“ମୁଁହେଉଛି ଚାଷୀ, ସେ କିଛି ଚାଷବାସ କରନ୍ତିନି । ସେ କେବଳ ତାଙ୍କ ଗାଈଗୋରୁଙ୍କ କଥା ଭାବନ୍ତି । ସେ ସେଇ ଗାଈମାନଙ୍କୁ ଭଲ ପାଆନ୍ତି (ଯଦିଓ ସେମାନେ ପ୍ରତ୍ୟେକ ଗୋଟିଏ ଲିଟର ଲେଖାଏଁ କ୍ଷୀର ଦିଅନ୍ତି) । ଗାଁର ପୁରୁଷମାନେ ଏଣେତେଣେ ବୁଲୁଥାଆନ୍ତି, ମହିଳାମାନେ କ୍ଷେତରେ କାମ କରନ୍ତି । ୟବତମାଲର ବେଶ୍ ଜଣାଶୁଣା ଚାଷୀଙ୍କ ମଧ୍ୟରୁ ଜଣଙ୍କର କଥା କହୁଛନ୍ତି ଲୀଲାବାଇ। ସେଇ ଜଣକ ହେଲେ ଆଶାନା ଟୋଟାୱାର । କହିବାକୁ ଗଲେ ସେ ଜଣେ କିମ୍ବଦନ୍ତୀ । ୟବତମାଲରେ ଗୁରୁତର ଫସଲହାନି ଘଟିଥିବା ବର୍ଷରେ ବି ସେ କପା ଓ ସୋୟାବିନ୍ ଅମଳରେ ରେକର୍ଡ ସୃଷ୍ଟି କରିଛନ୍ତି । ଆଶାନା ଜଣେ ଭଦ୍ର ଓ ଅଭିଜ୍ଞ ବ୍ୟକ୍ତି । ୫୦ ବର୍ଷ ଧରି ସେ ବିଦର୍ଭ ଅଞ୍ଚଳରେ ଚାଷବାସକୁ ଅତି ନିକଟରୁ ଦେଖିଆସିଛନ୍ତି । ସେ ମଧ୍ୟ ଲୀଲୀବାଇଙ୍କ ସ୍ୱାମୀ । କପା କାରବାର ଲାଗି ଜଣାଶୁଣା ମହାରାଷ୍ଟ୍ରର ୟବତମାଲ ଜିଲ୍ଲା ଅନ୍ତର୍ଗତ ପାଣ୍ଡେରକୌଡ଼ା ସହର ନିକଟବର୍ତ୍ତୀ ପିମ୍ପ୍ରି ଗାଁରେ ଏହି ଦମ୍ପତି ରହନ୍ତି ।
ସ୍ୱାମୀଙ୍କ ପ୍ରତି ଲୀଲାବାଇଙ୍କର ଗଭୀର ସମ୍ମାନ ଓ ଶ୍ରଦ୍ଧା ରହିଛି । ସେ ଅଳ୍ପ ପାଠ ପଢ଼ିଛନ୍ତି, କିନ୍ତୁ ନିଜ ଅନୁଭୂତିରୁ ସେ ଖୁବ୍ ଦକ୍ଷତା ଓ ପ୍ରଶିକ୍ଷଣ ହାସଲ କରିଛନ୍ତି । ଚାଷବାସ ସଂପର୍କରେ ଯାହା ଯେମିତି, ତାକୁ ଠିକ୍ ସେମିତି କହିବାରେ ସେ ବିଶ୍ୱାସ କରନ୍ତି । ବିଶେଷତଃ, ପ୍ରକୃତରେ କିଏ ଚାଷକାମ କରନ୍ତି ବୋଲି କଥା ଉଠିଲେ । ସେ କହନ୍ତି, “ବାଇ (ମହିଳାମାନେ), ‘‘ଏବଂ ସେମାନେ ଏହାକୁ ବେଶୀ ଭଲ ଭାବରେ କରନ୍ତି ।”
ଦଶନ୍ଧି ଦଶନ୍ଧି ଧରି ଏକ ସଫଳ କୃଷିକ୍ଷେତ୍ରର ମୁଖ୍ୟ ଚାଷୀ ଭାବରେ ତାଙ୍କର ଜ୍ଞାନ ଖୁବ୍ ପ୍ରଶଂସନୀୟ । ଏହାର ଆଉ ଏକ କାରଣ ଯେ ଚାଷବାସ ଏବଂ ଅର୍ଥ ଲଗାଣ କ୍ଷେତ୍ରରେ ସେ ନିର୍ଣ୍ଣାୟକ ଭୂମିକାରେ ରହି ଆସିଛନ୍ତି ।
ଲଳିତା ଆନନ୍ଦରାଓ ଗାନ୍ଧେୱାରଙ୍କ ଘରେ ଆମେ ଲୀଲାବାଇଙ୍କୁ ଭେଟିଲୁ । ଏ ବର୍ଷ ମେ ମାସ ୨୦ ତାରିଖରେ ଲଳିତାଙ୍କ ସ୍ୱାମୀ ନାମଦେଓ ଆତ୍ମହତ୍ୟା କରିଥିଲେ । ମହାରାଷ୍ଟ୍ରରେ ଚାଷୀ ଆତ୍ମହତ୍ୟାର ଭୟାନକ ସଂଖ୍ୟାରେ ଆଉ ଏକ ଅଙ୍କ ଯୋଡ଼ି ହୋଇଯାଇଥିଲା । (ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଅନୁସାରେ, ଗତ ବର୍ଷ ପାଇଁ ଏହି ସଂଖ୍ୟା ୩,୭୮୬ରୁ କମ୍ ନୁହେଁ ।) ଆଶାନା ମଧ୍ୟ ଗାନ୍ଧେୱାରଙ୍କ ଘରେ ଥିଲେ ।
ନାମଦେଓଙ୍କ ଆତ୍ମହତ୍ୟାର କାରଣ ସଂପର୍କରେ ଲଳିତାଙ୍କ ସହ କଥା ହେଲା ପରେ ଆମେ କିମ୍ବଦନ୍ତୀ କୃଷକ ଆଶାନାଙ୍କ ସହ କଥାବାର୍ତ୍ତା କଲୁ । ଅନ୍ଧାରୁଆ ଘର ଭିତରେ, ପାଖ କୋଠରିର ଚଟାଣରେ ଲୀଲାବାଇ ବସିଥିଲେ। ତେଣୁ ତାଙ୍କୁ ମଧ୍ୟ ଆମେ ଦେଖିପାରୁ ନଥିଲୁ । କିନ୍ତୁ ସେ ତାଙ୍କ କଥା ଶୁଣାଉଥିଲେ, ମଝିରେ ମଝିରେ ଆମ ଅଜ୍ଞତାକୁ ସହଜରେ ସୁଧାରି ନେଉଥିଲେ ।
ଚାଷଜମିରେ
“ଯେତେ ଶୀଘ୍ର ସମ୍ଭବ ଆମେ ଆହୁରି ପ୍ରଭାବଶାଳୀ ଢଙ୍ଗରେ ଚାଷ କରିବା ଦରକାର । ଚାଷବାସର ଖର୍ଚ୍ଚ ଏବଂ ଆମ ଫସଲ ପାଇଁ ଉପଯୁକ୍ତ ମୂଲ୍ୟର ଅଭାବ- ଆମକୁ ବରବାଦ କରୁଛି ।”
ପରେ, ସେମାନଙ୍କ ନିଜ ଘରେ ଆମକୁ ତାଙ୍କ ନିଜକଥା କହିଲେ ଲୀଲାବାଇ ।
“ପ୍ରଥମ କରି ଆମେ ଯେତେବେଳେ ଚାଷକାମ ଆରମ୍ଭ କଲୁ, କେତେକ ଜାଗାରେ ୧୦,୦୦୦ ଟଙ୍କାରେ ୪୦ ଏକର ଜମି କିଣିବା ସମ୍ଭବ ହେଉଥିଲା । ଆଜି ଆପଣ ଯେଉଁଠିକୁ ଯାଆନ୍ତୁ ନା କାହିଁକି ୪୦,୦୦୦ ଟଙ୍କାରେ ଗୋଟିଏ ଏକର ପାଇବେନି ।”
“ଆଜିକାଲି ଆମେ ଯେଉଁ ସାମଗ୍ରୀ ସବୁ ଉପଯୋଗ କରୁଛୁ ସେଥିରେ ବହୁ ଗୁରୁତର ସମସ୍ୟା ରହିଛି । ଉଦାହରଣତଃ, ଅନାବନା ଘାସ ନଷ୍ଟ କରିବାକୁ ଥିବା ଔଷଧ ଘାସ ବଢ଼ିବାକୁ ରୋକୁନାହିଁ, ଗଛ ଓ ମାଟିର କ୍ଷତି କରୁଛି । ଏହା ସହିତ ଅନ୍ୟ ରାସାୟନିକ ଦ୍ରବ୍ୟ ସବୁ ମାଟିର ଉର୍ବରତା କ୍ଷୟ କରୁଛନ୍ତି। ମାଟିକୁ ଆମେ ନଷ୍ଟ କରିଦେଉଛୁ ।
“ଦଶ ବର୍ଷ ତଳେ, ଆମେ ଖୁବ୍ କମ୍ କୀଟନାଶକ ବ୍ୟବହାର କରୁଥିଲୁ । ଏବେ, ଯଦିଓ ବେଶୀ ଅମଳ ହେଉଛି, ଲାଭ କମ୍ ମିଳୁଛି ।
“ଆମେ ଯାହା କରୁଛୁ, ସେଥିରେ ବହୁତ କିଛି ବଦଳାଇବା ଦରକାର । ତା’ ନହେଲେ ଆମେ କୃଷିକୁ ନଷ୍ଟ କରିଦେବା ।”
୧୯୬୫ରେ ବିବାହ କରିବା ସମୟରେ ସେମାନେ ଦୁହେଁ ସାନପିଲା ଥିଲେ । ତାଙ୍କ ସ୍ୱାମୀ ଥିଲେ ଜଣେ ଗୃହହୀନ ଅନାଥ ଏବଂ ଲୀଲାବାଇଙ୍କ ପରିବାର ସହ ତାଙ୍କର କିଛିଟା ସଂପର୍କ ଥିଲା । ଜେଜେବାପା ଓ ଜେଜେମାଆ ତାଙ୍କୁ ଲୀଲାବାଇଙ୍କ ସ୍ୱାମୀ ରୂପରେ ପସନ୍ଦ କରିଥିଲେ । ତାଙ୍କୁ ବିବାହ କରିବା ପୂର୍ବରୁ ଲୀଲାବାଇ ଚତୁର୍ଥ ଶ୍ରେଣୀରୁ ପାଠ ଛାଡ଼ିଥିଲେ । ତାଙ୍କୁ ଲାଗେ, ଏବେ ତାଙ୍କୁ ୬୩ ଏବଂ ତାଙ୍କ ସ୍ୱାମୀଙ୍କୁ ୬୭ ବର୍ଷ । ଯଦିଓ ଉଭୟଙ୍କ ବୟସ ଅଧିକ ହୋଇପାରେ । କିନ୍ତୁ କେହି ଠିକ୍ ଭାବରେ କହିପାରିବେନି । କାରଣ, ସେ ସମୟରେଖୁବ୍ କମ ଲୋକ କାଗଜପତ୍ର ସାଇତି ରଖୁଥିଲେ । ଉଭୟଙ୍କ ମଧ୍ୟରୁ କାହାରି ନାଁରେ ଇଞ୍ଚେ ହେଲେ ଜମି ନ ଥିଲା । ବିବାହ ପରେ ଏହାକୁ ବଦଳାଇବାରେ ଲାଗିଲେ ଲୀଲାବାଇ । ଭଲ ରୋଜଗାର ସହିତ ଉଚ୍ଚମାନର କୃଷିକ୍ଷେତ୍ର କରିବା ଲାଗି କ୍ଷେତରେ ହାଡ଼ଭଙ୍ଗା ପରିଶ୍ରମ କଲେ ।
ସ୍ୱୀକୃତି ନାଁକୁ ମାତ୍ର
ଏମିତି ଏକ ସମାଜରେ, ଯେଉଁଠି ପୁରୁଷ ହିଁ କୃଷକ ଏବଂ “ପରିବାରର ମୁଖ୍ୟ” ବୋଲି ବିବେଚିତ ହୁଅନ୍ତି, ସେଠାରେ, ଅବଶ୍ୟମ୍ଭାବୀ ଭାବରେ ସବୁ ଶ୍ରେୟର ଅଧିକାରୀ ହେଲେ (ଏବଂ ଏବେ ବି ଅଛନ୍ତି ) ଆଶାନା । ସାରା ଭାରତରେ ମହିଳା ଚାଷୀଙ୍କ କ୍ଷେତ୍ରରେ ଯାହା ହୁଏ ତାଙ୍କ କ୍ଷେତ୍ରରେ ବି ସେଇଆ ହେଲା ଏବଂ ଲୀଲାବାଇ ନିଜେ ଜଣେ ମହିଳା ଚାଷୀ ଭାବରେ ନୁହେଁ, ବରଂ ଜଣେ “କୃଷକଙ୍କ ପତ୍ନୀ” ରୂପରେ ପରିଗଣିତ ହେଲେ । ଅନ୍ୟାନ୍ୟ ସ୍ଥାନ ଭଳି ଏଠାରେ ବି ମହିଳାମାନେ ବେଶୀ ଭାଗ ଚାଷକାମ କରନ୍ତି । କିନ୍ତୁ ସେମାନଙ୍କର ଏହି ବଡ଼ ଅବଦାନକୁ ଅନୁରୂପ ସ୍ୱୀକୃତି ମିଳେନାହିଁ । ଆଶାନା ଏ ଅଞ୍ଚଳର କୃଷି କ୍ଷେତ୍ରରେ ସଫଳତାର ଏକ ପ୍ରତୀକ । କିନ୍ତୁ ଲୀଲାବାଇ ସେହି ସଫଳତାର ସ୍ଥପତି । ଆଶାନାଙ୍କ କ୍ଷେତ୍ରରେ, ସେ ଏହାକୁ ସ୍ୱୀକାର କରନ୍ତି । ଲୀଲାବାଇଙ୍କ କ୍ଷେତ୍ରରେ, ସେ ଏ ସଂପର୍କରେ ନିଃସନ୍ଦେହ ।
“ମୁଁ ହିଁ ସବୁଦିନିଆ ଚାଷୀ ଥିଲି । ଆଶାନା ତ ଦୀର୍ଘ କାଳ ପେଟ୍ରୋଲ ପମ୍ପରେ ଆଟେଣ୍ଡାଣ୍ଟ୍ ଚାକିରି କରି ମାସକୁ ୭୦ ଟଙ୍କା ରୋଜଗାର କରୁଥିଲେ ।” (୧୫ ବର୍ଷ ତଳେ ସେ ଚାକିରି ଛାଡ଼ିଥିଲେ ବୋଲି ଆଶାନା ସ୍ୱୀକାର କରନ୍ତି । ସେତେବେଳକୁ ତାଙ୍କ ସ୍ତ୍ରୀ ଏକ ସମୃଦ୍ଧ କୃଷିକ୍ଷେତ୍ର ଗଢ଼ି ସାରିଥିଲେ ।)
“ପ୍ରଥମେ, ମୁଁ କାମ କରି ସଞ୍ଚିଥିବା ଟଙ୍କାରେ ଏକରକୁ ୧,୦୦୦ ଟଙ୍କା ହିସାବରେ ଚାରି ଏକର ଜମି କିଣିଲି । ତାହା ଥିଲା ୧୯୬୯ ମସିହାର କଥା ।”
କଥା ଖାଲି ଏକରର ନୁହେଁ, ଅତି ଉତ୍କୃଷ୍ଟ କୃଷ୍ଣ କାର୍ପାସ ମୃତ୍ତିକା ଥିବା ଜମିକୁ ସେ ନିଜେ ବାଛିଲେ ।
“ସେଇ ଚାରି ଏକର ଜମି ଏବେ ୫୦ ଲକ୍ଷ ଟଙ୍କା । (ଏହି ଜମି ଏକ ରାଜପଥ କଡ଼ରେ ରହିଛି ଏବଂ ସେଠାରେ ଜମି ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି) । ତା’ ପରେ, ୧୯୭୧ ମସିହାରେ ମୁଁ ୯,୦୦୦ ଟଙ୍କାରେ ମୋ ପସନ୍ଦର ୨୦ ଏକର ଜମି କିଣିଲି ।
ଏହା ପରେ, ୧୯୭୩ରେ ସେ ୨୫,୦୦୦ ଟଙ୍କାରେ ୧୫ ଏକର ଜମି କିଣିଲେ ଏବଂ ୧୯୮୫ରେ ୩୫,୦୦୦ ଟଙ୍କାରେ ଆଉ ଚାରି ଏକର ଜମି କିଣିଲେ । ଏବଂ ଶେଷରେ୧୯୯୧ରେ ୭୦,୦୦୦ ଟଙ୍କାରେ ଆଉ ୧୦ ଏକର ।
“ଏହା ଭିତରେ ମୁଁ ଆଉ କିଛି ଏକର ବିକି ଦେଇଛି । ତେଣୁ ଏବେ ଆମର ୪୦ ଏକର ଅଛି ।”
“ଆମର ସବୁ ଖାଦ୍ୟ ଆମ ନିଜ ଜମିରୁ ଆସେ । ଗୋଟିଏ ଏକରରେ ମୁଁ ଧାନଚାଷ କରେ, ଦୁଇ ଏକରରେ ଗହମ ଏବଂ ୧୦ ଏକରରରେ ଯଅ । (ଏ ଅଞ୍ଚଳରେ ୧୦ ଏକର ଜମିରେ ଯଅ ଚାଷ କରିବା ଅତି ବିରଳ କଥା।) ବଳକା ଜମିରେ ସମାନ ଭାବରେ କପାସ୍ (କପା) ଓ ସୋୟାବିନ୍ ଚାଷ କରୁ ।” କୃଷି କ୍ଷେତ୍ରରେ କ’ଣ ଓ କେଉଁଠି ଏବଂ କେତେବେଳେ ଚାଷ ହେବ ତାହା ଲୀଲାବାଇ ହିଁ ସ୍ଥିର କରନ୍ତି । ଆଉ ଅଧିକାଂଶ ଦିନ, ଅଧିକ ସମୟ ଧରି ସେ ଚାଷଜମିରେ ରହି କାମ କରନ୍ତି । ଏହା ଫଳରେ ଉଭୟ କପା ଓ ସୋୟାବିନ୍ରେ ନିୟମିତ ଭାବେ ସେମାନଙ୍କର ଏକର ପିଛା ୧୦ କୁଇଣ୍ଟାଲ ଅମଳ ହୁଏ । ଏ ଅଞ୍ଚଳର ହାରାହାରି ଅମଳ ଏହାଠାରୁ ଯଥେଷ୍ଟ କମ୍ ।
ସେ ଏକ ସୁନ୍ଦର ଘର ତୋଳିଛନ୍ତି-ଏବଂ ଫସଲ ସାଇତି ରଖିବା ଦିଗରେ ଧ୍ୟାନ ଦେଇ ଏହା ଚାରିପଟେ ପର୍ଯ୍ୟାପ୍ତ ଖାଲି ଜାଗା ରଖିଛନ୍ତି । ଏହା ଫଳରେ ସେ ତାଙ୍କ କପାକୁ ନିରାପଦରେ ଏବଂ ଦୀର୍ଘ ଦିନ ଯାଏ ସାଇତି ରଖନ୍ତି ଏବଂ ଭଲ ଦାମ୍ରେ ବ୍ୟବସାୟୀମାନଙ୍କୁ ବିକ୍ରି କରନ୍ତି । ୨୦୧୨ ଶେଷ ଆଡ଼କୁ ଏ ଅଞ୍ଚଳର ଅଧିକାଂଶ କପାଚାଷୀ ସେମାନଙ୍କ ଫସଲକୁ କୁଇଣ୍ଟାଲ୍ ପିଛା ପ୍ରାୟ ୩,୮୦୦ ଟଙ୍କାରେ ବିକିଥିଲା ବେଳେ ଲୀଲାବାଇଙ୍କ ପରିବାର ଏହାକୁ ଏ ବର୍ଷ ଫେବ୍ରୁଆରୀ ପର୍ଯ୍ୟନ୍ତ ସାଇତି ରଖିଥିଲେ । ଶେଷରେ ସେ କୁଇଣ୍ଟାଲ ପିଛା ୪,୨୦୦ ଟଙ୍କା ଦରରେ ବିକିଲେ ।
“ଆମର ମଧ୍ୟ ୧୪ଟି ଗୃହପାଳିତ ପଶୁ ଅଛନ୍ତି । ସେଥିରେ ଅଛନ୍ତି ଛଅଟି ବଳଦ, ପାଞ୍ଚଟି ଗାଈ ଏବଂ ତିନିଟି ମଇଁଷି ।”
ନିଜ ସ୍ୱାମୀଙ୍କ ଆଡ଼କୁ ଚାହିଁ ଅଳ୍ପ ହସି ସେ କହନ୍ତି, “ସେ ସେମାନଙ୍କ କଥା ବୁଝନ୍ତି । ପ୍ରକୃତରେ ସେ ସେହି ପ୍ରାଣୀମାନଙ୍କୁ ଭଲ ପାଆନ୍ତି (ଯଦିଓ ସେମାନେ ଏତେଟା ଫାଇଦା ଦିଅନ୍ତି ନାହିଁ) । ଆମେ କେବେ ବି ଡାକ୍ତରଙ୍କ ପାଖକୁ ଯିବା ଦରକାର ହୁଏନି । କାରଣ, ଆମେ କେବଳ ଏହି କ୍ଷୀର ପିଉ ଏବଂ ଆମ ନିଜ ଜମିରେ ନିଜେ ଚାଷ କରିଥିବା ଖାଦ୍ୟ ଖାଉ ।”
କିନ୍ତୁ କୃଷି କ୍ଷେତ୍ରରେ: “କିଛିଟା ବଦଳିବା କଥା । ଏବେ ଯେମିତି ହେଉଛି, ସେମିତି ଚାଲିପାରିବ ନାହିଁ । ଚାଷବାସର ଏତେ ଖର୍ଚ୍ଚ କେହି ତୁଲାଇ ପାରିବେନି । ଆମକୁ ଶସ୍ତାରେ ସାମଗ୍ରୀ ମିଳିବା ଦରକାର । ଏବଂ ଆମ କପା ଓ ସୋୟାବିନକୁ ଆହୁରି ଅଧିକ ଦର ମିଳିବା କଥା । ଯଦି କିଛି ପରିବର୍ତ୍ତନ ନ ହୁଏ, ତେବେ ହୁଏତ ଆମେ ସମସ୍ତେ ନାମଦେଓ ଗାନ୍ଧେୱାରଙ୍କ ପଛକୁ ଧାଡ଼ିରେ ଠିଆ ହୋଇଥିବୁ ।”
ଏହି ଲେଖା ପ୍ରଥମେ ‘ଦି ହିନ୍ଦୁ’
http://www.thehindu.com/opinion/columns/sainath/when-leelabai-runs-the-farm/article4921390.ece
ରେ ପ୍ରକାଶିତ ହୋଇଥିଲା
ଅନୁବାଦ: ଓଡ଼ିଶାଲାଇଭ୍