ପାଳି ପଡ଼ିବା ଯାଏ ଅପେକ୍ଷା କରିବା ଲାଗି ଜଙ୍ଗଲର ରାଜାଙ୍କୁ ଆପଣ ବାଧ୍ୟ କରିପାରିବେନି।

ସିଂହମାନେ ଆସୁଛନ୍ତି। ସୁଦୂର ଗୁଜରାଟରୁ। ଏବଂ ସେମାନଙ୍କ ପ୍ରବେଶ ପ୍ରକ୍ରିୟାକୁ ସୁଗମ କରିବା ଲାଗି ସମସ୍ତଙ୍କୁ ବାଟ ଛାଡ଼ି ଦେବାକୁ ପଡ଼ିବ।

ଏହା ହିଁ ଗୋଟିଏ ଭଲକଥା ଭଳି ମନେ ହେଉଥିଲା। ଯଦିବା ଏହା କେମିତି ସମ୍ଭବ ହେବ ବୋଲି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପରିସରରେ ରହିଥିବା ଗାଁ ଲୋକେ ବି ଅନିଶ୍ଚିତ ଥିଲେ।

କୁନୋ ଉଦ୍ୟାନ ପରିସର ବାହାରେ ଥିବା ଆଗାରା ଗାଁରେ ଆମ ସହ କଥାବାର୍ତ୍ତା କରିବା ଅବସରରେ ୭୦ରୁ ଅଧିକ ବର୍ଷ ବୟସର ରଘୁଲାଲ ଜାଟଭ କହିଥିଲେ, “ଏହି ବଡ଼ ବଡ଼ ଜନ୍ତୁମାନେ ପହଞ୍ଚିବା ପରେ ଏ ଅଞ୍ଚଳ ବି ବିଖ୍ୟାତ ହୋଇଯିବ। ଆମେମାନେ ଗାଇଡ୍‌ ଭାବରେ ଚାକିରି ପାଇଯିବୁ। ଆମେ ଏ ଅଞ୍ଚଳରେ ଦୋକାନ ଏବଂ ହୋଟେଲ ଚଳାଇ ପାରିବୁ। ଆମ ପରିବାର ଚଳିଯିବ।”

ରଘୁଲାଲ କହନ୍ତି, ଆମକୁ ଭଲ ଜଳସେଚିତ ଜମି, ସବୁଦିନିଆ ରାସ୍ତା, ସାରା ଗାଁକୁ ବିଜୁଳି ଆଲୁଅ ଏବଂ ଅନ୍ୟ ସୁବିଧା ସୁଯୋଗ ମିଳିଯିବ।

ସେ କହନ୍ତି, ସରକାର ତ ଆମକୁ ଏହି ପ୍ରତିଶ୍ରୁତି ଦେଇଥିଲେ

ଏବଂ ଏହି କାରଣରୁ ହିଁ ପାଇରା ଏବଂ କୁନୋ ଜାତୀୟ ଉଦ୍ୟାନ ପରିସରରେ ରହିଥିବା ୨୪ଟି ଗାଁର ପ୍ରାୟ ୧,୬୦୦ ପରିବାର ନିଜ ନିଜ ଘର ଖାଲି କରି ଦେଇଥିଲେ। ମୁଖ୍ୟତଃ ସେମାନେ ଥିଲେ ସହରିୟା ଆଦିବାସୀ ଏବଂ ଦଳିତ ଏବଂ ଗରିବ ଅନ୍ୟ ପଛୁଆ ବର୍ଗର। ନିର୍ବାସନ ଦିଗରେ ସେମାନଙ୍କ ଯାତ୍ରା ଥିଲା ନିହାତି ତରବରିଆ।

ବହୁ ଟ୍ରାକ୍ଟର ଅଣାଯାଇଥିଲା ଏବଂ ପିଢ଼ି ପରେ ପିଢ଼ି ଧରି ସାଇତି ରଖିଥିବା ନିଜ ନିଜର ସଂପତ୍ତିକୁ ସାଙ୍ଗରେ ଧରି ତରତର ହୋଇ ନିଜ ଭିଟାମାଟିକୁ ପଛରେ ଛାଡ଼ିଯାଇଥିଲେ ବନବାସୀମାନେ। ଆହୁରି ମଧ୍ୟ ସେମାନେ ଛାଡ଼ି ଯାଇଥିଲେ ପ୍ରାଥମିକ ବିଦ୍ୟାଳୟ, ଅନେକ ଢିଙ୍କିଆ କଳ ଓ କୂଅ ଏବଂ ବଂଶାନୁକ୍ରମିକ ଭାବେ ସେମାନେ ଚାଷବାସ କରିଆସୁଥିବା ଜମିବାଡ଼ି। ଏମିତି କି ଗୃହପାଳିତ ପଶୁମାନଙ୍କୁ ବି ଛାଡ଼ି ଦେଲେ। କାରଣ ଜଙ୍ଗଲର ପର୍ଯ୍ୟାପ୍ତ ଚାରଣ ସମ୍ବଳ ଛାଡ଼ି ଚାଲିଯିବା ପରେ ସେମାନଙ୍କୁ ଖାଦ୍ୟ ଯୋଗାଇବା କଷ୍ଟକର ହୋଇପଡ଼ିବ।

ତେଇଶ ବର୍ଷ ପରେ, ଏବେ ବି ସେମାନେ ସିଂହମାନଙ୍କୁ ଅପେକ୍ଷା କରିଛନ୍ତି।

Raghulal Jatav was among those displaced from Paira village in Kuno National Park in 1999.
PHOTO • Priti David
Raghulal (seated on the charpoy), with his son Sultan, and neighbours, in the new hamlet of Paira Jatav set up on the outskirts of Agara village
PHOTO • Priti David

ବାମ: ୧୯୯୯ରେ କୁନୋ ଜାତୀୟ ଉଦ୍ୟାନ ପରିସରରେ ଥିବା ପାଇରା ଗାଁରୁ ବିସ୍ଥାପିତ ରଘୁଲାଲ ଜାଟଭ, ଡାହାଣ: ଆଗାରା ଗାଁ ଉପକଣ୍ଠରେ ପାଇରାର ଜାଟଭମାନଙ୍କ ପାଇଁ ସ୍ଥାପିତ ଏକ ନୂତନ ପଲ୍ଲୀ ଗାଁରେ ରଘୁଲାଲ (ଖଟ ଉପରେ ବସିଛନ୍ତି), ତାଙ୍କ ପୁଅ ସୁଲତାନ ଏବଂ ପଡ଼ୋଶୀମାନେ

ତାଙ୍କ ପୁଅର ଘର ବାହାରେ ପଡ଼ିଥିବା ଖଟ ଉପରେ ବସି ରଘୁଲାଲ କହନ୍ତି, “ସରକାର ଆମକୁ ମିଛ କହିଲେ।” ହେଲେ ଏବେ ତାଙ୍କର ଆଉ ରାଗ ନାହିଁ। କେବଳ ସରକାର ତାଙ୍କ ପ୍ରତିଶ୍ରୁତି ପୂରଣ କରିବାକୁ ଅପେକ୍ଷା କରି କରି ଥକି ଯାଇଛନ୍ତି ଯାହା। ରଘୁଲାଲ ନିଜେ ଜଣେ ଦଳିତ ଏବଂ ତାଙ୍କ ଭଳି ହଜାର ହଜାର ଗରିବ, ନିଷ୍ପେଷିତ ଲୋକ ନିଜ ନିଜର ଜମି, ଘର ଏବଂ ଜୀବିକା ହରାଇଛନ୍ତି।

ହେଲେ, ରଘୁଲାଲଙ୍କ କ୍ଷତିରୁ କୁନୋ ଜାତୀୟ ଉଦ୍ୟାନର କିଛି ବି ହାସଲ କରି ପାରିଲାନି। କାହାରିକୁ ମିଳିଲାନି ସିଂହଭାଗ। ସେଇ ବିରାଟକାୟ ଜନ୍ତୁମାନଙ୍କୁ ବି ନୁହେଁ। ସେମାନେ ତ ଆସିଲେ ହିଁ ନାହିଁ।

*****

ଦିନ ଥିଲା, ଭାରତର ଉତ୍ତର, ପଶ୍ଚିମ ଓ ମଧ୍ୟ ଭାଗରେ ଥିବା ଜଙ୍ଗଲରେ ସିଂହ ବୁଲୁଥିଲେ। ଅଥଚ, ଆଜି, କେବଳ ଗିର ଜଙ୍ଗଲରେ, ଏବଂ ଏହାର ଆଖପାଖ ସୌରାଷ୍ଟ୍ର ଉପଦ୍ୱୀପର ୩୦,୦୦୦ ବର୍ଗ କିଲୋମିଟର ପରିମିତ ଅଞ୍ଚଳରେ ହିଁ  କେତେକ ଏସୀୟ ସିଂହ ( panthera leo leo) ଦେଖିବାକୁ ମିଳନ୍ତି। ଏହି ଅଞ୍ଚଳର ଛଅ ପ୍ରତିଶତରୁ କମ୍‌ ଭାଗ, ଅର୍ଥାତ୍‌ ପ୍ରାୟ ୧,୮୮୩ ବର୍ଗ କିଲୋମିଟର ଅଞ୍ଚଳ ହିଁ ସେମାନଙ୍କର ସୁରକ୍ଷିତ ବାସସ୍ଥଳୀ। ଏହି ତଥ୍ୟ ହିଁ ବନ୍ୟପ୍ରାଣୀ ଜୀବ ବିଜ୍ଞାନୀ ଏବଂ ସଂରକ୍ଷଣବାଦୀମାନଙ୍କୁ ବିଚଳିତ କରିଥାଏ।

ସୌରାଷ୍ଟ୍ର ଉପଦ୍ୱୀପରେ ୬୭୪ଟି ଏସୀୟ ସିଂହ ରହିଥିବା ରେକର୍ଡ କରାଯାଇଛି। ଏବଂ ବିଶ୍ୱର ଅଗ୍ରଣୀ ବନ୍ୟପ୍ରାଣୀ ସଂରକ୍ଷଣ ସଂସ୍ଥା- ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ, ସଂସ୍ଥା ବା IUCN ସେମାନଙ୍କୁ ବିଲୁପ୍ତପ୍ରାୟ ପ୍ରଜାତି ରୂପରେ ତାଲିକାଭୁକ୍ତ କରିଛି। ଏହି ସ୍ଥିତିରୁ ଏକ ବିପଦପୂର୍ଣ୍ଣ ସମ୍ଭାବନାର ସ୍ପଷ୍ଟ ଆଭାସ ପାଆନ୍ତି ଏ ଅଞ୍ଚଳରେ ବହୁ ବର୍ଷ ଧରି କାର୍ଯ୍ୟ କରିଆସିଥିବା ବନ୍ୟପ୍ରାଣୀ ଗବେଷକ ଡକ୍ଟର ଫୈୟାଜ ଏ. ଖୁଦସର। ସେ କହନ୍ତି, “ଅଳ୍ପ କେତେକ ଜୀବ ନିର୍ଦ୍ଦିଷ୍ଟ ଏକ ଅଞ୍ଚଳରେ ଆବଦ୍ଧ ହୋଇ ରହିଲେ ଏହା ବିଲୁପ୍ତ ହୋଇଯିବାର ଆଶଙ୍କା ରହିଛି ବୋଲି ସଂରକ୍ଷଣ ଜୀବ ବିଜ୍ଞାନରେ ସ୍ପଷ୍ଟ ସଂକେତ ପ୍ରଦାନ କରାଯାଇଛି।”

ଏହି ବିଶାଳକାୟ ବନ୍ୟଜନ୍ତୁର ଜୀବନ ପ୍ରତି ରହିଥିବା ବିଭିନ୍ନ ଆଶଙ୍କା ସଂପର୍କରେ ସୂଚନା ଦିଅନ୍ତି ଡକ୍ଟର ଖୁଦସର। କାନାଇନ୍‌ ଡିସ୍‌ଟେମ୍ପର ଭାଇରସ୍ ନାମକ ଏକ ଭୂତାଣୁର ପ୍ରାଦୁର୍ଭାବ, ଜଳବାୟୁ ପରିବର୍ତ୍ତନ, ସ୍ଥାନୀୟ ଅଞ୍ଚଳରେ ବିରୋଧ ଏବଂ ଆହୁରି ଅନେକ କାରଣ ଏଥିରେ ସମ୍ମିଳିତ। ସେ କହନ୍ତି ଯେ ଏଭଳି ବିପଦ କାରଣରୁ ଏହି ବନ୍ୟଜୀବମାନଙ୍କ ସଂଖ୍ୟା ଦ୍ରୁତ ହ୍ରାସ ପାଇପାରେ। ଭାରତ ପାଇଁ ଏହା ଏକ ଦୁଃସ୍ୱପ୍ନ ରୂପରେ ଉଭା ହେବ। କାରଣ ଆମ ଦେଶର ବିଭିନ୍ନ ସରକାର ଓ ରାଜ୍ୟର ପ୍ରତୀକ ଏବଂ ସଂକେତରେ ସିଂହ ହିଁ ପ୍ରମୁଖ ସ୍ଥାନ ପାଇଛି।

ସିଂହମାନଙ୍କ ପାଇଁ ଆଉ ଏକ ଅତିରିକ୍ତ ବାସସ୍ଥଳୀ ରୂପରେ ଅନ୍ୟ କୌଣସି ସ୍ଥାନ କୁନୋର ବିକଳ୍ପ ହୋଇପାରିବ ନାହିଁ ବୋଲି ଖୁଦସର ଦୃଢ଼ ମତ ପୋଷଣ କରନ୍ତି। ତାଙ୍କ ଭାଷାରେ, “ସିଂହମାନଙ୍କ ଆନୁବଂଶିକ ପରାକ୍ରମର ବିକାଶ ନିମନ୍ତେ ସାମଗ୍ରୀକ ଭାବେ କେତେକ ଐତିହାସିକ ଏବଂ ଭୌଗୋଳିକ ପରିସୀମାର ପୁନଃ ପ୍ରବର୍ତ୍ତନ ନିହାତି ଜରୁରୀ।”

A police outpost at Kuno has images of lions although no lions exist here.
PHOTO • Priti David
Map of Kuno at the forest office, marked with resettlement sites for the displaced
PHOTO • Priti David

ବାମ: ଏ ଅଞ୍ଚଳର କେଉଁଠି ହେଲେ ସିଂହ ନ ଥିବା ବେଳେ କୁନୋର ଏକ ପୋଲିସ ଫାଣ୍ଡିରେ ସିଂହମାନଙ୍କର ଚିତ୍ର ଲାଗିଛି। ଡାହାଣ: କୁନୋର ବନ ବିଭାଗ କାର୍ଯ୍ୟାଳୟରେ ବିସ୍ଥାପିତମାନଙ୍କ ବିଭିନ୍ନ ପୁନର୍ବାସ ସ୍ଥଳୀ ସୂଚାଉ ଥିବା ଏକ ମାନଚିତ୍ର

ଯଦିଓ ଅନେକ ପୂର୍ବରୁ ଏହାର ପରିକଳ୍ପନା କରାଯାଇଥିଲା, ତଥାପି ୧୯୯୩-୯୫ରେ ହିଁ ସିଂହମାନଙ୍କ ପାଇଁ ସ୍ଥାନାନ୍ତର ଯୋଜନାର ରୂପରେଖ ପ୍ରସ୍ତୁତ କରାଗଲା। ଏହି ଯୋଜନା ଅନୁସାରେ ଗିର ଜଙ୍ଗଲରୁ କେତେକ ସିଂହଙ୍କୁ ୧,୦୦୦ କିଲୋମିଟର ଦୂର କୁନୋକୁ ନିଆଯିବ ବୋଲି ସ୍ଥିର କରାଗଲା। ଭାରତୀୟ ବନ୍ୟପ୍ରାଣୀ ସଂସ୍ଥା (WII)ର ଡିନ୍‌ ଡକ୍ଟର ଯାଦବେନ୍ଦ୍ର ଝାଲା କହନ୍ତି ଯେ ପ୍ରସ୍ତାବିତ ନଅଟି ସମ୍ଭାବ୍ୟ ସ୍ଥାନ ମଧ୍ୟରୁ କୁନୋ ହିଁ ଏହି ଯୋଜନା ପାଇଁ ସର୍ବୋତ୍ତମ ବୋଲି ବିବେଚିତ ହେଲା।

ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଏବଂ ରାଜ୍ୟ ବନ୍ୟପ୍ରାଣୀ ବିଭାଗ ସମୂହର ବୈଷୟିକ ସଂସ୍ଥା ରୂପେ WII ପରିଗଣିତ। ପାନ୍ନାର ସାରିସ୍କାରେ, ବାନ୍ଧବଗଡ଼ର ଗୌରରେ ଏବଂ ସାତପୁରାରେ ବାରାସିଂହାରେ ବାଘମାନଙ୍କ ଥଇଥାନ ଓ ସଂଖ୍ୟାବୃଦ୍ଧି କ୍ଷେତ୍ରରେ ଏହି ସଂସ୍ଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା।

ସଂରକ୍ଷଣ ବିଜ୍ଞାନୀ ଡକ୍ଟର ରବି ଚେଲ୍ଲାମ କହନ୍ତି, “କୁନୋର ସାମଗ୍ରୀକ ଆକାର (ଆଖପାଖର ବାସସ୍ଥଳୀ ସମେତ ୬,୮୦୦ ବର୍ଗ କିଲୋମିଟର) ଏବଂ ଏଠାରେ ମାନବ ଜନିତ ବାଧାବିଘ୍ନ ଆଶଙ୍କା ତୁଳନାତ୍ମକ ଭାବେ କମ୍‌ ହୋଇଥିବାରୁ ଏବଂ ଏହା  ଭିତର ଦେଇ କୌଣସି ଜାତୀୟ ରାଜପଥ ଯାଇ ନଥିବା ଭଳି କାରଣରୁ ସିଂହମାନଙ୍କ ବସବାସ ପାଇଁ ଏହା ଏକ ମନୋରମ ସ୍ଥାନ।” ଚାରି ଦଶନ୍ଧି ଧରି ସେ ଏହି ବଳଶାଳୀ ସ୍ତନ୍ୟପାୟୀମାନଙ୍କର ଗତିବିଧି ଅନୁଧ୍ୟାନ କରିଆସୁଛନ୍ତି।

ଅନ୍ୟାନ୍ୟ ସକାରାତ୍ମକ କାରଣ: ସେ କହନ୍ତି, “ଏଠାରେ ଉତ୍ତମ ଗୁଣମାନର ଏବଂ ଭିନ୍ନ ଭିନ୍ନ ଧରଣର ବାସସ୍ଥଳୀ- ଯେମିତି କି ତୃଣଭୂମି, ବାଉଁଶ, ଓଦାଳିଆ ସ୍ଥାନ ରହିଛି। ଏହା ସହିତ ଏଠାରେ ଚମ୍ବଲ ନଦୀର ବିଭିନ୍ନ ଚିରସ୍ରୋତା ଉପନଦୀ ରହିଛି ଏବଂ ସିଂହମାନଙ୍କ ଶିକାର ପାଇଁ ଭିନ୍ନ ଭିନ୍ନ ପ୍ରଜାତିର ବନ୍ୟଜୀବ ରହିଛନ୍ତି। ଏହି ସବୁ ଦୃଷ୍ଟିରୁ ସିଂହମାନଙ୍କୁ ସ୍ୱାଗତ କରିବା ପାଇଁ ଏହି ଅଭୟାରଣ୍ୟ ହିଁ ପ୍ରସ୍ତୁତ ହୋଇ ରହିଛି।”

ଯାହାହେଲେ ବି ପ୍ରଥମେ କୁନୋ ଅଭୟାରଣ୍ୟରୁ ହଜାର ହଜାର ଲୋକଙ୍କୁ ବାହାର କରିବାକୁ ପଡ଼ିବ। ଯେଉଁ ଜଙ୍ଗଲ ଉପରେ ନିର୍ଭର କରି ସେମାନେ ଚଳୁଥିଲେ, ସେଠାରୁ ସେମାନଙ୍କୁ ବାସଚ୍ୟୁତ କରି ମାଇଲ ମାଇଲ ଦୂରରେ ଥଇଥାନ କରିବା କାମ ବର୍ଷ କେଇଟା ମଧ୍ୟରେ ସଂପନ୍ନ ହେଲା।

ହେଲେ, ତେଇଶ ବର୍ଷ ପରେ, ଏବେ ବି ସିଂହମାନଙ୍କର ଦେଖା ମିଳିନାହିଁ।

*****

An abandoned temple in the old Paira village at Kuno National Park
PHOTO • Priti David
Sultan Jatav's old school in Paira, deserted 23 years ago
PHOTO • Priti David

ବାମ: କୁନୋ ଜାତୀୟ ଉଦ୍ୟାନରେ ଥିବା ପୁରୁଣା ପାଇରା ଗାଁର ଏକ ପରିତ୍ୟକ୍ତ ମନ୍ଦିର। ଡାହାଣ: ୨୩ ବର୍ଷ ତଳେ ସେମାନେ ଛାଡ଼ି ପଳାଇଥିବା ପାଇରା ଗାଁରେ ସୁଲତାନ ଜାଟଭଙ୍କ ପୁରୁଣା ସ୍କୁଲ

କୁନୋ ପରିସରରେ ବସବାସ କରୁଥିବା ୨୪ଟି ଗାଁର ଲୋକଙ୍କୁ ସମ୍ଭାବ୍ୟ ବାସଚ୍ୟୁତ ସଂପର୍କିତ ପ୍ରଥମ ଆଭାସ ମିଳିଥିଲା ୧୯୯୮ ମସିହାରେ। ତାହା ବି ସେତେବେଳେ, ଯେତେବେଳେ ସେଠାରେ ନିୟୋଜିତ ବନ ବିଭାଗ ଅଧିକାରୀମାନେ ଏହି ଅଭୟାରଣ୍ୟକୁ ଜାତୀୟ ଉଦ୍ୟାନରେ ପରିଣତ କରାଯିବ ଏବଂ ଏଥିରେ କେହି ହେଲେ ଲୋକ ରହିବେ ନାହିଁ ବୋଲି କହିବାରେ ଲାଗିଲେ।

ମଙ୍ଗୁ ଆଦିବାସୀ ପଚାରନ୍ତି, “ଆମେ କହିଲୁ ଯେ (ଅତୀତରେ) ଆମେ ସିଂହମାନଙ୍କ ସହିତ ରହିଛୁ। ବାଘ ଓ ଅନ୍ୟ ଜୀବଜନ୍ତୁଙ୍କ ସହିତ ବି ରହିଛୁ। ଆମେ କାହିଁକି ପଳାଇବୁ ?” ବାସଚ୍ୟୁତ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହେଲେ ୪୦ରୁ ଅଧିକ ବର୍ଷ ବୟସର ସହରିୟା ଆଦିବାସୀ ମଙ୍ଗୁ।

ଗାଁ ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବା ଯାଏ ଅପେକ୍ଷା ନ କରି ବନ ବିଭାଗ ପକ୍ଷରୁ ୧୯୯୯ର ପ୍ରଥମ ଭାଗରେ କୁନୋ ପରିସୀମା ବାହାରେ ଥିବା ବଡ଼ ବଡ଼ ଅଞ୍ଚଳକୁ ଖାଲି କରିବା ଆରମ୍ଭ କରାଗଲା। ବହୁ ଗଛ କାଟି ଦିଆଗଲା ଏବଂ ବହୁ ବଡ଼ ବଡ଼ ଜମିକୁ ଜେସି ବାମ୍‌ଫୋର୍ଡ ଖନନ ମେସିନ୍‌ (ଜେସିବି) ଲଗାଇ ସମତଳ କରାଗଲା।

ବର୍ତ୍ତମାନ ମଧ୍ୟପ୍ରଦେଶର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (PCCF) ଏବଂ ବନ୍ୟପ୍ରାଣୀ ୱାର୍ଡନ ଜେ.ଏସ୍‌. ଚୌହାନ ୧୯୯୯ରେ କୁନୋରେ ଜିଲ୍ଲା ବନ ଅଧିକାରୀ ଥିଲେ। ସେ କହନ୍ତି, “ଲୋକେ ସ୍ୱେଚ୍ଛାରେ ସ୍ଥାନାନ୍ତରିତ ହୋଇଥିଲେ। ମୁଁ ବ୍ୟକ୍ତିଗତ ଭାବେ ଏହାର ତଦାରଖ କରିଥିଲି।”

ବାସଚ୍ୟୁତ ହେବାର ଦୁଃଖ ଲାଘବ କରିବା ଉଦ୍ଦେଶ୍ୟରେ ପ୍ରତି ପରିବାର ପିଛା ଦୁଇ ହେକ୍ଟର ଲେଖାଏଁ ଚାଷୋପଯୋଗୀ ଏବଂ ଜଳସେଚିତ ଜମି ଦିଆଯିବ ବୋଲି କୁହାଗଲା। ୧୮ ବର୍ଷ ବୟସରୁ ଅଧିକ ସମସ୍ତ ପୁରୁଷ ଏହି ସୁବିଧା ପାଇବାକୁ ଯୋଗ୍ୟ ବିବେଚିତ ହେବେ। ନୂଆ ଘର ତିଆରି କରିବ ଲାଗି ସେମାନଙ୍କୁ ୩୮,୦୦୦ ଟଙ୍କା ଲେଖାଏଁ ଏବଂ ନିଜ ନିଜର ଜିନିଷପତ୍ର ନେବା ପାଇଁ ୨,୦୦୦ ଟଙ୍କା ଲେଖାଏଁ ଦିଆଯିବ ବୋଲି ମଧ୍ୟ କୁହାଗଲା। ସେମାନଙ୍କ ନୂଆ ଗାଁରେ ସବୁ ପ୍ରକାର ନାଗରିକ ସୁବିଧା ରହିବ ବୋଲି ପ୍ରତିଶ୍ରୁତି ଦିଆଗଲା।

ଏବଂ ଏହା ପରେ ପାଲପୁର ଥାନାକୁ ଉଠାଇ ନିଆଗଲା। ୪୩ ବର୍ଷୀୟ ସୟଦ ମେରାଜୁଦ୍ଦିନ କହନ୍ତି, “ଏ ଅଞ୍ଚଳରେ ଡକାୟତିର ଆଶଙ୍କା ରହିଥିବାରୁ ଥାନା ଉଠିଯିବା ପରେ ଲୋକେ ଭୟଭୀତ ହୋଇପଡ଼ିଲେ।” ସେ ସମୟରେ ସେହି ଅଞ୍ଚଳରେ ସେ ଜଣେ ଯୁବ ସାମାଜିକ କର୍ମୀ ରୂପେ ପରିଚିତ ଥିଲେ।

ଏତେ ଲୋକଙ୍କୁ ଗାଁରେ ସ୍ଥାନ ଦେବା ସଂପର୍କରେ ଏହି ସବୁ ଗାଁର ଲୋକଙ୍କ ସହ ନା ଆଲୋଚନା କରାଯାଇଥିଲା ନା ଏ ସଂପର୍କିତ କ୍ଷତିଭରଣା କରାଯାଇଥିଲା। ଜଙ୍ଗଲକୁ କାଟି ସମତଳ କରିଦିଆଯାଇଥିଲା ଏବଂ ସେଠାକୁ ଲୋକେ ଯାଇ ନପାରିବା ବାବଦରେ ମଧ୍ୟ କୌଣସି କ୍ଷତିଭରଣା କରାଯାଇ ନଥିଲା

ଭିଡିଓ ଦେଖନ୍ତୁ: କୁନୋର ବାସିନ୍ଦା: ସିଂହଙ୍କ ପାଇଁ ବିସ୍ଥାପିତ ଯେଉଁ ସିଂହମାନେ ଏବେ ବି ପହଞ୍ଚିନାହାନ୍ତି

୧୯୯୯ର ଗ୍ରୀଷ୍ମକାଳ ପହଞ୍ଚିଲା। ଠିକ୍‌ ଯେତେବେଳେ ସେମାନେ ପରବର୍ତ୍ତୀ ଋୁତୁର ଚାଷବାସ ପାଇଁ ପ୍ରସ୍ତୁତ ହେବା କଥା, ସେତିକି ବେଳେ ହିଁ କୁନୋର ବାସିନ୍ଦାମାନେ ଘର ଛାଡ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ସେମାନେ ଆଗାରା ଏବଂ ଆଖପାଖ ଅଞ୍ଚଳରେ ପହଞ୍ଚି ନୀଳ ରଙ୍ଗର ପଲିଥିନରେ ଅସ୍ଥାୟୀ ଘର ତିଆରି କଲେ। ଆଗାମୀ ୨-୩ ବର୍ଷ ଲାଗି ଏଠାରେ ହିଁ ସେମାନଙ୍କୁ ରହିବାକୁ ପଡ଼ିବ।

ମେରାଜୁଦ୍ଦିନ କହନ୍ତି, “ପ୍ରଥମେ ରାଜସ୍ୱ ବିଭାଗ ସେହି ସବୁ ଜମିର ନୂତନ ମାଲିକମାନଙ୍କୁ ସ୍ୱୀକାର କରିଲା ନାହିଁ ଏବଂ ତେଣୁ ସେମାନଙ୍କୁ ଜମିର କାଗଜପତ୍ର ଦିଆଗଲା ନାହିଁ। ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଜଳସେଚନ ବିଭାଗ ଭଳି ଅନ୍ୟ ବିଭାଗ ସବୁ ଏଠାରେ କାର୍ଯ୍ୟକ୍ଷମ ହେବାକୁ ୭-୮ ବର୍ଷ ଲାଗିଗଲା।” ମେରାଜୁଦ୍ଦିନ ଆଧାରଶିଳା ଶିକ୍ଷା ସମିତିର ସଂପାଦକ ହୋଇଗଲେ। ତାହା ଥିଲା ଏକ ଅଣ-ଲାଭକାରୀ ସଂସ୍ଥା। ଏହି ସଂସ୍ଥା ବାସଚ୍ୟୁତ ଲୋକଙ୍କ ସହିତ କାମ କରୁଛି ଏବଂ ସେମାନଙ୍କ ଲାଗି ରହିଥିବା ନୂତନ ଗାଁ ଆଗାରାରେ ଗୋଟିଏ ସ୍କୁଲ ଚଳାଉଛି।

ତେଇଶ ବର୍ଷ ପରେ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଚୌହାନ ସ୍ୱୀକାର କରନ୍ତି ଯେ, “ଗାଁ ଲୋକଙ୍କୁ ସ୍ଥାନାନ୍ତର କରି ଥଇଥାନ କରିବା ବନ ବିଭାଗର କାମ ନୁହେଁ। ସରକାର ଏହି ସ୍ଥାନାନ୍ତରକୁ ସ୍ୱୀକୃତି ଦେଲେ ହିଁ ବାସଚ୍ୟୁତ ଲୋକଙ୍କୁ ସଂପୂର୍ଣ୍ଣ କ୍ଷତିପୂରଣ ପ୍ୟାକେଜ୍‌ ଦିଆଯାଇପାରିବ। ସବୁ ସରକାରୀ ବିଭାଗ ଲୋକଙ୍କ ପାଖରେ ପହଞ୍ଚିବା ଦରକାର। ଏହା ଆମମାନଙ୍କର କର୍ତ୍ତବ୍ୟ।” ସରକାରୀ ପ୍ରତିଶ୍ରୁତି ଏ ପର୍ଯ୍ୟନ୍ତ ପୂରଣ ନ ହୋଇପାରିବା ଉପରେ ମତାମତ ଦେବାକୁ ଯାଇ ସେ ଏହା କହନ୍ତି।

୨୪ଟି ଗାଁର (ସେଠାକାର ଲୋକଙ୍କ ଭାଷାରେ ସେମାନଙ୍କୁ କୁହାଯାଏ ଅଠାଇଶେ ବା ୨୮) ଲୋକେ ବାସଚ୍ୟୁତ ହେବା ପରେ ଶେଓପୁର ଜିଲ୍ଲାର ବିଜୟପୁର ତହସିଲ ଅନ୍ତର୍ଗତ ଉମ୍ରି, ଆଗାରା, ଆରୋଡ, ଚେଣ୍ଟିଖେଡ଼ା ଏବଂ ଦେଓରି ପ୍ରଭୃତି ଗାଁକୁ ହଜାର ହଜାର ଲୋକଙ୍କ ସୁଅ ଛୁଟିଲା। ଏତେ ଲୋକଙ୍କୁ ଗାଁରେ ସ୍ଥାନ ଦେବା ସଂପର୍କରେ ଏହି ସବୁ ଗାଁର ଲୋକଙ୍କ ସହ ନା ଆଲୋଚନା କରାଯାଇଥିଲା ନା ଏ ସଂପର୍କିତ କ୍ଷତିଭରଣା କରାଯାଇଥିଲା। ଜଙ୍ଗଲକୁ କାଟି ସମତଳ କରିଦିଆଯାଇଥିଲା ଏବଂ ସେଠାକୁ ଲୋକେ ଯାଇ ନପାରିବା ବାବଦରେ ମଧ୍ୟ କୌଣସି କ୍ଷତିଭରଣା କରାଯାଇ ନଥିଲା।

୧୯୯୯ ମସିହା ଜୁନ୍‌ରେ ଆଗାରା ଉପକଣ୍ଠରେ ଥିବା ପାଇରା ଜାଟଭ ପଲ୍ଲୀ ଗାଁକୁ ଯାଇଥିଲେ ରାମ ଦୟାଲ ଜାଟଭ ଓ ତାଙ୍କ ପରିବାର। ଏବେ, ୫୦ରୁ ଅଧିକ ବର୍ଷ ବୟସରେ ସେତେବେଳର ଏହି ନିଷ୍ପତ୍ତିକୁ ନେଇ ଅନୁତାପ କରୁଛନ୍ତି କୁନୋ ଉଦ୍ୟାନ ପରିସରରେ ଥିବା ମୂଳ ପାଇରାର ଏହି ବାସିନ୍ଦା ଜଣକ। ସେ କହନ୍ତି, “ପୁନର୍ବାସ ଯୋଜନା ଆମ ପାଇଁ ଠିକ୍‌ ନଥିଲା। ଆମେ ଅନେକ ସମସ୍ୟାର ସମ୍ମୁଖୀନ ହେଲୁ ଏବଂ ଏବେ ବି ହେଉଛୁ। ଆଜି ବି ଆମ କୂଅଗୁଡ଼ିକରେ ପାଣି ନାହିଁ, ଜମି ଚାରିପଟେ ବାଡ଼ ନାହିଁ। ଆମକୁ ହିଁ ଜରୁରୀକାଳୀନ ଡାକ୍ତରୀ ଚିକିତ୍ସା ବାବଦ ଖର୍ଚ୍ଚ ତୁଲାଇବାକୁ ପଡୁଛି ଏବଂ ଚାକିରି ପାଇବା ଏବେ ବି କଷ୍ଟକର। ଏହା ସହିତ ଆହୁରି ଅନେକ ସମସ୍ୟା ରହିଛି।” ଧିମେଇ ଯାଉଥିବା ସ୍ୱରରେ ସେ କହନ୍ତି, “ସେମାନେ କେବଳ ପଶୁମାନଙ୍କ ପାଇଁ ଭଲକାମ କଲେ, କିନ୍ତୁ ଆମ ପାଇଁ କିଛି ଭଲ କଲେନି।”

Ram Dayal Jatav regrets leaving his village and taking the resettlement package.
PHOTO • Priti David
The Paira Jatav hamlet where exiled Dalit families now live
PHOTO • Priti David

ବାମ: ନିଜ ଗାଁ ଛାଡ଼ି ପୁନର୍ବାସ ପ୍ୟାକେଜ୍‌ ଗ୍ରହଣ କରିବା ନିଷ୍ପତ୍ତିକୁ ନେଇ ଅନୁତାପ କରୁଛନ୍ତି ରାମ ଦୟାଲ ଜାଟଭ। ଡାହାଣ: ପାଇରା ଜାଟଭ ପଲ୍ଲୀ, ଯେଉଁଠି ଏବେ ବାସଚ୍ୟୁତ ଦଳିତ ପରିବାରମାନେ ରହୁଛନ୍ତି

ରଘୁଲାଲ ଜାଟଭ କହନ୍ତି ଯେ ନିଜର ପରିଚୟ ହରାଇ ବସିବା ହିଁ ସବୁଠାରୁ ବେଶି ଆଘାତ ଦେଇଥିଲା: “ଏହା ଭିତରେ ୨୩ ବର୍ଷ ବିତିଗଲାଣି ଏବଂ ଆମକୁ ଦିଆଯାଇଥିବା ପ୍ରତିଶ୍ରୁତି ତ ପୂରଣ ହେଲାନି, ଏହା ବ୍ୟତୀତ ସ୍ୱାଧୀନ ଭାବରେ କାର୍ଯ୍ୟ କରିଆସୁଥିବା ଗ୍ରାମସଭାଗୁଡ଼ିକୁ ମଧ୍ୟ ଏଠାରେ ପୂର୍ବରୁ ଥିବା ଗ୍ରାମସଭା ସହିତ ମିଶାଇ ଦିଆଗଲା।”

ତାଙ୍କ ନିଜ ଗାଁ ପାଇରା ସମେତ ୨୪ଟି ଗାଁର ବର୍ଗୀକରଣ ରଦ୍ଦ କରିବା ଲାଗି ସେ  ଲଢ଼େଇ କରିଆସୁଛନ୍ତି। ରଘୁଲାଲଙ୍କ କହିବା ଅନୁସାରେ ୨୦୦୮ରେ ଯେତେବେଳେ ନୂଆ ଗ୍ରାମ ପଞ୍ଚାୟତ ଗଠନ କରାଗଲା, ତାଙ୍କ ଗାଁ ପାଇରା ଏକ ରାଜସ୍ୱ ଗ୍ରାମର ମାନ୍ୟତା ହରାଇଲା। ତାଙ୍କ ଗାଁର ବାସିନ୍ଦାମାନଙ୍କୁ ପୂର୍ବରୁ ଥିବା ପଞ୍ଚାୟତଗୁଡ଼ିକର ଚାରିଟି ପଡ଼ା ଗାଁର ବାସିନ୍ଦା ରୂପେ ସାମିଲ କରାଗଲା। “ଏମିତି ହିଁ ଆମେ ଆମ ପଞ୍ଚାୟତକୁ ହରାଇ ବସିଲୁ।”

ଗାଁ ଲୋକଙ୍କର ଯେଉଁ କଷ୍ଟ ଲାଘବ ଦିଗରେ ସେ ଉଦ୍ୟମ କରିଥିଲେ ସେ ସଂପର୍କରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଚୌହାନ କହନ୍ତି. “ସେମାନଙ୍କ ନିଜର ପଞ୍ଚାୟତ ଫେରାଇ ଦେବା ଲାଗି ମୁଁ ବିଭିନ୍ନ ସରକାରୀ ଅଧିକାରୀମାନଙ୍କ ଦ୍ୱାରସ୍ଥ ହୋଇଛି। ମୁଁ ସେମାନଙ୍କୁ (ବିଭିନ୍ନ ବିଭାଗକୁ) କହିଛି ଯେ, “ଆପଣମାନେ ଏଭଳି କରିବା ଉଚିତ ନଥିଲା।” ସେ କହନ୍ତି, “ଏ ବର୍ଷ ବି ମୁଁ ଚେଷ୍ଟା କରିଥିଲି।”

ନିଜସ୍ୱ ପଞ୍ଚାୟତ ନଥିବାରୁ, ବାସଚ୍ୟୁତ ଗାଁ ଲୋକେ ସରକାରଙ୍କ ପାଖରେ ସେମାନଙ୍କ ଦାବି ଉପସ୍ଥାପନ କରିବା କ୍ଷେତ୍ରରେ ବିଭିନ୍ନ ଆଇନଗତ ଓ ରାଜନୈତିକ ଜଟିଳତାର ସମ୍ମୁଖୀନ ହେଉଛନ୍ତି।

*****

ମଙ୍ଗୁ ଆଦିବାସୀ କହନ୍ତି ଯେ ବାସଚ୍ୟୁତ ହେବା ପରେ “ଆମ ପାଇଁ ଜଙ୍ଗଲ ବନ୍ଦ ହୋଇଗଲା। ଆମେ ଘାସକୁ ଗୋଖାଦ୍ୟ ରୂପରେ ବିକ୍ରି କରୁଥିଲୁ। ହେଲେ ଏବେ ଆମେ ନିଜେ ଗୋଟିଏ ଗାଈ ରଖିବା ପାଇଁ ଘାସ ପାଉନାହୁଁ।” ଏହି ସହିତ ଚାରଣଭୂମି, ଜାଳେଣି କାଠ, କାଠ ବ୍ୟତୀତ ଅନ୍ୟ ଜଙ୍ଗଲଜାତ ଦ୍ରବ୍ୟ ଏବଂ ଆହୁରି ଅନେକ କିଛି ହରାଇବାକୁ ପଡ଼ିଛି।

ସନ୍ନିହିତ ବିଡ଼ମ୍ବନାକୁ ସୂଚାଇ ଦିଅନ୍ତି ସାମାଜିକ ବିଜ୍ଞାନୀ ପ୍ରଫେସର ଅସ୍ମିତା କାବ୍‌ରା: “ଗୃହପାଳିତ ପଶୁଙ୍କୁ ଗାଁ ଲୋକେ ହରାଇବା ଆଶଙ୍କା (ସିଂହମାନେ ଆସିବେ ବୋଲି ଲୋକେ ଭାବୁଥିଲେ) ଥିବାରୁ ବନ ବିଭାଗ ଚିନ୍ତିତ ଥିଲା ଏବଂ ଏଥିପାଇଁ ଲୋକଙ୍କୁ ନିଜ ନିଜର ଘର ଛାଡ଼ିବାକୁ ବାଧ୍ୟ କରାଗଲା। କିନ୍ତୁ ପରିଶେଷରେ, ଜଙ୍ଗଲ ବାହାରେ ଚାରଣ ଭୂମି ନଥିବାରୁ ଗୋରୁଗାଈଙ୍କୁ ହିଁ ପଛରେ ଛାଡ଼ି ଦିଆଗଲା।”

Mangu Adivasi lives in the Paira Adivasi hamlet now.
PHOTO • Priti David
Gita Jatav (in the pink saree) and Harjaniya Jatav travel far to secure firewood for their homes
PHOTO • Priti David

ବାମ: ଏବେ ପାଇରା ଆଦିବାସୀ ପଲ୍ଲୀରେ ରହୁଛନ୍ତି ମଙ୍ଗୁ ଆଦିବାସୀ। ଡାହାଣ: ଘର ପାଇଁ ଜାଳେଣି କାଠ ଆଣିବାକୁ ଏବେ ଗୀତା ଜାଟଭ (ଗୋଲାପୀ ରଙ୍ଗର ଶାଢ଼ିରେ) ଏବଂ ହରଜାନିୟା ଜାଟଭଙ୍କୁ ବହୁ ଦୂର ଯିବାକୁ ପଡୁଛି

ଚାଷବାସ ପାଇଁ ଜମି ସଫା ହେବାରୁ ଜଙ୍ଗଲର ସୀମା ଆହୁରି ଦୂରକୁ ଘୁଞ୍ଚିଗଲା। ବାସଚ୍ୟୁତ ସହରିୟାଙ୍କ ମଧ୍ୟରୁ ଜଣେ ୨୩ ବର୍ଷ ବୟସ୍କ ଶିକ୍ଷକ ଏବଂ ଆହାରୱାନି ଗାଁ ବାସିନ୍ଦା କେଦାର ଆଦିବାସୀ କହନ୍ତି, “ଜାଳେଣି କାଠ ପାଇଁ ଏବେ ଆମକୁ ୩୦-୪୦ କିଲୋମିଟର ଯିବାକୁ ପଡୁଛି। ଆମ ପାଖରେ ଖାଦ୍ୟଦ୍ରବ୍ୟ ଥାଇପାରେ, ହେଲେ ଏହାକୁ ରାନ୍ଧିବା ପାଇଁ ଜାଳେଣି କାଠ ନାହିଁ।”

ବିବାହ କରି ଶେଓପୁରର କଡହାଲ ତହସିଲ ଅନ୍ତର୍ଗତ ସେମାନଙ୍କ ଗାଁ ଛାଡ଼ି ଅଭୟାରଣ୍ୟ ଅଞ୍ଚଳରେ ରହିବାକୁ ଆସିବା ସମୟରେ ଯୁବା ବୟସର ଥିଲେ ୫୦ରୁ ଅଧିକ ବର୍ଷର ଗୀତା ଏବଂ ୬୦ରୁ ଅଧିକ ବର୍ଷ ବୟସ୍କା ହରଜାନିୟା। ଗୀତା କହନ୍ତି, “(ଏବେ) ଜାଳେଣି କାଠ ଆଣିବାକୁ ଆମକୁ ପାହାଡ଼ ଉପରକୁ ଯିବାକୁ ପଡୁଛି। ଏଥିରେ ପୂରା ଦିନଟିଏ ଲାଗି ଯାଉଛି ଏବଂ ଅନେକ ସମୟରେ ବନ ବିଭାଗ କର୍ମଚାରୀମାନେ ଆମକୁ ଅଟକାଇ ଦିଅନ୍ତି। ତେଣୁ ଆମକୁ ଲୁଚାଚୋରାରେ ଏ କାମ କରିବାକୁ ପଡୁଛି।”

ପୁରୁଣା କଥା ମନେ ପକାଇ ପ୍ରଫେସର କାବ୍‌ରା କହନ୍ତି ଯେ, ତରବରିଆ ଭାବେ ସବୁ କିଛି ଠିକ୍‌ଠାକ୍‌ କରିବାକୁ ଯାଇ ବନ ବିଭାଗ ବହୁ ମୂଲ୍ୟବାନ ଗଛ ଓ ଗୁଳ୍ମକୁ ସଫା କରିଦେଲା। କୁନୋ ଏବଂ ଆଖପାଖ ଅଞ୍ଚଳରେ ବିସ୍ଥାପନ, ଦାରିଦ୍ର୍ୟ ଏବଂ ଜୀବିକାର ସୁରକ୍ଷା ସଂପର୍କରେ ଗବେଷଣା କରି ପିଏଚ୍‌ଡି ହାସଲ କରିଥିବା ଏହି ସାମାଜିକ ବିଜ୍ଞାନୀ ଆହୁରି କହନ୍ତି. “ଏଠାରେ ଜୈବ ବିବିଧତାର ବିଲୋପକୁ ଆଦୌ ବିଚାରକୁ ନିଆଯାଇ ନଥିଲା।” ଏ ଅଞ୍ଚଳରେ ସଂରକ୍ଷଣବାଦ ଏବଂ ବିସ୍ଥାପନ ବିଷୟରେ ବିଶେଷଜ୍ଞ ଭାବରେ ବେଶ୍‌ ସୁପରିଚିତ ପ୍ରଫେସର କାବ୍‌ରା।

ଅଠା ଓ ଝୁଣା ସଂଗ୍ରହ ନିମନ୍ତେ ଚିଡ୍‌ ଓ ଅନ୍ୟାନ୍ୟ ଗଛ ପାଖକୁ ଯିବା ବନ୍ଦ ହୋଇଯିବା ଏଠାକାର ଲୋକଙ୍କୁ ଶକ୍ତ ଆଘାତ ଦେଇଥିଲା। ସ୍ଥାନୀୟ ବଜାରରେ ଚିଡ୍‌ର ଅଠା  କିଲୋ ପ୍ରତି ୨୦୦ ଟଙ୍କା ହିସାବରେ ବିକ୍ରି ହେଉଥିଲା ଏବଂ ଅଧିକାଂଶ ପରିବାର ପ୍ରତି ଦିନ ୪-୫ କିଲୋଗ୍ରାମ ଝୁଣା ସଂଗ୍ରହ କରିପାରୁଥିଲେ। କେଦାର କହନ୍ତି, “ବିଭିନ୍ନ ପ୍ରକାର ଗୋନ୍ଦ ବା ଅଠା ଓ ଝୁଣା ଏବଂ କେନ୍ଦୁପତ୍ର (ଯେଉଁ ପତ୍ରରୁ ବିଡ଼ି ତିଆରି ହୁଏ) ପ୍ରଚୁର ପରିମାଣରେ ମିଳୁଥିଲା। ସେହିଭଳି ବିଲ୍‌, ଆଚାର, ମହୁଆ ଭଳି ଫଳ, ମହୁ ଏବଂ ବିଭିନ୍ନ ଚେରମୂଳି ବି ମିଳୁଥିଲା। ଏହା ହିଁ ଆମକୁ ଖାଦ୍ୟ ଓ ବସ୍ତ୍ର ଯୋଗାଇ ଦେଉଥିଲା। ଗୋଟିଏ କିଲୋ ଗୋନ୍ଦ ବା ଅଠା ବଦଳରେ ପାଞ୍ଚ କିଲୋ ଚାଉଳ ମିଳୁଥିଲା।”

ଏବେ କେଦାରଙ୍କ ମାଆ ବାସନ୍ତୀଙ୍କ ପାଖରେ କେବଳ ବର୍ଷା ପାଣିରେ ଚାଷ କରାଯାଇପାରୁଥିବା ଅଳ୍ପ କେଇ ବିଘା ଜମି ରହିଛି ଏବଂ ତାଙ୍କ ଭଳି ବହୁ ବ୍ୟକ୍ତି ପ୍ରତି ବର୍ଷ କାମଧନ୍ଦା ଅନ୍ୱେଷଣରେ ମୋରେନା ଓ ଆଗ୍ରା ଭଳି  ସହରକୁ ଚାଲି ଯିବା ପାଇଁ ବାଧ୍ୟ ହେଉଛନ୍ତି। ପ୍ରତି ବର୍ଷ କିଛି ମାସ ପାଇଁ ସେମାନେ ସେଠାରେ ନିର୍ମାଣ ଶ୍ରମିକ ଭାବରେ କାମ କରନ୍ତି। ୫୦ରୁ ଅଧିକ ବର୍ଷ ବୟସ୍କା ବାସନ୍ତୀ କହନ୍ତି, “ପଡ଼ିଆ ଋତୁରେ ଏଠାରେ ଯେତେବେଳେ ଚାଷବାସ କାମ ମିଳେ ନାହିଁ, ସେତେବେଳେ ଆମ ଭିତରୁ ଦଶ କି ୨୦ ଜଣ ଏକାଠି ହୋଇ ସେଠାକୁ କାମ କରିବା ଲାଗି ଯାଇଥାଉ।”

Kedar Adivasi and his mother, Kungai Adivasi, outside their home in Aharwani, where displaced Sahariyas settled.
PHOTO • Priti David
Large tracts of forests were cleared to compensate the relocated people. The loss of biodiversity, fruit bearing trees and firewood is felt by both new residents and host villages
PHOTO • Priti David

ବାମ: ବାସଚ୍ୟୁତ ସହରିୟାମାନଙ୍କୁ ଥଇଥାନ କରାଯାଇଥିବା ଆହରୱାନି ଗାଁର ସେମାନଙ୍କ ଘର ବାହାରେ କେଦାର ଆଦିବାସୀ ଏବଂ ତାଙ୍କ ମାଆ କୁଙ୍ଗାଇ ଆଦିବାସୀ। ଡାହାଣ: ସ୍ଥାନାନ୍ତର କରାଯାଇଥିବା ଲୋକଙ୍କୁ କ୍ଷତିପୂରଣ ଦେବା ଲାଗି ବହୁ ଜଙ୍ଗଲ ସଫା କରାଯାଇଥିଲା। ଜୈବ ବିବିଧତା ହାନି ସହିତ ଫଳନ୍ତି ଗଛ ଏବଂ ଜାଳେଣି କାଠର ଅଭାବ ଅନୁଭବ କରୁଛନ୍ତି ଉଭୟ ନୂତନ ଓ ପୁରୁଣା ଗ୍ରାମବାସୀମାନେ

*****

୨୦୨୧ ଅଗଷ୍ଟ ୧୫ ଦିନ ଲାଲ କିଲ୍ଲା ଉପରୁ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନ ମନ୍ତ୍ରୀ ମୋଦି ‘ ସିଂହ ପ୍ରକଳ୍ପ’ ସଂପର୍କରେ ଘୋଷଣା କରିଥିଲେ। ଏହା ଦ୍ୱାରା “ଦେଶରେ ଏସୀୟ ସିଂହମାନଙ୍କ ଭବିଷ୍ୟତ ସୁରକ୍ଷିତ ରହିବ।”

୨୦୧୩ରେ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ସିଂହମାନଙ୍କୁ ସ୍ଥାନାନ୍ତର କରି ଥଇଥାନ କରିବା ପାଇଁ ସୁପ୍ରିମ କୋର୍ଟ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଥିଲେ। ଏହା “ଆଜିଠାରୁ ୬ ମାସ ମଧ୍ୟରେ” ହେବା ଉଚିତ ବୋଲି ଅଦାଲତ କହିଥିଲେ। ଏବଂ ପ୍ରଧାନ ମନ୍ତ୍ରୀଙ୍କ ଲାଲ କିଲ୍ଲା ଭାଷଣରେ ମଧ୍ୟ ସେହି ସମାନ କାରଣର ଅବତାରଣା କରାଯାଇଥିଲା। ତାହା ହେଲା ଦେଶରେ ଏସୀୟ ସିଂହମାନଙ୍କର ଭବିଷ୍ୟତ ସୁରକ୍ଷିତ ରଖିବା।, ଅଦାଲତଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଇ କୁନୋକୁ କେତେକ ସିଂହ ପଠାଇବାରେ ବିଫଳ ଗୁଜରାଟ ସରକାରଙ୍କ ପାଖରେ ଏ ସଂପର୍କରେ କୌଣସି କୈଫିୟତ ସେତେବେଳେ ନ ଥିଲା କି ଏବେ ନାହିଁ।

ଗୁଜରାଟ ବନ ବିଭାଗର ୱେବ୍‌ସାଇଟ୍‌ ମଧ୍ୟ ଏହି ସିଂହ ସ୍ଥାନାନ୍ତର ସଂପର୍କରେ ନିରବ ରହିଛି। ଏବଂ ୨୦୧୯ରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ୍‌ ବିବୃତି ରେ ‘ଏସୀୟ ସିଂହମାନଙ୍କ ସଂରକ୍ଷଣ ପ୍ରକଳ୍ପ’ ଦିଗରେ ୯୭ କୋଟି ୮୫ ଲକ୍ଷ ଟଙ୍କାର ପାଣ୍ଠି ଗଠନ ପାଇଁ ଘୋଷଣା କରାଯାଇଥିଲା। ହେଲେ ଏହା କେବଳ ଗୁଜରାଟ ରାଜ୍ୟରେ କାର୍ଯ୍ୟକାରୀ କରାଯିବ ବୋଲି ଉଲ୍ଲେଖ କରାଯାଇଥିଲା।

୨୦୦୬ରେ ଦିଲ୍ଲୀର ଏକ ସଂଗଠନ ପକ୍ଷରୁ ଦାଖଲ କରାଯାଇଥିବା ଏକ ଜନସ୍ୱାର୍ଥ ସମ୍ବଳିତ ମାମଲାରେ ସୁପ୍ରିମ କୋର୍ଟ ଦେଇଥିବା ରାୟର ନବମ ବର୍ଷ ୨୦୨୨ ଏପ୍ରିଲ ୧୫ ତାରିଖ ଦିନ ଆରମ୍ଭ ହେଲା। ଏହି ଜନସ୍ୱାର୍ଥ ସମ୍ବଳିତ ମାମଲାରେ “କୁନୋକୁ କେତେକ ଏସୀୟ ସିଂହ ପଠାଇବା ସକାଶେ ଗୁଜରାଟ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି” ଆବେଦନ କରାଯାଇଥିଲା।

ଭାରତୀୟ ବନ୍ୟପ୍ରାଣୀ ସଂସ୍ଥା-WIIର ଡକ୍ଟର ଝାଲା କହନ୍ତି, “ସୁପ୍ରିମ କୋର୍ଟଙ୍କ ୨୦୧୩ ମସିହାର ରାୟ ପରେ କୁନୋରେ ସିଂହମାନଙ୍କର ପୁନର୍ବାସ କାର୍ଯ୍ୟ ତଦାରଖ କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା। ହେଲେ ଗତ ଅଢ଼େଇ ବର୍ଷ ହେଲା ଏହି ବିଶେଷଜ୍ଞ କମିଟିର ଗୋଟିଏ ହେଲେ ବୈଠକ ବସିନାହିଁ। ଏବଂ ଗୁଜରାଟ ବି ପ୍ରସ୍ତାବିତ କାର୍ଯ୍ୟ ଯୋଜନାକୁ ଗ୍ରହଣ କରିନାହିଁ।”

In January 2022, the government announced that African cheetahs would be brought to Kuno as there were no Asiatic cheetahs left in India.
PHOTO • Priti David
A poster of 'Chintu Cheetah' announcing that cheetahs (African) are expected in the national park
PHOTO • Priti David

ବାମ: ଜାନୁଆରୀ ୨୨ରେ ସରକାର ଘୋଷଣା କଲେ ଯେ ଭାରତରେ ଆଉ ଏସୀୟ ଚିତାବାଘ ନଥିବାରୁ ଆଫ୍ରିକୀୟ ଚିତାବାଘଙ୍କୁ କୁନୋ ଅଣାଯିବ। ଡାହାଣ: ଜାତୀୟ ଉଦ୍ୟାନରେ (ଆଫ୍ରିକୀୟ) ଚିତାବାଘଙ୍କ ପ୍ରତ୍ୟାଶିତ ଆଗମନ ଘୋଷଣା କରୁଥିବା ‘ଚିଣ୍ଟୁ’ ଚିତାବାଘର ଏଦକ ପୋଷ୍ଟର

ଏହା ପରିବର୍ତ୍ତେ. କୁନୋକୁସ ଆଫ୍ରିକୀୟ ଚିତାବାଘର ଆଗମନ ସ୍ଥଳୀ ହେବ ବୋଲି ଘୋଷଣା କରାଯାଇଛି। “ଆଫ୍ରିକୀୟ ଚିତାବାଘକୁ ଆଣି କୁନୋରେ ଛାଡ଼ିବା ପାଇଁ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଦେଇଥିବା ନିର୍ଦ୍ଦେଶ ଆଇନାନୁମୋଦିତ ନୁହେଁ ଏବଂ ଏହାକୁ ଖାରଜ କରାଯାଇଛି” ବୋଲି ସୁପ୍ରିମ କୋର୍ଟଙ୍କ ସେହି ସମାନ ରାୟରେ କୁହାଯାଇଥିବା ସତ୍ତ୍ବେ ଏଭଳି ଘୋଷଣା କରାଯାଇଛି।

୨୦୨୦ରେ ପ୍ରକାଶିତ ପ୍ରସ୍ତାବିତ ସିଂହ ପ୍ରକଳ୍ପ ସଂପର୍କିତ ଏକ ରିପୋର୍ଟରେ ସଂରକ୍ଷଣବାଦୀମାନେ ପୂର୍ବରୁ ଦେଇଥିବା ଚେତାବନୀ ସତ ପ୍ରମାଣିତ ହୋଇଥିବାର ଇଙ୍ଗିତ ମିଳିଛି। ଭାରତୀୟ ବନ୍ୟପ୍ରାଣୀ ସଂସ୍ଥା WII ଏବଂ ଗୁଜରାଟ, ମଧ୍ୟ ପ୍ରଦେଶ ଏବଂ ରାଜସ୍ଥାନ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଏହି ରିପୋର୍ଟରେ ସାଂପ୍ରତିକ ପରିସ୍ଥିତିକୁ ନେଇ ଚିନ୍ତା ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, “ନିକଟରେ ଗିର ଅଞ୍ଚଳରେ ‘ବେବସିଓସିସ୍‌’ ନାମକ ଏକ ରୋଗ ଏବଂ CDV (କେନାଇନ୍‌ ଡିସ୍‌ଟେମ୍ପର ଭାଇରସ)ର ପ୍ରାଦୁର୍ଭାବ ଯୋଗୁଁ ଗତ ଦୁଇ ବର୍ଷ ଭିତରେ ଅତି କମ୍‌ରେ ୬୦ଟି ସିଂହ ପ୍ରାଣ ହରାଇଛନ୍ତି।”

ବନ୍ୟପ୍ରାଣୀ ଜୀବ ବିଜ୍ଞାନୀ ଡକ୍ଟର ରବି ଚେଲ୍ଲାମ କହନ୍ତି, “କେବଳ ମଣିଷର ଔଦ୍ଧତ୍ୟ ହିଁ ଏହି ସ୍ଥାନାନ୍ତରଣ ପ୍ରକ୍ରିୟାର ପଥରୋଧ କରୁଛି।” ଏହି ସ୍ଥାନାନ୍ତରଣ ଏବଂ ପୁନର୍ବାସ ସଂପର୍କରେ ନିଷ୍ପତ୍ତି ନେବା କ୍ଷେତ୍ରରେ ସର୍ବୋଚ୍ଚ ଅଦାଲତଙ୍କ ବନ ଖଣ୍ଡପୀଠ ପାଇଁ ବିଶେଷଜ୍ଞ ବୈଜ୍ଞାନିକ ପରାମର୍ଶଦାତା ରୂପେ ସେ ଦାୟିତ୍ୱ ତୁଲାଇଛନ୍ତି। ଜଣେ ସଂରକ୍ଷଣବାଦୀ ବିଜ୍ଞାନୀ ଏବଂ ମେଟାଷ୍ଟ୍ରିଙ୍ଗ ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଡକ୍ଟର ଚେଲ୍ଲାମ ସିଂହମାନଙ୍କର ଏହି ପ୍ରସ୍ତାବିତ ସ୍ଥାନାନ୍ତର ଏବଂ ପୁନର୍ବାସ ପ୍ରକ୍ରିୟା ଉପରେ ନଜର ରଖିବା ସହ ଏହାକୁ ଅପେକ୍ଷା କରିଛନ୍ତି।

ବାୟୋଡାଇଭର୍ସିଟି କୋଲାବୋରେଟିଭ୍‌ ସଂସ୍ଥାର ସଦସ୍ୟ ଡକ୍ଟର ଚେଲ୍ଲାମ କହନ୍ତି, “ସିଂହମାନେ ଅନେକ ବିପଦ ଆଶଙ୍କା ସମ୍ବଳିତ ସମୟ ଦେଇ ଗତି କରିଛନ୍ତି ଏବଂ ଏବେ ସେମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ହେଲେ ଜୀବ ସଂରକ୍ଷଣ କ୍ଷେତ୍ରରେ ଆପଣ ନିଶ୍ଚିନ୍ତରେ ବିଶ୍ରାମ ନେବାର ପ୍ରଶ୍ନ ଉଠୁନାହିଁ। ବିଶେଷତଃ ବିଲୁପ୍ତପ୍ରାୟ ପ୍ରଜାତିଙ୍କ କ୍ଷେତ୍ରରେ, ଏହି ବିପଦ ଆଶଙ୍କା ସବୁବେଳେ ଲାଗି ରହିଛି। ଏହା ହେଉଛି ଅବିରତ ସତର୍କତା ସମ୍ବଳିତ ଏକ ବିଜ୍ଞାନ।”

PHOTO • Priti David
PHOTO • Priti David

ବାମ: ଜାତୀୟ ଉଦ୍ୟାନରେ ପୁରୁଣା ପାଇରା ଗାଁର ଏକ ସାଇନ୍‌ବୋର୍ଡ। ଡାହାଣ: ଗାଁର ଅଧିକାଂଶ ଘର ଭୁଶୁଡ଼ି ପଡ଼ିଲାଣି, ତଥାପି ରହିଛି ଗୋଟିଏ ଚିତ୍ରିତ କବାଟ

“ମନୁଷ୍ୟ କୋ ଭଗା ଦିୟା ପର ଶେର ନେହିଁ ଆୟା! (ମଣିଷକୁ ଘଉଡ଼ାଇ ଦେଲେ, ଗୋଟିଏ ହେଲେ ସିଂହ ଆସିଲେନି)।”

କୁନୋରେ ନିଜ ଘର ହରାଇବା ଘଟଣାକୁ ନେଇ ପରିହାସ କରନ୍ତି ମଙ୍ଗୁ ଆଦିବାସୀ। ହେଲେ ତାଙ୍କ ସ୍ୱରରେ ହସିବାର ଅବକାଶ ନଥାଏ। ସରକାର ତାଙ୍କ ପ୍ରତିଶ୍ରୁତି ପୂରଣ କରନ୍ତୁ ଅଥବା ସେମାନଙ୍କୁ ନିଜ ଘରକୁ ଫେରିବାକୁ ଦିଅନ୍ତୁ ବୋଲି ଦାବିରେ ପ୍ରତିବାଦ ଆନ୍ଦୋଳନ କରୁଥିବା ବେଳେ ତାଙ୍କ ମୁଣ୍ଡ ଫାଟି କେତେକ ଷ୍ଟିଚ୍‌ ମଧ୍ୟ ପଡ଼ିଛି। “ଅନେକ ଥର ଆମେ ଫେରିଯିବୁ ବୋଲି ଚିନ୍ତା କରିଛୁ।”

ନିଜର ନ୍ୟାୟସଙ୍ଗତ କ୍ଷତିପୂରଣ ପାଇବା ଦିଗରେ ଧ୍ୟାନ ଆକର୍ଷଣ କରାଇବା ଲାଗି ୨୦୦୮ ଅଗଷ୍ଟ ୧୫ର ପ୍ରତିବାଦ ଆନ୍ଦୋଳନ ଥିଲା ଏକ ଚୂଡ଼ାନ୍ତ ପ୍ରୟାସ। ରଘୁଲାଲ କହନ୍ତି, “(ତାପରେ) ଆମେ ସ୍ଥିର କଲୁ ଯେ ଆମକୁ ଦିଆଯାଇଥିବା ଜମି ଆମେ ଛାଡ଼ି ଦେବୁ ଏବଂ ଆମକୁ ଆମ ପୁରୁଣା ଜମି ଫେରାଇ ଦିଆଯାଉ ବୋଲି ଚାହିଁଲୁ। ଆମେ ଜାଣିଥିଲୁ ଯେ ବିସ୍ଥାପନର ୧୦ ବର୍ଷ ଭିତରେ ପୁଣି ଫେରିଯିବାର ଅଧିକାର ସଂପର୍କରେ ଏକ ଆଇନ ରହିଛି।”

ସେହି ସୁଯୋଗକୁ ହାତଛଡ଼ା କରିବା ପରେ ବି ରଘୁଲାଲ ହାର ମାନି ନାହାନ୍ତି ଏବଂ ନିଜ ପାଖରେ ଥିବା ଅର୍ଥ ଓ ସମୟ ବଳରେ ସ୍ଥିତିକୁ ସୁଧାରିବା ଦିଗରେ ପ୍ରୟାସ ଚଳାଇଛନ୍ତି। ତହସିଲ ଓ ଜିଲ୍ଲାର ଅନ୍ୟାନ୍ୟ କାର୍ଯ୍ୟାଳୟକୁ ସେ ଅନେକ ଥର ଯାଇଛନ୍ତି। ନିଜ ପଞ୍ଚାୟତ ସପକ୍ଷରେ ଯୁକ୍ତି ବାଢ଼ିବା ପାଇଁ ସେ ମଧ୍ୟ ଭୋପାଳରେ ନିର୍ବାଚନ କମିଶନଙ୍କୁ ସାକ୍ଷାତ କରିଛନ୍ତି। ହେଲେ ଏ ସବୁଥିରୁ କୌଣସି ସୁଫଳ ମିଳିନାହିଁ।

ସେମାନଙ୍କ ପାଖରେ ଏକ ରାଜନୈତିକ ସ୍ୱର ନଥିବାରୁ ବିସ୍ଥାପିତମାନଙ୍କୁ ଅଣଦେଖା କରିଯିବା ଏବଂ ସେମାନଙ୍କ ଦାବି ସଂପର୍କରେ ନିରବ ରହିବା ସହଜ ହେଉଛି। ପାଇରା ଗାଁର ଜଣେ ବାସିନ୍ଦା ରାମ ଦୟାଲ କହନ୍ତି, “ଆମେ କେମିତି ଅଛୁ ବୋଲି କେହି ହେଲେ ଦିନେ ପଚାରି ନାହାନ୍ତି କି ଆମର କିଛି ସମସ୍ୟା ଅଛି ନା ଆଉ କୌଣସି କଥା ସଂପର୍କରେ କେହି ବୁଝିନାହାନ୍ତି। ଏଠାକୁ କେହି ଆସନ୍ତିନି। ଆମେ ବନ ବିଭାଗ ଅଫିସ୍‌କୁ ଗଲେ ସେଠାରେ କୌଣସି ଅଧିକାରୀ ମିଳନ୍ତିନି। ଆଉ ଆମେ ଯେତେବେଳେ କୌଣସି ପ୍ରକାରେ ସେମାନଙ୍କୁ ଭେଟିଥାଉ ଆମ କାମ ତୁରନ୍ତ କରିବେ ବୋଲି ସେମାନେ କେବଳ ପ୍ରତିଶ୍ରୁତି ଦେଇଥାଆନ୍ତି। ହେଲେ ୨୩ ବର୍ଷ ଧରି କିଛି ବି କରାଯାଇନାହିଁ।”

କଭର ଫଟୋ: ସୁଲତାନ ଯାଦବ ପାୟାରାରେ ଥିବା ତାଙ୍କ ପରିବାରର ପୁରୁଣା ଘରେ ବସିଛନ୍ତି, ଯାହାକି ଆଉ ନାହିଁ

ଏହି ଲେଖା ସଂପର୍କିତ ଗବେଷଣା ଏବଂ ଅନୁବାଦରେ ବହୁମୂଲ୍ୟ ସହାୟତା କରିଥିବା ସୌରଭ ଚୌଧୁରୀଙ୍କୁ ଏହି ରିପୋର୍ଟର ଧନ୍ୟବାଦ ଦେବାକୁ ଚାହାଁନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

Priti David

Priti David is the Executive Editor of PARI. She writes on forests, Adivasis and livelihoods. Priti also leads the Education section of PARI and works with schools and colleges to bring rural issues into the classroom and curriculum.

Other stories by Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE