ଯଦି ଆପଣ ୬ରୁ ୧୪ ବର୍ଷ ବୟସ୍କ ପିଲା, ତା’ହେଲେ ନିକଟସ୍ଥ ବିଦ୍ୟାଳୟରେ ‘‘ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା’’ ପାଇଁ ଆପଣଙ୍କର ମୌଳିକ ଅଧିକାର ରହିଛି । ଏହାକୁ ନିର୍ଦ୍ଧାରଣ କରୁଥିବା ଆଇନ - ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପାଇଁ ପିଲାର ଅଧିକାର (ଆରଟିଇ) ଭାରତ ସରକାରଙ୍କ ଦ୍ୱାରା ୨୦୦୯ରେ ପ୍ରଣୟନ କରାଯାଇଥିଲା।

କିନ୍ତୁ ଓଡ଼ିଶାର ଯାଜପୁର ଜିଲ୍ଲାରେ ରହୁଥିବା ୯ ବର୍ଷର ଝିଅ ଚନ୍ଦ୍ରିକା ବେହେରା ଆଜକୁ ପ୍ରାୟ ଦୁଇ ବର୍ଷ ହେଲାଣି ବିଦ୍ୟାଳୟଠାରୁ ବଞ୍ଚିତ ରହିଛନ୍ତି କାରଣ ତାଙ୍କର ନିକଟସ୍ଥ ବିଦ୍ୟାଳୟ - ତାଙ୍କ ଘରଠାରୁ ପ୍ରାୟ ୩.୫ କିଲୋମିଟର ଦୂର।

ଗ୍ରାମୀଣ ଭାରତରେ ଶିକ୍ଷା ଓ ଅଧ୍ୟୟନ ଅଭ୍ୟାସରେ ସ୍ଥିରତା ନାହିଁ ଏବଂ ଆଇନ ଓ ନୀତିଗୁଡ଼ିକ କେବଳ କାଗଜକଲମରେ କାର୍ଯ୍ୟକାରୀ ହୋଇଥାଏ। ଅତି କମ୍‌ରେ କିଛି ମାମଲାରେ, ଶିକ୍ଷକଙ୍କ ବ୍ୟକ୍ତିଗତ ଅଭିନବ ପ୍ରୟାସ ଓ ପ୍ରତିବଦ୍ଧତା କାରଣରୁ କିଛିମାତ୍ରାରେ ବ୍ୟବସ୍ଥାଗତ ସମସ୍ୟାର ସମାଧାନ ହୋଇଥାଏ, ଯାହାକି ପ୍ରାୟତଃ ବାସ୍ତବିକ ପରିବର୍ତ୍ତନ ଆଣିଥାଏ।

ଉଦାହରଣ ସ୍ୱରୂପ, କାଶ୍ମୀର ଅନନ୍ତନାଗ ଜିଲ୍ଲାର ଭ୍ରମଣଶୀଳ ଶିକ୍ଷକ ନିଜେ ଯାଯାବର ସମୁଦାୟର ହୋଇଥିବା ବେଳେ ଛୋଟ ପିଲାଙ୍କୁ ପଢ଼ାଇବା ଲାଗି ଲିଦ୍ଦର ଘାଟୀରେ ଏକ ଗୁଜ୍ଜର ବସ୍ତିରେ ଚାରି ମାସ ପାଇଁ ଯାତ୍ରା କରିଥାନ୍ତି । ଶିକ୍ଷକମାନେ ମଧ୍ୟ ନିଜ ସୀମିତ ସମ୍ବଳର ସର୍ବୋତ୍ତମ ଉପଯୋଗ କରିବା ପାଇଁ ଅଭିନବ ପଦ୍ଧତିର ପ୍ରୟୋଗ କରୁଛନ୍ତି । ଯେମିତି କୋଏମ୍ବାଟୁରର ବିଦ୍ୟା ବନମ୍‌ ସ୍କୁଲ୍‌ର ଶିକ୍ଷକଙ୍କ ଭଳି, ଯେଉଁମାନେ ନିଜ ଛାତ୍ରଛାତ୍ରୀଙ୍କୁ ଆନୁବଂଶିକ ରୂପରେ ପରିବର୍ତ୍ତିତ ଫସଲ ଉପରେ ବିତର୍କ କରିବା ଲାଗି ଅନୁପ୍ରାଣିତ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ପିଲା ନିଜ ପରିବାରର ପ୍ରଥମ ପିଢ଼ି ଭାବେ ଇଂରାଜୀ କହୁଛନ୍ତି। କେବଳ ସେତିକି ନୁହେଁ ସେମାନେ ଇଂରାଜୀରେ ବିତର୍କ ମଧ୍ୟ କରୁଛନ୍ତି । ଜୈବିକ ଚାଉଳର ମହତ୍ୱ ଏବଂ ଆହୁରି ଅନେକ କଥା ଉପରେ ନିଜର ପକ୍ଷ ରଖୁଛନ୍ତି।

ଶ୍ରେଣୀଗୃହ ମଧ୍ୟକୁ ପ୍ରବେଶ କରନ୍ତୁ, ପରୀ ଲାଇବ୍ରେରୀ ପରିଦର୍ଶନ କରି ଅଧ୍ୟୟନର ପରିଣାମ ଉପରେ ବ୍ୟାପକ ଦୃଶ୍ୟ ଏବଂ ଭାରତରେ ଶିକ୍ଷାର ସ୍ଥିତିକୁ ନେଇ ଭଲ ଭାବେ ପରିଚିତ ହୁଅନ୍ତୁ । ଗ୍ରାମୀଣ ଶିକ୍ଷାର ଉପଲବ୍ଧତା, ଗୁଣବତ୍ତା ଓ ଶୂନ୍ୟସ୍ଥାନ ଉପରେ ଆମେ ରିପୋର୍ଟ ପ୍ରକାଶ କରୁଛୁ। ଲାଇବ୍ରେରୀରେ ଥିବା ପ୍ରତ୍ୟେକ ଦସ୍ତାବିଜରେ ଏକ ସଂକ୍ଷିପ୍ତ ସାରାଂଶ ରହିଛି ଯାହା ପ୍ରମୁଖ ନିଷ୍କର୍ଷଗୁଡ଼ିକ ଉପରେ ଆଲୋକପାତ କରିଥାଏ।

PHOTO • Design courtesy: Siddhita Sonavane

ଶିକ୍ଷାର ସଦ୍ୟତମ ବାର୍ଷିକ ସ୍ଥିତି (ଗ୍ରାମୀଣ) ରିପୋର୍ଟରେ କୁହାଯାଇଛି ଯେ, ୨୦୨୨ରେ ସାରା ଦେଶର ଘରୋଇ ଏବଂ ସରକାରୀ ଉଭୟ ବିଦ୍ୟାଳୟରେ ପିଲାମାନଙ୍କର ମୌଳିକ ପଢ଼ିବା କ୍ଷମତା ୨୦୧୨ ପୂର୍ବର ସ୍ତରକୁ ଖସି ଆସିଛି । ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲାର ତୋରଣମଲ କ୍ଷେତ୍ରରେ ୮ ବର୍ଷୀୟା ବାଳିକା ଶର୍ମିଲା ମାର୍ଚ୍ଚ ୨୦୨୦ରେ ସ୍କୁଲ ବନ୍ଦ ହେବା ପରେ ସିଲେଇ ମେସିନ୍‌ ଚଲାଇବା ଶିଖିଥିଲେ। ମରାଠୀ ବର୍ଣ୍ଣମାଳା ବିଷୟରେ ଉଲ୍ଲେଖ କରି ସେ କୁହନ୍ତି, ‘‘ ମୋର ସବୁ ମନେ ନାହିଁ ।’’

କୋଭିଡ-୧୯ ମହାମାରୀ କାରଣରୁ ବିଭିନ୍ନ ରାଜ୍ୟରେ ଶିକ୍ଷା ସଂକଟ ବୃଦ୍ଧି ପାଇଛି । ପୂର୍ବରୁ ଯେଉଁମାନେ ଶିକ୍ଷା ହାସଲ କରିବା ଲାଗି ସଂଘର୍ଷ କରୁଥିଲେ, ସେମାନେ ଅନଲାଇନ୍‌ ଶିକ୍ଷା ଆଡ଼କୁ ହୋଇଥିବା ପରିବର୍ତ୍ତନ ସହିତ ଶିକ୍ଷା ବ୍ୟବସ୍ଥାର ପରିଧିରୁ ବାଦ୍‌ ପଡ଼ିଥିଲେ। ୨୦୨୧ ଅଗଷ୍ଟରେ କରାଯାଇଥିବା ଏହି ସର୍ବେକ୍ଷଣରୁ ଜଣାପଡ଼ିଥାଏ ଯେ ସହରାଞ୍ଚଳରେ ମାତ୍ର ୨୪ ପ୍ରତିଶତ ଏବଂ ଗ୍ରାମାଞ୍ଚଳରେ ମାତ୍ର ୮ ପ୍ରତିଶତ ପିଲାଙ୍କ ପାଖରେ ‘ଯଥେଷ୍ଟ ଅନଲାଇନ୍‌ ସୁବିଧା’ ଉପଲବ୍ଧ ଥିଲା।

PHOTO • Design courtesy: Siddhita Sonavane

ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରେ ପ୍ରାୟ ୧୧.୮୦ କୋଟି ପିଲା ସାମିଲ ଅଛନ୍ତି। ଗ୍ରାମୀଣ କ୍ଷେତ୍ରରେ ପ୍ରାୟ ୫୦ ପ୍ରତିଶତ ଛାତ୍ରଛାତ୍ରୀ ନିଜ ବିଦ୍ୟାଳୟରେ ମାଗଣା ମଧ୍ୟାହ୍ନ ଭୋଜନ ପାଉଥିବା ସୂଚନା ମିଳିଥିଲା । ଏମାନଙ୍କ ମଧ୍ୟରୁ ୯୯.୧ ପ୍ରତିଶତ ସରକାରୀ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଥିଲେ । ଛତିଶଗଡ଼ର ମଟିଆ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୁନମ ଯାଦବ କୁହନ୍ତି, ‘‘ଅଳ୍ପ କେତେଜଣ ମା’-ବାପା ସେମାନଙ୍କ ପିଲାଙ୍କ ପାଇଁ ଏହି ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ଉଠାଇପାରିବେ।’’ ବିଦ୍ୟାଳୟରେ ଏପରି କଲ୍ୟାଣକାରୀ ଯୋଜନାକୁ ଲଗାତାର ମଜବୁତ କରିବାର ଆବଶ୍ୟକତା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥାଏ।

‘‘ମୋ ବାପା କୁହନ୍ତି ଯେ ମୁଁ ଯଥେଷ୍ଟ ପାଠ ପଢ଼ିସାରିଛି। ସେ କୁହନ୍ତି, ଯଦି ମୁଁ ପାଠ ପଢ଼ା ଜାରି ରଖିବି ତା’ହେଲେ ମୋତେ ବାହା ହେବ କିଏ? ’’ ବିହାର ସମସ୍ତିପୁର ଜିଲ୍ଲାର ଶିବାନୀ କୁମାର (୧୯) କହିଥାନ୍ତି । ଶିକ୍ଷାରେ ଲିଙ୍ଗ ଏକ ବଡ଼ କାରକ - ସମ୍ବଳ ଆବଣ୍ଟନ କ୍ଷେତ୍ରରେ ଝିଅମାନେ ସବୁବେଳେ ପଛରେ ରହିଥାନ୍ତି । ଭାରତରେ ଶିକ୍ଷା ଉପରେ ଘରୋଇ ସାମାଜିକ ଉପଭୋଗର ପ୍ରମୁଖ ସୂଚକାଙ୍କ : ଏନଏସଏସର ୭୫ତମ ପର୍ଯ୍ୟାୟ (ଜୁଲାଇ ୨୦୧୭ରୁ - ଜୁନ୍‌ ୨୦୧୮) ଏହାକୁ ପ୍ରମାଣ କରିଥାଏ। ରିପୋର୍ଟରେ କୁହାଯାଇଛି ଯେ ଗ୍ରାମୀଣ ଭାରତରେ ୩-୩୫ ବର୍ଷ ବୟସ ବର୍ଗର ପାଖାପାଖି ୧୯ ପ୍ରତିଶତ ଝିଅ ବିଦ୍ୟାଳୟରେ ଆଦୌ ନାମ ଲେଖାଇନାହାନ୍ତି ।

PHOTO • Design courtesy: Siddhita Sonavane

୨୦୨୦ରେ ଭାରତରେ ଉଚ୍ଚ ଶିକ୍ଷାରେ ନାମ ଲେଖାଇଥିବା ୪.୧୩ କୋଟି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୫.୮ ପ୍ରତିଶତ ପିଲା ଅନୁସୂଚିତ ଜନଜାତିର ଥିଲେ। ଭାରତରେ ସାମାଜିକ ସମୁଦାୟ ମଧ୍ୟରେ ଶିକ୍ଷାର ଅସମାନ ବିତରଣ ଏଥିରୁ ଜଣାପଡ଼ିଥାଏ। ଅକ୍ସଫାମ ଇଣ୍ଡିଆର ଏକ ରିପୋର୍ଟରେ କୁହାଯାଇଛି, ‘‘ଗ୍ରାମୀଣ କ୍ଷେତ୍ରରେ, ଘରୋଇ ବିଦ୍ୟାଳୟ ସଂଖ୍ୟା ବଢ଼ିବା ସତ୍ତ୍ୱେ ଭାରତରେ ପଛୁଆ ସମୁଦାୟର ପିଲାଙ୍କ ପାଇଁ ନୂଆ ଅବସର ଖୋଲିବା ପରିବର୍ତ୍ତେ ସେମାନଙ୍କ ସାମାଜିକ, ଆର୍ଥିକ ଓ ଜନସାଂଖ୍ୟିକ ସ୍ଥିତି ପୂର୍ବ ଭଳି ଅବହେଳିତ ହୋଇ ରହିଛି।’’

ଘରୋଇ ବିଦ୍ୟାଳୟ ଆଡ଼କୁ ପରିବର୍ତ୍ତନ ଆସିବା ସତ୍ତ୍ୱେ, ଅନେକ ଲୋକ ନିଜ ଶିକ୍ଷା ପାଇଁ ସରକାରୀ ସହାୟତା ଉପରେ ନିର୍ଭର କରିବା ଜାରି ରଖିଛନ୍ତି । କାରଣ ବେଶ ସ୍ପଷ୍ଟ - ପ୍ରାଥମିକ ସ୍ତରରେ ସରକାରୀ ବିଦ୍ୟାଳୟର ବାର୍ଷିକ ହାରାହାରୀ ପାଠପଢ଼ା ଖର୍ଚ୍ଚ ୧୨୫୩ ଟଙ୍କା ହୋଇଥିବା ବେଳେ ଗୋଟିଏ ଘରୋଇ ଅଣ-ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ଏଥିପାଇଁ ବାର୍ଷିକ ହାରାହାରୀ ୧୪,୪୮୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ବେଙ୍ଗାଲୁରୁର ଜଣେ ଅଙ୍ଗନୱାଡ଼ି ରେ ଶିକ୍ଷୟିତ୍ରୀ ଥିବା ରାଜେଶ୍ୱରୀ କୁହନ୍ତି, ‘‘ଘରୋଇ ବିଦ୍ୟାଳୟର ଶିକ୍ଷକମାନେ ଭାବନ୍ତି ଆମେ କେବଳ ରୋଷେଇ ଓ ସଫେଇ କାମ କରିଥାଉ। ସେମାନଙ୍କ ମତରେ ମୋର ଶିକ୍ଷାଦାନରେ କୌଣସି ‘ଅଭିଜ୍ଞତା’ ନାହିଁ ।

PHOTO • Design courtesy: Siddhita Sonavane

ପାନୀୟ ଜଳ ଓ ଶୌଚାଳୟ ଭଳି ମୌଳିକ ଭିତ୍ତିଭୂମିର ଅଭାବ କାରଣରୁ ରାଜେଶ୍ୱରୀଙ୍କ ଭଳି ବିଦ୍ୟାଳୟ ଶିକ୍ଷୟିତ୍ରୀଙ୍କ କାମ ଅଧିକ ଶ୍ରମସାଧ୍ୟ ଓ କଠିନ ହୋଇଥାଏ। ଉଦାହରଣ ସ୍ୱରୂପ, ଓସମାନାବାଦର ସାଞ୍ଜା ଗ୍ରାମରେ ଥିବା ଜିଲ୍ଲା ପରିଷଦ ପ୍ରାଥମିକ ବିଦ୍ୟାଳୟ କଥା ବିଚାରକୁ ନିଆଯାଇପାରେ । ‘‘ସରକାରଙ୍କଠାରୁ ମିଳୁଥିବା ପାଣ୍ଠି ଯଥେଷ୍ଟ ନୁହେଁ… ବିଦ୍ୟାଳୟର ରକ୍ଷଣାବେକ୍ଷଣ ଓ ପିଲାଙ୍କ ପାଇଁ ସରଞ୍ଜାମ କିଣିବା ପାଇଁ ଆମକୁ ବାର୍ଷିକ ମାତ୍ର ୧୦,୦୦୦ ଟଙ୍କା ମିଳିଥାଏ,’’ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶୀଲା କୁଲକର୍ଣ୍ଣୀ କୁହନ୍ତି ।

ଏହା ବିରଳ ନୁହେଁ - ୨୦୧୯ ସୁଦ୍ଧା, ଭାରତରେ ୨୩ ନିୟୁତ ପିଲା ସେମାନଙ୍କ ବିଦ୍ୟାଳୟରେ ପାନୀୟ ଜଳ ସୁବିଧା ପାଉନଥିଲେ ଏବଂ ୬୨ ନିୟୁତ ପିଲାଙ୍କ ବିଦ୍ୟାଳୟରେ ସ୍ୱଚ୍ଛତା ସୁବିଧା ନଥିଲା।

PHOTO • Design courtesy: Siddhita Sonavane

ଭାରତରେ ମହାବିଦ୍ୟାଳୟଗୁଡ଼ିକର ବଢ଼ୁଥିବା ସଂଖ୍ୟାରୁ ଜଣାପଡ଼ିଥାଏ ଯେ ଗ୍ରାମୀଣ ଶିକ୍ଷା କେବଳ ଏକ ଅଭାବର କାହାଣୀ ନୁହେଁ : ସର୍ବଭାରତୀୟ ଉଚ୍ଚ ଶିକ୍ଷା ସର୍ବେକ୍ଷଣରୁ ଜଣାପଡ଼ିଥାଏ ଯେ ଦେଶରେ କଲେଜ ସଂଖ୍ୟା ୨୦୧୯-୨୦ରେ ୪୨,୩୪୩ରୁ ବୃଦ୍ଧି ପାଇ ୨୦୨୦-୨୧ରେ ୪୩,୭୯୬ରେ ପହଞ୍ଚିଥିଲା। ଏହି ସମୟରେ କେବଳ ଝିଅଙ୍କ ପାଇଁ ୪,୩୭୫ଟି ମହାବିଦ୍ୟାଳୟ ଥିଲା।

ସାରା ଦେଶର ଗ୍ରାମାଞ୍ଚଳ ଓ ଛୋଟ ସହରରେ, ଝିଅମାନଙ୍କୁ ଉଚ୍ଚ ଶିକ୍ଷାରେ ସୁଯୋଗ ପାଇବା ଲାଗି ବିଦ୍ରୋହ କରିବାକୁ ପଡ଼ିଥିଲା। ମହାରାଷ୍ଟ୍ର ବୁଲଦାନା ଜିଲ୍ଲାର ଏକ ପଡ଼ାରେ ରହୁଥିବା ଯମୁନା ସୋଲାଙ୍କି ନିଜ ସମ୍ପ୍ରଦାୟ ନାଥଯୋଗୀ ଯାଯାବରମାନଙ୍କ ମଧ୍ୟରେ ଦଶମ ଉତ୍ତୀର୍ଣ୍ଣ ହୋଇଥିବା ପ୍ରଥମ ଝିଅ ଥିଲେ। ‘‘ଲୋକମାନେ କୁହନ୍ତି ମୁଁ ଜଣେ ବସ୍‌ କଣ୍ଡକ୍ଟର କିମ୍ବା ଅଙ୍ଗନୱାଡ଼ି କର୍ମୀ ହେବା ଉଚିତ୍‌ କାରଣ ମୋତେ ଶୀଘ୍ର ଚାକିରି ମିଳିଯିବ । କିନ୍ତୁ ମୁଁ ଯାହା ଚାହୁଁଛି ତାହା ହେବି ,’’ ଯମୁନା ଜୋର ଦେଇ କୁହନ୍ତି ।

ପ୍ରଚ୍ଛଦ ଡିଜାଇନ୍‌ : ସ୍ୱଦେଶା ଶର୍ମା

ଅନୁବାଦ : ଓଡ଼ିଶାଲାଇଭ୍‍

Dipanjali Singh

Dipanjali Singh is an Assistant Editor at the People's Archive of Rural India. She also researches and curates documents for the PARI Library.

Other stories by Dipanjali Singh
Editor : PARI Library Team

The PARI Library team of Dipanjali Singh, Swadesha Sharma and Siddhita Sonavane curate documents relevant to PARI's mandate of creating a people's resource archive of everyday lives.

Other stories by PARI Library Team
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE