ଲଲ୍ଲନ୍ ପାଶୱାନ୍ ପ୍ରଥମେ ହାତ-ଟଣା ରିକ୍ସା ଟାଣିବା ଶିଖିବା ପାଇଁ ଚେଷ୍ଟା କଲେ, ଅଭ୍ୟାସରେ ତାଙ୍କୁ ସାହାଯ୍ୟ କରିବା ପାଇଁ ଅନ୍ୟ ରିକ୍ସାବାଲାମାନେ ପଛରେ ବସିଲେ। "ମୁଁ ଯେତେବେଳେ ରିକ୍ସା (ସାମ୍ନା ପଟ) ପ୍ରଥମ ଥର ପାଇଁ ଉଠାଇଲି ଏବଂ ଆଗକୁ ଟାଣିବା ପାଇଁ ଚେଷ୍ଟା କଲି, ମୁଁ ପାରିଲିନି,’’ ସେ କହନ୍ତି। “ମୋତେ ଏହା କରିବା ପାଇଁ ଦୁଇ ତିନି ଦିନ ସମୟ ଲାଗିଲା।”
ବେକରେ ଗୁଡ଼ା ହୋଇଥିବା ଛକି ପ୍ରିଣ୍ଟ ଗାମୁଛାରେ ମୁହଁରୁ ଝାଳ ପୋଛି, ସେ କହନ୍ତି କେମିତି ରିକ୍ସାର ସନ୍ତୁଳନ ରକ୍ଷା କରିବା ଶିଖିଲେ, ଯେମିତି ରିକ୍ସା ଓଲଟି ନ ପଡ଼ିବ। “ଯଦି ତୁମେ ହ୍ୟାଣ୍ଡଲ୍ [ସାମ୍ନା ପଟେ] ପାସେଞ୍ଜରଙ୍କଠୁ ଯଥା ସମ୍ଭବ ଦୂରେଇ କରି ଧରିବ, ରିକ୍ସା କେବେ ଓଲଟିବ ନାହିଁ,” ସେ କହନ୍ତି । ରିକ୍ସା ଓଲଟି ପଡ଼ିଲେ ବ୍ୟସ୍ତ ହୋଇ ନ ପଡ଼ିବା ପାଇଁ ତାଙ୍କୁ କିଛି ସମୟ ଲାଗିଲା, କିନ୍ତୁ ବର୍ତ୍ତମାନ, ସେ କହନ୍ତି, “ମୋତେ ଆଉ ଡର ଲାଗୁନି। ମୁଁ ଏବେ ଦୁଇ ଜଣ ପାସେଞ୍ଜର୍, ଏମିତିକି ତିନି ଜଣ, ଯଦି ତୃତୀୟ ଜଣକ ଛୋଟ ପିଲା ହୋଇଥାଏ, ସହଜରେ ରିକ୍ସା ଟାଣି ନେଉଛି।”
ଏହି ସବୁ ପ୍ରାରମ୍ଭିକ ଚେଷ୍ଟା କରିବାର ପ୍ରାୟ ୧୫ ବର୍ଷ ହୋଇ ଗଲାଣି। ପ୍ରଥମେ ଶିଖିବା ସମୟରେ, ଲଲ୍ଲନ୍ ବିହାରର ପୂର୍ବ ଚମ୍ପାରଣ ଜିଲ୍ଲାର ରଘୁନାଥପୁର ଗାଁରୁ ସହରକୁ ଆସିଥିଲେ। ସେ ନବମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। କିଛି ଦିନ ପରିବାରର ଗୋଟିଏ ବିଘା (ଗୋଟିଏ ଏକରରୁ କମ୍) ଜମିରେ ଗହମ ଓ ଧାନ ଚାଷ କରିଛନ୍ତି। କିନ୍ତୁ ଚାଷରେ ବେଶୀ ଟଙ୍କା ମିଳେ ନାହିଁ, ଏବଂ ପାଶୱାନ୍ କୋଲକାତାକୁ କାମ ଖୋଜିବା ପାଇଁ ଆସିଥିଲେ।
କିଛି ମାସ , ସେ ଅଫିସରେ ଚାକିରି ଖୋଜିବା ପାଇଁ ଚେଷ୍ଟା କଲେ। “ମୁଁ ଯେତେବେଳେ କିଛି କାମଧନ୍ଦା ପାଇଲି ନାହିଁ, ମୋ ଗାଁରୁ ଆସିଥିବା କିଛି ରିକ୍ସାବାଲା ଏଇ କାମ କଥା ମୋତେ କହିଲେ,” ସେ କହନ୍ତି। ୪୦ ବର୍ଷୀୟ ପାଶୱାନ୍ ଏବେ ଦକ୍ଷିଣ କୋଲକାତାର କର୍ନଫିଲ୍ଡ ରୋଡ୍ ଏବଂ ଏକଡାଲିଆ ରୋଡ୍ ଛକରେ ଥିବା ଏକ ରିକ୍ସା ଷ୍ଟାଣ୍ଡରୁ ରିକ୍ସା ଟାଣୁଛନ୍ତି। ସେଠାରେ ପ୍ରାୟ ୩୦ ଜଣ ରିକ୍ସାବାଲା ନିଜ ନିଜ ରିକ୍ସା ଧରି ଯାତ୍ରୀଙ୍କ ପାଇଁ ଅପେକ୍ଷା କରନ୍ତି। ମାର୍ଚ୍ଚରେ ସାରା ଦେଶରେ ଆରମ୍ଭ ହୋଇଥିବା କୋଭିଡ୍-୧୯ ଲକ୍ଡାଉନ୍ ସମୟରେ ସେମାନଙ୍କ ମଧ୍ୟରୁ ଅନେକ ନିଜ ନିଜ ଗାଁକୁ ଫେରିଗଲେ। ପାଶୱାନ୍ କହନ୍ତି, “କରୋନା ପାଇଁ ଅଧିକ ପାସେଞ୍ଜର ମିଳୁ ନାହାଁନ୍ତି। ଏଠି ସେମାନେ କଣ କରିବେ? ସେଥିପାଇଁ ଘରକୁ ଫେରିଗଲେ। ”
ତେବେ ଲଲ୍ଲନ କୋଲକାତାରେ ରହିଗଲେ କାରଣ ସେ ଗାଁରେ ପକ୍କା ଘର ତୋଳିବା ପାଇଁ ମହାଜନଠାରୁ ୧ ଲକ୍ଷ ଟଙ୍କା ଧାର ଆଣିଥିଲେ। ଯଦି ସେ ଘରକୁ ଫେରୁଛନ୍ତି ମହାଜନ ଟଙ୍କା ମାଗିବ - ଯାହା କି ସେ ଫେରାଇବା ଅବସ୍ଥାରେ ନାହାଁନ୍ତି।
ମହାମାରୀ ପୂର୍ବରୁ, ଲଲ୍ଲନ୍ ସକାଳ ୬ଟାରୁ କାମ ଆରମ୍ଭ କରି ରାତି ୧୦ଟା ଯାଏଁ ରିକ୍ସା ଟାଣନ୍ତି। ରିକ୍ସା ଷ୍ଟାଣ୍ଡରୁ ୫ କିଲୋମିଟର ଭିତରେ ପାଖାପାଖି ଥିବା ଗୋଲପାର୍କ, ଗରିଆହାଟ ଏବଂ ବାଲିଗଞ୍ଜ ଭଳି ଜାଗାକୁ ପାସେଞ୍ଜର ନେବା ଆଣିବା କରି ଦିନକୁ ୨୦୦ ରୁ ୩୦୦ ଟଙ୍କା ରୋଜଗାର ହୋଇଯାଏ।
ରିକ୍ସା ଏବଂ ଯାତ୍ରୀଙ୍କ ମିଶାଇ - ଅତି କମ୍ରେ ୧୫୦ କିଲୋ - ଓଜନ ସହ ଗୋଟିଏ କିଲୋମିଟର ରାସ୍ତା ରିକ୍ସା ଟାଣିବା ପାଇଁ ପାଶୱାନ୍ଙ୍କୁ ପ୍ରାୟ ୧୫ ମିନିଟ୍ ସମୟ ଲାଗେ। “ସବୁଦିନିଆ ରାସ୍ତା ବାଦ ଯଦି ଅଲଗା ରାସ୍ତାରେ ମୁଁ ପାସେଞ୍ଜରଙ୍କୁ ନିଏ ତାହେଲେ ମୋର, ଗୋଡ଼, କାନ୍ଧ ବିନ୍ଧା ହୁଏ। ‘‘ମୁଁ ହାଲିଆ ହୋଇଯାଏ,” ପାଶୱାନ୍ କହନ୍ତି।
ଦୂରତା ଏବଂ ଯାତ୍ରୀଙ୍କ ସଂଖ୍ୟା ଉପରେ ନିର୍ଭର କରି, ଲକ୍ଡାଉନ୍ ପୂର୍ବରୁ ସେ ଗୋଟିଏ ଟ୍ରିପ୍ ପାଇଁ ୩୦ ରୁ ୫୦ ଟଙ୍କା ଚାର୍ଜ କରୁଥିଲେ। “କୋଉ ମାସରେ ମୋର ୮,୦୦୦ ଟଙ୍କା ରୋଜଗାର ହୁଏ କୋଉ ମାସରେ ୧୦,୦୦୦ ଟଙ୍କା,” ସେ କହନ୍ତି। ଏହି ରୋଜଗାରରୁ ସେ ରିକ୍ସା ମାଲିକକୁ ୨୦୦ ଟଙ୍କା ସାପ୍ତାହିକ ଭଡ଼ା ଦିଅନ୍ତି, ୨୦୦୦ ଟଙ୍କା ନିଜ ପାଖରେ ଖାଇବା ପିଇବା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ରଖି ବଳକା ଟଙ୍କା ପରିବାର ପାଇଁ ପଠାନ୍ତି।
ଲକ୍ଡାଉନ୍ ସମୟରେ ଖୁବ୍ କମ୍ ସବାରି ମିଳୁଥିଲା। ଯାହା ସଞ୍ଚୟ କରି ରଖିଥିଲେ ସେଥିରେ ଚଳିଲେ। ସ୍ଥାନୀୟ କାଉନସିଲର୍ ଏବଂ ବେସରକାରୀ ସଂସ୍ଥାଗୁଡ଼ିକଠାରୁ କିଛି ରାସନ୍ ମିଳିଥିଲା - ଅନଲକ୍ ପର୍ଯ୍ୟାୟ ଆରମ୍ଭ ହେବା ପରଠାରୁ ମାଗଣା ରାସନ୍ ମିଳିବା ବନ୍ଦ ହୋଇଗଲା।
ଲକ୍ଡାଉନ୍ ପୂର୍ବରୁ, ପାଶୱାନ୍ ବର୍ଷା ହେଲେ ବି ନିଜ ରିକ୍ସା ଟାଣନ୍ତି। ନିଜକୁ ପ୍ଲାଷ୍ଟିକ୍ ସିଟ୍ରେ ଢାଙ୍କି ଦିଅନ୍ତି। ହେଲେ ଏବେ ବର୍ଷାରେ ଭିଜିବା ବିପଦଜନକ ବୋଲି ସେ କହନ୍ତି। “ବର୍ଷା ହେଲେ ମୁଁ ରୁମ୍ ଭିତରେ ରହୁଛି। କୌଣସି ପାସେଞ୍ଜରଙ୍କୁ ନେଉନି। ଓଦା ହେଲା ପରେ ଯଦି ଜର ହେବ, ଲୋକେ କହିବେ କରୋନା ହେଇଛି। ଆଗରୁ ବହୁତ ଥର ମୋତେ ଜର ହୁଏ। କିନ୍ତୁ ସେତେବେଳେ ପରିସ୍ଥିତି ଅଲଗା ଥିଲା। ମୁଁ ଯଦି ଏବେ ଜରର ଚିକିତ୍ସା ପାଇଁ ଯିବି, ମୋତେ କରୋନା ଟେଷ୍ଟ କରେଇବାକୁ କହିବେ। ତେଣୁ ଆମେ (ରିକ୍ସାବାଲାମାନେ) ଓଦା ହେବାକୁ ଡରୁଛୁ।”
ମେ ୨୦ ରେ, ଅମ୍ଫନ୍ ବାତ୍ୟା ଯେତେବେଳେ କୋଲକାତାକୁ ଧ୍ୱସ୍ତ ବିଧ୍ୱସ୍ତ କରିଥିଲା, ସେଦିନର କଥା ମନେ ପକାଇ ପାଶୱାନ୍ କୁହନ୍ତି, “ବାତ୍ୟା ବହୁତ ଭୟଙ୍କର ଥିଲା’’। ସବୁଦିନଠୁ ଶୀଘ୍ର ମୁଁ ଦିନ ୩ଟାରେ ରୁମ୍କୁ ଫେରିଗଲି। ‘‘ଭିତରୁ, ମୁଁ ଗଛ ପଡ଼ିବାର ଶବ୍ଦ ଶୁଣି ପାରୁଥିଲି।” ସେ କାକୁଳିଆରେ (ରିକ୍ସା ଷ୍ଟାଣ୍ଡଠାରୁ ପ୍ରାୟ ୧.୫ କିଲୋମିଟର) ଗୋଟିଏ ବସ୍ତି କଲୋନୀରେ ପୂର୍ବ ଚମ୍ପାରଣରୁ ଆସିଥିବା ଅନ୍ୟ ଆଠଜଣଙ୍କ ସହ ମିଶି ଗୋଟିଏ ରୁମ୍ରେ ରୁହନ୍ତି।ବାତ୍ୟା ଚାଲିଗଲା ପରେ, ପରଦିନ ଦ୍ୱିପ୍ରହରରେ ସେ କାମକୁ ଫେରିଲେ। “ସେତେବେଳେ ମୋତେ ଅଳ୍ପ କିଛି ପାସେଞ୍ଜର ମିଳୁଥିଲେ। କିଛି ଲୋକ ଟଲିଗଞ୍ଜ ଏବଂ ସିଆଲ୍ଦା ଭଳି ଦୂର ଜାଗାକୁ ମଧ୍ୟ ଯିବାକୁ ଚାହୁଁଥିଲେ। ତେଣୁ ମୁଁ ସେମାନଙ୍କଠାରୁ ୫୦୦ ଟଙ୍କା ନିଏ,” ସେ କହନ୍ତି।
“ଏବେ ଲକ୍ଡାଉନ୍ ଉଠିଗଲା, ମୁଁ ଆଉ (ବେଶୀ ଦୂରକୁ) ଗଲା ଭଳି ପାସେଞ୍ଜର ପାଉ ନାହିଁ। ପାଖପାଖି ଜାଗାକୁ ଯାଉଥିବା ପାସେଞ୍ଜର ମଧ୍ୟ (ବେଶୀ) ମିଳୁ ନାହାଁନ୍ତି। ଆଜି ମୁଁ ଏ ପର୍ଯ୍ୟନ୍ତ କେବଳ ଦୁଇ ଜଣ ପାସେଞ୍ଜରଙ୍କୁ ନେଇଛି,” କିଛି ସପ୍ତାହ ତଳେ ସେ ମୋତେ କହିଥିଲେ। “ଜଣଙ୍କଠୁ ୩୦ ଟଙ୍କା ନେଲି ଆଉ ଜଣଙ୍କଠୁ ୪୦ ଟଙ୍କା। ଲୋକେ ଆଉ ଏବେ ରିକ୍ସାରେ ଯିବା ପାଇଁ ଚାହୁଁ ନାହାଁନ୍ତି। ସେମାନେ କାଳେ କରୋନା ହେଇଯିବ ବୋଲି ଡରୁଛନ୍ତି। ଘରୁ ବାହାରିବାକୁ ବି ଡରୁଛନ୍ତି।”
ଲଲ୍ଲନ୍ଙ୍କ ପାସେଞ୍ଜରଙ୍କ ମଧ୍ୟରୁ ଅଧିକାଂଶ ଥିଲେ ପାଖାପାଖି ସ୍କୁଲ୍କୁ ଯାଉଥିବା ପିଲାମାନେ। “ଏବେ ତ ସବୁ ସ୍କୁଲ୍ ବନ୍ଦ,” ସେ କହନ୍ତି। “ଯେତେବେଳେ ଲକଡାଉନ୍ ଆରମ୍ଭ ହେଲା, ମାଲିକ ସାପ୍ତାହିକ ଭଡ଼ା ୫୦ ଟଙ୍କାକୁ କମେଇ ଦେଲା। ତଥାପି ଏବେ ମୋର ସେତିକି ରେଜଗାର ବି ହେଉନି।” ଯଦି ପାସେଞ୍ଜର କମ୍ ଟଙ୍କା ଦେବା ପାଇଁ ମୂଲଚାଲ କରୁଛନ୍ତି, ପାଶୱାନ୍ ସହଜରେ ରାଜି ହୋଇ ଯାଉଛନ୍ତି। “ମୁଁ ଆଉ କ’ଣ କରିପାରିବି?”
ସ୍କୁଲ୍ ଖୋଲା ଥିଲାବେଳେ ରାସ୍ତାରେ ବହୁତ ଟ୍ରାଫିକ୍ ଥାଏ। “ପୋଲିସ ଆମର ଯିବାଆସିବା ଉପରେ କଟକଣା ଲଗାଏ। ବେଳେବେଳେ ସେମାନେ ‘ନୋ ଏଣ୍ଟ୍ରି’ ବୋର୍ଡ ଲଗାନ୍ତି। ତେଣୁ ମୁଁ ଖାଲି (ପଛ ପଟେ) ରାସ୍ତାରେ ପିଲାଙ୍କୁ ନେବାଆଣିବା କରେ।” ଏସବୁ ବାଧା ସତ୍ତ୍ୱେ ପାଶୱାନ୍ ଚକ ଲଗା ରିକ୍ସା ଅପେକ୍ଷା ହାତ-ଟଣା ରିକ୍ସା ଟାଣିବାକୁ ପସନ୍ଦ କରନ୍ତି। "ପୋଲିସ ବେଳେବେଳେ ଧରିଦିଏ। କିନ୍ତୁ ଆମେ କମ୍ ଧରା ପଡ଼ୁ,’’ ମୁରୁକି ହସି କହନ୍ତି ପାଶୱାନ୍।
କିଛି ବର୍ଷ ହେଲା, ପଶ୍ଚିମବଙ୍ଗ ସରକାର କୋଲକାତାର ଅଗଣିତ କଥା ଏବଂ କାହାଣୀର ପ୍ରତୀକ, ହାତ-ଟଣା ରିକ୍ସା ନିଷେଧ କରିବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ୨୦୦୬ରେ ଏହି ରିକ୍ସା ବନ୍ଦ କରିବା ପାଇଁ ରାଜ୍ୟ ସରକାର କଲିକତା ହାକ୍ନେ-କ୍ୟାରେଜ୍ (ସଂଶୋଧନ) ବିଲ୍ ଉପସ୍ଥାପନ କଲେ। ଖବରକାଗଜ ରିପୋର୍ଟ ଅନୁଯାୟୀ ଏହାକୁ ବିରୋଧ କରାଗଲା ଏବଂ କଲିକତା ହୋଇ କୋର୍ଟ ବିଲ୍ ଉପରେ ରହିତାଦେଶ ଜାରି କଲେ। ନୂଆ ରିପୋର୍ଟ ଅନୁଯାୟୀ , ୨୦୦୫ଠାରୁ କୋଲକାତା କର୍ତ୍ତୃପକ୍ଷ କୌଣସି ନୂଆ ଲାଇସେନ୍ସ ଜାରି କରି ନାହାଁନ୍ତି ।
ପୁରୁଣା ହାତ-ଟଣା ରିକ୍ସା ଏବେ ବି ଚାଲୁଛି, ଏବଂ ସେଗୁଡ଼ିକର ସଂଖ୍ୟାର ହିସାବରେ ତାରତମ୍ୟ ଦେଖାଯାଏ। ୨୦୦୫ର ଏକ ସର୍ଭେ ରିପୋର୍ଟ ଦର୍ଶାଇ ଅଲ୍ ବେଙ୍ଗଲ୍ ରିକ୍ସା ୟୁନିଅନ୍ର ସାଧାରଣ ସଚିବ ମୁଖତାର୍ ଅଲି (ସାମ୍ବାଦିକମାନଙ୍କୁ) କୁହନ୍ତି, କୋଲକାତାରେ ୫,୯୩୫ଟି ହାତ-ଟଣା ରିକ୍ସା ଅଛି। ୨୦୧୫ର ଖବରକାଗଜ ରିପୋର୍ଟଗୁଡ଼ିକ ପରିବହନ ବିଭାଗର ମୁଖ୍ୟ ସଚିବଙ୍କ ଉକ୍ତିକୁ ଉର୍ଦ୍ଧୃତ କରି ଏହି ସଂଖ୍ୟାକୁ ୨,୦୦୦ ପ୍ରକାଶ କରିଛନ୍ତି। ରିପୋର୍ଟ ଅନୁଯାୟୀ ସେଗୁଡ଼ିକ ମଧ୍ୟରୁ ସମସ୍ତେ ଲାଇସେନ୍ସପ୍ରାପ୍ତ ନୁହଁନ୍ତି।
ଏବଂ ବର୍ତ୍ତମାନ, ପଶ୍ଚିମବଙ୍ଗରେ ପ୍ରାୟ ଛଅ ମାସ ପରେ ଲକ୍ଡାଉନ୍ ଉଠିବା ପରେ ଲଲ୍ଲନ୍ ଦିନକୁ ୧୦୦ ରୁ ୧୫୦ ଟଙ୍କା ରୋଜଗାର କରିପାରୁଛନ୍ତି। ସକାଳେ ସେ ଅଧିକାଂଶ ସମୟରେ ବାଲିଗଞ୍ଜ ଷ୍ଟେସନ୍ରେ ଅପେକ୍ଷା କରନ୍ତି, ଯେଉଁଠି ଏବେ ସେ ସହଜରେ ପାସେଞ୍ଜର ପାଉଛନ୍ତି। ଏବଂ କିଛି ଟଙ୍କା ସଞ୍ଚୟ କରିପାରୁଛନ୍ତି (ଯାହା ସେ ଜଣେ ପାନଦୋକାନୀଙ୍କ ପାଖରେ ରଖୁଛନ୍ତି) ଏବଂ ନିଜ ପରିବାର ପାଇଁ ପଠାଇ ପାରୁଛନ୍ତି।
ପାଶୱାନ୍ ଆଗରୁ ନିଜ ଗାଁକୁ ପ୍ରତି ତିନିରୁ ପାଞ୍ଚ ମାସ ଭିତରେ ଯାଆନ୍ତି, ଏବଂ ବାପା, ମାଆ ଏବଂ ସ୍ତ୍ରୀ ସହ ଜମିରେ କାମ କରନ୍ତି। “ମୋ ପରିବାର ସାଧାରଣତଃ ଆମ ଜମିରୁ ଆସିଥିବା ଗହମ ଓ ଚାଉଳ ଖାଆନ୍ତି,” ସେ କହନ୍ତି। “ବଳକା ହେଲେ ଆମେ ପାଖାପାଖି ପାଞ୍ଚ କ୍ୱିଣ୍ଟାଲ୍ ବେଳେବେଳେ ୧୦ କ୍ୱିଣ୍ଟାଲ୍ ବିକ୍ରି କରୁ। କିନ୍ତୁ ଏ ବର୍ଷ, ବନ୍ୟାରେ (ଜୁଲାଇ, ୨୦୨୦ରେ) ସବୁ ଫସଲ ଧୋଇଗଲା। ଆମେ ଖାଇବା ପାଇଁ ବି ଯଥେଷ୍ଟ ଶସ୍ୟ ନାହିଁ, ବିକିବୁ କ’ଣ,” ସେ କହନ୍ତି।
ରଘୁନାଥପୁର ଗାଁକୁ ସେ ଗତ ଫେବୃଆରୀ ମାସରୁ ଯାଇ ନାହାଁନ୍ତି। ତାଙ୍କ ଝିଅ ସାତ ବର୍ଷର କାଜଲ୍ ଏବଂ ଚାରି ବର୍ଷର କରିସ୍ମା ତାଙ୍କୁ ୧୦ ମାସ ହେଲା ନ ଦେଖି ବ୍ୟସ୍ତ ହୋଇ ଗଲେଣି। “ପିଲାମାନେ ପଚାରୁଛନ୍ତି, ମୁଁ କେବେ ଘରକୁ ଆସିବି। ମୁଁ ସେମାନଙ୍କୁ କହିଲି ଯେ ମୁଁ ଦୀପାବଳିକୁ (ନଭେମ୍ବରରେ) ଆସିବି,” ସେ କହନ୍ତି। ଦୀପାବଳିରେ ମଧ୍ୟ ସେ ମହାଜନର ଋଣ ଶୁଝି ପାରିବେନି ବୋଲି ଯାଇପାରିଲେ ନାହିଁ।
ତେଣୁ ସେ ଅନ୍ୟ ରିକ୍ସାବାଲାମାନଙ୍କ ସହ ଷ୍ଟାଣ୍ଡରେ ଅପେକ୍ଷା କରୁଛନ୍ତି, ବେଳେବେଳେ ତାସ ଖେଳୁଛନ୍ତି କିମ୍ବା ହାଲିଆ ଲାଗିଲେ ଟିକେ ଶୋଇ ପଡ଼ୁଛନ୍ତି। “ଭବିଷ୍ୟତ ପାଇଁ ଏଇ କାମର କିଛି ମୂଲ୍ୟ ନାହିଁ। ହେଲେ ମୋ ପିଲାମାନଙ୍କ ପାଇଁ ମୁଁ ଯେତେଦିନ ପର୍ଯ୍ୟନ୍ତ ପାରିବି ଏଇ କାମ କିରବି,” କହନ୍ତି ପାଶୱାନ୍।
ଅନୁବାଦ: ଓଡ଼ିଶାଲାଇଭ୍