ଏହା ଥିଲା ଏମିତି ଏକ ଗୁଳିକାଣ୍ଡ, ଯାହା କେବେ ବି ଘଟି ନଥିଲା । କିନ୍ତୁ, ବାହାଦୁର ଶାହ ଜାଫର ମାର୍ଗର ସେହି ଅନୁମିତ “ହତ୍ୟା” ଘଟଣା ପରବର୍ତ୍ତୀ କେଇଟା ମୁହୂର୍ତ୍ତ ମଧ୍ୟରେ,“ପୋଲିସ ଗୁଳିରେ କୃଷକଙ୍କ ମୃତ୍ୟୁ”- ଭଳି ଭିନ୍ନ ଭିନ୍ନ ଢଙ୍ଗରେ ପ୍ରକାଶିତ ଅନେକ ଶିରୋନାମା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ସେହି ଗୁଳିମାଡ଼ରେ ମୃତ୍ୟୁ ଘଟଣା, ଯାହା କେବେ ବି ଘଟି ନଥିଲା । କିନ୍ତୁ, ଜାନୁଆରୀ, ୨୬ ତାରିଖ, ଗଣତନ୍ତ୍ର ଦିବସରେ ଏହି ଗୁଜବ ପ୍ରଚାରିତ ହେବା ପରେ ପରେ ବିଭିନ୍ନ ଆନ୍ଦୋଳନକାରୀ ଗୋଷ୍ଠୀ ମଧ୍ୟରେ ବିଭ୍ରାନ୍ତି ଏବଂ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା ଏବଂ ସେମାନେ ଦିଲ୍ଲୀର ପ୍ରସିଦ୍ଧ ଇନ୍କମ୍ ଟ୍ୟାକ୍ସ (ITO) ଜଙ୍କସନ୍ ଆଡ଼କୁ ମୁହାଁଇଥିଲେ । ସମ୍ଭବତଃ, ଏହି ଗୁଜବ ହିଁ ଲାଲ କିଲା ଏବଂ ଅନ୍ୟାନ୍ୟ ସ୍ଥାନରେ ହିଂସାକାଣ୍ଡ ସଙ୍ଗଠନକୁ ଖୋରାକ ଯୋଗାଇଥିଲା ।
ପୋଲିସ ଦ୍ୱାରା ଖୁବ୍ ନିକଟରୁ ଗୁଳିମାଡ଼ରେ ଜଣେ ଯୁବ କୃଷକଙ୍କ ମୃତ୍ୟୁ ଘଟିଥିବା କଥା ଚର୍ଚ୍ଚିତ ହେବାରେ ଲାଗିଥିଲା । ସୋସିଆଲ ମିଡିଆ ଜରିଆରେ ଚାରିଆଡ଼େ ଏହି କାହାଣୀର ବ୍ୟାପକ ପ୍ରସାରଣ ପୂର୍ବରୁ ଯାଞ୍ଚ କରିବାର ଆବଶ୍ୟକତା ନଥିଲା । ଖୁବ୍ ଶୀଘ୍ର, କେତେକ ଟେଲିଭିଜନ ଚ୍ୟାନେଲରେ ବି ଏହା ପ୍ରସାରିତ ହେଲା । ବାସ୍ତବ କ୍ଷେତ୍ରରେ ଥିବା ଲୋକେ ପୋଲିସର ଏହି ‘ଗୋଲିକାଣ୍ଡ’ (ଗୁଳିକାଣ୍ଡ)ର ନିନ୍ଦା କରୁଥିଲେ ଏବଂ ଏହାକୁ ପୋଲିସର ହିଂସା ବୋଲି ଅଭିଯୋଗ କରୁଥିଲେ । ଏବଂ ଆଇଟିଓ ଜଙ୍କସନ୍ରେ ଥିବା ଆନ୍ଦୋଳନକାରୀମାନେ ସମଗ୍ର ଅଞ୍ଚଳରେ ଖେଳାଇ ହୋଇଯାଇଥିଲେ ।
ପ୍ରକୃତରେ, ପରବର୍ତ୍ତୀ ସମୟରେ ୪୫ ବର୍ଷୀୟ ନବନୀତ ସିଂହ ରୂପେ ପରିଚୟ ମିଳିଥିବା ସେହି ବ୍ୟକ୍ତିଙ୍କର ମୃତ୍ୟୁ ସେ ନିଜେ ଚଲାଉଥିବା ଟ୍ରାକ୍ଟର ଓଲଟି ଯିବା କାରଣରୁ ହୋଇଥିଲା । କେହି ଗୋଟିଏ ହେଲେ ଗୁଳି ଫୁଟାଇ ନଥିଲେ । ତେବେ. ଏହି କଥା ସ୍ପଷ୍ଟ ହେବା ବେଳକୁ, ଗୁଳିମାଡ଼ ଘଟଣା ଏବଂ ଲାଲ କିଲାରେ ସଂଘଟିତ ହିଂସା ସଂପର୍କିତ ଅନ୍ୟାନ୍ୟ ଖବର ସବୁ, ୨୦୨୦ ସେପ୍ଟେମ୍ବରରେ ସଂସଦରେ ଗୃହୀତ ହୋଇଥିବା ତିନିଟି କୃଷି ଆଇନ ପ୍ରତିବାଦରେ ସେଦିନ ଆୟୋଜିତ କୃଷକମାନଙ୍କର ବାସ୍ତବିକ ବିଶାଳ ଟ୍ରାକ୍ଟର ଶୋଭାଯାତ୍ରା ସଂପର୍କିତ ଖବରକୁ ଢାଙ୍କି ଦେବାରେ ସହାୟକ ହୋଇଥିଲା ।
ଏମିତି ଭିନ୍ନ ଭାବରେ ଆରମ୍ଭ ହୋଇଥିବା ଦିନଟିଏ ପାଇଁ ଏହା ଥିଲା ଏକ ଦୁଃଖଦ ବିଷୟ ।
ଶୀତଳ ଅନ୍ଧକାରରେ ଭରା ଏକ ପର୍ଯ୍ୟାୟ ପରେ, ବେଶ୍ ଆଗ୍ରହ ଓ ସୂର୍ଯ୍ୟାଲୋକର ଉଷ୍ମ ଅନୁଭବ ସହିତ ଆରମ୍ଭ ହୋଇଥିଲା ଭାରତର ୭୨ତମ ଗଣତନ୍ତ୍ର ଦିବସ । ଜାତୀୟ ରାଜଧାନୀର ବିଭିନ୍ନ ସୀମାବର୍ତ୍ତୀ ଅଞ୍ଚଳରେ ଦୁଇ ମାସ ହେଲା ଆନ୍ଦୋଳନ ଚଳାଇ ଆସିଥିବା କୃଷକମାନେ, ବିଭିନ୍ନ ପୂର୍ବ ନିର୍ଦ୍ଧାରିତ ରାସ୍ତାରେ ଏକ ଶାନ୍ତିପୂର୍ଣ୍ଣ ବିଶାଳ ଟ୍ରାକ୍ଟର ପ୍ୟାରେଡ୍ର ଆୟୋଜନ କରି ଇତିହାସ ରଚିବାକୁ ଯାଉଥିଲେ । କେନ୍ଦ୍ରୀୟ ଦିଲ୍ଲୀର ରାଜପଥରେ ଆନୁଷ୍ଠାନିକ ପ୍ୟାରେଡ୍ ସରିବା ପରେ,ପାଖାପାଖି ମଧ୍ୟାହ୍ନ ବେଳକୁ ଦିଲ୍ଲୀ ସୀମାବର୍ତ୍ତୀ ତିନିଟି ସ୍ଥାନ-ସିଂଘୁ, ଟିକରି ଏବଂ ଗାଜିପୁରରୁ ଏହି ଟ୍ରାକ୍ଟର ପ୍ୟାରେଡ୍ ଆରମ୍ଭ ହେବାର ଥିଲା ।
ଗଣତନ୍ତ୍ର ଦିବସ ପାଳନ ଅବସରରେ ଏହି ଟ୍ରାକ୍ଟର ପ୍ୟାରେଡ୍, ନାଗରିକମାନଙ୍କ ଦ୍ୱାରା ବେସରକାରୀ ଭାବରେ ଆୟୋଜିତ ସର୍ବବୃହତ୍ ସାମାଜିକ ସମାରୋହ ହେବାର ଥିଲା ଏବଂ ବାସ୍ତବରେ ତାହା ହିଁ ହୋଇଥିଲା । କିନ୍ତୁ ସନ୍ଧ୍ୟା ହେଲା ବେଳକୁ ଏଥିପ୍ରତି ଲୋକଙ୍କ ଆକର୍ଷଣ ଓ ଆଗ୍ରହ ଉଭେଇ ଯାଇଥିଲା ।








