ଉତ୍ତର-ପଶ୍ଚିମ ମହାରାଷ୍ଟ୍ରର ସତପୁଡା ପାହାଡ ମଧ୍ୟରେ ଫଲାଇ ଗ୍ରାମର ଏକ ଚାଳ ଛପର ଘର ଭିତରେ, ଆଠ ବର୍ଷ ବୟସର ଶର୍ମିଳା ପାୱରା ବଡ଼ କତୁରୀ, କପଡ଼ା, ଛୁଞ୍ଚି ଏବଂ ସୂତା ସହିତ ତାଙ୍କ ‘ଅଧ୍ୟୟନ ଟେବୁଲ’ ନିକଟରେ ବସିଛନ୍ତି।
ଟେବୁଲ ଉପରେ ଏକ ପୁରୁଣା ସିଲେଇ ମେସିନ୍ ଅଛି, ଯେଉଁଥିରେ ତାଙ୍କ ପିତା ପୂର୍ବ ରାତିରେ ଅଧା ତିଆରି କରିଥିବା ପୋଷାକ ରହିଛି। ସେ ଏହାକୁ ଉଠାଇଲେ, ନିଜର ଯଥେଷ୍ଟ ସିଲେଇ ଦକ୍ଷତାରେ ପେଡାଲ ମାରି ଅତି ନିପୁଣତାର ସହ ପ୍ରତ୍ୟେକ ସିଲାଇ ରେଖାରେ ସିଲାଇ କରିବାକୁ ଲାଗିଲେ।
୨୦୨୦ ମସିହା ମାର୍ଚ୍ଚ ମାସରେ ମହାମାରୀ କାରଣରୁ ତାଲାବନ୍ଦ ପରେ ତାଙ୍କ ଆବାସିକ ବିଦ୍ୟାଳୟ ବନ୍ଦ ହେବା ଦିନଠାରୁ ଏହି ଟେବୁଲ ନନ୍ଦୁରବାର ଜିଲ୍ଲାର ତୋରାନମଲ ଅଞ୍ଚଳର ସୁଦୂର ଗାଁରେ ତାଙ୍କର ପାଠ ପଢିବାର ସ୍ଥାନ ପାଲଟି ଯାଇଛି। ସେ କୁହନ୍ତି, "ମୁଁ କେବଳ ମା’ ଏବଂ ବାବାଙ୍କୁ ସିଲେଇ କରୁଥିବାର ଦେଖି ଏକା ଏକା ମେସିନ୍ ଚଳାଇବା ଶିଖିଗଲି।
ସେ ବିଦ୍ୟାଳୟରେ ଯାହା ଶିଖିଥିଲେ, ୧୮ ମାସରୁ ଅଧିକ ବ୍ୟବଧାନ ପରେ ଶର୍ମିଳାଙ୍କର ବୋଧ ହୁଏ ଅଳ୍ପ କିଛି ମନେଅଛି।
ଫଲାଇରେ କୌଣସି ବିଦ୍ୟାଳୟ ନାହିଁ। ନିଜର ପିଲାମାନଙ୍କୁ ଶିକ୍ଷିତ କରିବା ପାଇଁ ୨୦୧୯ ମସିହା ଜୁନ୍ ମାସରେ ଶର୍ମିଳାଙ୍କ ପିତାମାତା ନିଜ ଗ୍ରାମଠାରୁ ପ୍ରାୟ ୧୪୦ କିଲୋମିଟର ଦୂରରେ ଥିବା ନନ୍ଦୁରବାର ସହରର ଅଟଳ ବିହାରୀ ବାଜପେୟୀ ଆନ୍ତର୍ଜାତୀୟ ଆବାସିକ ବିଦ୍ୟାଳୟରେ ତାଙ୍କ ନାମ ଲେଖାଇଥିଲେ। ଜିଲ୍ଲା ପରିଷଦ ଦ୍ୱାରା ପରିଚାଳିତ ଏବଂ ମହାରାଷ୍ଟ୍ର ଆନ୍ତର୍ଜାତୀୟ ଶିକ୍ଷା ବୋର୍ଡ ସହିତ ଅନୁବନ୍ଧିତ ପ୍ରାୟ ୬୦ ଟି ‘ଆଶ୍ରମଶାଳା’ (ଅନୁସୂଚିତ ଜନଜାତି ସମ୍ପ୍ରଦାୟର ପିଲାମାନଙ୍କ ପାଇଁ ମହାରାଷ୍ଟ୍ରର ସ୍ୱତନ୍ତ୍ର ବିଦ୍ୟାଳୟ) ମଧ୍ୟରୁ ଏହି ବିଦ୍ୟାଳୟଟି ଗୋଟିଏ। ୨୦୧୮ ମସିହାରେ ସ୍ଥାପିତ ହୋଇଥିବା ଏହି ବୋର୍ଡର ଦାବି ଅନୁସାରେ ଏହା ଆଞ୍ଚଳିକ ସ୍ତରରେ ଡିଜାଇନ୍ ହୋଇଥିଲା ଏବଂ ମରାଠୀ ଭାଷା ମାଧ୍ୟମରେ ‘ଆନ୍ତର୍ଜାତୀୟ ସ୍ତର’ର ଶିକ୍ଷା ପ୍ରଦାନ କରାଯାଉଥିଲା। (ଏହା ପରେ ବୋର୍ଡଟିକୁ ଭାଙ୍ଗି ଦିଆଯାଇଛି ଏବଂ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ରାଜ୍ୟ ବୋର୍ଡ ଅଧୀନରେ ରହିଛି।)
କିନ୍ତୁ ଯେତେବେଳେ ସେ ବିଦ୍ୟାଳୟରେ ପଢ଼ିବା ଆରମ୍ଭ କରିଥିଲେ ସେତେବେଳେ ମରାଠୀ ଶର୍ମିଳାଙ୍କ ପାଇଁ ଏକ ନୂତନ ଭାଷା ଥିଲା। ସେ ପାଓ୍ୱରା ସମ୍ପ୍ରଦାୟର ଏବଂ ଘରେ ପାୱରି କୁହନ୍ତି। ମୋ ନୋଟବୁକ୍ ରେ ମରାଠୀ ଶବ୍ଦ ଦେଖି ସେ ଶିଖିଥିବା କିଛି ମନେରଖିଥିବା କିଛି ବର୍ଣ୍ଣ ଚିହ୍ନିଥିଲେ, କିନ୍ତୁ ମୋତେ ହିନ୍ଦୀରେ କହିଥଲେ, "ମୋର ସେ ସମସ୍ତ ମନେ ନାହିଁ ..."
ସେ ପ୍ରାୟ ୧୦ ମାସ ବିଦ୍ୟାଳୟରେ ବିତାଇଥିଲେ। ଯେତେବେଳେ କ୍ୟାମ୍ପସ୍ ବନ୍ଦ ହେଲା ସେତେବେଳେ ସେ ପ୍ରଥମ ଶ୍ରଣୀରେ ପଢୁଥିଲେ ଏବଂ ଅକ୍ରାନି ତାଲୁକା (ଯେଉଁଠାରେ ତାଙ୍କ ଗାଁ ଅବସ୍ଥିତ) ରୁ ବିଦ୍ୟାଳୟରେ ପଢୁଥିବା ୪୭୬ ଜଣ ଛାତ୍ରଙ୍କୁ ଘରକୁ ପଠାଯାଇଥିଲା। ସେ କୁହନ୍ତି, "ଏହା ପୁନଃ କେବେ ଆରମ୍ଭ ହେବ ମୁଁ ଜାଣେ ନାହିଁ।"
ତାଙ୍କ ବିଦ୍ୟାଳୟରେ ଦିନଗୁଡିକ ଜାତୀୟ ସଂଗୀତ ଗାନ ଏବଂ ସକାଳ ପ୍ରାର୍ଥନା ସହିତ ଆରମ୍ଭ ହେଉଥିଲା। ଘରେ, ତାଙ୍କର କାର୍ଯ୍ୟସୂଚୀ ବହୁତ ଅଲଗା: “ମୁଁ ପ୍ରଥମେ ନଳକୂପରୁ ପାଣି ଆଣିଥାଏ [ତାଙ୍କ ଘର ବାହାରେ ଥିବା ନଳକୂପ]। ତା’ପରେ ମା’ଙ୍କର ରୋଷେଇ କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ରିଙ୍କୁ [ତାଙ୍କର ଏକ ବର୍ଷର ଭଉଣୀ] ର ଯତ୍ନ ନେଇଥାଏ। ମୁଁ ତାଙ୍କୁ ପାଖାପାଖି ସ୍ଥାନ ବୁଲାଇନିଏ ଏବଂ ତାଙ୍କୁ ବିଭିନ୍ନ ଜିନିଷ ଦେଖାଏ।” ଏବଂ ଯେତେବେଳେ ବି ତାଙ୍କ ପିତାମାତା ମେସିନ୍ ଠାରୁ ଦୂରରେ ଥାଆନ୍ତି, ସେ ପୁନର୍ବାର ‘ନିଜେ ଶିଖିବା’ - ତାଙ୍କର ସିଲେଇ ‘ଶିକ୍ଷା’ କାର୍ଯ୍ୟ ଆରମ୍ଭ କରନ୍ତି।
ତାଙ୍କ ପିତା ୨୮ ବର୍ଷୀୟ ରାକେଶ କୁହନ୍ତି, "ଚାରି ଭାଇଭଉଣୀଙ୍କ ମଧ୍ୟରେ ଶର୍ମିଳା ସବୁଠାରୁ ବଡ - ତାଙ୍କ ଭାଇ ରାଜେଶ ପାଞ୍ଚ ବର୍ଷର, ଉର୍ମିଳା ତିନି ବର୍ଷର, ଏବଂ ତା’ପରେ ରିଙ୍କୁ ଅଛନ୍ତି, “ସେ କବିତା ପାଠ କରିପାରନ୍ତି, ବର୍ଣ୍ଣମାଳା ମଧ୍ୟ ଲେଖନ୍ତି [ମରାଠୀ ବର୍ଣ୍ଣମାଳା]।" ଏବେ ସେ ତାଙ୍କର ଅନ୍ୟ ପିଲାମାନଙ୍କର ଶିକ୍ଷାକୁ ନେଇ ଚିନ୍ତିତ ଅଛନ୍ତି - ରାଜେଶ ଏବଂ ଉର୍ମିଳାଙ୍କର ୬ ବର୍ଷ ବୟସରେ କେବଳ ନାମ ଲେଖାଯାଇ ପାରିବ। ସେ କୁହନ୍ତି, "ଯଦି ସେ ପଢି ଲେଖିପାରିଥାନ୍ତେ, ତେବେ ସେ ତାଙ୍କ ସାନଭାଇମାନଙ୍କୁ ପଢାଇ ପାରିଥାନ୍ତେ।" ନିଜ ଝିଅକୁ ନିପୁଣତାର ସହିତ ସିଲେଇ ମେସିନ୍ ଚଲାଉଥିବା ଦେଖି, ସେ ଆହୁରି ମଧ୍ୟ କୁହନ୍ତି, “ଦୋ ସାଲ ମେଁ ବଚେକି ଜିନ୍ଦେଗି କା ଖେଲ ବନ୍ ଗୟା ହେ। [ଏହି ଦୁଇ ବର୍ଷ ମଧ୍ୟରେ, ମୋ ପିଲାଙ୍କ ଜୀବନ ଏକ ଖେଳରେ ପରିଣତ ହୋଇଛି]।"
ଶର୍ମିଳାଙ୍କ ମା’, ୨୫ ବର୍ଷୀୟା ସରଳା କୁହନ୍ତି, "ଆମେ ଚାହୁଁ ସେ ପଢା-ଲିଖା [ସାକ୍ଷର ଏବଂ ଶିକ୍ଷିତ]ହେଉ, ଜଣେ ଅଫସର [ଅଫିସର] ହୁଅନ୍ତୁ, ଆମ ଭଳି ଟେଲର ନୁହଁ। ଯଦି ଆପଣ ପଢି-ଲେଖି ପାରିବେ ନାହିଁ ତେବେ ଲୋକମାନେ ଆପଣଙ୍କୁ ସମ୍ମାନ ଦିଅନ୍ତି ନାହିଁ।"
ସରଳା ଏବଂ ରାକେଶ ମିଳିତ ଭାବେ ସେମାନଙ୍କର ସିଲେଇ କାମରୁ ମାସକୁ ୫୦୦୦-୬୦୦୦ ଟଙ୍କା ରୋଜଗାର କରନ୍ତି। କିଛି କିଛି ବର୍ଷ ପୂର୍ବେ, ରାକେଶ ଏବଂ ସରଳା ଗୁଜୁରାଟ କିମ୍ବା ମଧ୍ୟପ୍ରଦେଶକୁ ଚାଷ ଜମିରେ ମଜୁରୀ କାମ କାରିବା ପାଇଁ ଯାଉଥିଲେ। ସେ କୁହନ୍ତି, "ଶର୍ମିଳାଙ୍କ ଜନ୍ମ ପରେ ଆମେ ଅଟକି ଯାଇଥିଲୁ କାରଣ ସେ ପ୍ରାୟତଃ ଅସୁସ୍ଥ ହୋଇପଡୁଥିଲେ [ଯେତେବେଳେ ଆମେ ତାଙ୍କୁ ସ୍ଥାନାନ୍ତରଣ ମାସରେ ନେଇଯାଉଥିଲୁ]" ଏବଂ "ଆମେ ମଧ୍ୟ ତାକୁ ସ୍କୁଲକୁ ପଠାଇବାକୁ ଚାହୁଁଥିଲୁ।"
ଯୁବାବସ୍ଥାରେ, ସେ ସେହି ଗାଁରେ ରହୁଥିବା ମାମୁଁ ଗୁଲାବଙ୍କଠାରୁ ଟେଲରିଂ ଶିଖିଥିଲେ (ଏବଂ ୨୦୧୯ ରେ ଯାହାଙ୍କର ଦେହାନ୍ତ ହୋଇଥିଲା)। ତାଙ୍କ ସାହାଯ୍ୟରେ ରାକେଶ ସିଲେଇ ମେସିନ୍ କିଣି ସରଳାଙ୍କୁ ମଧ୍ୟ ତାଲିମ ଦେବା ଆରମ୍ଭ କଲେ।
ସରଳା କୁହନ୍ତି, "ଆମର କୌଣସି ଚାଷ ଜମି ନଥିଲା, ତେଣୁ ଆମେ ୨୦୧୨ ମସିହାରେ ୧୫,୦୦୦ ଟଙ୍କାରେ ଦୁଇଟି ସେକେଣ୍ଡ ହ୍ୟାଣ୍ଡ ମେସିନ୍ କିଣିଥିଲୁ।" ଏଥିପାଇଁ ସେମାନେ ସେମାନଙ୍କର ସମ୍ପୂର୍ଣ୍ଣ ସଞ୍ଚୟ ଏବଂ ରାକେଶଙ୍କ ପିତାମାତାଙ୍କଠାରୁ ପାଇଥିବା କିଛି ଅର୍ଥ ଖର୍ଚ୍ଚ କରିଥିଲେ, ଯାହାକି କୃଷି ଶ୍ରମିକ ଭାବରେ ସେମାନଙ୍କ ଜୀବନକାଳର ସଞ୍ଚୟ ଥିଲା। ସେମାନଙ୍କର ମାମୁଁ ଗୁଲାବ ତାଙ୍କର କିଛି ଗ୍ରାହକଙ୍କୁ ରାକେଶ ଏବଂ ସରଳାଙ୍କ ନିକଟକୁ ପଠାଇଥିଲେ।
ରାକେଶ କୁହନ୍ତି, "ଆମର ରାସନ୍ କାର୍ଡ ନାହିଁ; ୩,୦୦୦-୪,୦୦୦ ଟଙ୍କା କେବଳ ରାସନ୍ କିଣିବାରେ ଖର୍ଚ୍ଚ ହେଉଛି।" ସେମାନେ ଆବଶ୍ୟକ କରୁଥିବା ଜିନିଷର ତାଲିକା ସରଳା ପ୍ରସ୍ତୁତ କରୁଛନ୍ତି- ଅଟା ଏବଂ ଚାଉଳ, ଡାଲି, ଲୁଣ, ଲଙ୍କା ଗୁଣ୍ଡ ଆଦି ସାମଗ୍ରୀ…। ସେ କୁହନ୍ତି, “ସେମାନେ ବଢ଼ିଲା ପିଲା, ସେମାନଙ୍କର ଖାନା-ପିନା [ଖାଦ୍ୟ] ରେ କୌଣସି ପ୍ରକାରର ବୁଝାମଣା କରିହେବ ନାହିଁ।"
ସେମାନଙ୍କ ପିଲାମାନଙ୍କର ଶିକ୍ଷା ପାଇଁ ଅର୍ଥ ସଞ୍ଚୟ କରିବା ଅସମ୍ଭବ ଏବଂ ସେମାନେ ଆଶ୍ରମଶାଳାଗୁଡ଼ିକ ପାଇଁ କୃତଜ୍ଞ। ସରଳା କୁହନ୍ତି, “ସେଠାରେ ଅତି କମ୍ରେ ପିଲାମାନେ ଅଧ୍ୟୟନ କରନ୍ତି ଏବଂ ଖାଇବାକୁ ମଧ୍ୟ ପାଆନ୍ତି।" କିନ୍ତୁ କ୍ୟାମ୍ପସ୍ ପ୍ରଥମରୁ ସପ୍ତମ ଶ୍ରେଣୀ ପାଇଁ ବନ୍ଦ ରହିଛି।
ଅନଲାଇନ୍ ଶିକ୍ଷା ହେଉଛି ସୁଦୂର ଆକ୍ରାନି ତାଲୁକାରେ ଏକ ଅସମ୍ଭଵ ବ୍ୟାପାର। ଆଶ୍ରମଶାଳାର ୪୭୬ ଜଣ ଛାତ୍ରଙ୍କ ମଧ୍ୟରୁ ଶିକ୍ଷକମାନେ -ଶର୍ମିଲାଙ୍କ ସମେତ- ୧୯୦ ଜଣଙ୍କ ସହ ଯୋଗାଯୋଗ କରିବାରେ ସକ୍ଷମ ହୋଇ ନାହାନ୍ତି ଏବଂ ସେହି ଛାତ୍ରମାନେ ଆନୁଷ୍ଠାନିକ ଶିକ୍ଷାଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ରହିଛନ୍ତି
ଆଶ୍ରମଶାଳାର ନନ୍ଦୁରବାରରେ ରହୁଥିବା ୪୪ ବର୍ଷୀୟ ଶିକ୍ଷକ ସୁରେଶ ପଡବୀ କୁହନ୍ତି, “୯୦ ପ୍ରତିଶତରୁ ଅଧିକ ପିତାମାତାଙ୍କର ସାଧାରଣ ହ୍ୟାଣ୍ଡସେଟ୍ ମଧ୍ୟ ନାହିଁ। ସେ ବିଦ୍ୟାଳୟର ନଅ ଜଣ ଶିକ୍ଷକଙ୍କ ମଧ୍ୟରେ ଜଣେ, ଯେଉଁମାନେ ଆକ୍ରାନୀର ଗ୍ରାମ ପରିଦର୍ଶନ କରି ଛାତ୍ରମାନଙ୍କୁ ଟ୍ରାକ୍ କରିବା ସହିତ ମହାମାରୀ ଆରମ୍ଭରୁ ସେମାନଙ୍କୁ ଶିକ୍ଷା ପ୍ରଦାନ କରୁଥିଲେ।
ସୁରେଶ କୁହନ୍ତି, “ଆମେ ଏଠାକୁ ତିନି ଦିନ [ସପ୍ତାହରେ] ଆସୁ, ଗାଁର ପରିବାରଗୁଡ଼ିକ ମଧ୍ୟରୁ ଜଣଙ୍କ ଘରେ ରାତି ବିତାଇଥାଉ। ପ୍ରତ୍ୟେକ ପରିଦର୍ଶନରେ ଶିକ୍ଷକମାନେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୦ ରୁ ୧୨ଟି ପିଲାଙ୍କୁ ଏକତ୍ର କରିବାରେ ସଫଳ ହୁଅନ୍ତି। ସେ କୁହନ୍ତି, “ଗୋଟିଏ ପିଲା ପ୍ରଥମ ଶ୍ରେଣୀର ହୋଇଥିବା ବେଳେ, ଅନ୍ୟଟି ସପ୍ତମ ଶ୍ରେଣୀର ହୋଇପାରେ। କିନ୍ତୁ ଆମକୁ [ସମସ୍ତଙ୍କୁ ଏକାଠି] ଶିକ୍ଷା ଦେବାକୁ ପଡ଼ିଥାଏ।
ଯାହାବି ହେଉ ତାଙ୍କର ଶିକ୍ଷକ ଦଳ ଶର୍ମିଳାଙ୍କ ପାଖରେ ପହଞ୍ଚି ପାରିନାହାନ୍ତି। ସୁରେଶ କୁହନ୍ତି, “ଅନେକ ପିଲା କୌଣସି ଫୋନ୍ କିମ୍ବା ସଡ଼କ ସଂଯୋଗ ବିନା ଦୂର ଏବଂ ଅପହଞ୍ଚ ସ୍ଥାନରେ ରୁହନ୍ତି। ସେମାନଙ୍କୁ ଖୋଜିବା କଷ୍ଟକର।"
ଫଲାଇରେ ଶର୍ମିଳାଙ୍କ ଘରେ ପହଞ୍ଚିବା କଷ୍ଟକର। ରାକେଶ କୁହନ୍ତି, ସବୁଠାରୁ କମ୍ ବାଟ ହେଉଛି ଏକ ପାହାଡ଼ ଚଢ଼ି ଉପରକୁ ଚାଲିକରି ଯିବା ଏବଂ ଏକ ଝରଣାକୁ ଅତିକ୍ରମ କରିବା, ଯେତେବେଳେ କି ଅନ୍ୟ ରାସ୍ତାଟି ଏକ କାଦୁଅ ରାସ୍ତା ଯାହାକି ଅଧିକ ସମୟ ନେଇଥାଏ “ଆମ ଘର ବହୁତ ଅଭ୍ୟନ୍ତରରେ”। “ଶିକ୍ଷକମାନେ କେବେ ବି ଏହି ପାର୍ଶ୍ୱକୁ ଆସିନାହାନ୍ତି।”
ଏହାର ଅର୍ଥ ହେଉଛି ଯେ ସ୍କୁଲ୍ ବନ୍ଦ ହେବାପରେ ଶର୍ମିଳାଙ୍କ ପରି ଅନେକ ପିଲା ପାଠପଢାଠାରୁ ଦୂରେଇ ଯାଇଛନ୍ତି। ଜାନୁଆରୀ ୨୦୨୧ରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାଯାଏ ଯେ ମହାମାରି ଯୋଗୁଁ ସ୍କୁଲ୍ ବନ୍ଦ ହେବା କାରଣରୁ ପ୍ରାୟ ୯୨ ପ୍ରତିଶତ ପିଲା ଅତି କମ୍ରେ ନିଜର ଏକ ଦକ୍ଷତା ହରାଇଛନ୍ତି- ଏକ ଚିତ୍ରକୁ ବର୍ଣ୍ଣନା କରିବା କିମ୍ବା ନିଜର ଅନୁଭୂତିକୁ ପ୍ରକାଶ କରିବା; କିମ୍ବା ପୂର୍ବ ବର୍ଷ ପଢ଼ାଯାଇଥିବା ଏକ ଚିତ୍ରକୁ ଦେଖି ସରଳ ବାକ୍ୟରେ ଏହାକୁ ବର୍ଣ୍ଣନା କରିବା।
*****
ଶର୍ମିଳାଙ୍କ ପଡ଼ୋଶୀ ତଥା ଖେଳ ସାଥୀ ଆଠ ବର୍ଷର ସୁନୀତା ପାଓ୍ୱରା, ଯିଏକି ସେହି ସମାନ ବିଦ୍ୟାଳୟରେ ଗତ ବର୍ଷ ବିଦ୍ୟାଳୟ ବନ୍ଦ ହେବା ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀରେ ପଢୁଥିଲେ, କୁହନ୍ତି, “ମୁଁ ସ୍କୁଲରେ ପେନ୍ସିଲରେ ମୋର ନାମ ଲେଖିବା ଶିଖିଥିଲି।"
ନିଜର ମାଟି ଘର ବାହାରେ ପୋଷାକଗୁଡ଼ିକ ରଖାଯାଇଥିବା ଧାଡ଼ିରେ ଝୁଲୁଥିବା ୟୁନିଫର୍ମକୁ ଉତ୍ସାହିତ ହୋଇ ଦେଖାଇ ସେ କୁହନ୍ତି, “ମୁଁ ସ୍କୁଲରେ ଏହି ପୋଷାକ ପିନ୍ଧୁଥିଲି। ମୁଁ ଏହାକୁ ବେଳେବେଳେ ଘରେ ପିନ୍ଧିଥାଏ”। । “ବାଇ [ଶିକ୍ଷକ] ଏକ ପୁସ୍ତକରେ [ଚିତ୍ର ପୁସ୍ତକ] ଫଳଗୁଡ଼ିକ ଦେଖାଉଥିଲେ [ଚିତ୍ର ବହି]। ରଙ୍ଗୀନ ଫଳଗୁଡ଼ିକ। ଏହା ଲାଲ୍ ଥିଲା। ମୁଁ ତାହାର ନାମ ଜାଣେ ନାହିଁ, ” ସେ କୁହନ୍ତି ଏହା ମନେ ରଖିବା ପାଇଁ ବହୁତ ଚେଷ୍ଟା କରିଥିଲେ। ତାଙ୍କ ପାଇଁ ବିଦ୍ୟାଳୟ ଲିଭି ଆସୁଥିବା ଏକ ସ୍ମୃତିରେ ପରିଣତ ହୋଇଯାଇଛି।
ସୁନୀତା ଆଉ ନିଜ ନୋଟବୁକ୍ ରେ କିଛି ଲେଖୁ ନାହାନ୍ତି କିମ୍ବା ଚିତ୍ର କରୁନାହାନ୍ତି, କିନ୍ତୁ ସେ ଶର୍ମିଳାଙ୍କ ସହ ହପ୍ସକଚ୍ ଖେଳିବା ପାଇଁ ନିଜ ଘର ନିକଟସ୍ଥ ପିଚୁ ରାସ୍ତାରେ କିଛି ବର୍ଗାକାର ଚିତ୍ର ଧଳା ପଥରରେ ଆଙ୍କନ୍ତି। ତାଙ୍କର ତିନୋଟି ଭାଇଭଉଣୀ ଅଛନ୍ତି - ଦିଲୀପ ଛଅ ବର୍ଷର, ଅମିତା ପାଞ୍ଚ ବର୍ଷର, ଏବଂ ଦୀପକ ଚାରି ବର୍ଷର। ଆଠ ବର୍ଷର, ସୁନୀତା ସମସ୍ତଙ୍କ ମଧ୍ୟରେ ବଡ ଅଟନ୍ତି ଏବଂ ଏକ ମାତ୍ର ଯିଏକି ବିଦ୍ୟାଳୟ ଯାଉଛନ୍ତି, ଯଦିଓ ତାଙ୍କ ପିତାମାତା ଆଶା କରନ୍ତି ଯେ ଶେଷରେ ସେମାନଙ୍କର ଅନ୍ୟ ପିଲାମାନେ ମଧ୍ୟ ନାମ ଲେଖାଇବେ।
ତାଙ୍କ ପିତାମାତା ଗୀତା ଏବଂ ଭାକିରାମ ଏକ ଏକର ଖାଲୁଆ ଜମିରେ ମୌସୁମୀ ସମୟରେ ଚାଷ କରନ୍ତି ଏବଂ ପରିବାରର ଭୋଜନ ପାଇଁ ୨ ରୁ ୩ କ୍ୱିଣ୍ଟାଲ ଯଅ ଅମଳ କରନ୍ତି। ୩୫ ବର୍ଷୀୟା ଗୀତା କୁହନ୍ତି, “କେବଳ ଏହା ଉପରେ ନିର୍ଭର କରି ବଞ୍ଚିବା ଅସମ୍ଭବ। ଆମେ କାମ ପାଇଁ ବାହାରକୁ ଯାଉଛୁ ”।
ପ୍ରତିବର୍ଷ ଅକ୍ଟୋବର ମାସର ଅମଳ ପରେ ସେମାନେ ଗୁଜରାଟକୁ ଯାଇ ଦୈନିକ ମଜୁରୀ ୨୦୦ରୁ ୩୦୦ ଟଙ୍କାର ମଜୁରୀରେ ଏପ୍ରିଲ୍-ମେ ମାସ ପର୍ଯ୍ୟନ୍ତ କପା କ୍ଷେତରେ ବର୍ଷକୁ ପ୍ରାୟ ୨୦୦ ଦିନ ପାଇଁ କାମ କରନ୍ତି। ୪୨ ବର୍ଷୀୟ ଭାକିରାମ କୁହନ୍ତି, "ଯଦି ଆମେ ପିଲାମାନଙ୍କୁ ସାଙ୍ଗରେ ନେବୁ, ତେବେ ସେମାନେ ବି ଆମ ପରି ଅପାଠୁଆ ରହିଯିବେ। ଆମେ ଯେଉଁଠାକୁ ଯାଉଛୁ ସେଠାରେ କୌଣସି ବିଦ୍ୟାଳୟ ନାହିଁ।"
ଗୀତା କୁହନ୍ତି, “ଆଶ୍ରମଶାଳାରେ ପିଲାମାନେ ରୁହନ୍ତି ଏବଂ ଅଧ୍ୟୟନ ମଧ୍ୟ କରନ୍ତି। ସରକାର ଏହି ବିଦ୍ୟାଳୟଗୁଡ଼ିକୁ ଖୋଲିବା ଉଚିତ୍।”
୨୦୨୧ ମସିହା ଜୁଲାଇ ୧୫ ତାରିଖରେ ଏକ ସରକାରୀ ନିର୍ଦ୍ଧାରଣରେ ଉଲ୍ଲେଖ କରାଯାଇଛି: “୨୦୨୧ ମସିହା ଅଗଷ୍ଟ ମାସରୁ ରାଜ୍ୟରେ ସହାୟତା ପ୍ରାପ୍ତ ଆବାସିକ ଏବଂ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟଗୁଡ଼ିକୁ କେବଳ ୮ ରୁ ୧୨ ଶ୍ରେଣୀ ପାଇଁ କୋଭିଡ ମୁକ୍ତ ଅଂଚଳରେ ଖୋଲିବାକୁ ଅନୁମତି ଦିଆଯାଇଛି।”
ନନ୍ଦୁରବାର ଜିଲ୍ଲା ପରିଷଦ ସଭ୍ୟ ଗଣେଶ ପାରଡକେ ଅନୁମାନ କରି କୁହନ୍ତି, "ନନ୍ଦୁରବାରରେ ପ୍ରାୟ ୧୩୯ ସରକାରୀ ଆବାସିକ ବିଦ୍ୟାଳୟ ଅଛି, ଯେଉଁଥିରେ ୨୨,୦୦୦ ଛାତ୍ର ଅଛନ୍ତି"। ଏହି ବିଦ୍ୟାଳୟଗୁଡ଼ିକରେ ବହୁ ସଂଖ୍ୟକ ଛାତ୍ର ପାହାଡ଼ିଆ ଏବଂ ଜଙ୍ଗଲୀ ଆକ୍ରାନୀ ତାଲୁକାର ଅଟନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନ ଯଦିଓ, “ଅନେକ ଅଧ୍ୟୟନ ପ୍ରତି ଆଗ୍ରହ ହରାଇଛନ୍ତି ଏବଂ ଝିଅମାନଙ୍କର ପ୍ରାୟତଃ ବିବାହ ସରିଲାଣି।”
*****
ଶର୍ମିଲାଙ୍କ ଘରଠାରୁ ପ୍ରାୟ ୪୦ କିଲୋମିଟର ଦୂର, ଅକ୍ରାନି ତାଲୁକର ସିନ୍ଦିଦିଗର ଗ୍ରାମ ନିକଟରେ, ୧୨ ବର୍ଷୀୟ ରାହିଦାସ ପାୱରା ଏବଂ ତାଙ୍କର ଦୁଇ ସାଙ୍ଗ ସେମାନଙ୍କ ଘରର ୧୨ ଟି ଛେଳି ଏବଂ ପାଞ୍ଚଟି ଗାଈ ଚରାଉଛନ୍ତି। “ଆମେ କିଛି ସମୟ ପାଇଁ ଏଠାରେ ଅଟକିଲୁ। ଆମେ ଏହି ସ୍ଥାନଟିକୁ ପସନ୍ଦ କରୁ। ଆପଣ ସମସ୍ତ ପାହାଡ, ଗ୍ରାମ, ଆକାଶ… ଏଠାରୁ ସବୁକିଛି ଦେଖିପାରିବେ ବୋଲି ରାହିଦାସ କୁହନ୍ତି, ଯିଏ କି ତାଙ୍କ ବିଦ୍ୟାଳୟ, ନାଭାପୁର ତାଲୁକାରେ କେ ଡି.ଜେ କୋକାନି ଆଦିବାସୀ ଛାତ୍ରାଳୟ ଶ୍ରାବଣୀରେ ଇତିହାସ କିମ୍ବା ଗଣିତ କିମ୍ବା ଭୂଗୋଳ କିମ୍ବା ଅନ୍ୟାନ୍ୟ ବିଷୟ ଅଧ୍ୟୟନ କରୁଥିବା ଶ୍ରେଣୀଗୃହ ଭିତରେ ରହିଥାନ୍ତେ - ଯାହାକି ୧୫୦ କିଲୋମିଟର ଦୂରରେ - ଗତ ବର୍ଷ ବନ୍ଦ ହୋଇନଥିଲା।
ରାହିଦାସଙ୍କ ପିତା ୩୬ ବର୍ଷୀୟ ପ୍ୟାନେ, ଏବଂ ମାତା ୩୨ ବର୍ଷୀୟା ଶିଲା, ମୌସୁମୀ ସମୟରେ ଦୁଇ ଏକର ଜମିରେ ମକା ଏବଂ ଜଅ ଚାଷ କରନ୍ତି। ରାହିଦାସ କୁହନ୍ତି, “ମୋର ବଡ଼ ଭାଇ ରାମଦାସ ସେମାନଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରନ୍ତି।"
ବାର୍ଷିକ ଅମଳ ପରେ ପ୍ୟାନେ, ଶିଲା ଏବଂ ୧୯ ବର୍ଷୀୟ ରାମଦାସ -ଯିଏକି ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ - ଆଖୁ କ୍ଷେତରେ କାମ କରିବା ପାଇଁ ପଡୋଶୀ ଗୁଜୁରାଟର ନବସାରୀ ଜିଲ୍ଲାକୁ ଯାଇଥାନ୍ତି। ସେମାନେ ଡିସେମ୍ବରରୁ ମଇ ମାସ ପର୍ଯ୍ୟନ୍ତ, ବର୍ଷର ପ୍ରାୟ ୧୮୦ ଦିନ ପାଇଁ ପ୍ରତ୍ୟେକ ଦୈନିକ ୨୫୦ ଟଙ୍କା ରୋଜଗାର କରନ୍ତି।
ରାହିଦାସ କୁହନ୍ତି, “ଗତ ବର୍ଷ ସେମାନେ କରୋନା ଭୟରେ ଯାଇ ନଥିଲେ। କିନ୍ତୁ ଏହି ବର୍ଷ ମୁଁ ମଧ୍ୟ ସେମାନଙ୍କ ସହ ଯାଉଛି। ଗୃହପାଳିତ ପଶୁମାନେ ପରିବାରର ଆୟର ଉତ୍ସ ନୁହନ୍ତି; ଛେଳିର କ୍ଷୀର ଘରେ ଖିଆଯାଏ। ବେଳେବେଳେ, ସେମାନେ ଗୋଟିଏ ଛେଳିକୁ ଆକାର ଏବଂ ସ୍ୱାସ୍ଥ୍ୟ ଉପରେ ନିର୍ଭର କରି ୫୦୦୦ ଟଙ୍କାରୁ ୧୦,୦୦୦ ଟଙ୍କା ମଧ୍ୟରେ ସ୍ଥାନୀୟ କଂସାଇକୁ ବିକ୍ରି କରନ୍ତି। କିନ୍ତୁ ଏହି ପରି ବେଳେବେଳେ କରାଯାଏ ଏବଂ ଯେତେବେଳେ ଟଙ୍କାର ଅତ୍ୟଧିକ ଆବଶ୍ୟକତା ହୁଏ ସେତେବେଳେ ଏପରି କରାଯାଇଥାଏ।
ପଶୁମାନଙ୍କୁ ଚରାଉଥିବା ତିନିଜଣ ସାଙ୍ଗ ସମାନ ବିଦ୍ୟାଳୟରେ ଓ ଶ୍ରେଣୀରେ ପଢନ୍ତି। ରାହିଦାସ କୁହନ୍ତି, “ଯେତେବେଳେ ମୁଁ ପୂର୍ବରୁ ଗ୍ରୀଷ୍ମ ଏବଂ ଦୀପାବଳି ଛୁଟି ସମୟରେ ଘରକୁ ଆସୁଥିଲି, ସେତେବେଳେ ମୁଁ ମଧ୍ୟ ଆମର ଗୋରୁ ଚରାଉଥିଲି [ମହାମାରୀ ପୂର୍ବରୁ]। ଏହା କିଛି ନୂଆ ନୁହେଁ। ”
ନୂଆ କଥା ହେଉଛି ତାଙ୍କ ମନୋବଳର ଅବନତି। ସେ କୁହନ୍ତି, "ମୁଁ ସ୍କୁଲକୁ ପୁଣି ଥରେ ଯିବା ଭଳି ଅନୁଭବ କରେ ନାହିଁ"। ସେମାନଙ୍କ ବିଦ୍ୟାଳୟ ଖୋଲିବାର ସମ୍ଭାବନା ସମ୍ବାଦ ସେମାନଙ୍କ ମଧ୍ୟରୁ କାହାକୁ ଉତ୍ସାହିତ କରେ ନାହିଁ। ରାହିଦାସ ଆହୁରି ମଧ୍ୟ କହିଛନ୍ତି ଯେ, "ମୋର ଆଉ କିଛି ମନେ ନାହିଁ"। "ଯଦି ସେମାନେ ଏହାକୁ ପୁନଃ ବନ୍ଦ କରନ୍ତି ତେବେ କ’ଣ ହେବ?"
ଅନୁବାଦ : ଓଡ଼ିଶାଲାଇଭ୍