୬୦ ବର୍ଷ ବୟସ୍କ ସୁବ୍ବୈୟା ବିଗତ କିଛି ବର୍ଷ ଧରି ନିଜ ଆଖପାଖର ଚାଷୀଙ୍କୁ ସେମାନଙ୍କ ଜମି ପାଖରେ ଲାଗି ରହିଥିବା ବର ଗଛ ( ଫିକସ ବେଙ୍ଗାଲେନ୍ସିସ )କୁ ବିକ୍ରି କରୁଥିବା ଦେଖି ବିବ୍ରତ ହୋଇ ଉଠୁଥିଲେ।  ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ସୁବ୍ବୈୟା ମଧ୍ୟ ନିଜର ଦୁଇ ଏକର ଚାଷ ଜମି ମଝିରେ ଏକ ବରଗଛ ଚାରା ଲଗାଇଥିଲେ। ସେହି ଚାରା ଏବେ ଶାଖାପ୍ରଶାଖା ମେଲାଇ ବଡ଼ ଗଛର ଆକାର ନେଇସାରିଥିଲା ଏବଂ ଗରମ ଦିନରେ ଛାଇ ଓ ଆଶ୍ରୟ ଦେଉଥିଲା।

ଏବେ ସୁବ୍ବୈୟାଙ୍କ ବରଗଛ ମଧ୍ୟ ବିକ୍ରି କରିବାର ସମୟ ଆସିଯାଇଥିଲା, ହେଲେ ମାତ୍ର ୮,୦୦୦ ଟଙ୍କାରେ। ପତ୍ନୀଙ୍କ ଚିକିତ୍ସା ପାଇଁ ଅର୍ଥାଭାବ କାରଣରୁ ତାଙ୍କୁ ବାଧ୍ୟ ହୋଇ ଏହା କରିବାକୁ ପଡ଼ିଥିଲା। ଦୁଇ ବର୍ଷ ପୂର୍ବରୁ ଗୌରୀ ଗଣେଶା ହବ୍ବା (କର୍ଣ୍ଣାଟକର ଏକ ପର୍ବ)ର ପନ୍ଦର ଦିନ ପୂର୍ବରୁ ସୁବ୍ବୈୟାଙ୍କ ୫୬ ବର୍ଷୀୟା ପତ୍ନୀ ମହାଦେବାମ୍ମା ନିଜର ଛେଳିମାନଙ୍କୁ ଚରାଇବା ସମୟରେ ଗୋଟିଏ ପଥର ଉପରେ ତାଙ୍କର ପାଦ ଖସିଯାଇଥିଲା ଏବଂ ପଡ଼ିଯାଇ ତାଙ୍କର ନିତମ୍ବ ହାଡ଼ ଖସିଯାଇଥିଲା।

‘‘ଛେଳି ପଲରୁ ବାଟବଣା ହୋଇଯାଇଥିବା ଗୋଟିଏ ଛେଳି ଛୁଆ ପଛରେ ମୁଁ ଦୌଡ଼ିଲି ଏବଂ ପଥରକୁ ଦେଖିପାରିଲି ନାହିଁ। ପଡ଼ିଯିବା ପରେ ଉଠି ଛିଡ଼ା ହୋଇପାରିଲି ନାହିଁ,’’ ସେହି ଦୁର୍ଭାଗ୍ୟପୂର୍ଣ୍ଣ ଦିନ ବିଷୟରେ ମନେ ପକାଇ ମହାଦେବାମ୍ମା କହିଥାନ୍ତି। ମୋର ଭୟଙ୍କର ଯନ୍ତ୍ରଣା ହେଉଥିଲା। ସୌଭାଗ୍ୟବଶତଃ, ସେହି ବାଟ ଦେଇ ଯାଉଥିବା ଲୋକମାନେ ମୋତେ ସାହାଯ୍ୟ କଲେ ଏବଂ ଘରେ ପହଞ୍ଚାଇଦେଲେ।’’

ପୂର୍ବରୁ ଦାରିଦ୍ର୍ୟରେ ପୀଡ଼ିତ ପରିବାରର ସ୍ଥିତିକୁ ଏହି ଘଟଣା ଆହୁରି ଖରାପ କରିଦେଲା।

Left: Mahadevamma uses a walker to stroll in the front yard of her house.
PHOTO • Rangaswamy
Right: Subbaiah had to sell the beloved banyan tree he planted and nurtured on his field to raise funds for Mahadevamma’s medical treatment
PHOTO • Rangaswamy

ବାମ : ମହାଦେବାମ୍ମା ନିଜ ଘର ସାମ୍ନାରେ ଥିବା ଖୋଲା ସ୍ଥାନରେ ଚଲାବୁଲା କରିବା ଲାଗି ଏକ ୱାକରର ସହାୟତା ନେଇଥାନ୍ତି। ଡାହାଣ : ସୁବ୍ବୈୟାଙ୍କୁ ମହାଦେବାମ୍ମାଙ୍କ ଚିକିତ୍ସା ଖର୍ଚ୍ଚ ଭରଣା କରିବା ଲାଗି ନିଜ ପ୍ରିୟ ବରଗଛକୁ ବିକ୍ରି କରିବାକୁ ପଡ଼ିଲା ଯାହାକୁ ସେ ନିଜ ଜମିରେ ଲଗାଇଥିଲେ ଏବଂ ଅତି ଯତ୍ନର ସହିତ ତା’ର ରକ୍ଷଣାବେକ୍ଷଣ କରୁଥିଲେ

ସୁବ୍ବେୟା ଓ ମହାଦେବାମ୍ମା ହୁନାସାନଲୁ ଗ୍ରାମରେ ରୁହନ୍ତି ଯାହାକି ମୈସୁର-ଊଟୀ ରାଜପଥରେ ଥିବା ନଞ୍ଜନଗୁଡ଼ ସହରଠାରୁ ପାଖାପାଖି ୧୨ କିଲୋମିଟର ଦୂରରେ ଅବସ୍ଥିତ। ସେମାନେ କର୍ଣ୍ଣାଟକରେ ଅନୁସୂଚିତ ଜାତି ଭାବେ ତାଲିକାଭୁକ୍ତ ଆଦି କର୍ଣ୍ଣାଟକ (ଏକେ) ସମୁଦାୟର ପ୍ରତିନିଧିତ୍ୱ କରିଥାନ୍ତି। ସେମାନଙ୍କର ୨୦ ବର୍ଷର ଏକ ଝିଅ ପବିତ୍ରା ଏବଂ ୧୮ ବର୍ଷର ଏକ ପୁଅ ଅଭିଷେକ ଅଛି।

ପବିତ୍ରା ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ଜନ୍ମରୁ ଉଭୟ ପଟ କାନରେ ଆଂଶିକ ବଧିରତାର ଶିକାର ହୋଇଥିବା ଅଭିଷେକ ବୟସ ବଢ଼ିବା ସହିତ ଅଧିକ ଗମ୍ଭୀର ଭାବେ ଏହି ସମସ୍ୟାରେ ପୀଡ଼ିତ ହୋଇଥିଲେ। ଅନ୍ୟମାନେ କ’ଣ କହୁଛନ୍ତି ତାହା ଶୁଣିବାରେ ସମ୍ପୂର୍ଣ୍ଣ ଭାବେ ଅକ୍ଷମ ହେବା କାରଣରୁ, ସେ କେବେ କଥା କହିବା ଶିଖିପାରିନଥିଲେ। ଅଭିଷେକ କେବଳ ସଙ୍କେତ ଓ ଭାବଭଙ୍ଗୀ ମାଧ୍ୟମରେ ନିଜର ଭାବନା ବ୍ୟକ୍ତ କରିଥାନ୍ତି ଏବଂ ଘରୁ କେଉଁଆଡ଼େ ବାହାରକୁ ଯିବା ସମୟରେ ତାଙ୍କୁ ବହୁତ ସତର୍କ ହେବାକୁ ପଡ଼ିଥାଏ କାରଣର ଗାଡ଼ି ଯିବାଆସିବା ଓ ହର୍ଣ୍ଣ ବାଜିବାର ଶବ୍ଦ ତାଙ୍କୁ ଶୁଭେ ନାହିଁ।

ମାଣ୍ଡ୍ୟା ଜିଲ୍ଲା ପାଣ୍ଡବପୁରା ତାଲୁକ ଅନ୍ତର୍ଗତ ଚିନାକୁରଲୀ ଗ୍ରାମରେ ମୂକ ଓ ବଧିର ପିଲାଙ୍କ ପାଇଁ ଥିବା ଜ୍ଞାନବିକାଶ ସ୍ୱତନ୍ତ୍ର ଆବାସିକ ବିଦ୍ୟାଳୟରେ ସୁବ୍ବୈୟା ନିଜ ପୁଅର ନାମ ଲେଖାଇଥିଲେ। ଅଭିଷେକ ଏବେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଶେଷ କରିଛନ୍ତି। ଏବେ ସେ ଅଧିକାଂଶ ସମୟରେ ଘରେ ରହି ପରିବାରର ଗାଈମାନଙ୍କର ଦେଖାଶୁଣା କରିବା ସହିତ ନିକଟବର୍ତ୍ତୀ ସହର ଓ ନଗରରେ ଚାକିରି ଖୋଜାଖୋଜି କରୁଛନ୍ତି ଯାହାଫଳରେ ସେ ପରିବାର ଖର୍ଚ୍ଚରେ ନିଜର ଯୋଗଦାନ ଦେଇପାରିବେ।

ଅନ୍ୟପଟେ ସମୟ ବିତିବା ସହିତ ମହାଦେବମ୍ମାଙ୍କ ଚିକିତ୍ସା ଖର୍ଚ୍ଚ ସେମାନଙ୍କ ପରିବାର ସ୍ୱଳ୍ପ ସଞ୍ଚୟକୁ ମଧ୍ୟ ପ୍ରଭାବିତ କରିବା ଆରମ୍ଭ କରିଥିଲା। ନିଜ ବରଗଛ ବିକିବା ସତ୍ତ୍ୱେ ସୁବ୍ବୈୟାଙ୍କୁ ନିଜର ଦୁଇ ଏକର ଶୁଷ୍କ ଜମିକୁ ଗାଁର ଅନ୍ୟ ଜଣେ ଚାଷୀ ସ୍ୱାମୀଙ୍କୁ ତିନି ବର୍ଷ ପାଇଁ ଲିଜ୍‌ରେ ଦେବାକୁ ପଡ଼ିଥିଲା। ଯାହା ବଦଳରେ ତାଙ୍କୁ ୭୦,୦୦୦ ଟଙ୍କା ମିଳିଥିଲା।

Mahadevamma (left) in happier times pounding turmeric tubers to bits. She used to earn Rs. 200 a day working on neigbouring farms before her fracture and subsequent injuries left her crippled.
PHOTO • Ramya Coushik
Right: (From left to right) Pavithra, Subbaiah, Mahadevamma and Abhishek in front of their home
PHOTO • Rangaswamy

ମହାଦେବାମ୍ମା (ବାମ) ନିଜର ଭଲ ଦିନରେ ହଳଦୀ ଖଣ୍ଡକୁ କୁଟି ଗୁଣ୍ଡ କରୁଛନ୍ତି ନିତମ୍ବ ହାଡ଼ ଭାଙ୍ଗିଯିବା ପୂର୍ବରୁ ସେ ଆଖପାଖ ଜମିରେ କାମ କରି ଦୈନିକ ୨୦୦ ଟଙ୍କା ରୋଜଗାର କରିନେଉଥିଲେ ଡାହାଣ: ନିଜ ଘର ଆଗରେ (ବାମରୁ ଡାହାଣ) ପବିତ୍ରା, ସୁବ୍ବୈୟା, ମହାଦେବାମ୍ମା ଓ ଅଭିଷେକ

ଗଭୀର ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ ମହୀଶୁରର କେ. ଆର. ହସ୍ପିଟାଲର ଡାକ୍ତର ଏହି ପରିଣାମରେ ପହଞ୍ଚିଲେ ଯେ ମହାଦେବାମ୍ମାଙ୍କର ଅସ୍ତ୍ରୋପଚାର କରିବାକୁ ପଡ଼ିବ କିନ୍ତୁ ଏହା କୌଣସି ସହଜ କାମ ନଥିଲା କାରଣ ସେତେବେଳେ ସେ ଆନିମିୟା ଅର୍ଥାତ୍‌ ରକ୍ତହୀନତା ସହିତ ଥାଇରଏଡ୍‌ ସମସ୍ୟାରେ ପୀଡ଼ିତ ଥିଲେ। ତେବେ ୧୫ ଦିନ ପର୍ଯ୍ୟନ୍ତ ଡାକ୍ତରଖାନାରେ ରହିବା ପରେ ଆବଶ୍ୟକ ଔଷଧ ସେବନ କରିବାକୁ ପରାମର୍ଶ ଦିଆଯିବା ସହିତ ପୁଣି ଥରେ ଛଅ ସପ୍ତାହ ପରେ ଅସ୍ତ୍ରୋପଚାର ପାଇଁ ଆସିବା ଲାଗି ତାଙ୍କୁ କୁହାଗଲା। ଏହାପରେ ସେ ହସ୍ପିଟାଲରୁ ଛାଡ଼ ପାଇଥିଲେ। ସେତେବେଳକୁ ଯିବାଆସିବା, ଏକ୍ସ-ରେ, ରକ୍ତ ପରୀକ୍ଷା ଓ ଔଷଧ ବାବଦରେ ଏହି ଦମ୍ପତିଙ୍କର ୪୦,୦୦୦ ଟଙ୍କା ଖର୍ଚ୍ଚ ହୋଇସାରିଥିଲା।

ମହାଦେବମ୍ମା ଶାରୀରିକ ଭାବେ ଏହି ସମସ୍ୟା ଓ ଯନ୍ତ୍ରଣାକୁ ସହ୍ୟ କରିବା ଲାଗି ସକ୍ଷମ ନଥିଲେ, ସେଥିପାଇଁ ପତି-ପତ୍ନୀ ଅସ୍ତ୍ରୋପଚାର କରିବା ପରିବର୍ତ୍ତେ ନିଜ ଘରଠାରୁ ପ୍ରାୟ ୧୩୦ କିଲୋମିଟର ଦୂର ପଡ଼ୋଶୀ ତାମିଲନାଡ଼ୁର ଇରୋଡ଼ ଜିଲ୍ଲା ସିଙ୍ଗିରୀପଲାୟମ ଗାଁରେ ଥିବା ବିକଳ୍ପ ଚିକିତ୍ସକଙ୍କ ଆଶ୍ରୟ ନେବାକୁ ନିଷ୍ପତ୍ତି ନେଲେ। ହାଡ଼ର ପାରମ୍ପରିକ ଚିକିତ୍ସା-କେନ୍ଦ୍ର ପାଇଁ ସିଙ୍ଗିରପଲାୟମର ପ୍ରସିଦ୍ଧି ରହିଛି। ସେଠାକୁ ଯିବା ପରେ ମହାଦେବାମ୍ମାଙ୍କ ଗୋଇଠିଠାରୁ ନିତମ୍ବ ପର୍ଯ୍ୟନ୍ତ ପାତିଆରେ ବାନ୍ଧି ଦିଆଗଲା। ଭଙ୍ଗା ନିତମ୍ବ ଉପରେ ଆୟୁର୍ବେଦ ତେଲ ଭରି ଦିଆଗଲା। ଏହି ଚିକିତ୍ସା ପଦ୍ଧତି ମଧ୍ୟ ଶସ୍ତା ନଥିଲା। ସୁବ୍ବୈୟା ଓ ମହାଦୋମ୍ମାଙ୍କୁ ଚାରି ଥର ଚିକିତ୍ସା ପାଇଁ ପ୍ରତି ୧୫ ଦିନରେ ଥରେ ଏକ ଭଡ଼ା କାର ନେଇ ସିଙ୍ଗିରୀପଲାୟମ ଯିବାକୁ ପଡ଼ୁଥିଲା। ପ୍ରତ୍ୟେକ ଥର ଚିକିତ୍ସା ପାଇଁ ପରିବାରକୁ ୬,୦୦୦ ଟଙ୍କା ପୈଠ କରିବାକୁ ହେଉଥିଲା ଏବଂ ସିଙ୍ଗିରିପଲାୟମ ଯିବା ଆସିବା ପାଇଁ ସେମାନଙ୍କୁ ଗାଡ଼ି ଭଡ଼ା ବାବଦରେ ୪,୫୦୦ ଟଙ୍କା ଖର୍ଚ୍ଚ କରିବାକୁ ହେଉଥିଲା।

ଏହି ଚିକିତ୍ସାର ଅନ୍ୟାନ୍ୟ ଜଟିଳତା ମଧ୍ୟ ଆରମ୍ଭ ହୋଇଗଲା। ପାତିଆର ଧାର ମହାଦେବାମ୍ମାଙ୍କ ପାଦ ମାଂସରେ ଲଗାତର ଫୁଟି ଯାଉଥିଲା ଏବଂ ତାହା ଘସି ହୋଇ ତ୍ୱଚାରେ ଘା’ ସୃଷ୍ଟି ହେଲା। ଏହି ଘା’ ଧୀରେ ଧୀରେ ଏତେ ଗଭୀର ହୋଇଗଲା ଯେ ଭିତରୁ ତାଙ୍କର ହାଡ଼ ଦେଖାଗଲା। ଏହାପରେ ସୁବ୍ବେୟା ନଞ୍ଜନଗୁଡ଼ରେ ଥିବା ଘରୋଇ କ୍ଲିନିକରେ ମହାଦେବାମ୍ମାଙ୍କୁ ନେଇ ଦେଖାଇଲେ। ସେଠି ଚିକିତ୍ସା ପାଇଁ ତାଙ୍କୁ ଆଉ ୩୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ହେଲା କିନ୍ତୁ ତାଙ୍କର ପାଦ ଭଲ ହେଲା ନାହିଁ।

ଭଙ୍ଗା ଗୋଡ଼ରେ ଘରେ ଏପଟସେପଟ ହେବାକୁ ଚେଷ୍ଟା କରୁଥିବା ବେଳେ ଦୁର୍ଭାଗ୍ୟବଶତଃ ମହାଦେବାମ୍ମା ଆଉ ଦୁଇଥର ପଡ଼ିଗଲେ। ଫଳରେ ତାଙ୍କର ଆଣ୍ଠୁରେ ଗଭୀର ଆଘାତ ଲାଗିଲା। ନିକଟରେ ଏକ ଡାକ୍ତରଖାନାରେ ଚିକିତ୍ସା ପାଇଁ ତାଙ୍କୁ ଆଉ ୪,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ହେଲା। ଚିକିତ୍ସା ସତ୍ତ୍ୱେ ସେ ନିଜ ଆଣ୍ଠୁ ଭାଙ୍ଗିବାରେ ସକ୍ଷମ ହେଲେ ନାହିଁ।

Left: Mahadevamma's x-ray showing her fracture.
PHOTO • Rangaswamy
Right: Her wounded foot where the splint pressed down.  Mahadevamma can no longer use this foot while walking
PHOTO • Rangaswamy

ବାମ : ମହାଦେବାମ୍ମାଙ୍କ ଏକ୍ସ-ରେ ଯେଉଁଥିରେ ତାଙ୍କର ଭଙ୍ଗା ହାଡ଼ ସମ୍ପୂର୍ଣ୍ଣ ସ୍ପଷ୍ଟ ଭାବେ ଦେଖାଯାଉଛି ବାମ :  ପାତିଆ ବାଜି ଘା’ ହୋଇଯାଇଥିବା ତାଙ୍କର ପାଦ ମହାଦେବାମ୍ମା ଏବେ ଏଇ ପାଦରେ ଚାଲି ପାରୁନାହାନ୍ତି

ନିଜର ଦୁଇ ଏକର ଜମିକୁ ଲିଜ୍‌ରେ ଦେବା ପରେ ସୁବ୍ବୈୟା ଏହି ଜମିରୁ ହେଉଥିବା ଆୟ ହାତଛଡ଼ା କରିଥିଲେ। ପୂର୍ବରୁ ବର୍ଷା ଋତୁରେ ସେ ଏହି ଜମିରେ କପା, ମକା, ମୁଗ, କୋଳଥ, ଡାଲି ଓ ଝୁଡ଼ଙ୍ଗ ଆଦି ଫସଲ ଚାଷ କରୁଥିଲେ। ତାଙ୍କୁ ସ୍ଥାନୀୟ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ଠାରୁ ୧୦୦,୦୦୦ ଟଙ୍କା ଋଣ ନେବାକୁ ପଡ଼ିଥିଲା। ଏହା ବଦଳରେ ତାଙ୍କୁ ମାସିକ ୩,୦୦୦ ଟଙ୍କା ପରିଶୋଧ କରିବାକୁ ପଡ଼ିଥାଏ। ସମ୍ପୂର୍ଣ୍ଣ ଋଣ ପରିଶୋଧ କରିବା ଲାଗି ତାଙ୍କୁ ଆଉ ୧୪ ମାସ କିସ୍ତି ଦେବାକୁ ପଡ଼ିବ। ଲିଜ୍‌ରେ ଦିଆଯାଇଥିବା ଜମିକୁ ଫେରାଇବା ଲାଗି ଲିଜ୍‌ ଅର୍ଥରାଶି ଆକାରରେ ତାଙ୍କୁ ଆହୁରି ୭୦,୦୦୦ ଟଙ୍କା ପରିଶୋଧ କରିବାର ଆବଶ୍ୟକତା ରହିଛି।

କାମ ମିଳିଗଲେ ସୁବ୍ବୈୟା ଦିନକୁ ୫୦୦ ଟଙ୍କା ରୋଜଗାର କରିଥାନ୍ତି। ଗୋଟିଏ ମାସରେ ପ୍ରାୟ ୨୦ ଦିନ ତାଙ୍କୁ ଏମିତି କାମ ମିଳିଥାଏ। ସେ ଆଖାପାଖ ଅଞ୍ଚଳରେ କୃଷି ଶ୍ରମିକ ଏବଂ ଗାଁରେ କାହାର ନିର୍ମାଣାଧୀନ ଭବନରେ ଦିନ ମଜୁରିଆ ଭାବେ କାମ କରିଥାନ୍ତି। ଆଖୁ କଟାଯିବା ଋତୁରେ ସୁବ୍ବୈୟା ଚିନି କାରଖାନାରେ ଆଖୁ କାଟିବା କାମ ମଧ୍ୟ କରିଥାନ୍ତି। ପୂର୍ବରୁ ମହାଦେବାମ୍ମା ନିଜ ପରିବାର କାମ ପୂରା କରିବା ପରେ ଆଖପାଖ ଜମିରେ ଘାସ କାଟିବା ଏବଂ ଅପତୃଣ ବାଛିବା କାମ କରି ପ୍ରତିଦିନ ୨୦୦ ଟଙ୍କା ରୋଜଗାର କରୁଥିଲେ ଏବଂ ପରିବାରର ରୋଜଗାରରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ। କିନ୍ତୁ ଏବେ ସାହାରା ବିନା ତାଙ୍କ ପାଇଁ ଚାଲିବା ମଧ୍ୟ ସମ୍ଭବପର ନୁହେଁ।

ପୂର୍ବରୁ ସେମାନଙ୍କ ଦୁଧିଆଳୀ ଗାଈ ପ୍ରତି ମାସରେ ୨୦୦ ଲିଟର କ୍ଷୀର ଦେଉଥିଲା ଏବଂ ଘର ରୋଜଗାରରେ ୬,୦୦୦ ଟଙ୍କାର ଯୋଗଦାନ ଦେଉଥିଲା। ହେଲେ ଗାଈ ଗତ ଦୁଇ ବର୍ଷ ହେଲା ବାଛୁରୀ ଦେଇନାହିଁ। ପରିବାରର ଆୟକୁ ଏହି କାରଣରୁ ମଧ୍ୟ କ୍ଷତି ସହିବାକୁ ପଡ଼ୁଛି।

ସେମାନଙ୍କ ପରିବାର ହନୁସାନାଲୁ ଗାଁର ଗୋଟିଏ ପଟେ ଏକ ପତଳା ଗଳିରେ ତିଆରି ହୋଇଥିବା ଏକ ଚୂନ ଲଗା ବଖୁରିକିଆ ଘରେ ରହିଥାଏ।

ଏହି ଦୁର୍ଘଟଣା ପୂର୍ବରୁ ସୁବ୍ବୈୟା ନିଜ ପୁଅକୁ ନେଇ ଅନେକ ଆଶା ରଖିଥିଲେ। ସେ ତାଙ୍କୁ କୌଣସି ଏକ ବିଦ୍ୟାଳୟରେ ନାମ ଲେଖାଇବାକୁ ଚାହୁଁଥିଲେ ଯେଉଁଠି ଭିନ୍ନକ୍ଷମ ପିଲାମାନଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯାଇଥାଏ। ‘‘ସେ କେବଳ କଥା କହିପାରେ ନାହିଁ, ନହେଲେ ସେ ଭାରି ଚାଲାକ୍‌,’’ ନିଜ ପୁଅ ବିଷୟରେ ଏକଥା କହିବା ସମୟରେ ତାଙ୍କ ଆଖିରେ ଗର୍ବର ଭାବନା ଦେଖିବାକୁ ମିଳିଥାଏ। ପୁଅର ଭବିଷ୍ୟତ ପାଇଁ କିଛି କରିପାରୁନଥିବାରୁ ସେ ଦୁଃଖ ପ୍ରକାଶ କରିଥାନ୍ତି।

Left: Subbaiah at work. He earns Rs. 500 for a day of work that starts at 9 a.m. and stretches till 5 a.m.
PHOTO • Rangaswamy
Right: Mahadevamma stands with the support of a walker along with Subbaiah in front of the single-room house they share with their two children
PHOTO • Rangaswamy

ବାମ: ସୁବ୍ବୈୟା ନିଜ କାମ କରୁଛନ୍ତି ଯେଉଁଦିନ ତାଙ୍କୁ କାମ ମିଳିଥାଏ ସେ ସକାଳୁ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କାମ କରି ୫୦୦ ଟଙ୍କା ରୋଜଗାର କରିଥାନ୍ତି ଡାହାଣ: ସ୍ୱାମୀ ସୁବ୍ବୈୟାଙ୍କ ସହିତ ମହାଦେବାମ୍ମା ଏକ ୱାକର୍‌ ସହାୟତାରେ ନିଜର ବଖୁରିକିଆ ଘର ଆଗରେ ଛିଡ଼ା ହୋଇଛନ୍ତି ସେମାନଙ୍କ ଦୁଇ ପିଲାମାନଙ୍କ ସେମାନଙ୍କ ସହିତ ଏହି ଘରେ ରହିଥାନ୍ତି

ସେମାନଙ୍କ ଝିଅ ପବିତ୍ରା ରୋଷେଇ କରିବା ସହିତ ଘର ସଫେଇ ଓ ଅନ୍ୟାନ୍ୟ ଘରକରଣା କାମ କରିଥାନ୍ତି। ପବିତ୍ରାଙ୍କର ବାହା ହେବା ଆଶା ଖୁବ୍‌ କମ୍‌ ବୋଲି ତାଙ୍କ ବାପା କୁହନ୍ତି, କାରଣ ତାଙ୍କ ପରିବାର ବାହାଘର ଖର୍ଚ୍ଚ ଉଠାଇବାକୁ ସକ୍ଷମ ନୁହେଁ।

‘‘ତା’କୁ ଡାକ୍ତରଖାନା ନେଇଯିବା ପରେ ମୋତେ ଗୋଟିଏ ପଟ ରାସ୍ତା ବାବଦରେ ୫୦୦ ଟଙ୍କା ଭଡ଼ା ଦେବାକୁ ପଡ଼ିଥାଏ। ସେଥିରେ ଔଷଧ ଓ ଏକ୍ସ-ରେ ପାଇଁ ଅଲଗା ଟଙ୍କା ଖର୍ଚ୍ଚ କରିବାକୁ ହୁଏ। ମୁଁ ନିଜର ସମ୍ପୂର୍ଣ୍ଣ ସଞ୍ଚୟ ପୂର୍ବରୁ ଚିକିତ୍ସା ଖର୍ଚ୍ଚରେ ସାରି ଦେଇଛି। ଏବେ ଆମେ ଟଙ୍କା କେଉଁଠୁ ଆଣିବୁ?’’ ନିରାଶାଗ୍ରସ୍ତ ସୁବ୍ବୈୟା କୁହନ୍ତି।

ଗଛ କାଟି ଦେଇଥିବାରୁ ସେ ଆଜି ମଧ୍ୟ ଦୁଃଖ ପ୍ରକାଶ କରିଥାନ୍ତି। ‘‘ମୁଁ ନିଜ ହାତରେ ଏହି ଗଛ ଲଗାଇଥିଲି ଏବଂ ବଡ଼ କରିଥିଲି। ସମ୍ଭବତଃ! ମୁଁ ଏହାକୁ ବିକ୍ରି କରିନଥାନ୍ତି, କିନ୍ତୁ ମୋ ପାଖରେ ଅନ୍ୟ କୌଣସି ଉପାୟ ଥିଲା କି?’’

ମହାଦେବାମ୍ମାଙ୍କର ଯେଉଁ ଦୀର୍ଘ ଚିକିତ୍ସାର ଆବଶ୍ୟକତା ରହିଛି, ତା’ର ଖର୍ଚ୍ଚ ଉଠାଇବା ସେମାନଙ୍କ ପରିବାର ପାଇଁ ବହୁତ କଷ୍ଟକର। ଭଲ ଚିକିତ୍ସା କରିବା ଏବଂ ଉପଚାର ଜାରି ରଖିବା ପାଇଁ ସେମାନଙ୍କୁ ଅର୍ଥର ଆବଶ୍ୟକତା ରହିଛି। ଆହୁରି ନିଜ ଜମିର ମାଲିକାନା ଫେରି ପାଇବା, ପିଲାମାନଙ୍କର ଯତ୍ନ ନେବା ଓ ସେମାନଙ୍କୁ ନିଜ ଗୋଡ଼ରେ ଛିଡ଼ା ହେବାକୁ ସକ୍ଷମ କରିବା ଲାଗି ପରିବାରକୁ ଅଧିକ ଟଙ୍କା ଦରକାର।

‘‘ବିନା ସାହାରାରେ ମୁଁ ଘର ଆଗ ଖାଲି ଜାଗାକୁ ଯିବା ପାଇଁ ମଧ୍ୟ ସକ୍ଷମ ନୁହେଁ,’’ ହତାଶ ମହାଦେବାମ୍ମା କୁହନ୍ତି।

ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିବା ସୁବ୍ବୈୟା କୁହନ୍ତି, ‘‘ଚାରି ଜଣ ପ୍ରାପ୍ତ ବୟସ୍କଙ୍କୁ ନେଇ ପରିବାର ଚଳାଇବାକୁ ମୁଁ ହିଁ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ମୋ ଶତ୍ରୁମାନଙ୍କୁ ମଧ୍ୟ କେବେ ଏଭଳି ଦିନ ଦେଖିବାକୁ ପଡ଼ୁ ବୋଲି ମୁଁ ଚାହେଁ ନାହିଁ। ମୋ ସମସ୍ୟାର କେବେ ଅନ୍ତ ଘଟିବ ତାହା ମୁଁ ଜାଣେ ନାହିଁ।’’

ଅନୁବାଦ: ଓଡ଼ିଶାଲାଇଭ୍‍

Ramya Coushik

राम्या कौशिक बैंगलोर में स्थित एक संचार सलाहकार हैं. वह प्रकृति और प्राकृतिक खेती से जुड़े मुद्दों पर लिखती हैं.

की अन्य स्टोरी Ramya Coushik
Editor : Vishaka George

विशाखा जॉर्ज, पीपल्स आर्काइव ऑफ़ रूरल इंडिया की सीनियर एडिटर हैं. वह आजीविका और पर्यावरण से जुड़े मुद्दों पर लिखती हैं. इसके अलावा, विशाखा पारी की सोशल मीडिया हेड हैं और पारी एजुकेशन टीम के साथ मिलकर पारी की कहानियों को कक्षाओं में पढ़ाई का हिस्सा बनाने और छात्रों को तमाम मुद्दों पर लिखने में मदद करती है.

की अन्य स्टोरी विशाखा जॉर्ज
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE