ସେମାନେ ବି କୃଷକ । ଗର୍ବର ସହିତ ସେମାନେ ନିଜ ଛାତିରେ ପଦକଗୁଡ଼ିକ ଲଗାଇ ନ ଥିଲେ, ହୁଏତ, ସେମାନେ ମଧ୍ୟ ଦିଲ୍ଲୀର ଦ୍ୱାରଦେଶରେ ସମବେତ କୃଷକମାନଙ୍କ ଭିଡ଼ ଭିତରେ ହଜିଯାଇଥାଆନ୍ତେ । ସେମାନେ ହେଲେ ସେହି ପୁରୁଖା ଯୋଦ୍ଧାଗଣ,୧୯୬୫ ଓ୧୯୭୧ରେ ପାକିସ୍ତାନ ସହ ଯୁଦ୍ଧରେ ସାହସିକତା ପାଇଁ ଯେଉଁମାନଙ୍କୁ ସମ୍ମାନିତ କରାଯାଇଛି, ସେମାନଙ୍କ ମଧ୍ୟରୁ କେତେକ ୧୯୮୦ ଦଶକରେ ଶ୍ରୀଲଙ୍କାରେ ମଧ୍ୟ ସେବା ପ୍ରଦାନ କରିସାରିଛନ୍ତି । ସ୍ପଷ୍ଟତଃ, ସେମାନେ କ୍ରୋଧିତ ଏବଂ ସରକାର ଓ ଗଣମାଧ୍ୟମର କେତେକ ଶକ୍ତିଶାଳୀ ବର୍ଗ ଦ୍ୱାରା ପ୍ରତିବାଦକାରୀ କୃଷକମାନଙ୍କୁ ‘ଦେଶବିରୋଧୀ’, ‘ଆତଙ୍କବାଦୀ’ ଏବଂ ‘ଖଲିସ୍ତାନୀ’ ରୂପେ ଅଭିହିତ କରିବା ଘଟଣାହିଁ ସେମାନଙ୍କୁ ସବୁଠାରୁ ଅଧିକ କ୍ଷୁବ୍ଧ କରିଛି ।
ପଞ୍ଜାବର ଲୁଧିଆନା ଜିଲ୍ଲା ଅନ୍ତର୍ଗତ ଗିଲ ଗାଁରୁ ଆସିଥିବା ବ୍ରିଗେଡିୟର ଏସ୍. ଏସ୍. ଗିଲ (ଅବସରପ୍ରାପ୍ତ) ମୋତେ କହନ୍ତି, “ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରୁଥିବା କୃଷକମାନଙ୍କ ବିରୋଧରେ ସରକାର ବଳପ୍ରୟୋଗ କରିବା ଦୁଃଖଦାୟକ । ସେମାନେ ଦିଲ୍ଲୀରେ ପହଞ୍ଚିବାକୁ ଚାହୁଁଥିଲେ, କିନ୍ତୁ ସରକାର ସେମାନଙ୍କୁ ଅଟକାଇଲେ, ଯାହାକି ଅସଭ୍ୟ ଏବଂ ଭୁଲ । ସେମାନେ ବାରିକେଡ୍ ତିଆରି କଲେ, ରାସ୍ତା ଖୋଳିଦେଲେ, କୃଷକମାନଙ୍କ ଉପରେ ଲାଠିମାଡ଼ ଏବଂ ୱାଟର କ୍ୟାନନ୍ରୁ ପାଣିମାଡ଼ କଲେ । କ’ଣ ପାଇଁ ? କାହିଁକି ? ଏସବୁ କରିବା ପଛରେ କି କାରଣ ଥିଲା ? କୃଷକମାନେ କେବଳ ସେମାନଙ୍କ ଦୃଢ଼ ସଂକଳ୍ପ ବଳରେ ହିଁ ଏହି ସବୁ ବାଧାବିଘ୍ନ ଅତିକ୍ରମ କରିଛନ୍ତି ।”
ସେନାରେ ସକ୍ରିୟ ସେବାରତ ଥିବା ସମୟରେ ଦେଶସେବା ପାଇଁ ୧୩ଟି ପଦକ ଜିଣିଥିବା ଏହି ୭୨ ବର୍ଷୀୟ ପୁରୁଖା ଯୋଦ୍ଧା ଜଣକ ଗିଲ୍ ଗାଁର ୧୬ ଜଣିଆ ପରିବାରରୁ ଆସିଛନ୍ତି ଏବଂ ସେଠାରେ ତାଙ୍କ ପରିବାରର କେଇ ଏକର ଜମି ରହିଛି । ୧୯୭୧ର ଯୁଦ୍ଧରେ ଭାଗ ନେବା ସହିତ ଅନ୍ୟ କେତେକ ସାମରିକ ଅଭିଯାନରେ ସେ ସେବା ପ୍ରଦାନ କରିଛନ୍ତି ଏବଂ ୧୯୯୦ ଦଶକରେ ପଞ୍ଜାବରେ ଆତଙ୍କବାଦୀ ବିରୋଧୀ ଅଭିଯାନରେ ମଧ୍ୟ ସାମିଲ ହୋଇଛନ୍ତି ।
ବ୍ରିଗେଡିୟର ଗିଲ୍ କହନ୍ତି, “କୃଷକମାନଙ୍କୁ ଏହି ଆଇନଗୁଡ଼ିକ ସଂପର୍କରେ ନା ପଚରାଯାଇଥିଲା, ନା ସେମାନଙ୍କ ପରାମର୍ଶ ନିଆଯାଇଥିଲା । ଏହା ହେଉଛି ବିଶ୍ୱର ଅନ୍ୟତମ ବୃହତ୍ତମ ବିପ୍ଳବ, ଯାହାକି ଏବେ ଦିଲ୍ଲୀର ଦୁଆରମୁହଁରେ ଚାଲିଛି । ମୁଁ ବୁଝିପାରୁନି ଯେ, ସରକାର କାହିଁକି ଏହି ଆଇନଗୁଡ଼ିକୁ ପ୍ରତ୍ୟାହାର କରିନେଉନାହାନ୍ତି । ଏତେବେଳ ସୁଦ୍ଧା ସେମାନେ ଏହା କରିଦେବା କଥା ।”
ଲକ୍ଷ ଲକ୍ଷ କୃଷକ ଏବେ ସେହି ତିନିଟି ଆଇନ ବିରୋଧରେ ପ୍ରତିବାଦ କରୁଛନ୍ତି ଯେଉଁଗୁଡ଼ିକୁ କେନ୍ଦ୍ର ସରକାର ପ୍ରଥମେ ୨୦୨୦ ଜୁନ୍ ୫ ତାରିଖ ଦିନ ଅଧ୍ୟାଦେଶ ଆକାରରେ ଜାରି କଲେ, ତା’ ପରେ ସେପ୍ଟେମ୍ବର ୧୪ ତାରିଖ ଦିନ ଏସବୁକୁ ସଂସଦରେ ଉପସ୍ଥାପନ କରିବା ପରେ ସେହି ମାସ ୨୦ ତାରିଖ ଦିନ ଏଗୁଡ଼ିକୁ ଆଇନ ରୂପରେ ଗୃହୀତ କରାଇନେଲେ । ଏହି ତିନିଟି ଆଇନ ହେଲା: କୃଷକଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟବସାୟ ଓ ବାଣିଜ୍ୟ (ପ୍ରସାର ଓ ସୁଯୋଗ) ଆଇନ, ୨୦୨୦; ଦରଦାମ ପ୍ରତିଶ୍ରୁତି ଓ କୃଷିକ୍ଷେତ୍ର ସେବା ସଂପର୍କିତ କୃଷକଙ୍କ (ସଶକ୍ତୀକରଣ ଏବଂ ସୁରକ୍ଷା) ବୁଝାମଣା ଆଇନ, ୨୦୨୦; ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ ୨୦୨୦ ।











