ରାଜସ୍ଥାନ-ହରିଆଣା ସୀମାରେ, ଗୋଟିଏ ବଡ଼ ଗୋଲାକାର ପାତ୍ରରୁ ମଟର ଛୁଇଁ ଆଣି ଚୋପା ଛଡ଼ାଉଥିବା ତା’ର ବାପାଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛି କୁମ୍ଭୀର ଆକୃତି ବିଶିଷ୍ଟ ସବୁଜ ରଙ୍ଗର ହୁଡି ଏବଂ ମୋଟା ଉଲ୍ର ମୋଜା ପିନ୍ଧିଥିବା ହରଫତେହ ସିଂହ। ଦିଲ୍ଲୀ-ଜୟପୁର ରାଜପଥରେ ଅବସ୍ଥିତ ରାଜସ୍ଥାନର ଅଲୱାର ଜିଲ୍ଲା ଅନ୍ତର୍ଗତ ଶାହଜାହାନପୁରରେ, ଏହି ୧୮ ମାସର ଶିଶୁଟି ନିଶ୍ଚିତ ରୂପରେ ଅନ୍ୟତମ ସର୍ବକନିଷ୍ଠ ଆନ୍ଦୋଳନକାରୀ। ସଂପ୍ରତି ଚାଲିଥିବା କୃଷକ ଆନ୍ଦୋଳନ ପ୍ରତି ହରଫତେହର ଅବଦାନ ହେଉଛି, ପରିବାରୁ ଚୋପା ଛଡ଼ାଇବା। ଅନ୍ତତଃ ଚୋପା ଛଡ଼ାଇବାକୁ ଚେଷ୍ଟା କରିବା । ହୁଏତ ସେ ଏହାକୁ ଠିକ୍ ଭାବରେ କିମ୍ବା ଦକ୍ଷତାର ସହ କରିପାରୁନାହିଁ, କିନ୍ତୁ ଏହାର କାରଣ ନୁହେଁ ଯେ, ତା’ ପାଖରେ ଆଗ୍ରହ କିମ୍ବା ଉଦ୍ୟମର ଅଭାବ ରହିଛି ।
ସେମାନଙ୍କ ଜୀବିକାକୁ ବିପନ୍ନ କରୁଥିବା ତିନିଟି କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଦିଲ୍ଲୀ ଏବଂ ହରିଆଣାର ବିଭିନ୍ନ ସୀମାରେ ଲକ୍ଷ ଲକ୍ଷ କୃଷକ ଏକତ୍ର ହୋଇଛନ୍ତି । ପ୍ରଥମେ ଜୁନ ୫ତାରିଖ ଦିନ ଅଧ୍ୟାଦେଶ ରୂପରେ ଜାରି କରାଯାଇଥିବା ଏହି ଆଇନଗୁଡ଼ିକୁ ସେପ୍ଟେମ୍ବର ୧୪ ତାରିଖ ଦିନ ସଂସଦରେ ବିଲ୍ ରୂପରେ ଉପସ୍ଥାପନ କରାଗଲା ଏବଂ ସେହି ମାସ ୨୦ରେ ଏହାକୁ ଗୃହୀତ କରାଇ ଆଇନରେ ପରିଣତ କରାଗଲା।
ଡିସେମ୍ବର ୨୫ ତାରିଖ ଦିନ, ମୁଁ ଯେତେବେଳେ ହରଫତେହକୁ ଭେଟିଲି, ସେତେବେଳେ ପଞ୍ଜାବ, ହରିଆଣା ଓ ରାଜସ୍ଥାନର କୃଷକମାନଙ୍କ ପ୍ରତି ସମର୍ଥନ ଜଣାଇବା ପାଇଁ ମହାରାଷ୍ଟ୍ରର ପ୍ରାୟ ଏକ ହଜାର କୃଷକ ଶାହଜାହାନପୁରର ଆନ୍ଦୋଳନ ସ୍ଥଳରେ ଯୋଗ ଦେଇଥିଲେ । ଭିନ୍ନ ଭିନ୍ନ ରାଜ୍ୟରୁ ଆସି ବିଭିନ୍ନ ପ୍ରତିବାଦ ସ୍ଥଳରେ ଆନ୍ଦୋଳନରତ ସେମାନଙ୍କ ସାଥୀମାନଙ୍କ ସହ ଯୋଗ ଦେବା ଲାଗି ଏହି କୃଷକ ଓ କୃଷି ଶ୍ରମିକମାନେ ଟେମ୍ପୋ, ଜୀପ୍ ଏବଂ ମିନି ଭ୍ୟାନ୍ ଭଳି ଗାଡ଼ିରେ ନାସିକରୁ ବାହାରି ୧,୨୦୦କିଲୋମିଟରରୁ ଅଧିକ ବାଟ ଯାତ୍ରା କରିସାରିଥିଲେ ।
ମହାରାଷ୍ଟ୍ରର ସେହି କୃଷକମାନଙ୍କୁ ସ୍ୱାଗତ କରିଥିବା ପରିବାର ସମୂହ ମଧ୍ୟରେ ଥିଲେ ହରଫତେହର ପରିବାର- ସେମାନଙ୍କୁ ପ୍ରାୟ ଶହେ ଲୋକଙ୍କ ପାଇଁ (ଆଳୁ ମଟର ତରକାରି ରାନ୍ଧିବା କାମ) ଦିଆଯାଇଥିଲା। ହରଫତେହର ବାପା, ହରିଆଣାର କୁରୁକ୍ଷେତ୍ର ଜିଲ୍ଲା ଅନ୍ତର୍ଗତ ଛାଜୁପୁର ଗାଁର ୪୧ ବର୍ଷୀୟ ଜାଗରୁପ ସିଂହ କହନ୍ତି, “ଆମ ପିଲାମାନଙ୍କ ଭବିଷ୍ୟତ ପାଇଁ ଆମେ ଶୀତଦିନର ଏହି ଥଣ୍ଡାରେ ଏଠାରେ ରହିଛୁ । ଆମେ, କୃଷକମାନେ ଯଦି ଆଜି ପ୍ରତିବାଦ ନକରିବୁ, ତେବେ ହରଫତେହର ଭବିଷ୍ୟତ ବୋଲି କିଛି ରହିବନି।”




