ଏହା ବଡ଼କଥା ନଥିଲା ଯେ ଛେଳିମାନେ ସବୁବେଳେ ଜଙ୍ଗଲରେ ଥିଲେ । ଏଥିରେ କୌଣସି ଫରକ ନାହିଁ ଯେ ସେମାନେ କେଉଁ ଯୁଗରୁ ଗଧିଆ ଏବଂ ବାଘମାନେ ଆସିବା ପୂର୍ବରୁ ମୂଳ ଅଧିବାସୀ ଥିଲେ ନା ଅନ୍ୟ କେଉଁଠାରେ ସୃଷ୍ଟି ହୋଇଥିବା ଏକ ସମୂହ ଯେଉଁମାନେ ଏଠାକୁ ଆଶ୍ରୟ ଆଶାରେ ଆସିଥିଲେ । ସେମାନେ ଜଙ୍ଗଲୀ ହିଁ ଥିଲେ ।

ଜଙ୍ଗଲ ଭୂମିର ସୀମିତ ସମ୍ବଳ ଉପରେ ମୂଳ ଜୀବଜନ୍ତୁଙ୍କ ସହ ପ୍ରତିଯୋଗିତା, ଅନ୍ୟ ଉଦ୍ଭିଦ ଏବଂ ଜୀବିତ ପ୍ରଜାତିର ଅସ୍ତିତ୍ୱ ପ୍ରତି ବିପଦ, ପ୍ରାଚୀନ ଦୃଶ୍ୟପଟ୍ଟକୁ ପ୍ରଦୂଷିତ ଏବଂ ନଷ୍ଟ କରିବାର ଆଶଙ୍କା । ସେମାନେ ରୋଗର ବାହକ ଥିଲେ । ଏବଂ ସର୍ବୋପରି ବଂଶାବଳିର କୌଣସି ଲିଖିତ ପ୍ରମାଣ, ସେମାନେ ଯୁଗ ଯୁଗ ଧରି ଜାବୁଡ଼ି ଧରିଥିବା ଭୂମି ଉପରେ କୌଣସି ଦାବି ବିନା ସେମାନଙ୍କର ବଂଶାନୁକ୍ରମିକତା ସନ୍ଦେହପୂର୍ଣ୍ଣ ଥିଲା । ଏବେ ସେମାନଙ୍କୁ ଜଙ୍ଗଲର ସୀମା ବାହାରକୁ ବାହାର କରିଦେବାକୁ ହେବ । ସେମାନଙ୍କୁ ଅଲଗା ବସ୍ତିରେ ରଖିବା ଯଥେଷ୍ଟ ନଥିଲା, ସେମାନଙ୍କୁ ଜେଲ୍‌ ଭିତରେ ରଖିବାକୁ ହେବ । ସେମାନଙ୍କୁ ଇତିହାସରୁ ବାଦ୍‌ ଦେବା ଯଥେଷ୍ଟ ନଥିଲା, ସେମାନଙ୍କୁ ଜବରଦସ୍ତି ତଡ଼ିବା ଏବଂ ସେମାନେ ଆସିଥିବା ସ୍ଥାନକୁ ପୁଣି ପଠାଇଦେବାକୁ ହେବ । ତାଲିକା କରିବାର ଥିଲା, ପ୍ରତ୍ୟେକ ଜଙ୍ଗଲୀ ଜନ୍ତୁଙ୍କୁ ସେମାନଙ୍କ ଲୁଚିବା ସ୍ଥାନରୁ ଟାଣି ବାହାର କରି ଦେବାର ଥିଲା, ଏହି ମେ.. ମେ.. କରୁଥିବା ଦଳକୁ ନିର୍ବାସିତ କରିବାର ଏବଂ ନିରବ କରିଦେବାର ଥିଲା । ଜଙ୍ଗଲଗୁଡ଼ିକୁ ଭବିଷ୍ୟତର ସମସ୍ତ ଅନୁପ୍ରବେଶରୁ ସୁରକ୍ଷିତ କରିବାର ଆବଶ୍ୟକତା ଥିଲା ।

ଏହି ଭୂମିକୁ ପରସ୍ତ ପରସ୍ତ କଣ୍ଟା ତାରର ବାଡ଼ ଦେବା ପାଇଁ ନିଷ୍ପତ୍ତି ନେଇଥିବା ଏହି ନୂଆ ଜଙ୍ଗଲ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଥିଲା । ଖୁବ୍‌ କମ୍‌ ସମୟରେ କିମ୍ବା ତୁରନ୍ତ ଗାଲ୍‌ଭାନାଇଜ୍‌ ହୋଇଥିବା ଇସ୍ପାତ କଣ୍ଟାଗୁଡ଼ିକ ଘୃଣା ପରିପୂର୍ଣ୍ଣ ବାୟୁମଣ୍ଡଳକୁ ଚିରି ଦେଇ ଜଙ୍ଗଲର ପରିସୀମା ଆଙ୍କି ଦେଇଥିଲା । ଘର-ବାହୁଡ଼ା ପାଇଁ ବିନତି କରି ଷ୍ଟିଲ୍‌ କଣ୍ଟା ତାରରୁ ଓହଳିଥିବା ଜୀବଜନ୍ତୁମାନଙ୍କର କ୍ଷୀଣ ମେ’ ମେ’ କାନ୍ଦ ଶୁଣି ହେଉଥିଲା, ଯେମିତି ଏକ ଅନ୍ଧାର ହେଇ ଆସୁଥିବା ଆକାଶ ବିପକ୍ଷରେ ଅସ୍ତ ହୋଇଯାଉଥିବା ସୂର୍ଯ୍ୟର ଲାଲ୍‌ ନାରଙ୍ଗୀ ରଙ୍ଗ ।

ଅଂଶୁ ମାଲବ୍ୟ ଏହି କବିତାକୁ ହିନ୍ଦୀରେ ଆବୃତ୍ତି କରୁଥିବା ଶୁଣନ୍ତୁ

ପ୍ରତିଷ୍ଠା ପାଣ୍ଡ୍ୟା ଏହି କବିତାକୁ ଇଂରାଜୀରେ ଆବୃତ୍ତି କରୁଥିବା ଶୁଣନ୍ତୁ

ଘର ବାହୁଡ଼ା ପାଇଁ ଆବେଦନ

ମୁଁ ଘରକୁ ବାହୁଡ଼ିଯିବାର ବ୍ୟବସ୍ଥା କରିଦିଅ
ହେ ମୌଳପନ୍ଥୀ ରାଷ୍ଟ୍ରବାଦୀମାନେ!

ଯାହାକୁ ବି ଘର ବା ଉଦ୍ଭବ କୁହନ୍ତି ଆପଣ
ମୂଳ ଧର୍ମ, ମୂଳ ରାଷ୍ଟ୍ର,
ମୂଳ ସଂସ୍କୃତି, ମୂଳ ଉତ୍ପତ୍ତି…
ନିଜର ଉତ୍ପତ୍ତି ପର୍ଯ୍ୟନ୍ତ ପହଞ୍ଚିବାର ଅଧିକାର ଅଛି ଆମର
ଆପଣଙ୍କର ବି କର୍ତ୍ତବ୍ୟ ଲୋକଙ୍କୁ ମୂଳ ପର୍ଯ୍ୟନ୍ତ ପହଞ୍ଚାଇବାର ।

ହେ ବିଷ୍ଣୁ ! ହେ ବ୍ରହ୍ମା !!
ଅସ୍ତିତ୍ୱର ଏହି ଚମକୁଥିବା ଜ୍ୟୋତିର୍ଲିଙ୍ଗର
ଆପଣ ମୂଳ ଖୋଜନ୍ତୁ
ଆପଣ ଖୋଜନ୍ତୁ ଅନ୍ତ,
ମୋତେ ବି ମୋ ଘର ଦେଖାଇ ଦିଅନ୍ତୁ
ହେ କଠୋର ରାଷ୍ଟ୍ରବାଦୀ !

ଠିକ୍‌ ଯେମିତି
ବସୁଧୈବ କୁଟମ୍ବକମ୍‌’ର ସ୍ଲୋଗାନ୍‌ ଦେଇ
ରୋହିଙ୍ଗ୍ୟାମାନଙ୍କୁ ମିଆଁମାର ପର୍ଯ୍ୟନ୍ତ ଛାଡ଼ି ଆସିବେ ଆପଣ
ଯେମିତି ବଙ୍ଗଳାଦେଶୀ ଯିବେ ବଙ୍ଗଳାଦେଶ
ଯେମିତି ସବୁ ମୁସଲମାନ ଯିବେ ପାକିସ୍ଥାନ
ସବୁ ଆଲ୍‌ଜେରୀୟ ଯେମିତି ଛାଡ଼ିବେ ଫ୍ରାନ୍ସ
ସବୁ ରୋମାନ୍‌ ଜର୍ମାନୀରୁ ଫେରିବେ ନିଜ ଘରକୁ
ଯେମିତି ସବୁ ଗୋରା ଆମେରିକା ଛାଡ଼ି ଯିବେ ୟୁରୋପକୁ
ଯେମିତି ସବୁ ହିନ୍ଦୁ ମରିସସ୍‌ ଓ ସୁରିନାମ୍‌ରୁ ଫେରିବେ
ପୂଣ୍ୟ ଭୂମିକୁ
ଯେମିତି ଆଦିମାତାଙ୍କ ସନ୍ଧାନରେ ଆମେ ସମସ୍ତେ ଯିବା ଆଫ୍ରିକା
ଯେମିତି ବମ୍ବେ ଓ ଅହମ୍ମଦାବାଦରୁ ଭାଇମାନେ ଫେରିବେ
ଯେମିତି ଗୁଜୁରାଟୀ ଦିଲ୍ଲୀ ଛାଡ଼ି ଚାଲିଯିବେ
ଯେମିତି ଆଦିବାସୀ ଯିବେ ଜଙ୍ଗଲ (କ୍ଷମା କରିବେ ଜଙ୍ଗଲର ଆବଶ୍ୟକତା ତ ସରକାରଙ୍କର ରହିଛି !)
ମୋତେ ମୋ ଘର ଫେରେଇଦିଅ ।

କେବଳ ମୁଁ କାହିଁକି, ଆପଣ ବି ଚାଲନ୍ତୁ – ଆମେ ସମସ୍ତେ ଯିବା
ପୁଣି ପଛକୁ .. ଅନେକ ପଛକୁ .. ନିଜ ଘରର ସନ୍ଧାନରେ
ହାତକୁ ମାଟି ଉପରେ ରଖନ୍ତୁ
ଗଛ ଉପରେ ଚଢ଼ନ୍ତୁ, ମାଟି ଭିତରେ ଧସିଯାଆନ୍ତୁ,
ପାଣିକୁ ଡେଇଁ ପଡ଼ନ୍ତୁ
କୃମି ପରି ଆତ୍ମସମ୍ଭୋଗ କରନ୍ତୁ
ମାଛଙ୍କ ପରି ଗାଲିସିରେ ନିଶ୍ୱାସ ନିଅନ୍ତୁ ।

ମୌଳିକତାର ମହାସାଗରରେ ଚେତନାର ଆଦିମ ସ୍ତରରେ
ଏକକୋଷୀ କୀଟ ହୋଇ ଚରନ୍ତୁ ଓ ବିଚରନ୍ତୁ …

ଈଶ୍ୱରଙ୍କ ପ୍ରତ୍ୟକ୍ଷ ସାନିଧ୍ୟରେ
ଶରୀରର ଆବରଣ ହଟାଇ – ଏକାକାର ହୁଅନ୍ତୁ ।
ଅଧ୍ୟାତ୍ମିକ ଡି.ଏନ୍‌.ଏ.ର ସନ୍ଧାନରେ
ଉତ୍ପତ୍ତି ଆଡ଼କୁ ଫେରିବାର ଏହି ମହାଶୋଭାଯାତ୍ରା, ଆଦିମ ଆବାସ, ଆଦିମ ଉତ୍ସ ଆଡ଼କୁ
ଏହି ଅଧ୍ୟାତ୍ମିକ ମହାପ୍ରୟୋଗ,
ଫର୍‌ ଫର୍‌ ହୋଇ ଉଡ଼ୁଥିବା ଏହି ଧର୍ମ ଧ୍ୱଜା, ବଜାରର ଏହି ବାଜା
ଏହି କୋଳାହଳ, ଏହି ମହାକୋଳାହଳ

ଆସନ୍ତୁ ଯିବା ସେହି କୃଷ୍ଣ ଗର୍ତ୍ତକୁ;
ମହାନାଦ ସହ ଅନ୍ତ ହେଉ
ମୂଳସହ ମାନବତାର ପୁନର୍ମିଳନ ।
ଏକ ସାମୂହିକ ମୌଳିକ ଆତ୍ମଘାତ ଆଡ଼କୁ ଚାଲନ୍ତୁ
ହେ ଅତି-ଜାତୀୟତାବାଦୀ !

ସାରାଂଶ

ଘର-ୱାପସି: ହିନ୍ଦୀରେ ଏହି ବାକ୍ୟଖଣ୍ଡର ଆକ୍ଷରିକ ଅର୍ଥ ହେଉଛି ‘ଏକ ଘର ବାହୁଡ଼ା’ । ଏହା ଖ୍ରୀଷ୍ଟିଆନ୍‌ ଏବଂ ମୁସଲମାନମାନଙ୍କୁ ହିନ୍ଦୁ ଧର୍ମକୁ ଧର୍ମାନ୍ତରିତ କରିବା ପାଇଁ ସେମାନଙ୍କର ଅଭିଯାନରେ ବିଭିନ୍ନ ମୌଳବାଦୀ ସଂଗଠନଗୁଡ଼ିକ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏକ ଅଭିଯାନର ନାମ ହୋଇଆସିଛି ।

ଜ୍ୟୋତିର୍ଲିଙ୍ଗ : ହିନ୍ଦୁ ତ୍ରିଦେବ ଭଗବାନ ଶିବଙ୍କର ଏକ ପ୍ରତୀକ ।

ବସୁଧୈବ କୁଟୁମ୍ବକମ୍‌ : ‘ସାରା ପୃଥିବୀ ହେଉଛି ମୋ ପରିବାର’

ଅନୁବାଦ: ଓଡ଼ିଶାଲାଇଭ୍‍

Poem and Text : Anshu Malviya

अंशु मालवीय, हिन्दी के वरिष्ठ कवि हैं जिनके तीन कविता संग्रह प्रकाशित हो चुके हैं. वह इलाहाबाद में रहते हैं और बतौर सामाजिक और सांस्कृतिक कार्यकर्ता, शहरी ग़रीबों और असंगठित क्षेत्र के मज़दूरों के बीच सक्रिय हैं. वह मिली-जुली विरासत संजोने का महत्वपूर्ण काम भी कर रहे हैं.

की अन्य स्टोरी Anshu Malviya
Illustrations : Labani Jangi

लाबनी जंगी साल 2020 की पारी फ़ेलो हैं. वह पश्चिम बंगाल के नदिया ज़िले की एक कुशल पेंटर हैं, और उन्होंने इसकी कोई औपचारिक शिक्षा नहीं हासिल की है. लाबनी, कोलकाता के 'सेंटर फ़ॉर स्टडीज़ इन सोशल साइंसेज़' से मज़दूरों के पलायन के मुद्दे पर पीएचडी लिख रही हैं.

की अन्य स्टोरी Labani Jangi
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE