ଏହା ଏକ ବିଶାଳ ଢାଞ୍ଚା - ପଞ୍ଜାବରେ ୧୫୨ଟି ମୁଖ୍ୟ ୟାର୍ଡ, ୨୭୯ ଉପ-ୟାର୍ଡ ଏବଂ ୧,୩୮୯ କ୍ରୟ କେନ୍ଦ୍ର (୨୦୧୯-୨୦ ରେ) । ମିଳିତ ଭାବେ ଏହା ଜସବିନ୍ଦର ସିଂଙ୍କ ପାଇଁ ଏକ ସୁରକ୍ଷା କବଚ ସୃଷ୍ଟି କରେ । ସାଙ୍ଗ୍ରୁର ଜିଲ୍ଲାର ଲଙ୍ଗୋୱାଲ ସହରରେ ୧୭ ଏକର ଜମି ଚାଷ କରୁଥିବା ପରିବାରର ୪୨ ବର୍ଷୀୟ ଜସୱିନ୍ଦର କୁହନ୍ତି, “ମୁଁ ମୋର ଫସଲକୁ ବିନା ଦ୍ୱିଧାରେ କିମ୍ବା ନିର୍ଭିକ ଭାବରେ ମଣ୍ଡିକୁ ନେଇପାରେ, ମୁଁ ଜାଣେ ଯେ ମୁଁ ଏଥିପାଇଁ ଟଙ୍କା ପାଇବି। ମୁଁ ଏହି ପ୍ରକ୍ରିୟା ଜାଣିଛି ଏବଂ ମୁଁ ନିଶ୍ଚିତ ଯେ ମୋର ଦେୟ ମୁଁ ପାଇବି।”
ମୁଖ୍ୟ (କିମ୍ବା ପ୍ରଧାନ) ୟାର୍ଡଗୁଡ଼ିକରେ ବିଶାଳ ମଣ୍ଡି (ଏଠାରେ ଥିବା ସୁନାମର ଫଟୋ ପରି) ରହିଛି। ଏହି ୟାର୍ଡଗୁଡ଼ିକରେ ବିଭିନ୍ନ ପ୍ରକାରର ସୁବିଧା ରହିଛି ଏବଂ ସାଧାରଣତଃ ସେମାନଙ୍କ ଆଢତିଆ (କମିଶନ ଏଜେଣ୍ଟ) ଙ୍କ ଦୋକାନ ସାମ୍ନାରେ ଅମଳ ଆଣି ଗଦା କରିବା ପାଇଁ କୃଷକମାନଙ୍କୁ ସ୍ଥାନ ଆବଣ୍ଟନ କରାଯାଇଛି। ସେହି ବର୍ଷ ଉତ୍ପାଦନ ପାଇଁ ଏକ ମୁଖ୍ୟ ୟାର୍ଡର କ୍ଷେତ୍ର ଯଦି ଯଥେଷ୍ଟ ନହୁଏ, ତେବେ ନିକଟରେ ଥିବା ଅତିରିକ୍ତ ସ୍ଥାନଗୁଡିକ ସବ୍-ୟାର୍ଡ ଭାବରେ ବ୍ୟବହୃତ ହୋଇଥାଏ। ମୁଖ୍ୟତଃ ଗ୍ରାମଗୁଡିକରେ ଥିବା କ୍ରୟ କେନ୍ଦ୍ରଗୁଡ଼ିକରେ ଛୋଟ ମଣ୍ଡି ରହିଛି (ଏଠାରେ ଥିବା ଫଟୋଗୁଡ଼ିକରେ ଶେରନ୍ ମଣ୍ଡି ପରି)। ମିଳିତ ଭାବରେ, ଏଗୁଡ଼ିକ ପଞ୍ଜାବର ବିସ୍ତୃତ କୃଷି ଉତ୍ପାଦନ ମାର୍କେଟିଂ କମିଟି (ଏପିଏମ୍ସି) ନେଟୱାର୍କକୁ ନେଇ ଗଠିତ।
ଜସୱିନ୍ଦର କୁହନ୍ତି, “ଯେତେବେଳେ ମୋର ଫସଲ ବିକ୍ରି ହୁଏ, ମୁଁ ଆଢ଼ତିଆଙ୍କଠାରୁ ଏକ ଜେ-ଫର୍ମ ପାଇଥାଏ ଏବଂ ଦେୟ ଆସିବା ପର୍ଯ୍ୟନ୍ତ ଏହା ଏକ ସିକ୍ୟୁରିଟି ଭାବରେ କାମ କରିଥାଏ’’। (ପଞ୍ଜାବ କୃଷି ଉତ୍ପାଦନ ମାର୍କେଟର ଆକ୍ଟ ୧୯୬୧ ଅନୁସାରେ) ସେ କହନ୍ତି, “କିନ୍ତୁ ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଯେହେତୁ ଏହା ଏକ ସରକାରୀ ବ୍ୟବସ୍ଥା, ଯଦି ମୋର ଦେୟ ମିଳିବାରେ କିଛି ଅସୁବିଧା ହୁଏ, ତେବେ ମୁଁ ଜାଣେ ଯେ ମୁଁ ଆଇନ୍ ଅଧୀନରେ ସୁରକ୍ଷିତ ଏବଂ ଏହା ଏକ ବଡ଼ ସୁରକ୍ଷା ଅଟେ”।
ଏପିଏମ୍ସି ନେଟୱାର୍କ ସୁନିଶ୍ଚିତ କରେ ଯେ ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ କିମ୍ବା ମାର୍କଫେଡ୍ (ପଞ୍ଜାବ ଷ୍ଟେଟ୍ କୋଅପରେଟିଭ୍ ଯୋଗାଣ ଏବଂ ମାର୍କେଟିଂ ଫେଡେରେସନ୍ ଲିମିଟେଡ୍) ପରି ଘରୋଇ ବ୍ୟବସାୟୀ କିମ୍ବା ସରକାରୀ ଏଜେନ୍ସି ଦ୍ୱାରା ନିୟନ୍ତ୍ରିତ ପ୍ରକ୍ରିୟାରେ ଫସଲ କ୍ରୟ କରାଯାଏ, ଯାହା ମୁଖ୍ୟତଃ ସର୍ବନିମ୍ନ ସହାୟତା ମୂଲ୍ୟରେ (ଏମ୍ଏସ୍ପି) ଗହମ ଏବଂ ଧାନ କ୍ରୟ କରିଥାଏ। ଥରେ ଶସ୍ୟ ପଞ୍ଜାବର ଯେକୌଣସି ମଣ୍ଡିରେ ପହଞ୍ଚିବା ପରେ, ଏଫସିଆଇ କିମ୍ବା ମାର୍କଫେଡ୍ ଅଧିକାରୀମାନେ ଏହାର ଗୁଣବତ୍ତା ନିର୍ଦ୍ଧାରିତ ମାନଦଣ୍ଡ ଅନୁସାରେ ପରୀକ୍ଷା କରନ୍ତି ଯେପରିକି ଏଥିରେ ଥିବା ଆର୍ଦ୍ରତା ପରିମାଣ । ତା’ପରେ ଶସ୍ୟ ନିଲାମ ଓ ବିକ୍ରି ହୋଇଥାଏ। ଏହି ପ୍ରକ୍ରିୟା ଆଢତିଆମାନଙ୍କ ଦ୍ୱାରା ପରିଚାଳିତ ହୋଇଥାଏ ଯେଉଁମାନେ ଏହି ଶୃଙ୍ଖଳରେ ଏକ ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍।
ପଟିଆଲା ଜିଲ୍ଲାର ପାଟ୍ରାନ ତହସିଲର ଡୁଗାଲ କାଲାନ ଗାଁର ୩୨ ବର୍ଷୀୟ ଅମନଦିପ୍ କୌର କହିଛନ୍ତି ଯେ ଏଭଳି ବ୍ୟବସ୍ଥାର ଉପଲବ୍ଧତା ଏବଂ ନିର୍ଭରଯୋଗ୍ୟତା ହେଉଛି ପ୍ରମୁଖ ସୁବିଧା। “ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୁଁ ମୋର ଉତ୍ପାଦକୁ ଗାଁ ମଣ୍ଡି [କ୍ରୟ କେନ୍ଦ୍ର] କୁ ନେଇପାରିବି। ଏହା ସୁବିଧାଜନକ ଏବଂ ମୁଁ ମୋର ଫସଲ ପାଇଁ ଯେଉଁ ମୂଲ୍ୟ ପାଇବି [ଏମ୍ଏସ୍ପି ଭାବରେ] ତାହା ଜାଣେ। ରାଜ୍ୟରେ ଆଖୁ ସହିତ କ’ଣ ଘଟୁଛି ଆମେ ଦେଖିଛୁ। ଏହା ପାଇଁ କୌଣସି ଶୃଙ୍ଖଳିତ ବିକ୍ରୟ ବ୍ୟବସ୍ଥା ନାହିଁ, ତେଣୁ କୃଷକମାନଙ୍କୁ ସେମାନଙ୍କର ଉତ୍ପାଦକୁ ବେଳେବେଳେ ଏକ ସହରକୁ ନିଅନ୍ତି ତାପରେ ସେମାନେ ଅନ୍ୟ ଏକ ସହରକୁ ନିଅନ୍ତି ଯେଉଁଠିକି ସେମାନେ ଭଲ ମୂଲ୍ୟ ପାଇବେ। ରାଜ୍ୟର କେଉଁ ସହରରେ ଏକା ମୂଲ୍ୟ ଉଚ୍ଚ ତାହା ଆମେ କିପରି ଜାଣିବୁ?





















