ଆଜାଦ ମଇଦାନର ଚାରିଆଡ଼େ ନଜର ବୁଲାଇବା ପରେ କୈଳାସ ଖଣ୍ଡଗାଲେଙ୍କ ଆଖି ଖୋଷି ହୋଇଗଲା । “ଏଠି ଏତେ ଅଧିକ ଚାଷୀ ଅଛନ୍ତି,” ମଇଦାନସାରା ଛୋଟେଇ ଛୋଟେଇ ଚାଲୁ ଚାଲୁ ୩୮ ବର୍ଷୀୟ ଏହି ଭୂମିହୀନ ଶ୍ରମିକ କହିଲେ ।
ଦିଲ୍ଲୀର ବିଭିନ୍ନ ସୀମାବର୍ତ୍ତୀ ଅଞ୍ଚଳରେ ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କ ପ୍ରତି ସମର୍ଥନ ଜଣାଇ ଦକ୍ଷିଣ ମୁମ୍ବାଇର ଆଜାଦ ମଇଦାନରେ ରୁଣ୍ଡ ହୋଇଥିବା ହଜାର ହଜାର କୃଷକଙ୍କ ସହିତ ସାମିଲ ହେବା ଲାଗି ଜାନୁଆରୀ ୨୪ ତାରିଖ ଦିନ କୈଳାସ ସେଠାରେ ପହଞ୍ଚିଥିଲେ । କୈଳାସ କହିଲେ, “ତିନିଟି ଯାକ (ନୂଆ କୃଷି) ଆଇନର ପ୍ରତିବାଦ କରିବା ଲାଗି ମୁଁ ଏଠାକୁ ଆସିଛି। ମୁଁ ଜାଣିଲି ଯେ, ମୋ ପରିବାରକୁ ମିଳୁଥିବା ଖାଦ୍ୟ ସାମଗ୍ରୀ ଉପରେ ଏହି ଆଇନଗୁଡ଼ିକର ପ୍ରଭାବ ପଡ଼ିବ ।” ଏକରୁ ପାଞ୍ଚ ଏକର ପରିମାଣ ମଧ୍ୟରେ ଥିବା ଜମିରେ ତାଙ୍କ ସମାଜର ସଦସ୍ୟମାନେ ମୁଖ୍ୟତଃ ଟମାଟୋ, ପିଆଜ, ବାଜରା ଏବଂ ଧାନ ଚାଷ କରନ୍ତି ।
ସଂଯୁକ୍ତ ଶେତକାରି କାମଗର ମୋର୍ଚ୍ଚା ପକ୍ଷରୁ ଜାନୁଆରୀ ୨୪ରୁ ୨୬ ପର୍ଯ୍ୟନ୍ତ ଆୟୋଜିତ ଧାରଣାରେ ଯୋଗ ଦେଇଥିବା ଅହମ୍ମଦନଗର ଜିଲ୍ଲାର କୋଲି ମହାଦେବ ଆଦିବାସୀ ସଂପ୍ରଦାୟର ପାଖାପାଖି ୫୦୦ ଜଣ (ତାଙ୍କ ଆକଳନ ଅନୁସାରେ) ଲୋକଙ୍କ ଭିତରୁ ସେ ଥିଲେ ଜଣେ। ମୁମ୍ବାଇ ପର୍ଯ୍ୟନ୍ତ, ପାଖାପାଖି ୩୦୦ କିଲୋମିଟର ଦୂର ଯାତ୍ରା କରିବା ପାଇଁ ଆକୋଲା, ପାରନେର ଏବଂ ସାଙ୍ଗାମନେର ତାଲୁକାର ଆଦିବାସୀମାନେ ଭଡ଼ାରେ ୩୫ଟି ଭ୍ୟାନ୍ ନେବାକୁ ପ୍ରତ୍ୟେକେ ୨୦୦ ଟଙ୍କା ଲେଖାଏଁ ଦେଇଥିଲେ ।
ସାଙ୍ଗମାନେର ତାଲୁକା ଅନ୍ତର୍ଗତ ତାଙ୍କ ଗାଁ ଖାମ୍ବେରେ ରହୁଥିବା ତାଙ୍କର ସାତ ଜଣିଆ ପରିବାରର ଏକମାତ୍ର ଉପାର୍ଜନକାରୀ ସଦସ୍ୟ ହେଲେ କୈଳାସ। ପରିବାରରେ ଅଛନ୍ତି ତାଙ୍କ ସ୍ତ୍ରୀ ଭାବନା, ବାପା ଓ ମାଆ ଏବଂ ତିନିଟି ପିଲା । ସେ କହିଲେ,“ମୁଁ ଅନ୍ୟମାନଙ୍କ କ୍ଷେତରେ କାମ କରି ଦିନକୁ ୨୫୦ ଟଙ୍କା ରୋଜଗାର କରେ । କିନ୍ତୁ ମୋ ଗୋଡ଼ କାରଣରୁ ବର୍ଷକୁ ଅତି ବେଶୀରେ ମତେ ୨୦୦ ଦିନର କାମ ମିଳିଥାଏ ।” କୈଳାସଙ୍କୁ ୧୩ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା ଏବଂ ପର୍ଯ୍ୟାପ୍ତ ଡାକ୍ତରୀ ଚିକିତ୍ସା ନ ମିଳିବାରୁ ସେ ଛୋଟେଇ ଛୋଟେଇ ଚାଲୁଥିଲେ । ଭାବନା ମଧ୍ୟ ତାଙ୍କ ଦୁର୍ବଳ ଡାହାଣ ହାତ ଯୋଗୁଁ କଠିନ ପରିଶ୍ରମ କରିପାରନ୍ତି ନାହିଁ ।
ଖୁବ ଅଳ୍ପ ଏବଂ ଅନିୟମିତ ଆୟ ଉପରେ ନିର୍ଭର କରି ଚଳୁଥିବା ଖଣ୍ଡଗାଲେ ପରିବାର ପାଇଁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଉପଲବ୍ଧ ଖାଦ୍ୟ ସାମଗ୍ରୀର ଗୁରୁତ୍ୱ ଖୁବ୍ ଅଧିକ । ଜାତୀୟ ଖାଦ୍ୟ ନିରାପତ୍ତା ଆଇନ-୨୦୧୩ ଅନ୍ତର୍ଗତ ଖାଦ୍ୟ ସାମଗ୍ରୀ ପାଇବାକୁ ଯୋଗ୍ୟ ୮୦ କୋଟି ଲୋକଙ୍କ ଭିତରେ ରହିଛି ତାଙ୍କ ପରିବାର । ଏହି ଆଇନ ଅନୁସାରେ ଯୋଗ୍ୟ ବିବେଚିତ ପରିବାରର ପ୍ରତି ସଦସ୍ୟଙ୍କୁ ମାସକୁ ମୋଟ ପାଞ୍ଚ କିଲୋଗ୍ରାମ ଖାଦ୍ୟ ଶସ୍ୟ ରିହାତି ଦରରେ ମିଳିଥାଏ – ଚାଉଳ କିଲୋ ପିଛା ୩ ଟଙ୍କାରେ, ଗହମ କିଲୋ ପିଛା ୨ ଟଙ୍କାରେ ଏବଂ ମୋଟା ମକାଜାତୀୟ ଶସ୍ୟ କିଲୋ ପିଛା ୧ ଟଙ୍କାରେ ମିଳେ ।
କିନ୍ତୁ କୈଳାସଙ୍କ ସାତଜଣିଆ ପରିବାରକୁ ପ୍ରତି ମାସରେ ମାତ୍ର ୧୫ କିଲୋ ଗହମ ଓ ୧୦ କିଲୋ ଚାଉଳ ମିଳେ, ଯାହାକି ସେମାନଙ୍କ ପାଇଁ ଧାର୍ଯ୍ୟ ପରିମାଣରୁ ୧୦ କିଲୋ କମ୍ । କାରଣ, ତାଙ୍କର ଦୁଇ ଜଣ ସାନ ପିଲାଙ୍କ ନାଁ ବିପିଏଲ୍ (ଦାରିଦ୍ର୍ୟ ସୀମାରେଖା ତଳେ) ଖାଉଟି କାର୍ଡରେ ନାହିଁ ।
ପ୍ରତି ମାସରେ ତାଙ୍କ ପରିବାର ପାଇଁ ଖାଉଟି ସାମଗ୍ରୀ ଆଣିବା ଲାଗି ଘରୁ ସାଧାରଣ ବଣ୍ଟନ ବ୍ୟବସ୍ଥାର ଯୋଗାଣ କେନ୍ଦ୍ର ପର୍ଯ୍ୟନ୍ତ ଚାରି କିଲୋମିଟର ଯା’ଆସ କରୁଥିବା କୈଳାସ କହିଲେ, “ଏହି ୨୫ କିଲୋ ୧୫ ଦିନରେ ସରିଯାଏ । ତା’ପରେ ଆମକୁ ଭୋକ ଚାପି ରଖିବାକୁ ପଡ଼େ । ଆମକୁ ତେଲ, ଲୁଣ ଓ ପିଲାମାନଙ୍କ ପାଠପଢ଼ା ବାବଦରେ ବି ଖର୍ଚ୍ଚ କରିବାକୁ ପଡ଼େ ।କିରାନା (ତେଜରାତି) ଦୋକାନରୁ ଅଧିକ ମୂଲ୍ୟର ଖାଦ୍ୟ ଶସ୍ୟ କିଣିବାକୁ କାହା ପାଖରେ ବା ପଇସା ଅଛି ?”





