ଟକ୍‌-ଟକ୍‌-ଟକ୍‌ !

କୋଡ଼ାବାଟିପୁଡ଼ିର ଗୋଟିଏ ତାରପୁଲିନ ଘେରା କୁଡ଼ିଆ ଭିତରୁ ଭାସି ଆସୁଥିଲା ଏହି ଲୟବଦ୍ଧ ଧ୍ୱନି । ମୁଲାମପାକା ଭଦ୍ରରାଜୁ ଗୋଟିଏ ମାଟି ପାତ୍ରକୁ ଚେକ୍କା ସୁଟ୍ଟି ରେ ବାଡ଼େଇ ବାଡ଼େଇ ଗଢ଼ିବାରେ ଲାଗିଥିଲେ – ଚେକ୍କା ସୁଟ୍ଟି ହେଉଛି ଛୋଟ ହାତୁଡ଼ି ଭଳି କାଠର ଏକ ଉପକରଣ, ଯାହା ମାଟିପାତ୍ରକୁ ସଂପୂର୍ଣ୍ଣ ଗୋଲାକୃତି କରିବାରେ ଲାଗିଥାଏ ।

“ମାଟିପାତ୍ରର ତଳଭାଗକୁ ବନ୍ଦ କରିବା ଲାଗି ମୋଟା ଚେକ୍କା ସୁଟ୍ଟି ବ୍ୟବହାର କରାଯାଏ । ସାଧାରଣତଃ ବ୍ୟବହାର କରାଯାଉଥିବା ଏଇ ଗୋଟିକ ତଳଭାଗକୁ ଅଧିକ ମସୃଣ କରିବାରେ ଲାଗିଥାଏ । ପୂରା ପାତ୍ରଟିକୁ ମସୃଣ କରିବା ଲାଗି ସବୁଠାରୁ ପତଳା ଚେକ୍କା ସୁଟ୍ଟି ବ୍ୟବହାର କରାଯାଏ,” ଆବଶ୍ୟକତା ଅନୁସାରେ ହାତୁଡ଼ି ବଦଳାଇ କାମରେ ଲାଗିଥିବା ବେଳେ ଏହା ବୁଝାଇ ଦିଅନ୍ତି ୭୦ ବର୍ଷୀୟ ଭଦ୍ରରାଜୁ ।

ସେ କହନ୍ତି ଯେ ଏହି ପତଳା ଏବଂ ସାଧାରଣ ଆକାରର ହାତୁଡ଼ିକୁ ତାଳଗଛ ( Borassus flabellifer ) ଶାଖାରୁ ଏବଂ ମୋଟାଗୁଡ଼ିକ ଅର୍ଜୁନ ଗଛ ( Terminalia arjuna )ରୁ ତିଆରି ହୋଇଥାଏ । ସେ ସବୁଠାରୁ ପତଳା ଚେକ୍କା ସୁଟ୍ଟି ନେଇ କାମରେ ଲାଗନ୍ତି ଏବଂ ଏଥିରୁ ନିର୍ଗତ ଶବ୍ଦ ବେଶ୍ କ୍ଷୀଣ ହୋଇଯାଏ ।

ଗୋଟିଏ ୨୦ ଇଞ୍ଚ ବ୍ୟାସର ମାଟି ପାତ୍ରକୁ ଠିକ୍ ଆକାର ଦେବା ଲାଗି ତାଙ୍କୁ ପ୍ରାୟ ୧୫ ମିନିଟ୍ ଲାଗିଥାଏ । ଯଦି ପାତ୍ରର କୌଣସି ସ୍ଥାନ ଭାଙ୍ଗିଯାଏ ବା ଫାଟିଯାଏ, ତେବେ ସେ ତୁରନ୍ତ କାଦୁଅ ନେଇ ସେଥିରେ ଲଗାଇ ଦିଅନ୍ତି ଏବଂ ପୁଣି ବାଡ଼େଇ ବାଡ଼େଇ ଏହାକୁ ଠିକ୍ କରି ନିଅନ୍ତି ।

Mulampaka Bhadraraju uses a chekka sutti (left) to smoothen the pot.
PHOTO • Ashaz Mohammed
The bowl of ash (right) helps ensure his hand doesn't stick to the wet pot
PHOTO • Ashaz Mohammed

ମାଟିପାତ୍ରକୁ ମସୃଣ କରିବା ଲାଗି ମୁଲାମପାକା ଭଦ୍ରରାଜୁ ଗୋଟିଏ ଚେକ୍କା ସୁଟ୍ଟି (ବାମ) ବ୍ୟବହାର କରନ୍ତି । ଓଦା ପାତ୍ରରେ ହାତ ଲାଗି ନଯିବା ପାଇଁ ସେ ତାଙ୍କ ପାଖ ପାତ୍ରରେ ଥିବା ପାଉଁଶକୁ (ଡାହାଣ) କାମରେ ଲଗାନ୍ତି

ତାଙ୍କୁ ୧୫ ବର୍ଷ ହୋଇଥିବା ସମୟରୁ ଜଣେ କୁମ୍ଭାର ଭାବରେ କାମ କରିଆସୁଛନ୍ତି ଭଦ୍ରରାଜୁ । ସେ ଅନକାପାଲ୍ଲି ଜିଲ୍ଲାର କୋଡ଼ାବାଟିପୁଡ଼ି ଗାଁରେ ରହନ୍ତି । ଭଦ୍ରରାଜୁ କୁମ୍ମାରା ସଂପ୍ରଦାୟର ଏବଂ ଆନ୍ଧ୍ର ପ୍ରଦେଶରେ ଏହି ସଂପ୍ରଦାୟ ଅନ୍ୟାନ୍ୟ ପଛୁଆ ଜାତି (OBC) ତାଲିକାଭୁକ୍ତ ।

ସତୁରୀରୁ ଅଧିକ ବୟସର ଏହି କୁମ୍ଭାର ଜଣକ ୧୫  ବର୍ଷ ତଳେ କିଣିଥିବା ଗୋଟିଏ ଜମିରେ ଥିବା ପୋଖରୀରୁ ମାଟିକାଦୁଅ ସଂଗ୍ରହ କରନ୍ତି । ଏହି ଅଧା ଏକର ଜମିକୁ ସେ ସେତେବେଳେ ୧,୫୦,୦୦୦ ଟଙ୍କାରେ କିଣିଥିଲେ । ଏହା ସହିତ ବର୍ଷକୁ ପ୍ରାୟ ୪୦୦ କିଲୋଗ୍ରାମ ଏର୍ରା ମିଟ୍ଟି (ନାଲି ମାଟି) କିଣିବାରେ ସେ ୧,୦୦୦ ଟଙ୍କା ଖର୍ଚ୍ଚ କରନ୍ତି । ପଡ଼ୋଶୀ ଗାଁ କୋଟାଉରାଟାଲାର ଜଣେ ବାଲି, ମାଟି ଓ ଗୋଡ଼ି ବ୍ୟବସାୟୀଙ୍କ ପାଖରୁ ସେ ଏହାକୁ କିଣି ନିଜ ଜମିରେ ରଖନ୍ତି ।

ଏହି ଜମିରେ ସେ ନଡ଼ିଆ ଓ ତାଳ ପତ୍ରରେ ଦୁଇଟି କୁଡ଼ିଆ ଘର କରି ଛାତ ପାଇଁ ତାରପୁଲିନ ପକାଇ ଦେଇଛନ୍ତି । ଛାତ ଥିବାରୁ ଏହି କୁଡ଼ିଆରେ ସେ ବର୍ଷ ସାରା କାମ କରିପାରନ୍ତି ଏବଂ ବର୍ଷା ଋତୁରେ ତାଙ୍କ କାମ ବ୍ୟାହତ ହୁଏ ନାହିଁ । ଏଥିରୁ ଗୋଟିଏ କୁଡ଼ିଆ ଘରେ ସେ ମାଟି ପାତ୍ର ଗଢ଼ିବା ସହିତ ସେଗୁଡ଼ିକୁ ଆକାର ଦିଅନ୍ତି ଏବଂ ଛୋଟ କୁଡ଼ିଆଟିକୁ କଞ୍ଚା ମାଟିପାତ୍ର ପୋଡ଼ିବା ଲାଗି ବ୍ୟବହାର କରନ୍ତି । ସେ କହନ୍ତି, “ଆମ ପାଖରେ ୨୦୦ କି ୩୦୦ ପାତ୍ର ହୋଇଗଲେ ଆମେ ସେଗୁଡ଼ିକୁ (ଶୁଖିଲା କାଠ ଉପରେ ରଖି) ପୋଡ଼ି ଦେଉ ।” ଆଖପାଖର ଖୋଲାପଡ଼ିଆରୁ ଏହି କାଠ ସଂଗ୍ରହ କରାଯାଇଥାଏ । ସେ ଆହୁରି କହନ୍ତି, “ସେଗୁଡ଼ିକ (ମାଟିପାତ୍ରଗୁଡ଼ିକ) ସେହି କୁଡ଼ିଆ ଭିତରେ ହିଁ ଶୁଖିଥାଏ ।”

ସେ ଜମା କରିଥିବା ଟଙ୍କାରୁ ଏହି ଜମି କିଣିଥିଲେ । “ସେମାନେ (ସ୍ଥାନୀୟ ବ୍ୟାଙ୍କଗୁଡ଼ିକ) ମୋତେ ଋଣ ଦେଲେ ନାହିଁ । ଆଗରୁ ମୁଁ ସେମାନଙ୍କୁ ଅନେକ ଥର କହିଛି, କିନ୍ତୁ ସେମାନେ ମୋତେ ଋଣ ଦେଲେନାହିଁ ।” ସାହୁକାରମାନଙ୍କ ସହିତ କାରବାର କରିବାକୁ ସେ ପସନ୍ଦ କରନ୍ତି ନାହିଁ । କାରଣ ତାଙ୍କ କାମରୁ ମିଳୁଥିବା ଫଳରେ ଅନିଶ୍ଚିତତା ଲାଗି ରହିଥାଏ । ସେ ତିଆରି କରୁଥିବା ପ୍ରତି ୧୦ଟି ମାଟିପାତ୍ରରୁ ଗୋଟିଏ କି ଦୁଇଟି ଭାଙ୍ଗିଯାଏ । ତାଙ୍କ କୁଡ଼ିଆର ଗୋଟିଏ କୋଣରେ ଗଦା ହୋଇ ରହିଥିବା ଭଙ୍ଗା ଓ ଫଟା ପାତ୍ରଗୁଡ଼ିକୁ ଦେଖାଇ ସେ କହନ୍ତି, “ସବୁ ପାତ୍ରଗୁଡ଼ିକ ଠିକ୍ ଭାବରେ ଶୁଖେନାହିଁ, ଶୁଖାଇବା ବେଳେ ପାତ୍ରର କୌଣସି ଗୋଟିଏ ଅଂଶ ଭାଙ୍ଗିଯାଏ ।”

The master potter can finish shaping about 20-30 pots a day
PHOTO • Ashaz Mohammed
The master potter can finish shaping about 20-30 pots a day
PHOTO • Ashaz Mohammed

ଏହି ପ୍ରବୀଣ କୁମ୍ଭାର ଜଣକ ଦିନକୁ ୨୦ ରୁ ୩୦ ଟି ମାଟିପାତ୍ର ଗଢ଼ି ପାରନ୍ତି

ଆରମ୍ଭରୁ ଶେଷ ପର୍ଯ୍ୟନ୍ତ, ମାଟି ପାତ୍ର ଗଢ଼ିବା ପ୍ରକ୍ରିୟାରେ ତାଙ୍କୁ ପ୍ରାୟ ଗୋଟିଏ ମାସ ଲାଗିଯାଏ, ତାହା ବି ଦିନକୁ ପ୍ରାୟ ୧୦ ଘଣ୍ଟା କାମ କରିବା ପରେ । ମାଟିପାତ୍ରକୁ ବାଡ଼େଇବା ଅବ୍ୟାହତ ରଖିବା ସହିତ ମଝିରେ ମଝିରେ ନିଜ କଥାକୁ ବୁଝାଇବା ପାଇଁ କିଛି ସମୟ ପାଇଁ ଅଟକି ଯାଇ ସେ କହନ୍ତି, “ମୋ ସ୍ତ୍ରୀ ସାହାଯ୍ୟ କଲେ ଆମେ ଦିନକୁ ୨୦ରୁ ୩୦ଟି ପାତ୍ର (ନିର୍ଦ୍ଦିଷ୍ଟ ଆକାରରେ) ଗଢ଼ି ପାରିବୁ ।” ଗୋଟିଏ ମାସ ଶେଷ ବେଳକୁ ସେ ମୋଟ ୨୦୦ରୁ ୩୦୦ଟି ପାତ୍ର ଗଢ଼ି ଥାଆନ୍ତି ।

ତିନି ଝିଅ, ଗୋଟିଏ ପୁଅ ଓ ତାଙ୍କ ସ୍ତ୍ରୀଙ୍କ ସମେତ ତାଙ୍କର ଛଅଜଣିଆ ପରିବାର ଚଳିବା ପାଇଁ ଏହା ହିଁ ଏକମାତ୍ର ରୋଜଗାରର ପନ୍ଥା । “କେବଳ ଏଇ କାମ,” ସେ କହନ୍ତି, କରି ଘର ଖର୍ଚ୍ଚ ତୁଲାଇବା ସହିତ ସେ ତାଙ୍କର ପିଲାମାନଙ୍କ ବିବାହ କରାଇଛନ୍ତି ।

ବିଶାଖାପାଟଣା ଓ ରାଜମୁନ୍ଦ୍ରିର ପାଇକାରୀ ବିକ୍ରେତାମାନଙ୍କୁ ଭଦ୍ରରାଜୁ ତାଙ୍କ ମାଟିପାତ୍ର ବିକ୍ରି କରନ୍ତି । ଏହି ବ୍ୟବସାୟୀମାନେ ପ୍ରତି ସପ୍ତାହରେ ସେଠାକୁ ଆସି ଗାଁରେ ରହୁଥିବା ପ୍ରାୟ ୩୦ଟି କୁମ୍ମାରା ଙ୍କ ପାଖରୁ ପାତ୍ର କିଣି ନିଅନ୍ତି । ବଜାରରେ ଏହି ମାଟିପାତ୍ର ସବୁ ଭିନ୍ନ ଭିନ୍ନ ଉଦ୍ଦେଶ୍ୟରେ ବିକ୍ରି କରାଯାଏ: “ରାନ୍ଧିବା ପାଇଁ, ବାଛୁରୀକୁ ପାଣି ପିଆଇବା ପାଇଁ ଏବଂ ସେମାନଙ୍କର ଅନ୍ୟ ଯେ କୌଣସି ଆବଶ୍ୟକତା ପୂରଣ କରିବା ପାଇଁ,” କହନ୍ତି ଏହି କୁମ୍ଭକାର ।

“ବିଶାଖାପାଟଣାର ପାଇକାରୀ ବିକ୍ରେତାମାନେ ମାଟିପାତ୍ର ଗୋଟିକୁ ୧୦୦ ଟଙ୍କାରେ ଏବଂ ରାଜମୁନ୍ଦ୍ରିର ବିକ୍ରେତାମାନେ ୧୨୦ ଟଙ୍କାରେ କିଣି ନିଅନ୍ତି,” ଭଦ୍ରରାଜୁ କହନ୍ତି । ସେ ଆହୁରି କହନ୍ତି, “ଯଦି ସବୁ ଠିକ୍‌ରେ ଚାଲେ, ତେବେ ମୁଁ (ଗୋଟିଏ ମାସରେ) ୩୦,୦୦୦ ଟଙ୍କା ପାଇପାରେ ।”

ଦଶ ବର୍ଷ ତଳେ ଭଦ୍ରରାଜୁ ଗୋଆର ଏକ କଳା ଓ କାରିଗରୀ ଦୋକାନରେ କୁମ୍ଭାର ଭାବରେ କାମ କରୁଥିଲେ । “ଅନ୍ୟ ଅନେକ ରାଜ୍ୟର ଲୋକେ ସେଠାରେ ରହିଥିଲେ ଏବଂ ସେମାନେ ଭିନ୍ନ ଭିନ୍ନ କାରିଗରୀ କରୁଥିଲେ,” ସେ କହନ୍ତି । ତାଙ୍କୁ ଗୋଟିଏ ମାଟିପାତ୍ର ପିଛା ୨୦୦ରୁ ୨୫୦ ଟଙ୍କା ମିଳୁଥିଲା । “କିନ୍ତୁ ସେଠାକାର ଖାଦ୍ୟ ମୋ ପାଇଁ ଅନୁପଯୁକ୍ତ ଥିଲା ଏବଂ ତେଣୁ ମୁଁ ଛଅ ମାସ ରହିବା ପରେ ସେଠାରୁ ଚାଲି ଆସିଲି,” ସେ କହନ୍ତି ।

Manepalli switched to a electric wheel five years ago
PHOTO • Ashaz Mohammed

ପାଞ୍ଚ ବର୍ଷ ତଳେ ମାନେପାଲ୍ଲି ବିଦ୍ୟୁତଚାଳିତ ଚକକୁ ଆଦରି ନେଲେ

'୬-୭ ବର୍ଷ ତଳେ ମୋ ପାକସ୍ଥଳୀରେ ଘା’ ହୋଇଯାଇଥିଲା,' ମାନେପାଲ୍ଲି କହନ୍ତି । ହାତଚାଳିତ ଚକ ଘୂରାଇବା ଯୋଗୁଁ ମୋର ଯନ୍ତ୍ରଣା ହେଲା ଏବଂ ସ୍ୱୟଂଚାଳିତ ମେସିନ୍ ଚକରେ ଯନ୍ତ୍ରଣା ହୁଏ ନାହିଁ । କୁମ୍ମାରା ସଂପ୍ରଦାୟର ଏହି ୪୬ ବର୍ଷୀୟ ବ୍ୟକ୍ତି ଜଣକ କିଶୋର ବୟସରୁ ଏହି କାମ କରିଆସୁଛନ୍ତି

ତାଙ୍କ ଘରଠାରୁ ମାତ୍ର କେଇ ମିଟର ଦୂରରେ କାମେଶ୍ୱରରାଓ ମାନେପାଲ୍ଲିଙ୍କ ଘର । ସେ ମଧ୍ୟ ଜଣେ କୁମ୍ଭାର । ଏଠାରେ ଚେକ୍କା ସୁଟ୍ଟି ର କର୍କଶ ଶବ୍ଦ ବଦଳରେ ମେସିନ୍ ଚାଳିତ ଚକ ଘୂରିବାର କୋମଳ ଘରଘର ଶବ୍ଦ ଶୁଭେ । ଏହି ମେସିନ୍‌ ହିଁ ଚକ ଉପରେ ମାଟିପାତ୍ରକୁ ଆକାର ଦେଇଥାଏ ।

ଗାଁର ସବୁ କୁମ୍ଭକାରମାନେ ମେସିନ୍‌ ଚାଳିତ ଚକ ଲଗାଇ ସାରିଛନ୍ତି । ଭଦ୍ରରାଜୁ ଏକମାତ୍ର ବ୍ୟକ୍ତି ଯେ କି ଏବେ ବି ହାତରେ ଚକା ଘୂରାଇବାରେ ଲାଗିଛନ୍ତି ଏବଂ ଯନ୍ତ୍ରଚାଳିତ ଚକ ଦିଗରେ ଆଦୌ ଆଗ୍ରହୀ ନୁହଁନ୍ତି । “ମୋତେ ୧୫ ବର୍ଷ ହୋଇଥିବା ସମୟରୁ ମୁଁ ଏହି କାମ କରିଆସୁଛି,” ସେ କହନ୍ତି । କଥା ଯୋଡ଼ି ସେ କହନ୍ତି ଯେ, ଦୀର୍ଘ ସମୟ ଧରି ପରିଶ୍ରମ କରିବା ଅଭ୍ୟାସ ତାଙ୍କର ଅଛି । ମେସିନ ଚାଳିତ ଚକଗୁଡ଼ିକରେ ଛୋଟ ଛୋଟ ପାତ୍ର ତିଆରି କରାଯାଇପାରିବ ଏବଂ ଭଦ୍ରରାଜୁ ଗଢୁଥିବା ୧୦ ଲିଟର ପାଣି ଧରିବା ଭଳି ପାରମ୍ପରିକ ପାତ୍ର କରାଯାଇପାରିବ ନାହିଁ ।

ଖରାପ ସ୍ୱାସ୍ଥ୍ୟ ଏବଂ ଅସ୍ତ୍ରୋପଚାର ପରବର୍ତ୍ତୀ ଶାରୀରିକ ଅବସ୍ଥା ଯୋଗୁଁ ପାଞ୍ଚ ବର୍ଷ ତଳେ, ଅନ୍ୟ ଅନେକ ବୟସ୍କ କୁମ୍ଭକାରଙ୍କ ଭଳି ମାନେପାଲ୍ଲି ଗୋଟିଏ ମେସିନ ଚାଳିତ ଚକ ବସାଇଲେ । “୬-୭ ବର୍ଷ ହେଲା ମୋ ପାକସ୍ଥଳୀରେ ଘା’ ବା ଅଲସର୍ ହୋଇଯାଇଥିଲା,” ସେ କହନ୍ତି । ହାତରେ ଚକ ଘୂରାଇବା ବେଳେ ସେ ଯନ୍ତ୍ରଣା ଅନୁଭବ କରୁଥିଲେ । ସ୍ୱୟଂଚାଳିତ ମେସିନ୍ ଚକରେ ଯନ୍ତ୍ରଣା ହୁଏ ନାହିଁ ।

“ମୁଁ ୧୨,୦୦୦ ଟଙ୍କାରେ ଏହି ମେସିନ୍‌ ଚାଳିତ କୁମ୍ଭାର ଚକ କିଣିଥିଲି । ଏହା ନଷ୍ଟ ହୋଇଯିବା ପରେ, ଖଦୀ ଓ ଗ୍ରାମୀଣ ସୋସାଇଟିରୁ ମୋତେ ମାଗଣାରେ ଗୋଟିଏ ଚକ ମିଳିଲା । ଏହି ଚକରେ ମୁଁ ଏବେ ପାତ୍ର ତିଆରି କରୁଛି ।”

Left: Manepalli’s batch of pots being baked.
PHOTO • Ashaz Mohammed
Right: He holds up a clay bottle he recently finished baking
PHOTO • Ashaz Mohammed

ବାମ : ମାନେପାଲ୍ଲିଙ୍କ ମାଟିପାତ୍ରଗୁଡ଼ିକ ପୋଡ଼ା ହେଉଛି । ଡାହାଣ : ନିକଟରେ ପୋଡ଼ା ଶେଷ ହୋଇଥିବା ଏକ ମାଟି ବୋତଲକୁ ସେ ହାତରେ ଧରିଛନ୍ତି

“ଏହି ସାଧାରଣ (ଛୋଟ) ପାତ୍ରଗୁଡ଼ିକ ୫ ଟଙ୍କାରେ ବିକ୍ରି ହୁଏ । ଏହା ଉପରେ ଆପଣ ୟଦି କୌଣସି ଡିଜାଇନ କରିବେ ତେବେ ଏହାର ମୂଲ୍ୟ ୨୦ ଟଙ୍କା ହେବ,” ସେ କହନ୍ତି । ଏଭଳି ପାତ୍ରଗୁଡ଼ିକ କେବଳ ସାଜସଜ୍ଜା କାମରେ ଲାଗେ ବୋଲି ସେ ସୂଚାଇ ଦିଅନ୍ତି । କୁମ୍ମାରା ସଂପ୍ରଦାୟର ଏହି ୪୬ ବର୍ଷୀୟ ବ୍ୟକ୍ତି ଜଣକ କିଶୋର ବୟସରେ ତାଙ୍କ ବାପାଙ୍କ ସହିତ ଏହି କାମ କରୁଥିଲେ । ୧୫ ବର୍ଷ ତଳେ ତାଙ୍କ ବାପାଙ୍କ ମୃତ୍ୟୁ ପରଠାରୁ ବି ସେ ଏହି କାମ ଅବ୍ୟାହତ ରଖିଛନ୍ତି ।

ତିନି ପିଲା, ସ୍ତ୍ରୀ ଓ ମାଆଙ୍କ ସମେତ ତାଙ୍କର ଛଅ ଜଣିଆ ପରିବାରରେ ମାନେପାଲ୍ଲି ଏକମାତ୍ର ଉପାର୍ଜନକାରୀ ବ୍ୟକ୍ତି । “ମୁଁ ସବୁଦିନ କାମ କଲେ ମାସକୁ ୧୦,୦୦୦ (ଟଙ୍କା) ରୋଜଗାର କରେ । ମାଟିପାତ୍ର ପୋଡ଼ିବା ପାଇଁ ଅଙ୍ଗାର ବାବଦରେ ପ୍ରାୟ  ୨,୦୦୦ ଟଙ୍କା ଖର୍ଚ୍ଚ ହୁଏ । ଏହା ବାଦ୍ ମୋ ପାଖରେ କେବଳ ୮,୦୦୦ ଟଙ୍କା ରହେ ।”

ଦୁର୍ବଳ ସ୍ୱାସ୍ଥ୍ୟ କାରଣରୁ ଏହି ପ୍ରବୀଣ କୁମ୍ଭାର ଜଣକ ପ୍ରାୟତଃ ସବୁଦିନ କାମ କରିପାରନ୍ତି ନାହିଁ ଏବଂ ବେଳେବେଳେ ସାରା ଦିନ ବିଶ୍ରାମ ନିଅନ୍ତି । ଅନ୍ୟ କୌଣସି କାମ କରନ୍ତି କି ନାହିଁ ବୋଲି ପ୍ରଶ୍ନର ଉତ୍ତରରେ ସେ କହନ୍ତି, “ଆଉ ମୁଁ ବା କ’ଣ କରିପାରିବି ?” ଆଉ କଥା ଯୋଡ଼ନ୍ତି, “ଏହା ହିଁ ମୋର ଏକମାତ୍ର କାମ ।”

ଅନୁବାଦ: ଓଡ଼ିଶାଲାଇଭ୍‍

Student Reporter : Ashaz Mohammed

আশাজ মহম্মদ অশোকা বিশ্ববিদ্যালয়ের ছাত্র। ২০২৩ সালে পারির সঙ্গে ইন্টার্নশিপ চলাকালীন এই প্রতিবেদনটি লেখেন তিনি।

Other stories by Ashaz Mohammed
Editor : Sanviti Iyer

সম্বিতি আইয়ার পিপল্‌স আর্কাইভ অফ রুরাল ইন্ডিয়ার কনটেন্ট কোঅর্ডিনেটর। স্কুলপড়ুয়াদের সঙ্গে কাজ করে তাদের ভারতের গ্রামসমাজ সম্পর্কে তথ্য নথিবদ্ধ করতে তথা নানা বিষয়ে খবর আহরণ করার প্রশিক্ষণেও সহায়কের ভূমিকা পালন করেন তিনি।

Other stories by Sanviti Iyer
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE