ଅଶୋକ ତାଙ୍ଗଡ଼େ ଦିନେ ଅପରାହ୍ଣରେ ନିଜ ଫୋନ ଖେଳାଉଥିବା ବେଳେ ଗୋଟିଏ ହ୍ୱାଟ୍ସଆପ୍ ନୋଟିଫିକେସନ୍ ତାଙ୍କର ଧ୍ୟାନ ଆକର୍ଷଣ କଲା। ତାହା ଏକ ଡିଜିଟାଲ ବିବାହ ନିମନ୍ତ୍ରଣ ପତ୍ର ଥିଲା ଯେଉଁଥିରେ ବର ଓ କନ୍ୟାଙ୍କ କଅଁଳ ମୁହଁ ଥିଲା ଏବଂ ସେମାନେ ପରସ୍ପରକୁ ଅଜବ ଦୃଷ୍ଟିରେ ଚାହିଁ ରହିଥିଲେ। ସେହି କାର୍ଡରେ ସମୟ, ତାରିଖ ଏବଂ ବିବାହ ସ୍ଥାନ ବିଷୟରେ ସୂଚନା ରହିଥିଲା।
କିନ୍ତୁ ବିବାହ ଉତ୍ସବରେ ଯୋଗ ଦେବା ଲାଗି ଏହା ତାଙ୍ଗଡ଼େଙ୍କ ପାଇଁ ଏକ ନିମନ୍ତ୍ରଣ ନଥିଲା।
ପଶ୍ଚିମ ଭାରତରେ ଥିବା ତାଙ୍କ ନିଜ ଜିଲ୍ଲାରେ ତାଙ୍ଗଡ଼େଙ୍କ ଜଣେ ସୂଚନାଦାତା ତାଙ୍କୁ ଏହି କାର୍ଡ ପଠାଇଥିଲେ। ବିବାହ କାର୍ଡ ସହିତ, ସେ ମଧ୍ୟ କନ୍ୟାର ଜନ୍ମ ପ୍ରମାଣପତ୍ର ପଠାଇଥିଲେ। ତାଙ୍କୁ ୧୭ ବର୍ଷ ହୋଇଥିଲା ଓ ଆଇନ ଅନୁଯାୟୀ ସେ ଜଣେ ନାବାଳିକା ଥିଲେ।
କାର୍ଡକୁ ପଢ଼ିବା ପରେ ୫୮ ବର୍ଷ ବୟସ୍କ ତାଙ୍ଗଡ଼େ ଜାଣିପାରିଲେ ଯେ ଆଉ ଘଣ୍ଟାଏ ଭିତରେ ବାହାଘର ହେବାକୁ ଯାଉଛି। ସେ ତୁରନ୍ତ ନିଜର ସହକର୍ମୀ ଓ ବନ୍ଧୁ ତତ୍ତ୍ୱଶୀଲ କାମ୍ବଲେଙ୍କୁ ଫୋନ୍ କଲେ ଏବଂ ସେମାନେ ଶୀଘ୍ର କାର୍ ଧରି ବାହାରି ପଡ଼ିଲେ।
ଜୁନ୍ ୨୦୨୩ର ଏହି ଘଟଣା କଥା ମନେ ପକାଇ ତାଙ୍ଗଡ଼େ କୁହନ୍ତି, ‘‘ବୀଡ଼ ସହରରେ ଆମେ ରହୁଥିବା ସ୍ଥାନଠାରୁ ଉକ୍ତ ସ୍ଥାନଟି ଅଧଘଣ୍ଟାର ବାଟ ଥିଲା। ରାସ୍ତାରେ ଯିବାବେଳେ ଆମେ ସେହି ଫଟୋଗୁଡ଼ିକୁ ସ୍ଥାନୀୟ ପୁଲିସ୍ ଷ୍ଟେସନ୍ ଏବଂ ଗ୍ରାମ ସେବକଙ୍କଙ୍କୁ ହ୍ୱାଟ୍ସଆପ୍ରେ ପଠାଇଲୁ, ଯାହାଫଳରେ ଆମର ସମୟ ନଷ୍ଟ ହେବ ନାହିଁ।’’
ତାଙ୍ଗଡ଼େ ଓ କାମ୍ବଲେ ଶିଶୁ ଅଧିକାର କର୍ମୀ ଭାବେ ମହାରାଷ୍ଟ୍ରର ବୀଡ଼ ଜିଲ୍ଲାରେ ସ୍ୱର ଉତ୍ତୋଳନକାରୀ କାମ କରି ଆସୁଛନ୍ତି।
ସେମାନଙ୍କୁ ଏହି ମହତ କାର୍ଯ୍ୟରେ ସହାୟତା କରିବା ଲାଗି ବିଭିନ୍ନ ବର୍ଗର ବହୁସଂଖ୍ୟକ ସୂଚନାଦାତା ରହିଛନ୍ତି : କନ୍ୟାଙ୍କ ପ୍ରତି ଆଗ୍ରହୀ ଥିବା ଗାଁର ଜଣେ ବାଳକଠାରୁ ଆରମ୍ଭ କରି ଜଣେ ସ୍କୁଲ ଶିକ୍ଷକ କିମ୍ବା ଜଣେ ସାମାଜିକ କର୍ମୀ, ଅଥବା ଏମିତି ଜଣେ ବ୍ୟକ୍ତି ଯିଏକି ବାଲ୍ୟ ବିବାହକୁ ଏକ ଅପରାଧ ବୋଲି ଭାବନ୍ତି ସେ ସୂଚନାଦାତା ହୋଇପାରିବେ। ଗତ କିଛି ବର୍ଷ ମଧ୍ୟରେ ଏହି ଦୁଇ ସାମାଜିକ କର୍ମୀ ଜିଲ୍ଲାସାରା ୨,୦୦୦ରୁ ଅଧିକ ସୂଚନାଦାତାଙ୍କ ଏକ ନେଟୱର୍କ ସୃଷ୍ଟି କରିଛନ୍ତି ଯେଉଁମାନେ ସେମାନଙ୍କୁ ବାଲ୍ୟ ବିବାହକୁ ଠାବ କରିବାରେ ସହାୟତା କରିଥା’ନ୍ତି।












