ବସ୍ କୋଲକାତା ଛାଡ଼ି କିଛି ଦୂର ଯିବା ପରେ ରାସ୍ତାର ଦୁଇ କଡ଼ରେ ମାଛ ଚାଷ ହୋଇଥିବା ପୋଖରୀ, ଛୋଟ ଛୋଟ ହାତ ତିଆରି ବନ୍ଧ ଏବଂ ଅସ୍ଥାୟୀ ଚା’ ଦୋକାନ ସହିତ ଆବଡ଼ାଖାବଡ଼ା ସଡ଼କ ପଡ଼ିଥାଏ। ଏହି ସମୟରେ ଆପଣ ଆଗକୁ ଏକ ବଡ଼ ଜଳାଶୟ ଥିବାର ଅନୁଭବ କରିପାରିବେ। ଏହାପରେ, ଆମର ବଡ଼ ଯନ୍ତ୍ରଚାଳିତ ଡଙ୍ଗା ଯେତେବେଳେ ବିଶାଳ ନୀଳ ଚଦର ଦେଇ ଅତିକ୍ରମ କଲା, ଆମେ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ଅଧୀନ ସୁନ୍ଦରବନର ବାଲି ଦ୍ୱୀପରେ ପହଞ୍ଚି ଯାଇଥିଲୁ। ଏହି ସମୟରେ ‘ଖୁସିର ସହର’ ସ୍ମୃତି ଆପେ ଆପେ ବୁଡ଼ି ଯାଇଥାଏ।
ଦାରିଦ୍ର୍ୟ ଓ ବେକାରୀ ସମସ୍ୟା ଏହି ଦ୍ୱୀପର ଯୁବକମାନଙ୍କୁ ବାଘ, ହରିଣ ଓ ଅନ୍ୟ ପ୍ରାଣୀଙ୍କ ଶିକାର ତଥା ଚୋରା କାଠ କାରବାର ଭଳି ବେଆଇନ କାମ ଦିଗରେ ଟାଣି ନେଉଥିଲା। କିନ୍ତୁ କିଛି ବର୍ଷ ହେବ, ଗୋଷ୍ଠୀ ଆଧାରିତ ପର୍ଯ୍ୟଟନ ଏ ସମସ୍ୟା ଦୂର କରିଛି – ଯେଉଁ ଯୁବକମାନେ ଶିକାରୀ ହେବାର ଆଶଙ୍କା ରହିଥିଲା ସେମାନେ ଏବେ ସୁରକ୍ଷା ପ୍ରଦାନକାରୀ ପାଲଟିଛନ୍ତି। ଜୀବିକାର ବିକଳ୍ପ ମାଧ୍ୟମ ଜଙ୍ଗଲ ଉପରେ ସେମାନଙ୍କର ନିର୍ଭରଶୀଳତାକୁ ହ୍ରାସ କରିଛି। କେତେଜଣ ସ୍ଥାନୀୟ ଲୋକ ପର୍ଯ୍ୟଟନ ଗାଇଡ୍ ପାଲଟିଛନ୍ତି। ଅନ୍ୟମାନେ ପର୍ଯ୍ୟଟକମାନଙ୍କୁ ବୋଟ୍ ସେବା ଯୋଗାଇ ଦେଉଛନ୍ତି। ଅନ୍ୟପକ୍ଷରେ ଆଉ କିଛି ଲୋକ ହୋଟେଲ୍ କର୍ମଚାରୀ ଭାବେ ନିଯୁକ୍ତି ପାଇଛନ୍ତି। ଯଦିଓ ସେମାନେ କମ୍ ବେତନ ପାଉଛନ୍ତି ତଥାପି କିଛି ଲୋକଙ୍କ ପାଇଁ ପର୍ଯ୍ୟଟନ ଉଦ୍ୟୋଗ ସହ ଯୋଡ଼ି ହେବା ଏକ ଗର୍ବର ବିଷୟ ପାଲଟିଛି।
ନିକଟରେ ଦ୍ୱୀପକୁ ଏକ ଯାତ୍ରାର କିଛି ଫଟୋ
![](/media/images/1b.width-1440.jpg)
ଦିନର କାର୍ଯ୍ୟ ଆରମ୍ଭ : ସୁନ୍ଦରବନର ଜଳପ୍ଳାବିତ ଘୂର୍ଣ୍ଣାୟମାନ ମୁକ୍ତମାର୍ଗରେ ସାମଗ୍ରୀ, ମଣିଷ, ପଶୁ ଓ ପର୍ଯ୍ୟଟକମାନଙ୍କୁ ବୋହିବା ଲାଗି ନୌକାଗୁଡ଼ିକ ପ୍ରସ୍ତୁତ ରହିଛନ୍ତି
![](/media/images/2.width-1440.jpg)
ହେନ୍ତାଳବନର ଏତେ ବଡ଼ ବଡ଼ ଇଲାକା ମଣିଷ ଓ ବନ୍ୟପ୍ରାଣୀଙ୍କ ମଧ୍ୟରେ ଏକ ସୁରକ୍ଷା ପ୍ରାଚୀର ଭଳି କାମ କରୁଛି, ଉଭୟଙ୍କ ପାଇଁ ନିତିଦିନିଆ ଜୀବନ ନିର୍ବାହକୁ ଏହା ସହଜ କରିଛି
![](/media/images/3.width-1440.jpg)
ବାଲି ଦ୍ୱୀପର ଘାଟ ଏକ ଗାଁ ଛକ ଭଳି ; ଏଠାରୁ ହିଁ ସବୁ ଯିବାଆସିବା ଚାଲିଥାଏ। ମଣିଷ, ସାମଗ୍ରୀ, ଛେଳି, ବାଛୁରି ଏବଂ ମାଛ ଏହି କେନ୍ଦ୍ରରୁ ସବୁଦିନ ଯିବାଆସିବା କରିଥାନ୍ତି
![](/media/images/4.width-1440.jpg)
ମାଛ ଚାଷ : ଭୂଖଣ୍ଡର ବଡ଼ ଓ ଛୋଟ ଜମିଗୁଡ଼ିକୁ ଖୋଳା ଯାଇ ଏବେ ପୋଖରୀରେ ପରିଣତ ହୋଇଛି ଯେଉଁଠାରେ ବିକ୍ରି ଓ ଖାଇବା ପାଇଁ ମାଛ ଚାଷ କରାଯାଉଛି
![](/media/images/5.width-1440.jpg)
ଜାଲ ଫିଙ୍ଗା : ସୁନ୍ଦରବନରେ ଅଧିକାଂଶ ଲୋକଙ୍କ ପାଇଁ, ଗୋଟିଏ ଦିନ କାମ କରିବାର ଅର୍ଥ ମାଛ ଭର୍ତ୍ତି ଏକ କେଟଲି ପାଇବା
![](/media/images/6ab.width-1440.jpg)
ମେଣ୍ଢା ଜଗୁଆଳ ଓ ମେଣ୍ଢା (ବାମ) : ବାଲି ଦ୍ୱୀପର ଅଙ୍କାବଙ୍କା ରାସ୍ତା ସଂକୀର୍ଣ୍ଣ କିସ୍ତୁ ପରିଷ୍କାର। ଯଦିଓ ପ୍ଲାଷ୍ଟିକ ଡବାଗୁଡ଼ିକର ଦୃଶ୍ୟ ସେତେ ସୁନ୍ଦର ନୁହେଁ (ଡାହାଣ), ସ୍ଥାନୀୟ ଲୋକମାନେ ସେମାନଙ୍କ ସଡ଼କ ସଫା ରଖିବା ଲାଗି ସେଗୁଡ଼ିକୁ ବ୍ୟବହାର କରିଥାନ୍ତି
![](/media/images/7.width-1440.jpg)
ଗାଁ ବଜାରରେ ଜଣେ ଅଳଙ୍କାର ବ୍ୟବସାୟୀ ବିକ୍ରି କରିବା ପାଇଁ ଅପେକ୍ଷା କରିଛନ୍ତି
![](/media/images/8_copy.width-1440.jpg)
ବାଘ ସବୁବେଳେ ଦେଖିବାକୁ ମିଳନ୍ତି ନାହିଁ। ତେବେ ପର୍ଯ୍ୟଟକମାନେ ଏକ ବାଘର କାହାଣୀ ପ୍ରାୟତଃ ଶୁଣିବାକୁ ପାଇଥାନ୍ତି ଯିଏକି ନିଜ ପ୍ରିୟ ବାଘୁଣୀକୁ ଭେଟିବା ଓ ସହବାସ କରିବା ଲାଗି ପାଞ୍ଚ କିଲୋମିଟର ଦୂର ପର୍ଯ୍ୟନ୍ତ ପହଁରି ଆସିଥିଲା। ସେହି ବାଘୁଣୀକୁ ଏକ ସର୍କସ ଦଳ ଗାଁକୁ ନେଇ ଆସିଥିଲା। ହେଲେ ଦିନକୁ ଦିନ ବାଘଙ୍କ ସଂଖ୍ୟା କମି କମି ଆସୁଛି
![](/media/images/9.width-1440.jpg)
ଗୋଧି, ହରିଣ, ବାର୍ହା, କୁମ୍ଭୀର ଏବଂ ମାଛରଙ୍କା ପକ୍ଷୀ ପ୍ରାୟତଃ ଦେଖାଯାଆନ୍ତି
![](/media/images/10.width-1440_CeXYqC8.jpg)
ହେଲ୍ପ ଫାଉଣ୍ଡେସନ ଏକ ସ୍ଥାନୀୟ ନାଟକ ଦଳର ପୁନରୁଦ୍ଧାର କରିଛି। ଏହି ଦଳ ଦେବୀ ବୋନବିବିଙ୍କ କାହାଣୀ ଅଭିନୟ କରିଥାନ୍ତି। କିଂବଦନ୍ତୀ କହେ, ଦୁଖେ ନାମକ ଏକ ବାଳକକୁ କାଠ ଓ ମହୁ ଆଣିବା ବଦଳରେ ବାଘକୁ ଖୁଆଇ ଦେବା ଲାଗି ନିଆଯାଉଥିଲା, କିନ୍ତୁ ଦେବୀ ସେହି ବାଳକର ପ୍ରାର୍ଥନା ଶୁଣି ହସ୍ତକ୍ଷେପ କଲେ ଏବଂ ତା’ର ଜୀବନ ରକ୍ଷା କରିଥିଲେ
![](/media/images/11.width-1440.jpg)
ଅନ୍ୟସବୁ ବାଘଗୁଡ଼ିକ ଭଳି, ସୁନ୍ଦରବନର ବାଘଗୁଡ଼ିକ ମଧ୍ୟ ଧର୍ମନିରପେକ୍ଷ ଏବଂ ବିନା ବାଛବିଚାରରେ ସବୁ ସମ୍ପ୍ରଦାୟର ଲୋକମାନଙ୍କୁ ଖାଇଯାଆନ୍ତି । ତେଣୁ ହିନ୍ଦୁ ଓ ମୁସଲିମ ଉଭୟ ସମ୍ପ୍ରଦାୟର ଲୋକମାନେ ବୋନବିବିଙ୍କୁ ସୁରକ୍ଷା ପାଇଁ ପ୍ରାର୍ଥନା କରିଥାନ୍ତି। ଏଠାରେ ଦେବୀ ବାଘ ଉପରେ ବିଜୟ ହାସଲ କରିଛନ୍ତି
![](/media/images/12b.width-1440.jpg)
ପୁରୁଷ, ମହିଳା ଓ ଶିଶୁମାନଙ୍କର ଏକ ସ୍ଥିର ଗହଳି ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ଜରିଆରେ ଘାଟରେ ଗହଳି ଲଗାଇଛନ୍ତି। କିଛି ଲୋକ ସକାଳୁ ସକାଳୁ ଖରା ଖାଇବା ସହ ଦାନ୍ତ ଘଷିବା ଲାଗି ଆସିଛନ୍ତି, ଆଉ କିଛି ଗପସପ ହେବା, ବସି ବସି ଚିନ୍ତା କରିବା, ତାସ ଖେଳିବା ଏବଂ ଯନ୍ତ୍ରଚାଳିତ ଡଙ୍ଗାଗୁଡ଼ିକୁ ଦେଖିବା ଲାଗି ଏକାଠି ହୋଇଛନ୍ତି
![](/media/images/Untitled-8_2.width-1440.jpg)
ଆଜି ଦିନର କାମ ସରିଯାଇଛି ଆଉ ଏବେ ଘରକୁ ଫେରିବାର ବେଳ
![](/media/images/13.width-1440.jpg)
ମହେଶ ରାମଚନ୍ଦାନୀ ମୁମ୍ବାଇରେ ଅବସ୍ଥାପିତ ଜଣେ ଟେଲିଭିଜନ ଓ ଚଳଚ୍ଚିତ୍ର ଲେଖକ। ତାଙ୍କର ଫଟୋ ଉଠାଇବା ସଉକ ମଧ୍ୟ ରହିଛି
ଅନୁବାଦ: ଓଡ଼ିଶାଲାଇଭ୍