ଆଜାଦ ମଇଦାନର ଚାରିଆଡ଼େ ନଜର ବୁଲାଇବା ପରେ କୈଳାସ ଖଣ୍ଡଗାଲେଙ୍କ ଆଖି ଖୋଷି ହୋଇଗଲା । “ଏଠି ଏତେ ଅଧିକ ଚାଷୀ ଅଛନ୍ତି,” ମଇଦାନସାରା ଛୋଟେଇ ଛୋଟେଇ ଚାଲୁ ଚାଲୁ ୩୮ ବର୍ଷୀୟ ଏହି ଭୂମିହୀନ ଶ୍ରମିକ କହିଲେ ।

ଦିଲ୍ଲୀର ବିଭିନ୍ନ ସୀମାବର୍ତ୍ତୀ ଅଞ୍ଚଳରେ ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କ ପ୍ରତି ସମର୍ଥନ ଜଣାଇ ଦକ୍ଷିଣ ମୁମ୍ବାଇର ଆଜାଦ ମଇଦାନରେ ରୁଣ୍ଡ ହୋଇଥିବା ହଜାର ହଜାର କୃଷକଙ୍କ ସହିତ ସାମିଲ ହେବା ଲାଗି ଜାନୁଆରୀ ୨୪ ତାରିଖ ଦିନ କୈଳାସ ସେଠାରେ ପହଞ୍ଚିଥିଲେ । କୈଳାସ କହିଲେ, “ତିନିଟି ଯାକ (ନୂଆ କୃଷି) ଆଇନର ପ୍ରତିବାଦ କରିବା ଲାଗି ମୁଁ ଏଠାକୁ ଆସିଛି। ମୁଁ ଜାଣିଲି ଯେ, ମୋ ପରିବାରକୁ ମିଳୁଥିବା ଖାଦ୍ୟ ସାମଗ୍ରୀ ଉପରେ ଏହି ଆଇନଗୁଡ଼ିକର ପ୍ରଭାବ ପଡ଼ିବ ।” ଏକରୁ ପାଞ୍ଚ ଏକର ପରିମାଣ ମଧ୍ୟରେ ଥିବା ଜମିରେ ତାଙ୍କ ସମାଜର ସଦସ୍ୟମାନେ ମୁଖ୍ୟତଃ ଟମାଟୋ, ପିଆଜ, ବାଜରା ଏବଂ ଧାନ ଚାଷ କରନ୍ତି ।

ସଂଯୁକ୍ତ ଶେତକାରି କାମଗର ମୋର୍ଚ୍ଚା ପକ୍ଷରୁ ଜାନୁଆରୀ ୨୪ରୁ ୨୬ ପର୍ଯ୍ୟନ୍ତ ଆୟୋଜିତ ଧାରଣାରେ ଯୋଗ ଦେଇଥିବା ଅହମ୍ମଦନଗର ଜିଲ୍ଲାର କୋଲି ମହାଦେବ ଆଦିବାସୀ ସଂପ୍ରଦାୟର ପାଖାପାଖି ୫୦୦ ଜଣ (ତାଙ୍କ ଆକଳନ ଅନୁସାରେ) ଲୋକଙ୍କ ଭିତରୁ ସେ ଥିଲେ ଜଣେ। ମୁମ୍ବାଇ ପର୍ଯ୍ୟନ୍ତ, ପାଖାପାଖି ୩୦୦ କିଲୋମିଟର ଦୂର ଯାତ୍ରା କରିବା ପାଇଁ ଆକୋଲା, ପାରନେର ଏବଂ ସାଙ୍ଗାମନେର ତାଲୁକାର ଆଦିବାସୀମାନେ ଭଡ଼ାରେ ୩୫ଟି ଭ୍ୟାନ୍‌ ନେବାକୁ ପ୍ରତ୍ୟେକେ ୨୦୦ ଟଙ୍କା ଲେଖାଏଁ ଦେଇଥିଲେ ।

ସାଙ୍ଗମାନେର ତାଲୁକା ଅନ୍ତର୍ଗତ ତାଙ୍କ ଗାଁ ଖାମ୍ବେରେ ରହୁଥିବା ତାଙ୍କର ସାତ ଜଣିଆ ପରିବାରର ଏକମାତ୍ର ଉପାର୍ଜନକାରୀ ସଦସ୍ୟ ହେଲେ କୈଳାସ। ପରିବାରରେ ଅଛନ୍ତି ତାଙ୍କ ସ୍ତ୍ରୀ ଭାବନା, ବାପା ଓ ମାଆ ଏବଂ ତିନିଟି ପିଲା । ସେ କହିଲେ,“ମୁଁ ଅନ୍ୟମାନଙ୍କ କ୍ଷେତରେ କାମ କରି ଦିନକୁ ୨୫୦ ଟଙ୍କା ରୋଜଗାର କରେ । କିନ୍ତୁ ମୋ ଗୋଡ଼ କାରଣରୁ ବର୍ଷକୁ ଅତି ବେଶୀରେ ମତେ ୨୦୦ ଦିନର କାମ ମିଳିଥାଏ ।” କୈଳାସଙ୍କୁ ୧୩ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା ଏବଂ ପର୍ଯ୍ୟାପ୍ତ ଡାକ୍ତରୀ ଚିକିତ୍ସା ନ ମିଳିବାରୁ ସେ ଛୋଟେଇ ଛୋଟେଇ ଚାଲୁଥିଲେ । ଭାବନା ମଧ୍ୟ ତାଙ୍କ ଦୁର୍ବଳ ଡାହାଣ ହାତ ଯୋଗୁଁ କଠିନ ପରିଶ୍ରମ କରିପାରନ୍ତି ନାହିଁ ।

ଖୁବ ଅଳ୍ପ ଏବଂ ଅନିୟମିତ ଆୟ ଉପରେ ନିର୍ଭର କରି ଚଳୁଥିବା ଖଣ୍ଡଗାଲେ ପରିବାର ପାଇଁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଉପଲବ୍‌ଧ ଖାଦ୍ୟ ସାମଗ୍ରୀର ଗୁରୁତ୍ୱ ଖୁବ୍‌ ଅଧିକ । ଜାତୀୟ ଖାଦ୍ୟ ନିରାପତ୍ତା ଆଇନ-୨୦୧୩ ଅନ୍ତର୍ଗତ ଖାଦ୍ୟ ସାମଗ୍ରୀ ପାଇବାକୁ ଯୋଗ୍ୟ ୮୦ କୋଟି ଲୋକଙ୍କ ଭିତରେ ରହିଛି ତାଙ୍କ ପରିବାର । ଏହି ଆଇନ ଅନୁସାରେ ଯୋଗ୍ୟ ବିବେଚିତ ପରିବାରର ପ୍ରତି ସଦସ୍ୟଙ୍କୁ ମାସକୁ ମୋଟ ପାଞ୍ଚ କିଲୋଗ୍ରାମ ଖାଦ୍ୟ ଶସ୍ୟ ରିହାତି ଦରରେ ମିଳିଥାଏ – ଚାଉଳ କିଲୋ ପିଛା ୩ ଟଙ୍କାରେ, ଗହମ କିଲୋ ପିଛା ୨ ଟଙ୍କାରେ ଏବଂ ମୋଟା ମକାଜାତୀୟ ଶସ୍ୟ କିଲୋ ପିଛା ୧ ଟଙ୍କାରେ ମିଳେ ।

କିନ୍ତୁ କୈଳାସଙ୍କ ସାତଜଣିଆ ପରିବାରକୁ ପ୍ରତି ମାସରେ ମାତ୍ର ୧୫ କିଲୋ ଗହମ ଓ ୧୦ କିଲୋ ଚାଉଳ ମିଳେ, ଯାହାକି ସେମାନଙ୍କ ପାଇଁ ଧାର୍ଯ୍ୟ ପରିମାଣରୁ ୧୦ କିଲୋ କମ୍‌ । କାରଣ, ତାଙ୍କର ଦୁଇ ଜଣ ସାନ ପିଲାଙ୍କ ନାଁ ବିପିଏଲ୍‌ (ଦାରିଦ୍ର୍ୟ ସୀମାରେଖା ତଳେ) ଖାଉଟି କାର୍ଡରେ ନାହିଁ ।

ପ୍ରତି ମାସରେ ତାଙ୍କ ପରିବାର ପାଇଁ ଖାଉଟି ସାମଗ୍ରୀ ଆଣିବା ଲାଗି ଘରୁ ସାଧାରଣ ବଣ୍ଟନ ବ୍ୟବସ୍ଥାର ଯୋଗାଣ କେନ୍ଦ୍ର ପର୍ଯ୍ୟନ୍ତ ଚାରି କିଲୋମିଟର ଯା’ଆସ କରୁଥିବା କୈଳାସ କହିଲେ, “ଏହି ୨୫ କିଲୋ ୧୫ ଦିନରେ ସରିଯାଏ । ତା’ପରେ ଆମକୁ ଭୋକ ଚାପି ରଖିବାକୁ ପଡ଼େ । ଆମକୁ ତେଲ, ଲୁଣ ଓ ପିଲାମାନଙ୍କ ପାଠପଢ଼ା ବାବଦରେ ବି ଖର୍ଚ୍ଚ କରିବାକୁ ପଡ଼େ । କିରାନା (ତେଜରାତି) ଦୋକାନରୁ ଅଧିକ ମୂଲ୍ୟର ଖାଦ୍ୟ ଶସ୍ୟ କିଣିବାକୁ କାହା ପାଖରେ ବା ପଇସା ଅଛି ?”

Kailash Khandagale (left) and Namdev Bhangre (pointing) were among the many Koli Mahadev Adivasis at the Mumbai sit-in against the farm laws
PHOTO • Jyoti Shinoli
Kailash Khandagale (left) and Namdev Bhangre (pointing) were among the many Koli Mahadev Adivasis at the Mumbai sit-in against the farm laws
PHOTO • Jyoti Shinoli

କୃଷି ଆଇନ ବିରୋଧରେ ମୁମ୍ବାଇରେ ଆୟୋଜିତ ଧାରଣାରେ ଯୋଗ ଦେଇଥିବା କୋଲି ମହାଦେବ ଆଦିବାସୀ ସଂପ୍ରଦାୟର ଅନେକ ବ୍ୟକ୍ତିଙ୍କ ମଧ୍ୟରେ ଥିଲେ କୈଳାସ ଖଣ୍ଡଗାଲେ (ବାମ) ଏବଂ ନାମଦେବ ଭାଙ୍ଗରେ (ଆଙ୍ଗୁଠି ଦେଖାଉଛନ୍ତି)

ଏହା ସମେତ ନୂତନ କୃଷି ନୀତିରେ ସମ୍ମିଳିତ ଅନ୍ୟାନ୍ୟ ସମ୍ଭାବ୍ୟ କୁପରିଣତି ଖଣ୍ଡଗାଲେଙ୍କୁ ଚିନ୍ତିତ କରିଛି: “ଏହି ବିଲ୍‌ (ଆଇନଗୁଡ଼ିକ)ର ବଡ଼ ଧରଣର ପ୍ରଭାବ ପଡ଼ିବ । ଏହା କେବଳ କୃଷକମାନଙ୍କ ସଂପର୍କରେ ନୁହେଁ । ଏ ଲଢ଼େଇ ଆମ ସମସ୍ତଙ୍କ ପାଇଁ,” ସେ କହିଲେ ।

ମୁମ୍ବାଇର ପ୍ରତିବାଦ ସ୍ଥଳରେ ସ୍ପଷ୍ଟତଃ ଉତ୍ତେଜିତ କଣ୍ଠରେ ସେ ଆହୁରି କହିଲେ, “ମୁଁ  ସରକାରଙ୍କୁ ପଚାରିବାକୁ ଚାହୁଁଛି- ଆମର ଯଦି କୌଣସି ସ୍ଥାୟୀ ଚାକିରି ନାହିଁ ଏବଂ ଆପଣ ଆମକୁ ଖାଦ୍ୟ ସାମଗ୍ରୀ ଦେବା ବନ୍ଦ କରିଦିଅନ୍ତି, ତେବେ ଆମେ କ”ଣ ଖାଇବୁ ?” କୈଳାସଙ୍କ ଆଶଙ୍କା ନୂତନ କୃଷି ଆଇନଗୁଡ଼ିକ ମଧ୍ୟରୁ ଅନ୍ୟତମ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ ୨୦୨୦ ଆଇନ ଉପରେ ଆଧାରିତ ହେଲା ଭଳି ମନେହୁଏ । ଏହି ଆଇନ ବଳରେ, କେବଳ ‘ଅସାଧାରଣ ପରିସ୍ଥିତି’କୁ ବାଦ ଦେଲେ, ଅନ୍ୟ ସମୟରେ ‘ଖାଦ୍ୟ ପଦାର୍ଥ’ (ମକାଜାତୀୟ ଶସ୍ୟ, ଡାଲିଜାତୀୟ ଶସ୍ୟ, ଆଳୁ, ପିଆଜ, ଖାଇବା ତେଲ ମଞ୍ଜି ଓ ତେଲ) ମହଜୁଦ କରିବାର ସୀମା ହଟିଯିବ ।

“ଏହି ସଂଶୋଧନରୁ ଏହା ସ୍ପଷ୍ଟ ଯେ, ଏଣିକି କୌଣସି କମ୍ପାନୀ ନିଜ ଗୋଦାମରେ କେତେ ମହଜୁଦ ରଖିପାରିବ ତାହା ଉପରେ କୌଣସି ଧାର୍ଯ୍ୟ ସୀମା ରହିବ ନାହିଁ । ଏହା ଫଳରେ, ଆମ ଦେଶର ଲକ୍ଷ ଲକ୍ଷ ଗରିବ ଲୋକଙ୍କ ନିତିଦିନିଆ ଖାଦ୍ୟ ସାମଗ୍ରୀ ଚାଉଳ ଓ ଗହମ ଭଳି ଅତ୍ୟାବଶ୍ୟକ ସାମଗ୍ରୀକୁ ବେଆଇନ ଭାବେ ମହଜୁଦ ରଖି କଳା ବଜାରରେ ବିକ୍ରି କରାଯିବ,” ଆକୋଲା ତାଲୁକା ଅନ୍ତର୍ଗତ ଖଡ଼କି ବୁଦ୍‌ରୁକ ଗାଁର ନାମଦେବ ଭାଙ୍ଗରେ କହିଲେ । ସେ ମଧ୍ୟ କୋଲି ମହାଦେବ ସଂପ୍ରଦାୟର ଏବଂ ସେମାନଙ୍କର ଛଅ ଜଣିଆ ପରିବାର ପାଇଁ ସେ ଓ ତାଙ୍କ ସ୍ତ୍ରୀ ସୁଧା ଦୁଇ ଏକର ଜମିରେ ମୁଖ୍ୟତଃ ବାଜରା ଚାଷ କରନ୍ତି ।

୩୫ ବର୍ଷ ବୟସ୍କ ନାମଦେବ ଆହୁରି କହିଲେ, “ଲକ୍‌ଡାଉନ୍‌ ସମୟରେ ଅଭାବୀ ଓ କାମ ହରାଇଥିବା ଲୋକଙ୍କୁ ସରକାର ଖାଦ୍ୟ ସାମଗ୍ରୀ ବାଣ୍ଟି ପାରିଲେ, କାରଣ ସେମାନଙ୍କ ପାଖରେ ଖାଦ୍ୟ ଶସ୍ୟ ମହଜୁଦ ଥିଲା। ବେଆଇନ ଭାବେ ମହଜୁଦ ରଖିଲେ ସଂକଟ ସମୟରେ ଏଭଳି ଖାଦ୍ୟ ନିରାପତ୍ତା ପ୍ରଭାବିତ ହେବ ।” ଆଗକୁ ଏଭଳି ସ୍ଥିତିରେ ସରକାର ବଜାରରୁ ଖାଦ୍ୟଶସ୍ୟ କିଣିବାକୁ ସଂଘର୍ଷ କରିବେ ବୋଲି ସେ ପୂର୍ବାନୁମାନ କରନ୍ତି ।

ସାରା ଭାରତର କୃଷକମାନେ ଯେଉଁ ନୂତନ ଆଇନଗୁଡ଼ିକର ବିରୋଧ କରୁଛନ୍ତି, ସେସବୁ ସଂପର୍କରେ ନାମଦେବ ଭଲ ଭାବରେ ଜାଣିଛନ୍ତି । ଫସଲର ନ୍ୟୂନତମ ସମର୍ଥନ ମୂଲ୍ୟ (MSP), କୃଷି ଉତ୍ପାଦ ବିପଣନ କମିଟି (APMC), ରାଜ୍ୟ ସରକାରଙ୍କ ଦ୍ୱାରା ଶସ୍ୟ କ୍ରୟ ବ୍ୟବସ୍ଥା ସମେତ ଚାଷୀମାନଙ୍କ ପାଇଁ ଥିବା ଆହୁରି ଅନେକ ମୁଖ୍ୟ ସହାୟତା ବ୍ୟବସ୍ଥାକୁ ଅଣଦେଖା କରି କେବଳ କୃଷି ବଜାରରେ ମୁକ୍ତ କାରବାରର ପ୍ରସାର ଲାଗି ଉଦ୍ଦିଷ୍ଟ କୃଷକଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟବସାୟ ଓ ବାଣିଜ୍ୟ (ପ୍ରସାର ଓ ସୁବିଧା ପ୍ରଦାନ) ଆଇନ, ୨୦୨୦ କୁ ଉପଲକ୍ଷ୍ୟ କରି ସେ ଏହା କହନ୍ତି ।

“ଯଦି ଚାଷୀମାନେ ମହାମଣ୍ଡଳ (ଭାରତୀୟ ଖାଦ୍ୟ ନିଗମ) ବଦଳରେ ଖୋଲା ବଜାରରେ ଅଧିକ ଦରରେ ଖାଦ୍ୟଶସ୍ୟ ବିକ୍ରି କରନ୍ତି, ତେବେ ଗରିବ ଚାଷୀ, ଶ୍ରମିକ, ବୟସ୍କ ଲୋକେ କିମ୍ବା ଯେଉଁମାନଙ୍କର ଶାରୀରିକ ଅକ୍ଷମତା ରହିଛି, ସେମାନେ କେଉଁଠୁ ଖାଦ୍ୟଶସ୍ୟ କିଣିବାକୁ ଯିବେ? ପଚାରିଲେ ନାମଦେବ । (ସାଧାରଣ ବଣ୍ଟନ ବ୍ୟବସ୍ଥାର ଖାଦ୍ୟଶସ୍ୟ କିଣିବା ଏବଂ ବିତରଣ କରିବା ପାଇଁ ଭାରତୀୟ ଖାଦ୍ୟ ନିଗମ ହିଁ ବୈଧାନିକ ସଂସ୍ଥା) “ସେମାନଙ୍କୁ କ’ଣ କର୍ପୋରେଟବାଲା ମାଗଣାରେ ଖାଇବାକୁ ଦେବେ ?”

Bhagubai Mengal, Lahu Ughade, Eknath Pengal and Namdev Bhangre (left to right) believe that the laws will affect their households' rations
PHOTO • Jyoti Shinoli

ଭାଗୁବାଇ ମେଙ୍ଗାଲ, ଲାହୁ ଉଘାଡ଼େ, ଏକନାଥ ପେଙ୍ଗାଲ ଏବଂ ନାମଦେବ ଭାଙ୍ଗରେ (ବାମରୁ ଡାହାଣକୁ) ମନେ କରନ୍ତି ଯେ ଏହି ଆଇନଗୁଡ଼ିକ ଯୋଗୁଁ ସେମାନଙ୍କ ପରିବାରର ଖାଦ୍ୟ ସାମଗ୍ରୀ ପ୍ରଭାବିତ ହେବ

ଆକୋଲା ଜିଲ୍ଲା ଅନ୍ତର୍ଗତ ଦିଗାମ୍ବର ଗାଁର ଭାଗୁବାଇ ମେଙ୍ଗାଲଙ୍କ ମତରେ ସମୁଚିତ ନ୍ୟୂନତମ ସମର୍ଥନ ମୂଲ୍ୟ (MSP) ହିଁ ତାତ୍କାଳିକ ଚିନ୍ତାର ବିଷୟ- ସାରା ଦେଶର ଅଗଣିତ କୃଷକଙ୍କ ସ୍ୱରରେ ଏହି ଦାବି ପ୍ରତିଧ୍ୱନିତ ହେଉଛି ଏବଂ ଏଥିପାଇଁ ଜାତୀୟ କୃଷକ କମିଶନ (ସ୍ୱାମୀନାଥନ କମିଶନ) ମଧ୍ୟ ସୁପାରିସ କରିଥିଲେ । ୬୭ ବର୍ଷୀୟ ଭାଗୁବାଇ କହିଲେ, “ଆମେ ଅମଳ କରିଥିବା ଟମାଟୋ କି ପିଆଜକୁ (APMC) ବଜାର ପର୍ଯ୍ୟନ୍ତ ବୋହି ନେବାକୁ ପଡ଼େ । ୨୫ କିଲୋ ଟମାଟୋ ପାଇଁ ବ୍ୟବସାୟୀ ଆମକୁ ମାତ୍ର ୬୦ ଟଙ୍କା ଦିଅନ୍ତି ।” ଏଥିପାଇଁ ଅତି କମ୍‌ରେ ସେ ୫୦୦ ଟଙ୍କା ପାଇବାକୁ ଆଶା କରନ୍ତି । “ପରିବହନ ବାବଦ ଖର୍ଚ୍ଚ ବାଦ ଦେବା ପରେ ଆମ ପାଇଁ ଆଉ କିଛି ବାକି ନଥାଏ ।”

ଭାଗୁବାଇ ଚାରି ଏକର ଜମିରେ ଟମାଟୋ, ବାଜରା ଏବଂ ଧାନ ଚାଷ କରନ୍ତି । ସେ କହନ୍ତି, “ଏଇଟା ଜଙ୍ଗଲ ଜମି, କିନ୍ତୁ ଦୀର୍ଘ ବର୍ଷ ହେଲା ଆମେ ଏଥିରେ ଚାଷ କରିଆସୁଛୁ । ସରକାର ଆମକୁ ଜମିର ମାଲିକାନା ବି ଦେଉନାହାନ୍ତି । ଏବଂ ତା ଉପରେ ଏମିତି ସବୁ ଚାଷୀ ବିରୋଧୀ ଆଇନ ଆଣୁଛନ୍ତି-କାହିଁକି ?” ଭାଗୁବାଇ ରାଗି ଯାଆନ୍ତି ।

ଯଦି ଦରଦାମ ପ୍ରତିଶ୍ରୁତି ଓ କୃଷିକ୍ଷେତ୍ର ସେବା ସଂପର୍କିତ କୃଷକଙ୍କ (ସଶକ୍ତୀକରଣ ଏବଂ ସୁରକ୍ଷା) ବୁଝାମଣା ଆଇନ, ୨୦୨୦ କାର୍ଯ୍ୟକାରୀ ହୁଏ, ତେବେ କୃଷି-ବ୍ୟବସାୟ ଏବଂ ଠିକା ଚାଷ ପଦ୍ଧତିର ସମ୍ଭାବ୍ୟ ବ୍ୟାପ୍ତି ଆଶଙ୍କା ଏବଂ ଏହି ବ୍ୟବସ୍ଥାର କୁପରିଣାମ ସଂପର୍କରେ ଅହମ୍ମଦନଗରର କୃଷକମାନେ ବେଶ ସଚେତନ । ଦିଲ୍ଲୀ ସୀମାବର୍ତ୍ତୀ ବିଭିନ୍ନ ଅଞ୍ଚଳରେ ଆନ୍ଦୋଳନରତ କୃଷକମାନଙ୍କ ଭଳି ମହାରାଷ୍ଟ୍ରର କୃଷକମାନେ ମଧ୍ୟ ପୂର୍ବାନୁମାନ କରନ୍ତି ଯେ, ନିକଟରେ ପ୍ରଣୀତ କୃଷି ଆଇନଗୁଡ଼ିକ ବଳରେ ବଡ଼ ବଡ଼ କମ୍ପାନୀ ପାଇଁ ସୁଯୋଗ ପରିସର ସଂପ୍ରସାରିତ ହେବ ଏବଂ କୃଷକ ଓ କୃଷି କ୍ଷେତ୍ର ଉପରେ ସେମାନଙ୍କ ପତିଆରା ବୃଦ୍ଧି ପାଇବ ।

ଯଦିଚ ଏକନାଥ ପେଙ୍ଗାଲ ଏଭଳି କୌଣସି କୃଷି ଚୁକ୍ତିନାମାରେ ସ୍ୱାକ୍ଷର କରିନାହାନ୍ତି, ତଥାପି, ତାଙ୍କର ଆକୋଲା ତାଲୁକା ଏବଂ ଆଖପାଖ ଅଞ୍ଚଳର ଚାଷୀମାନେ ଏହା ଦ୍ୱାରା ହଇରାଣ ହୋଇଥିବାର କେତେକ ଦୃଷ୍ଟାନ୍ତ ସଂପର୍କରେ ସେ ଶୁଣିଛନ୍ତି । “କର୍ପୋରେଟ କମ୍ପାନୀଗୁଡ଼ିକ ଆମ ଗାଁ ଭିତରକୁ ପଶି ସାରିଲେଣି । ସେମାନଙ୍କୁ (ଚାଷୀମାନଙ୍କୁ) ଅଧିକ ଦରର ଲୋଭ ଦେଖାଇବା ପରେ ଶେଷ ମୁହୂର୍ତ୍ତରେ ସେମାନଙ୍କ ଫସଲର ଗୁଣମାନ ଭଲ ନୁହେଁ ବୋଲି କହି ସେଗୁଡ଼ିକୁ ପ୍ରତ୍ୟାଖାନ କରୁଛନ୍ତି’’।

ଶମଶେରପୁର ଗାଁର ଏହି ୪୫ ବର୍ଷୀୟ କୃଷକ ଜଣକ ଖରିଫ ଋତୁରେ ପାଞ୍ଚ ଏକର ଜଙ୍ଗଲ ଜମିରେ ବାଜରା ଏବଂ ଧାନ ଚାଷ କରନ୍ତି ଏବଂ ନଭେମ୍ବରରୁ ମେ ମାସ ଯାଏ ଅନ୍ୟମାନଙ୍କ ଚାଷଜମିରେ କାମ କରନ୍ତି । ସେ ଆହୁରି କହିଲେ, “ଲକ୍‌ଡାଉନ୍‌ ସମୟରେ କମ୍ପାନୀ ପକ୍ଷରୁ ଆମ ଗାଁରେ ପନିପରିବା ବିହନ ଏବଂ ଫୁଲ ଚାରା ବିତରଣ କରାଯାଇଥିଲା । ବଡ଼ ବଡ଼ ଜମିରେ ଏହାକୁ ଲଗାଇବା ପାଇଁ କମ୍ପାନୀ ଚାଷୀମାନଙ୍କୁ କହିଲା । ଯେତେବେଳେ ଫସଲ ଅମଳ ପାଇଁ ପ୍ରସ୍ତୁତ ହୋଇଗଲା, କମ୍ପାନୀ ଖୋଲାଖୋଲି ଭାବରେ (ପାଉଣା ଦେବାକୁ) ମନା କଲା ଏବଂ ‘ଆମେ ତୁମର ଲଙ୍କା ଓ ଫୁଲକୋବି ଓ ବନ୍ଧାକୋବି ନେବୁ ନାହିଁ’ ବୋଲି କହିଲା । ଚାଷୀମାନେ ସେମାନଙ୍କ ଫସଲ ଫିଙ୍ଗି ଦେବାକୁ ବାଧ୍ୟ ହେଲେ ।”

ଅନୁବାଦ - ଓଡ଼ିଶାଲାଇଭ୍‍

Jyoti Shinoli

ज्योति शिनोली, पीपल्स आर्काइव ऑफ़ रूरल इंडिया की एक रिपोर्टर हैं; वह पहले ‘मी मराठी’ और ‘महाराष्ट्र1’ जैसे न्यूज़ चैनलों के साथ काम कर चुकी हैं.

की अन्य स्टोरी ज्योति शिनोली
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE