“ଯେତେବେଳେ ଆନ୍ଦୋଳନକାରୀମାନେ ରାସ୍ତାରୋକ କରନ୍ତି କିମ୍ବା ଏହାକୁ ନଷ୍ଟ କରିଥାନ୍ତି, ସେମାନଙ୍କୁ ଅପରାଧୀ ଆଖ୍ୟା ଦିଆଯାଇଥାଏ। ସରକାର ସେପରି କଲେ କ’ଣ ହେବ? ସେମାନେ ଆମକୁ ଯାହା କହୁଛନ୍ତି, ସେମାନେ ତାହା ନୁହନ୍ତି କି?” ପଞ୍ଜାବର ମୋଗା ଜିଲ୍ଲାର ମେହନା ଗ୍ରାମର ଚାଷୀ ୭୦ ବର୍ଷ ବୟସ୍କ ହରିନ୍ଦର ସିଂ ଲାଖା କହିଥାନ୍ତି।
ପଞ୍ଜାବରୁ ଆସୁଥିବା ଚାଷୀମାନଙ୍କୁ ଦିଲ୍ଲୀରେ ପ୍ରବେଶ କରାଇ ନଦେବା ଲାଗି ସରକାରୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ରାସ୍ତାରେ ଖୋଳା ହୋଇଥିବା ୧୦ ଫୁଟର ଗାତ ବିଷୟରେ ଲାଖା କହୁଛନ୍ତି। କିଛିଦିନ ଧରି ଏହି ରାଜ୍ୟ ଏବଂ ଉତ୍ତର ପ୍ରଦେଶ ଓ ହରିୟାଣାର ଏକ ଲକ୍ଷରୁ ଅଧିକ ଚାଷୀ ସେମାନଙ୍କ ନିଜ ଦେଶର ରାଜଧାନୀରେ ପ୍ରବେଶ କରିବା ଲାଗି ପୋଲିସ ଓ ଅନ୍ୟ ସୁରକ୍ଷାବାହିନୀ ସହ ସଂଘର୍ଷ କରିବା ଲାଗି ବାଧ୍ୟ ହେଉଛନ୍ତି।
ତିନି ଦିନ ଧରି ମୁକାବିଲା କରିବା ପରେ ଦିଲ୍ଲୀ ପୋଲିସ କୋହଳ ହୋଇଥିବା ବେଳେ ହରିୟାଣା ସରକାର ଏବେ ସୁଦ୍ଧା ଆନ୍ଦୋଳନକାରୀମାନଙ୍କୁ ରାଜ୍ୟ ସୀମାରେ ପ୍ରବେଶ କରିବାରୁ ଅଟକାଉଛନ୍ତି। ଯଦିଓ ସେମାନେ ରାଜଧାନୀରେ ପ୍ରବେଶ କରିବା ଲାଗି ଔପଚାରିକ ଅନୁମୋଦନ ପାଇଛନ୍ତି ତଥାପି ସେମାନଙ୍କୁ କେନ୍ଦ୍ର ସରକାରଙ୍କ ସବୁଜ ସଙ୍କେତ ମିଳିପାରିନାହିଁ। ‘ଅନୁମତି’ ଥିଲେ ମଧ୍ୟ, ଖାଲ, କଣ୍ଟା ତାରବାଡ଼, ବ୍ୟାରିକେଡ-ଏସବୁ ସେମିତି ରହିଛି। ଲୁହବୁହା ଗ୍ୟାସ ଗୋଳା ଓ ପାଣି ମାଡ଼ ସରଞ୍ଜାମଗୁଡ଼ିକ ଅତ୍ୟାଚାର ଛାପ ଛାଡ଼ିଯାଇଛି।
ଚଳିତ ବର୍ଷ ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ଲାଭ କରିଥିବା ତିନୋଟି କୃଷି ଆଇନ ବିରୋଧରେ ଚାଷୀମାନେ ଏକତ୍ରିତ ହୋଇ ଆନ୍ଦୋଳନ କରିବାକୁ ଆସିଛନ୍ତି। ସେମାନେ ଉଲ୍ଲେଖ କରିଛନ୍ତି ଯେ କୃଷି ଉତ୍ପାଦ ବିପଣନ ସମିତି (ଏପିଏମସି) ସହ ଜଡ଼ିତ ଆଇନ ମଣ୍ଡି ବ୍ୟବସ୍ଥାକୁ ଧ୍ୱଂସ କରିଦେବ, ଯାହାକି ସେମାନଙ୍କ ପାଇଁ ଉପକାରୀସିଦ୍ଧ ହେଉଥିଲା। ଏହା ଏମଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) ପ୍ରକ୍ରିୟାକୁ ଉଚ୍ଛେଦ କରିଦେବ ଏବଂ ବଡ଼ କୃଷି ସଂସ୍ଥା ଓ କର୍ପୋରେସନଗୁଡ଼ିକ ଦରକୁ ନିୟନ୍ତ୍ରଣ କରିବେ। ସେମାନେ ଜାଣନ୍ତି ଏହା ଏବଂ ଅନ୍ୟ ଦୁଇଟି ଆଇନ କେବଳ ଏମଏସପି ନିର୍ଦ୍ଧାରଣରେ ବିଫଳ ହୋଇନାହିଁ, ବରଂ ଏଥିରେ ସ୍ୱାମୀନାଥନ (କୃଷକଙ୍କ ପାଇଁ ଜାତୀୟ ଆୟୋଗ) ରିପୋର୍ଟ ବିଷୟରେ କୌଣସି ପ୍ରକାର ଉଲ୍ଲେଖ ନାହିଁ। ଚାଷୀମାନେ ଦର୍ଶାଇଛନ୍ତି ଯେ ଏହି ଆଇନଗୁଡ଼ିକ ମଧ୍ୟରୁ ଦ୍ୱିତୀୟ ଆଇନ- ଦର ସୁନିଶ୍ଚିତତା ଏବଂ କୃଷି ସେବା ସଂକ୍ରାନ୍ତ କୃଷକ (ସଶକ୍ତିକରଣ ଓ ସୁରକ୍ଷା) ରାଜିନାମା ଆଇନ, ୨୦୨୦ରେ ଚୁକ୍ତିନାମା ବିଷୟରେ ଉଲ୍ଲେଖ କରାଯାଇଛି, ଯାହାକି ଘରୋଇ ବେପାରୀ ଏବଂ ବଡ଼ କର୍ପୋରେସନଗୁଡ଼ିକୁ ସୁହାଇବ। ଅନୁରୂପ ଭାବେ ସଂଶୋଧିତ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ କର୍ପୋରେସନଗୁଡ଼ିକୁ ସହାୟକ ହେବ, ଯାହାକି ଷ୍ଟକପିଲିଂ ଓ ହୋର୍ଡିଂଙ୍କୁ ଅନୁମତି ଦେବା ସହିତ ଚାଷୀଙ୍କ ବିପଣନ କ୍ଷମତାକୁ ସଙ୍କୁଚିତ କରିବ।
ଆନ୍ଦୋଳନକାରୀଙ୍କ ଦାବି ମଧ୍ୟରେ ଏହି ତିନୋଟି ଆଇନର ଉଚ୍ଛେଦ ସାମିଲ ରହିଛି।








