“ଯେତେବେଳେ ଆମ ଭଳି ମହିଳାମାନେ ସେମାନଙ୍କ ଘରଦ୍ୱାର ଓ ଚାଷବାସ ଛାଡ଼ି ପ୍ରତିବାଦ କରିବାକୁ ସହରକୁ ଆସନ୍ତି, ଏହାର ଅର୍ଥ ହେଉଛି ଯେ, ସେମାନଙ୍କ ପାଦ ତଳୁ ମାଟି ଖସି ଯିବାରେ ଲାଗିଛି,” ଅରୁଣା ମାନ୍ନା କହିଲେ । “ଗତ କିଛି ମାସ ଭିତରେ ଏମିତି ଅନେକ ଦିନ ଆସିଛି, ଯେତେବେଳେ ଆମକୁ ଦି’ମୁଠା ଖାଇବାକୁ ମିଳିନାହିଁ । ଅନ୍ୟାନ୍ୟ ଦିନରେ ବି ଆମେ ଦିନକୁ ଓଳିଏ ଖାଇ ବଞ୍ଚିଛୁ । ଏଇଟା କ’ଣ ଏହି ଆଇନଗୁଡ଼ିକୁ ଗୃହୀତ କରାଇ ନେବାର ସମୟ? ସତେ ଯେମିତି, ଆମକୁ ମାରିଦେବା ପାଇଁ ମହାମାରୀ (ବିଶ୍ୱ ମହାମାରୀ କୋଭିଡ୍-୧୯) ଯଥେଷ୍ଟ ନଥିଲା ?”
କେନ୍ଦ୍ରୀୟ କୋଲକାତାର ଏକ ଆନ୍ଦୋଳନ ସ୍ଥଳ, ଏସ୍ପ୍ଲାନେଡ୍ ୱାଇ- ଚ୍ୟାନେଲରେ ସମବେତ କୃଷକ ଓ କୃଷି ଶ୍ରମିକମାନଙ୍କୁ ଏହା କହୁଥିଲେ ୪୨ ବର୍ଷୀୟା ଅରୁଣା । ସେମାନେ ଅଲ୍ ଇଣ୍ଡିଆ କିଷାନ ସଂଘର୍ଷ କୋଅର୍ଡିନେସନ କମିଟି (AIKSCC) ବ୍ୟାନର ତଳେ ଏକତ୍ର ହୋଇ ଜାନୁଆରୀ ୯ରୁ ୨୨ ତାରିଖ ଯାଏ ଆନ୍ଦୋଳନ କରୁଥିଲେ । ୨୦୨୦ ମସିହା ସେପ୍ଟେମ୍ବର ମାସରେ ସଂସଦରେ ଗୃହୀତ ତିନିଟି କୃଷି ଆଇନ ବିରୋଧରେ. ଦିଲ୍ଲୀର ବିଭିନ୍ନ ସୀମାବର୍ତ୍ତୀ ଅଞ୍ଚଳରେ ଆନ୍ଦୋଳନରତ ଚାଷୀମାନଙ୍କ ପ୍ରତି ସେମାନଙ୍କ ସମର୍ଥନ ଜଣାଇବା ପାଇଁ ଛାତ୍ରଛାତ୍ରୀ, ସାଧାରଣ ନାଗରିକ, ଶ୍ରମିକ, ବିଭିନ୍ନ ସାଂସ୍କୃତିକ ସଂଗଠନ, ସମସ୍ତେ ସେଠାରେ ରୁଣ୍ଡ ହୋଇଥିଲେ ।
ପ୍ରାୟ ୧,୫୦୦ ଅନ୍ୟ ମହିଳାଙ୍କ ସହିତ ରାଜୁଆଖାକି ଗାଁରୁ ଏଠାକୁ ଆସିଥିଲେ ଅରୁଣା। ସେମାନଙ୍କ ମଧ୍ୟରୁ ଅଧିକାଂଶ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ବିଭିନ୍ନ ଗାଁରୁ ଆସିଥିଲେ । ସାରା ଦେଶରେ, ମହିଳା କୃଷକଙ୍କ ପାଇଁ ଉତ୍ସର୍ଗୀକୃତ ଏବଂ ସେମାନଙ୍କ ଅଧିକାର ହାସଲ କରାଇବା ଲାଗି ଉଦ୍ଦିଷ୍ଟ ମହିଳା କିଷାନ ଦିବସ ପାଳନ ନିମନ୍ତେ ସେମାନେ ଟ୍ରେନ୍, ବସ୍ ଓ ଟେମ୍ପୋରେ ଆସି ଜାନୁଆରୀ ୧୮ରେ ଏଠାରେ ପହଞ୍ଚିଥିଲେ । ମହିଳା କୃଷକ, କୃଷି ଶ୍ରମିକଙ୍କର ୪୦ରୁ ଅଧିକ ସଂଘ, ବିଭିନ୍ନ ମହିଳା ସଂଗଠନ ଓ AIKSCC (ଏଆଇକେଏସ୍ସିସି) ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମର ପଶ୍ଚିମ ବଙ୍ଗ ସଂସ୍କରଣ ସଂଗଠିତ ହୋଇଥିଲା ।
କୋଲକାତା ପର୍ଯ୍ୟନ୍ତ ଲମ୍ବା ଯାତ୍ରା ପରେ କ୍ଳାନ୍ତ ହୋଇପଡ଼ିଥିଲେ ହେଁ ନିଜ ନିଜର ସ୍ୱର ଶୁଣାଇବା ପାଇଁ ସେମାନଙ୍କ ଅଦମ୍ୟ ଉତ୍ସାହ ସ୍ପଷ୍ଟ ବାରି ହୋଇପଡୁଥିଲା । କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନ ଛାଡ଼ି ଚାଲିଯିବା ପାଇଁ ମହିଳା ଓ ବୟସ୍କମାନଙ୍କୁ ‘ପ୍ରବର୍ତ୍ତାଇବା’ ସଂପର୍କରେ ନିକଟରେ ଭାରତର ମୁଖ୍ୟ ବିଚାରପତି ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ଶ୍ରମଜୀବୀ ମହିଳା ସମିତିର ଜଣେ ସଦସ୍ୟା, ୩୮ ବର୍ଷୀୟ ସୁପର୍ଣ୍ଣା ହାଲଦାର କହିଲେ, “ତା’ହଲେ ଆମ ପାଇଁ ଆଉ କିଏ ପ୍ରତିବାଦ କରିବ? କୋର୍ଟବାବୁମାନେ (ବିଚାରପତିମାନେ) ? ଆମେ ଆମ ପ୍ରାପ୍ୟ ନ ପାଇଲା ପର୍ଯ୍ୟନ୍ତ ପ୍ରତିବାଦ କରିବୁ!”
ମହିଳା କିଷାନ ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମର ଅଂଶବିଶେଷ ରୂପେ ଜାନୁଆରୀ ୧୮ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟା ୩୦ରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଳରେ ଅନୁଷ୍ଠିତ ‘ମହିଳା କିଷାନ ମଜୁର ବିଧାନସଭା’ ଅଧିବେଶନରେ ସୁପର୍ଣ୍ଣା କହୁଥିଲେ । ଏହି ଅଧିବେଶନରେ ମୁଖ୍ୟତଃ କୃଷି କ୍ଷେତ୍ରରେ କାର୍ଯ୍ୟରତ ମହିଳାମାନଙ୍କ ବିଭିନ୍ନ ଜଟିଳ ସମସ୍ୟା, ସେମାନଙ୍କ ପରିଶ୍ରମ, ଜମି ଉପରେ ମାଲିକାନା ସ୍ୱତ୍ୱ ଏବଂ ଅନ୍ୟାନ୍ୟ ଅଧିକାର ପାଇଁ ସେମାନଙ୍କର ସୁଦୀର୍ଘ ସଂଘର୍ଷ ଏବଂ ସେମାନଙ୍କ ଜୀବନ ଉପରେ ନୂତନ କୃଷି ଆଇନଗୁଡ଼ିକର ସମ୍ଭାବିତ କୁପ୍ରଭାବ ସଂପର୍କରେ ଆଲୋଚନା କରାଯାଇଥିଲା ।











