ପାକିସ୍ତାନ ସୀମାର ପାଖାପାଖି ୪ କିମି ଦୂରରେ ସମଶେର ସିଂ କାମ କରୁଥିବା ତା’ ଭାଇଙ୍କ ଗ୍ୟାରେଜ୍‌ରେ ଯନ୍ତ୍ରପାତି ତଦାରଖ କରୁଥିଲେ। ଗତ ତିନି ବର୍ଷ ହେଲା ଜଣେ ମେକାନିକ ଭାବେ କାମ କରୁଛନ୍ତି, କିନ୍ତୁ ଇଚ୍ଛାକରି ନୁହେଁ।

୩୫ ବର୍ଷ ବୟସ୍କ ସମଶେର ହେଉଛନ୍ତି ଭାରତ ଓ ପାକିସ୍ତାନ ମଝିରେ ଥିବା ଅଟ୍ଟାରି-ୱାଗା ସୀମାରେ କାମ କରୁଥିବା ଜଣେ ତୃତୀୟ ପିଢ଼ିର କୁଲି। ତାଙ୍କ ପରିବାର କାଗଜପତ୍ରରେ ଅନ୍ୟ ପଛୁଆ ବର୍ଗ ବା ଓବିସି ଭାବେ ଚିହ୍ନିତ ପ୍ରଜାପତି ସମୁଦାୟ ମଧ୍ୟରୁ ଗୋଟିଏ।

ପାକିସ୍ତାନକୁ ଲାଗି ରହିଥିବା ପଞ୍ଜାବର ଏହି ସୀମାଠାରେ ଶହଶହ ଟ୍ରକରେ ଭର୍ତ୍ତି ହୋଇ ସିମେଣ୍ଟ, ଜିପସମ୍ ଏବଂ ବିଭିନ୍ନ ପ୍ରକାର ଡ୍ରାଏ ଫ୍ରୁଟ୍‌ସ ଏକଦା ପ୍ରତିଦିନ ଭାରତକୁ ଆସିବା ପାଇଁ ଏଠାରେ ପହଞ୍ଚୁଥିଲା। ଠିକ୍ ସେହିଭଳି ଟ୍ରକ ଟ୍ରକ ଭର୍ତ୍ତି ବିଲାତି ବାଇଗଣ, ଅଦା, ରସୁଣ, ସୋୟାବିନ ନିଷ୍କର୍ସ ଓ ସୂତା ବଣ୍ଡଲ ତଥା ଅନ୍ୟାନ୍ୟ ସାମଗ୍ରୀ ଏହି ବାଟେ ଭାରତରୁ ପାକିସ୍ତାନ ଭିତରକୁ ପଠା ଯାଉଥିଲା।

ସମଶେର ହେଲେ ପ୍ରାୟ ଦେଢ଼ହଜାର କୁଲିମାନଙ୍କ ମଧ୍ୟରୁ ଜଣେ ଯେଉଁମାନଙ୍କ କାମ ଥିଲା “ସୀମା ପାର କରି ଆଗକୁ ଯାଉଥିବା ଟ୍ରକଗୁଡ଼ିକରେ ସାମଗ୍ରୀସବୁକୁ ଚଢ଼େଇବା ଓ ଓହ୍ଲାଇବା”। ସେହି ଅଞ୍ଚଳରେ କୌଣସି ଶିଳ୍ପ କିମ୍ବା କାରଖାନା ନାହିଁ, ଅଟ୍ଟାରି-ୱାଗା ସୀମାଠାରୁ ପ୍ରାୟ ୨୦ କିମି ବ୍ୟାସ ପରିମିତ ଅଞ୍ଚଳ ଅନ୍ତର୍ଗତ ଗାଁଗୁଡ଼ିକରେ ରହୁଥିବା ଭୂମିହୀନ ଲୋକମାନେ ସେମାନଙ୍କର ଜୀବିକା ପାଇଁ ଏହି ସୀମାପାର ବାଣିଜ୍ୟ ଉପରେ ନିର୍ଭର କରନ୍ତି।

PHOTO • Sanskriti Talwar

ସମଶେର ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଅଟ୍ଟାରି-ୱାଗାଠାରେ ଜଣେ କୁଲି ରୂପେ କାମ କରୁଥିଲେ। କିନ୍ତୁ ଗତ ତିନି ବର୍ଷ ହେଲା ସେ ତାଙ୍କ ଭାଇଙ୍କ ଗ୍ୟାରେଜରେ କାମ କରୁଛନ୍ତି

୨୦୧୯ ରେ ଯେତେବେଳେ ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସୁରକ୍ଷାବାହିନୀର ସୈନିକ ନିହତ ହେଲେ ନୂଆ ଦିଲ୍ଲୀ ସେଥିପାଇଁ ଇସାଲାମାବାଦକୁ ଦାୟୀ କଲା। ଏହା ପରେ ପରେ ପାକିସ୍ତାନକୁ ଦିଆ ଯାଇଥିବା ବାଣିଜ୍ୟ କ୍ଷେତ୍ରରେ ସର୍ବାଧିକ ଅନୁକୂଳଯୁକ୍ତ ଦେଶ ବା ‘ମୋଷ୍ଟ ଫେବର୍ଡ ନେସନ’ (ଏମଏଫଏନ) ସ୍ୱୀକୃତିକୁ ଭାରତ ଓହରାଇ ନେଲା ଓ ସେଠାରୁ ଆମଦାନୀ ସାମଗ୍ରୀ ଉପରେ ୨୦୦ ପ୍ରତିଶତ ସୀମା ଶୁଳ୍କ ଲାଗୁ କଲା। ଏହାର ପ୍ରତିବାଦ ସ୍ଵରୂପ କାଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ଯୋଗୁଁ ଉପୁଜିଥିବା ଅବସ୍ଥାରେ ପାକିସ୍ତାନ ବାଣିଜ୍ୟ ପ୍ରତିବନ୍ଧକ ଲଗାଇଲା।

୨୦୨୦ ରେ ବ୍ୟୁରୋ ଅଫ ରିସର୍ଚ୍ଚ ଅନ ଇଣ୍ଡଷ୍ଟ୍ରୀ ଆଣ୍ଡ ଇକୋନୋମିକ ଫଣ୍ଡାମେଣ୍ଟାଲସ (ବ୍ରିଫ) ପକ୍ଷରୁ  ହୋଇଥିବା ଏକ ଅଧ୍ୟୟନ ସୂତ୍ରରୁ ଜଣାପଡ଼ିଛି ଯେ  ସୀମା ନିକଟବର୍ତ୍ତୀ ଗାଁଗୁଡ଼ିକରେ ରହୁଥିବା କୁଲିମାନେ ଓ ଅମୃତସର ଜିଲ୍ଲାର ୯୦୦୦ ପରିବାରର ଜୀବନ ଜୀବିକା ବିପର୍ଯ୍ୟସ୍ତ ହୋଇପଡ଼ିଛି।

ଅମୃତସରରେ କାମ କରିବାକୁ ହେଲେ ୩୦ କିମି ବସ୍‌ରେ ଯିବା ଆସିବାକୁ ପଡ଼ିବ - ସେଥିପାଇଁ ୧୦୦ ଟଙ୍କା ଅଧିକ ଖର୍ଚ୍ଚ କରିବାକୁ ହେବ। ଶ୍ରମଜୀବୀ ଭାବେ ସେଠାରେ ଦିନକୁ ୩୦୦ ମିଳୁଥିବାରୁ ସମଶେର କହେ, “ଦିନକୁ ମାତ୍ର ୨୦୦ ଟଙ୍କା ଘରକୁ ଆଣିବାର ମାନେ କ’ଣ ହେବ?”

ଶହଶହ କିମି ଦୂରରେ ଥିବା ଦିଲ୍ଲୀଠାରେ କୂଟନୈତିକ ନିଷ୍ପତ୍ତି ନିଆଯାଏ ଓ ଏହି କୁଲିମାନେ ଭାବନ୍ତି ଯେ ସରକାର ସେମାନଙ୍କ କଥା ଶୁଣୁ ନାହାନ୍ତି, ତେଣୁ ସେମାନଙ୍କ ଅଞ୍ଚଳର ସାଂସଦଙ୍କ ମାର୍ଫତରେ ହୁଏତ ସେମାନଙ୍କ ଦାବିକୁ ସେଠାରେ ଦୃଢ଼ ଭାବେ ଶୁଣାଇ ହେବ। ତା’ ସହିତ ସେହି ସାଂସଦ ସୀମା ଖୋଲିବା ଦିଗରେ ପଦକ୍ଷେପ ନେଲେ ସେମାନେ କାମ ଫେରି ପାଇବେ।

PHOTO • Sanskriti Talwar
PHOTO • Sanskriti Talwar

ବାମ; ଅଟ୍ଟାରୀ -ୱାଗା ସୀମାନ୍ତରେ ଭାରତ ଏବଂ ପାକିସ୍ତାନର ଜାତୀୟ ପତାକାଗୁଡ଼ିକ। ଡାହାଣ: ଅଟ୍ଟାରୀ ସମନ୍ୱିତ ଚେକ୍ ପୋଷ୍ଟରେ ପାକିସ୍ତାନରୁ ଭାରତ ଆସୁଥିବା ବିଭିନ୍ନ ସାମଗ୍ରୀ ବହନ କରୁଥିବା ଟ୍ରକ୍ ପହଞ୍ଚୁଥିଲା ଯେତେବେଳେ ଭାରତରୁ ବିଭିନ୍ନ ସାମଗ୍ରୀ ବୋଝେଇ ହୋଇଥିବା ଟ୍ରକ୍ ସମାନ ଭାବରେ ପାକିସ୍ତାନକୁ ଅତିକ୍ରମ କରି ଯାଉଥିଲା। କିନ୍ତୁ ୨୦୧୯ ର ପୁଲୱାମା ଘଟଣା ପରେ ପଡୋଶୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବାଣିଜ୍ୟ ସମ୍ପର୍କ ତୁଟି ଯାଇଥିଲା ଏବଂ ଏହି କୁଲିମାନେ ତାହା ଯୋଗୁଁ ଭୀଷଣ କ୍ଷତିର ଶିକାର ହୋଇଥିଲେ

ଏବେ ସୀମାଠାରେ କେତେକ ଋତୁରେ କାମ ମିଳୁଛି, ଯେତେବେଳେ ଆଫଗାନିସ୍ତାନରୁ ଫସଲ ନେଇ ଟ୍ରକ ସବୁ ଆସେ। ସମଶେର କହନ୍ତି କି ସେତେବେଳେ ଅଧିକ ବୟସ୍କ କୁଲିଙ୍କୁ କାମ ଦିଆଯାଏ, ଯେଉଁମାନଙ୍କ ପାଇଁ କାମ ଖୋଜି ପାଇବା କଷ୍ଟକର।

ଏଠାକାର କୁଲିମାନେ ଜାଣିଛନ୍ତି ଯେ ପ୍ରତିଶୋଧ ନେବା ମନୋଭାବରେ ସୀମାକୁ ବନ୍ଦ କରାଯାଇଛି। “ପର ଜେଦା ଏଥେ ୧୫୦୦ ବନ୍ଦେ ଆଉନା ଦା ଦେ ଚୁଲେ ଥଣ୍ଡା କରନ ଲାଗେ ଶୌ ବାରି ଶୋଚନା ଚାହିଦା [କିନ୍ତୁ ସେମାନେ ବି ଭାବିବା ଦରକାର ଥିଲା ଯେ କେମିତି ସେମାନଙ୍କ ଯୋଗୁଁ କେତେ ପରିବାରରେ ଚୁଲିରେ ଆଉ ନିଆଁ ଜଳୁନି]”, କହନ୍ତି ସମଶେର।

ପାଞ୍ଚ ବର୍ଷ ହେଲା ଏହି କୁଲିମାନେ କର୍ତ୍ତୃପକ୍ଷଙ୍କୁ ସେମାନଙ୍କ ଯାଚିକା ଦେଇ ଆସୁଛନ୍ତି, କିନ୍ତୁ ସେଥିରୁ କୌଣସି ଲାଭ ମିଳୁନାହିଁ। ସୀମା ପୁଣି ଖୋଲିବାକୁ ଗତ ପାଞ୍ଚ ବର୍ଷ ହେଲାଣି ରାଜ୍ୟ ଓ କେନ୍ଦ୍ରର ଏମିତି କୌଣସି ସରକାର ନାହିଁ ଯାହାଙ୍କୁ ଆମେ ଆମ ଦାବିପତ୍ର  ଦେଇ ନାହୁଁ,” ସେ ପୁଣି ଯୋଗ କରି କହନ୍ତି।

କୌଙ୍କେ ଗାଁର ଜଣେ ଦଳିତ ବର୍ଗର କୁଲି ସୂଚା ସିଂହ କହନ୍ତି, “ବର୍ତ୍ତମାନ ଅମୃତସରର ଏମପି ଥିବା ଗୁରଜିତ ସିଂ ଔଜଲା ହେଉଛନ୍ତି କଂଗ୍ରେସ ଦଳର ଏବଂ ପାର୍ଲିଆମେଣ୍ଟରେ ମୋଦି ସରକାରକୁ ସ୍ଥାନୀୟ ଲୋକଙ୍କ ଜୀବିକା ଅର୍ଜନ ନିମନ୍ତେ ସୀମାକୁ ଖୋଲିବା ପାଇଁ ବହୁତ ଥର କହିଲେଣି। କିନ୍ତୁ ତାଙ୍କ ଦଳ କେନ୍ଦ୍ରରେ କ୍ଷମତାରେ ନଥିବାରୁ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉ ନାହାନ୍ତି”।

PHOTO • Sanskriti Talwar
PHOTO • Sanskriti Talwar

ବାମ: ସୁଚା ସିଂ, ସୀମାନ୍ତବର୍ତ୍ତୀ ଗ୍ରାମ କଙ୍କେର ଜଣେ କୁଲି, ସେ ଏବେ ତାଙ୍କ ପୁଅ ସହିତ ରାଜମିସ୍ତ୍ରୀ ଭାବରେ କାମ କରୁଛନ୍ତି। ଡାହାଣ: ହରଜିତ୍ ଏବଂ ତାଙ୍କର ପଡୋଶୀ ସନ୍ଦୀପ ସିଂ ଉଭୟେ କୁଲି ଥିଲେ। ଏବେ ହରଜିତ୍ ଗୋଟିଏ ଉଦ୍ୟାନରେ କାମ କରନ୍ତି ଏବଂ ସନ୍ଦୀପ ଦିନ ମଜୁରିଆ ଭାବରେ ଜୀବିକା ବିତାଉଛନ୍ତି। ସେମାନେ ଅଟ୍ଟାରୀରେ ହରଜିତଙ୍କ ଘରର ଛାତ ମରାମତି କରୁଛନ୍ତି

PHOTO • Sanskriti Talwar
PHOTO • Sanskriti Talwar

ରୋରନୱାଲାର ବାସିନ୍ଦା ବଲଜିତ୍ (ଠିଆ ହୋଇଛନ୍ତି) ଏବଂ ତାଙ୍କର ବଡ଼ ଭାଇ ସଞ୍ଜିତ ସିଂ (ବସିଛନ୍ତି)। ବଲଜିତ୍ ସୀମାରେ କୁଲି ଭାବରେ ତାଙ୍କର ଜୀବିକା ହରାଇଛନ୍ତି। ଡାହାଣ: ତାଙ୍କର ସାତ ପ୍ରାଣୀର ପରିବାର କେବଳ ଗୋଟିଏ ସ୍ଥିର ଆୟର ଉତ୍ସ ହେଉଛି ତାଙ୍କର ମାଆ ମଞ୍ଜିତ କୌରଙ୍କୁ ପ୍ରତି ମାସରେ ମିଳୁଥିବା ବିଧବା ଭତ୍ତା ୧୫୦୦ ଟଙ୍କା

କୁଲି କାମ ବନ୍ଦ ହେଇଯିବାରୁ ଦଳିତ ବର୍ଗର ୫୫ ବର୍ଷ ବୟସ୍କ ମଜ୍‌ବି ଶିଖ୍ ତାଙ୍କ ପୁଅ ସାଙ୍ଗରେ ମିଶି ରାଜମିସ୍ତ୍ରୀ କାମ କରୁଛନ୍ତି ଓ ଦିନକୁ ପାଖାପାଖି ୩୦୦ ଟଙ୍କା ରୋଜଗାର କରୁଛନ୍ତି।

୨୦୨୪ ଲୋକସଭା ନିର୍ବାଚନ ଚାଲିଥିବା ବେଳେ ସମସ୍ତଙ୍କର ମିଳିତ ସହମତି ଲକ୍ଷ କରିବାର କଥା। “ଆମେ ଚାହୁଁଥିଲୁ ଏହି ନିର୍ବାଚନରେ ନୋଟାରେ ଭୋଟ ଦେବାକୁ, କିନ୍ତୁ (କୁଲି ଭାବେ) ଆମ ଜୀବିକା ଅର୍ଜନ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କରୁଛି। ବିଜେପିକୁ ଭୋଟ ଦେବାକୁ ଆମେ ଆଦୌ ଚାହୁଁ ନାହୁଁ, କିନ୍ତୁ ଏହା ଦରକାର ପାଲଟିଛି”।

ଜୁନ ୪, ୨୦୨୪ ରେ ପ୍ରକାଶ ପାଇଥିବା ନିର୍ବାଚନ ଫଳାଫଳ ଅନୁଯାୟୀ କଂଗ୍ରେସ ପ୍ରାର୍ଥୀ ଗୁରଜିତ ସିଂ ଔଜଲା ଏହି ଆସନରେ ପୁଣି ବିଜୟ ଲାଭ କରିଛନ୍ତି। ସୀମା ରାଜନୀତିରେ ଏଥର ସେ କୌଣସି ପ୍ରଭାବ ପକାଇ ପାରିବେ କି ନାହିଁ ଦେଖିବା କଥା।

ଅନୁବାଦ: ଓଡ଼ିଶାଲାଇଭ୍‍

Sanskriti Talwar

Sanskriti Talwar is an independent journalist based in New Delhi, and a PARI MMF Fellow for 2023.

Other stories by Sanskriti Talwar
Editor : Priti David

Priti David is the Executive Editor of PARI. She writes on forests, Adivasis and livelihoods. Priti also leads the Education section of PARI and works with schools and colleges to bring rural issues into the classroom and curriculum.

Other stories by Priti David
Editor : Sarbajaya Bhattacharya

Sarbajaya Bhattacharya is a Senior Assistant Editor at PARI. She is an experienced Bangla translator. Based in Kolkata, she is interested in the history of the city and travel literature.

Other stories by Sarbajaya Bhattacharya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE