“ତିନିଟି ଟ୍ରାକ୍ଟର, ଛଅଟି ଟ୍ରାକ୍ଟର ଟ୍ରଲି ଏବଂ ୨ରୁ ୩ଟି କାର୍, ଜାନୁଆରୀ ୨୪ ସକାଳେ ଆମ ଗାଁରୁ ଦିଲ୍ଲୀ ଯିବାକୁ ବାହାରିବ,” ହରିୟାଣାର କନ୍ଦରୌଲି ଗାଁର ଚିକୁ ଢାଣ୍ଡା କହିଲେ । ଏହି ୨୮ବର୍ଷୀୟ କୃଷକ ଜଣକ ଆହୁରି କହିଲେ କି “ଆମେ ଟ୍ରାକ୍ଟର ରାଲିରେ ଯୋଗ ଦେବାକୁ ଯାଉଛୁ । ମୁଁ ମୋ ନିଜ ଟ୍ରାକ୍ଟର ଚଲାଇ ଦିଲ୍ଲୀ ଯିବି।”
ହରିଆଣା-ଦିଲ୍ଲୀ ସୀମାବର୍ତ୍ତୀ ସିଂଘୁକୁ ଚିକୁଙ୍କର ଏହା ଷଷ୍ଠ ଯାତ୍ରା। ସବୁ ଥର ସେ ୨୦୨୦ ସେପ୍ଟେମ୍ବରେ ସଂସଦରେ ଗୃହୀତ କୃଷି ଆଇନଗୁଡ଼ିକ ବିରୋଧରେ ସିଂଘୁରେ ଆନ୍ଦୋଳନରତ ହଜାର ହଜାର କୃଷକଙ୍କ ସହ ସାମିଲ ହୁଅନ୍ତି । ପ୍ରତି ଥର ସେ କନ୍ଦରୌଲିରୁ ଯମୁନାନଗର ଜିଲ୍ଲା ପର୍ଯ୍ୟନ୍ତ ୧୫୦ କିଲୋମିଟର ରାସ୍ତାରେ ପ୍ରାୟ ଚାରି ଘଣ୍ଟା ଧରି ଯାତ୍ରା କରନ୍ତି । ଆନ୍ଦୋଳନ ପ୍ରତି ତାଙ୍କର ସମର୍ଥନ ଜଣାଇବା ପାଇଁ ପ୍ରତି ଥର ସିଂଘୁରେ ସେ ଅତି କମ୍ରେ ତିନି ରାତି ବିତାଇଛନ୍ତି ।
ପ୍ରତି ଥର ତାଙ୍କ ସହ ତାଙ୍କ ସଂପର୍କୀୟ ଭାଇ ୨୨ ବର୍ଷୀୟ ମନିନ୍ଦର ଢାଣ୍ଡା ମଧ୍ୟ ଯାତ୍ରା କରନ୍ତି. ଯିଏ କି କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରେ ଆଇନ ପଢୁଛନ୍ତି । ସେମାନେ ହରିଆଣାର ବହୁସଂଖ୍ୟକ କୃଷକମାନଙ୍କର ଜାଟ୍ ସଂପ୍ରଦାୟ ଅନ୍ତର୍ଭୁକ୍ତ-ସେମାନଙ୍କ ପରିବାର ଏକାଠି ରହନ୍ତି ଏବଂ ପରିବାରର ମାଲିକାନାରେ ଥିବା ୧୬ ଏକର ଜମିରେ ପନିପରିବା, ଗହମ ଓ ଧାନ ଚାଷ କରନ୍ତି ।
ମନିନ୍ଦର କହିଲେ, “ଆମେ ଆମ ଫସଲକୁ ସ୍ଥାନୀୟ APMC ମଣ୍ଡିରେ ବିକି ପ୍ରତି ବର୍ଷ ଏକର ପିଛା ୪୦,୦୦୦ରୁ ୫୦,୦୦୦ ଟଙ୍କା ରୋଜଗାର କରିବାରେ ସମର୍ଥ । ପ୍ରତି ବର୍ଷ ଫସଲ ଉତ୍ପାଦନ ବାବଦ ଖର୍ଚ୍ଚ ବଢ଼ିବାରେ ଲାଗିଛି, ହେଲେ MSP (ନ୍ୟୂନତମ ସମର୍ଥନ ମୂଲ୍ୟ)ବଢୁନାହିଁ ।” ଏହି ରୋଜଗାରରୁ ତାଙ୍କର ଆଠ ଜଣିଆ ପରିବାର ଚଳେ ।
ଏହି ସଂପର୍କୀୟ ଦୁଇ ଭାଇଙ୍କ ପରିବାର ଭଳି କନ୍ଦୌରଲି ଗାଁର ୧,୩୧୪ ଜଣ ବାସିନ୍ଦାଙ୍କ ମଧ୍ୟରୁ ଅଧିକାଂଶ ଲୋକ ଚାଷବାସ କରନ୍ତି । ସେମାନଙ୍କ ମଧ୍ୟରୁ କେତେ ଜଣ, କୃଷକ ଆନ୍ଦୋଳନ ସଂପର୍କିତ ବିଷୟରେ ସଂଯୋଜନା ଓ ସମନ୍ୱୟ ସ୍ଥାପନ ପାଇଁ ଜାନୁଆରୀ ମଧ୍ୟ ଭାଗରେ ଅନୌପଚାରିକ ଭାବରେ ଏକ କମିଟି ଗଠନ କଲେ। ଭାରତୀୟ କିଷାନ ୟୁନିଅନ (ଗାଁର ଅଧିକାଂଶ କୃଷକ ଏହି ସଂଘ ସହିତ ଅନୁବନ୍ଧିତ)ର ଜୋନ୍ସ୍ତରୀୟ ସବ୍ କମିଟି ଭଳି ବ୍ୟାପକ ବିଷୟବସ୍ତୁ ଉପରେ ଧ୍ୟାନ ନ ଦେଇ,ଏହି କମିଟି କେବଳ ସ୍ଥାନୀୟ ଅଞ୍ଚଳ ସଂପର୍କିତ ନିଷ୍ପତ୍ତି ଉପରେ ଧ୍ୟାନକେନ୍ଦ୍ରିତ କରେ। ଚିକୁ କହିଲେ, “ଗାଁର କମିଟି ଏହା ଠିକ୍ କରେ ଯେ ଆନ୍ଦୋଳନରେ ଯୋଗ ଦେବାକୁ ଯାଇଥିବା ଲୋକଙ୍କ ଚାଷଜମି ଦେଖାରଖା କରିବାର ପାଳି କାହାର । ସେମାନେ ସିଂଘୁରେ ଥିବା ଲୋକଙ୍କୁ ଖାଦ୍ୟ ଯୋଗାଇବା କଥା ମଧ୍ୟ ବୁଝନ୍ତି ।”





