“ଝରିଆରେ ମୋ ଘରେ ଗତ ୪-୫ ମାସ ହେଲା କରେଣ୍ଟ ନ ଥିଲା। ମୋର ଦୁଇ ଭାଇ ଭଉଣୀ ଏବଂ ମୁଁ ଗୋଟିଏ ଟର୍ଚ୍ଚ ସାହାଯ୍ୟରେ ଟିକେ ଟିକେ ପାଠ ପଢ଼ୁ, ହେଲେ ୩୦-୪୫ ମିନିଟ୍ ପରେ ଟର୍ଚ୍ଚକୁ ପୁଣି ଥରେ ଚାର୍ଜ କରିବାକୁ ପଡ଼େ।”

ସାନ୍ତାଳ ଆଦିବାସୀ ସମୁଦାୟର ୧୩ ବର୍ଷର ଝିଅ ସୋମବାରି ବାସ୍କେ। ଭାଟିନ୍ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ସେ ପଢ଼ୁଛି, ସେ ବିଦ୍ୟାଳୟ ଶେଷ କରିବାକୁ ସଂକଳ୍ପବଦ୍ଧ। “ମୁଁ ଭଲ ପାଠ ପଢ଼ିବାକୁ ଚାହେଁ। ମୋର କେବଳ ସେଇଟା ହିଁ ସ୍ୱପ୍ନ।”

ଜାଦୁଗୋରା ବ୍ଲକ୍ ଅନ୍ତର୍ଗତ ଗୋଟିଏ ଗାଁ ହେଉଛି ଝରିଆ। ଜନସଂଖ୍ୟା ପାଖାପାଖି ୧୦୦୦ ହେବ। ସାକ୍ଷରତା ହାର ହେଉଛି ୫୯ ପ୍ରତିଶତ ଯାହାକି ଝାଡ଼ଖଣ୍ଡର ହାରାହାରି ପ୍ରତିଶତ ୬୬ରୁ ବି କମ୍। ପୂର୍ବ ସିଂହଭୂମ ଜିଲ୍ଲାରେ ଝରିଆରେ ହିଁ କେବଳ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଅଛି, ତେଣୁ ସୋମବାରି ଘରଠାରୁ ଚାରି କିଲୋମିଟର ଦୂର ମଧ୍ୟ ଇଂରାଜୀ ବିଦ୍ୟାଳୟକୁ ଯାଏ।

ଏହି ରିପୋର୍ଟର୍ ପାଖ ଗାଁ ଖରିଆ କୋଚାକୁ ଯାଇଥିବା ସମୟରେ, ଛୋଟ ଝିଅ ସୋମବାରି ହିଁ ଆଗେଇ ଆସି ମୋ ପାଇଁ ଶବର ଭାଷାରୁ ହିନ୍ଦୀ ଅନୁବାଦକର କାମ କରିଥିଲା। ପୂର୍ବ ସିଂହଭୂମ ଜିଲ୍ଲାର ଶବର ସମୁଦାୟର ଲୋକମାନଙ୍କ ସହ କଥାବାର୍ତ୍ତା କରିବା ସମୟରେ ସେ ମୋତେ ସାହାଯ୍ୟ କରିଥିଲା। ତାର ମାତୃଭାଷା ସାନ୍ତାଳୀ ବ୍ୟତୀତ ସୋମବାରି ଶବର, ହୋ, ହିନ୍ଦୀ ଏବଂ ବଙ୍ଗଳା ଭାଷା ଜାଣିଛି।

The entrance of Bhatin Middle School
PHOTO • Rahul

ଭାଟିନ ମଧ୍ୟ ଇଂରାଜୀ ସ୍କୁଲର ପ୍ରବେଶଦ୍ୱାର

ହିନ୍ଦୀରେ ସେ ମୋତେ କହିଲା, କେମିତି ସେ ଟର୍ଚ୍ଚକୁ ଚାର୍ଜ କରିବା ପାଇଁ ତା ଘରଠାରୁ ପ୍ରାୟ ଏକ କିଲୋମିଟର ଦୂର ଖରିଆ କୋଚାକୁ ଧାଁ ଧପଡ଼ କରେ।

*****

‘‘ଆମେ ଠିକ୍ ସମୟରେ ବିଲ୍ ଦେଇ ପାରିଲୁ ନାହିଁ। ସେଥିପାଇଁ ଆମର ଲାଇନ୍ କଟିଗଲା। ସେମାନେ (ବିଦ୍ୟୁତ୍ ବିଭାଗ) ମୋ ଜେଜେବାପା ଗୁରାଇ ବାସ୍କେଙ୍କ ନାଁରେ ୧୬, ୭୪୫ ଟଙ୍କାର ବିଲ୍ ପଠେଇଥିଲେ। ଆମେ ଏତେ ଟଙ୍କା କୋଉଠୁ ଆଣିବୁ?”

“ସେଥିପାଇଁ ଆମର ଲାଇନ୍ କଟିଗଲା’’।

“ଆମ ଗାଁରେ ଖାଲି ଅଳ୍ପ କେତେଟା ଘରେ ବିଦ୍ୟୁତ୍ ସଂଯୋଗ ଅଛି। କିନ୍ତୁ ଆମେ ଯଦି ତାଙ୍କ ଘରେ ଟର୍ଚ୍ଚ କି ମୋବାଇଲ୍ ଚାର୍ଜ କରୁଛୁ ସେମାନେ ରାଗି ଯାଉଛନ୍ତି। ସେଥିପାଇଁ ମୁଁ ପାଖ ଗାଁ ଖରିଆ କୋଚାକୁ ଟର୍ଚ୍ଚ ଚାର୍ଜ କରିବାକୁ ଯାଉଛି। ସେଇ ଗାଁରେ କେହି ବି ଶବର ଆଦିବାସୀ ଘରେ ମୁଁ ଟର୍ଚ୍ଚକୁ ଚାର୍ଜ କରିବାକୁ ବସେଇ ଦିଏ ଆଉ ଘରକୁ ଫେରିଆସେ।”

Sombari standing with her parents, Diwaram and Malati Baske in front of their home in Jharia village in Purbi Singhbhum district of Jharkhand
PHOTO • Rahul

ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲାର ଝରିଆ ଗାଁରେ ସେମାନଙ୍କ ଘର ଆଗରେ ନିଜ ବାପା ଦିୱାରାମ ଏବଂ ମାଳତୀ ବାସ୍କେଙ୍କ ସହିତ ସୋମବାରୀ ଠିଆ ହୋଇଛି

‘ଆମ ଗାଁରେ ଖାଲି ଅଳ୍ପ କେତେଟା ଘରେ ଲାଇନ୍ ଅଛି। ମୁଁ ଆମ ଗାଁଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ଖରିଆ କୋଚା ଗାଁକୁ ଟର୍ଚ୍ଚ ଚାର୍ଜ କରିବାକୁ ଯାଉଛି, ନ କଲେ ଆମେ ପାଠ ପଢ଼ିପାରିବୁ ନାହିଁ’

“ତା’ପରେ ମୁଁ ବାପା କି ଦାଦା ମାର୍କେଟରୁ ଘରକୁ ଫେରିବାକୁ ଅପେକ୍ଷା କରେ, କାହିଁକି ନା ମୁଁ ତାଙ୍କ ସାଇକେଲ ନେଇକି ଟର୍ଚ୍ଚ ଆଣିବାକୁ ଯାଏ। ଟର୍ଚ୍ଚ ପୂରା ଚାର୍ଜ ହେବାକୁ ୩-୪ ଘଣ୍ଟା ସମୟ ଲାଗେ। ଯେମିତି ମୋ ହାତରେ ସାଇକେଲ ପଡ଼େ ମୁଁ ସଙ୍ଗେ ସଙ୍ଗେ ଟର୍ଚ୍ଚ ଆଣିବାକୁ ବାହାରି ଯାଏ। ମୁଁ ସବୁଦିନ ସକାଳେ ଟର୍ଚ୍ଚ ଚାର୍ଜ ନ କଲେ ଆମେ ପାଠ ପଢ଼ି ପାରିବୁନି। ମୋ ବଡ଼ ଭଉଣୀ ରତନୀ ୧୦ମ ଶ୍ରେଣୀରେ ପଢ଼େ ଆଉ ମୋ ସାନ ଭାଇ ଜିତୁ ତୃତୀୟ ଶ୍ରେଣୀରେ ପଢ଼େ।”

“ଆମେ ପ୍ରାୟ ସମୟ ଖରିଆ କୋଚା ଯାଇ ପାରୁନୁ। ସେଇ ସବୁ ଦିନ ଆମେ ବ୍ୟାଟେରୀରେ ଥିବା ବଳକା ଚାର୍ଜରେ ଡିମ୍ ଲାଇଟରେ ନ ହେଲେ କ୍ୟାଣ୍ଡେଲ୍ ଜଳାଇ ପାଠ ପଢ଼ୁ।”

*****

ଭାଟିନ ଏବଂ ଝରିଆ ଭଳି ବହୁ ଆଖପାଖ ଗାଁରୁ ଭାତିନ ମଧ୍ୟ ଇଂରାଜୀ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ଆସନ୍ତି। ୨୩୨ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ଭାଗ ଆଦିବାସୀ ସମୁଦାୟର ଅଟନ୍ତି। ସୋମବାରିର ସ୍କୁଲର ପ୍ରଧାନ ଶିକ୍ଷକ ଦିନେଶ ଚନ୍ଦ୍ର ଭଗତ କହନ୍ତି, “ଆମେ ମଧ୍ୟାହ୍ନ ଭୋଜନ ଦେଉଛୁ। ଯୋଉଁ ଦିନ ଅଣ୍ଡା କିମ୍ୱା ଫଳ ଦିଆ ହେଉଛି ସେଦିନ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଆସୁଛନ୍ତି।”

ଝାଡ଼ଖଣ୍ଡ ସରକାର ଝାଡ଼ଖଣ୍ଡ ଶିକ୍ଷା ପ୍ରକଳ୍ପ ପରିଷଦ ଅଧୀନରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ୟୁନିଫର୍ମ ଯୋଗାଇ ଦେଉଛନ୍ତି। ପ୍ରଥମରୁ ପଞ୍ଚମ ଶ୍ରେଣୀର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଗୋଟିଏ ସେଟ୍ ୟୁନିଫର୍ମ, ଜୋତା ଏବଂ ସକ୍ସ କିଣିବା ପାଇଁ ସରକାର ୬୦୦ ଟଙ୍କା ଦେଉଛନ୍ତି। ସେହିଭଳି, ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପୋଷାକ ପାଇଁ ୪୦୦ ଟଙ୍କା, ଗୋଟିଏ ସ୍ୱେଟର ପାଇଁ ୨୦୦ ଟଙ୍କା ଏବଂ ହଳେ ଜୋତା ଏବଂ ସକ୍ସ ପାଇଁ ୧୬୦ ଟଙ୍କା ଦେଉଛନ୍ତି।

Dinesh Chandra Bhagat, the headmaster of Bhatin Middle School in Jadugora block of Purbi Singhbhum district in Jharkhand.
PHOTO • Rahul
Sombari with her classmates in school
PHOTO • Rahul

ବାମ: ଦିନେଶ ଚନ୍ଦ୍ର ଭଗତ, ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲାର ଯାଦୁଗୋରା ବ୍ଲକର ଭାଟିନ୍ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ. ଡାହାଣ: ସ୍କୁଲରେ ସାଙ୍ଗମାନଙ୍କ ସହିତ ସୋମବାରୀ

ଏହି ଯୋଜନା ଅନ୍ତର୍ଗତ ବକେୟା ଟଙ୍କା ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍ (ଡିବିଟି) ଜରିଆରେ ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବା ଉଚିତ। ହେଲେ, ପ୍ରଧାନଶିକ୍ଷକଙ୍କ କହିବା ଅନୁଯାୟୀ ତାଙ୍କ ସ୍କୁଲର କେବଳ ୬୦ ପ୍ରତିଶତ ପିଲା ୟୁନିଫର୍ମ କିଣିବା ପାଇଁ ଟଙ୍କା ପାଇଛନ୍ତି।

ଝରିଆରେ, ମୋଟ ଜନସଂଖ୍ୟାର ୯୪.୩୯ ପ୍ରତିଶତ ଲୋକ ସାନ୍ତାଳ, ମୁଣ୍ଡା, ତନ୍ତୀ ଏବଂ କମାର ସମୁଦାୟର ଅଟନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାଗ ୯୪ ପ୍ରତିଶତ ସାନ୍ତାଳ ସମୁଦାୟର। ଅଧିକାଂଶ ଲୋକେ ଦିନ ମଜୁରିଆ ଭାବରେ କାମ କରନ୍ତି ଏବଂ କିଛି ଲୋକଙ୍କର ଅଳ୍ପ ପରିମାଣରେ ଜମି ଅଛି ଯେଉଁଠି ସେମାନେ ନିଜ ପରିବାର ଲୋକଙ୍କ ପାଇଁ ଧାନ ଚାଷ କରନ୍ତି। ସେହି ଜମିଗୁଡ଼ିକରେ ଜଳସେଚନ ପାଇଁ ଲୋକମାନେ ବର୍ଷା ଉପରେ ନିର୍ଭରଶୀଳ।

“ମୋ ବାପା, ଦିୱାରାମ ବାସ୍କେ ଜଣେ ଦିନ ମଜୁରିଆ ଏବଂ ସେ ଅଣ୍ଡରଗ୍ରାଉଣ୍ଡ କେବୁଲ ପାଇଁ ମାଟି ଖୋଳିବା କାମ କରନ୍ତି। ଯେଉଁଦିନ ତାଙ୍କୁ କାମ ମିଳେ ସେ ୩୦୦-୩୫୦ ଟଙ୍କା ରୋଜଗାର କରନ୍ତି। ଆମ ପରିବାର ତାଙ୍କ ପାରିଶ୍ରମିକ ଉପରେ ନିର୍ଭର କରେ। ମୋ ଜେଜେବାପାଙ୍କର ପାଖାପାଖି ସାତ ବିଘା ଜମି ଅଛି, ହେଲେ ସେସବୁ ପଥୁରିଆ ଜମି।”

“ମୋ ମାଆ ମାଳତୀ ବାସ୍କେ ଘରକାମ କରେ ଏବଂ ଜାଳେଣି କାଠ ଗୋଟେଇବା ପାଇଁ ଜଙ୍ଗଲକୁ ଯାଏ। ସେ ନ ଥିଲେ, ମୁଁ ଘରକାମ କରେ ଏବଂ ସେଥିପାଇଁ ମୁଁ ବେଳେବେଳେ ସ୍କୁଲ ଯାଇପାରେ ନାହିଁ। ମୋ ମାଆ ବବଲୁ ଦାଦାଙ୍କ ଜଳଖିଆ ଦୋକାନରେ ମଧ୍ୟ ରନ୍ଧାକାମ କରେ। ଭଲ ବିକ୍ରି ହେଲେ ଦିନକୁ ସେ ୫୦-୬୦ ଟଙ୍କା ପାଏ। ମୋ ବାପାଙ୍କର ଯେତେବେଳେ କାମ ନ ଥାଏ ସେ ବବଲୁ ଦାଦାଙ୍କୁ ସାହାଯ୍ୟ କରନ୍ତି। ଦାଦା ଆମ ସମୁଦାୟର ନୁହଁନ୍ତି କିନ୍ତୁ ସେ ଆମ ଘରର ଜଣେ ଲୋକ ଭଳି।”

Morning school assembly at Bhatin Middle School
PHOTO • Rahul

ଭାଟିନ୍ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ସକାଳ ପ୍ରାର୍ଥନାସଭା

ସ୍କୁଲ ଶିକ୍ଷା ଉପରେ ଗ୍ଲୁମ୍ ଇନ ଦ କ୍ଲାସରୁମ୍: ଦ ସ୍କୁଲିଙ୍ଗ କ୍ରାଇସେସ୍ ଇନ୍ ଝାଡଖଣ୍ଡ ରିପୋର୍ଟ ଅନୁଯାୟୀ କୋଭିଡ୍-୧୯ ସମୟରେ, ସରକାରୀ ସ୍କୁଲରେ ପଢ଼ୁଥିବା ୮୭ ପ୍ରତିଶତ ପିଲାଙ୍କ ପାଖରେ ସ୍ମାର୍ଟଫୋନ୍ ନ ଥିଲା। ଅର୍ଥନୀତିଜ୍ଞ ଜିନ୍ ଡ୍ରେଜେ ପରୀକୁ କହିଛନ୍ତି, “କୋଭିଡ୍ ସଂକଟ ସମୟରେ, ଗରିବ ଏବଂ ଅବହେଳିତ ଆଦିବାସୀ ପିଲାମାନଙ୍କୁ ସ୍କୁଲ-ଶିକ୍ଷା ବ୍ୟବସ୍ଥା ଅସହାୟ ଅବସ୍ଥାରେ ଛାଡ଼ି ଦେଇଥିଲା। ଆମେ ସଂପୂର୍ଣ୍ଣ ଭାବରେ ଅନଲାଇନ୍ ଶିକ୍ଷା ବ୍ୟବସ୍ଥା ଉପରେ ନିର୍ଭରଶୀଳ ହୋଇ ପଡ଼ିଲୁ ଏବଂ ଏହା ଗରିବ ପିଲାମାନଙ୍କ ପାଇଁ ଅନ୍ୟାୟ ଥିଲା।”

*****

“ଡିସେମ୍ୱର ମାସ ଯେତେବେଳେ ଆରମ୍ଭ ହୋଇଥିଲା ମୁଁ ମୋ ସ୍କୁଲ୍ ତରଫରୁ ହେଉଥିବା ପିକନିକରେ ଯାଇପାରିବି କି ନାହିଁ ଭାବି ଟିକିଏ ବ୍ୟସ୍ତ ହୋଇପଡ଼ିଥିଲି। ମୁଁ ମୋ ସାଙ୍ଗମାନଙ୍କ ସହିତ ଜାମଶେଦପୁରର ଦିମନା ଡ୍ୟାମ୍ ଦେଖିବାକୁ ଯିବାକୁ ଚାହୁଁଥିଲି। ହେଲେ ସେଥିପାଇଁ ୨୦୦ ଟଙ୍କା ଦେବାର ଥିଲା। ହେଲେ ଘରେ ସେତିକି ଟଙ୍କା ବି ନ ଥିଲା। ସେଥିପାଇଁ ମୁଁ ବାପାମାଆଙ୍କୁ ଟଙ୍କା ମାଗିଲିନି। ମୁଁ ଜଣଙ୍କ କ୍ଷେତରେ ଧାନ ଅମଳ ବେଳେ କାମ କରି ଦିନକୁ ୧୦୦ଟଙ୍କା ରୋଜଗାର କରିଥିଲି। ସେମିତି କଷ୍ଟରେ କାମ କରି ମୁଁ ୨୦୦ ଟଙ୍କା ଜମା କରିଥିଲି ଆଉ ମୁଁ ନିଜେ ମୋର ପିକନିକ୍ ପାଇଁ ଟଙ୍କା ଦେଲି। ମୋ ସାଙ୍ଗମାନଙ୍କ ସହିତ ଡ୍ୟାମ୍ ବୁଲି ମୋତେ ବହୁତ ମଜା ଲାଗିଲା।”

“କରୋନା ମହାମାରୀ ସମୟରେ ଆମ ସ୍କୁଲ୍ ବନ୍ଦ ହୋଇଯାଇଥିଲା, ଗତ ବର୍ଷ ହିଁ ସ୍କୁଲ୍ ଖୋଲିଲା। ଲକଡାଉନବେଳେ ମୁଁ ଠିକ୍‌ରେ ପଢ଼ି ପାରିଲିନି। ଗତ ପରୀକ୍ଷାରେ ମୋର ଭଲ ମାର୍କ ଆସି ନ ଥିଲା। ହେଲେ ଏଥର ମୁଁ ବହୁତ ପରିଶ୍ରମ କରୁଛି ଆଉ ଭଲ ମାର୍କ ଆଣିବାକୁ ଚେଷ୍ଟା କରୁଛି।”

“ଏ ବର୍ଷ ମୋ ପରୀକ୍ଷା ସରିଗଲେ ମୁଁ ଯାଦୁଗୋରା ଯାଇ ଆହୁରି ଆଗକୁ ପଢ଼ିବି। ଯାଦୁଗୋରା ଆମ ଗାଁଠୁ ୭-୮ କିଲୋମିଟର ଦୂର। ମୁଁ ସେଠି ହାଇ ସ୍କୁଲରେ ନାଁ ଲେଖେଇବି।”

“ମୁଁ ବଡ଼ ଜଣେ ପୋଲିସ ଅଫିସର ନ ହେଲେ ଓକିଲ ହେବାକୁ ଚାହୁଁଛି।”

ଅନୁବାଦ : ଓଡ଼ିଶାଲାଇଭ୍‍

Rahul

রাহুল সিং ঝাড়খণ্ড-নিবাসী স্বতন্ত্র সাংবাদিক। তিনি পূর্বভারতের ঝাড়খণ্ড, বিহার ও পশ্চিমবঙ্গ থেকে পরিবেশ সংক্রান্ত খবরাখবর পরিবেশন করেন।

Other stories by Rahul
Editor : Devesh

দেবেশ একজন কবি, সাংবাদিক, চলচ্চিত্র-নির্মাতা ও অনুবাদক। তিনি পিপলস্ আর্কাইভ অফ রুরাল ইন্ডিয়ার হিন্দি সম্পাদক ও হিন্দি অনুবাদ-সম্পাদক।

Other stories by Devesh
Editor : Sanviti Iyer

সম্বিতি আইয়ার পিপল্‌স আর্কাইভ অফ রুরাল ইন্ডিয়ার কনটেন্ট কোঅর্ডিনেটর। স্কুলপড়ুয়াদের সঙ্গে কাজ করে তাদের ভারতের গ্রামসমাজ সম্পর্কে তথ্য নথিবদ্ধ করতে তথা নানা বিষয়ে খবর আহরণ করার প্রশিক্ষণেও সহায়কের ভূমিকা পালন করেন তিনি।

Other stories by Sanviti Iyer
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE