ପଟ୍ଟଚିତ୍ର ଚିତ୍ରଣର ପ୍ରଥମ ସୋପାନ ହେଉଛି ଏକ ସଙ୍ଗୀତ - ଏକ ପଟ୍ଟର ଗାନ ସଂଯୋଜନା କରିବା । ‘‘ଚିତ୍ରଣ ଆରମ୍ଭ କରିବା ପୂର୍ବରୁ ଆମକୁ ସଙ୍ଗୀତର ଛନ୍ଦ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି... ଏହାର ତାଳ ଚିତ୍ରଣ ପ୍ରକ୍ରିୟାକୁ ଏକ ଢାଞ୍ଚା ପ୍ରଦାନ କରିବ,’’ ମାମୋନି ଚିତ୍ରକାର କୁହନ୍ତି। ଅଷ୍ଟମ ପିଢ଼ିର ଏହି କଳାକାର ଜଣଙ୍କ ନିଜ ଘରେ ବସି ପଟଚିତ୍ର ତିଆରି କରୁଛନ୍ତି ଯେଉଁଥିରେ ପଶ୍ଚିମବଙ୍ଗ ପୂର୍ବ କୋଲକାତାର ଆର୍ଦ୍ରଭୂମିର ଚିତ୍ରଣ ରହିଛି।

ସଂସ୍କୃତ ଶବ୍ଦ ‘ପଟ୍ଟ’ ବା ଖଣ୍ଡେ କପଡ଼ା ଏବଂ ‘ଚିତ୍ର’ ବା ଚିତ୍ରକାରୀରୁ ଏହି କଳାର ଉତ୍ପତି ହୋଇଛି। ଆର୍ଦ୍ରଭୂମି ଦ୍ୱାରା ସମୃଦ୍ଧ ହୋଇଥିବା ପରିବେଶ ପରିତନ୍ତ୍ରର ଚିତ୍ରକୁ ଅତି ନିଖୁଣ ଭାବେ ଆଙ୍କୁଥିବା ସମୟରେ ମାମୋନି ପଟ୍ଟର ଗାନ୍‌ ଗାଉଛନ୍ତି ଯାହାକି ପଟଚିତ୍ରର ପ୍ରଦର୍ଶନ ସହିତ ପ୍ରତିଫଳିତ ହେବ। ଏହି ସଙ୍ଗୀତକୁ ମାମୋନି ନିଜେ ଲେଖିଛନ୍ତି ଓ ସଂଯୋଜନା କରିଛନ୍ତି, ଯାହାକି ଏକ ଆମନ୍ତ୍ରଣ ସହିତ ଆରମ୍ଭ ହୋଇଥାଏ : ‘‘ଶୁଣ, ଶୁଣ ସମସ୍ତେ, ଧ୍ୟାନ ଦେଇ ଶୁଣ’’।

ଏହି ସଙ୍ଗୀତରେ ପୂର୍ବ କୋଲକାତା ଆର୍ଦ୍ରଭୂମିର ଗୁରୁତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି ଯାହାକି ‘‘ଅନେକଙ୍କ ପାଇଁ ଜୀବନଧାରା’’। ମତ୍ସ୍ୟଜୀବୀ, ଚାଷୀ ଓ ଜୀବନ୍ତ କ୍ଷେତଗୁଡ଼ିକର ଚିତ୍ର ଏକ ପଟ୍ଟ ଉପରେ ଅଙ୍କା ଯାଏ, ଏହା ଏକ କପଡ଼ା ଉପରେ ଲଗାଯାଇଥିବା କାଗଜର ଚିତ୍ରଫଳକ ବା ସ୍କ୍ରଲ ହୋଇଥାଏ। କଳା ପରିବେଷଣ ସମୟରେ ଯେତେବେଳେ ଅନ୍ତିମ ରୂପ ଦିଆ ଯାଇ ସାରିଥିବା ପଟ୍ଟ କୁ ଖୋଲାଯାଏ, ସେତେବେଳେ ସଙ୍ଗୀତର ପଦଗୁଡ଼ିକ ସହିତ ଚିତ୍ରକଳାର ବିଭିନ୍ନ ଭାଗ ମେଳ ଖାଇଥାଏ। ଏହି ମାର୍ଗରେ, ମାମୋନିଙ୍କ ଚିତ୍ରକଳା ଚିତ୍ର ଓ ସଙ୍ଗୀତ ମାଧ୍ୟମରେ ଆର୍ଦ୍ରଭୂମିର କାହାଣୀ କହିଥାଏ।

ମାମୋନି କୁହନ୍ତି, ତାଙ୍କ ଗାଁ ପଶ୍ଚିମ ମେଦିନାପୁର ପିଙ୍ଗଲା ତାଲୁକା ର ନୟା ଗ୍ରାମରେ ପାଖାପାଖି ୪୦୦ ଚିତ୍ରକର ରହୁଛନ୍ତି। ଏହି ତାଲୁକା ର ଅନ୍ୟ କୌଣସି ଗ୍ରାମରେ ଏତେ ସଂଖ୍ୟକ ପଟ୍ଟଚିତ୍ର କାରିଗର ନାହାନ୍ତି। ନୟା ଗ୍ରାମର ଏହି ୩୨ ବର୍ଷୀୟା ବାସିନ୍ଦା ଓ କାରିଗର ତାଙ୍କ ଗାଁର ସବୁ ଘର କାନ୍ଥରେ ବିଭିନ୍ନ ରଙ୍ଗରେ ଅଙ୍କା ହୋଇଥିବା ବୃକ୍ଷଲତା, ବନ୍ୟପ୍ରାଣୀ ଓ ଫୁଲର ଚିତ୍ର ବିଷୟରେ ଉଲ୍ଲେଖ କରି କୁହନ୍ତି, ‘‘ଗାଁର ପ୍ରାୟ ସମସ୍ତ ୮୫ଟି ଘର କାନ୍ଥରେ ଭିତ୍ତିଚିତ୍ର ଅଙ୍କା ହୋଇଛି। ସେଥିପାଇଁ ଆମର ସମ୍ପୂର୍ଣ୍ଣ ଗାଁ ସୁନ୍ଦର ଦେଖାଯାଏ।’’

PHOTO • Courtesy: Disappearing Dialogues Collective

ପୂର୍ବ କୋଲକାତାର ଆର୍ଦ୍ରଭୂମିକୁ ଦର୍ଶାଉଥିବା ପଟ୍ଟଚିତ୍ର। ପଟ୍ଟଚିତ୍ରର ବିଭିନ୍ନ ଭାଗ ପଟର ଗାନ ପଦ ସହିତ ମେଳ ଖାଇଥାଏ ଯାହାକୁ ନିଜେ ମାମୋନି ଲେଖିଛନ୍ତି ଓ ସଂଯୋଜନା କରିଛନ୍ତି

PHOTO • Courtesy: Mamoni Chitrakar
PHOTO • Courtesy: Mamoni Chitrakar

ପଶ୍ଚିମ ମେଦିନାପୁର ନୟା ଗ୍ରାମରେ ଥିବା ଘର କାନ୍ଥରେ ଫୁଲ, ବୃକ୍ଷଲତା ଓ ବାଘଙ୍କ ଭିତ୍ତିଚିତ୍ର ଅଙ୍କା ହୋଇଛି। ‘ଆମର ସମ୍ପୂର୍ଣ୍ଣ ଗାଁ ସୁନ୍ଦର ଦେଖାଯାଏ,’ ମାମୋନି କୁହନ୍ତି

ଏହି ଗାଁ ଏକ ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ହାସଲ କରିଛି ଏବଂ ଭାରତର ବିଭିନ୍ନ ସ୍ଥାନରୁ ଓ ବିଦେଶରୁ ଏଠାକୁ ପର୍ଯ୍ୟଟକମାନେ ଆସନ୍ତି। ମାମୋନି କୁହନ୍ତି, ‘‘ଆମ ସହିତ କଥା ହେବାକୁ, ଆମର ହସ୍ତକଳା ଶିଖିବାକୁ ଏବଂ ଆମ ଜୀବନ ଓ କୌଶଳ ବିଷୟରେ ଜାଣିବାକୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଆମେ ସ୍ୱାଗତ କରିଥାଉ। ଆମେ ସେମାନଙ୍କୁ ପଟ୍ଟର ଗାନ୍‌, ପଟ୍ଟଚିତ୍ର କଳା ଓ ପ୍ରାକୃତିକ ଉତ୍ସରୁ ରଙ୍ଗ ପ୍ରସ୍ତୁତ କରିବା ସଂକ୍ରାନ୍ତରେ କର୍ମଶାଳା ଆୟୋଜନ ସମ୍ପର୍କରେ ଶିକ୍ଷା ଦେଉ।’’

ମାମୋନି କୁହନ୍ତି, ‘‘ ପଟ୍ଟଚିତ୍ର କଳା ଗୁହଚିତ୍ର ବା ପ୍ରାଚୀନ ଗୁମ୍ଫା ଚିତ୍ର କଳାରୁ ଉଦ୍ଭବ ହୋଇଛି।’’ ଶହ ଶହ ବର୍ଷ ପୁରୁଣା ଏହି ହସ୍ତକଳାରେ ପ୍ରକୃତ ଚିତ୍ରାଙ୍କନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଓ ପରେ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ।

ପଟ୍ଟର ଗାନ୍‌ ପାଇଁ ସୁନ୍ଦର ଭାବେ ସ୍ୱର ସଂଯୋଜନା ହେବା ପରେ, ପ୍ରକୃତ ଚିତ୍ରଣ କାମ ଆରମ୍ଭ ହୋଇଥାଏ, ମାମୋନି କୁହନ୍ତି। ‘‘ଆମର ପରମ୍ପରା ଅନୁଯାୟୀ, ମୁଁ କେବଳ ପ୍ରାକୃତିକ ଉତ୍ସରୁ ସଂଗୃହିତ ରଙ୍ଗ ଚିତ୍ରାଙ୍କନରେ ବ୍ୟବହାର କରିଥାଏ।’’ ଏହି ରଙ୍ଗ କଞ୍ଚା ହଳଦୀ, ପୋଡ଼ା ମାଟି ଓ ଗେଣ୍ଡୁ ଫୁଲରେ ତିଆରି ହୁଏ। ‘‘ଗାଢ଼ କଳା ରଙ୍ଗ ପାଇବାକୁ ମୁଁ ଚାଉଳ ପୋଡ଼ିଦିଏ; ଅପରାଜିତା ଫୁଲକୁ ବାଟି ସେଥିରେ ନୀଳ ରଙ୍ଗ ତିଆରି କରେ, ସେମିତି ପ୍ରାୟ ସବୁ ରଙ୍ଗ ପ୍ରସ୍ତୁତ ହୁଏ।’’

ରଙ୍ଗ ପ୍ରସ୍ତୁତ ହେବା ପରେ ସେଗୁଡ଼ିକୁ ନଡ଼ିଆ ସରେଇରେ ରଖାଯାଇଥାଏ ଓ ସୂର୍ଯ୍ୟାଲୋକରେ ଶୁଖାଇ ଦିଆଯାଏ। ଏହି ପ୍ରସ୍ତୁତି ପ୍ରକ୍ରିୟା ପାଇଁ ପ୍ରାୟ ଗୋଟିଏ ବର୍ଷ ଲାଗିପାରେ କାରଣ କିଛି ସାମଗ୍ରୀ ସବୁବେଳେ ମିଳେ ନାହିଁ। ମାମୋନି କୁହନ୍ତି ଯେ, ଯଦିଓ ଏହି ପ୍ରକ୍ରିୟା ବେଶ ସମୟସାପେକ୍ଷ, ‘‘କିନ୍ତୁ ପଦକ୍ଷେପଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ଯତ୍ନର ସହକାରେ କରାଯିବା ଉଚିତ୍‌।’’

ଚିତ୍ରକୁ ରଙ୍ଗେଇବା ପୂର୍ବରୁ ବେଲରୁ ବାହାର କରାଯାଇଥିବା ପ୍ରାକୃତିକ ଅଠା ସହିତ ରଙ୍ଗକୁ ମିଶାଯାଏ। ଦୀର୍ଘ ସମୟ ପର୍ଯ୍ୟନ୍ତ ତିଷ୍ଠି ରହିବା ପାଇଁ କପଡ଼ା ଉପରେ ଲଗାଯିବା ପୂର୍ବରୁ ସଦ୍ୟ ରଙ୍ଗ ହୋଇଥିବା ଚିତ୍ରଫଳକଗୁଡ଼ିକୁ ଶୁଖାଇବାକୁ ପଡ଼ିଥାଏ। ଏହାପରେ ପ୍ରସ୍ତୁତ ଉତ୍ପାଦ ଅନ୍ତିମ ପଟ୍ଟଚିତ୍ର ହୋଇଥାଏ।

PHOTO • Courtesy: Mamoni Chitrakar
PHOTO • Courtesy: Mamoni Chitrakar
PHOTO • Courtesy: Mamoni Chitrakar

ବାମ ଓ ମଝି : ମାମୋନୀ ଫୁଲ, କଞ୍ଚା ହଳଦୀ ଓ ମାଟି ଭଳି ଉତ୍ସରୁ ପ୍ରସ୍ତୁତ ଜୈବିକ ରଙ୍ଗରେ ଚିତ୍ରକୁ ରଙ୍ଗ କରୁଛନ୍ତି। ଡାହାଣ : ମାମୋନିଙ୍କ ସ୍ୱାମୀ ସମୀର ଚିତ୍ରକର, ବାଉଁଶରେ ତିଆରି ବାଦ୍ୟ ଯନ୍ତ୍ର ଦେଖାଉଛନ୍ତି ଯାହାକୁ ପଟ୍ଟଚିତ୍ର ପ୍ରଦର୍ଶନ ସହିତ ପରିବେଷଣ କରାଯାଇଥାଏ

ତାଙ୍କ ଗାଁର ଅନ୍ୟମାନଙ୍କ ଭଳି ମାମୋନି ମଧ୍ୟ ଖୁବ ଅଳ୍ପ ବୟସରୁ ପଟ୍ଟଚିତ୍ର ତିଆରି ଶିଖିବା ଆରମ୍ଭ କରିଥିଲେ। ‘‘ସାତ ବର୍ଷ ବୟସରୁ ମୁଁ ଚିତ୍ରକଳା ଓ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲି। ପଟ୍ଟଚିତ୍ର ମୋର ପୂର୍ବଜଙ୍କ ପରମ୍ପରା ଏବଂ ମୁଁ ଏହାକୁ ମୋ ମା’ ସ୍ୱର୍ଣ୍ଣ ଚିତ୍ରକାରଙ୍କ ଠାରୁ ଶିଖିଥିଲି। ମାମୋନିଙ୍କ ବାପା, ଶମ୍ଭୁ ଚିତ୍ରକର (୫୮) ମଧ୍ୟ ଜଣେ ପଟାଉ ଭାବେ କାମ କରିଥାନ୍ତି। ପରିବାରରେ ଅନ୍ୟମାନଙ୍କ ଭଳି - ତାଙ୍କ ସ୍ୱାମୀ ସମୀର ଓ ଭଉଣୀ ସୋନାଲୀ ମଧ୍ୟ ଏହି କାମ କରିଥାନ୍ତି। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ମାମୋନିଙ୍କ ପୁଅ ଓ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ତାଙ୍କ ଝିଅ ମଧ୍ୟ ତାଙ୍କ ଠାରୁ ଏହି ହସ୍ତକଳା ଶିଖୁଛନ୍ତି।

ପାରମ୍ପରିକ ଭାବରେ ରାମାୟଣ ମହାଭାରତ ରୁ ଉଦ୍ଧୃତ ସ୍ଥାନୀୟ ଲୋକକଥା ଓ କଥିତ ଦୃଶ୍ୟ ପଟ୍ଟଚିତ୍ର ରେ ଦେଖିବାକୁ ମିଳିଥାଏ। ମାମୋନିଙ୍କ ଜେଜେ ବାପା-ମା’ ଓ ତାଙ୍କର ପୂର୍ବଜମାନଙ୍କ ସମେତ ପୂର୍ବ କାଳରେ ପଟ୍ଟଚିତ୍ର ଶୈଳୀର କାରିଗର ବା ପଟୁଆ ମାନେ ଗାଁ ଗାଁ ବୁଲି ପଟ୍ଟଚିତ୍ର ରେ ଅଙ୍କା ହୋଇଥିବା କାହାଣୀଗୁଡ଼ିକ ଉପରେ କାର୍ଯ୍ୟକ୍ରମ ପରିବେଷଣ କରୁଥିଲେ। ଏହା ବଦଳରେ ସେମାନଙ୍କୁ କିଛି ଟଙ୍କା କିମ୍ବା ଖାଦ୍ୟସାମଗ୍ରୀ ମିଳୁଥିଲା। ତେଣୁ ଏଭଳି କଳା ପରିବେଷଣ କରି ସେମାନେ ଜୀବନ ନିର୍ବାହ କରୁଥିଲେ।

‘‘ଏଗୁଡ଼ିକ ( ପଟ୍ଟଚିତ୍ର ) ବିକ୍ରି ପାଇଁ ପ୍ରସ୍ତୁତ ହେଉନଥିଲା,’’ ମାମୋନି କୁହନ୍ତି। ପଟ୍ଟଚିତ୍ର କେବଳ ଏକ ଚିତ୍ରକଳା ନଥିଲା ବରଂ ଦୃଶ୍ୟ ଓ ଶ୍ରାବ୍ୟ ମାଧ୍ୟମକୁ ଉପଯୋଗ କରି କାହାଣୀ କହିବାର ଏକ ଶୈଳୀ ଥିଲା।

ସମୟ ବିତିବା ସହିତ, ମାମୋନିଙ୍କ ଭଳି ପଟୁଆ ମାନେ ପଟ୍ଟଚିତ୍ର ଶୈଳୀର ପାରମ୍ପରିକ ଧାରାକୁ ସମକାଳୀନ ବିଷୟବସ୍ତୁ ସହିତ ମିଶାଇ ଦେଇଛନ୍ତି । ‘‘ମୁଁ ନୂଆ ବିଷୟବସ୍ତୁ ଓ ପ୍ରସଙ୍ଗକୁ ନେଇ କାମ କରିବାକୁ ଭଲ ପାଏ,’’ ସେ କୁହନ୍ତି। ‘‘ମୋର କିଛି କାମ ସୁନାମୀ ଭଳି ପ୍ରାକୃତିକ ବିପର୍ଯ୍ୟୟ ଉପରେ ଆଧାରିତ। ଲିଙ୍ଗ ନିର୍ଯାତନା ଓ ମାନବ ଚାଲାଣ ଭଳି ସାମାଜିକ ପ୍ରସଙ୍ଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ମଧ୍ୟ ମୁଁ ନିଜ କାମର ଉପଯୋଗ କରିଥାଏ।’’

PHOTO • Courtesy: Mamoni Chitrakar
PHOTO • Courtesy: Mamoni Chitrakar

ବାମ : ମାମୋନି ଡିସାପ୍ପିଅରିଂ ଡାଇଲଗ୍ସ କଲେକ୍ଟିଭ୍‌ ସଂଗଠନର ସଦସ୍ୟମାନଙ୍କ ସହିତ କଥା ହେଉଛନ୍ତି ଯାହାର ସହଭାଗିତାରେ ସେ ପୂର୍ବ କୋଲକାତାର ଆର୍ଦ୍ରଭୂମି ଉପରେ ପଟ୍ଟଚିତ୍ର ତିଆରି କରୁଛନ୍ତି। ଡାହାଣ : ବିଭିନ୍ନ ପ୍ରକାରର ପଟ୍ଟଚିତ୍ର ଫଳକ ଧାଡ଼ି ଧାଡ଼ି ହୋଇ ପ୍ରଦର୍ଶିତ ହୋଇଛି

PHOTO • Courtesy: Mamoni Chitrakar

ବିକ୍ରି ବଢ଼ାଇବା ପାଇଁ ମାମୋନି ସାମାଜିକ ଗଣମାଧ୍ୟମର ନିଜ କାମର ଫଟୋ ଶେୟାର କରିଥାନ୍ତି। ଏଠାରେ ପୂର୍ବ କୋଲକାତା ଆର୍ଦ୍ରଭୂମି ଉପରେ ତାଙ୍କର ପଟ୍ଟଚିତ୍ର ସହିତ ତାଙ୍କର ଫଟୋ ରହିଛି

ନିକଟରେ ସେ ପ୍ରସ୍ତୁତ କରିଥିବା ଚିତ୍ରକଳା କୋଭିଡ-୧୯ର ପ୍ରଭାବ, ଏହାର ଲକ୍ଷଣ ଏବଂ ସଂକ୍ରମଣ ସମ୍ପର୍କରେ ସଚେତନତା ସୃଷ୍ଟି କରିଥାଏ। ଅନ୍ୟ କିଛି କଳାକାରଙ୍କ ସହିତ, ମାମୋନି ଡାକ୍ତରଖାନା, ହାଟ ଓ ନୟା ନିକଟବର୍ତ୍ତୀ ଗାଁରେ ନିଜର ପଟ୍ଟଚିତ୍ର ଜରିଆରେ କଳା ପରିବେଷଣ କରିଥାନ୍ତି।

ନୟା ଗ୍ରାମରେ ପ୍ରତି ନଭେମ୍ବର ମାସରେ ପଟ୍ଟ-ମାୟା ନାମକ ଏକ ମେଳା ଆୟୋଜିତ ହୋଇଥାଏ। ‘‘ଏହା ଭାରତ ଓ ବିଦେଶରୁ ଆସୁଥିବା ପର୍ଯ୍ୟଟକ ଓ କଳାପ୍ରେମୀଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇଥାଏ ଏବଂ ସେମାନେ ଏଠାକୁ ଆସି ପଟ୍ଟଚିତ୍ର କିଣିଥାନ୍ତି,’’ ମାମୋନି କୁହନ୍ତି। ନୟା ଏବଂ ଏହାର ଆଖପାଖ ଅଞ୍ଚଳରେ ବିକ୍ରି ହେଉଥିବା ଟି-ସାର୍ଟ, ଫର୍ଣ୍ଣିଚର, ବାସନକୁସନ, ଶାଢ଼ୀ, ଅନ୍ୟାନ୍ୟ ପୋଷାକ ଓ ଘରକରଣା ସାମଗ୍ରୀରେ ପଟ୍ଟଚିତ୍ର ଶୈଳୀର ଚିତ୍ର ଦେଖିବାକୁ ମିଳିଥାଏ। ଏହା ପଟ୍ଟଚିତ୍ର କାରିଗରୀ ପ୍ରତି ଆଗ୍ରହ ବଢ଼ାଇବା ସହିତ କୋଭିଡ-୧୯ ମହାମାରୀ ସମୟରେ ବାଧାପ୍ରାପ୍ତ ହୋଇଥିବା ବିକ୍ରିରେ ସୁଧାର ଆଣିପାରିଛି। ମାମୋନି ଫେସବୁକ ଭଳି ସାମାଜିକ ଗଣମାଧ୍ୟମରେ ଫଟୋ ଶେୟାର କରିଥାନ୍ତି ଏବଂ ଏହା ବର୍ଷସାରା ତାଙ୍କର ବିକ୍ରି ବୃଦ୍ଧିରେ ସହାୟକ ହୋଇଥାଏ।

ମାମୋନି ନିଜର ଚିତ୍ରକଳାକୁ ନେଇ ଇଟାଲୀ, ବାହାରିନ, ଫ୍ରାନ୍ସ ଓ ଆମେରିକା ଭଳି ଦେଶ ଯାତ୍ରା କରିଛନ୍ତି। ‘‘ଆମେ ଆମ କଳା ଓ ସଙ୍ଗୀତ ଜରିଆରେ ଲୋକମାନଙ୍କ ନିକଟରେ ପହଞ୍ଚି ପାରିବୁ,’’ମାମୋନି କୁହନ୍ତି। ଏହି ହସ୍ତକଳା ଆଗକୁ ମଧ୍ୟ ଜାରି ରହିବ ବୋଲି ସେ ଆଶାବାଦୀ।

ବ୍ୟବଧାନ ଦୂର କରିବା, ମତବିନିମୟ ଆରମ୍ଭ କରିବା ଓ ନୂଆ ଅବଧାରଣା ସୃଷ୍ଟି କରିବା ଲାଗି କଳା ଓ ସଂସ୍କୃତିକୁ ଏକ ମାଧ୍ୟମ ଭାବେ ବ୍ୟବହାର କରି ଡିସାପ୍ପିଅରିଂ ଡାଇଲଗ୍ସ କଲେକ୍ଟିଭ (dD) ବିଭିନ୍ନ ସମୁଦାୟ ସହିତ ଓ ସେମାନଙ୍କ ମଧ୍ୟରେ କାର୍ଯ୍ୟ କରିଥାଏ।

ଇଣ୍ଡିଆ ଫାଉଣ୍ଡେସନ ଫର୍‌ ଦ ଆର୍ଟସର ଆର୍କାଇଭସ୍‌ ଏଣ୍ଡ ମ୍ୟୁଜିୟମ ପ୍ରୋଗ୍ରାମ ଅଧୀନରେ ଏବଂ ପିପୁଲ୍ସ ଆର୍କାଇଭ ଅଫ ରୁରଲ ଇଣ୍ଡିଆର ସହଯୋଗରେ କାର୍ଯ୍ୟକାରୀ ହେଉଥିବା ଜୋଲ୍‌-ଏ-ଭୂମିର୍‌ ଗୋଲ୍ପୋ ଓ କଥା/ଆର୍ଦ୍ରଭୂମିର କାହାଣୀ- ପ୍ରକଳ୍ପ ପାଇଁ ଏହି ସ୍ତମ୍ଭ ଲେଖାଯାଇଛି। ଏହା ଗେଟେ-ଇନଷ୍ଟିଚ୍ୟୁଟ୍‌/ମାକ୍ସ ମୁଲେର ଭବନ ନୂଆଦିଲ୍ଲୀର ଆଂଶିକ ସହାୟତାରେ ସମ୍ଭବ ହୋଇପାରିଛି।

ଅନୁବାଦ: ଓଡ଼ିଶାଲାଇଭ୍‍

Nobina Gupta

नबीना गुप्ता एक विजुअल आर्टिस्ट, शिक्षक और शोधकर्ता हैं, जो सामाजिक-स्थानिक वास्तविकताओं, जलवायु से जुड़ी आपात स्थितियों और व्यावहारिक बदलावों के बीच के संबंधों पर काम कर रही हैं. रचनात्मक पारिस्थितिकी पर केंद्रित काम करने की प्रक्रिया में उन्हें ‘डिसपियरिंग डायलॉग्स कलेक्टिव’ को शुरू करने की प्रेरणा मिली.

की अन्य स्टोरी Nobina Gupta
Saptarshi Mitra

सप्तर्षि मित्र, कोलकाता के एक आर्किटेक्ट और डेवलपमेंट प्रैक्टिशनर हैं, जो अंतरिक्ष, संस्कृति और समाज के परस्परच्छेद पर काम कर रहे हैं.

की अन्य स्टोरी Saptarshi Mitra
Editor : Dipanjali Singh

दीपांजलि सिंह, पीपल्स आर्काइव ऑफ़ रूरल इंडिया में सहायक संपादक हैं. वह पारी लाइब्रेरी के लिए दस्तावेज़ों का शोध करती हैं और उन्हें सहेजने का काम भी करती हैं.

की अन्य स्टोरी Dipanjali Singh
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE