କେନ୍ଦ୍ରୀୟ କାଶ୍ମୀରର ବଡଗାମ୍ ଜିଲ୍ଲାର ଜୁଗୋ-ଖାରିଏନର ବାସିନ୍ଦା ୨୧ ବର୍ଷୀୟ ୱାଜିଦ୍ ଅହମ୍ମଦ ଅହଙ୍ଗର ଚଳିତବର୍ଷ ଅଗଷ୍ଟ ୧୧ ତାରିଖରେ ତୋସାମୈଦାନରେ ଅନୁଷ୍ଠିତ ହେବାକୁ ଥିବା ଏକ ନିଆରା ୩ ଦିନିଆ ଉତ୍ସବରେ ଯୋଗ ଦେବାକୁ ଅନ୍ୟ ଯୁବକଙ୍କ ସହ ବାହାରିଗଲେ । କିନ୍ତୁ ଏହି ସୁନ୍ଦର ଘାସ ମୈଦାନରେ ଘାସ ମଧ୍ୟରେ ପଡ଼ିଥିବା ଏକ ଅଫୁଟା ମୋର୍ଟାର ସେଲ ହଠାତ୍ ବିସ୍ଫୋରିତ ହେଲା । ତାଙ୍କ ବାପା ସ୍ଥାନୀୟ ମିଡିଆକୁ କହିଥିଲେ ଯେ, ୱାଜିଦ୍ ନିଜ ଘରୁ ନୂଆ ପୋଷାକ ପିନ୍ଧି “ଜଣେ ରାଜାପୁଅ ଘୋଡା ଚଳାଇବା ଭଳି’’ ବାହାରି ଯାଇଥିଲେ । କିନ୍ତୁ ଘରକୁ ତାଙ୍କର ମୃତଦେହ ଆସିଲା । ଅନ୍ୟ ୩ ଜଣ ଏହି ଘଟଣାରେ ଗୁରୁତର ଭାବେ ଆହତ ହେଲେ ।

ଉତ୍ସବସ୍ଥଳ ଶୋକ ସ୍ଥଳରେ ପରିଣତ ହେଲା ।  ଅତୀତ କିଭଳି କାଶ୍ମୀରର ପିଛା ଛାଡୁନାହିଁ ଏହା ଆଉ ଏକ ଉଦାହରଣ ଥିଲା ।

ବର୍ଷକ ପୂର୍ବରୁ ସେହି ଅଗଷ୍ଟ ମାସରେ ବଡଗାମ୍ ଜିଲ୍ଲାର ଖାଗ୍ ବ୍ଲକର ଶୁଙ୍ଗଲିପୋରା ଗାଁର ମହମ୍ମଦ ଆକ୍ରମ ଶେଖ୍ ସେହି ଉତ୍ସବ ବା ଜଶନ୍-ଇ-ତୋସାର ଗୁରୁତ୍ୱ ସଂପର୍କରେ ମୋ ସହିତ କଥା ହୋଇଥିଲେ । ୨୦୧୫ ମସିହାରୁ ସେହି ସୁନ୍ଦର ଘାସ ମୈଦାନ ସହିତ ଉତ୍ସବର ସଂପର୍କ ରହିଆସିଛି । ଜମ୍ମୁ-କାଶ୍ମୀର ସରକାର ମଧ୍ୟ ଜଶନ୍କୁ ପର୍ଯ୍ୟଟକଙ୍କ ଉତ୍ସବ ଭାବେ ପ୍ରୋତ୍ସାହିତ କରିଥାନ୍ତି ।

ସେ ବୁଝାଇଥିଲେ ଯେ, ସେହି ଉତ୍ସବ ସଂପ୍ରଦାୟକୁ ଖୋଲା ପଡ଼ିଆଟି ପୁଣି ମିଳିବାର ଖୁସିରେ ପାଳନ କରାଯାଉଛି । ପ୍ରାୟ ୫୦ ବର୍ଷ ଧରି ସେନା ସେହି ମୈଦାନକୁ ଅକ୍ତିଆର କରି ରଖିଥିଲା । ତାକୁ ଫାୟାରିଂ ରେଞ୍ଜ ଭାବେ ବ୍ୟବହାର କରାଯାଉଥିଲା । ଦୀର୍ଘ ଦିନ ଧରି ସଂଘର୍ଷ ଚାଲିବା ପରେ ୨୦୧୪ରେ ସେନା ତାକୁ ଖାଲି କରିଥିଲା ।

ବିନା ମୃତ୍ୟୁର ଭୟ, ଆହତ ହେବାର ଆଶଙ୍କା ବା  ଧମକ ବିନା  ଏତେତେଣେ ବୁଲିବା ଲାଗି ସେମାନଙ୍କର ସ୍ୱାଧୀନତାକୁ ଗ୍ରାମବାସୀ ପାଳନ କଲେ । ପଶୁଚରାଳୀ ସଂପ୍ରଦାୟ ହୋଇଥିବାରୁ ସେମାନେ ଜୀବିକା ପାଇଁ ସେମାନଙ୍କର ବେଉସାକୁ ପୁଣି ଅଭ୍ୟାସ କଲେ । ସେହି ସୁନ୍ଦର ଘାସ ମୈଦାନକୁ ସେନା ଖାଲି କରିବାକୁ ସେ ଆଶ୍ୱସ୍ତିର ସଙ୍କେତ ଭାବେ ବର୍ଣ୍ଣନା କରିଥିଲେ ।

କିନ୍ତୁ ଅଗଷ୍ଟ ୨୦୧୮ର ଘଟଣା ଏହି ସ୍ୱାଧୀନତା କେତେ ଭୟଙ୍କର  ହୋଇପାରେ, ସାମରିକୀକରଣ କିଭଳି ସୁନ୍ଦର ଘାସ ମୈଦାନର ରୂପ ବଦଳାଇ ଦେଇପାରେ, ସେହି ଜମି ଉପରେ ସଂପୂର୍ଣ୍ଣ ଭାବେ ନିର୍ଭରଶୀଳ ଲୋକଙ୍କର ଜୀବନ ଓ ଜୀବିକାକୁ ଏହା କିଭଳି ସଂପୂର୍ଣ୍ଣ ରୂପେ ପ୍ରଭାବିତ କରିପାରେ ତାହା ଦର୍ଶାଇଲା ।

PHOTO • Freny Manecksha

ଶୁଙ୍ଗୁଲିପୋରାର ମହମ୍ମଦ ଆକ୍ରମ ଶେଖ୍(ବାମ) ଘାସ ମୈଦାନରେ ଗୁଳିମାଡ଼ ଯୋଗୁଁ ତାଙ୍କର ଜଣେ ଭାଇଙ୍କୁ ହରାଇଛନ୍ତି, ପରେ ହୋଇଥିବା ଏକ ବିସ୍ଫୋରଣରେ ତାଙ୍କର ଗୋଡ଼ ଆଘାତପ୍ରାପ୍ତ ହୋଇଛି ।

ତୋସା ମୈଦାନ ସମୁଦ୍ରପତ୍ତନଠାରୁ ପ୍ରାୟ ୧୦ ହଜାର ଫୁଟ ଉପରେ ଅବସ୍ଥିତ ଆଲପାଇନ୍ ଘାସର ଏକ ସୁନ୍ଦର ମୈଦାନ, ପୀରପଞ୍ଜଲ ପାହାଡ଼ ଏହାକୁ ଲାଗି ରହିଥିବାବେଳେ ଚାରିପଟେ ଘନ ଜଙ୍ଗଲ ରହିଛି । ଦୀର୍ଘଦିନ ଧରି ଖରାମାସଗୁଡ଼ିକରେ ଗୁଜ୍ଜର, ବକରୱାଲ ଏବଂ ଚୋପାନଙ୍କ ଭଳି ଯାଯାବର ଏବଂ ପଶୁଚରାଳୀ ସଂପ୍ରଦାୟ ଦ୍ୱାରା ଏହାକୁ ଚାରଣଭୂମି ଭାବେ ବ୍ୟବହାର କରାଯାଉଥିଲା । ଲୋକକଥା ଅନୁସାରେ ଏପରିକି ମୋଗଲମାନେ ପୁଞ୍ଚ ଉପତ୍ୟକାକୁ ଯିବା ପାଇଁ ଏହି ଘାସ ମୈଦାନକୁ ୧୩ ହଜାର ଫୁଟ ଉପରେ ଥିବା ବାସମାଇ ଗଲି ପାସ୍ ଦେଇ ଅତିକ୍ରମ କରୁଥିଲେ ।

୧୯୬୪ ମସିହାରେ ଜମ୍ମୁ-କାଶ୍ମୀର ସରକାର ଏକ ଲିଜରେ ଦସ୍ତଖତ କଲେ । ସେଥିରେ ସେନାକୁ ଏହି ୬୯ କିମି ଯାଏ ପରିବ୍ୟାପ୍ତ ଘାସ ମୈଦାନକୁ ଫାୟାରିଂ ରେଞ୍ଜ ଏବଂ ଅସ୍ତ୍ରଶସ୍ତ୍ର ଡ୍ରିଲ ପାଇଁ ବ୍ୟବହାର କରିବା ଲାଗି ଅନୁମତି ଦିଆଯାଇଥିଲା । ଏହାଦ୍ୱାରା ଲୋକମାନେ ଓ ପରିବେଶ କିଭଳି କ୍ଷତିଗ୍ରସ୍ତ ହେବ ତାକୁ ଉପେକ୍ଷା କରାଗଲା ।

ମାର୍ଚ୍ଚ-ଏପ୍ରିଲ ମାସରେ ବର୍ଷସାରାର ବରଫ ତରଳିବା ପରେ ବସନ୍ତର ଆଗମନର ସୂଚନା ଆସେ । ଏହା ସହ ପଶୁଚରାଳୀ ସଂପ୍ରଦାୟର ଲୋକମାନେ ଘାସ ମୈଦାନ ଆଡକୁ ବଢିବା  ଏବଂ ବର୍ଷକ ପାଇଁ ସେନାର ଅସ୍ତ୍ରଶସ୍ତ୍ର ଅଭ୍ୟାସ ଆରମ୍ଭ ହୁଏ । ଅଭ୍ୟାସ ସମୟରେ ରକେଟ୍ ଲଞ୍ଚର, ଗ୍ରେନେଡ୍, ମୋର୍ଟାର ବନ୍ଧୁକକୁ ଗୋଟିଏ ପାହାଡ଼ ସ୍ଲୋପରୁ ଅନ୍ୟ ପାହାଡ଼କୁ ଗୁଳିମାଡ଼ ପାଇଁ ବ୍ୟବହାର କରାଯାଇଥାଏ । ଏହାଦ୍ୱାରା ଘାସ ମୈଦାନରେ ଶହ ଶହ ଅଫୁଟା ବିସ୍ଫୋରକ ସାମଗ୍ରୀ ପଡ଼ିରହିଛି ।

ଖାଗ୍ ବ୍ଲକରେ ଥିବା ଆଉ ଏକ ସୁନ୍ଦର ଗାଁ ସୀତାହରଣ ଯାହାକି ପାହାଡ଼ ସ୍ଲୋପ ଏବଂ ଘାସ ମୈଦାନ ନିକଟରେ ରହିଛି ସେଠାରେ ଲୋକମାନେ ସେମାନଙ୍କ ସଂପ୍ରଦାୟର ଲୋକ କିଭଳି ରାଜ୍ୟ ସରକାରଙ୍କ ସିଦ୍ଧାନ୍ତ ଦ୍ୱାରା ପ୍ରଭାବିତ ହେଲେ  ସେ ସଂପର୍କରେ ଅନେକ କଥା କହନ୍ତି । ସରପଞ୍ଚ ଗୁଲାମ ମହିଦ୍ଦୁନ୍ ଶେଖ୍ ଯାହାଙ୍କର ପତ୍ନୀ ମୈଦାନରେ ସେମାନଙ୍କର ଢୋକ(ମାଟି ଓ କାଠ ଘରେ ଥିଲେ)ସେ  ମୋତେ ମଧ୍ୟାହ୍ନଭୋଜନ ସମୟରେ କହିଲେ ଯେ କିଭଳି ସେ ଓ ଅନ୍ୟ ଗ୍ରାମବାସୀମାନେ ମୃତ୍ୟୁ ଓ ସେମାନଙ୍କର ଗତିବିଧି ଉପରେ କଟକଣା ଲଗାଯାଇଥିବା ମଧ୍ୟରେ ବଡ଼ ହୋଇଥିଲେ । “ଗୃହପାଳିତ ପଶୁଙ୍କୁ ଚରାଇବାକୁ ନେବା ସମୟରେ କିମ୍ବା ଆମର ମହିଳାମାନେ ଜାଳେଣୀ ସଂଗ୍ରହ କରୁଥିବାବେଳେ ଆମକୁ ସେନା ପକ୍ଷରୁ ଅଟକାଯିବା ସହିତ ଯାଞ୍ଚ କରାଯାଏ, ଯଦିଓ ଆମେ ବାହାରର ଲୋକ ନୁହଁ ।’’

ସେ କହିଲେ ଯେ, ଘାସ ମୈଦାନ ଉପରେ ଜୀବିକା ପାଇଁ ସଂପୂର୍ଣ୍ଣ ଭାବେ ନିର୍ଭର କରୁଥିବା ଲୋକେ ଲକ୍ଷ୍ୟଚ୍ୟୁତ ହେଉଥିବା  ଗୁଳିମାଡ଼ ଯୋଗୁଁ ମୃତ୍ୟୁବରଣ କଲେ । ଅନ୍ୟ ସମୟରେ ସେମାନେ ଅଫୁଟା ବିସ୍ଫୋରକର ସଂସ୍ପର୍ଶରେ ଆସି ଜଳିଗଲେ କିମ୍ବା ପଙ୍ଗୁ ହୋଇଗଲେ । ଜଣେ କାଠହଣାଳୀ ତାଙ୍କର ହାତ ହରାଇଲେ କାରଣ ତାଙ୍କର କୁରାଢୀ କାଠ ହାଣୁଥିବା ସମୟରେ ଏକ ମୋର୍ଟାର ସେଲରେ ବାଜିଯାଇଥିଲା । ଆଉ ଜଣେ ଗୁଳ୍ମ ଖୋଳିବା ପାଇଁ ଉଦ୍ୟମ କରୁଥିବା ସମୟରେ ତାଙ୍କର ଆଙ୍ଗୁଳି ନଷ୍ଟ ହୋଇଗଲା ।

ଗୁଳିମାଡ଼ ଯୋଗୁଁ ବହୁ ସଂଖ୍ୟାରେ ଗୃହପାଳିତ ପଶୁଙ୍କର ମଧ୍ୟ ପ୍ରାଣହାନି ହେଲା । ଜଣେ ମେଷପାଳକ କିଭଳି ତାଙ୍କର ୬୦ଟି ମେଣ୍ଢା ବିସ୍ଫୋରଣରେ ଜଳିଯିବାର ଦେଖିଥିଲେ ତାହା ଶେଖ୍ ମନେ ପକାଇଲେ । ସେ ଆହୁରି କହିଲେ ଯେ, “ଆମ ଗାଁରେ କେବଳ ୪ଜଣଙ୍କର ମୃତ୍ୟୁ ଘଟିଛି । ଦୁଇଜଣ ମହିଳାଙ୍କର ମୃତଦେହକୁ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା । ବୋଧହୁଏ ସେମାନେ ଅଫୁଟା ମୋର୍ଟାର ସେଲର ସଂସ୍ପର୍ଶରେ ଆସିଯାଇଥିଲେ । ସେହିପରି ୨ ଜଣ ଯୁବକଙ୍କର ଗୁଳିମାଡ଼ ଅଭ୍ୟାସ ସମୟରେ ପ୍ରାଣହାନି ଘଟିଥିଲା ।’’
PHOTO • Freny Manecksha

ସୀତା ହରଣ ଗାଁରେ ସେନାକୁ ଫାୟାରିଂ ରେଞ୍ଜ ଭାବେ ଜମି ଦିଆଯିବା ପରେ ପଶୁଚରାଳୀ ସଂପ୍ରଦାୟର ଲୋକମାନଙ୍କର ଜୀବିକା ଓ ଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି ।

ସୂଚନା ଅଧିକାର ଆଇନ ଅନୁସାରେ ମିଳିଥିବା ତଥ୍ୟ ଅନୁସାରେ ତୋସାମୈଦାନରେ ଏପର୍ଯ୍ୟନ୍ତ ଅତି କମରେ ୬୮ ଜଣ ଲୋକଙ୍କର ଜୀବନହାନି ହୋଇଛି ଏବଂ ୪୩ ଜଣ ଭିନ୍ନକ୍ଷମ ହୋଇଯାଇଛନ୍ତି । ସବୁଠୁ ଅଧିକ ମୃତ୍ୟୁ ୪୮୦୦ ଜନସଂଖ୍ୟା ବିଶିଷ୍ଟ ଶୁଙ୍ଗୁଲିପୋରା ଗାଁରେ ହୋଇଛି । ସେଠାରେ ପ୍ରାୟ ୩୭ ଜଣ ଏଥିଯୋଗୁଁ ପ୍ରାଣ ହରାଇଛନ୍ତି ।

ସେମାନଙ୍କ ମଧ୍ୟରେ ପିଲାମାନେ ବି ଅଛନ୍ତି । ୨୦୧୪ ମସିହା ମେ ୧୯ ତାରିଖରେ ୭ ବର୍ଷୀୟ ସିମରନ୍ ପାରେ ଘରକୁ ଖୁବ୍ ଆଗ୍ରହର ସହ ଫେରିଲେ ଏବଂ ଘାସ ମୈଦାନରୁ ପାଇଥିବା ଏକ ବ୍ୟାଗ୍ ସହିତ ଖେଳିବା ଆରମ୍ଭ କଲେ । ସେଥିରେ ଅଫୁଟା ମୋର୍ଟାର ସେଲ ଥିଲା । ତାହା ବିସ୍ଫୋରଣ ହେବାରୁ ତାଙ୍କର ଶରୀର ଖଣ୍ଡଖଣ୍ଡ ହୋଇଗଲା ଏବଂ ତାଙ୍କର ୫ ବର୍ଷୀୟ ଭାଇ ଫୟାଜ ତାଙ୍କର ଗୋଡ଼ ହରାଇଲେ ।

ପେସାରେ ବଢେଇ ହୋଇଥିବା ମହମ୍ମଦ ଆକ୍ରମ ଶେଖ୍ ଯିଏକି ଶୁଙ୍ଗୁଲିପୋରାର ପୂର୍ବତନ ସରପଞ୍ଚ ଏବଂ ତୋସାମୈଦାନ ବଚାଓ ଫ୍ରଣ୍ଟ, ଫାୟାରିଂ ରେଞ୍ଜକୁ ବିରୋଧ କରିବା ଲାଗି ଆରମ୍ଭ ହୋଇଥିବା ଅଭିଯାନର  ଉପସଭାପତି ଥିଲେ ସେ ମୋତେ ତାଙ୍କ ନିଜର ଦୁଃଖଭରା କାହାଣୀ କହିଲେ । “ମୁଁ ସେତେବେଳେ ଖୁବ୍ ଛୋଟ ପିଲା ଥିଲି ଯେତେବେଳେ ମୁଁ ମୋର ବଡ଼ ଭାଇ ଅବଦୁଲ କରିମଙ୍କୁ ୧୯୯୦ ମସିହାରେ ହରାଇଲି । ସେତେବେଳେ ତାଙ୍କୁ ମାତ୍ର ୨୩ ବର୍ଷ ହୋଇଥିଲା ଏବଂ ତାଙ୍କର ନିର୍ବନ୍ଧ ନିକଟରେ ହୋଇଥିଲା । ସେତେବେଳେ ଖରାଛୁଟି ଥିବାରୁ ମୁଁ ତୋସାମୈଦାନରେ ଥିଲି । ସେ ମୋତେ ମୋର ସ୍କୁଲ ବହି ଆଣି ଦେଲେ ଏବଂ ପଶୁମାନଙ୍କୁ ଚରାଇବାକୁ ଯାଇଥିଲେ ।

ଅଚାନକ ଗୁଳିମାଡ଼ ହେବାରୁ କରିମ ଘଟଣାସ୍ଥଳରେ ହିଁ ଟଳିପଡ଼ିଲେ । କରିମଙ୍କ ମୃତ୍ୟୁ ଏକ ଫାୟାରିଂ ରେଞ୍ଜରେ ହୋଇଥିବାରୁ ଖାଗ୍ ପୁଲିସ ଷ୍ଟେସନ୍ ପକ୍ଷରୁ ଏତଲା ରୁଜୁ କରିବା ଲାଗି ମନା କରାଗଲା । “ଆମେ ହେଉଛୁ ପୀଡ଼ିତ । ଆମ ପରିବାରର ଜଣେ ସଦସ୍ୟଙ୍କର ମୃତ୍ୟୁ ହେଲା କିନ୍ତୁ ଆମ ପାଖରେ ଏହି ମୃତ୍ୟୁକୁ ପ୍ରଶ୍ନ କରିବାକୁ ଅଧିକାର ନଥିଲା । ଆମ ଉପରେ ଏଭଳି ଚାପ ପକାଯାଇଥିଲା(ପୁଲିସ ଓ ସେନା ପକ୍ଷରୁ) ।’’

୨୦୦୩ ମସିହା ଜୁଲାଇ ମାସ ୧୫ ତାରିଖରେ ବର୍ତ୍ତମାନ ପ୍ରାୟ ୪୦ ବର୍ଷର ହୋଇଥିବା ମହମ୍ମଦ ଆକ୍ରମ ନିଜେ ଆଘାତପ୍ରାପ୍ତ ହେଲେ । ତାଙ୍କ ଆଣ୍ଠୁ ତଳକୁ ହୋଇଥିବା ଏକ ବଡ଼ କ୍ଷତଚିହ୍ନ ଦେଖାଇବା ଲାଗି ସେ ଟ୍ରାଉଜରକୁ ଉପରକୁ ଉଠାଇଲେ ।  ‘‘ସେତେବେଳେ ନୂଆକରି ମୋର ବିବାହ ହୋଇଥିଲା ଏବଂ ମୁଁ ଘାସ ଉଦ୍ୟାନକୁ ଯାଇଥିଲି । ଜଣେ ହେଡମାଷ୍ଟର ଓ ଅନ୍ୟମାନେ ଆମକୁ ଦେଖିବାକୁ ଆସିଥିଲେ । ଆମେ ଚା’ ପିଉଥିବାବେଳେ କୌଣସି ସୂଚନା ନ ଦେଇ ମାଗାମର  ଇଣ୍ଡୋ-ତିବ୍ଦତାନ୍ ବର୍ଡର ପୁଲିସ କ୍ୟାମ୍ପର କିଛି ସୈନିକ ଗୁଳିମାଡ଼ର ଅଭ୍ୟାସ ଆରମ୍ଭ କରିଦେଲେ । ସେଥିମଧ୍ୟରୁ ଗୋଟିଏ ସେଲ ଆମ ପାଖରେ ବିସ୍ଫୋରିତ ହେଲା... । ’’ ମହମ୍ମଦ ଆକ୍ରମ ଭାଗ୍ୟଶାଳୀ ଥିଲେ କାରଣ ତାଙ୍କୁ ସମୟ ଥାଉ ଥାଉ ଉପଯୁକ୍ତ ଚିକିତ୍ସା ମିଳିଗଲା ନହେଲେ ତାଙ୍କ ଗୋଡ଼ ପଙ୍ଗୁ ହୋଇଯାଇଥାନ୍ତା ।

PHOTO • Tosamaidan Bachav Front
PHOTO • Tosamaidan Bachav Front

ଜମ୍ମୁ-କାଶ୍ମୀର ବାର କାଉନସିଲ, ବଣିକ ସଂଘ ଏବଂ ଅନ୍ୟମାନେ ସମର୍ଥନ କରିବା ଯୋଗୁଁ ଆଲପାଇନ୍ ଘାସଯୁକ୍ତ ଉଦ୍ୟାନରେ ଫାୟାରିଂ ରେଞ୍ଜ ପ୍ରତିଷ୍ଠା ବିରୋଧରେ ଲୋକମାନଙ୍କର ଲଢେଇ ତୀବ୍ରତର ହେଲା । ଫାୟାରିଂ ରେଞ୍ଜ ଦ୍ୱାରା ପ୍ରଭାବିତ ହୋଇଥିବା ନିକଟବର୍ତ୍ତୀ ଗାଁର ମହିଳାମାନେ ମଧ୍ୟ ତୋସାମୈଦାନ ବଚାଓ ଫ୍ରଣ୍ଟ ମାଧ୍ୟମରେ ସେମାନଙ୍କର ଘାସ ଉଦ୍ୟାନରେ ଶାନ୍ତି ପ୍ରତିଷ୍ଠା ପାଇଁ କାମ କଲେ ।

ଶୁଙ୍ଗୁଲିପୋରାର ଜଣେ ପଶୁପାଳକ ଗୁଲାମ ଅହମ୍ମଦ ମୋତେ କହିଲେ ଯେ, ହତ୍ୟା ଓ  ପଙ୍ଗୁ ହୋଇଯିବା ଛଡ଼ା ପିଲାମାନେ ଓ ବୟସ୍କ ଲୋକମାନେ ଏହି ଡ୍ରିଲ ସମୟରେ ଗୁରୁତର ଭାବେ ଆହତ ହେଉଥିଲେ । “ତାଲିମ(ଶିକ୍ଷା) ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହେଉଥିଲା । ସ୍କୁଲ ସମୟ ଫାୟାରିଂ ସମୟ ସହିତ ମେଳ ଖାଉଥିଲା । ବୁମ୍ ବୁମ୍ ବୁମ... ବନ୍ଧୁକ ଗର୍ଜୁଥାଏ ଏବଂ ସକାଳ ୧୦ଟାରୁ ୪ଟା ସେଥିରୁ ସେଲଗୁଡ଼ିକ ବାହାରୁଥାଏ । ବ୍ୟାପକ ଭାବେ ମୋର୍ଟାର ମାଡ଼ କରାଯିବା ଯୋଗୁଁ ସ୍କୁଲ ବିଲ୍ଡିଂ ଦୋହଲିଯାଏ । ପିଲାମାନେ ଭୟରେ ଶିହିରି ଉଠନ୍ତି । ସେମାନଙ୍କ ମଧ୍ୟରୁ କିଛି ଶ୍ରବଣଶକ୍ତି ହରାଇଛନ୍ତି । ଏକଦା ଗୋଟିଏ ସେଲ ତାର ଲକ୍ଷ୍ୟଭେଦ କରିପାରିଲା ନାହିଁ ଏବଂ ଚିଲ-ବ୍ରାସ ନିକଟରେ ଥିବା ସ୍କୁଲ ବିଲ୍ଡିଂ ପାଖରେ ପଡ଼ିଲା । ଦ୍ରାଙ୍ଗ, ଖାଗ, ସୀତା ହରଣ ପରି ଗାଁରେ ଘରଗୁଡ଼ିକରେ ଏହି ଗୁଳିମାଡ଼ ଯୋଗୁଁ ଫାଟ ସୃଷ୍ଟି ହୋଇଛି ନ ହେଲେ ଝରକା ଭାଙ୍ଗିଯାଇଛି ।

ଏହାଯୋଗୁଁ ପରିବେଶର ମଧ୍ୟ ବ୍ୟାପକ କ୍ଷତି ହୋଇଛି । ପ୍ରବଳ ବର୍ଷା ସମୟରେ ବା ବରଫ ତରଳିବା ସମୟରେ ସେଲଗୁଡ଼ିକ ସେଥିରେ ବୋହିଯାଇ ନଳା ବା ଝରଣାରେ ମିଶିଥାଏ ଯାହାକି ବଡଗାମ ଜିଲ୍ଲାରେ ପାଣିର ପ୍ରାଥମିକ ଉତ୍ସ । ଏହି ସେଲ ଭାସି ଲାଗିବା ଯୋଗୁଁ ବୁଦାଗୁଡ଼ିକରେ ନିଆଁ ଲାଗିଯାଏ ଏବଂ ଚାଷଜମି ମଧ୍ୟରେ ବିରାଟ ବିରାଟ ଗାତ ହୋଇଯାଏ ।

ଗୁଲାମ ଅହମ୍ମଦ ଆଉ ଏକ କ୍ଷତି ସଂପର୍କରେ କହିଲେ ଯାହାକୁ କି ସେ ବିସ୍ଫୋରକରେ ଥିବା ରାସାୟନିକର ଗୁଣ ବୋଲି ଦର୍ଶାଇଲେ । “ଉପତ୍ୟକାରେ ପୂର୍ବରୁ ବିଭିନ୍ନ ପ୍ରକାର ପକ୍ଷୀ ପ୍ରଜାତି ଯେପରିକି ବଗୁଲୀ, ଜଙ୍ଗଲୀ ପକ୍ଷୀ, ହଂସ ପ୍ରଭୃତି ଦେଖାଯାଉଥିଲେ-କିନ୍ତୁ ସେଗୁଡ଼ିକ ପରିବେଶକୁ କ୍ଷତି ପହଞ୍ଚିବା ଯୋଗୁଁ ନିଶ୍ଚିହ୍ନ ହୋଇଯାଇଛନ୍ତି । ଅନେକ ପ୍ରକାର ଔଷଧୀୟ ଗୁଳ୍ମଲତା ମଧ୍ୟ ଉଭାନ୍ ହୋଇଯାଇଛି ।’’

ଦୀର୍ଘ ବର୍ଷ ଧରି ଗ୍ରାମବାସୀମାନେ ଏହି ହତ୍ୟାକୁ ଏକ ଅନିବାର୍ଯ୍ୟ ସମସ୍ୟା ଭାବେ ଗ୍ରହଣ କରିଆସୁଥିଲେ ଏବଂ ବିଶ୍ୱର ଅନ୍ୟ ଭାଗରେ ଲୋକମାନେ ସେମାନଙ୍କର ଦୁଃଖ ପ୍ରତି ସମବେଦନା ପ୍ରକାଶ କରୁଥିଲେ । ସେମାନେ ଏକ ଫାୟାରିଂ ରେଞ୍ଜ ଯୋଗୁଁ ଗୃହପାଳିତ ପଶୁ ଏବଂ ଫସଲକୁ ହେଉଥିବା  କ୍ଷତି ପାଇଁ କ୍ଷତିପୂରଣ ଦାବି କରିପାରିବେ କି ନାହିଁ ସେ ନେଇ ମଧ୍ୟ ଅସ୍ପଷ୍ଟତା ଥିଲା । ଖୁବ୍ କୌଶଳକ୍ରମେ ପ୍ରଣୟନ ହୋଇଥିବା ଫିଲ୍ଡ ଫାୟାରିଂ ଆଣ୍ଡ ଆର୍ଟିଲାରୀ ପ୍ରାକ୍ଟିସ୍ ଆକ୍ଟ ଅଫ୍ ୧୯୩୮ରେ ଏଥିପାଇଁ କୌଣସି ପ୍ରକାର ଗାଇଡଲାଇନ୍ ନଥିଲା । ଅର୍ଥାତ୍ ବହୁ ବର୍ଷ ଧରି ଏ ସଂପର୍କରେ ନା ଏତଲା ରୁଜୁ ହୋଇଥିଲା ନା କ୍ଷତିପୂରଣ ପାଇଁ ପଦକ୍ଷେପ ନିଆଯାଇଥିଲା ।

ତେବେ ୨୦୧୩ରେ ଗ୍ରାମବାସୀ ଏକତ୍ରିତ ହୋଇ ତୋସାମୈଦାନ ବଚାଓ ଫ୍ରଣ୍ଟ ଗଠନ କରି ସାମୁହିକ ଭାବେ ଏହା ବିରୋଧରେ ଲଢିବାକୁ ସ୍ଥିର କଲେ।  ଏହି ଅଭିଯାନକୁ ପେସାରେ ଜଣେ ଡାକ୍ତର ହୋଇଥିବା ଗୁଲାମ ରସୁଲ ଶେଖ୍ ଆରମ୍ଭ କଲେ । ମୁଁ ଶ୍ରୀନଗରରେ ତାଙ୍କୁ ଭେଟିଥିଲି ସେଠାରେ ସେ ମୋତେ କହିଲେ ଯେ ଜଣେ ଯୁବକ ଭାବେ ସେ ଏହି ଅଞ୍ଚଳରେ ଟ୍ରେକିଂ କରୁଥିବାବେଳେ ବଡଗାମରେ ଏକ ଫାୟାରିଂ ରେଞ୍ଜର ଉପସ୍ଥିତି ସଂପର୍କରେ ପ୍ରଥମେ ଜାଣିବାକୁ ପାଇଲେ । “ମୁଁ ଦେଖିଲି ଅନେକ ଗଛ ଭାଙ୍ଗି ପଡ଼ିଛି ଏବଂ ଲୋକମାନଙ୍କୁ ସେଗୁଡ଼ିକୁ କାଟିବା ବନ୍ଦ କରି ପରିବେଶ ଭିତ୍ତିକ ପର୍ଯ୍ୟଟନ ବ୍ୟବସ୍ଥା ଆରମ୍ଭ କରିବାକୁ କହିଲି । ମୁଁ ଜାଣି ଖୁବ୍ ଦୁଃଖିତ ହେଲି ଯେ ଏହି ଅଦ୍ୱିତୀୟ ସୌନ୍ଦର୍ଯ୍ୟର ଗନ୍ତାଘରରେ ଫାୟାରିଂ ରେଞ୍ଜ ଥିବା ଯୋଗୁଁ ସେ ସଂପର୍କରେ କେହି ପ୍ରଶ୍ନ ପଚାରିପାରିବେ ନାହିଁ ।’’

PHOTO • Tosamaidan Bachav Front
PHOTO • Tosamaidan Bachav Front

ଅଧିକାଂଶ ମହିଳା ଯେଉଁମାନେ  କି ବିଧବା ଥିଲେ , ଲକ୍ଷ୍ୟଚ୍ୟୁତ ଗୁଳି କିମ୍ବା ଅଫୁଟା ବିସ୍ଫୋରକ ଯୋଗୁଁ ସେମାନଙ୍କର ସ୍ୱାମୀମାନଙ୍କର ମୃତ୍ୟୁ ହୋଇଥିଲା, ସେମାନେ ଖୁବ୍ କଷ୍ଟକର ଜୀବନ ବଞ୍ଚୁଥିଲେ, କିନ୍ତୁ  ସେମାନେ ସଂଘର୍ଷରେ ସାମିଲ ହେଲେ ।

ପରବର୍ତ୍ତୀ ସମୟରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବାରେ ଜଣେ ସରକାରୀ ଡାକ୍ତର ଭାବେ ଯୋଗଦେଇ ଡାକ୍ତର ରସୁଲ ଏହା ଜାଣି ଅତ୍ୟନ୍ତ ଦୁଃଖିତ ହେଲେ ଯେ ଶୁଙ୍ଗୁଲିପୋରାରେ ଅନେକ ବିଧବାଙ୍କର ସ୍ୱାମୀମାନେ ଫାୟାରିଂ ରେଞ୍ଜ ଯୋଗୁଁ ମୃତ୍ୟୁବରଣ କରିଥିଲେ । ସେ ଗୋଟିଏ ପରିବାରକୁ ଭେଟିଲେ ଯାହାର ୩ ଜଣ ପୁରୁଷ ସଦସ୍ୟ କିଛି ବର୍ଷ ମଧ୍ୟରେ ଫାୟାରିଂ ରେଞ୍ଜ ଯୋଗୁଁ ନିହତ ହୋଇଥିଲେ। ଏହି ଘଟଣା ତାଙ୍କୁ ଗୁରୁତର ଭାବେ ପ୍ରଭାବିତ କଲା ।

ଡାକ୍ତର ରସୁଲ ଯିଏକି କାଶ୍ମୀରରେ ସୂଚନା ଅଧିକାର ଆଇନର ବିନ୍ଧାଣି ଥିଲେ ସେତେବେଳେ  ସିଏ ଆରଟିଆଇ ନେଟୱର୍କକୁ ବ୍ୟବହାର କରି ୧୯୬୯ ମସିହାରୁ ଫାୟାରିଂ ରେଞ୍ଜର ପ୍ରଭାବ ସଂପର୍କରେ ତଥ୍ୟ ମାଗିଲେ । ଆବେଦନରେ ସେ ଏହାଯୋଗୁଁ କେତେ ମୃତ୍ୟୁ ହୋଇଛି, କେତେଜଣ ଭିନ୍ନକ୍ଷମ ହୋଇଛନ୍ତି ଏବଂ ସେନାକୁ ଦିଆଯାଇଥିବା ଜମିର ସବିଶେଷ ବିବରଣୀ ସଂପର୍କରେ ତଥ୍ୟ ମାଗିଲେ ।

ସେନା ଓ ରାଜ୍ୟ ସରକାରଙ୍କୁ ଭୟ କରି ଲୋକମାନେ ସେମାନଙ୍କର ବିରୋଧ ପ୍ରଦର୍ଶନ ପାଇଁ ପ୍ରାଥମିକ ଭାବେ ଅମଙ୍ଗ ଥିଲେ । ୨୦୧୦-୨୦୧୧ରେ ପଞ୍ଚାୟତ ନିର୍ବାଚନ ସଂପର୍କରେ ଘୋଷଣା ହେବା ପରେ ଏକ ନୂଆ ରଣନୀତି ଅବଲମ୍ବନ କରାଗଲା । ଯେଉଁମାନେ ଫାୟାରିଂ ରେଞ୍ଜକୁ ଦୃଢ ଭାବେ ବିରୋଧ କରି ଘାସ ଉଦ୍ୟାନକୁ ଖାଲି କରାଯିବା ଆବଶ୍ୟକ ବୋଲି ଚାହୁଁଥିଲେ ସେମାନଙ୍କୁ ନିର୍ବାଚନରେ ଏଥିପାଇଁ ଛିଡ଼ା କରାଗଲା। ପରେ ପଞ୍ଚାୟତଗୁଡ଼ିକ ତୋସାମୈଦାନ ସହ ସଂପର୍କିତ ପ୍ରସଙ୍ଗରେ ସଚେତନତା ସୃଷ୍ଟି ପାଇଁ ସହାୟତା କଲେ। ସ୍କୁଲ ଫର ରୁରାଲ ଡେଭଲପମେଣ୍ଟ ଆଣ୍ଡ ଏନଭାଇରନମେଣ୍ଟ(ଏସଆରଡିଇ)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଲୁବନା ସୟିଦ କାଦ୍ରୀ ଯାହାଙ୍କର ସଂଗଠନ ତୋସାମୈଦାନରେ ଗୋଷ୍ଠୀଭିତ୍ତିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରୁଛି।

ସେ କହିଲେ “ସେଠାରେ ଅନେକ ବିଧବା ମହିଳା ଥିଲେ ଯେଉଁମାନଙ୍କର ସ୍ୱାମୀମାନେ ଫାୟାରିଂ ରେଞ୍ଜ ଦ୍ୱାରା ପ୍ରାଣ ହରାଇଥିଲେ, ସେମାନଙ୍କୁ ସେମାନଙ୍କର ପିଲାମାନଙ୍କୁ ପ୍ରତିକୂଳ ପରିସ୍ଥିତିରେ ଏକୁଟିଆ ବଡ଼ କରିବାକୁ ପଡ଼ୁଥିଲା । ସେମାନେ ଭିକ୍ଷା ମାଗିବା ଏବଂ ମସଜିଦ୍ ବାହାରେ ବସି କିଛି ରୋଜଗାର କରୁଥିଲେ। କିନ୍ତୁ ସେମାନେ ଖୁବ୍ ଦୃଢ ଥିଲେ। ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଆମେ ପଞ୍ଚାୟତ ନିର୍ବାଚନରେ ଛିଡ଼ା ହେବାକୁ ରାଜି କରାଇଲୁ। ସେମାନେ ଖୁବ୍ ସ୍ପଷ୍ଟବାଦୀ ଥିଲେ ଏବଂ ଅନେକ କ୍ଷେତ୍ରରେ ଯେଉଁ ସିଦ୍ଧାନ୍ତ ନିଆଯିବା କଥା ସେଥିଲାଗି ଯୁକ୍ତି କରୁଥିଲେ। ଲୁବନା ଦୀର୍ଘ ବର୍ଷ ଧରି ବକରୱାଲ ଏବଂ ଗୁଜ୍ଜର ସଂପଦ୍ରାୟ ପାଇଁ କାମ କରଛନ୍ତି। ଥରେ ତୋସାମୈଦାନ ଗାଁ କମିଟି ପ୍ରତିଷ୍ଠା ହୋଇଯିବା ପରେ ସେଠାକାର ୬୪ଟି ଗାଁକୁ ପ୍ରତିନିଧିତ୍ୱ କରୁଥିବା ୫୨ ଜଣ ସରପଞ୍ଚ ଫାୟାରିଂ ରେଞ୍ଜ ବିରୋଧରେ ଏକ ପ୍ରସ୍ତାବରେ ଦସ୍ତଖତ କଲେ। ପରେ ସେମାନେ ତୋସାମୈଦାନ ବଚାଓ ଫ୍ରଣ୍ଟ ଗଠନ କଲେ।

ପରିବେଶବିତ୍, କାଶ୍ମୀର ବାର କାଉନସିଲର ସଦସ୍ୟ ଏବଂ ବିଭିନ୍ନ ବ୍ୟବସାୟୀ ସଂଘ ଏହି ଅଭିଯାନରେ ସାମିଲ ହେବା ପରେ ଏହି ସ୍ଥାନୀୟ ସରକାର ଆହୁରି ଦୃଢ ହେଲା । ଆରଟିଆଇ ମାଧ୍ୟମରେ ମିଳିଥିବା ତଥ୍ୟରୁ ସେମାନେ ଏକ ଉଲ୍ଲେଖନୀୟ କଥା ଜାଣିବାକୁ ପାଇଲେ ଯେ ଘାସ ଉଦ୍ୟାନର ଲିଜକୁ ପ୍ରତି ୧୦ ବର୍ଷରେ ଥରେ ପୁନଃ ନବୀକରଣ କରିବାକୁ ପଡ଼ିଥାଏ । ସେମାନେ କିନ୍ତୁ ତାକୁ ୯୦ ବର୍ଷ ଧରି ଲିଜ୍ ଦିଆଯାଇଛି ବୋଲି ଭୁଲ୍‌ରେ ମନେ କରୁଥିଲେ। ସେ ଅନୁସାରେ ୨୦୧୪ରେ ପୁନଃ ନବୀକରଣର ଆବଶ୍ୟକତା ପଡ଼ିଲା । ସେହି ସମୟରେ ଲିଜକୁ ଆଉ ନବୀକରଣ ନ କରିବା ଲାଗି ତତ୍କାଳୀନ ନ୍ୟାସନାଲ କନଫରେନ୍ସ ସରକାର ଉପରେ ଚାପ ପକାଇବା ଲାଗି ଏକ ବଡ଼ ଧରଣର ଅଭିଯାନ ଚଳାଗଲା । ଶ୍ରୀନଗରରେ ମାସକୁ ଅତି କମ୍‌ରେ ୨ ଥର ବିକ୍ଷୋଭ କରାଗଲା । ସେହିପରି ସ୍ଥାନୀୟ ଏବଂ ଜାତୀୟସ୍ତରର ଗଣମାଧ୍ୟମ ମଧ୍ୟ ଏହି ପ୍ରସଙ୍ଗରେ ଖବର ପରିବେଷଣ କଲେ ।

PHOTO • Tosamaidan Bachav Front

ଫାୟାରିଂ ରେଞ୍ଜ ଯୋଗୁଁ ଭିନ୍ନକ୍ଷମ ହୋଇପଡ଼ିଥିବା ଅନେକ ଲୋକ ଖାଗ ଓ ଶ୍ରୀନଗରରେ ହେଉଥିବା ବିକ୍ଷୋଭରେ ଯୋଗ ଦେଲେ।

ଏହାପରେ ୨୦୧୪ ମସିହା ଏପ୍ରିଲ ୧୮ ତାରିଖରେ ସେନା ଘାସ ଉଦ୍ୟାନକୁ ଖାଲି କଲା। ସେହିପରି ସେଠାରେ ପଡ଼ିଥିବା ଅଫୁଟା ବୋମାକୁ ବାହାର କରିବା ଏବଂ ସେହି ସ୍ଥାନକୁ ସଫା କରିବା ଲାଗି ୮୩ ଦିନ ଧରି ଏକ ସଫେଇ ଅଭିଯାନ ଚାଲିଲା । ସେ ସମୟରେ ମିଡିଆ ପକ୍ଷରୁ ଏହି ଉଦ୍ୟମକୁ ଖୁବ୍ ପ୍ରଶଂସା କରାଯାଇଥିଲା। କିନ୍ତୁ ଯେଉଁଭଳି ଭାବେ ଦାବି କରାଯାଉଥିଲା ସେ ହିସାବରେ ସଫେଇ ଅଭିଯାନ ସେତେ ସଫଳ ହୋଇନାହିଁ । ଚଳିତବର୍ଷ ଅଗଷ୍ଟ ମାସରେ ୱାଜିଦ୍ ଅହମ୍ମଦ ଅହଙ୍ଗରଙ୍କ ମୃତ୍ୟୁ ପରେ ଏକ ସାନି ସଫେଇ ଅଭିଯାନର ଆବଶ୍ୟକତା ସୃଷ୍ଟି ହୋଇଛି ।

ଯେଉଁସବୁ ପ୍ରସଙ୍ଗର ସମାଧାନ ଏବେ ମଧ୍ୟ ବାକି ଅଛି ସେଗୁଡ଼ିକ ହେଲା ଫାୟାରିଂ ରେଞ୍ଜ ଯୋଗୁଁ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିଜନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା, ପରିବେଶ ପ୍ରତି ଯେଉଁ କ୍ଷତି ହୋଇଛି ସେଥିପ୍ରତି ଧ୍ୟାନ ଦେବା ଏବଂ ତୋସାମୈଦାନ ଚାରିପଟେ ଥିବା ଗାଁଗୁଡ଼ିକରେ ଗ୍ରାମୀଣ ଭିତ୍ତିକ ପର୍ଯ୍ୟଟନ ପାଇଁ ରାଜ୍ୟ ସରକାରଙ୍କ ସହାୟତା ମିଳିବା।

ମାର୍ଚ୍ଚ ୨୦୧୭ରେ ତୋସାମୈଦାନ ବଚାଓ ଫ୍ରଣ୍ଟ ଏବଂ ଏସଆରଡିଇ ପକ୍ଷରୁ ଶ୍ରୀନଗରରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା । ତା’ ପରେ କ୍ଷତିପୂରଣ ରାଶି(ତାର ପରିମାଣ ଏବେ ମଧ୍ୟ ଅସ୍ପଷ୍ଟ)କୁ ସରକାର ସ୍ଥିର କଲେ, କିନ୍ତୁ ଟଙ୍କା ଏପର୍ଯ୍ୟନ୍ତ ମିଳିନାହିଁ ।

ଗ୍ରାମୀଣ ପର୍ଯ୍ୟଟନ ପାଇଁ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଯାଇଛି। କାଦ୍ରୀଙ୍କ ଅନୁସାରେ ଏହାଦ୍ୱାରା ପାରମ୍ପରିକ କାଶ୍ମୀର ସମାଜର ଚିନ୍ତାଧାରା ଅନୁସାରେ ମହିଳାମାନଙ୍କ ପାଇଁ ଏକ ନୂଆ ରୋଜଗାରର ସୁଯୋଗ ସୃଷ୍ଟି ହେବ। “ମହିଳାମାନେ ପୋନିୱାଲା (ଘୋଡାସବାର) ହୋଇପାରିବେ ନାହିଁ। ତେଣୁ ସେମାନେ ସେମାନେ କିଭଳି ହସ୍ତଶିଳ୍ପ ବା ସ୍ଥାନୀୟ ଖାଦ୍ୟ ବିକ୍ରି କରି ରୋଜଗାରକ୍ଷମ ହୋଇପାରିବେ ଆମେ ସେ ସଂପର୍କରେ ଚିନ୍ତା କରୁଛୁ ।’’

ମହମ୍ମଦ ଆକ୍ରମ କହିଲେ ଗ୍ରାମବାସୀ ପର୍ଯ୍ୟଟନ ଯୋଜନା ଉପରେ ବିଶ୍ୱାସ କରୁନାହାନ୍ତି ଯାହାକି ଗୁଲମର୍ଗ ଓ ପହଲଗାମ୍ ଭଳି ସ୍ଥାନରେ ଅନିୟନ୍ତ୍ରିତ ହୋଇପଡ଼ିଛି । ସେଠାରେ ବଡ ଟୁର ଅପରେଟରମାନେ ଜମିକୁ ଲିଜରେ ନେଇଯାଉଛନ୍ତି, ବଡ଼ ହୋଟେଲ ନିର୍ମାଣ କରୁଛନ୍ତି ଏବଂ ଲାଭକୁ ନିଜେ ରଖୁଛନ୍ତି । “ଏହି ମଡେଲଗୁଡ଼ିକ ଦ୍ୱାରା ଆମ ଗାଁ ଲୋକଙ୍କର କିଛି ହେବନି । ଆମେ ଶ୍ରମିକ ଭାବେ ବାସନ ଧୋଇବୁ ଏବଂ ସେହିପରି କାମ କରିବୁ । ଏହାଛଡ଼ା ପରିବେଶର ବି କ୍ଷତି ହେବ ।’’

କିନ୍ତୁ ମୋଟାମୋଟି ଭାବେ ଦେଖିଲେ ଉପତ୍ୟକାର ବିକଟ ପରିସ୍ଥିତି ପର୍ଯ୍ୟଟନକୁ ବ୍ୟାପକ ଭାବେ ପ୍ରଭାବିତ କରିଛି । ଏବେ ମଧ୍ୟ ଲୋକଙ୍କ ମନରେ ଭୟ ରହୁଛି ଯେ ଘାସ ମୈଦାନରେ ହୁଏତ ଗୁପ୍ତ ଭାବେ ବିପଦ ଥିବ । ଏହି ସାମରିକ ଜୋନରେ ଥିବା ଏହିସବୁ ଚାଲେଞ୍ଜର ମୁକାବିଲା ମଧ୍ୟ କରିବାକୁ ପଡ଼ିବ ବୋଲି ଏହା ମନେ ପକାଇ ଦେଉଛି ।

ଖାଗରେ ଥିବା ଏକ ଛୋଟ ଖାଇବା ଦୋକାନରେ ମାଲିକଜଣକ ମୋତେ ଉପର ପାହାଚକୁ ଚଢି ପାହାଡ଼ ଓ ଘାସ ମୈଦାନର ସୌନ୍ଦର୍ଯ୍ୟକୁ ଅବଲୋକନ କରିବାକୁ ନିବେଦନ କଲେ । ସେ କହିଲେ, “ଅନେକ ସଂଖ୍ୟାରେ ପର୍ଯ୍ୟଟକ ଆସିବେ ବୋଲି ଭାବି ମୁଁ ଏହାକୁ ତିଆରି କଲି ଏବଂ ସ୍ୱତନ୍ତ୍ର ଭାବେ ଏହି ସ୍ଥାନକୁ ସଫା କରାଇଲି ।’’ “କିନ୍ତୁ ପର୍ଯ୍ୟଟକମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ସେନା ଯବାନ ଯେଉଁମାନେକି କର୍ଡନ ଏବଂ ତଲାସୀ ଅଭିଯାନ ସମୟରେ ଆସିଥାନ୍ତି... ।’’

ଅନୁବାଦ: ଓଡ଼ିଶାଲାଇଭ୍‍

Freny Manecksha

फ़्रेनी मानेक्शा मुंबई की एक स्वतंत्र पत्रकार हैं। वह विकास और मानवाधिकारों पर लिखती हैं, और 2017 में अंग्रेज़ी में प्रकाशित पुस्तक ‘बीहोल्ड, आई शाइन: नैरेटिव्स ऑफ कश्मीर्स वूमेन एंड चिल्ड्रन’ की लेखिका हैं।

की अन्य स्टोरी Freny Manecksha
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE