‘‘ମେଁ ତେଜ୍‌ ଦୌଡ଼କେ ଆଉଙ୍ଗା, ଔର କୁନୋ ମେଁ ବସ୍‌ ଯାଉଙ୍ଗା [ମୁଁ ଦୌଡ଼ିକି ଆସିବି ଏବଂ କୁନୋରେ ଘର କରିବି]।’’

ଶୁଣିବାକୁ ଇଚ୍ଛୁକ ବା ପଢ଼ିପାରୁଥିବା ଯେ କୌଣସି ଲୋକଙ୍କୁ ଚିଣ୍ଟୁ ନାମଧାରୀ ଚିତା ଏହା କହୁଥିବା- ଗୋଟିଏ ପୋଷ୍ଟରରେ ଲେଖାଅଛି।

ଏହି ପୋଷ୍ଟରକୁ ଛଅ ମାସ ପୂର୍ବରୁ ମଧ୍ୟପ୍ରଦେଶର ଜଙ୍ଗଲ ବିଭାଗ ପକ୍ଷରୁ ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଲଗାଯାଇଥିଲା । କୁନୋ ଜାତୀୟ ଉଦ୍ୟାନ ଚାରିପାଖରେ ଥିବା ସବୁ ଗାଁରେ ଏହା ପ୍ରବେଶ କରିଛି, ଯେଉଁଠାରେ ପୋଷ୍ଟରରେ ବନ୍ଧୁତ୍ୱପୂର୍ଣ୍ଣ ଚରିତ୍ର ‘ଚିଣ୍ଟୁ ଚିତା’ ତା’ ପାଇଁ ଏକ ଆବାସସ୍ଥଳୀ ତିଆରି କରିବାକୁ ଯୋଜନା କରୁଛି ।

ତା’ର ଆବାସସ୍ଥଳୀକୁ ଚିଣ୍ଟୁ ୫୦ଟି ବାସ୍ତବ ଆଫ୍ରିକୀୟ ଚିତାଙ୍କ ସହ ଭାଗ କରିବ । କିନ୍ତୁ ବାଗ୍‌ଚା ଗାଁରେ ରହୁଥିବା ୫୫୬ ଲୋକଙ୍କ ସହ ନୁହେଁ ଯେଉଁମାନେ ବିସ୍ଥାପିତ ହେବା ଏବଂ ଅନ୍ୟତ୍ର ସ୍ଥାନାନ୍ତରିତ ହେବାର ଅଛି । ଏକ ନିର୍ବାସନ ଯାହା ଗୁରୁତର ଭାବେ ଏମାନଙ୍କର ଜୀବିକା ଏବଂ ମୁଖ୍ୟତଃ ସହରିଆ ଆଦିବାସୀଙ୍କର ଅ ସ୍ତି ତ୍ୱରେ ବାଧା ସୃଷ୍ଟି କରିବ, ଯେଉଁମାନଙ୍କର ଦୁନିଆ ଜଙ୍ଗଲ ସହିତ ଘନିଷ୍ଠ ଭାବେ ବନ୍ଧା ।

କେବଳ ସେହି ପର୍ଯ୍ୟଟକ ଯେଉଁମାନେ ବିଦେଶରୁ ଆସିଥିବା ଚିତାଙ୍କୁ ଦେଖିବା ପାଇଁ ଉଚ୍ଚ ମୂଲ୍ୟ ଦେଇ ସଫାରୀ ଯାତ୍ରାରେ ଯାଇପାରିବେ, ସେମାନେ ହିଁ ଜାତୀୟ ଉଦ୍ୟାନକୁ ଆସିବେ। ତାହା ଏମିତି ହିଁ ସ୍ଥାନୀୟ ବାସିନ୍ଦାଙ୍କୁ ବାଦ୍‌ କରିବ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି।

ଇତିମଧ୍ୟରେ, ଏକ ‘ପ୍ରିୟ’ ଚିତ୍ରିତ ବାଘର ପୋଷ୍ଟର ଏବଂ କାର୍ଟୁନ୍‌ କିଛି ଜଣଙ୍କୁ ଦ୍ୱ ନ୍ଦ୍ୱରେ ପକାଇଛି ଯେମିତିକି ଅଭୟାରଣ୍ୟ ବାହାରେ ୨୦ କିଲୋମିଟର ଦୂରରେ ଥିବା ଏକ ଗାଁ ପଇରା ଜାତବର ଆଠ ବର୍ଷୀୟ ସତ୍ୟନ ଜାତବ ନିଜ ବାପାଙ୍କୁ ପଚାରିଲା, ‘‘ଏହା ଏକ ଛେଳି କି?’’ ତା’ର ସାନ ଭାଇ, ଚାରି ବର୍ଷର ଅନୁରୋଧ, ପାଳି ଧରିଲା, ଏହା ଗୋଟିଏ ପ୍ରକାରର କୁକୁର ହୋଇଥିବ ବୋଲି ସେ କହିଲା ।

Chintu Cheetah poster
PHOTO • Priti David
Village near Kuno National Park
PHOTO • Priti David

ବାମ- କୁନୋ ଜାତୀୟ ଉଦ୍ୟାନର ଗେଟ୍‌ରେ ‘ଚିଣ୍ଟୁ ଚିତା’ର ଏକ ପୋଷ୍ଟର ମରାଯାଇଛି । ଡାହାଣ: ଜଙ୍ଗଲ ଉପକଣ୍ଠରେ ଥିବା ବାଗଚା ଗାଁ

ଚିଣ୍ଟୁ ଘୋଷଣା ପରେ ଦୁଇଟି ବିସ୍ତୃତ କମିକ୍ସ ଆସିଲା, ଯାହାକୁ ପୋଷ୍ଟର ରୂପରେ ରଖାଯାଇଥିଲା। ଦୁଇଟି ଶିଶୁ ଚରିତ୍ର, ମିଣ୍ଟୁ ଓ ମୀନୁ, ଚିତା ବାବଦରେ ସୂଚନା ପ୍ରଦାନ କରନ୍ତି। ସେମାନେ ଦାବି କରନ୍ତି ଯେ ଏହା କେବେ ବି ମଣିଷଙ୍କ ଉପରେ ଆକ୍ରମଣ କରେ ନାହିଁ ଏବଂ ଗୋଟିଏ ଲିଓପାର୍ଡଠାରୁ ନିରାପଦ। ବାସ୍ତବରେ, ମିଣ୍ଟୁର କହିବା କଥା ଯେ ସେ ଏହା ସହ ଦୌଡ଼ିବାର ଯୋଜନା କରୁଛି।

ଆଶା କରାଯାଉଛି, ଯଦି ଜାତବ ବାଳକମାନଙ୍କର ଚିତା ସହ ସାମ୍ନା ହୁଏ, ସେମାନେ ଏହି ବଡ଼ ବିଲେଇକୁ ପାଳନ କରିବାର ଉଦ୍ୟମ କରିବେ ନାହିଁ ।

ଏହା ହେଉଛି ପ୍ରକୃତ କାହାଣୀ, ଏବଂ ଏଥିରେ କିଛି ବି ସୁନ୍ଦର ନୁହେଁ ।

ଆସିନୋନୟକ୍ସ ଜୁବାଟସ୍‌ - ଆଫ୍ରିକୀୟ ଚିତା – ଏକ ସମ୍ଭାବ୍ୟ ବିପଜ୍ଜନକ ବଡ଼ ସ୍ତନ୍ୟପାୟୀ ଓ ସବୁଠାରୁ ଦ୍ରୁତ ଗତିରେ ଦୌଡୁଥିବା ପଶୁ। ଏହା ଏକ ଅସୁରକ୍ଷିତ ପ୍ରଜାତି, ମୂଳତଃ ଭାରତରେ ଦେଖାଯାଏନାହିଁ, ଏବଂ ଶହ ଶହ ସ୍ଥାନୀୟ ପରିବାରଙ୍କୁ ସେମାନଙ୍କ ଘରୁ ବାହାର କରିଦେବ।

*****

୪୦ ବର୍ଷୀୟ ବଲ୍ଲୁ ଆଦିବାସୀ ନିଜ ଗାଁ ବାଗଚାର କଡ଼ରେ ଥିବା କୁନୋ ଜଙ୍ଗଲ ଆଡ଼କୁ ଇସାରା କରି କହନ୍ତି, ‘‘ଚଳିତବର୍ଷ ମାର୍ଚ୍ଚ ୬ ତାରିଖରେ ସେଠାକାର ବନ ଚୌକିରେ ଏକ ସଭା ଡକାଯାଇଥିଲା।’’ ଆମକୁ କୁହାଯାଇଥିଲା ଯେ ଏହି ଅଞ୍ଚଳ ରାଷ୍ଟ୍ରୀୟ ଉଦ୍ୟାନ ହୋଇଯାଇଛି ଏବଂ ଆମକୁ ଏଠାରୁ ଯିବାକୁ ପଡିବ।’’

ମଧ୍ୟପ୍ରଦେଶ ଶେଓପୁର ଜିଲ୍ଲାର ପଶ୍ଚିମ ପଟେ ଥିବା ବାଗଚା ସହରିଆ ଆଦିବାସୀଙ୍କର ଏକ ଗାଁ, ଯାହାକୁ ମଧ୍ୟପ୍ରଦେଶରେ ୪୨ ପ୍ରତିଶତ ସାକ୍ଷରତା ହାର ସହ ଏକ ବିଶେଷ ରୂପରେ ଦୁର୍ବଳ ଆଦିବାସୀ ସମ୍ପ୍ରଦାୟ (ପିଭିଟିଜି) ଭାବେ ସ୍ଥାନ ଦିଆଯାଇଛି। ବିଜୟପୁର ବ୍ଲକ୍‌ର ଏହି ଗାଁରେ ୫୫୬ ଜଣ ଲୋକ (୨୦୧୧ ଜନଗଣନା) ରହନ୍ତି, ଯେଉଁମାନେ ପ୍ରାୟତଃ ମାଟି ଓ ଇଟା କାନ୍ଥ ଥିବା, ଛାତ ଭାବେ ପଥର ସ୍ଲାବ ବ୍ୟବହାର ହୋଇଥିବା ଘରେ ରହନ୍ତି । ଏହି ଗାଁକୁ ଜାତୀୟ ଉଦ୍ୟାନ (ଯାହାକୁ କୁନୋ ପାଲପୁର ବି କୁହାଯାଏ) ଘେରି ହୋଇଛି ଯେଉଁଠାରେ କୁନୋ ନଦୀ ପ୍ରବାହିତ ହୁଏ ।

ସହରିଆମାନେ ଛୋଟ ଛୋଟ ଜମିରେ ବର୍ଷା ଆଧାରିତ କୃଷି କରନ୍ତି ଏବଂ ବିକ୍ରି ପାଇଁ ଅଣ-କାଠ ଜଙ୍ଗଲ ଜାତ ଦ୍ରବ୍ୟ (ଏନ୍‌ଟିଏଫ୍‌ପି) ସଂଗ୍ରହ କରିବାକୁ କୁନୋ ଉପରେ ନିର୍ଭର କରନ୍ତି

ଭିଡିଓ ଦେଖନ୍ତୁ: କୁନୋ ଜାତୀୟ ଉଦ୍ୟାନରେ ଆଦିବାସୀମାନେ ଆଫ୍ରିକାରୁ ଆସୁଥିବା ଚିତା ପାଇଁ ବିସ୍ଥାପିତ ହୋଇଛନ୍ତି

କଲ୍ଲୋ ଆଦିବାସୀ ଏବେ ନିଜ ଜୀବନର ୬୦ ଦଶକରେ ଅଛି ଏବଂ ନିଜର ସମ୍ପୂର୍ଣ୍ଣ ବୈବାହିକ ଜୀବନ ବାଗଚାରେ ଅତିବାହିତ କରିଛନ୍ତି। ‘‘ଆମର ଜମି ଏଠାରେ ଅଛି। ଆମର ଜଙ୍ଗଲ ଏଠାରେ ଅଛି, ଆମ ଘର ଏଠାରେ ଅଛି, ଏଠାରେ ଯାହା କିଛି ବି ଅଛି, ତାହା ଆମର। ଏବେ ଆମକୁ ଛାଡ଼ିବାକୁ ବାଧ୍ୟ କରାଯାଉଛି।’’ ଜଣେ ଚାଷୀ, ଜଙ୍ଗଲଜାତ ଉତ୍ପାଦର ବିକ୍ରେତା, ଏବଂ ସାତ ଜଣ ପିଲା ଓ ବହୁ ନାତିନାତୁଣିଙ୍କର ମା’, ସମସ୍ତେ ତାଙ୍କ ସହ ରହନ୍ତି, ସେ ପଚାରନ୍ତି, ‘‘ଚିତା କ’ଣ ଭଲ ଆଣିବ?’’

ବାଗଚା ଯିବା ପାଇଁ ଶେଓପୁରରୁ ସିରୋନି ସହର ଯାଉଥିବା ରାସ୍ତା ଛାଡ଼ିବାକୁ ପଡ଼େ, ଏବଂ ଏକ କଚ୍ଚା ରାସ୍ତାରେ ପ୍ରବେଶ କରିବାକୁ ପଡ଼େ ଯାହା କରଧାଇ, ଖୈର ଏବଂ ସଲାଇ ଗଛ ଥିବା ପତ୍ରଝଡ଼ା ଦେଉଥିବା ଜଙ୍ଗଲ ଦେଇ ଅତିକ୍ରମ କରେ। ୧୨ କିଲୋମିଟର ପରେ, ଗାଁରେ ବୃଦ୍ଧି ଦେଖାଯାଏ, ଯେଉଁଠାରେ ବହୁ ସଂଖ୍ୟାରେ ବୁଲା ପଶୁ ଦେଖାଯାଆନ୍ତି। ନିକଟତମ ସାର୍ବଜନୀନ ସ୍ୱା ସ୍ଥ୍ୟକେନ୍ଦ୍ର ୨୦ କିଲୋମିଟର ଦୂରରେ ରହିଛି ଏବଂ ୧୦୮କୁ ଫୋନ୍‌ କରି ପହଞ୍ଚିହେବ, ଅର୍ଥାତ୍‌ ଯେତେବେଳେ ଫୋନ୍‌ ଲାଇନ୍‌ ଓ ନେଟ୍‌ୱର୍କ କାମ କରୁଥିବ। ବାଗଚାରେ ଏକ ପ୍ରାଥମିକ ବିଦ୍ୟାଳୟ ଅଛି, ଏବଂ ପଞ୍ଚମ ଶ୍ରେଣୀରୁ ଆଗକୁ ପଢ଼ିବା ପାଇଁ, ପିଲାଙ୍କୁ ଓଚ୍ଛାରେ ଥିବା ମାଧ୍ୟମିକ ବିଦ୍ୟାଳୟ ଯିବାକୁ ହୁଏ, ଯାହା ଏଠାରୁ ୨୦ କିଲୋମିଟର ଦୂରରେ ଅଛି, ଏବଂ ସପ୍ତାହ ସାରା ସେଠାରେ ରହିବାକୁ ହୁଏ।

ସହରିଆମାନେ ଛୋଟ ଛୋଟ ଜମିରେ ବର୍ଷା ଆଧାରିତ କୃଷିକାର୍ଯ୍ୟ କରନ୍ତି ଏବଂ ଅଣକାଠ ଜଙ୍ଗଲଜାତ ଉତ୍ପାଦ (ଏନ୍‌ଟିଏଫ୍‌ପି)କୁ ବିକ୍ରି କରିବା ପାଇଁ କୁନୋ ଉପରେ ନିର୍ଭରଶୀଳ। ସେମାନେ ଏଠାରୁ ବିସ୍ଥାପିତ ହେବା ପରେ ଆୟର ଉପରୋକ୍ତ ଦ୍ୱିତୀୟ ଉତ୍ସଟି ଉଭେଇ ଯିବ। ଏନ୍‌ଟିଏଫ୍‌ପି ଯେମିତିକି ଚିର ଗଛରୁ ବାହାର କରାଯାଉଥିବା ରେଜିନ (ଗୋଣ୍ଡ), ଆୟର ଏକ ମୁଖ୍ୟ ଉତ୍ସ। ଯେମିତିକି ବହୁ ଅନ୍ୟ ରେଜିନ, କେନ୍ଦୁ ପତ୍ର, ଫଳ, ଚେର ଏବଂ ଜଡ଼ିବୁଟି। ସହରିଆମାନଙ୍କର ଗଣନା ହେଲା ଏହି ଉତ୍ସରୁ ସେମାନଙ୍କର ବାର୍ଷିକ ଆୟ ପରିବାର (ହାରାହାରି ୧୦ ବ୍ୟକ୍ତିଙ୍କୁ ନେଇ) ପିଛା ୨-୩ ଲକ୍ଷ ଟଙ୍କା ଛୁଇଁପାରେ, ଯଦି ସବୁ ଋତୁ ଭଲ ରହେ। ଯଦିଓ ପ୍ରକୃତ ସୁରକ୍ଷା ନୁହେଁ ତଥାପି ତାହା ସେମାନଙ୍କ ବିପିଏଲ୍‌ (ଦାରିଦ୍ର୍ୟ ସୀମାରେଖା ତଳେ) କାର୍ଡରେ ମିଳିଥିବା ରାସନ ସହ, କିଛି ଖାଦ୍ୟ ସ୍ଥିରତାର ଗ୍ୟାରେଣ୍ଟି ଦିଏ ।

ଜଙ୍ଗଲରୁ ବାହାରିଯିବା ଅର୍ଥ ଏ ସବୁ କିଛି ଶେଷ ହୋଇଯିବ। ବାଗଚାର ଜଣେ ସହରିଆ ହାରେଥ ଆଦିବାସୀ କହନ୍ତି, ‘‘ଜଙ୍ଗଲର ଆରାମ ଚାଲିଯିବ । ଆମେ ଆଉ ଚୀର ଓ ଅନ୍ୟ ଗୋଣ୍ଡ ପାଇପାରିବୁ ନାହିଁ ଯାହାକୁ ଆମେ ଏବେ ଲୁଣ ଓ ତେଲ କିଣିବା ପାଇଁ ସଂଗ୍ରହ କରି ବିକ୍ରି କରୁଛୁ। ତାହା ଶେଷ ହୋଇଯିବ। ଆମ ପାଖରେ ଆୟର ବିକଳ୍ପ ଭାବେ କେବଳ ନାମମାତ୍ର ଶ୍ରମିକର କାମ ହିଁ ରହିବ।’’

Ballu Adivasi, the headman of Bagcha village.
PHOTO • Priti David
Kari Adivasi, at her home in the village. “We will only leave together, all of us”
PHOTO • Priti David

ବାମ: ବାଗଚା ଗାଁର ମୁଖିଆ ବଲ୍ଲୁ ଆଦିବାସୀ । ଡାହାଣ: ଗାଁରେ ନିଜ ଘରେ କରି ଆଦିବାସୀ। ‘ଆମେ କେବଳ ସାଙ୍ଗରେ ହିଁ ଅନ୍ୟତ୍ର ଯିବୁ, ଆମେ ସମସ୍ତେ’

ପ୍ରଫେସର ଅସ୍ମିତା କାବ୍‌ରା କହନ୍ତି, ବିସ୍ଥାପନର ମାନବୀୟ ଓ ଆର୍ଥିକ ମୂଲ୍ୟ ଖୁବ୍‌ ମହତ୍ୱପୂର୍ଣ୍ଣ। ଜଣେ ସଂରକ୍ଷଣ ବିସ୍ଥାପନ ବିଶେଷଜ୍ଞ, ୨୦୦୪ରେ, ତାଙ୍କର ଗବେଷଣାରୁ ଜଣାପଡ଼େ ଯେ ଗାଁ ବିପଣନ ଯୋଗ୍ୟ ବନ ଉତ୍ପାଦରୁ ପର୍ଯ୍ୟାପ୍ତ ଆୟ କରୁଥିଲା । ସେ କହନ୍ତି, ‘‘ଏହି ଜଙ୍ଗଲରୁ ଜାଳେଣି କାଠ, କାଠ, ଜଡ଼ିବୁଟି, ଫଳ, ମହୁଆ ଓ ଅନେକ କିଛି ମିଳେ।’’ ସରକାରୀ ୱେବ୍‌ସାଇଟ୍‌ ଅନୁସାରେ କୁନୋ ଜାତୀୟ ଉଦ୍ୟାନ ୭୪୮ ବର୍ଗ କିଲୋମିଟରର ଏକ ବଡ଼ ଅଞ୍ଚଳକୁ କଭର କରେ ଏବଂ ମୋଟ ୧୨୩୫ ବର୍ଗ କିଲୋମିଟର ଅଞ୍ଚଳ ବିଶିଷ୍ଟ ବୃହତ କୁନୋ ବନ୍ୟଜନ୍ତୁ ଡିଭିଜନ ମଧ୍ୟରେ ଆସେ।

ଜଙ୍ଗଲରୁ ମିଳୁଥିବା ପୁରସ୍କାର ଛଡ଼ା, ଯେଉଁ କୃଷି ଜମିରେ ପିଢ଼ି ପିଢ଼ି ଧରି ଲଗାତାର କୃଷି କାର୍ଯ୍ୟ କରାଯାଉଛି, ତାକୁ ବଦଳାଇବା କଷ୍ଟକର ହେବ । ହରେଥ ଆଦିବାସୀ କହନ୍ତି, ‘‘ବର୍ଷା ହେଲେ ଆମେ ବାଜରା, ଯଅ, ମକା, ହରଡ଼, ମୁଗ ଓ ରମାସ (ଲୋବିଆ), ଆଦି ଚାଷ କରୁ, ଏବଂ ଆମେ ଭେଣ୍ଡି, କଖାରୁ, ତୋରୀ ଭଳି ପରିବା ମଧ୍ୟ ପାଉ ।’’

କାଲୋ, ଯାହାଙ୍କର ପରିବାର ୧୫ ବିଘା (୫ ଏକରରୁ କମ୍‌) ଜମିରେ ଚାଷ କରନ୍ତି, ଦ୍ଵିତୀୟତଃ ସେ କହନ୍ତି, ‘‘ଆମର ଏଠାକାର ଜମି ଖୁବ୍‌ ଉର୍ବର। ଆମେ ଛାଡ଼ିଯିବାକୁ ଚାହୁଁନାହୁଁ, କିନ୍ତୁ ସେମାନେ ଆମକୁ ଛାଡ଼ିଯିବାକୁ ବାଧ୍ୟ କରିପାରିବେ।’’

ପ୍ରଫେସର କାବରାଙ୍କ କହିବା କଥା ଯେ ଜଙ୍ଗଲକୁ ଚିତାଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ କରିବା ପାଇଁ ସହରିଆ ଆଦିବାସୀଙ୍କୁ ଜଙ୍ଗଲରୁ ବାହାର କରିବାର ଯୋଜନା ଉଚିତ ପାରିସ୍ଥିତିକ ଗବେଷଣା ବିନା କରାଯାଉଛି। ସେ କହନ୍ତି, ‘‘ଆଦିବାସୀଙ୍କୁ ବାହାର କରିବା ନିଶ୍ଚିତ ଭାବେ ସହଜ କାରଣ, ଐତିହାସିକ ଭାବେ, ବନ ବିଭାଗ ଓ ଆଦିବାସୀଙ୍କ ଭିତରେ ସମ୍ପର୍କ ଶାସକ ଭଳି - ବିଭାଗ ସେମାନଙ୍କ ଜୀବନର ଅନେକ ଦିଗକୁ ନିୟନ୍ତ୍ରିତ କରେ।’’

ରାମ ଚରଣ ଆଦିବାସୀଙ୍କର ନିକଟରେ ଜେଲ୍‌ ଯିବାର ଅନୁଭୂତି ତାହା ପ୍ରମାଣିତ କରେ । ପ୍ରାୟ ୫୦ ବର୍ଷ ପୂର୍ବରୁ ଜନ୍ମ ହୋଇଥିବା ରାମ ଚରଣ କୁନୋ ଜଙ୍ଗଲକୁ ଯାଆ ଆସ କରନ୍ତି, ପ୍ରଥମେ ତାଙ୍କ ମା’ଙ୍କର ପିଠିରେ ଯାଇଥିଲେ, ଯେତେବେଳେ ସେ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ। କିନ୍ତୁ ଗତ ୫-୬ ବର୍ଷରେ, ବନ ବିଭାଗ ରାମ ଚରଣ ଓ ତାଙ୍କ ସମ୍ପ୍ରଦାୟର ଏହି ସଂଶାଧନ ଯାଏଁ ପହଞ୍ଚିବା କମ୍‌ କରିଦେଇଛି, ଯାହା ଫଳରେ ସେମାନଙ୍କର ଆୟ ଅତି କମ୍‌ରେ ଅଧା ହୋଇଯାଇଛି। ସେ କହନ୍ତି, ‘‘ଅବୈଧ ଶିକାର ଓ ଶିକାର ପାଇଁ ରେଞ୍ଜରମାନେ ଆମ ଉପରେ ମିଛ ମାମଲା ଲଗାଇ ଦେଇଛନ୍ତି [ଗତ ପାଞ୍ଚ ବର୍ଷ ଭିତରେ], ଏମିତିକି ଆମକୁ [ତାଙ୍କ ପୁଅ ମହେଶ ଓ ସେ] ଶେଉପୁର ଜେଲ୍‌ ପଠାଇଦେଲେ। ଜାମିନ ଓ ଜରିମାନା ପାଇଁ ଆମକୁ ୧୦,୦୦୦ ରୁ ୧୫,୦୦୦ ଟଙ୍କା ଯୋଗାଡ଼ କରିବାକୁ ହେଲା।’’

Residents of Bagcha (from left): Mahesh Adivasi, Ram Charan Adivasi, Bachu Adivasi, Hari, and Hareth Adivasi. After relocation to Bamura village, 35 kilometres away, they will lose access to the forests and the produce they depend on
PHOTO • Priti David

ବାଗଚାର ଅଧିବାସୀମାନେ(ବାମରୁ): ମହେଶ ଆଦିବାସୀ, ରାମ ଚରଣ ଆଦିବାସୀ, ବଚୁ ଆଦିବାସୀ, ହରି ଏବଂ ହାରେଥ ଆଦିବାସୀ। ୩୫ କିଲୋମିଟର ଦୂରରେ ଥିବା ବାମୁରା ଗାଁକୁ ବିସ୍ଥାପିତ ହେବା ପରେ, ସେମାନେ ଜଙ୍ଗଲକୁ ଆସିପାରିବେ ନାହିଁ ଏବଂ ସେମାନେ ନିର୍ଭର କରୁଥିବା ଜଙ୍ଗଲଜାତ ସାମଗ୍ରୀ ମଧ୍ୟ ହରାଇବେ

ଉଚ୍ଛେଦ ହେବାର ଆସନ୍ନ ବିପଦ ଓ ବନ ବିଭାଗ ସହ ପ୍ରାୟ ପ୍ରତିଦିନ ଲୁଚକାଳି ସତ୍ୱେ, ବାଗଚାର ଲୋକମାନେ ସାହସର ସହ ଏହାର ମୁକାବିଲା କରିବାକୁ ଉଦ୍ୟମ କରୁଛନ୍ତି। କିଛି ଗ୍ରାମବାସୀଙ୍କ ଗହଣରେ ବସି ହାରେଥ ଦୃଢ଼ କଣ୍ଠରେ କହିଲେ, ‘‘ଆମେ ଏଯାଏଁ ବିସ୍ଥାପିତ ହୋଇନାହୁଁ । ଗ୍ରାମସଭା ବୈଠକରେ ଆମେ ଆମର ଦାବିଗୁଡ଼ିକ ସ୍ପଷ୍ଟ କରିଦେଇଛୁ।’’ ୭୦ ବର୍ଷୀୟ ହରେଥ ନୂଆକରି ଗଠନ ହୋଇଥିବା ଗ୍ରାମସଭାର ଜଣେ ସଦସ୍ୟ, ଯାହାକି ବିସ୍ଥାପନର ପ୍ରସ୍ତାବ ଆଣିବାକୁ ୨୦୨୨ ମାର୍ଚ୍ଚ ୬ ତାରିଖରେ ଜଙ୍ଗଲ ବିଭାଗ ଦ୍ୱାରା ଗଠନ ହୋଇଥିବା ସେ କହନ୍ତି। ୨୦୦୬ର ଜଙ୍ଗଲ ଅଧିକାର ଆଇନ [ଧାରା ୪(୨)(ଇ)] ଅଧୀନରେ, କେବଳ ସେତେବେଳେ ହିଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇପାରିବ, ଯଦି ଗାଁର ଗ୍ରାମସଭା ଲିଖିତ ଆକାରରେ ଏଥିପାଇଁ ସହମତି ଦିଏ ।

ଅନ୍ୟମାନଙ୍କ ଦ୍ୱାରା ଗାଁର ମୁଖିଆ ଭାବେ ସମ୍ବୋଧିତ ହେଉଥିବା ବଲ୍ଲୁ ଆଦିବାସୀ ଆମକୁ କହିଲେ, ‘‘ଆମେ ଅଧିକାରୀମାନଙ୍କୁ ସୂଚିତ କରିଛୁ ଯେ ଆପଣମାନେ କ୍ଷତିପୂରଣ ପାଇବାକୁ ଯୋଗ୍ୟ ଭାବେ ୧୭୮ ଜଣଙ୍କର ନାମ ଲେଖିଛନ୍ତି, କିନ୍ତୁ ଗାଁରେ ଆମେ ୨୬୫ ଜଣ ଲୋକ ଅଛୁ ଯେଉଁମାନେ କ୍ଷତିପୂରଣ ପାଇବାକୁ ଯୋଗ୍ୟ। ସେମାନେ ଆମର ସଂଖ୍ୟା ସହ ସହମତ ହେଲେ ନାହିଁ । ଏବଂ ଆମେ କହିଲୁ ଆମେ ସେତେବେଳ ଯାଏଁ ହଟିବୁ ନାହିଁ ଯେବେଯାଏଁ ଆପଣ ଆମ ସମସ୍ତଙ୍କୁ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇନାହାନ୍ତି। ସେମାନେ କହିଲେ ୩୦ ଦିନ ଭିତରେ ସେମାନେ ଏହା କରିବେ।’’

ମାସକ ପରେ ୨୦୨୨ ଏପ୍ରିଲ ୭ ତାରିଖରେ ବୈଠକ ହେଲା । ତା’ର ଗୋଟିଏ ସଂଧ୍ୟା ପୂର୍ବରୁ ପୁରା ଗାଁକୁ ପରଦିନ ଉପସ୍ଥିତ ରହିବା ପାଇଁ କୁହାଯାଇଥିଲା। ଯେତେବେଳେ ୧୧ଟା ବେଳେ ବୈଠକ ଆରମ୍ଭ ହେଲା, ଅଧିକାରୀମାନେ ସେମାନଙ୍କୁ ଏକ କାଗଜରେ ଦସ୍ତଖତ କରିବାକୁ କହିଲେ, ଯେଉଁଥିରେ ଲେଖାଥିଲା ଯେ ସେମାନେ ବାଧ୍ୟରେ ନୁହେଁ ଏବଂ ଇଚ୍ଛାକୃତ ଭାବେ ବାହାରିଯିବାକୁ ସହମତ ହୋଇଛନ୍ତି। ଏହି କାଗଜରେ ମାତ୍ର ୧୭୮ ଜଣ ଲୋକଙ୍କ ନାଁ ବିସ୍ଥାପନ କ୍ଷତିପୂରଣ ପାଇବାକୁ ଯୋଗ୍ୟ ଭାବେ ତାଲିକାଭୁକ୍ତ କରାଯାଇଥିଲା। ଗ୍ରାମସଭା ଦସ୍ତଖତ କରିବାକୁ ମନା କରିଦେଲା।

ସହରିଆମାନଙ୍କର ଦୃଢ଼ ଆଭିମୁଖ୍ୟକୁ କୁନୋ ଜଙ୍ଗଲରେ ସେମାନଙ୍କର ପଡ଼ୋଶୀମାନଙ୍କ ସହ କରାଯାଇଥିବା ଅସମ୍ପୂର୍ଣ୍ଣ ପ୍ରତିଶ୍ରୁତିର ଯନ୍ତ୍ରଣାଦାୟକ ସ୍ମୃତିରୁ ଶିକ୍ଷା ମିଳିଛି – କୁନୋ ଜଙ୍ଗଲର ପ୍ରାୟ ୧୬୫୦ ପରିବାର ବିଶିଷ୍ଟ ୨୮ଟି ଗାଁର ଲୋକଙ୍କୁ ୧୯୯୯ରେ ଗୁଜରାଟରୁ ଅଣାଯାଇଥିବା ସିଂହଙ୍କ ପାଇଁ ଆବାସସ୍ଥଳୀ କରିବାକୁ ତରବରରେ ଘରୁ ବାହାର କରିଦିଆଯାଇଥିଲା। ବଲ୍ଲୁ ଆହୁରି କହନ୍ତି, ‘‘ସରକାର ଆଜିଯାଏଁ ସେହି ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହାନ୍ତି। ସେମାନଙ୍କର ବକେୟା ଲାଗି ଆଜି ବି ସେମାନେ ସରକାରଙ୍କ ପଛରେ ଦୌଡୁଛନ୍ତି। ଆମେ ସେହି ପ୍ରକାର ପରିସ୍ଥିତିରେ ଫସିବାକୁ ଚାହୁଁନାହୁଁ।’’

ଓଃ ଏବଂ ସିଂହଙ୍କୁ କେହି ଦେଖିନାହାନ୍ତି । ଏବଂ ତାକୁ ଏବେ ୨୨ ବର୍ଷ ହୋଇଗଲାଣି ।

*****

Painted images of cheetahs greet the visitor at the entrance of Kuno National Park in Madhya Pradesh's Sheopur district
PHOTO • Priti David

ମଧ୍ୟପ୍ରଦେଶର ଶେଓପୁର ଜିଲ୍ଲାରେ କୁନୋ ଜାତୀୟ ଉଦ୍ୟାନର ପ୍ରବେଶ ପଥରେ ଚିତାଗୁଡ଼ିକର ଚିତ୍ରିତ ଛବି ପର୍ଯ୍ୟଟକଙ୍କୁ ଅଭିନନ୍ଦନ ଜଣାଉଛି

ଭାରତରେ ବିଲୁପ୍ତିର ଶିକାର, ଏସୀୟ ଚିତା (ଏସିନୋନିକ୍ସ ଜୁବାଟସ ଭେନାଟିକସ୍‌) – ଏକ ଗାଢ଼ ହଳଦିଆ ରଙ୍ଗର ଚିତ୍ରିତ ବାଘ – ଇତିହାସ ବହି ଏବଂ ଶିକାର କିମ୍ବଦନ୍ତୀରେ ଏକ ପରିଚିତ ଚେହେରା । ଦେଶରେ ଶେଷ ତିନିଟି ଏସୀୟ ଚିତାଙ୍କୁ ୧୯୪୭ରେ ସେତେବେଳର କୋରିୟା, ବର୍ତ୍ତମାନ ଛତିଶଗଡ଼ର ଅଳ୍ପ ଜଣାଶୁଣା ଏକ ରାଜବଂଶର ମହାରାଜା ରାମାନୁଜ ପ୍ରତାପ ସିଂଦେଓ ଶିକାର କରିଥିଲେ।

ଦେଓଙ୍କର ଏହି କାର୍ଯ୍ୟ ଭାରତକୁ ସେହି ସ୍ଥାନରୁ ହଟାଇ ଦେଇଥିଲା, ଯେଉଁଠାରେ ସମସ୍ତ ଛଅଟି ବଡ଼ ବିଲେଇ ପ୍ରଜାତି – ସିଂହ, ବାଘ, ଚିତା, ସାଧାରଣ ଚିତାବାଘ, ହିମ ଚିତା ଓ ବାଦଲ ଚିତା ରହୁଥିଲେ। ଦ୍ରୁତ ଓ ଶକ୍ତିଶାଳୀ ବଡ଼ ବିଲେଇ ପ୍ରଜାତିଙ୍କର ଫଟୋ, ‘ଜଙ୍ଗଲର ରାଜା’, ଆମର ଅନେକ ଆନୁଷ୍ଠାନିକ ଫଟୋରେ ବହୁଳ ଭାବେ ଦେଖିବାକୁ ମିଳେ। ସରକାରୀ ଷ୍ଟାମ୍ପ୍‌ ଓ ମୁଦ୍ରା ନୋଟ୍‌ରେ ବ୍ୟବହୃତ ଅଶୋକ ଚକ୍ରରେ ଏସୀୟ ସିଂହର ଏକ ଚିତ୍ର ଥାଏ। ଜାତୀୟ ଗୌରବ ପ୍ରତି ଏକ ଆଘାତ ଭାବେ ଦେଖାଯାଉଥିବାରୁ ପରବର୍ତ୍ତୀ ସରକାରମାନେ ସୁନିଶ୍ଚିତ କଲେ ଯେମିତି ଚିତାଙ୍କ କ୍ଷତି ସର୍ବଦା ସଂରକ୍ଷଣ ଏଜେଣ୍ଡାରେ ରଖାଯିବ ।

ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ (ଏମ୍‌ଓଇଏଫ୍‌ସିସି) ଚଳିତବର୍ଷ ଜାନୁଆରୀରେ ‘ଭାରତରେ ଚିତାର ପରିଚୟ ପାଇଁ କାର୍ଯ୍ୟ ଯୋଜନା’ ଶୀର୍ଷକ ଏକ ଦସ୍ତାବିଜ ଜାରି କଲା । ଏହା ଆମକୁ ସୂଚିତ କରେ ଯେ ପଶୁ ‘ଚିତା’ର ନାମ ସଂସ୍କୃତରୁ ଆସିଛି ଏବଂ ଏହାର ଅର୍ଥ ‘ଚିତ୍ରିତ’। ଏହାଛଡ଼ା ନବପାଷାଣ ଯୁଗ ପୂର୍ବର ମଧ୍ୟ ଭାରତରେ ଗୁମ୍ଫା ଚିତ୍ରଗୁଡ଼ିକ ଚିତାକୁ ଦର୍ଶାଏ। ୧୯୭୦ ଦଶକ ଯାଏଁ, ଭାରତରେ ଚିତା ସଂଖ୍ୟା ବଢ଼ାଇବା ପାଇଁ କେତେକ ଏସୀୟ ଚିତାଙ୍କୁ ଛାଡ଼ିବା ପାଇଁ ଭାରତ ସରକାର ଇରାନର ଶାହଙ୍କ ସହ ଆଲୋଚନା କରୁଥିଲେ।

୨୦୦୯ରେ ଏହି ପ୍ରସଙ୍ଗ ପୁଣି ଥରେ ଉଠିଲା, ଯେତେବେଳେ ଏମ୍‌ଓଇଏଫ୍‌ସିସି, ଭାରତୀୟ ବନ୍ୟଜୀବ ପ୍ରତିଷ୍ଠାନ ଏବଂ ଭାରତୀୟ ବନ୍ୟଜୀବ ଟ୍ରଷ୍ଟକୁ ଦେଶରେ ପୁଣି ଥରେ ଚିତାଙ୍କୁ ରଖାଯାଇପାରିବ କି ସେ ସମ୍ପର୍କରେ ଆକଳନ କରିବାକୁ କହିଲା। କେବଳ ଇରାନରେ ହିଁ ଏସୀୟ ଚିତା କିଛି ଅଛନ୍ତି, କିନ୍ତୁ ଆମଦାନୀ କରିବା ଲାଗି ସେମାନଙ୍କ ସଂଖ୍ୟା ଖୁବ୍‌ କମ୍‌। ତେଣୁ ନାମିବିଆ ଓ ଦକ୍ଷିଣ ଆଫ୍ରିକାରେ ଦେଖାଯାଉଥିବା ଆଫ୍ରିକୀୟ ଚିତା ସମ୍ପର୍କରେ ଚିନ୍ତା କରାଗଲା, କାରଣ ତାହା ସମାନ ଦେଖାଯାଏ, ଏହି କଥାରେ କିଛି ଫରକ ପଡ଼େନାହିଁ ଯେ ସେମାନଙ୍କ ବିବର୍ତ୍ତନର ଇତିହାସ ସେମାନଙ୍କୁ ପ୍ରାୟ ୭୦,୦୦୦ ବର୍ଷ ଧରି ଅଲଗା କରିଦେଇଛି।

ମଧ୍ୟଭାରତର ଦଶଟି ଅଭୟାରଣ୍ୟର ସର୍ବେକ୍ଷଣ କରାଗଲା ଏବଂ ୩୪୫ ବର୍ଗ କିଲୋମିଟର କୁନୋ ଅଭୟାରଣ୍ୟ, ଯାହାକୁ ୨୦୧୮ରେ ୭୪୮ କିଲୋମିଟର କୁନୋ ପାଲପୁର ଜାତୀୟ ଉଦ୍ୟାନରେ ସିଂହଙ୍କୁ ରଖିବାକୁ ପ୍ରସ୍ତୁତ କରାଯାଇଥିଲା, ତାହା ସବୁଠାରୁ ଉପଯୁକ୍ତ ଧରାଗଲା। କେବଳ ଗୋଟିଏ ହିଁ ଅସୁବିଧା ଥିଲା: ଉଦ୍ୟାନ ଭିତରେ ଆସୁଥିବା ବାଗଚା ଗାଁକୁ ସ୍ଥାନାନ୍ତରିତ କରିବାକୁ ହେବ। ଆଶ୍ଚର୍ଯ୍ୟଜନକ ଭାବେ, ଏମ୍‌ଓଇଏଫ୍‌ସିସି ପକ୍ଷରୁ ୨୦୨୨ ଜାନୁଆରୀରେ ଜାରି ଏକ ପ୍ରେସ୍‌ ଇସ୍ତାହାର ରେ କୁନୋକୁ “କୌଣସି ବି ମାନବ ବସ୍ତି ରହିତ….’’ ଭାବେ ବର୍ଣ୍ଣିତ କରାଗଲା ।

Bagcha is a village of Sahariya Adivasis, listed as a Particularly Vulnerable Tribal Group in Madhya Pradesh. Most of them live in mud and brick houses
PHOTO • Priti David
Bagcha is a village of Sahariya Adivasis, listed as a Particularly Vulnerable Tribal Group in Madhya Pradesh. Most of them live in mud and brick houses
PHOTO • Priti David

ବାଗଚା ସହରିଆ ଆଦିବାସୀଙ୍କର ଏକ ଗାଁ, ମଧ୍ୟପ୍ରଦେଶରେ ଏକ ନିର୍ଦ୍ଦିଷ୍ଟ ଭାବେ ଅବହେଳିତ ଆଦିବାସୀ ସମ୍ପ୍ରଦାୟ ଭାବେ ତାଲିକାଭୁକ୍ତ । ଅଧିକାଂଶ କାଦୁଅ ଓ ଇଟା ଘରେ ରହନ୍ତି

କାର୍ଯ୍ୟଯୋଜନା ଦସ୍ତାବିଜରେ କୁହାଯାଇଛି ଯେ ଚିତାଙ୍କୁ ଆଣିବା ଫଳରେ ‘‘ବାଘ, ହେଟାବାଘ, ସିଂହ ଏବଂ ଚିତା ପୂର୍ବ ଭଳି ସହାବସ୍ଥାନ କରିବେ।’’ ଏହି କଥନରେ ଦୁଇଟି ସ୍ପଷ୍ଟ ଭୁଲ ରହିଛି । ଏହା ହେଉଛି ଆଫ୍ରିକୀୟ ଚିତା, ଏସୀୟ ଚିତା ନୁହେଁ ଯାହା ଭାରତର ମୂଳ ନିବାସୀ ଥିଲା। ଏବଂ ସିଂହ ଏବେ କୁନୋରେ ନାହାନ୍ତି କାରଣ ୨୦୧୩ରେ ସୁପ୍ରିମକୋର୍ଟଙ୍କ ରାୟ ସତ୍ୱେ ଗୁଜରାଟ ସରକାର ସେମାନଙ୍କୁ ପଠାଇନାହାନ୍ତି।

ରଘୁନାଥ ଆଦିବାସୀ କହିଲେ, ‘‘ଇତି ମଧ୍ୟରେ ୨୨ ବର୍ଷ ବିତିଗଲାଣି ଓ ସିଂହ ଏଯାଏଁ ଆସିନାହାନ୍ତି ଏବଂ ଭବିଷ୍ୟତରେ ମଧ୍ୟ ଆସିବେ ନାହିଁ ।’’ ଦୀର୍ଘ ଦିନ ହେଲା ବାଗଚାରେ ରହିଆସୁଥିବା ରଘୁନାଥ ଏବେ ନିଜ ଘର ହରାଇବା ନେଇ ଚିନ୍ତିତ ଅଛନ୍ତି। କାରଣ ଏଥର ପ୍ରଥମ ନୁହେଁ ଯେ କୁନୋ ଆଖପାଖ ଗାଁକୁ ଅଣଦେଖା କରିଦିଆଗଲା, ଖାରଜ କରିଦିଆଗଲା ବା କେବଳ ପାସ୍‌ କରିନିଆଗଲା।

ବନ୍ୟଜୀବ ସଂରକ୍ଷଣବାଦୀଙ୍କ ବଢୁଥିବା ଚିନ୍ତା ଫଳରେ ‘ଜଙ୍ଗଲର ରାଜା’ଙ୍କର ସ୍ଥାନାନ୍ତରଣ ଆରମ୍ଭ ହୋଇଯାଇଥିଲା । ସେମାନେ ଚିନ୍ତାପ୍ରକଟ କରୁଥିଲେ ଯେ ଶେଷ ଏସୀୟ ସିଂହ (ପାନ୍ଥେରା ଲିଓ ଲିଓ) ସବୁ ଗୋଟିଏ ସ୍ଥାନରେ ଗୁଜରାଟର ସୌରାଷ୍ଟ୍ର ଦ୍ୱୀପରେ ହିଁ କେନ୍ଦ୍ରିତ ଥିଲେ । କାନାଇନ୍‌ ଡିଷ୍ଟେମ୍ପର ଭାଇରସ୍‌ର ପ୍ରକୋପ, ଜଙ୍ଗଲ ନିଆଁ ବା ଅନ୍ୟ ବିପଦ ସମ୍ପୂର୍ଣ୍ଣ ବାଘ ବଂଶକୁ ନିପାତ କରିଦେଇପାରେ ଯଦି କେତେକକୁ ଅନ୍ୟତ୍ର ସ୍ଥାନାନ୍ତରିତ ନ କରାଯାଏ ।

ଜଙ୍ଗଲ ବିଭାଗ କେବଳ ଆଦିବାସୀ ନୁହନ୍ତି, ଦଳିତ ଏବଂ ଓବିସି ବର୍ଗର ବନବାସୀ ମଧ୍ୟ ପଶୁଙ୍କ ସହ ରହିପାରିବେ ବୋଲି ଆ ଶ୍ୱା ସନା ଦେଇଥିଲା । ଏକଦା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ପଇରା ଗାଁର ୭୦ ବର୍ଷୀୟ ବାସିନ୍ଦା ରଘୁଲାଲ ଜାତବ କହିଲେ, ‘‘ଆମେ ଭାବିଲୁ, ସିଂହଙ୍କ ପାଇଁ ଆମେ ବିସ୍ଥାପିତ ହେବାର କ’ଣ ଆବଶ୍ୟକତା ଅଛି? ଆମେ ପଶୁମାନଙ୍କୁ ଜାଣିଛୁ, ଆମେ ସେମାନଙ୍କୁ ଭୟ କରୁନା । ଆମେ ଜଙ୍ଗଲରେ ବଢ଼ିଛୁ । ହମ୍‌ ଭି ଶେର୍‌ ହେଁ! [ଆମେ ବି ସିଂହ!] ।’’ ତାଙ୍କୁ ୫୦ ବର୍ଷ ହେବା ଯାଏଁ ସେ ସେଠାରେ ରହିଥିଲେ ଏବଂ ସେ କହନ୍ତି କେବେ କିଛି ଅପ୍ରିୟ ଘଟଣା ଘଟିନଥିଲା।

ଭାରତୀୟ ବନ୍ୟଜୀବ ସଂସ୍ଥା(ଡବ୍ଲ୍ୟୁଆଇଆଇ) ଡିନ୍‌ ସଂରକ୍ଷଣ ଜୀବବିଜ୍ଞାନୀ ଡ. ଯାଦବେନ୍ଦ୍ର ଝାଲା କହନ୍ତି, ଚିତାଙ୍କ ଦ୍ୱାରା ମଣିଷ ଉପରେ ଆକ୍ରମଣର କୌଣସି ଐତିହାସିକ ବା ସମକାଳୀନ ରେକର୍ଡ ନାହିଁ । ‘‘ମଣିଷଙ୍କ ସହ ସଂଘର୍ଷ କିଛି ବଡ଼ କଥା ନୁହେଁ । ଚିତାଙ୍କ ପାଇଁ ସମ୍ଭାବ୍ୟ ଆବାସସ୍ଥଳୀ ଆଖପାଖରେ ରହୁଥିବା ଲୋକମାନେ ବଡ଼ ମାଂସାଶୀ ଜନ୍ତୁଙ୍କ ରହିବାରେ ଅଭ୍ୟସ୍ତ ଏବଂ ସଂଘର୍ଷ କମ୍‌ କରିବା ନେଇ ସେମାନଙ୍କ ପାଖରେ ଉପଯୁକ୍ତ ଜୀବନଶୈଳୀ ଓ ପଶୁପାଳନ ପ୍ରଥା ରହିଛି ।’’ ଗାଈଗୋରୁଙ୍କ କ୍ଷତି ସମ୍ପର୍କରେ ଯଦି କିଛି ଥାଏ ସେ ସବୁ ଏକ ବଜେଟ୍‌ରେ ବ୍ୟବସ୍ଥା କରାଯାଏ ।

The Asiatic cheetah was hunted into extinction in India in 1947, and so the African cheetah is being imported to 're-introduce' the animal
PHOTO • Priti David

ଏସୀୟ ଚିତା ଶିକାର ଯୋଗୁଁ ୧୯୪୭ରେ ଭାରତରୁ ବିଲୁପ୍ତ ହୋଇଯାଇଥିଲା, ଏବଂ ତେଣୁ ‘ପୁଣି ସେମାନଙ୍କ ବଂଶବୃଦ୍ଧି ପାଇଁ’ ଆଫ୍ରିକୀୟ ଚିତାଙ୍କୁ ଅଣାଯାଉଛି

୨୦୨୨ ଏପ୍ରିଲ ୭ରେ ବୈଠକ ଅନୁଷ୍ଠିତ ହୋଇଥିଲା। ତା’ର ଗୋଟିଏ ସଂଧ୍ୟା ପୂର୍ବରୁ, ପୁରା ଗାଁକୁ ପରଦିନ ଉପସ୍ଥିତ ରହିବାକୁ କୁହାଯାଇଥିଲା। ଯେତେବେଳେ ଏହା ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେଲା, ସେମାନଙ୍କୁ ଅଫିସରମାନେ ଏକ କାଗଜରେ ଦସ୍ତଖତ କରିବା ପାଇଁ କହିଲେ, ଯେଉଁଥିରେ ଲେଖାଯାଇଥିଲା ଯେ ସେମାନଙ୍କୁ ବାଧ୍ୟ କରାଯାଉନାହିଁ ଏବଂ ସେମାନେ ସ୍ଥାନାନ୍ତରିତ ହେବାକୁ ସମ୍ମତି ପ୍ରକାଶ କରିଛନ୍ତି

ସ୍ଥାନୀୟ ଲୋକ ଓ ବୈଜ୍ଞାନିକଙ୍କୁ ଅଣଦେଖା କରି କେନ୍ଦ୍ର ସରକାର ୨୦୨୨ ଜାନୁଆରୀରେ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଲେ: ‘‘ପ୍ରୋଜେକ୍ଟ ଚିତାର ଉଦ୍ଦେଶ୍ୟ ହେଉଛି ସ୍ୱାଧୀନ ଭାରତର ଏକମାତ୍ର ବିଲୁପ୍ତ ବଡ଼ ସ୍ତନ୍ୟପାୟୀ -ଚିତାକୁ ଫେରାଇ ଆଣିବା।’’ ଏବଂ ଆହୁରି ମଧ୍ୟ ଏହି ପଦକ୍ଷେପ ‘‘ଇକୋ ଟୁରିଜିମ୍‌ ଏବଂ ଏ ସମ୍ପର୍କିତ ଗତିବିଧିକୁ ପ୍ରୋତ୍ସାହିତ କରିବ।’’

ଆଫ୍ରିକୀୟ ଚିତା ଅଗଷ୍ଟ ୧୫ ତାରିଖ ମଧ୍ୟରେ ଭାରତରେ ପହଞ୍ଚିବାର ଆଶା କରାଯାଉଛି । ବିଡ଼ମ୍ବନାର କଥା ହେଲା ତାହା ଚଳିତ ବର୍ଷର ସ୍ୱାଧୀନତା ଦିବସ ।

ବାଗଚା ଗାଁ ଏହାର ପ୍ରଥମ ଶିକାର ହେବ ।

ବିସ୍ଥାପନ ଯୋଜନାର ତଦାରଖ କରୁଥିବା ଜିଲ୍ଲା ବନ ଅଧିକାରୀ ପ୍ରକାଶ ବର୍ମାଙ୍କ କହିବା କଥା ୩୮.୭ କୋଟିର ଚିତାକୁ ଆଣିବା ବଜେଟ ମଧ୍ୟରୁ, ୨୬.୫ କୋଟି ଟଙ୍କା ବିସ୍ଥାପନ ଖର୍ଚ୍ଚ ଭାବେ ବ୍ୟବହାର କରାଯିବ। ସେ କହନ୍ତି, ‘‘ପ୍ରାୟ ୬ କୋଟି ଟଙ୍କା ଚିତାଙ୍କ ପାଇଁ ଏନ୍‌କ୍ଲୋଜର, ପାଣି ଏବଂ ରାସ୍ତା ସଫା ଏବଂ ଏହି ଜନ୍ତୁଙ୍କୁ ପରିଚାଳନା କରିବା ଲାଗି ଜଙ୍ଗଲ ଅଧିକାରୀଙ୍କୁ ତାଲିମ ଦେବାରେ ଖର୍ଚ୍ଚ ହେଉଛି ।’’

ଆଫ୍ରିକାରୁ ପ୍ରଥମ ପର୍ଯ୍ୟାୟରେ ଆସୁଥିବା ୨୦ ଚିତାଙ୍କ ପାଇଁ ୩୫ ବର୍ଗକିଲୋମିଟରର ଏନ୍‌କ୍ଲୋଜର ପ୍ରସ୍ତୁତ କରାଯାଉଛି, ଯେଉଁଥିରେ ପ୍ରତି ଦୁଇ କିଲୋମିଟରରେ ୱାଚ୍‌ ଟାୱାର ରହିଛି ଏବଂ ପ୍ରତ୍ୟେକ ୫ ବର୍ଗ କିଲୋମିଟର ବିଶିଷ୍ଟ ଛୋଟ ଛୋଟ ଏନ୍‌କ୍ଲୋଜର ରହିଛି । ଚିତାମାନେ ଯେମିତି ରହିପାରିବେ ତାହା ସୁନିଶ୍ଚିତ କରିବା ଲାଗି ଯଥାସମ୍ଭବ ଉଦ୍ୟମ କରାଯାଉଛି । ଏବଂ ଏହା ଠିକ୍‌ ବି: ଆଫ୍ରିକୀୟ ଚିତା (ଆସିନୋନିକ୍ସ ଜୁବାଟସ) କୁ ଆଫ୍ରିକାରେ ବନ୍ୟଜୀବଙ୍କ ଉପରେ ପ୍ରସ୍ତୁତ ଆଇୟୁସିଏନ୍‌ ରିପୋର୍ଟ ରେ ଅସୁରକ୍ଷିତ ଭାବେ ଦର୍ଶାଯାଇଛି । ଅନ୍ୟ ରିପୋର୍ଟଗୁଡ଼ିକରେ ଏମାନଙ୍କ ସଂଖ୍ୟା ଦ୍ରୁତ ଗତିରେ କମୁଥିବା ଦର୍ଶାଯାଇଛି ।

ମୋଟାମୋଟି ଭାବେ ଏକ ବିଦେଶୀ, ଅସୁରକ୍ଷିତ ପ୍ରଜାତିକୁ ଏକ ବିଦେଶୀ ବାତାବରଣକୁ ଅଣାଯିବା ପାଇଁ ପ୍ରାୟ ୪୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି - ଏବଂ ସେମାନଙ୍କ ପାଇଁ ଆବାସସ୍ଥଳୀ ପ୍ରସ୍ତୁତ କରିବା ଲାଗି ସ୍ଥାନୀୟ, ବିଶେଷ ଭାବେ ଅସୁରକ୍ଷିତ ଅନୁସୂଚିତ ଜନଜାତି ସମ୍ପ୍ରଦାୟକୁ ହଟାଯାଉଛି । ଏହା ‘ମଣିଷ-ପଶୁ ସଂଘର୍ଷ’ ଶବ୍ଦକୁ ନୂଆ ଅର୍ଥ ଦେଉଛି ।

The enclosure built for the first batch of 20 cheetahs from Africa coming to Kuno in August this year.
PHOTO • Priti David
View of the area from a watchtower
PHOTO • Priti David

ବାମ: ଚଳିତବର୍ଷ ଅଗଷ୍ଟ ମାସରେ ଆଫ୍ରିକାରୁ କୁନୋକୁ ଆସିବାକୁ ଥିବା ପ୍ରଥମ ବ୍ୟାଚ୍‌ର ୨୦ଟି ଚିତାଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଏନ୍‌କ୍ଲୋଜର । ଡାହାଣ: ୱାଚ୍‌ ଟାୱାରରୁ ଅଞ୍ଚଳର ଦୃଶ୍ୟ

ପ୍ରଫେସର କାବରା କହନ୍ତି ‘‘ସଂରକ୍ଷଣ ପାଇଁ ଏହି ବହିଷ୍କୃତ ଦୃଷ୍ଟିକୋଣ – ଯେ ମଣିଷ ଓ ପଶୁ ସାଙ୍ଗରେ ରହିପାରିବେ ନାହିଁ ବୋଲି ଧରାଯାଏ, ପ୍ରଦର୍ଶିତ କରାଯାଏନାହିଁ ।’’ ସଂରକ୍ଷଣ ପାଇଁ ବିସ୍ଥାପନ ଉପରେ ଚଳିତବର୍ଷ ଜାନୁଆରୀରେ ପ୍ରକାଶିତ ଏକ ନିବନ୍ଧକୁ ସେ ମିଳିତ ଭାବେ ଲେଖିଥିଲେ । ସେ ପଚାରନ୍ତି ଯେ ବନ ଅଧିକାର ଅଧିନିୟମ ୨୦୦୬ ଲାଗୁ ହେବା ଏବଂ ବନବାସୀଙ୍କ ପାଇଁ ସୁରକ୍ଷା ଉପାୟଗୁଡ଼ିକ ଥିବା ସତ୍ୱେ ସାରା ଭାରତରେ ବାଘ ଅଭୟାରଣ୍ୟରୁ ୧୪,୫୦୦ ପରିବାରକୁ ସ୍ଥାନାନ୍ତରିତ କରାଯାଇଥିଲା । ତାଙ୍କର ତର୍କ ହେଲା ଏହି ଦ୍ରୁତ ଗତିରେ ସ୍ଥାନାନ୍ତରଣର କାରଣ ହେଲା ଗୋଟି ସର୍ବଦା ଅଧିକାରୀଙ୍କ ପକ୍ଷରେ ଥାଏ ଯେଉଁମାନେ ଗ୍ରାମବାସୀଙ୍କୁ ସ୍ୱେଚ୍ଛାକୃତ ଭାବେ ବିସ୍ଥାପିତ କରିବା ଲାଗି ବିଭିନ୍ନ ପ୍ରକାର ଆଇନଗତ ଓ ପ୍ରକ୍ରିୟାତ୍ମକ ପଦକ୍ଷେପ ଗ୍ରହଣ କରିଥାଆନ୍ତି ।

ବାଗଚାର ଅଧିବାସୀମାନେ କହନ୍ତି ସେମାନଙ୍କୁ ସ୍ଥାନାନ୍ତରିତ ହେବା ଲାଗି ୧୫ ଲକ୍ଷ ଟଙ୍କାର ପ୍ରସ୍ତାବ ଦିଆଯାଇଛି । ସେମାନେ ହୁଏତ ସମ୍ପୂର୍ଣ୍ଣ କ୍ଷତିପୂରଣ ରାଶି ନଗଦ ଆକାରେ ନେବେ ବା ଘର ତିଆରି କରିବାକୁ ଜମି ଓ ଟଙ୍କା ନେବେ । ରଘୁନାଥ କହିଲେ, ‘‘ଗୋଟିଏ ବିକଳ୍ପ ହେଲା ଘର ତିଆରି କରିବାକୁ ୩.୭ ଲକ୍ଷ ଟଙ୍କା ଏବଂ ଅବଶିଷ୍ଟ କୃଷି କାର୍ଯ୍ୟ ପାଇଁ ଜମି । କିନ୍ତୁ ସେମାନେ ମଧ୍ୟ ସେଥିରୁ ବିଦ୍ୟୁତ୍‌ ସଂଯୋଗ, ପକ୍କା ରାସ୍ତା, ହ୍ୟାଣ୍ଡ ପମ୍ପ୍‌, ବୋରୱେଲ୍‌ ଇତ୍ୟାଦି ପାଇଁ ଟଙ୍କା କାଟୁଛନ୍ତି ।’’

ବାଗଚାଠାରୁ ପ୍ରାୟ ୪୬ କିଲୋମିଟର ଦୂର କରାହଲ ତହସିଲ ଅଧୀନ ଗୋରାସ ପାଖରେ ବମୁରା ସେମାନଙ୍କର ନୂଆ ଘର ପାଇଁ ସ୍ଥାନ । କାଲ୍ଲୋ କହିଲେ, ‘‘ଆମକୁ ଯେଉଁ ନୂଆ ଜମି ଦେଖାଯାଇଛି ତାହା ଆମର ବର୍ତ୍ତମାନର ଜମି ଅପେକ୍ଷା ଅନୁର୍ବର। ଏଥିରୁ କେତେକ ସମ୍ପୂର୍ଣ୍ଣ ପଥୁରିଆ ଏବଂ ଉତ୍ପାଦକତା କମ୍‌। ଏହି ଜମି ଉତ୍ପାଦନକ୍ଷମ ହେବାକୁ ବହୁ ସମୟ ଲାଗିବ, ଏବଂ ପ୍ରଥମ ତିନି ବର୍ଷ ପାଇଁ ଆମକୁ କେହି ସହାୟତା କରିବେ ନାହିଁ ।’’

*****

ପ୍ରୋଜେକ୍ଟ ଚିତା ଆଫ୍ରିକୀୟ ଚିତାଙ୍କୁ ଭାରତ ଆଣିବାର ପ୍ରାଥମିକ କାରଣ  ମଧ୍ୟରୁ ‘ ପାରିସ୍ଥିତିକ ତନ୍ତ୍ରକୁ ବଞ୍ଚାଇବା ’କୁ ସୂଚୀବଦ୍ଧ କରେ। ଏକ ଏମିତି ଦିଗ ଯାହା ଡକ୍ଟର ରବି ଚେଲ୍ଲମଙ୍କ ଭଳି ବନ୍ୟଜୀବ ବିଶେଷଜ୍ଞଙ୍କୁ ଚିନ୍ତିତ କରେ। ବନ୍ୟଜୀବ ଜୀବବିଜ୍ଞାନୀ ଏବଂ ମେଟାଷ୍ଟ୍ରିଙ୍ଗ ଫାଉଣ୍ଡେସନ୍‌ର ସିଇଓ ପଚାରନ୍ତି, ‘‘ଚିତାଗୁଡ଼ିକୁ ଭାରତକୁ ଚାରଣଭୂମି ସଂରକ୍ଷଣ ନାମରେ ଅଣାଯାଉଛି। ଏହାର କୌଣସି ଅର୍ଥ ନାହିଁ କାରଣ ଭାରତରେ ପୂର୍ବରୁ ହିଁ ଏହି ଚାରଣ ଭୂମିରେ ବିଲୁପ୍ତପ୍ରାୟ କାରାକଲ (ଏକପ୍ରକାର ଜଙ୍ଗଲୀ ବିଲେଇ), କୃଷ୍ଣସାର ମୃଗ, ଏବଂ ଦି ଗ୍ରେଟ୍‌ ଇଣ୍ଡିଆନ୍‌ ବଷ୍ଟାର୍ଡ ରହିଛନ୍ତି । ଆଫ୍ରିକାରୁ କିଛି ଅଣାଯିବାର କ’ଣ ଆବଶ୍ୟକତା ରହିଛି ?’’

ସେ କହନ୍ତି, ଏହାଛଡ଼ା ସରକାର ୧୫ ବର୍ଷରେ ଚିତା ସଂଖ୍ୟାକୁ ୩୬କୁ ବଢ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି ଯାହାକି ବ୍ୟବହାର୍ଯ୍ୟ ବା ଆତ୍ମନିର୍ଭର ନୁହେଁ ଏବଂ ଏଥିରେ କୌଣସି ଆନୁବଂଶିକ ଶକ୍ତି ରହିବ ନାହିଁ । ଭାରତରେ ଜୈବ ବିବିଧତା ଅନୁସନ୍ଧାନ ଓ ସଂରକ୍ଷଣକୁ ପ୍ରୋତ୍ସାହିତ କରୁଥିବା ନେଟ୍‌ୱର୍କ ବାୟୋଡାଇଭର୍ସିଟି କୋଲାବୋରେଟିଭ୍‌ର ସଦସ୍ୟ ଚେଲମ ଆହୁରି କହନ୍ତି, ‘‘ଏହା କେବଳ ଏକ ଗୌରବଶାଳୀ ଓ ମହଙ୍ଗା ସଫାରୀ ପାର୍କ ଛଡ଼ା ଆଉ କିଛି ହେବ ନାହିଁ ।’’

Mangu Adivasi was among those displaced from Kuno 22 years ago for the lions from Gujarat, which never came
PHOTO • Priti David

ମଙ୍ଗୁ ଆଦିବାସୀ ସେହି ବିସ୍ଥାପିତଙ୍କ ମଧ୍ୟରୁ ଥିଲେ, ଯେଉଁମାନେ ୨୨ ତଳେ ଗୁଜରାଟରୁ ଆସୁଥିବା ସିଂହଙ୍କ ପାଇଁ ବାସଚ୍ୟୁତ ହୋଇଥିଲେ, ସିଂହମାନେ କେବେ ଆସିନଥିଲେ

ସହରିଆମାନଙ୍କର ଦୃଢ଼ ଆଭିମୁଖ୍ୟକୁ କୁନୋ ଜଙ୍ଗଲରେ ସେମାନଙ୍କର ପଡ଼ୋଶୀମାନଙ୍କ ସହ କରାଯାଇଥିବା ଅସମ୍ପୂର୍ଣ୍ଣ ପ୍ରତିଶ୍ରୁତିର ଯନ୍ତ୍ରଣାଦାୟକ ସ୍ମୃତିରୁ ଶିକ୍ଷା ମିଳିଛି – କୁନୋ ଜଙ୍ଗଲର ପ୍ରାୟ ୧୬୫୦ ପରିବାର ବିଶିଷ୍ଟ ୨୮ଟି ଗାଁର ଲୋକଙ୍କୁ ୧୯୯୯ରେ ଗୁଜରାଟରୁ ଅଣାଯାଇଥିବା ସିଂହଙ୍କ ପାଇଁ ଆବାସସ୍ଥଳୀ କରିବାକୁ ତରବରରେ ଘରୁ ବାହାର କରିଦିଆଯାଇଥିଲା

ମଙ୍ଗୁ ଆଦିବାସୀ କୁନୋରେ ଥିବା ନିଜ ଘରୁ ବିସ୍ଥାପିତ ହେବାର ୨୨ ବର୍ଷ ହେଲାଣି, ଯିଏ କେବେ ଆସିନଥିବା ସିଂହଙ୍କ ପାଇଁ ବିସ୍ଥାପିତ ହୋଇଥିଲେ, ସେ ତାଙ୍କୁ କ୍ଷତିପୂରଣ ଭାବେ ମିଳିଥିବା ଅନୁର୍ବର ଜମିରେ ଜୀବନ ଯାପନ କରୁଛନ୍ତି । ସେ ଚେଲମଙ୍କ ସହ ସହମତ : ଚିତା କେବଳ ଦେଖାଇବା ପାଇଁ ଆସୁଛନ୍ତି । କୁନୋରେ ଏଭଳି କାମ କରାଯାଇଛି ବୋଲି ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ଦେଖାଇବେ । ଯେତେବେଳେ ଚିତାଙ୍କୁ  ଛଡ଼ାଯିବ [ଜଙ୍ଗଲରେ] ସେତେବେଳେ ସେମାନଙ୍କ ମଧ୍ୟରୁ କିଛିଙ୍କୁ ଜଙ୍ଗଲରେ ଏବେ ଥିବା ପଶୁମାନେ ମାରିଦେବେ, ଆଉ କିଛି ପ୍ରସ୍ତୁତ ହୋଇଥିବା ଏନ୍‌କ୍ଲୋଜରର ବିଦ୍ୟୁତ୍‌ ଝଟ୍‌କା ଖାଇ ମରିପାରନ୍ତି । ଆମେ ଦେଖିବୁ । ’’

ବିଦେଶୀ ପଶୁଙ୍କ ଦ୍ୱାରା ଆସୁଥିବା ରୋଗଜୀବାଣୁର ଅତିରିକ୍ତ କିନ୍ତୁ କିଛି କମ୍‌ ବିପଦ ନାହିଁ । ଡକ୍ଟର କାର୍ତ୍ତିକେୟନ ବାସୁଦେବନ କହିଲେ, ‘‘ଯୋଜନାରେ ଆସୁଥିବା ଚିତାଙ୍କ ପ୍ରତି ନୂତନ ରୋଗ ପ୍ରଜାତିର ସଂସ୍ପର୍ଶରେ ଆସିଥିବା ଜୀବାଣୁଙ୍କ ସହ ଜଡିତ ବିପଦକୁ ସମ୍ପୂର୍ଣ୍ଣ ରୂପେ ବିଚାରକୁ ନିଆଯାଏ ନାହିଁ।"

ଜଣେ ସଂରକ୍ଷଣ ଜୀବବିଜ୍ଞାନୀ ଏବଂ ହାଇଦ୍ରାବାଦର ସେଣ୍ଟର ଫର ସେଲ୍ୟୁଲାର ଏଣ୍ଡ ମଲିକ୍ୟୁଲାର ବାୟୋଲୋଜିରେ ଥିବା ବିଲୁପ୍ତପ୍ରାୟ ପ୍ରଜାତିଙ୍କ ସଂରକ୍ଷଣ ପାଇଁ ପରୀକ୍ଷାଗାରର ମୁଖ୍ୟ ବୈଜ୍ଞାନିକ ଡକ୍ଟର କାର୍ତ୍ତିକେୟନ ‘‘ପ୍ରାୟନ ଓ ଅନ୍ୟ ରୋଗ ପାଇଁ ଦେଶୀ ବନ୍ୟଜୀବଙ୍କ ପ୍ରତି ଥିବା ସମ୍ଭାବ୍ୟ ବିପଦ, ଦୀର୍ଘଦିନ ଧରି ଏକ ବ୍ୟବହାର୍ଯ୍ୟ ସଂଖ୍ୟା ବଜାୟ ରଖିବାରେ ବିଫଳତା ଏବଂ ପରିବେଶରେ ଥିବା ସମ୍ଭାବ୍ୟ ରୋଗଜୀବାଣୁ [ଯାହା ଚିତାଙ୍କୁ ପ୍ରଭାବିତ କରିପାରେ]’’ ବାବଦରେ ଚେତାବନୀ ଦେଇଛନ୍ତି ।

ଏମିତିବି ବ୍ୟାପକ ଗୁଜବ ପ୍ରଚାର କରାଯାଉଛି ଯେ ଚିତାଙ୍କ ଆଗମନ ଯାହା ଗତବର୍ଷ ହେବାର ଥିଲା ତାହା ଏକ ପ୍ରଯୁକ୍ତିଗତ କାରଣ ପାଇଁ ଅଟକି ଯାଇଛି । ଭାରତର ବନ୍ୟଜୀବ(ସଂରକ୍ଷଣ) ଆଇନ ୧୯୭୨ ସ୍ପଷ୍ଟ ଭାବେ ଧାରା ‘୪୯ ବି’ରେ କହିଥାଏ ଯେ ହାତୀଦାନ୍ତର କୌଣସି ବ୍ୟାପାର ଏମିତିକି ଆମଦାନୀ, କଡ଼ାକଡ଼ି ଭାବେ ନିଷିଦ୍ଧ । ଗୁଜବ ପ୍ରଚାର ହେଉଛି ଯେ ନାମିବିଆ କୌଣସି ଚିତାକୁ ଉପହାର ଦେବାକୁ ପ୍ରସ୍ତୁତ ନୁହେଁ, ଯେବେଯାଏଁ ଭାରତ, କନ୍‌ଭେନ୍‌ସନ୍‌ ଅନ୍‌ ଇଣ୍ଟରନ୍ୟାସନାଲ ଟ୍ରେଡ୍‌ ଇନ୍‌ ଏନ୍‌ଡେଞ୍ଜର୍ଡ ସ୍ପେଶିଶ୍‌ ଅଫ୍‌ ୱାଇଲ୍ଡ ଫୌନା ଏଣ୍ଡ ଫ୍ଲୋରା (ସିଆଇଟିଇଏସ୍‌) ଅଧୀନରେ ହାତୀଦାନ୍ତ ଉପରେ ଲାଗିଥିବା କଟକଣା ଉଠାଇବା ଲାଗି ସମର୍ଥନ କରିନାହିଁ । ଯାହା କି ଏହି ବସ୍ତୁର ଅନ୍ତର୍ଜାତୀୟ ବ୍ୟବସାୟକୁ ଅନୁମତି ଦେବ । କୌଣସି ସରକାରୀ ଅଧିକାରୀ ଏ ନେଇ ସ୍ପଷ୍ଟ କରିବା ବା ମନାକରିବାକୁ ଇଚ୍ଛୁକ ନ ଥିଲେ ।

ଇତିମଧ୍ୟରେ ବାଗଚା ସସ୍‌ପେଣ୍ଡେଡ୍‌ ଆନିମେସନ୍‌ ସ୍ଥିତିରେ ଅଛି । ହାରେଥ ଆଦିବାସୀ ସେ ପୂର୍ବରୁ ବସାଇଥିବା ରେଜିନକୁ ସଂଗ୍ରହ କରିବା ପାଇଁ ଜଙ୍ଗଲକୁ ଯିବା ସମୟରେ ଏହା କହିବାକୁ ଅଟକି ଗଲେ ‘‘ଆମେ ସରକାରଙ୍କଠାରୁ ବଡ଼ ନୁହେଁ । ସେମାନେ ଆମକୁ ଯାହା କହିବେ, ଆମେ ତାହା କରିବୁ, ଆମର ଯିବାକୁ ଇଚ୍ଛା ନାହିଁ, କିନ୍ତୁ ସେମାନେ ଆମକୁ ଯିବାକୁ ବାଧ୍ୟ କରିପାରିବେ ।’’

ଏହି ରିପୋର୍ଟର ସୌରଭ ଚୌଧୁରୀଙ୍କୁ ଏହି ଆଲେଖ୍ୟ ପାଇଁ ଗବେଷଣା ଏବଂ ଅନୁବାଦରେ ଅମୂଲ୍ୟ ସାହାଯ୍ୟ କରିଥିବାରୁ ଧନ୍ୟବାଦ ଦେବାକୁ ଚାହିଁବେ।

ଅନୁବାଦ: ଓଡ଼ିଶାଲାଇଭ୍‍

Priti David

Priti David is a Journalist with the People’s Archive of Rural India, and Editor, PARI Education. She works with educators to bring rural issues into the classroom and curriculum, and with young people to document the issues of our times.

Other stories by Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE