହନ୍ତି: “ଭାରତ ଛାଡ଼ ଆନ୍ଦୋଳନ ସଂପର୍କିତ ଲଢ଼େଇ।” ସେ ସମୟରେ ତାଙ୍କ ବୟସ ୧୭ ବର୍ଷ ବି ହୋଇ ନଥିଲା, କିନ୍ତୁ ସେ ବିଭିନ୍ନ ଆନ୍ଦୋଳନରେ ଜଣେ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ ଥିଲେ। ୧୨ରୁ ୧୫ ବର୍ଷ ବୟସ ମଧ୍ୟବର୍ତ୍ତୀ ବର୍ଷଗୁଡ଼ିକ ବି କଂଗ୍ରେସରୁ କମ୍ୟୁନିଷ୍ଟକୁ  ପରିବର୍ତ୍ତନର ସମୟ ଥିଲା।

କେଉଁ ଧରଣର ପ୍ରତିବାଦ ସଭା ଆୟୋଜନରେ ସେ ସହାୟତା କରୁଥିଲେ କିମ୍ବା ଭାଗ ନେଉଥିଲେ?

ଆରମ୍ଭରୁ, “ଆମ ପାଖରେ ଟିଣରେ ତିଆରି ମେଗାଫୋନ୍‌ ବା ଚୁଙ୍ଗା ଥିଲା। କୌଣସି ଏକ ଗାଁରେ  କିମ୍ବା ସହରରେ ଆମେ ଯେତିକି ପାରିବୁ ସେତିକି ଚଉକି ଓ ଟେବୁଲ ସଂଗ୍ରହ କରୁ ଏବଂ ଗୀତ ଗାଉ। ବକ୍ତାମାନେ ଠିଆ ହୋଇ ସମବେତ ଲୋକଙ୍କ ଉଦ୍ଦେଶ୍ୟରେ ଭାଷଣ ଦେବା ପାଇଁ ଟେବୁଲଟିଏ ରହୁଥିଲା। ମନେ ରଖନ୍ତୁ, ସବୁ ସମୟରେ ଲୋକଙ୍କ ଭିଡ଼ ଜମିବା ନିଶ୍ଚିତ ଥିଲା।” ପୁଣି ଥରେ, ଲୋକଙ୍କୁ ଏକତ୍ର କରିବାରେ ତାଙ୍କ ଭୂମିକା ସଂପର୍କରେ ସେ ଖୁବ୍‌ ଅଳ୍ପ କହନ୍ତି। ଅଥଚ, ତାଙ୍କରି ଭଳି ପଦାତିକ ସୈନିକମାନଙ୍କ ଯୋଗୁଁ ହିଁ ତାହା ସମ୍ଭବ ହେଉଥିଲା।

“ପରବର୍ତ୍ତୀ ସମୟରେ, ଜୀବାନନ୍ଦମଙ୍କ ଭଳି ବକ୍ତା ସେହି ସବୁ ଟେବୁଲ ଉପରେ ଠିଆ ହୋଇ ବେଶ୍‌ ବହୁସଂଖ୍ୟକ ଶ୍ରୋତାଙ୍କୁ ଭାଷଣ ଦେଉଥିଲେ। ମାଇକ୍‌ ନଥିଲା। ସେ ସେଗୁଡ଼ିକୁ ଦରକାର କରୁ ନଥିଲେ।

“ସମୟ ବିତିବା ସହିତ ଆମକୁ ଭଲ ଧରଣର ମାଇକ୍‌ ଏବଂ ଡାକବାଜି ଯନ୍ତ୍ର ମିଳିବା ଆରମ୍ଭ ହେଲା। ସେହି ସବୁ ଦିନର କଥା ମନେ ପକାଇ ସେ କହନ୍ତି, “ସବୁଠାରୁ ପସନ୍ଦଯୋଗ୍ୟ ଡାକବାଜି ଯନ୍ତ୍ରକୁ କୁହାଯାଉଥିଲା ‘ଚିକାଗୋ ମାଇକ୍‌’ କିମ୍ବା ଚିକାଗୋ ରେଡିଓ ସିଷ୍ଟମ। ଅବଶ୍ୟ, ଅନେକ ସମୟରେ ଆମେ ଏହାର ଖର୍ଚ୍ଚ ତୁଲାଇ ପାରୁ ନଥିଲୁ।”

RNK has been a low-key foot soldier. Even after playing a huge role as a leader in many of the important battles of farmers and labourers from 1940s to 1960s and beyond, he refrains from drawing attention to his own contributions
PHOTO • M. Palani Kumar
RNK has been a low-key foot soldier. Even after playing a huge role as a leader in many of the important battles of farmers and labourers from 1940s to 1960s and beyond, he refrains from drawing attention to his own contributions
PHOTO • M. Palani Kumar

ଆର୍‌ଏନ୍‌କେ ଥିଲେ ଜଣେ ଅନାଲୋଚିତ ସାଦାସିଧା ପଦାତିକ ସୈନିକ ୧୯୪୦ ରୁ ୧୯୬୦ ମଧ୍ୟରେ, ଏବଂ ପରବର୍ତ୍ତୀ ସମୟରେ ଆୟୋଜିତ ଚାଷୀ ଓ ଶ୍ରମିକମାନଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ସଂଗ୍ରାମର ନେତୃତ୍ୱ ନେଇ ସେ ଏକ ବହୁତ ବଡ଼ ଭୂମିକା ତୁଲାଇଥିଲେ ମଧ୍ୟ ନିଜର ଏହି ଅବଦାନ ପ୍ରତି ଧ୍ୟାନ ଆକର୍ଷଣରୁ ସେ ନିବୃତ୍ତ ରହନ୍ତି

ବ୍ରିଟିଶ ସରକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନ ସଂପର୍କରେ କ’ଣ କହିବେ ? ସେତେବେଳେ ପରସ୍ପର ସହିତ କେମିତି ଯୋଗାଯୋଗ ହେଉଥିଲା?

“ଅନେକ ଥର ଏଭଳି ପରିସ୍ଥିତି ଉପୁଜିଥିଲା। ଯେମିତି କି ରୟାଲ ଇଣ୍ଡିଆନ ନେଭି (ଆର୍‌ଆଇଏନ୍‌) ବିଦ୍ରୋହ (୧୯୪୬) ପରବର୍ତ୍ତୀ ସମୟରେ। ସେତେବେଳେ କମ୍ୟୁନିଷ୍ଟମାନଙ୍କ ବିରୋଧରେ ସଂପୂର୍ଣ୍ଣ କଠୋର କାର୍ଯ୍ୟାନୁଷ୍ଠାନ ହେଉଥିଲା। କିନ୍ତୁ, ତା ପୂର୍ବରୁ ମଧ୍ୟ ଚଢ଼ାଉ କରାଯାଉଥିଲା। ଏବଂ ବିଭିନ୍ନ ଗାଁରେ ଥିବା ପ୍ରତିଟି ଦଳୀୟ କାର୍ଯ୍ୟାଳୟରେ ଇଂରେଜମାନେ ତଲାସି ନେଉଥିଲେ। ଏମିତି ତ, ସ୍ୱାଧୀନତା ପରେ ବି ତାହା କରାଯାଉଥିଲା, ଯେତେବେଳେ ଦଳ ଉପରେ ନିଷେଧାଦେଶ ଲାଗୁ କରାଯାଇଥିଲା। ଆମର କେତେକ ବୁଲେଟିନ୍‌ ଏବଂ ପତ୍ରିକା ଥିଲା। ଉଦାହରଣତଃ, ଜନଶକ୍ତି ଭଳି। କିନ୍ତୁ ଆମ ପାଖରେ ଯୋଗାଯୋଗର ଅନ୍ୟ ଉପାୟ ଥିଲା। ସେଥିରୁ କେତେକ ହେଲା ବହୁ ଶତାବ୍ଦୀ ତଳେ ବ୍ୟବହୃତ ସରଳ ସାଂକେତିକ ଭାଷା।

“କଟ୍ଟବୋମ୍ମନ (୧୮ଶ ଶତାବ୍ଦୀର ପ୍ରଖ୍ୟାତ ଇଂରେଜ ବିରୋଧୀ ସଂଗ୍ରାମୀ)ଙ୍କ ସମୟରୁ ଲୋକେ ଘରର ପ୍ରବେଶ ଦ୍ୱାରରେ ନିମ୍ବ ଡାଳ ରଖିଆସୁଥିଲେ। ଘର ଭିତରେ କେହି ଜଣେ ବସନ୍ତ ବା ଅନ୍ୟ କୌଣସି ରୋଗରେ ପୀଡ଼ିତ ବୋଲି ଏଥିରୁ ସଂକେତ ମିଳୁଥିଲା। କିନ୍ତୁ ସେଠାରେ ଏକ ବୈଠକ ଚାଲିଥିବା କଥା ସୂଚାଇ ଦେବା ଲାଗି ଗୁପ୍ତ ସଂକେତ ରୂପରେ ମଧ୍ୟ ଏହାକୁ ବ୍ୟବହାର କରାଯାଉଥିଲା।

‘ଘର ଭିତରେ ଶିଶୁଟିଏ କାନ୍ଦିବାର ଶବ୍ଦ ଶୁଭିଲେ, ତାହାର ଅର୍ଥ ଥିଲା ଯେ, ଏବେ ବି ବୈଠକ ଚାଲିଛି। ଘରର ପ୍ରବେଶ ଦ୍ୱାର ଆଗରେ ରଖାଯାଇଥିବା ଗୋବର ଯଦି ଓଦାଳିଆ ଥିଲା, ତେବେ ବୈଠକ ଚାଲିଥିବାର ସଂକେତ ମିଳୁଥିଲା। ଯଦି ଶୁଖିଲା ଗୋବର ରଖାଯାଇଥିଲା, ତେବେ ଏହାର ଅର୍ଥ ଥିଲା ଯେ, ଆଗକୁ ବିପଦ ଅଛି ଏବଂ ବୈଠକ ଶେଷ ହୋଇଯାଇଛି, ତେଣୁ ସେ ସ୍ଥାନ ଛାଡ଼ି ଚାଲି ଯାଆନ୍ତୁ।

ସ୍ୱାଧୀନତା ସଂଗ୍ରାମ ସମୟରେ ‘ଆର୍‌ଏନ୍‌କେ’ଙ୍କ ପାଇଁ ସର୍ବବୃହତ୍‌ ପ୍ରେରଣାର ଉତ୍ସ କ’ଣ ଥିଲା?

‘ଆମ ପାଇଁ ସବୁଠାରୁ ବଡ଼ ପ୍ରେରଣାର ଉତ୍ସ ଥିଲା କମ୍ୟୁନିଷ୍ଟ ପାର୍ଟି।”

Nallakannu remained at the forefront of many battles, including the freedom movement, social reform movements and the anti-feudal struggles. Being felicitated (right) by comrades and friends in Chennai
PHOTO • PARI: Speical arrangement
Nallakannu remained at the forefront of many battles, including the freedom movement, social reform movements and the anti-feudal struggles. Being felicitated (right) by comrades and friends in Chennai
PHOTO • PARI: Speical arrangement

ସ୍ୱାଧୀନତା ଆନ୍ଦୋଳନ, ସାମାଜିକ ସଂସ୍କାର ଅଭିଯାନ ଏବଂ ସାମନ୍ତବାଦ ବିରୋଧୀ ସଂଘର୍ଷ ସମେତ ଅନେକ  ଆନ୍ଦୋଳନର ପୁରୋଭାହରେ ରହିଥିଲେ ନଲ୍ଲାକନ୍ନୁ (ଡାହାଣ) ଚେନ୍ନାଇରେ ଦଳୀୟ ସାଥୀ ଓ ବନ୍ଧୁମାନଙ୍କ ଦ୍ୱାର ସମ୍ବର୍ଦ୍ଧିତ ହେବା ଅବସରରେ

*****

‘ଗିରଫ ହେବା ପରେ ମୁଁ କାହିଁକି ନିଶ କାଟିଦେଲି?’ ଆର୍‌ଏନ୍‌କେ ହସନ୍ତି। ‘ମୁଁ ଆଦୌ କାଟି ନଥିଲି। ଆଉ ପ୍ରଥମ କଥା ହେଲା ଛଦ୍ମରୂପରେ ମୁହଁ ଲୁଚାଇବା ଲାଗି ମୁଁ ଏହାକୁ କେବେ ବି ବଢ଼ାଇ ନଥିଲି। ସେମିତି ହୋଇଥିଲେ, ପ୍ରଥମରୁ ମୁଁ କାହିଁକି ନିଶ ବଢ଼ାଇ ଥାଆନ୍ତି?

‘ନା, ପୋଲିସ ଏହାକୁ ସିଗାରେଟ ନିଆଁରେ ଜଳାଇ ଦେଇଥିଲା। ତାହା ଥିଲା, ମାଡ୍ରାସ ନଗରୀର ଜଣେ ଇନ୍‌ସପେକ୍‌ଟର କ୍ରିଷ୍ଣମୂର୍ତ୍ତିଙ୍କ ଦ୍ୱାରା ମୋ ଉପରେ କରାଯାଇଥିବା ଅତ୍ୟାଚାରର ଅଂଶବିଶେଷ। ରାତି ୨ଟା ସମୟରେ ସେ ମୋ ହାତ ବାନ୍ଧି ଦେଲେ। ପରଦିନ ସକାଳ ୧୦ଟାରେ ସେ ମୋ ହାତ ଖୋଲିଲେ। ତା ପରେ ସେ ମୋତେ ତାଙ୍କ ବାଡ଼ିରେ ବହୁ ସମୟ ଧରି ବାଡ଼େଇଲେ।

ପୁଣି ଥରେ, ଅନ୍ୟ ଅନେକ ସାଥୀ ସ୍ୱାଧୀନତା ସଂଗ୍ରାମୀଙ୍କ ଭଳି, ସେହି ଘଟଣାକୁ ମନେ ପକାଇବା ସମୟରେ ତାଙ୍କୁ ନିର୍ଯାତନା ଦେଇଥିବା ବ୍ୟକ୍ତିଙ୍କ ପ୍ରତି ସେ କୌଣସି ପ୍ରକାର ବିଦ୍ୱେଷ ବା ଘୃଣାଭାବ ଦେଖାଉ ନଥିଲେ। ପରବର୍ତ୍ତୀ ସମୟରେ, ଆର୍‌ଏନ୍‌କେ ରାଗ ଶୁଝାଇବା ପାଇଁ ସେହି ପୋଲିସ ଇନ୍‌ସପେକ୍‌ଟରଙ୍କୁ କଦାପି ଖୋଜି ନଥିଲେ। ଏମିତି କରିବା ଲାଗି ତାଙ୍କ ମନରେ କୌଣସି ଭାବନା କେବେହେଲେ ଆସି ନଥିଲା।

ସେ କହନ୍ତି, ‘ପ୍ରକୃତରେ ଏହା ୧୯୪୮ରେ ଘଟିଥିଲା,’ ଭାରତ ସ୍ୱାଧୀନତା ପାଇବା ପରେ। ‘ମାଡ୍ରାସ ସମେତ ଅନେକ ପ୍ରଦେଶରେ ଦଳ ଉପରେ କଟକଣା ଜାରି କରାଯାଇଥିଲା ଏବଂ ଏହା ୧୯୫୧ ମସିହା ପର୍ଯ୍ୟନ୍ତ ବଳବତ୍ତର ରହିଥିଲା।

Nallakannu remains calm and sanguine about the scary state of politics in the country – 'we've seen worse,' he tells us
PHOTO • M. Palani Kumar

ଦେଶରେ ଭୟଙ୍କର ରାଜନୈତିକ ପରିବେଶ ସଂପର୍କରେ ଶାନ୍ତ ଓ ଆଶାବାଦୀ ରହନ୍ତି ନଲ୍ଲାକନୁ – ଆମେ ଏହାଠାରୁ ଖରାପ ସ୍ଥିତି ଦେଖିଛୁ , ଆମକୁ ସେ କହନ୍ତି

‘କିନ୍ତୁ, ଆପଣ ବୁଝିବା ଉଚିତ ଯେ, ସେତେବେଳେ ସାମନ୍ତବାଦ ବିରୋଧୀ ସଂଗ୍ରାମ ଚାଲିଥିଲା ଏବଂ ଏଥିରେ ବି ଲଢ଼ିବା ଦରକାର ଥିଲା। ସେଥିପାଇଁ ଆମକୁ ଗୋଟିଏ ମୂଲ୍ୟ ପଇଠ କରିବାକୁ ପଡ଼ିଥିଲା। ଏବଂ ଏହା ୧୯୪୭ର ବହୁ ପୂର୍ବରୁ ଆରମ୍ଭ ହୋଇଥିଲା- ଏବଂ ସ୍ୱାଧୀନତା ପରେ ବହୁ ସମୟ ଯାଏଁ ଚାଲିଥିଲା।

‘ସ୍ୱାଧୀନତା ଆନ୍ଦୋଳନ, ସାମାଜିକ ସଂସ୍କାର, ସାମନ୍ତବାଦ ବିରୋଧୀ ସଂଘର୍ଷ- ଆମେ ଏହି ସବୁ ପ୍ରସଙ୍ଗକୁ ଏକତ୍ର କରି ନେଇଥିଲୁ। ସେହି ଢଙ୍ଗରେ ଆମେ କାମ କରୁଥିଲୁ।

ଆମେ ଅଧିକ ଏବଂ ସମାନ ମଜୁରି ପାଇଁ ଲଢୁଥିଲୁ। ଆମେ ଅସ୍ପୃଶ୍ୟତା ଉଚ୍ଛେଦ ପାଇଁ ଲଢୁଥିଲୁ। ମନ୍ଦିର ପ୍ରବେଶ ଆନ୍ଦୋଳନରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲୁ।

‘ତାମିଲନାଡୁରେ ଏକ ପ୍ରମୁଖ ଆନ୍ଦୋଳନ ଥିଲା ଜମିଦାରୀ ପ୍ରଥା ଉଚ୍ଛେଦ ଦିଗରେ ଅଭିଯାନ। ରାଜ୍ୟରେ ଅନେକଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଜମିଦାରୀ ରହିଥିଲା। ଆମେ ମିରାସଦାରି (ବଂଶଗତ ଉପାଧି ବଳରେ ଜମିର ମାଲିକାନା) ଏବଂ ଇନାମଦାରି (କୌଣସି ବ୍ୟକ୍ତି ବା ଅନୁଷ୍ଠାନକୁ ଶାସକଙ୍କ ଦ୍ୱାରା ମାଗଣାରେ ଜମି ପ୍ରଦାନ) ପ୍ରଥା ବିରୋଧରେ ଲଢ଼ିଲୁ। ଏହି ସବୁ ସଂଗ୍ରାମର ପୁରୋଭାଗରେ କମ୍ୟୁନିଷ୍ଟମାନେ ହିଁ ଥିଲେ। ଅନେକ ବଡ଼ ବଡ଼ ଜମିଦାର ଏବଂ ସେମାନଙ୍କର ଘରୋଇ ସଶସ୍ତ୍ର ଗୁଣ୍ଡା ଏବଂ ବଦମାସଙ୍କ ମୁକାବିଲା କରିବାକୁ ପଡୁଥିଲା।

‘ପୁନିୟୁର ସମ୍ବାଶିବା ଆୟାର, ନେଡୁମଣମ ସାମିୟାପ୍ପା ମୁଦାଲିୟାର, ପୁଣ୍ଡି ବଣ୍ଡିୟାରଙ୍କ ଭଳି ଲୋକେ ବି ଥିଲେ। ସେମାନଙ୍କ ପାଖରେ ହଜାର ହଜାର ଏକର ଉର୍ବର ଜମିର ମାଲିକାନା ଥିଲା।’

ଏବେ ଆମେ ଇତିହାସର ଏକ ଚିତ୍ତାକର୍ଷକ ଅଧ୍ୟାୟ ବିଷୟରେ ଜାଣିବାକୁ ବସିଛୁ। ତାହା ବି ସେହି ବ୍ୟକ୍ତିଙ୍କ ପାଖରୁ, ଯାହାଙ୍କ ସହଯୋଗରେ ରଚିତ ସେହି ଇତିହାସ।

PHOTO • PARI: Speical arrangement

'ସ୍ୱାଧୀନତା, ସାମାଜିକ ସଂସ୍କାର, ସାମନ୍ତବାଦ ବିରୋଧୀ ସଂଘର୍ଷ- ଆମେ ଏହି ସବୁ ପ୍ରସଙ୍ଗକୁ ଏକତ୍ର କରିନେଲୁ। ଆମେ ଅଧିକ ଓ ସମାନ ମଜୁରି ପାଇଁ ଲଢ଼ିଲୁ। ଅସ୍ପୃଶ୍ୟତା ଉଚ୍ଛେଦ ଲାଗି ଆମେ ଲଢ଼ିଲୁ। ମନ୍ଦିର ପ୍ରବେଶ ଆନ୍ଦୋଳନରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କଲୁ'

‘ସେତେବେଳେ ଶହ ଶହ ବର୍ଷ ପୁରୁଣା ବ୍ରହ୍ମଦେୟମ ଏବଂ ଦେବଦାନମ୍‌ ପ୍ରଥା ମଧ୍ୟ ଚାଲିଥିଲା।

‘ପ୍ରଥମ ପ୍ରଥା ଅନୁସାରେ ଶାସକମାନେ ବ୍ରାହ୍ମଣମାନଙ୍କୁ ମାଗଣାରେ ଜମି ଦେଉଥିଲେ। ସେମାନେ ସେହି ଜମି ଉପରେ କର୍ତ୍ତୃତ୍ୱ ଜାହିର କରିବା ସହିତ ଫାଇଦା ମଧ୍ୟ ନେଉଥିଲେ। ସେମାନେ ସିଧାସଳଖ ଜମିରେ ଚାଷ କରୁ ନଥିଲେ, କିନ୍ତୁ ଲାଭ ସେମାନଙ୍କ ପାଖକୁ ଯାଉଥିଲା। ଦେବଦାନମ୍‌ ପ୍ରଥା ଅନୁସାରେ ବିଭିନ୍ନ ମନ୍ଦିରକୁ ଏହିଭଳି ଜମି ଦାନ ଦିଆଯାଉଥିଲା। ବେଳେବେଳେ ସାରା ଗାଁକୁ ଗୋଟିଏ ମନ୍ଦିର ଉପହାରରେ ଦିଆଯାଉଥିଲା। କ୍ଷୁଦ୍ର ଭାଗଚାଷୀ ଏବଂ ଶ୍ରମିକମାନେ ସେମାନଙ୍କ ଦୟାରେ ଜୀବନଯାପନ କରୁଥିଲେ। ସେମାନଙ୍କ ବିରୋଧରେ ଯାଉଥିବା ଲୋକଙ୍କୁ ବେଦଖଲ କରାଯାଇପାରୁଥିଲା ଏବଂ କରାଯାଉଥିଲା ବି।

‘ଜାଣି ରଖନ୍ତୁ, ଏହି ସବୁ ସଂସ୍ଥା, ମଡମ (ମଠ ଓ ଆଶ୍ରମ) ସମୂହ ପାଖରେ ଛଅ ଲକ୍ଷ ଏକର ଜମିର ମାଲିକାନା ଥିଲା। ଏବେ ବି ଥାଇପାରେ। କିନ୍ତୁ ଲୋକଙ୍କ ଅପ୍ରତିହତ ସଂଘର୍ଷ ବଳରେ ସେମାନଙ୍କ କ୍ଷମତା ବହୁ ମାତ୍ରାରେ ସଙ୍କୁଚିତ ହୋଇଛି।

“୧୯୪୮ରେ ତାମିଲନାଡୁ ଜମିଦାରୀ ଉଚ୍ଛେଦ ଆଇନ କାର୍ଯ୍ୟକାରୀ ହେଲା। ଜମିଦାର ଓ ବହୁ ପରିମାଣ ଜମିର ମାଲିକମାନଙ୍କୁ ଏ ବାବଦରେ କ୍ଷତିପୂରଣ ଦିଆଗଲା, କିନ୍ତୁ ସେମାନଙ୍କ ପାଇଁ ସେହି ଜମିରେ କାମ କରିଥିବା ଲୋକମାନଙ୍କୁ ନୁହେଁ। ସଂପନ୍ନ ଚାଷୀମାନେ କିଛି କିଛି କ୍ଷତିପୂରଣ ପାଇଲେ। ସେହି ଜମିରେ କାମ କରୁଥିବା ଗରିବ ଲୋକେ କିଛି ପାଇଲେ ନାହିଁ।୧୯୪୭-୪୯ ମଧ୍ୟରେ, ଏହି ସବୁ ମନ୍ଦିର ଜମିରୁ ବହୁସଂଖ୍ୟକ ଲୋକଙ୍କୁ ଉଚ୍ଛେଦ କରାଗଲା। ଏବଂ ଆମେ ଯେଉଁ ବଡ଼ ବଡ଼ ଆନ୍ଦୋଳନ ଆରମ୍ଭ କଲୁ ସେଥିରେ ଗୋଟିଏ ଧାଡ଼ି ଉପରେ ଜୋର ଦିଆଯାଇଥିଲା: ‘କେବଳ ଚାଷୀମାନେ ଜମିର ମାଲିକ ହେଲେ ହିଁ ସେମାନେ ଭଲରେ ରହିବେ’।

“ଏ ସବୁ ଥିଲା ଆମ ସଂଗ୍ରାମର କଥା- ୧୯୪୮ରୁ ୧୯୬୦ ପର୍ଯ୍ୟନ୍ତ, ସେମାନଙ୍କ ଅଧିକାର ହାସଲ ପାଇଁ ଲଢ଼େଇ ଅବ୍ୟାହତ ରହିଲା। ମୁଖ୍ୟମନ୍ତ୍ରୀ ଭାବରେ ସି. ରାଜଗୋପାଳାଚାରୀ (ରାଜାଜୀ) ଜମିଦାର ଓ ମଠ ସପକ୍ଷରେ ଗଲେ। ଆମେ କହିଲୁ, “ଚାଷୀକୁ ଜମି”। ରାଜାଜୀ କହିଲେ, ଯେଉଁମାନଙ୍କ ପାଖରେ କାଗଜପତ୍ର ଅଛି, ଜମି ସେମାନଙ୍କର। କିନ୍ତୁ ଆମ ସଂଘର୍ଷ ବଳରେ ମନ୍ଦିର ଓ ମଠଗୁଡ଼ିକର ସେହି ପ୍ରଭୁତ କ୍ଷମତା ଭଙ୍ଗ ହେଲା। ଆମେ ଫସଲ ଅମଳ ସଂପର୍କିତ ସେମାନଙ୍କ ନୀତି ଓ ବ୍ୟବସ୍ଥାକୁ ଅମାନ୍ୟ କଲୁ। ଆମେ କ୍ରୀତଦାସ ଭଳି ରହିବାକୁ ମନା କରିଦେଲୁ।

“ଅବଶ୍ୟ, ଏ ସବୁକୁ ବିଭିନ୍ନ ସାମାଜିକ ସଂଘର୍ଷଠାରୁ ପୃଥକ୍‌ କରାଯାଇ ପାରି ନଥିଲା।

“ମୋର ମନେପଡ଼େ, ସେହି ଆନ୍ଦୋଳନ ସମୟରେ ଦିନେ ରାତିରେ ଗୋଟିଏ ମନ୍ଦିରର କଥା। ବିଭିନ୍ନ ମନ୍ଦିରରେ ରଥ ଯାତ୍ରା ପର୍ବ ପାଳିତ ହେବାର ଥାଏ। ଏବଂ ଚାଷୀମାନେ ହିଁ ରଥର ଦଉଡ଼ି ଟାଣି ଆଗକୁ ନିଅନ୍ତି। ଆମେ କହିଲୁ, ଯଦି ଉଚ୍ଛେଦ ଅଭିଯାନ ଅବ୍ୟାହତ ରହେ, ତେବେ ସେମାନେ ରଥ ଟାଣିବାକୁ ଆସିବେ ନାହିଁ। ଜମିରେ ବୁଣିବା ପାଇଁ କିଛି ଶସ୍ୟ ନେଇଯିବାର ଅଧିକାର ଆମର ମଧ୍ୟ ଅଛି ବୋଲି କହିଲୁ।”

R. Nallakannu accepted the government of Tamil Nadu's prestigious Thagaisal Thamizhar Award on August 15, 2022, but immediately donated the cash prize of Rs. 10 lakhs to the Chief Minister’s Relief Fund, adding another 5,000 rupees to it
PHOTO • M. Palani Kumar
R. Nallakannu accepted the government of Tamil Nadu's prestigious Thagaisal Thamizhar Award on August 15, 2022, but immediately donated the cash prize of Rs. 10 lakhs to the Chief Minister’s Relief Fund, adding another 5,000 rupees to it
PHOTO • P. Sainath

୨୦୨୨ ଅଗଷ୍ଟ ୧୫ ତାରିଖ ଦିନ ସେ ତାମିଲନାଡୁ ସରକାରଙ୍କ ସମ୍ମାନଜନକ ତାଗାଇସାଇ ତାମିଜାର ପୁରସ୍କାର ଗ୍ରହଣ କରିଥିଲେ, କିନ୍ତୁ ସାଙ୍ଗେ ସାଙ୍ଗେ ଏ ବାବଦରେ ପାଇଥିବା ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହିତ ଆଉ , ୦୦୦ ଟଙ୍କା ମିଶାଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଦେଇଥିଲେ

ଏବେ ସେ ସ୍ୱାଧୀନତା ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ସମୟ ମଧ୍ୟରେ ଆଗକୁ ପଛକୁ ଯିବାରେ ଲାଗିଥିଲେ। ଗୋଟିଏ ସ୍ତରରେ, ତାହା ଦ୍ୱନ୍ଦ୍ୱରେ ପକାଉଥିଲା ଏବଂ ଅନ୍ୟ ସ୍ତରରେ, ତାହା ସେ ସମୟର ଜଟିଳତାକୁ ସାମନାକୁ ଆଣୁଥିଲା। ଏତିକି ଯେ, ଏଥିରେ ଅନେକ ସ୍ୱାଧୀନତାର ସଂପୃକ୍ତି ରହିଥିଲା। ଆଉ ଏସବୁର ଆରମ୍ଭ ଓ ଶେଷ ତାରିଖ ସ୍ପଷ୍ଟ ନଥିଲା। ଏହା ସହିତ ଏହି ସବୁ ସ୍ୱାଧୀନତା ହାସଲ ଉଦ୍ୟମ ପଛରେ ରହିଥିଲା ‘ଆର୍‌ଏନ୍‌କେ’ଙ୍କ ଭଳି ବ୍ୟକ୍ତିଙ୍କ ଅଟଳ ମନୋଭାବ।

“ଠିକ୍‌ ସେହି ସବୁ ଦଶନ୍ଧି ଦେଇ ଆମେ ମଧ୍ୟ, କର୍ମୀଙ୍କ ଉପରେ ମାଡ଼ ଓ ଅତ୍ୟାଚାର ବିରୋଧରେ ଲଢ଼େଇ କରିଥିଲୁ।

“୧୯୪୩ରେ, ତଥାପି ଦଳିତମାନଙ୍କ ଉପରେ ଚାବୁକ ମାଡ଼ ହେଉଥିଲା। ଏବଂ ଚାବୁକ ମାଡ଼ ଯୋଗୁଁ ହୋଇଥିବା କ୍ଷତ ଉପରେ ଗୋବର ପାଣି ଢାଳି ଦିଆଯାଉଥିଲା। ଭୋର୍‌ ୪ଟା କି ୫ଟାରେ ସେମାନେ କାମ କରିବାକୁ ଯାଉଥିଲେ- ଯେତେବେଳେ ବି କୁକୁଡ଼ାର ଡାକ ଶୁଭୁଥିଲା। ସେମାନେ ମିରାସଦାର ଙ୍କ ଜମିରେ ପହଞ୍ଚୁ ଥିଲେ, ଗୋରୁଗାଈଙ୍କୁ ଗାଧୋଇ ଦେଉଥିଲେ ଏବଂ ଗୋବର ଗୋଟାଇ ଆଣୁଥିଲେ। ତାଞ୍ଜାବୁର ଜିଲ୍ଲାରେ ତିରୁତୁରାଇପୁଣ୍ଡି ନାଁରେ ଗୋଟିଏ ଗାଁ ଥିଲା। ସେହିଠାରୁ ହିଁ ଆମେ ସେମାନଙ୍କ ପାଇଁ ଆନ୍ଦୋଳନ କରିଥିଲୁ।

“କିଷାନ ସଭାର ଶ୍ରୀନିବାସ ରାଓଙ୍କ ନେତୃତ୍ୱରେ ଏକ ବିରାଟ ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା। ଭାବଧାରା ଏମିତି ଥିଲା ଯେ, “ଲାଲ ପତାକା ଧରିଥିବାରୁ ସେମାନେ ଯଦି ତୁମକୁ ପିଟିବେ, ଜବାବରେ ତୁମେ ବି ସେମାନଙ୍କୁ ପିଟ’। ଶେଷରେ, ତିରୁତୁରାଇପୁଣ୍ଡିର ମିରାସଦାର ଏବଂ ମୁଦାଲିଆରମାନେ ଗୋଟିଏ ବୁଝାମଣାପତ୍ରରେ ସ୍ୱାକ୍ଷର କଲେ ଯେ, ଏ ପ୍ରକାର ଚାବୁକ ମାଡ଼, ଗୋବର ପାଣି ବ୍ୟବହାର ଏବଂ ଅନ୍ୟାନ୍ୟ କ୍ରୁର ପ୍ରଥା ସବୁ ବନ୍ଦ କରାଯିବ।”

୧୯୪୦ରୁ ୧୯୬୦ ପର୍ଯ୍ୟନ୍ତ ଏବଂ ପରବର୍ତ୍ତୀ ସମୟରେ ମଧ୍ୟ ଏହି ସବୁ ଉଲ୍ଲେଖନୀୟ ସଂଗ୍ରାମରେ ନିଜର ବୃହତ୍‌ ଭୂମିକାକୁ ଏଡ଼ାଇ ଯାଆନ୍ତି ଆର୍‌ଏନ୍‌କେ। ଶ୍ରୀନିବାସ ରାଓଙ୍କ ପରେ ସେ ତାମିଲନାଡୁର ଅଖିଳ ଭାରତୀୟ କିଷାନ ସଭା (ଏଆଇକେଏସ୍‌)ର ମୁଖ୍ୟ ରୂପେ ଦାୟିତ୍ୱ ତୁଲାଇଥିଲେ। କେଇ ଦଶନ୍ଧି ପରେ, ୧୯୪୭ରେ, ଏହି ନିରବ ତଥା ବାସ୍ତବ ସଂଗ୍ରାମୀ ଜଣକ ଚାଷୀ ଓ ଶ୍ରମିକମାନଙ୍କ ଲଢ଼େଇରେ ଜଣେ ଶକ୍ତିଶାଳୀ ସେନାପତି ଭାବରେ ଉଭା ହୋଇଥିଲେ।

*****

ସେମାନେ ଦୁହେଁ ଉତ୍କଣ୍ଠିତ ଓ ଭାବପ୍ରବଣ ହୋଇ ପଡ଼ିଛନ୍ତି। ସିପିଆଇ (ଏମ୍‌) ନେତା ତଥା ସ୍ୱାଧୀନତା ସଂଗ୍ରାମୀ ଏନ୍‌. ଶଙ୍କରାୟାଙ୍କ ଘରେ ଆମେ ଆମର ଅନ୍ୟ ଏକ ସାକ୍ଷାତ୍‌କାର କରୁଅଛୁ। ତାହା ହେଲା, ଆମେ ଉଭୟଙ୍କ ସହିତ ଏବଂ ନଲ୍ଲାକନ୍ନୁଙ୍କ ସହିତ ଏକାଠି କଥାବାର୍ତ୍ତା କରୁଛୁ। ଆଠଟି ଦଶକର ଦୁଇ କମ୍ରେଡ୍‌ ପରସ୍ପରକୁ ଯେଉଁଭଳି ଭାବରେ ଅଭିବାଦନ ଜଣାଇଲେ ତାହା ସେହି କୋଠରିରେ ଉପସ୍ଥିତ ଅନ୍ୟମାନଙ୍କ ଭାବନାକୁ ମଧ୍ୟ ଛୁଇଁ ଯାଇଥିଲା।

PHOTO • M. Palani Kumar
PHOTO • M. Palani Kumar

ହୁଏତ ୬୦ ବର୍ଷ ତଳେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଦୁଇ ଭାଗ ହେବା ସମୟରେ, ଭିନ୍ନ ଭିନ୍ନ ରାସ୍ତା ଆପଣେଇ ନେଇଥିଲେ ୯୭ ବର୍ଷୀୟ ନଲ୍ଲାକନ୍ନୁ ଏବଂ ୧୦୧ ବର୍ଷ ବୟସ୍କ କମ୍ରେଡ୍‌ ଶଙ୍କରାୟା, ତଥାପି ସ୍ୱାଧୀନତା ଓ ନ୍ୟାୟ ପାଇଁ ସେମାନଙ୍କ ସଂଘର୍ଷରେ ସେମାନେ ଏକଜୁଟ୍‌ ହୋଇ ରହିଥିଲେ

ଏଠାରେ କ’ଣ କୌଣସି ତିକ୍ତତା, କୌଣସି ଦୁଃଖ ନାହିଁ? ୬୦ ବର୍ଷ ତଳେ ଯେତେବେଳେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଦୁଇ ଭାଗ ହେଲା, ସେତେବେଳେ ସେମାନେ ନିଜ ନିଜ ପାଇଁ ଭିନ୍ନ ଭିନ୍ନ ବାଟ ବାଛି ନେଇଥିଲେ। ଏହା ଆଦୌ ଏକ ବନ୍ଧୁଭାବାପନ୍ନ ବିଚ୍ଛେଦ ନଥିଲା।

“କିନ୍ତୁ ତା’ପରେ ବି ଅନେକ ପ୍ରସଙ୍ଗରେ ଏବଂ ସଂଘର୍ଷରେ ଆମେ ଏକାଠି କାମ କରିଛୁ,” ନଲ୍ଲାକନ୍ନୁ କହନ୍ତି। “ସେହି ଏକା ମନୋବୃତ୍ତି ନେଇ, ଯାହା କି ଆଗରୁ ପରସ୍ପର ପ୍ରତି ରହିଥିଲା।”

“ଆମେ ଦୁହିଁଙ୍କର ଯେତେବେଳେ ସାକ୍ଷାତ ହୁଏ”, ଶଙ୍କରାୟା କହନ୍ତି, “ଏବେ ମଧ୍ୟ ଆମର ଗୋଟିଏ ଦଳ।”

ଆଜିକାଲି ବଢ଼ିବାରେ ଲାଗିଥିବା ସାଂପ୍ରଦାୟିକ ହିଂସା ଏବଂ ଘୃଣାଭାବ ସଂପର୍କରେ ସେମାନଙ୍କର ପ୍ରତିକ୍ରିୟା କ’ଣ ? ଦେଶର ଭବିଷ୍ୟତକୁ ନେଇ ସେମାନେ ଆଶଙ୍କା କରନ୍ତି କି? ସେହି ଦେଶ, ଯାହାର ସ୍ୱାଧୀନତା ହାସଲରେ ସେମାନେ ସାହାଯ୍ୟ କରିଥିଲେ।

ନଲ୍ଲାକନ୍ନୁ କହନ୍ତି, “ସ୍ୱାଧୀନତା ସଂଗ୍ରାମ ଅବସରରେ ବି ଅନେକ ସମୟରେ ସବୁ କଥା ନୈରାଶ୍ୟଜନକ ଲାଗିଥିଲା। ଏ ଲଢ଼େଇରେ ଆମେ ଜିତି ପାରିବୁ ନାହିଁ ବୋଲି ଆମକୁ କୁହାଯାଇଥିଲା। ତୁମେମାନେ ବିଶ୍ୱର ସର୍ବବୃହତ୍‌ ସାମ୍ରାଜ୍ୟ ବିରୋଧରେ ଲଢ଼ିବାକୁ ବାହାରିଛ। ଆମକୁ ସଂଗ୍ରାମରୁ ଦୂରେଇ ରଖିବା ଲାଗି ଆମ ପରିବାରର କେତେ ଜଣଙ୍କୁ ମଧ୍ୟ ଚେତାବନୀ ଦିଆଯାଇଥିଲା। କିନ୍ତୁ ଆମେ ସବୁ ଚେତାବନୀ ଓ ଧମକକୁ ଏଡ଼ାଇ ଦେଇପାରିଲୁ। ଏବଂ କୌଣସି ପ୍ରକାରେ ଲଢ଼ିଲୁ। ସେଥିପାଇଁ ତ ଆଜି ଆମେ ଏଠାରେ ଅଛୁ।”

ଉଭୟ କହନ୍ତି ଯେ, ଏବେ ଏକ ବ୍ୟାପକ ଐକ୍ୟବଦ୍ଧତାର ଆବଶ୍ୟକତା ବି ରହିଛି। ଯେମିତି କି ଅତୀତରେ ହେଉଥିଲା, ସେମିତି ଏବେ ଜଣେ ଅନ୍ୟ ଜଣଙ୍କ ପାଖକୁ ଯାଇ କିଛି ଶିଖିବା କଥା। “ମୁଁ ଭାବୁଛି, ଏମିତି କି ଜଣେ ଇଏମ୍‌ଏସ୍‌ (ନମ୍ବୁଦ୍ରିପଦ) ବି ତାଙ୍କ କୋଠରିରେ ଗାନ୍ଧିଙ୍କର ଫଟୋଟିଏ ରଖିଥିଲେ,” ଆର୍‌ଏନ୍‌କେ କହନ୍ତି।

ଅବଶିଷ୍ଟ ଲକ୍ଷ ଲକ୍ଷ ଲୋକଙ୍କୁ ଦେଶରେ ରାଜନୀତିର ଅବସ୍ଥା ଏତେ ଭୟଭୀତ କରୁଥିବା ବେଳେ ସେ ଦୁହେଁ କେମିତି ଏତେ ଶାନ୍ତ ଓ ଆଶାବାଦୀ ହୋଇ ରହିପାରୁଛନ୍ତି ? ହାଲୁକା ଭାବରେ ନଲ୍ଲାକନ୍ନୁ କହନ୍ତି, “ଆମେ ଆହୁରି ଖରାପ ସ୍ଥିତି ଦେଖିଛୁ।”

ପରିଶିଷ୍ଟ:

୨୦୨୨ ର ସ୍ୱାଧୀନତା ଦିବସରେ – ଯେତେବେଳେ ଦି ଲାଷ୍ଟ ହିରୋଜ୍‌ : ଫୁଟ୍‌ ସୋଲଜର୍‌ସ ଅଫ୍‌ ଇଣ୍ଡିଆନ୍ ଫ୍ରିଡମ ବହି ମୁଦ୍ରଣ ଲାଗି ଛାପାଖାନାକୁ ଯାଇ ସାରିଥିଲା, ତାମିଲନାଡୁ ସରକାର ଆର୍‌ଏନ୍‌କେ ଙ୍କୁ ତାଗାଇସାଲ ତାମିଜାର ପୁରସ୍କାରରେ ସମ୍ମାନିତ କରିଥିଲେ ରାଜ୍ୟ ଓ ତାମିଲ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ରହିଥିବା ଜଣେ ବିଖ୍ୟାତ ବ୍ୟକିତ୍ୱଙ୍କୁ  ସମ୍ମାନିତ କରିବା ଲାଗି ୨୦୨୧ ରେ ଆରମ୍ଭ ହୋଇଥିବା ଏହି ପୁରସ୍କାର, ତାମିଲନାଡୁର ସର୍ବଶ୍ରେଷ୍ଠ ପୁରସ୍କାର ଫୋର୍ଟ ସେଣ୍ଟ ଜର୍ଜ ସଭାମଞ୍ଚରୁ ପୁରସ୍କାର ବାବଦ ନଗଦ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶିକୁ ମୁଖ୍ୟମନ୍ତ୍ରୀ ଏମ୍‌.କେ.ଷ୍ଟାଲିନ୍‌ ଆର୍‌ଏନ୍‌କେ ଙ୍କୁ ପ୍ରଦାନ କରିଥିଲେ

ଅନୁବାଦ: ଓଡ଼ିଶାଲାଇଭ୍‍

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought' and 'The Last Heroes: Foot Soldiers of Indian Freedom'.

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE