ମୁଁ ମୋ ବାମ ଆଖିରେ କିଛି ଦେଖିପାରୁନାହିଁ। ଉଜ୍ଜ୍ୱଳ ଆଲୋକ ଯନ୍ତ୍ରଣା ଦେଉଛି। ଏହା ଭାରି ଯନ୍ତ୍ରଣାଦାୟକ। ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଏହି କାରଣରୁ ମୁଁ ଅତି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛି,’’ ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପରଗଣା ଜିଲ୍ଲାରେ ଥିବା ବାଙ୍ଗାଓଁ ସହରର ଜଣେ ଗୃହିଣୀ ପ୍ରମିଳା ନାସ୍କର କୁହନ୍ତି। ବୟସର ଚାଳିଶ ଦଶକରେ ପହଞ୍ଚିଥିବା ପ୍ରମିଳା କୋଲକାତା ସ୍ଥିତ ରିଜିଓନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଅପଥାଲ୍ମୋଲୋଜିରେ ଚାଲିଥିବା ସାପ୍ତାହିକ କ୍ଲିନିକକୁ ନିଜର ଚିକିତ୍ସା ପାଇଁ ଆସିଥିବା ସମୟରେ ଆମ ସହ କଥା ହେଉଛନ୍ତି।
ମୁଁ ସହଜରେ ପ୍ରମିଳା ନାସ୍କରଙ୍କ ପ୍ରତି ସହାନୁଭୂତିଶୀଳ ହୋଇପାରିଲି। ଏକଥା ଆହୁରି ଅଧିକ ସତ ଯେ ଗୋଟିଏ ଆଖିର ଦୃଷ୍ଟିଶକ୍ତି ହରାଇବା ଜଣେ ଫଟୋଗ୍ରାଫର ପାଇଁ କେତେ ଭୟାବହ ବାସ୍ତବତା। ୨୦୦୭ରେ ମୋ ବାମ ଆଖିରେ କର୍ଣ୍ଣିଆ ଅଲ୍ସର୍ ହୋଇଥିଲା ଏବଂ ମୁଁ ଦୃଷ୍ଟିଶକ୍ତି ହରାଇବାକୁ ବସିଥିଲି। ମୁଁ ସେତେବେଳେ ବିଦେଶରେ ଥିଲି ଏବଂ ଚିକିତ୍ସା ପାଇଁ ମୋତେ ଭାରତ ଆସିବାକୁ ପଡ଼ିଲା। ଦେଢ଼ ମାସ ଧରି, ମୁଁ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ଫେରି ପାଇବା ପର୍ଯ୍ୟନ୍ତ ଏକ ନିର୍ଯାତନାପୂର୍ଣ୍ଣ ଉପଚାର ପ୍ରକ୍ରିୟାକୁ ସହିଥିଲି। ତଥାପି, ଠିକ୍ ହେବାର ଦେଢ଼ ଦଶନ୍ଧି ପରେ ମଧ୍ୟ, ମୋତେ ଏବେ ବି ଅନ୍ଧ ହୋଇଯିବାର ଭୟ ଘାରୁଛି। ଜଣେ ଫଟୋଗ୍ରାଫର ପାଇଁ ନିଜର ଦୃଷ୍ଟିଶକ୍ତି ହରାଇବା କେତେ ପୀଡ଼ାଦାୟକ ହୋଇଥିବ ତାହା ମୁଁ କଳ୍ପନା କରିଥାଏ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ତଥ୍ୟ ଅନୁଯାୟୀ, ବିଶ୍ୱବ୍ୟାପୀ ଅତି କମ୍ ରେ ୨୨୦ କୋଟି ଲୋକ ନିକଟ କିମ୍ବା ଦୂର ଦୃଷ୍ଟିଶକ୍ତି ଜନିତ ସମସ୍ୟା ଭୋଗୁଛନ୍ତି। ଏଥିମଧ୍ୟରୁ ଅତି କମ୍ରେ ୧୦୦ କୋଟି - ବା ପ୍ରାୟ ଅଧା ମାମଲାରେ ଦୃଷ୍ଟିଶକ୍ତି ସମସ୍ୟାକୁ ରୋକାଯାଇପାରିଥା’ନ୍ତା କିମ୍ବା ବର୍ତ୍ତମାନ ସୁଦ୍ଧା ଏହାର ସମାଧାନ କରାଯାଇପାରିନାହିଁ।
ମୋତିଆବିନ୍ଦୁ ପରେ, ସାରା ବିଶ୍ୱରେ ଅନ୍ଧତ୍ୱର ଦ୍ୱିତୀୟ ପ୍ରମୁଖ କାରଣ ହେଉଛି କର୍ଣ୍ଣିଆ ରୋଗ। କର୍ଣ୍ଣିଆ ଦୃଷ୍ଟିଶକ୍ତି ହୀନତାର ସଂକ୍ରାମକ ରୋଗ ବିଜ୍ଞାନ ଜଟିଳ ଅଟେ ଏବଂ ଏଥିରେ ଫୁଲା ଓ ଭାଇରାଲ ଚକ୍ଷୁ ସ୍ଥିତିର ଏକ ବିସ୍ତୃତ ଶୃଙ୍ଖଳା ସାମିଲ ରହିଛି ଯାହାଫଳରେ କର୍ଣ୍ଣିଆ ଦାଗ ସୃଷ୍ଟି ହୁଏ ଏବଂ ପରେ ଏହା ସକ୍ରିୟ ଅନ୍ଧତ୍ୱର କାରଣ ସାଜିଥାଏ। ଏହାବ୍ୟତୀତ, କର୍ଣ୍ଣିଆ ରୋଗର ବ୍ୟାପକତା ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ହୋଇଥାଏ।





















