ମଧ୍ୟପ୍ରଦେଶର ଜଙ୍ଗଲ ବିଭାଗ ଦ୍ୱାରା ଜଣେ ସହରିୟାର ଆଦିବାସୀ ଗୁଟ୍ଟୀ ସମନ୍ୟାଙ୍କୁ ଯେତେବେଳେ ‘ଚିତା ମିତ୍ର’ (ଚିତାମାନଙ୍କ ବନ୍ଧୁ) ଭାବେ ନିଯୁକ୍ତ କରାଗଲା,‘‘ଚିତାଙ୍କୁ ଦେଖିଲେ ବନ ବିଭାଗ ରେଞ୍ଜରଙ୍କୁ ସୂଚନା ଦେବା ପାଇଁ’’ ତାଙ୍କୁ କୁହାଗଲା।
ପାରିଶ୍ରମିକ ନଥିଲେ ସୁଦ୍ଧା ଏହା ଅତି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବୋଲି ମନେ ହେଉଥିଲା। ସର୍ବୋପରି, କାର୍ଗୋ ଓ ସାମରିକ ବିମାନ ଓ ହେଲିକପ୍ଟରରେ ସମୁଦ୍ର ଓ ଭୂଭାଗ ପାର୍ ହୋଇ ୮,୦୦୦ କିଲୋମିଟର ଦୂରରୁ ଆଫ୍ରିକୀୟ ଚିତାମାନଙ୍କୁ କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଉଥିଲା । ଭାରତ ସରକାର ସେମାନଙ୍କର ଯାତ୍ରା ପାଇଁ ଅଘୋଷିତ ମାତ୍ରାରେ ବିଦେଶୀ ମୁଦ୍ରା ଖର୍ଚ୍ଚ କରୁଥିଲେ ଏବଂ ସେମାନଙ୍କ ରହିବା ଉପରେ ସଂରକ୍ଷଣ ପାଇଁ ରାଜକୋଷ ଖାଲି କରି ଦେଉଥିଲେ।
ଶିକାରୀଙ୍କଠାରୁ ଚିତାଗୁଡ଼ିକୁ ସୁରକ୍ଷିତ ରଖିବା ଏବଂ ଗାଁ ଲୋକଙ୍କ ଘରେ ବାଟବଣା ହୋଇ ପଶିଗଲେ କ୍ରୋଧିତ ଗ୍ରାମବାସୀଙ୍କଠାରୁ ସେମାନଙ୍କୁ ବଞ୍ଚାଇବାର ଦାୟିତ୍ୱ ଚିତା ମିତ୍ରମାନଙ୍କୁ ଦିଆଗଲା। ତେଣୁ ପାଖାପାଖି ୪୦୦-୫୦୦ ଜଣ ଚିତା ମିତ୍ର କୁନୋ-ପାଲପୁର ଜାତୀୟ ଉଦ୍ୟାନ (କେଏନପି) ସୀମାକୁ ଲାଗି ରହିଥିବା କ୍ଷୁଦ୍ର ବସ୍ତି ଏବଂ ଗାଁରେ ବ୍ୟାପି ରହିଥିଲେ ଯେଉଁମାନେ ଦେଶ ସେବା ପାଇଁ ପ୍ରସ୍ତୁତ ଥିଲେ । ସେମାନେ ସମସ୍ତେ ବନବାସୀ, ଚାଷୀ ଓ ଦିନ ମଜୁରିଆ ଥିଲେ ।
କିନ୍ତୁ ଚିତାଗୁଡ଼ିକ ଏଠାରେ ପହଞ୍ଚିବା ପରେ ସେମାନଙ୍କୁ ଅଧିକାଂଶ ସମୟ ଖୁଆଡ଼ ଭିତରେ ବିତାଇବାକୁ ପଡ଼ିଛି ଏବଂ କୁନୋ ଉଦ୍ୟାନରେ ବାଡ଼ ଘେରା ସ୍ଥାନ ସଂଖ୍ୟା ବଢ଼ିଯାଇଛି । କେବଳ ଚିତାମାନଙ୍କୁ ଭିତରେ ରଖି ଅନ୍ୟମାନଙ୍କୁ ବାହାରେ ରଖିବା ସୁନିଶ୍ଚିତ କରାଯାଇଛି। ‘‘ଆମକୁ ଭିତରକୁ ଯିବା ପାଇଁ ଅନୁମତି ମିଳୁନାହିଁ । ସେସେପୁରା ଓ ବାଗ୍ଚାରେ ନୂଆ ଗେଟ୍ ତିଆରି ହୋଇଛି,’’ ଜଣେ ଚିତା ମିତ୍ର ଭାବେ ନିଯୁକ୍ତ ହୋଇଥିବା ଶ୍ରୀନିବାସ ଆଦିବାସୀ କୁହନ୍ତି ।




















